Unknown

 

 

 

 

 

 

 

 

 

 

 

ମିତ୍ର ଗଳ୍ପ

ବାମା ଚରଣ ମିତ୍ର

 

ଉତ୍ସର୍ଗ

 

ଯାହାଙ୍କୁ ମୁଁ ବିଶେଷ ରୂପେ ବହନ କରିବାକୁ

ପ୍ରତିଜ୍ଞା କରି ସୁଦ୍ଧା ଯିଏ ମୋତେ ବହନ

କରି ଚାଲିଛନ୍ତି—ସେଇ

ଶ୍ରୀମତୀ ପ୍ରତିଭା ମିତ୍ରଙ୍କୁ

 

–ବାମା ଚରଣ

 

ଏଥିରେ ଅଛି

 

୧.

ସ୍ୱପ୍ନସିଦ୍ଧ

୨.

ଅମୃତସ୍ୟ ପୁତ୍ରାଃ

୩.

କୃପାନିଧି ବାବୁ

୪.

ଶାନ୍ତିଦେବୀଙ୍କ ଶାନ୍ତି ଓ ଅଶାନ୍ତି

୫.

ମରହଟ୍ଟୀ

୬.

ବାବା ଡହରାନନ୍ଦଙ୍କ ରୋମାଞ୍ଚକର କାହାଣୀ

୭.

ନିର୍ବାଚନ

୮.

ସମୁଦାୟ

୯.

ବାତାୟନ

୧୦.

ସଙ୍କଟ

୧୧.

ବଟ ମହାପୁରୁଷ

୧୨.

ଶୁଖିଲା ପତର

୧୩.

ନନ୍ଦକୂଳେ

୧୪.

ରାଣୀ ଦୁରୁଗା

୧୫.

ପୁନର୍ମୂଷିକ

୧୬.

ମହାଯୁଦ୍ଧ

୧୭.

ପରୀକ୍ଷା

୧୮.

ଲେଖା ଓ ଲେଖକ

୧୯.

ଜୀବନ ଓ ଜୀବିକା

୨୦.

ଜୀବିକା ଓ ଜୀବନ

୨୧.

ଓଁ ଶାନ୍ତି

୨୨.

ଝରାଫୁଲ

୨୩.

ମ୍ୟୁନିସିପାଲିଟି ଗଳ୍ପ

୨୪.

ପାକ ପ୍ରଣାଳୀ

୨୫.

ଗୋଟିଏ ମଧ୍ୟବିତ୍ତ ପରିବାରର ମୂଷା

Image

 

ସ୍ୱପ୍ନସିଦ୍ଧ

 

ନଲ୍‌ଠଣଟି ମିଞ୍ଜି ମିଞ୍ଜି ହୋଇ ଟେବୁଲ ଉପରେ ଜଳୁଛି । ଚାରିଆଡ଼ ନିସ୍ତବ୍‌ଧ । କେବଳ ପଡ଼ିଶା ଘରର ଅଝଟ ପିଲାର ତୁହାଇ ତୁହାଇ କାନ୍ଦଣା ଭାସିଆସୁଛି । ମିମି ଓ ଟୁକୁନା ଶୋଇପଡ଼ିଲେଣି । ମାତ୍ର କିଛିକ୍ଷଣ ଆଗେ ସେମାନଙ୍କର କଳି, ପିଟାପିଟି ବନ୍ଦ ହୋଇଚି । ବୋଉ କାହା ଆଡ଼କୁ ମୁହଁକରି ଶୋଇବ ଏଥିପାଇଁ ସେମାନଙ୍କ ଭିତରେ ପ୍ରବଳ କଳି ଚାଲିଥିଲା । ପ୍ରୀତି ମଧ୍ୟ ନିଘୋଡ଼ ନିଦରେ ଶୋଇପଡ଼ିଚି । କିନ୍ତୁ ତାର ପଙ୍ଖା ବୁଲାଇବା ବନ୍ଦ ହୋଇନାହିଁ କି ଗୀତଟି ମଧ୍ୟ ବନ୍ଦ ହୋଇନାହିଁ । ସେ ନିଦ୍ରାଜଡ଼ିତ କଣ୍ଠରେ “ଗାଇ ଚାଲିଚି, ମିମି ମୋର ସୁନା ଝୁଅ... ।” କେଉଁ ସପନ ରାଇଜରୁ ଗୋଟିଏ ଅପୂର୍ବ ସୁର ଯେମିତି ଭାସି ଆସୁଛି । ଆଉ ତା ସହିତ ମିଶିଚି ପଙ୍ଖାର ଅବିରାମ ଘୋଷା...କେଁ...କେଁ । ପ୍ରୀତିର ସେ ଗୀତରେ କି ମୋହିନୀ ଶକ୍ତି ଅଛି କେଜାଣି, ଶୁଣିବା ମାତ୍ରେ ମିମି ଟୁକୁନା ପରି ଦୁର୍ଦ୍ଦଣ୍ଡ ପ୍ରତାପୀମାନେ ମଧ୍ୟ ଶୋଇପଡ଼ିଲେ ।

 

ସୁଦାମବାବୁ ଧୀରେ ବିଛଣାରୁ ଉଠି ଶାନ୍ତିର ନିଃଶ୍ଵାସ ମାରି ଦାଣ୍ଡଘରକୁ ଗଲେ ଲେଖିବାକୁ । ଅତ୍ୟାଧୁନିକ ଲେଖକମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ଅତି ଉଗ୍ର । ଯେତେ ଅଦ୍ଭୁତ ଶବ୍ଦ ସେ ସୃଷ୍ଟି କରୁଚନ୍ତି, ତାଙ୍କର ଭାଷା, ଭାବ ଓ ଉପମା ଯେତେ ଦୁର୍ବୋଧ୍ୟ ହେଉଚି ତାଙ୍କର ସ୍ଥାନ ସେତେ ଦୃଢ଼ ହେଉଚି । କିଛିଦିନ ହେବ ଗୋଟିଏ ଅତି ଜଟିଳ ଓ ବିଜ୍ଞାନସମ୍ମତ ପ୍ରେମମୂଳକ ଗଳ୍ପ ତାଙ୍କର ମନକୁ ଆସୁଛି । ଫଏଡ଼୍, ଆଡ଼ଲର୍, ଓ ୟୁଙ୍ଗ୍‌ଙ୍କ ମନ ସମୀକ୍ଷା, ଡାର୍‌ଉଇନ୍, ବର୍ଗସନ୍ ଓ ମାର୍କ୍‍ସଙ୍କ ବିବର୍ତ୍ତନବାଦ, ପଦାର୍ଥ ବିଜ୍ଞାନର ପରମାଣୁ ତତ୍ତ୍ୱ ଓ ଆଇନଷ୍ଟାଇନଙ୍କ ଆପେକ୍ଷିକବାଦ ସହିତ ଜ୍ୟାମିତିର ତୃତୀୟ ଉପପାଦ୍ୟ ଓ ହିନ୍ଦୁ ଧର୍ମର ଜନ୍ମାନ୍ତରବାଦ ମିଶାଇ ସେ ଗୋଟିଏ ଅପୂର୍ବ ଓ ଅଦ୍ଭୁତ ଉପନ୍ୟାସ ଲେଖିବାର କଳ୍ପନା କରିଚନ୍ତି । କିନ୍ତୁ ଘରେ ଯେଉଁ ଗୋଳମାଳ, ଟୁକୁନା ଓ ମିମି ମଧ୍ୟରେ ଯେଉଁ ଖଣ୍ଡଯୁଦ୍ଧ ଚାଲିଚି ସେଥିରେ ଲେଖିବା ତ ଦୂରର କଥା, ଭାବନା ମଧ୍ୟ ମିଳେଇ ଯାଉଚି । ନଲଠଣଟି ଧୀରେ ଟେବୁଲ ଉପରେ ଥୋଇ ଟିକିଏ ତେଜିଦେଇ କାଗଜ ବାହାର କରି କଲମ ଧରିଛନ୍ତି କିନା, ମିମି ଧଡ଼ପଡ଼ କରି ଉଠି ବସି ଚିତ୍କାର କରି କାନ୍ଦିଉଠି କହିଲା...‘‘ବୋଉ, ଦେଏଖେ ଭାଇକୁ... ।”

 

କଲମ କାଗଜ ଥୋଇଦେଇ ଥକ୍‌କା ହୋଇ ବସିପଡ଼ି ସୁଦାମ ବାବୁ କୁଳଦେବତାଙ୍କ ନାମ ଉଚ୍ଚୈସ୍ୱରେ ଜପିବାକୁ ଲାଗିଲେ, ରଘୁନାଥ, ରଘୁନାଥ ହେ ! ମିମିର ଚିତ୍କାର କ୍ରମେ ତୀବ୍ର ହେବାକୁ ଲାଗିଲା । କାଗଜଟା ଟିକି ଟିକି କରି ଚିରିଦେଇ, କଲମ ମୁନଟାକୁ ଟେବୁଲ ଉପରେ ଗୋବା ମାରି ଦନ୍ଥଡ଼ା କରିଦେଇ, ନଲ୍‌ଠଣଟାକୁ କଚାଡ଼ି ଚୂର୍ଣ୍ଣବିଚୂର୍ଣ୍ଣ କରି ଘରୁ ସନ୍ନ୍ୟାସୀ ହୋଇ ବାହାରିଯିବାର ଅଦମ୍ୟ ଉତ୍ତେଜନା ଜାତ ହେଲା । କିନ୍ତୁ ସେସବୁ କିଛି ନ କରି ହତାଶ ଭାବରେ କୁଳଦେବତାଙ୍କ ନାମ ଉଚ୍ଚାରଣ କରି ସେ ମୁଣ୍ଡରେ ହାତ ଦେଇ ବସିରହିଲେ ଓ ବାରମ୍ବାର ପ୍ରୀତି ଆଡ଼େ ତରାଟି ଚାହିଁବାକୁ ଲାଗିଲେ ।

 

ପ୍ରୀତି କିନ୍ତୁ ନିର୍ବିକାର ଭାବରେ ଶୋଇଚି ଓ ଗାଇ ଚାଲିଚି...ମିମି ମୋର ସୁନା ଝିଅ...

 

ସୁଦାମ ବାବୁ ନିର୍ମମ ଶାନ୍ତ ଭାବରେ ପଚାରିଲେ, ହଇ ହୋ, ମିମି ଗଳା ସାଧୁଛି କି ?

 

ପ୍ରୀତି ଧଡ଼ପଡ଼ ହୋଇ ଉଠିବସି ସୁଦାମ ବାବୁଙ୍କ ଆଡ଼େ ଚାହିଁ ଫିକ୍‌କିନା ହସିଦେଇ ମିମିର ମୁହଁ ଚାପି ଧରି କହିଲା, “ଚୁପ୍ ଚୁପ୍ ପୋଡ଼ାମୁହିଁ ।” କିନ୍ତୁ କାହାର ଶକ୍ତି ଅଛି ଯେ ରୋଦନ ରୋଧ କରିବ ।

 

ଖଟ ଉପରେ ଦୁମ୍ ଦୁମ୍ ଶବ୍ଦ ହେବାକୁ ଲାଗିଲା । ଟୁକୁନା ମିମିର ଅଭିଯୋଗରେ ଉତ୍ତେଜିତ ହୋଇ ଉଠିବସି ବାଲିଶ୍ ଉପରେ ବିଧା ମାରୁଛି । ଏଇଟା ତାହାର ପ୍ରାକ୍‍ଯୁଦ୍ଧ ଆସ୍ଫାଳନ-। ସୁଦାମ ବୁଝିଲେ ଆଉ ଅଳ୍ପ ସମୟ ପରେ ପ୍ରତ୍ୟେକ୍ଷ ଯୁଦ୍ଧ ଆରମ୍ଭ ହୋଇଯିବ । ହେଲା ମଧ୍ୟ ତାହା । ବାଲିଶ୍ ସବୁ ଏଣେତେଣେ ଉଡ଼ିବାକୁ ଲାଗିଲେ । ଟୁକୁନା ବାଲିଶ୍‍ମାନଙ୍କୁ ଇଣ୍ଟାରକନ୍‌ଟିନେଣ୍ଟାଲ ବାଲିଷ୍ଟିକ୍ ମିଶାଇଲ୍ ରୂପେ ବ୍ୟବହାର କରେ ।

 

ଏ’ଙ୍କ ଜ୍ଵାଳାରେ ମଣିଷ ଟିକିଏ ଶୋଇପାରିଲା ନାହିଁ, ମୁଁ ମରିଯାଆନ୍ତି କି ଭଗବାନ୍ । ପ୍ରୀତି ଆକ୍ଷେପକରି କହିଲା ଏବଂ ତା ପରେ ମିମି ଓ ଟୁକୁନା ପିଠିରେ ଦୁଇ ଚାରିଟା ବିକ୍ଷିପ୍ତ ବିଧା ଥୋଇଦେଇ ଟୁକୁନାର କାନ ଧରି କହିଲା, “ହଇରେ ତୁ କାହିଁକି ମିମି ଆଡ଼େ ଗୋଡ଼ ଦେଲୁ ?”

 

“ସେ କାହିଁକି ମୋ ଆଡ଼େ ହାତ ରଖିଲା ?” ଟୁକୁନା ପାଲଟା ପ୍ରଶ୍ନ କଲା ତାର ସ୍ଵରରେ-

 

ଛିଃ ଛିଃ, ତୁମେ ଦୁଇଟା ଏତେ ହିଁସ୍‌କୁରିଆ । ଏଇ ଟୁକୁନାଟା ଭାରି ବାଦୁଆ, ସାନ ଭଉଣୀଟା ସାଙ୍ଗରେ ବରାବର ବାଦ ।

 

ଟୁକୁନାର ଚରିତ୍ର-ପଞ୍ଜିକାରେ ଏପରି କଟୂ ମନ୍ତବ୍ୟ ଅନେକ ଥର ଅନ୍ତର୍ଭୁକ୍ତ ହେଲାଣି । ଟୁକୁନା ମନ୍ତବ୍ୟ ପ୍ରତି ଭ୍ରୂକ୍ଷେପ ନାହିଁ । ଉପରନ୍ତୁ ସେ ଆହୁରି ରାଗିଯାଇ ମିମି ପିଠି ଉପରେ ଦୁମଦାମ୍ ଦି’ଟା ଥୋଇଦେଲା । ମିମି ଆଉ କିଛି କରିନପାରି ପ୍ରୀତିର ବାହୁକୁ କାମୁଡ଼ିଦେଲା ।

 

“ମରିଗଲି ଲୋ ବୋଉ”, ପ୍ରୀତି ବେଦନାରେ ଚିତ୍କାର କରି ଉଠିଲା ।

 

ମିମି ପେଟରେ ରହିବା ଦିନୁ ଟୁକୁନାର ବାଦ । ସେତେବେଳେ ସେ କଥା କହିବାକୁ ଶିଖି ନାହିଁ । ତାର ହିଂସା ପ୍ରକାଶ ପାଇଚି ସେତେବେଳେ ବଡ଼ ବେଦନାମୟ ଭାବରେ । ମିମିର ଗର୍ଭସ୍ଥିତ ସାଙ୍ଗେ ସାଙ୍ଗେ ଟୁକୁନା ରୋଗରେ ପଡ଼ିଲା । ସଦାବେଳେ ଚିଡ଼ିଚିଡ଼ି ଆଉ ଅଝଟପଣିଆ ତାର ଆରମ୍ଭ ହେଲା, ଆଉ ବୋଉ କୋଳରେ ରହିବାକୁ ସଦାବେଳେ ଜିଦ୍ ଧରି ବସିଲା । ମିମି ଜନ୍ମ ହେବା ପରେ ସୂତିକା ଗୃହର ଦୁଆର ମୁହଁରେ ଚୁପ୍ କରି ଛିଡ଼ାହୋଇ ମିମି ଆଡ଼େ ଗୋଟାଏ ଅପ୍ରସନ୍ନ ଦୃଷ୍ଟି ନିକ୍ଷେପ କରି ସେ ଗୋଟିଏ ଘରର କୋଣରେ ଚୁପ୍ କରି ବସିରହିଲା । ତା ପରେ ମିମିକୁ ଯେତେବେଳେ ସେ ଦେଖିଚି ସ୍ତନ୍ୟପାନ କରିବାର ସେତେବେଳେ ତାକୁ ଠେଲି ବୋଉ କୋଳରୁ ତଳେ ପକାଇ ଦେବାକୁ ଚେଷ୍ଟା କରିଚି । ମିମିକୁ ଏକା ପାଇ ସେ ତାକୁ ଚିମୁଟି ଦେଇଚି । ବିଧା ମାରି ପଳାଇଯାଇଚି । ସୁଦାମବାବୁ ଟୁକୁନାର ଏପରି ବ୍ୟବହାର ଦେଖି ବ୍ୟଥିତ ହୋଇପଡ଼ିଛନ୍ତି ।

 

ପ୍ରୀତି କହିଲା, ଏ ଦି’ଟା ତଳ ଉପର ଭାଇ ଭଉଣୀ—ସଦାବେଳେ କଜିଆ ଲାଗିବେ ଏମାନେ ।

 

ଦୁଇ ଜଣକୁ ଅଲଗା ଅଲଗା ଶୁଆଇ ସେମାନଙ୍କ ମଝିରେ ଶୋଇ କାହାରି ଆଡ଼କୁ ମୁହଁ ନକରି ଚିତ୍ କରି ଶୋଇ ପ୍ରୀତି ବାଘ ଗପ କହିବାକୁ ଲାଗିଲା...ମିମି, ତୁ ଦେଖିଚୁନା ସେ ବାଘ ! ମା’ ଲୋ, ଏଡ଼୍‌ଡ଼େ ବଡ଼ ବଡ଼ କାନ, ଏଡ଼୍‌ଡ଼େ ବଡ଼ ବଡ଼ ଦାନ୍ତ, ଏଡ଼୍‌ଡ଼େ ବଡ଼ ବଡ଼ ଗୋଡ଼, ଏଡ଼୍‌ଡ଼େ ବଡ଼ ବଡ଼ ହାତ.... ।

 

ବାଘର ହାତ ଥାଏ କି ? ବୋଉ, ତୁ ମିଛ କହୁଚୁ, ଠାକୁର ତୋତେ ମାରିବେ । ଟୁକୁନା ଚେତାଇ ଦେଲା ବୋଉକୁ, ବୋଉର ନିଜ ଉପଦେଶ କଥା, ମିଛ କହିଲେ ଠାକୁର ମାରନ୍ତି ।

 

ନାଇଁ, ବାଘର ହାତ ନାହିଁ, ଭୁଲରେ କହିଲି ।

 

କିନ୍ତୁ ମିମି ତାହା ସ୍ୱୀକାର କରିବାକୁ ନାରାଜ । ସେ କହିଲା, ବୋଉ ବାଘର ହାତ ଅଛି, ନାଇଁ ବୋଉ ? ସେ ଭାତ ଖାଏ କେମିତି ?

 

ପ୍ରୀତି ଏହାର ଉତ୍ତର ନ ଦେଇ କହିଚାଲିଲା, ବାଘ ଆସି କହିଲା, ହାଉଁ ମାଉଁ ଖାଉଁ, ମଣିଷ ଗନ୍ଧ ପାଉଁ, କିଏ କାନ୍ଦୁଚି ରେ ? ମୁଁ କହିଲି, ନାଇଁ ମିମି କାନ୍ଦୁନାହିଁ, ଯା ଯା ତୁ ଯା । ବାଘ କହିଲା, ଆଚ୍ଛା ହଉ ମୁଁ ଯାଉଚି, ଫେଏରେ କାନ୍ଦିଲେ ନେଇଯିବି ।

 

ବାଘର କଥା କହିବା ଶକ୍ତିରେ ଟୁକୁନାର ଆପତ୍ତି ନାହିଁ । ମିମି ଓ ଟୁକୁନା ଦୁହେଁ ଆଖି ବଡ଼ ବଡ଼ କରି ଗପ ଶୁଣୁଚନ୍ତି ।

 

ଟୁକୁନା କହିଲା, ବୋଉ, ବାଘ ମିମିକୁ ନେଇଯାଉ, ସେ ମୋର ସିଲଟଖଡ଼ି ଖାଇ ଦଉଚି-

 

ଏ ଅଭିଯୋଗ ସତ୍ୟ ଅଟେ । ମିମି ସିଲଟଖଡ଼ିର ଲେଖନୀରୂପେ ବ୍ୟବହାରକୁ ଆଦୌ ପସନ୍ଦ କରିନାହିଁ । ସେ ଗବେଷଣା କରି ଦେଖିଚି ତାହା ଖାଦ୍ୟ ରୂପେ ଉତ୍କୃଷ୍ଟତର । କିନ୍ତୁ ବୋଉକୁ ଜାବୁଡ଼ି ଧରି ସେ କହିଲା, କୁନାକୁ ନଉ ।

 

ତା ପରେ ପ୍ରୀତିର ଦୁଇ କଡ଼ରୁ ଆରମ୍ଭ ହେଲା ପ୍ରତ୍ୟକ୍ଷ ବାକ୍ ଯୁଦ୍ଧ ।

 

ତୋତେ ନଉ ।

 

ତୋତେ ନଉ ।

 

ପ୍ରୀତିର ଛାତିକୁ ଯୁଦ୍ଧକ୍ଷେତ୍ର କରି ଦୁହେଁ ତା ଉପରେ ଯୁଦ୍ଧ କରିବାକୁ ଲାଗିଲେ ।

 

ପ୍ରୀତି ଦୁଇଜଣଙ୍କୁ ଦୁଇ ଆଡ଼କୁ ଠେଲିଦେଇ ଉଠିବସି କହିଲା ତୁମେ ଦୁହେଁ ଯଦି ଏମିତି ହବ ମୁଁ ଯାଉଚି ଘରୁ ବାହାରିଯିବି । ମୋତେ ବାଘ ନଉ । ବାଘ ନଉ ମୋତେ !

 

ମିମି କହିଲା, ମୁଁ ବାଘକୁ ଭାତ ଖାଇବାକୁ ଦେବି, ସେ ନବ ନାହିଁ ।

 

ଟିକୁନା କହିଲା, “ମୁଁ ବାଘକୁ ଗୁଳିକରି ମାରିଦେବି ମୋ ବନ୍ଧୁକରେ ।”

 

ପ୍ରୀତି ଖଟରୁ ଓହ୍ଲାଇ ଚାଲିଲା ବାହାରକୁ । ମିମି ଟୁକୁନା ଦୁହେଁ ତାକୁ ଦୁଇପଟୁ ଜାବୁଡ଼ି ଧରିଲେ । ପ୍ରୀତି ସେମାନଙ୍କୁ ଠେଲିଦେଇ ବାହାରିଗଲା । ବାହାରି ଗଲା ଏକଦମ୍ ବାହାରକୁ ।

 

ଭାଇ ଭଉଣୀ ଦୁହେଁ ଥମ୍ କିନା ଛିଡ଼ାହୋଇ ରହିଲେ । ଆଖି ଛଳ ଛଳ କରି ଦୁହେଁ ଦୁହିଁଙ୍କୁ ଚାହିଁରହିଲେ ।

 

କିଛିକ୍ଷଣ ବିରାମ । ସୁଦାମବାବୁ ସୁବିଧା ପାଇ ପୁଣି ଲେଖିବାକୁ ଆରମ୍ଭ କଲେ । ତାଙ୍କର ଉପନ୍ୟାସରେ ସେତେବେଳେ ଅତି ଜଟିଳ ପରିସ୍ଥିତି ଉପୁଜିଚି । ...ବହୁଯୁଗ ପୂର୍ବରେ ଭା ଦେଶରେ ଯେଉଁ ଆଧ୍ୟାତ୍ମିକ ସ୍ପନ୍ଦନ ହୋଇଥିଲା ସେଗୁଡ଼ିକ ବ୍ୟୋମରୁ ସଂଗ୍ରହ କରି ଭା ଦେଶ ସଞ୍ଚୟ କରି ରଖିଚି ଓ ତେଣୁ ସମସ୍ତ ପୃଥିବୀର ସେ ଆଧ୍ୟାତ୍ମିକ ଗୁରୁ ହୋଇଚି । ବର୍ତ୍ତମାନ ଭା ଦେଶ ଅନ୍ୟ ଦେଶକୁ ସେ ସ୍ପନ୍ଦନଗୁଡ଼ିକ ପଠାଉଚି । ଏଣେ କଣ ହୋଇଚି ନା କା ଦେଶ ପୃଥିବୀରେ ପ୍ରଧାନ ଗଣତନ୍ତ୍ର ଉପାସକ ହୋଇଛି, ପୃଥିବୀର ପ୍ରତ୍ୟେକ ମନୁଷ୍ୟର ଚିନ୍ତା ଓ ମତ ପ୍ରକାଶର ସମ୍ପୂର୍ଣ୍ଣ ସ୍ଵାଧୀନତାକୁ ସେ ଯେପରି ସମ୍ମାନ ଦେଇଚି ଆଉ କୌଣସି ଦେଶ ସେପରି କରିପାରିନାହିଁ । ଏକ ଲହମାରେ ପୃଥିବୀର ଜନସଂଖ୍ୟାର ୨୦ ଗୁଣ ଲୋକ ମାରିଦେବାର ଶକ୍ତି ସଞ୍ଚୟ କରି ରଖି ପୃଥିବୀର ବିଭିନ୍ନ ଦେଶକୁ ସେ ଗଣତନ୍ତ୍ର ସ୍ପନ୍ଦନ ପଠାଉଚି । ତେଣେ ପୁଣି କଅଣ ହୋଇଚି ନା ସା ଦେଶ ହୋଇଚି ପୃଥିବୀର ଶ୍ରେଷ୍ଠ ଜନମଙ୍ଗଳକାରକ ଦେଶ । ଶୋଷିତମାନଙ୍କର ଏକମାତ୍ର ଉଦ୍ଧାରକ-। ଅର୍ଦ୍ଧ ଲହମାରେ ପୃଥିବୀର ଜନସଂଖ୍ୟାର ୪୦ ଗୁଣ ଲୋକ ମାରିଦେବାର ଶକ୍ତି ଆହରଣ କରିବାରେ ଲାଗିପଡ଼ି ଚାରିଆଡ଼େ ସେ ଜନମଙ୍ଗଳ ସ୍ପନ୍ଦନ ପଠାଉଚି । ଏହି ଶକ୍ତିମାନ୍ ସ୍ପନ୍ଦନଗୁଡ଼ିକ ସ୍ୱ ସ୍ୱ ଗତିପଥରେ ଯାଉ ଯାଉ ବ୍ୟୋମରେ ଏକତ୍ର ମିଳିତ ହୋଇ ସେଠାରେ ସୃଷ୍ଟି ହୋଇଚି ଏକ ପ୍ରଚଣ୍ଡ ସ୍ପନ୍ଦନାବର୍ତ୍ତ । ଏପରି ସମୟରେ ନାୟିକା କାର୍‌ବୋଲିକା 1/2ଫ ଚନ୍ଦ୍ରଲୋକରେ ଥିବା ତାର ପୂର୍ବଜନ୍ମର ପ୍ରେମିକ ପାଖକୁ ପଠାଉଚି ୨ ଆଙ୍ଗସ୍‌ଟ୍ରାମ ଇଉନିଟ୍‌ର ଇଲେକ୍‌ଟ୍ରୋମାଗ୍‌ନେଟୀକୃତ ପ୍ରେମ । ଇୟାଡ଼େ ତାହାର ଦୁଇ ଜନ୍ମ ପୂର୍ବର ସ୍ଵାମୀ ଠିକ୍ ସେତିକିବେଳେ ୪ ଗ୍ରାମ ଦ୍ରବୀଭୂତ ପ୍ରେମ ପଠାଉଥିଲେ...

ଏତିକିବେଳେ ସୁଦାମବାବୁ ଚକିତେ ଶୁଣିଲେ ସେ କ୍ରନ୍ଦନ ଧ୍ଵନି...ବୋଉ ମ ବୋଉ । ମିମି ଓ ଟୁକୁନାର ଐକ୍ୟ କ୍ରନ୍ଦନ ।

କଲମ ଧୀରେ ଥୋଇଦେଇ ସୁଦାମବାବୁ ମନେ ମନେ କହିଲେ, ଧ୍ୟେତ୍, ଏ ଘରେ କେହି କେବେ ଲେଖକ ହେଲେଣି ନା ହେବେ !! ସ୍ତ୍ରୀ ସିନା ଟିକିଏ ପ୍ରେରଣା ଦିଅନ୍ତା । ସେ କଥା ତ ଦୂରେ ଥାଉ, ଯେତେ ରକମର ବାଧା ସୃଷ୍ଟି କରୁଚି । ପ୍ରେମ କରି ବାହା ହବାକୁ ଆଶା କରିଥିଲି ଯେ ସେ ତ ହେଲାନାହିଁ । ବୟସ ଗଡ଼ାଇ ବାହାହେଲି ଯେ ଜୁଟିଲା ଗୋଟାଏ ବେରସିକା, ସଦାବେଳେ ଘରକାମ ବା ପିଲାଛୁଆ ନେଇ ବ୍ୟସ୍ତ, ମୋତେ ପ୍ରେରଣା ଦେବାକୁ ବେଳ କାହିଁ ତାର !! ଶ୍ୟେଃ, ଏମିତିରେ କେହି କେବେ ଲେଖକ ହେଲେଣି ? ଆଉ ପିଲାଗୁଡ଼ାକ ହୋଇଚନ୍ତି ବି ଧ୍ୟେତ୍ ।”

ପିଲା ଯୋଡ଼ିକଙ୍କର କ୍ରନ୍ଦନ କ୍ରମେ ତୀବ୍ରତର ହେବାକୁ ଲାଗିଲା ।

କଲମ ରଖିଦେଇ ସୁଦାମବାବୁ ଡାକିଲେ ହଇ ହୋ ଶୁଣୁଚ !

ପ୍ରୀତି ଅନ୍ଧାର କଣରୁ ବାହାରି ପଡ଼ି କହିଲା, “ମୁଁ ଆଉ କଅଣ କରିବି କୁହ ?”

“ଯଦି ଜଣେ ଅଦ୍ଭୁତ ଲେଖକର ସ୍ତ୍ରୀ ଭାବରେ ମର୍ଯ୍ୟାଦା ପାଇବାକୁ ତୁମେ ଚାହଁ, ତେବେ ଦୟାକରି ଟିକିଏ ଚୁପ୍ କରାଅ ସେଗୁଡ଼ାଙ୍କୁ ।” ସୁଦାମବାବୁ ହାତାଯୋଡ଼ି କହିଲେ ।

ପ୍ରୀତି ଖିଲିଖିଲି ହସି ମିମି ଓ ଟୁକୁନାକୁ କୋଡ଼କୁ ଆଉଯାଇ ନେଇ ଗାଇବାକୁ ଲାଗିଲା...

“ତୁମକୁ ଛାଡ଼ି ମୁଁ କେଉଁଠି ଯିବି ରେ, ମୋ ମିମି କୁନା...

“ତୁମରିପାଇଁ ତ ମରିବି ନାହିଁ ରେ, ମୋ ମିମି କୁନା...

“ମଲେ ଭୂତ ହୋଇ ତୁମଠି ଥିବି ରେ, ମୋ ମିମି କୁନା...

“ଦୟାକରି ତୁମର କାବ୍ୟ ସ୍ରୋତ ଟିକିଏ ବନ୍ଦ କରିବ କି ? ତାଙ୍କର ବିନୟରେ ଚରମ ବିରକ୍ତି ପରିସ୍ଫୁଟ ହୋଇଉଠିଲା ।

“ଏ କବିତା ସୁଅ କିଏ ରୋଧିବ”ରେ, ମୋ ମିମି କୁନା...ପ୍ରୀତି ସେ ବିନୟ ପ୍ରତି ଭ୍ରୂକ୍ଷେପ ନକରି ଗାଇ ଚାଲିଲା ।

ସୁଦାମବାବୁ ଅଧିକ ବିରକ୍ତ ହୋଇ କହିଲେ, “ଧ୍ୟେତ୍, ଏ ଘରେ ଆଉ ରହିବି ନାହିଁ ।” ଦୁମ୍ କରି ଚୌକି କଚାଡ଼ି ସୁଦାମବାବୁ ଉଠି ଛିଡ଼ାହେଲେ ବାହାରିଯିବାକୁ ।

“ମିମି କୁନା ଛାଡ଼ି କେଉଁଠି ଯିବ ହୋ ମୋ ଧନମଣି...”

“କଅଣ୍ କହିଲ କଅଣ୍ କହିଲ ??” ଯାଉ ଯାଉ ଥମକି ଛିଡ଼ାହୋଇ ଉଦ୍‌ଗ୍ରୀବ ଭାବରେ ସୁଦାମବାବୁ ପଚାରିଲେ । ‘ମୋ ଧନମଣି’ କଥାଟାକୁ ଦୋହରାଇ ମନେ ମନେ କହିବାକୁ ଲାଗିଲେ-

“ଯେଣେ ଯିବ ଏଣେ ଆଣିବେ ଟାଣି ହୋ, ମୋ ଧନମଣି...

(ଆଉ) ଧନମଣି ଏଠି ବନ୍ଧା ହୋଏଙ୍ଗା ହୋ, ମୋ ଧନମଣି...”

ଶେଷ ପଦରେ ସୁଦାମବାବୁ ହଠାତ୍ ଉତ୍‌କ୍ଷିପ୍ତ ହୋଇ କହିଲେ, “ବନ୍ଧା ହୋଏଙ୍ଗା ? ଦେଖେଙ୍ଗା, କେମିତି ବନ୍ଧା ହୋଏଙ୍ଗା ।” କହି ସେ ଚୌକି ଉପରେ ଦୁମ୍‌କରି ବସିପଡ଼ିଲେ ଦୃଢ଼ଭାବରେ । ପ୍ରୀତି ଅପାଙ୍ଗ ଦୃଷ୍ଟିରେ ସୁଦାମବାବୁଙ୍କ ଆଡ଼େ ଚାହିଁ ମୁରୁକି ହସି ମିମି ଓ ଟୁକୁନାକୁ କୋଡ଼ରେ ଜାକି ଶୋଇପଡ଼ିଲା ।

ମିମି କହିଲା, “ବୋଉ, ଚାଚୁ ଘର କଥା କହ ।”

ପ୍ରୀତି ପୁଣି ସୁର କରି ଗାଇବାକୁ ଲାଗିଲା, “ଚାନ୍ଦମାମୁ ହୋ ଆଲୁଅ କର, ମିମି ଯିବ ହୋ ଶାଶୁଘର, ସାଙ୍ଗରେ ଯିବ କିଏ ? ...ଆଲୋ ମିମି ତୋ ସାଙ୍ଗରେ ଶାଶୁଘର କିଏ ଯିବ ?”

ମିମି ନିର୍ବିକାର ଭାବରେ କହିଲା, “ଟୁକୁନା ଭାଇ ।”

ନାଇଁ ନାଇଁ, “ମୁଁ ତା ସାଙ୍ଗରେ ଯିବି ନାହିଁ ।” ଟୁକୁନା ଘୋର ଆପତ୍ତି ଶୁଣାଇ ଉଠି ବସିଲା ।

“ବୋଉ ମ ବୋଉ, ହଁ ଯିବ ଭାଇ, ତୁ କହ ।” ମିମିର କରୁଣ ମିନତିରେ ପ୍ରୀତି ତାକୁ ଚୁମ୍ବନ ଦେଇ କହିଲା, ହଁ ନିଶ୍ଚେ ଯିବ । ସାଙ୍ଗରେ ଯିବ କିଏ ? ତା ପରେ ପୁଣି ଗାଇବାକୁ ଲାଗିଲା–

“ସାଙ୍ଗରେ ଯିବ ଟୁକୁନା ଭାଇ ଛତାବାଡ଼ି ଦେ...”

ଗୋଟିଏ ଅପୂର୍ବ ଚଳଚ୍ଚିତ୍ର ମାନସ ପର୍ଦ୍ଦାରେ ପ୍ରତିଫଳିତ ହେଲା ସେ ଗୀତ ଦ୍ୱାରା । ବହୁଦିନର ଗୋଟିଏ କରୁଣ କାନ୍ଦଣା ତାଙ୍କର ମନେପଡ଼ିଲା...

....ଗାଁ ଝୁଅ ପଦ୍ମା ବାହା ପରେ ବାପଘରୁ ବିଦାୟ ନେଉଚି । ପିଲାଟିବେଳୁ ସେ ବାପ ହଜାଇଚି, ଅଛି କେବଳ ଭାଇ ବକଟେ । ଆଜି ଚିରଦିନ ପାଇଁ ବାପଘରୁ ବିଦାୟ ନେବାବେଳେ ତାର ସମସ୍ତଙ୍କ କଥା ମନେପଡ଼ି କୋହ ଉଠୁଚି । ଶକୁନ୍ତଳା ଆଶ୍ରମରୁ ବିଦାୟ ନେବାବେଳେ ହରିଣ, ବୃକ୍ଷ ଲତାମାନଙ୍କଠାରୁ ମଧ୍ୟ ବିଦାୟ ନେଇଥିଲେ । ପଦ୍ମା ଜଣ ଜଣକୁ ଧରି ବାହୁନି ବିଦାୟ ନେଇ ଯେତେବେଳେ ସାନଭାଇ ପାଖରେ ପହଞ୍ଚିଲା ସେତେବେଳେ ତାର କୋହ ଆଉ ସମ୍ଭାଳି ହେଲାନାହିଁ । ଭାଇକୁ ଧରି ପଦ୍ମା ବାହୁନିଲା...

ଉଷୁନା ଧାନ କି ଗଜା ହୋଇବ, ମୋ ସୁନା ଭାଇ

ସତେ ଛତାବାଡ଼ି ଡେରି ଥୋଇବ, ମୋ ସୁନା ଭାଇ ।

ଭଉଣୀ ଶାଶୁଘରେ । କେବେଠୁଁ ବାପଘର ଛାଡ଼ି ଆସିଚି କାହିଁ ଦୂରେ । ବିଲ ଭିତରେ ଚାଲି ଚାଲି ତିନି କୋଶ ଯିବାପରେ ପଡ଼େ ବୁଢ଼ା ନଈ । ତତଲା ବାଲିରେ ଡେଇଁ ଡେଇଁ ନଈ ପାର ହେବାପରେ ବାସୁଳେଇ ପାଟ । ସେ ପାଟ ଭିତରେ ରାସ୍ତାଟା ଲମ୍ବି ଯାଇଚି ଯେ କାହିଁ କେଉଁଠି, ଶେଷ ଦିଶୁନାହିଁ । ରାସ୍ତା କଡ଼ରେ ଗୋଟିଏ ଘାସ ଗଛ ବି ନାହିଁ । ସୂର୍ଯ୍ୟଦେବତା ଯେତେବେଳେ ଠିକ୍ ମୁଣ୍ଡ ଉପରେ ସେତେବେଳେ ପୁଣି ପାରିହେବ ଖରସୁଆ ନଈ । ସାରାବର୍ଷଯାକ ସେଥିରେ ଡଙ୍ଗା ପଡ଼ିଥାଏ । କଳାମଚମଚ ପାଣି । ମଣିଷଖିଆ ନଈ ଏଇଟା । ଖରସୁଆ ପାରିହୋଇ ପୁଣି ବିଲ । ବିଲ ପାର ହେଲେ ହରିପୁର, ଭଉଣୀର ଶାଶୁଘର ଗାଁ । ଭଉଣୀ ସେଇ ଯେ ବାହାହୋଇ ଆସିଚି ବାପଘର ଆଡ଼କୁ ପିଠିକରି, ଆଉ ମୁହଁ ବୁଲାଇ ନାହିଁ । କିଏ ନବ ? ଭାଇ ତ ବକଟେ । ଭାଇ କେବେ ବଡ଼ ହବ ସିନା ନବ । ...ଭାଇ ବଡ଼ ହୋଇଚି, କଲିକତାରେ ଝୋଟ କଳରେ ଚାକିରି କରିଚି । ଛୁଟି ନେଇ ଗାଁକୁ ଫେରିଚି କେତେ ଦରବ ନେଇ । ଗାଁରେ ପହଞ୍ଚିବା ପରଦିନ ଛତା ବାଡ଼ି କାଖରେ ଜାକି ଭାଇ ଛୁଟିଛି ହରିପୁର, ଭଉଣୀକୁ ଆଣିବାକୁ । ଖରସୁଆ କୂଳରେ ଭାଇ ଯେତେବେଳେ ପହଞ୍ଚିଲା, ସୂର୍ଯ୍ୟ ସେତେବେଳେ ଠିକ୍ ମୁଣ୍ଡ ଉପରେ । ନଈ କୂଳରେ ଥକ୍‌କା ହୋଇ ବସିପଡ଼ି ଆଞ୍ଜୁଳା ଆଞ୍ଜୁଳା ପାଣି ପିଇ ମୁହଁ ହାତ ଧୋଇ ଡାକ ଛାଡ଼ିଲା, “ଏ ସତୁରା ଭାଇ ଏ...ଏ...ହେ, ବେଇଗେ ଡଙ୍ଗା ଆଣ ।”

ନାଉରି ସେ ପାଖରୁ ଝିଙ୍କାରି କହିଲା, “ରହଃ, ଆସିଲା ମୋର ଦେଖେ ନାଇକି ନାଟ ସାଇବ ।”

ନଈ ପାରହୋଇ ଆମ୍ବ ତୋଟାରେ ବସିପଡ଼ି ଅଣ୍ଟାରୁ କଲିକତି ଗାମୁଛା ଖୋଲି ବିଞ୍ଚିହୋଇ ଝାଳ ପୋଛି ଭାଇ ଖୋଲିଲା ଥଳିଆ ‘ଦେଖିବାକୁ । ଆରିସା ପିଠା, କାକରା, ପିଚାପାଡ଼ି ଶାଢ଼ୀ, ଅଳତା, ସିନ୍ଦୂର, ବନାରସି କାଚ, ଦର୍ପଣି ଶଙ୍ଖା, ଅତର, ସାବୁନ୍ ଓ ହାଲ ଫେସନର ବ୍ଲାଉସ୍ ଗୋଟି ଗୋଟି କରି ବାହାରକରି ସପ୍ରଶଂସ ଦୃଷ୍ଟିରେ ଚାହିଁ ପୁଣି ସେଗୁଡ଼ିକୁ ଥଳିଆରେ ସଜାଡ଼ି ରଖିଲା । କୌଣସି ଜିନିଷ ସହିତ ଖାପ ଖୁଆଇ କୌଣସି ଜିନିସ କିଣା ହୋଇନାହିଁ, ଯାହା ଯେତେବେଳେ ପାରିଚି କିଣି ପକେଇଚି । ଆମ୍ବ ପେନ୍ଥାଏ ଥଳିଆରେ ରଖି ଭାଇ ପୁଣି ଚାଲିଲା । ଏଥର ଆଉ ବେଶି ବାଟ ନାହିଁ । ବିଲ ଆରପଟେ ହେଇ ଯଉଁ ମନ୍ଦିର ଚୂଡ଼ା ଦିଶୁଚି, ତାରି ପାଖରେ ଭଉଣୀ ଘର । ବେଗେ ବେଗେ ଚାଲି ଉଦୁଉଦିଆ ଖରାବେଳେ ଭାଇ ଭଉଣୀର ଶାଶୁଘର ଦାଣ୍ଡ ପିଣ୍ଡାରେ ଛତାବାଡ଼ି ଡେରି ଥୋଇଦେଇ ଡାକିଲା—ଅପା ! ଧୀରେ ଗୋଟିଏ ଡାକ, କ୍ଷୁଦ୍ର ଗୋଟିଏ ଶବ୍ଦ । ଶାଶୁକୁ ପଙ୍ଖା କରୁ କରୁ ଥମ୍‍କିନା ଭଉଣୀର ହାତ ରହିଗଲା, ଦମ୍ କିନା ଛାତି ହେଲା । ଉତ୍କର୍ଣ୍ଣ ହୋଇ ଚାହିଁ ମନେ ମନେ ପଚାରିଲା, ଏ ମୋ ଭାଇ ଗଳା ନା ? ହଁ ଲୋ ମା ଭାଇ ତ ! ଶାଶୁର ଭୟ ଭୁଲିଯାଇ ନସରପସର ହୋଇ ଲୁଗା ସଜାଡ଼ୁ ସଜାଡ଼ୁ ଦଉଡ଼ି ଆସି ଦାଣ୍ଡଦୁଆର ଖୋଲିଦେଇ ଚାହିଁରହିଲା ଭାଇ ଆଡ଼େ । ଦୁହିଁଙ୍କ ମୁହଁରେ କଥା ନାହିଁ, ଦୁହିଁଙ୍କ ଆଖିରୁ ପାଣି ଗଡ଼ିଯାଉଚି.....

ଟୁକୁନା କିନ୍ତୁ ମସ୍ତକ ସବେଗେ ସଞ୍ଚାଳନ କରି କହିଲା, “ନାଇଁ ନାଇଁ, ମୁଁ ମିମି ସାଙ୍ଗରେ ତା ଶାଶୁଘର ଯିବିନାହିଁ ।”

ମିମି ଧୀରେ ବୋଉର କାନେ କାନେ କହିଲା, “ହଁ ବୋଉ, ଭାଇ ଯିବ ।”

ଟୁକୁନା ଦୁମ୍ କରି ମିମି ପିଠିରେ ଗୋଟିଏ ବିଧା ଥୋଇଦେଲା । ମିମି ତୀବ୍ର ସ୍ୱରରେ କାନ୍ଦୁ କାନ୍ଦୁ କହିଲା, “ହଁ, ଭାଇ ଯିବ ।”

ସୁଦାମବାବୁ ସବୁ ଶୁଣି ପାଖରେ ଛିଡ଼ାହେଲେ । ଗୋଟାଏ ପରୀକ୍ଷା କରିବାକୁ ତାଙ୍କର ଅଦମ୍ୟ କୁତୂହଳ ଜାତହେଲା । ପିଲା ଦୁଇଟା ତ ବୋଉକୁ ବାଘ ନେଇଗଲା ବୋଲି କାନ୍ଦି ଲହୁଲୁହାଣ ହେଲେ, ଆଚ୍ଛା, ମୋ ବେଳକୁ କଅଣ କରୁଛନ୍ତି ଦେଖେ ।

ସେ ମିମି ଓ ଟୁକୁନାକୁ କତିକି ନେଇ କହିଲେ, “ଏଇ, ଜାଣିଚ ନା—ତୁମେ ଦୁହେଁ ଯଦି ଏମିତି ହବ, ତେବେ ମୁଁ ବାହାରି ଯାଉଚି, ମୋତେ ବାଘ ନଉ । ...ଯିବି ?”

ମିମି ଓ ଟୁକୁନା ନୀରବ, ଦୃଷ୍ଟି ତାଙ୍କର ବୋଉଆଡ଼େ ।

“କଅଣ କହୁଚ ? ଯିବି ? ହେଇ ଗଲି, ଯିବି ?” ସୁଦାମବାବୁ ବ୍ୟାକୁଳ ଭାବରେ ପଚାରିବାକୁ ଲାଗିଲେ । ପ୍ରୀତି ମୁରୁକି ମୁରୁକି ହସୁଥାଏ ।

“ଯିବି ?” ପୁଣି ସେହି କରୁଣ ପ୍ରଶ୍ନ ।

ମିମି ନୀରବ ରହିଲା ।

ଟୁକୁନା ମୁଣ୍ଡ ଟୁଙ୍ଗାରି କହିଲା, “ହଁ ।”

ଦୀର୍ଘ ନିଶ୍ଵାସ ପକାଇ ସୁଦାମବାବୁ କହିଲେ, ବାପମାନଙ୍କ ଜୀବନ ଭାରି କଷ୍ଟକର । ଦିହର ରକ୍ତ ପାଣି କରି ପିଲାଙ୍କୁ ପାଳିବେ, ବୁଢ଼ା ହେଲେ ଦୂର୍ ଦୂର୍ କରି ପିଲାଏ ଘଉଡ଼ାଇ ଦେବେ-। ସବୁ ମାୟା, ସବୁ ମିଛ । ଆଖି ତାଙ୍କର ଛଳଛଳ ହୋଇଗଲା । ସେ ଉଠି ଯାଉଥିଲେ ।

ପ୍ରୀତି ତାଙ୍କ ଲୁଗା କାନି ଧରି ଅଟକାଇ କହିଲା, “ତୁମେ ପିଲାଙ୍କ କଥାରେ ଏମିତି ହଉଚ ନା ! ମାଇପଙ୍କ ଜୀବନ ଭଳି ଆଉ ହୀନିମାନିଆ ଜୀବନ ଅଛି ? ତୁମେମାନେ ତ ସନ୍ନ୍ୟାସୀ-। ଏ ସବୁ ପୁରୁଷର, ଅଥଚ କୌଣସିଥିରେ ପୁରୁଷର ଲୋଭ ନାହିଁ । ଆଉ ମାଇପି ? ଛି, ଘରର କେହି ନୁହେଁ ନା, ପିଢ଼ାରେ କୁଆ ବସାଇ ଦିଏନା, ଯେତେ ଛୋଟ କଥା ଏ ମାଇପିଙ୍କର-।”

“ଛାଡ଼...ଛାଡ଼ ।”

ସୁଦାମବାବୁ ଉଠି ଚାଲିଗଲେ ପୁଣି ଲେଖିବାକୁ । ମନଟା ତାଙ୍କର ବେଦନାରେ ପରିପୂର୍ଣ୍ଣ । ସେ ଆକାଶକୁ ଚାହିଁ ବସି ରହିଲେ ।

ପ୍ରୀତି ନିଘୋଡ଼ ନିଦରେ ଶୋଇପଡ଼ିଲାଣି । ମିମି ଓ ଟୁକୁନା ଦୁଇପଟରୁ ଜାବୁଡ଼ି ଧରି ନିଦରେ ଶୋଇଛନ୍ତି । ମିମିର ପାତଳା ଓଠ ଦିଓଟି ମଝିରେ ମଝିରେ ଥରି ଉଠୁଚି । ଟୁକୁନାର ଓଠରେ ମଝିରେ ମଝିରେ ହସ ଖେଳିଯାଉଚି । ଚାରିଆଡ଼େ ପୁଣି ନୀରବ ନିସ୍ତବ୍‌ଧ । ପଡ଼ିଶା ଘରର ପିଲାଟିର ଦେହ ଭଲନାହିଁ, ତାର କାନ୍ଦଣା ଏ ପର୍ଯ୍ୟନ୍ତ ଥମି ନାହିଁ ।

ଢଂ... ଢଂ । ଜେଲଖାନାର ଘଣ୍ଟା ବାଜି ଉଠିଲା ।

ହଠାତ ଟୁକୁନା ଧଡ଼ପଡ଼ କରି ଉଠି ବସି ପାଟିକରି କହିଲା, “ଦେ, ଦେ ମୋ ବନ୍ଧୁକ ଦେ......”

ପ୍ରୀତି ମଧ୍ୟ ଧଡ଼ପଡ଼ କରି ପଚାରିଲା, “କିରେ ବନ୍ଧୁକ କଅଣ ହେବ ଏତେ ରାତିରେ ?”

“ବୋଉ, ବାଘ ମିମିକୁ ନବାକୁ ଆସିଚି, ମୁଁ ତାକୁ ମାରିବି,’’ କହି ଟୁକୁନା ତା ବନ୍ଧୁକ ଧରି ଦୌଡ଼ିଲା ଦାଣ୍ଡଆଡ଼େ ।

ପ୍ରୀତି ହସି ହସି ତା’ର ପଛରେ ଗୋଡ଼େଇ ତାକୁ ଧରି ଆଣି କହିଲା, “ଦେଖୁଚ ହୋ, ଦିନ ରାତି କଳିଗୋଳ, ବାଦ ହିଂସା ଦୁହିଁଙ୍କ ଭିତରେ । ସପନରେ ଦେଖି ମିମିକୁ ବାଘ ଧରିନେବାକୁ ଆସିଚି ବୋଲି ଭାଇ ବାଘ ମାରିବାକୁ ଦଉଡ଼ିଛନ୍ତି ।”

Image

 

ଅମୃତସ୍ୟ ପୁତ୍ରାଃ

 

ଭିତର୍ ଯାନେକା ଟାଇମ୍ ହୋଗିୟା ?”

 

ଅନାଇ ଦେଖିଲି ମୋ ପାଖରେ ବସିଚନ୍ତି ଜଣେ ଗୈରିକବସନ ପରିହିତ ବାବାଜି । କାନ୍ଧରେ ଝୁଲା । ଆଖି ଯୋଡ଼ିକ ଏଡ଼େ ଲାଲ ଯେ ରାଜଲକ୍ଷଣ ବୋଲି କଦାପି ଭୁଲ ହେବନାହିଁ ।

 

ମେଟେରନିଟି ଓ୍ୟାର୍ଡ଼ର ହତାକୁ ଲାଗି ଯେଉଁ ଝଙ୍କାଳିଆ ଟଗର ଗଛ ତା ତଳେ ପଡ଼ିଛି ଗୋଟିଏ ବେଞ୍ଚ । ଓ୍ୟାର୍ଡ଼ ତିଆରିହେବା ଦିନରୁ ବୋଧହୁଏ । ମୋ ପରି ଅନେକେ ସେଠି ଅପେକ୍ଷା କରୁଚନ୍ତି । ବେଲା, ଟିଫିନ୍-କେରିୟର୍ ଆଦି ସାମନାରେ ଥୁଆହୋଇଚି । ସ୍ଵାମୀମାନେ ଅପେକ୍ଷା କରୁଚନ୍ତି ଓ୍ୟାର୍ଡ଼ ଭିତରକୁ ଯିବାର ସମୟ ହେଲେ ସ୍ତ୍ରୀମାନଙ୍କର ଖାଇବା ନେଇ ଭିତରକୁ ଯିବେ । ଶ୍ମଶାନଭଳି ଏଠି ମଧ୍ୟ ଉଚ୍ଚ, ନୀଚ, ଧନୀ, ଦରିଦ୍ର ପ୍ରଭେଦ ନାହିଁ ।

 

ରାଣୀକୁ ଓ୍ୟାର୍ଡ଼ରେ ରଖି ଆସି ଦୁଶ୍ଚିନ୍ତାରେ ବସି ପଡ଼ିଥିଲି । ପ୍ରଥମ ପ୍ରସବ । ସୁଖ-ପ୍ରସବ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୋର ସାମାନ୍ୟ ଆୟର ଦୁଇ ତୃତୀୟାଂଶ ମୁଁ ବ୍ୟୟ କରିଚି ନାନାପ୍ରକାର ବଳକାରକ ଔଷଧପତ୍ର କିଣିବାରେ ଓ ରାଣୀକୁ ବିଶ୍ରାମ ଦେବାପାଇଁ ଚାକର ପୂଜାରୀ ରଖିବାରେ । ତଥାପି ଡାକ୍ତରଙ୍କ ଉପଦେଶ, ଘରେ ପ୍ରସବ କରାଇବା ନିରାପଦ ହେବନାହିଁ-। ଅଗତ୍ୟା ପ୍ରସବ ବେଦନାର ସୂଚନା ପାଇବା ମାତ୍ରକେ ରାଣୀକୁ ଓ୍ୟାର୍ଡ଼କୁ ନେଇଆସିଲି-। ଓ୍ୟାର୍ଡ଼ ଭିତରୁ ବେଳେବେଳେ ଭାସିଆସୁଛି ବେଦନାର ଚିତ୍କାର, ସୃଷ୍ଟିର ବେଦନା, ବେଳେବେଳେ ଶିଶୁର କ୍ରନ୍ଦନ, ନବ ଜନ୍ମର କ୍ଷୀଣ ଜୟଧ୍ୱନି ।

 

ନାଃ...ଏଇ ପ୍ରଥମ ଏବଂ ଏଇ ଶେଷ...ଇସ୍...ଏତେ କଷ୍ଟ...କାହିଁକି ଯେ ରାଣୀର ଇଚ୍ଛା ସନ୍ତାନ ପାଇଁ ଏତେ ଶୀଘ୍ର... ଏମାନଙ୍କର ଟିକିଏ ବିବେଚନା ନାହିଁ ସତେ...

 

ବିକ୍ଷିପ୍ତ ଚିନ୍ତାର ଖିଅ ଛିଣ୍ଡାଇ ଶୁଭିଲା ବାବାଜିଙ୍କ ପ୍ରଶ୍ନ । ଆଶ୍ଚର୍ଯ୍ୟ ହୋଇ ପଚାରିଲି... “ଆପ୍...ଆପ୍ କୈସେ...”

 

ମୋର ପ୍ରଶ୍ନର ଉତ୍ତର ନ ଦେଇ ସେ ପୁଣି ପଚାରିଲେ, “ଟାଇମ୍ ହୋଗିୟା ?”

 

—ନେହିଁ... ଲେକିନ୍...ଆପ୍‌କା କ୍ୟା...

 

—ଏକ୍ ବିଡ଼ିତୋ ପିଲାଇୟେ...ମୋ କଥାର ଉତ୍ତର ନ ଦେଇ ସେ ହାତ ପତାଇ ଦେଲେ ।

 

ପକେଟରୁ ବିଡ଼ି ବାହାରକରି ଦେଲି ଏବଂ ଅଭ୍ୟାସ ବଶତଃ ଗୋଟିଏ ନିଜେ ମୁହଁରେ ଦେବାକୁ ଯାଉଥିଲି । ବାବାଜି ବାଧାଦେଇ କହିଲେ, “ଲାଇୟେ, ଉସ୍‌କୁ ଟିଡ଼ି ବନାଦୁଁ ।”

 

“ନେହିଁ” କହି ବିଡ଼ିରେ ଅଗ୍ନି ସଂଯୋଗ କଲି । ବାବାଜି ଝୁଲିରୁ ଗଞ୍ଜେଇକଲି ବାହାରକରି ବିଡ଼ିର ମୁଣ୍ଡ ଛିଣ୍ଡାଇ ବିଡ଼ି ମସଲା ବାହାର କରି ତାହା ସହିତ ଗଞ୍ଜେଇ ଦଳିବାକୁ ଲାଗିଲେ । ମସଲା ଦଳିସାରିବା ପରେ ବିଡ଼ିରେ ପୁଣି ତାହା ଭରତିକରି ବିଡ଼ିକୁ ଟିଡ଼ିରେ ପରିଣତ କରି ସେ ଅଗ୍ନି ସଂଯୋଗ କଲେ । ଆକାରର କୌଣସି ପରିବର୍ତ୍ତନ ହେଲାନାହିଁ କିନ୍ତୁ ପ୍ରେରଣା ଶକ୍ତିରେ ଆମୂଳ ପରିବର୍ତ୍ତନ ଘଟିଲା । ଉପରକୁ ଚାହିଁ ଗୋଟିଏ ନମସ୍କାର କରି ସେ ଆଖି ବୁଜି ଗୋଟିଏ ମାତ୍ର ଟାଣରେ ଟିଡ଼ିର ଏକତୃତୀୟାଂଶ ଭସ୍ମୀଭୂତ କରି ଆଖି ବୁଜି ସେହିପରି ବସିରହିଲେ-। ଏତେ ଧୂଆଁ କୁଆଡ଼େ ଗଲା ବୁଝିପାରିଲି ନାହିଁ । ମହାରାଜ କଅଣ ଧୂଆଁତକ ଶରୀର ଭିତରେ ପାଣିରେ ପରିଣତ କରିଦେଲେ ! ନାଃ, ଏଇତ ଗୋଟିଏ କ୍ଷୀଣ ଧୂଆଁର ସ୍ରୋତ ନାକରୁ ନିର୍ଗତ ହେଉଚି । ଧୂମ ନିଷ୍କାସନ ଅନେକକ୍ଷଣ ଚାଲିବା ପରେ ବାବାଜି ଆଖି ଖୋଲି କହିଲେ, “ହାଲୁୟା ।”

ବିରକ୍ତ ହୋଇ କହିଲି, “ହାଲୁୟା କେଉଁଠୁ ଆସିବ ଏଠି ?”

—ନାହିଁ ବାବୁ, ତୁମେ ଯେ ପଚାରୁଥିଲ ମୁଁ ଏଠି କାହିଁକି ତା’ରି ଉତ୍ତର ଦେଲି ।

—ହାଲୁୟା କଅଣ ?

—ହାଲୁୟା ଜାଣିନା ବାବୁ ? ଗୋଟିଏ ମୁନି ଭାରି ତପସ୍ୟା କରୁଥିଲା । ଗୋଟିଏ ମାଇକିନିଆ ମୁନିକୁ ବିବାହ ହେବାର ଇଚ୍ଛା କଲା । କିନ୍ତୁ ମୁନି ସେ ମାଇକିନିଆକୁ ଗାଳିଦେଇ ବିଦା କରିଦେଲା । ମାଇକିନିଆ ରାଗିଯାଇ କହିଲା, “ଆଚ୍ଛା ଦେଖିଲବା ତୋ ତପସ୍ୟା ଶକ୍ତି ବେଶୀ, କି ହାମ ମାଇକିନିଆ ଶକ୍ତି ବେଶୀ । ମୁନି କିଛି ଖାଉନଥିଲା ଖାଲି ଗଛର ଛାଲ ଛଡ଼ା । ମୁନି ଯେଉଁ ଗଛର ଛାଲ ଖାଉଥିଲା, ମାଇକିନିଆ ସେଇ ଗଛରେ ହାଲୁୟା ବୋଳିଦେଇ ଆସେ । ମୁନିକୁ ଭାରି ମିଠା ଲାଗେ ତ ସେ ବେଶୀକରି ଛାଲ ଖାଇବାକୁ ଲାଗିଲା । ହ୍ୟାଳ୍ପକା ପେଟ ଖରାପ ହୋଇ ରୋଗ୍‌ମେ ପଡ଼ିଲା । ମାଇକିନିଆ ଯାଇ ସେବା କଲା । କ୍ରମେ କ୍ରମେ ମୁନିକା ମନ ବଦଳିବାକୁ ଆରମ୍ଭ ହେଲା । ଆଖର୍ ଦିନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଜଙ୍ଗଲ ଭିତରୁ ହ୍ୟାଳ୍ପ ମୁନି ଆସୁଛି । ତା କାନ୍ଧରେ ଆଉ କୋଳରେ ଦୁଇଟି ବଚ୍ଚା । ଅନ୍ୟ କାନ୍ଧରେ ଗୋଟିଏ ଭାରରେ ହରେକ୍ ସାମାନ ଘରକେ ଲିୟେ । ମାଇକିନିଆ ଆଗେ ଆଗେ ଚାଲିଚି । ବାବୁ, ହାମେ ବି ଐସା ହାଲୁୟା ଖାଇଚ । ବେଶ୍ ବୁଲୁଥିଲି—ହରି ନାମ କହି ପେଟ ପୋଷି ଯାଉଥିଲି । ଅବ୍‌ଭି ଖଟ୍‌କେ ଖାନା ହୋଗା । ହାୟ୍ ୟେ ମେରା କ୍ୟା କିୟା ଭଗବାନ୍ !!

ସମସ୍ତେ ହସିଉଠିଲେ ।

ଓ୍ୟାର୍ଡ଼ ଭିତରୁ ରାଣୀର କରୁଣ ଚିତ୍କାର ଶୁଣି ମୁଁ ଦୌଡ଼ିଗଲି । ଦରୁଆନ ହାତ ଟେକି ମୋର ଗତି ରୋଧ କଲା । ଫେରିଲି । ଦୁଇଦିନ ଦୁଇରାତି ରାଣୀ କଷ୍ଟ ପାଇଲା । ବାହାରୁ ଚିତ୍କାର ଶୁଣିବା ଛଡ଼ା ମୋର ଆଉ କିଛି କରିବାର ଉପାୟ ନ ଥିଲା ।

ତୃତୀୟ ଦିନ ଭିତରକୁ ଯିବାର ଅନୁମତି ପାଇଲି । ନର୍ସ୍ ମୋତେ ଛାଡ଼ିଦେଇ ଚାଲିଗଲା-। ଅନେକ ଖଟ । ପ୍ରତ୍ୟେକ ଖଟରେ ଗୋଟିଏ ନାରୀ ଓ ଗୋଟିଏ ଶିଶୁ ।

ରାଣୀ କାହିଁ ? ଛାତି ଭିତରୁ ଅତଡ଼ା ଖସିପଡ଼ିଲା ।

“ଇୟାଡ଼େ” କ୍ଷୀଣ କଣ୍ଠରେ ରାଣୀ ଡାକିଲା ।

କୋଳ ଉପରୁ ଚାଦରଟି ଉଠାଇଦେଇ ସେ ଗର୍ବରେ ମୋ ଆଡ଼କୁ ଚାହିଁରହିଲା । ମୁହଁରେ ତା’ର ଫୁଟିଉଠିଲା ଗୋଟାଏ ଅପୂର୍ବ ସନ୍ତୋଷର ଆଭା । କିଏ କହିବ ସେ କିଛିକ୍ଷଣ ପୂର୍ବ ପର୍ଯ୍ୟନ୍ତ କ୍ରମାଗତ ଦୁଇଦିନ ଦୁଇରାତି ମୃତ୍ୟୁ ଯନ୍ତ୍ରଣା ପାଇଚି । ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲି ତା’ର ମୁହଁକୁ ।

“ମୋତେ କଅଣ ଦେଖୁଚ ? ଇୟାଡ଼େ ଦେଖ !”

ଚାଖେଣ୍ଡେ ଲମ୍ବର ଧଳା ସଳିତାପରି ଗୋଟିଏ ଜୀବ ଜୁଳୁଜୁଳୁ କରି ଟିକିଏ ମୋଆଡ଼େ ଚାହିଁ ପୁଣି ଆଖିବୁଜି ଶୋଇପଡ଼ିଲା । ମୋ ପରି ବଳିଷ୍ଠ ସ୍ୱାସ୍ଥ୍ୟବାନ୍ ଲୋକର ଏହି ସନ୍ତାନ ! ଟିକିଏ ଲଜ୍ଜା ବୋଧହେଲା ।

କହିଲି, “ବଞ୍ଚିବ ତ ?”

“ହୁଁ”, ରାଣୀ ଅବଜ୍ଞାଭରି କହିଲା, “ଏଠୁ ବାହାରେ ଆଗେ । ମାସକ ପରେ ଦେଖିବ ଏଇ ଆମର ବଂଶଧର ।”

“ହଁ ବଂଶଧର ! ଅତୀତ ଓ ଭବିଷ୍ୟତ ମଝିରେ ବର୍ତ୍ତମାନର ସେତୁ । କିନ୍ତୁ ଏଇ କ୍ଷୀଣ ଜୀବ !” ସନ୍ଦେହ ଲୁଚାଇବାକୁ ମୁହଁ ବୁଲାଇଦେଲି ।

ଚମକି ପଡ଼ିଲି ଊର୍ମିଳାକୁ ଦେଖି । କଲେଜରେ ଏକଦା ସହପାଠିନୀ ଊର୍ମିଳା—ଊର୍ମିଳା ‘ଦି ଉଗ୍ରଚଣ୍ଡୀ’ । ଯେମିତି ସୁନ୍ଦରୀ ସେମିତି ଚଣ୍ଡୀ ସେ ଥିଲା । ପ୍ରେମ ନିବେଦନ କରିବାକୁ ଯାଇ କେତେକ ଯୁବକ ଯେ ତା ପାଖରୁ ଚଟିମାଡ଼ ଖାଇଚନ୍ତି । ବିବାହ କଥା ଶୁଣି ସେ କହୁଥିଲେ, “ମୁଁ ରାମାମା ଦାମାମା ହେବାକୁ ଜନ୍ମି ନାହିଁ” । ସେ ପୁଣି !!

“ନମସ୍କାର”, ଊର୍ମିଳା ମୁରୁକି ମୁରୁକି ହସି ହାତଠାରି ଡାକିଲେ ।

ବିହ୍ଵଳ ଭାବରେ ହାତ ଟେକି ପ୍ରତିନମସ୍କାର କଲି । ରାଣୀର ଠିକ୍ ଗୋଡ଼ ତଳକୁ ଯେଉଁ ଖଟ ସେଇଠି ସେ ଶୋଇଚନ୍ତି । ସେ ମଧ୍ୟ କୋଳର ଚାଦରଟି କାଢ଼ି ନିଜ ସନ୍ତାନଟିକୁ ଦେଖାଇଲେ-। ଭାରି ସୁନ୍ଦର ଶିଶୁଟିଏ ସତେ ।

ନିକଟକୁ ଯାଇ କହିଲି, “ବା, ଭାରି ସୁନ୍ଦର ହୋଇଚି ସତେ ! କିନ୍ତୁ...ଆପଣ... ?”

 

“ହଁ...ମୁଁ...ଆଶ୍ଚର୍ଯ୍ୟ ହେଉଚନ୍ତି ? ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ଏଥିରେ ? ଏଇତ ଆମର ଯାତ୍ରାର ଶେଷ ।” ଚାଦରଟି ପୁଣି ଥରେ ଟେକିଲେ ।

 

କୌତୁହଳ ସମ୍ଭାଳି ନ ପାରି ପଚାରିଲି, “କିଏ, ନବୀନ ?”

 

—ଛି...ତାଙ୍କୁ ?

 

—“ଆପଣ ଦୁଇଜଣ ତ ସବୁ ସଭା, ସବୁ ଆନ୍ଦୋଳନର ଅଗ୍ରଣୀ ଥିଲେ । ଆମେ ସମସ୍ତେ ତ ଧରି ନେଇଥିଲୁ...”

 

—ନା, ନା ସେ ନୁହେଁ । ପରମାନନ୍ଦ...ଇସ୍...ନା’ଟା ଧରିପକାଇଲି...

 

—ପରମାନନ୍ଦ...ସେଇ ନିର୍ଜୀବ, ଅସ୍ତିତ୍ୱହୀନ... !!

 

—ଯେଉଁମାନେ ବାହାରେ ଦୁର୍ଦ୍ଦାନ୍ତ ମନେହୁଅନ୍ତି ସେମାନେ କେତେ ଦୁର୍ବଳ ମୁଁ ଭଲକରି ଜାଣିବାର ସୁଯୋଗ ପାଇଚି । ଅଥଚ ଏଇ ନିର୍ଜୀବଟି ଯେ କି ବିପୁଳ ଶକ୍ତିଧର ଆପଣମାନେ ଜାଣନ୍ତି ନାହିଁ, ...ମୁଁ ଜାଣେ ।

 

—କିନ୍ତୁ ଆପଣ ନବୀନ ପଛରେ ଯେପରି ଗୋଡ଼ାଇଥିଲେ, ଆମେ ଭାବିଥିଲୁ ସେ ନ ହେଲେ ଆପଣ ଆତ୍ମହତ୍ୟା କରିବେ...ନବୀନ ତ ସେହିପରି କହୁଥିଲା...

 

—ଛି...କଅଣ ଯେ ଭାବନ୍ତି ଆପଣମାନେ ! ଅନ୍ୟ ଯିଏ ଯାହା କୁହନ୍ତୁ ମୁଁ ଅନ୍ତତଃ ମୋ ଜୀବନରେ ଏତିକି ଅନୁଭବ କରିଚି ଯେ ଆମେ ଯେ ପୁରୁଷକୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁ ତାହା ଯୌନ ଲାଳସ ପାଇଁ ନୁହେଁ । ପୁରୁଷର ପ୍ରେମିକା ସାଜି ଚିର ଜୀବନ ରହିବା ପାଇଁ ନୁହେଁ । ମା ହବା ଆମର ଉଦ୍ଦେଶ୍ୟ । ଆମ ଜୀବନର ସବୁ ବିପ୍ଳବର ଶାନ୍ତି ଏଇଠି । ମାତୃତ୍ୱ ପାଇଁ ଆମ ଶରୀରର ସବୁ ସୌନ୍ଦର୍ଯ୍ୟ ତେଣୁ ହୁଏ ପୁରୁଷକୁ ଆକୃଷ୍ଟ କରିବାର ଦୁର୍ବାର ପନ୍ଥା । ତେବେ ଆଜିକାଲି ଯେପରି ଅର୍ଥ ସୁଖ ପାଇବାର ଗୋଟିଏ ପନ୍ଥା ନ ହୋଇ ଉଦ୍ଦେଶ୍ୟରେ ପରିଣତ ହୋଇଚି, ଆମ ଭିତରେ ମଧ୍ୟ ସେହିପରି ବିକୃତ ଦେଖାଦେଇଚି । ଅନେକେ ଏହି ଆକୃଷ୍ଟ କରିବାକୁ ହିଁ ଉଦ୍ଦେଶ୍ୟ କରି ମରିବା ପର୍ଯ୍ୟନ୍ତ ସଜବାଜ ହୋଇ ବସିଚନ୍ତି । କି ବୀଭତ୍ସ ବିକୃତି ଆର ଖଟକୁ ଅନାନ୍ତୁ ତ ।

 

ରାଣୀର ଠିକ୍ ଡାହାଣପଟ ଖଟରେ ଶୋଇଚି ଗୋଟିଏ ନାରୀ । ବୈରୀକବସନା । ବେକରେ ବଡ଼ ବଡ଼ ତୁଳସିର ମାଳି‌‌ । ମୁଣ୍ଡରେ ଚିତା । ହାତରେ ଓ ବାହୁରେ ରୁଦ୍ରାକ୍ଷର ଗହଣା । ତ୍ରିପଣ୍ଡ କଳା,ଜହ୍ନି ମଞ୍ଜି ପରି । ଠାଏ ଠାଏ ଧବଳ କୁଷ୍ଠର ଚିହ୍ନ ମୁହଟାକୁ ଆହୁରି କଦାକାର ଓ ଭୀଷଣ କରିଦେଇଚି । ତଥାପି ବେଶଭୂଷାର ପରିପାଟୀରେ ହେଉ କିମ୍ବା ସ୍ଵାସ୍ଥ୍ୟରେ ହେଉ କେଉଁଠି ଗୋଟାଏ ନଗ୍ନ ଆହ୍ୱାନ ଅଛି । ନିକଟରେ ଶୋଇଚି ଗୋଟିଏ ବଳିଷ୍ଠ ଶିଶୁ ।

 

—ସେ କିଏ ? ପଚାରିଲି ।

 

—ସେଇ ସୁନ୍ଦର ପୁଅଟିର ମା, ଉର୍ମିଳା କହିଲେ । ଅନ୍ୟ ପରିଚୟ ଯେପରି ନିରର୍ଥକ ।

 

ଟଗରଗଛ ମୂଳର ସେହି ବାବାଜୀଟି ଆସି ତା ପାଖରେ ଛିଡ଼ାହେଲା । ଝଲାରୁ ବାହାର କରି ନାନା ଜାତିର ଫଳ ଖଟ ଉପରେ ଥୋଇଲା । ଓ୍ୟାର୍ଡ଼ର ସମସ୍ତ ମୁହଁ ବୁଲାଇ ହସିଲେ । ‌ଗୋଟିଏ ବୀଭତ୍ସ ରସିକତା କରିବାକୁ ଇଚ୍ଛା ହେଉଥିଲା । ବାହାରେ କିନ୍ତୁ ନିଷ୍ଠାବାନ୍ ଧାର୍ମିକ ଭଳି କହିଲି, ଛିଃ... ସନ୍ନ୍ୟାସୀ ହୋଇ...

 

ମାତାଜୀଟି ସବୁକଥା ଶୁଣୁଥିଲା । ମୋର ଧିକ୍‍କାର ଏବଂ‌ ସମସ୍ତଙ୍କର ବିଦ୍ରୂପ ସେ ଗୋଟିଏ କ୍ଷୁଦ୍ର ଅବଜ୍ଞାର ହସରେ ଉଡ଼ାଇ ଦେଇ ତାର ହାତଟି ଧୀରେ ଧୀରେ ସନ୍ତାନ ଉପରେ ରହିଲା । ବାବାଜୀ ଲଜ୍ଜାରେ ଅଧୋବଦନ ହୋଇ ଛିଡ଼ାହୋଇ ରହିଲେ ।

 

—ଛିଃ କାହିଁକି ? ଉର୍ମିଳା କହିଲେ, ତାର ବେଶଭୂଷାର ପରିପାଟୀ ବା ଅଙ୍ଗଭଙ୍ଗୀରେ ଯେଉଁ ଆହ୍ୱାନ ଦେଖୁଛନ୍ତି ତା କଣ ଯୌନଲାଳସାର ଆହ୍ଵାନ ।

 

—ଡାକ୍ତର ପୁଅ, ଟିକିଏ କୁହନି, ପେଟରେ ପିଲା ଅଛିନା । ଟିକିଏ ଭଲକରି ଦେଏଖନି ଝୁଅ । ମୋର ନିଶ୍ଚେ ମନେହଉଚି, ପିଲା ଅଛି । ହେଇପରା ଖେଳୁଚି ।

 

କରୁଣ ଆବେଦନ ଶୁଣି ଫେରି ଚାହିଁଲେ ରାଣୀର ବାଁ‌ ପଟ ଖଟରେ ଶୋଇଚି ଗୋଟିଏ ଅସ୍ଥି ଚର୍ମସାର ନାରୀ । ବାଳ ଗୁଡ଼ିକ ଫୁରୁଫୁରୁ ହୋଇ ପଙ୍ଖା ପବନରେ ଉଡ଼ୁଚି । ଆଖି ଦିଓଟିର ଗହରରୁ ସୃଜନ ଆଶା ମଝିରେ ମଝିରେ ଉଜ୍ଜ୍ୱଳ ହୋଇ ଉଠୁଚି । ଗାଲ ଦିଓଟିର ଅସ୍ତିତ୍ଵ ଅଦୃଶ୍ୟ‌ । କିନ୍ତୁ ସବୁ ଠେଲି ଖଟ ଉପରକୁ ଦିଶୁଚି । ଗୋଟିଏ ପ୍ରକାଣ୍ଡ ପେଟ । ଦେଖିଲେ ଗୋଟିଏ‌ ଘୃଣାତ୍ମକ ଦୟା ହୁଏ ।

 

ଲେଡ଼ି ଡାକ୍ତର ତାକୁ ପରୀକ୍ଷା କରି କହିଲେ, ବୁଝିଲୁ, ତୋ‌ ପେଟରେ ପିଲା ନାହିଁ । ଏଟା ଗୋଟିଏ ଆବୁ ।

 

ଚିଡ଼ି ଉଠି ମହିଳାଟି କହିଲା, ତୋ ମୁଣ୍ଡ । ଏ ହବା ଦିନରୁ‌ ମାସିକିଆ ବନ୍ଦ ହୋଇଚି...ଆଉ ତୁ କହିବୁ ପିଲା ନାହିଁ । ମା, ମୋ ଧନ, ଟିକିଏ ଭଲକରି ଦେଖ୍ । ପୁଣି ସେହି କରୁଣ ମିନତି ।

 

ଲେଡ଼ି ଡାକ୍ତରଙ୍କ ସାହାଯ୍ୟକାରିଣୀ ଆଖି ଠାରିଦେଲେ । ଲେଡ଼ି ଡାକ୍ତର ଭଲକରି ପରୀକ୍ଷା କରିବାର ଅଭିନୟ କରି କହିଲେ, ହଁ, ପିଲା ତ ଅଛି ।

 

—ବଞ୍ଚିଥା ଝୁଅ । ଅହିସୁଲକ୍ଷଣୀ ହୋଇଥା । ନାକ ବାଳ ତଳେ ନାଗୁ । ପାଚିଲା ବାଳରେ ସୁନ୍ଦର ନଗା । ହେଁସେ ପିଲା‌ ହୁଅନ୍ତୁ । ଆଉ ଟିକିଏ ଦେଖନି ମା, ପୁଅ ନା ଝୁଅ ।

 

ଲେଡ଼ି ଡାକ୍ତର ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ମୁହଁ‌ ବୁଲାଇଦେଲେ । ଦୀର୍ଘ ନିଶ୍ଵାସଟି ତାଙ୍କ ଜୀବନରେ ଆଶୀର୍ବାଦଗୁଡ଼ିକର ବ୍ୟର୍ଥତା ଜଣାଇଦେଇ ମିଳାଇଗଲା । ପୁଣି ପରୀକ୍ଷାର ଅଭିନୟ କରି ସେ କହିଲେ, ଝୁଅଟିଏ ।

 

—ହଉ ହେଲା । ପୁଅ କିଏ, ଝିଅ କିଏ । ସବୁ ସମାନ । ମା ବାସୁଳେଇ, ତୋତେ ଦିମୁଣ୍ଡ ବଳି ଦେବି । ମୋତେ ସୁରୁଖୁରୁରେ ଦିଭାଗ କରିଦେ । ଝୁଅ ମୋର ସଳଖେ ବାହାରି‌ ଆସୁ-

 

ଲେଡ଼ି ଡାକ୍ତର ତା ପିଠିରେ ହାତ ବୁଲାଇ କହିଲେ, ବୁଝିଲୁ, ଭାରି ବଡ଼ ଝୁଅଟାଏ ଅଛି । ପେଟ ଚିରି ବାହାର କରିବାକୁ ହବ ।

 

—ହଉ, ହେଲା । ଚିରି ଖାରି ଯା କରୁଛ କର, ଝୁଅ ମୋର ବଞ୍ଚିଆସୁ ।

 

ଦୁଇଟା ହାତ ଯୋଡ଼ି ସେ ଉପରକୁ ଚାହିଁ ରହିଲା ।

 

ହଠାତ୍‌ ଶିଶୁ କ୍ରନ୍ଦନର ଐକ୍ୟତାନ ଶୁଣି ଚମକି ଦେଖିଲି ଗୋଟିଏ ଅଦ୍ଭୁତ ଦୃଶ୍ୟ । ପ୍ରାୟ ବାରୋଟି ଶିଶୁକୁ ଗୋଟିଏ ଠେଲା ଗାଡ଼ିରେ ଶୁଆଇ ଜଣେ ଧାଇ ଠେଲି ଠେଲି ଆଣୁଚି । ଆଶ୍ଚର୍ଯ୍ୟ ହୋଇ ପଚାରିଲି, ଏ ଶିଶୁଗୁଡ଼ିକ କଅଣ ଜଣକର ?

 

ରାଣୀ ହସିଉଠି କହିଲା, ତା ହୋଇଥିଲେ ଭାରି ଭଲ ହୁଅନ୍ତା । ଫଟ ବାହାରିଛି ଦେଖିନା । ଅଷ୍ଟ୍ରେଲିଆର ଗୋଟିଏ ସ୍ତ୍ରୀ ନଅଟି ଜନ୍ମ ଦେଇଛି । ଆହା, ଦୁଇଟି ମରିଗଲେ । ତାର ସ୍ଵାମୀ ତାକୁ ଚୁମା ଖାଉଥିବାର ଫଟ ବାହାରିଛି । କି ଆନନ୍ଦରେ ସ୍ତ୍ରୀ ତା ସ୍ୱାମୀକୁ ଅନେଇଛି ।

 

ଭଲ ହୁଅନ୍ତା !!! ଭୟରେ ମୋର ଆଖି ବୁଜି ହୋଇଗଲା । ମାଲ୍‌‌ଥୁସ ସାହେବଙ୍କୁ କିଏ ଯେପରି ଠେଙ୍ଗାରେ ଠେଙ୍ଗାଏ ଦେଲା । ସେ ଚିତ୍କାର କରି ପଡ଼ିଗଲେ । କଲେଜ ଲାଇବ୍ରେରୀର ମୋଟା ମୋଟା ଅର୍ଥଶାସ୍ତ୍ରର ବହିଗୁଡ଼ିକ ଦୁଲ୍‌ ଦାଲ୍‌ ଶବ୍ଦରେ ଥାକରୁ ତଳେ ପଡ଼ିଗଲା । ଆଖି ନ ଖୋଲି କହିଲି, ସେକ୍‌ସପିୟରଙ୍କ ଗୋଟିଏ ନାଟକରେ ଜଣେ ଜ୍ୟୋତିଷ ଠିକ୍ ଏହିପରି କହିଚନ୍ତି । ଜଣେ ମହିଳା ଜ୍ୟୋତିଷଙ୍କୁ ପଚାରିଲେ ‘କୁହନ୍ତୁ ତ, ମୋର କେତୋଟି ସନ୍ତାନ ହେବେ ।’ ଜ୍ୟୋତିଷ କହିଲେ ଯଦି ତୁମର ପ୍ରତ୍ୟେକ ଇଚ୍ଛାରେ ଗର୍ଭସଞ୍ଚାର ହୁଏ, ତେବେ ଲକ୍ଷାଧିକ ।

 

ରାଣୀ ହସି କହିଲା, “ଠିକ କହିଚନ୍ତି ସେ । କିନ୍ତୁ ଏଠି କାହାରି ସେ ସୌଭାଗ୍ୟ ହୋଇନାହିଁ । ସବୁ ମା’ ମାନଙ୍କ ପାଖରୁ ଛୁଆଗୁଡ଼ିକ ଧାଈ ନେଇ ପରିଷ୍କାର କରିବାକୁ ଯାଇଥିଲା । ବର୍ତ୍ତମାନ ଫେରାଇ ଆଣୁଚି ।

 

ଆଖି ଖୋଲି ଦେଖିଲି ସବୁ ମାଆମାନେ ଖଟ ଉପରେ ଉଠି ବସିଚନ୍ତି । ସମସ୍ତେ ରୁଗ୍‌ଣା, କିନ୍ତୁ ସମସ୍ତଙ୍କର ଆଖିରେ ଫୁଟି ଉଠିଚି ଗୋଟିଏ କମନୀୟ ଗର୍ବ, ଅପୂର୍ବ ସନ୍ତୋଷ । କେହି ଯନ୍ତ୍ରଣାରେ ସ୍ତନ ଚାପି ରଖିଛି । କାହାର ବା କ୍ଷୀର ଅବିରତ ଝରି ଲୁଗା ତିନ୍ତାଇ ସାରିଲାଣି । ସମସ୍ତଙ୍କ ହାତ ଏକା ସାଙ୍ଗରେ ପ୍ରସାରିତ ହେଲା । ଧାଈ ଗୋଟି ଗୋଟି କରି ପରିବେଷଣ କଲାପରି ଯାହାକୁ ଯାହାର ଶିଶୁ ଦେଇଗଲା ।

 

ଗୋଟିଏ ମହିଳା କରୁଣ ସ୍ଵରରେ ପଚାରିଲା, ମୋ ଧନ ?

 

—ଆସୁଚି, ବ୍ୟସ୍ତ ହ’ନି ।

 

—ନା, ତୁମେ ଜଲଦି ଆଣ । ମୋ ମନ କଣ ହେଉଚି ।

 

ରାଣୀ ମୋ କାନରେ କହିଲା, ତା ପିଲା ଆଉ ନାହିଁ ବୋଧେ—ରଙ୍ଗବାତ ହୋଇଥିଲା-। ଆଖିରୁ ଲୁହ ପୋଛି ସେ ନିଜର ହାତଟି ସନ୍ତାନ ଉପରେ ଧୀରେ ରଖିଲା । ସମସ୍ତ ଆଧିଭୌତିକ ଆଧିଦୈବିକ ବିପଦରୁ ତାର ସନ୍ତାନକୁ ରକ୍ଷା କରିବାକୁ ତାର କ୍ଷୀଣ ହାତଟି ଯେପରି ଯଥେଷ୍ଟ ।

 

—ମୋ ଧନ କାହିଁ ଦିଅ । ପୁଣି ସେଇ କରୁଣ ମିନତି ।

 

ଧାଈ ଫେରିଆସି କହିଲା, ତା ଦେହ ଟିକିଏ ଖରାପ ଅଛି । ଡାକ୍ତରାଣୀ ଦେଖୁଛନ୍ତି । ଏଇକ୍ଷଣି ନେଇ ଆସିବା ମା, ବ୍ୟସ୍ତ ହୁଅନି ।

 

—ନା, ତୁମେ ଜଲଦି ଆଣ । ଧନ ମୋର କେତେବେଳୁ ଗଲାଣି... ହେ ମା କାଳୀ...

 

—ହଉ ଯାଉଚି । ଧାଈ ମୁହଁ ବୁଲାଇ ଆଖିପୋଛି ଚାଲିଗଲା । ଲେଡ଼ି ଡାକ୍ତର ଆସିଲେ-

 

—ସମସ୍ତଙ୍କ ପିଲା ତ ଆଣିଲେ, ମୋର କାହିଁ ? କାହିଁକି ନେଲ ଆଜି ମୁଁ ମନା କରୁଥିଲି-। ଧନ ଦିହ ମୋର ଭଲ ନଥିଲା ।

 

ସେ ଆଉ କହି ପାରିଲା ନାହିଁ । ବେଦନାରେ ଓଠ ଦିଓଟି ତାର ଥରି ଉଠିଲା । ଅସହାୟ ଭାବରେ ଥରେ ସମସ୍ତଙ୍କୁ ଚାହିଁ ସେ ମୁହଁ ପୋତିଦେଲା । ସମସ୍ତଙ୍କର ସନ୍ତାନ ଫେରିଚନ୍ତି, ତାର ଫେରିନି, ଏ ଲଜ୍ଜା ଯେପରି ତାକୁ ଜାଳିଦେଲା । ଦୁଇ ସ୍ତନରୁ ତା’ର କ୍ଷୀରର ସ୍ରୋତ ବହି ଲୁଗାଟିଯାକ ତିନ୍ତାଇ ସାରିଲାଣି ।

 

ଲେଡ଼ି ଡାକ୍ତର ପିଠିରେ ହାତ ବୁଲାଇ ପଚାରିଲେ, ପିଲାର ବାପ କାହିଁ ?

 

—ମୋ ଖାଇବା ଆଣି ଯାଇଛନ୍ତି ।

 

ସେ ଚାଲିଗଲେ । ଚାରିଆଡ଼ ନିସ୍ତବ୍‍ଧ ହୋଇଗଲା । ସମସ୍ତେ ରୁଦ୍ଧ ଶ୍ଵାସରେ ଆଖିରୁ ଲୁହ ପୋଛିଲେ । କିଛି ସମୟ ପରେ ମହିଳାଟିର ସ୍ଵାମୀ ଖାଇବା ନେଇ ଆସିଲେ । ଲେଡ଼ି ଡାକ୍ତର ସଙ୍କେତ ଦ୍ୱାରା ତାଙ୍କୁ ବାହାରକୁ ଡାକିଲେ । ମହିଳାଟି ଏଥର ସବୁ ବୁଝିପାରିଲା । ମୋ ଧନ ବୋଲି ଚିତ୍କାର କରି ତାର ସନ୍ତାନର କ୍ଷୁଦ୍ର ତକିଆଟି କୁଣ୍ଢାଇ ସେ ଖଟ ଉପରୁ ତଳେ ପଡ଼ି ଅଜ୍ଞାନ ହୋଇଗଲା ।

 

ମୁଁ ଆଉ ରହିପାରିଲି ନାହିଁ ସୃଷ୍ଟିର ଏ ଅଦ୍ଭୁତ ପ୍ରସୂତିଶାଳାରେ । ବାହାରକୁ ପଳାଇ ଆସିଲି । ବାସ୍ତବତାକୁ ଫେରିଆସିବା ପାଇଁ ମୁଁ ବେଞ୍ଚ ଉପରେ ପଡ଼ିଥିବା ଖଣ୍ଡେ ଖବର କାଗଜ ଫିଟାଇ ଧରିଲି । ଆଜିକାର ମୁଖ୍ୟ ସମ୍ବାଦ ହେଉଚି—

 

ବିଜ୍ଞାନର ଅଦ୍ଭୁତ ଆବିଷ୍କାର । ମାତ୍ର ଗୋଟିଏ ହାଇଡ୍ରୋଜେନ ବୋମାରେ ନିମିଷେକେ କୋଟି କୋଟି ଲୋକର ମୃତ୍ୟୁ ହୋଇପାରେ ।

 

ତୃତୀୟ ମହାସମର ଲାଗିଯିବ ? ଦୁଇପକ୍ଷର ସଜବାଜ । ସୈନ୍ୟ ଶକ୍ତି ବୃଦ୍ଧିପାଇଁ ପ୍ରତ୍ୟେକ ପିତାମାତାଙ୍କୁ ସନ୍ତାନ ଉତ୍ପାଦନ ପାଇଁ ଆର୍ଥିକ ପୁରସ୍କାର !”

 

କାଗଜଟା ମୋଡ଼ିମାଡ଼ି ଫିଙ୍ଗିଦେଲି ।

Image

 

କୃପାନିଧି ବାବୁ

 

ଏଇ ଯେ ପ୍ରାୟ ଷାଠିଏ ବର୍ଷ ବୟସ୍କ ଦୀର୍ଘକାୟ ଠେଙ୍ଗା ଭଳି ସିଧା ଭଦ୍ରଲୋକଟି ନଈକଳରେ ପ୍ରାତଃଭ୍ରମଣରେ ବାହାରିଚନ୍ତି ଲୋକେ ସକାଳୁ ତାଙ୍କୁ ଦୂରରୁ ଦେଖି ମୁହଁ ବୁଲାଇ ଦିଅନ୍ତି । ତାଙ୍କ କଥା ପଡ଼ିଲେ ତାଙ୍କ ନାଁ ନ ଧରି କୁହନ୍ତି ଅମୁକ ବାବୁ । ସକାଳୁ ତାଙ୍କ ମୁହଁ ଦେଖିଲେ ବା ନାଁ ଧରିଲେ ସେ ଦିନଯାକ କୁଆଡ଼େ ଖାଇବାକୁ ମିଳେନାହିଁ । କୃପାନିଧି ବାବୁ ଏ କଥା ଜାଣନ୍ତି; ତେଣୁ ସେ ବଡ଼ି ସକାଳୁ ବୁଲି ବାହାରିବାବେଳେ କୌଣସି ଆଡ଼କୁ ନ ଚାହିଁ ସିଧାସଳଖ ଚାଲନ୍ତି । କିଏ ତାଙ୍କୁ ଦେଖି ମୁହଁ ବୁଲାଇ ନେଇ ବାଟ କଟେଇ ଅନ୍ୟବାଟେ ଚାଲିଗଲା, ସେଥିପ୍ରତି ତାଙ୍କର ଭ୍ରୂକ୍ଷେପ ନ ଥାଏ ।

 

ପିଲାଟି ବେଳୁ ସେ ହିସାବୀ । ସେ କୁହନ୍ତି ଅପବ୍ୟୟ ସେ ସହ୍ୟ କରିପାରନ୍ତି ନାହିଁ । କିନ୍ତୁ ଲୋକେ, ଏପରିକି ତାଙ୍କ ଘର ଲୋକ ମଧ୍ୟ କୁହନ୍ତି ସେ କଥା ମିଛ । ଅସଲ କଥା ସେ କାହାରିକୁ ଅଧଲାଏ ବି ଦେବାକୁ ଚାହାନ୍ତି ନାହିଁ । ବିଶ୍ଵବିଦ୍ୟାଳୟରେ ପଢ଼ିବାବେଳେ ହଷ୍ଟେଲ୍‌‍ରେ ଥିବା ସମୟରେ ଏଇ ଗୁଣ ପାଇଁ ତାଙ୍କୁ ଥରେ ବିପଦରେ ପଡ଼ିବାକୁ ହୋଇଥିଲା ।

 

ପଢ଼ିବାବେଳଠୁ ତାଙ୍କର ଅଭ୍ୟାସ ଅଟକଳ ଅନୁସାରେ ଖରଚ କରିବା । ଅଟକଳରେ ସୂତାଏ ବି ଏପାଖ ସେପାଖ ହବାର ଉପାୟ ନାହିଁ । ମୁଣ୍ଡ ଦିହରେ ଲଗାଇବା ତେଲ କିଣିଲେ ନିଇତି କେତେ ସେଥିରୁ ମାଖିବେ ତାହାର ଅଟକଳ ହୁଏ ଏବଂ ସେହି ଅଟକଳ ଅନୁସାରେ ନିଇତି ତେଲ ମଖାହୁଏ । ମୁଣ୍ଡରେ ଲଗାଇବା ପାଇଁ ଗୋଟିଏ ସୁବାସିତ ତେଲ ତାଙ୍କର ପ୍ରତ୍ୟେକ ମାସରେ କିଣା ହୁଏ ଏବଂ ଦୈନିକ ଅନୁମାନ ହିସାବରେ ସେ ତେଲ ମାସେ ଯିବାର କଥା । କିନ୍ତୁ ତାଙ୍କର ସହାଧ୍ୟାୟୀ, ସୁହୃଦ ଏବଂ ଏକପ୍ରକୋଷ୍ଠନିବାସୀ ବିଦ୍ୟାଧର ଥରେ ଥୋଡ଼ାଏ ତେଲ ସେଥିରୁ ଦେହରେ ମାଖିଦେଲେ । ଫଳରେ ସେ ମାସରେ ତାଙ୍କର ତେଲଟି ମାସେ ଗଲାନାହିଁ । କୃପାନିଧି ମହା ଭାଳେଣିରେ ପଡ଼ିଲେ । ପ୍ରଥମ କଥା, ତାଙ୍କ ଅଟକଳ ଭୁଲ ହେବା କଥା ନୁହେଁ, ଭୁଲ ହେଲା କିପରି ? ଦ୍ଵିତୀୟତଃ ମାସିକିଆ ଅଟକଳର କେଉଁ ଖର୍ଚ୍ଚରୁ ଟଙ୍କା କାଟି ତେଲ ଖର୍ଚ୍ଚରେ ଭରତି କରିବେ ? ମାସିକିଥା ଅଟକଳଟି ଏପରି କଣ୍ଟାଏ କଣ୍ଟାଏ ତିଆରି ଯେ, କୌଣସି ଖର୍ଚ୍ଚ କାଟ କରିବା ଅସମ୍ଭବ । ସିନେମା ଦେଖିବା ପାଇଁ ଯେଉଁ ଟଙ୍କା ଅଛି ସେଥିରୁ କିଛି କମାଇ ଦିଆଯାଇପାରେ । କିନ୍ତୁ ସିନେମା ମାସକୁ ଥରେ ଦେଖିବା ପାଇଁ ଅଟକଳ ହୋଇଛି । ସେ ବାବଦ ଖର୍ଚ୍ଚ କାଟ କଲେ ପଢ଼ାପଢ଼ିଜନିତ ମାନସିକ ଚାପର ଲାଘବ ସେ ମାସରେ ହୋଇପାରିବ ନାହିଁ ଏବଂ ତା ଫଳରେ ହୁଏତ ମାନସିକ ଦୁର୍ବଳତା ବଢ଼ିପାରେ । କୃପାନିଧି କିଛି ଠିକ୍ କରିପାରିଲେ ନାହିଁ । ଖାଇବା ପରେ ଏବଂ ଶୋଇବା ପୂର୍ବରୁ ଡାଏରି ଓ ହିସାବ ଲେଖିବା ପାଇଁ ଯେଉଁ ଘଣ୍ଟାଟିଏ ସମୟ ଅଟକଳରେ ଅଛି, ତାଠୁ ଅଧିକା ଏକ ମିନିଟ୍ ଭାବନା ପାଇଁ ବ୍ୟୟ କରିବାକୁ ଉପାୟ ନାହିଁ । କୃପାନିଧି ତିନି ଦିନ ତିନୋଟି ଘଣ୍ଟା ଏହିପରି ଭାବିଲେ । ଏ ତିନି ଦିନ ତେଲ ବାବଦ ଖର୍ଚ୍ଚ ଅଟକ ରହିଲା । ତା ପରେ ଉପାୟ ସ୍ଥିର କଲେ ଯେ ବର୍ଷକିଆ ଅଟକଳରେ ଯେଉଁ ଅଧିକା ଟଙ୍କା ବିପଦ ଆପଦକୁ ଧାର୍ଯ୍ୟ ଅଛି ସେଥିରୁ କିଛି ସେ ମାସର ତେଲ ବାବଦକୁ ନେବେ । ସେଇ ସିଦ୍ଧାନ୍ତ ଅନୁସାରେ ସେ ବର୍ଷର ହିସାବ ଖାତାରେ ଅନୁରୂପ ମନ୍ତବ୍ୟ ଲେଖି ଯଥାରୀତି ଗୋଟିଏ ବାବଦରୁ ଅନ୍ୟ ବାବଦକୁ ଦେବାନେବା ହେଲାପରେ ତେଲମାଖି ଗାଧୋଇବା ହେଲା । କିନ୍ତୁ ପର ମାସରେ ମଧ୍ୟ ସେହିପରି ନିଅଣ୍ଟ ପଡ଼ଲା । ତାଙ୍କର ତ ଏପରି ଭୁଲ ହେବା ଆଦୌ ସମ୍ଭବ ନୁହେଁ ! ନିଶ୍ଚୟ ତେବେ କେଉଁଠି ଚୋରି ହେଉଚି । ଅନୁସନ୍ଧାନ କରି ଜାଣିଲେ ଯେ ସୁହୃଦୋତ୍ତମ ବିଦ୍ୟାଧର ଲୁଚାଇ ତେଲ ନେଉଚି-। ପରବର୍ତ୍ତୀ ମାସରେ ବିଦ୍ୟାଧର ପାଇଁ ଗୋଟିଏ ତେଲ ଶିଶି ବାବଦ ଅଟକଳରେ ଖର୍ଚ୍ଚା ପକାଇ କୃପାନିଧି ବିଦ୍ୟାଧରକୁ ଗୋଟିଏ ତେଲ ଶିଶି ଦେଲେ । କିନ୍ତୁ ବିଦ୍ୟାଧର ଏହାକୁ ଅପମାନ ବୋଲି ବିବେଚନା କରି କୃପାନିଧି ବିରୁଦ୍ଧରେ ଅପପ୍ରଚାର କରିବା ଫଳରେ କୃପାନିଧି କୃପଣ ବୋଲି ସାବ୍ୟସ୍ତ ହୋଇଥିଲେ ଏବଂ ସେଥି ସକାଶେ ତାଙ୍କୁ ବନ୍ଧୁ ମହଲରେ ନାନା ଅପମାନ ସହ୍ୟ କରିବାକୁ ପଡ଼ିଥିଲା । କୃପାନିଧି ନୀରବରେ ସେ ଅପମାନ ସହ୍ୟକରି ତାଙ୍କର ନୀତିରେ ଅଟଳ ରହିଥିଲେ ।

 

କଲେଜ ପଢ଼ା ସାରି କୃପାନିଧି ଚାକିରି କଲେଣି, କିନ୍ତୁ ସେଇ ନୀତି, ସେଇ ଚଳଣିରେ ତାଙ୍କର କୌଣସି ପରିବର୍ତ୍ତନ ହୋଇନାହିଁ । ବିବାହ ସେ କରିନାହାନ୍ତି । ନ କରିବାର କାରଣ, ଚାରି ପୁରୁଷ ପୂର୍ବେ ତାଙ୍କର ବୃଦ୍ଧ ପ୍ରପିତାମହ ଧଇଁ ରୋଗରେ ଆକ୍ରାନ୍ତ ହୋଇଥିଲେ । ଯଦିଚ ପରବର୍ତ୍ତୀ ତିନିପୁରୁଷରେ ସେ ରୋଗର କୌଣସି ଲକ୍ଷଣ ଦେଖା ଯାଇନାହିଁ, ତଥାପି ବିଜ୍ଞାନାନୁସାରେ ଏ ରୋଗର ବଂଶାନୁକ୍ରମିକ ଏବଂ ଯେକୌଣସି ପୁରୁଷରେ ତାହା ପୁଣି ବାହାରିପାରେ । କୃପାନିଧିଙ୍କ ନୀତିରେ ଏପରି ରୋଗାକ୍ରାନ୍ତ ବଂଶ ନିଶ୍ଚିହ୍ନ ହୋଇଯିବା ଉଚିତ । ସେଇ ନୀତି ଅନୁସାରେ ସେ ବିବାହ କରିବେନାହିଁ ବୋଲି ସିଦ୍ଧାନ୍ତ କରିଥିଲେ । ବସ୍ତୁତଃ ତାଙ୍କୁ ଯେତେବେଳେ ପାଞ୍ଚ ବର୍ଷ ବୟସ ସେତେବେଳେ ଏ ରୋଗର ସାମାନ୍ୟ ଲକ୍ଷଣ ଟିକିଏ ଦେଖାଯାଇଥିଲା । ତା’ପରେ ସେ ରୋଗର ତିଳେ ମାତ୍ର ଲକ୍ଷଣ ଦେଖାଯାଇ ନାହିଁ ଏବଂ ସେ ସର୍ବଦା ସବଳ, ସୁସ୍ଥ । ଏ ଷାଠିଏ ବର୍ଷ ବୟସରେ ମଧ୍ୟ ତାଙ୍କର ଗୋଟିଏ ଦାନ୍ତ ବି ପଡ଼ିନାହିଁ । କେବଳ କାନ ପାଖର ଦୁଇ ଚାରିଟା ବାଳ ଧଳା ହୋଇଛି ଏଇ କେତେମାସ ହେବ । ତଥାପି ତାଙ୍କ ସିଦ୍ଧାନ୍ତ ଅନୁସାରେ ସେ ବିବାହ କଲେନାହିଁ । ବାପା, ବୋଉ, ଭଉଣୀ କେତେ ରାତି କାନ୍ଦି କାନ୍ଦି ଆଖି ଫୁଲାଇଚନ୍ତି, ବୋଉ କେତେ ମୁଣ୍ଡ ବାଡ଼େଇଚି, ତଥାପି କୃପାନିଧି ତାଙ୍କ ନୀତିରେ ଅଟଳ ।

 

ବିବାହ କରିନାହାନ୍ତି ବୋଲି ଅବିବାହିତ ଜୀବନର ନାନା ଦୋଷ ବିଷୟରେ ସେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ, ଆଲୋଚନା କରି ସେଥିପାଇଁ ସର୍ବଦା ସତର୍କ ଅଛନ୍ତି । ନାରୀ ଘଟିତ ବ୍ୟାପାରରେ ତାଙ୍କର ଅତି ବଡ଼ ଶତ୍ରୁ ମଧ୍ୟ ଦୁର୍ନାମ ଦେଇପାରିନାହିଁ । ଖାଲି କ୍ଵଚିତ୍‍ ସୁପ୍ରିୟା କଥା ମନେ ପଡ଼ିଲେ କୃପାନିଧିଙ୍କ ମନଟା ଉଦାସ, ଚଞ୍ଚଳ ହୋଇଉଠେ । ତାଙ୍କ ଡାଏରିରେ ସୁପ୍ରିୟାକୁ ଦେଇଥିବା ଶେଷ ଚିଠିର ନକଲ ତଳେ ଦିଆଗଲା ।

 

ସୁପ୍ରିୟା,

 

ପ୍ରେମ ହୁଏତ ଯୌନ ପ୍ରବୃତ୍ତିରୁ ଉତ୍ପତ୍ତି । କିନ୍ତୁ ମାନସିକ ଓ ଶାରୀରିକ ବିକାଶ ଦିଗରେ ଏହା ଯଥେଷ୍ଟ ସାହାଯ୍ୟ କରେ । ପ୍ରେମର ପରିଣତି ପରିଣୟ ହେବା ଉଚିତ । ଅବାଧ ପ୍ରେମ ସମାଜ ପକ୍ଷରେ ଅମଙ୍ଗଳଜନକ । ମୋ ପକ୍ଷରେ ବିବାହ ସମାଜ ପକ୍ଷରେ ଅମଙ୍ଗଳ ଜନକ । ତେଣୁ ମୋ ଜୀବନରେ ପ୍ରେମର ସ୍ଥାନ ନାହିଁ । ଏହା ଜାଣି ମୁଁ ସର୍ବଦା ସତର୍କ ଥିବା ସତ୍ତ୍ୱେ କେତେବେଳେ ମୋର ଅଜ୍ଞାତ ସାରରେ ମୋର ମନ ଆପଣଙ୍କ ଆଡ଼କୁ ଆକୃଷ୍ଟ ହୋଇଛି, ତାହା ଜାଣି ପାରିନାହିଁ । ଦିନେ ଅକାରଣରେ ମୋର ମନଟା ଉଦାସ ଲାଗିଲା ଏବଂ ଛାତି ଭିତରେ ଗୋଟାଏ ଅଦ୍ଭୂତ ବ୍ୟଥା ଅନୁଭବ କଲି । ଡାକ୍ତର ଯେଉଁ ଔଷଧ ଲେଖିଦେଲେ ତାହା ଖାଇ ମଧ୍ୟ ସେ ବ୍ୟଥାର ଉପଶମ ହେଲାନାହିଁ । କାରଣ ଅନୁସନ୍ଧାନ କରି ବୁଝିଲି ଯେ ଆପଣଙ୍କର ସେଦିନ ଦେଖା ନ ପାଇଥିବାରୁ ଏପରି ଅନୁଭୂତି । ସେହିଦିନ ବୁଝିଲି ଯେ ମୁଁ ଆପଣଙ୍କର ପ୍ରେମରେ ପଡ଼ିଚି-। ସେଇଦିନ ହିଁ ସିଦ୍ଧାନ୍ତ କରିଥିଲି ଯେ ଏହାକୁ ଆଉ ଆଗେଇବାକୁ ଦେବା ଉଚିତ୍ ନୁହେଁ । ମୁଁ ମୋ ଆଡ଼ୁ ମୋ କଥା କହିଲି । ଆପଣଙ୍କ ମନ କଥା ଆପଣ ପ୍ରକାଶ କରିଛନ୍ତି । କିନ୍ତୁ ମୋ ସିଦ୍ଧାନ୍ତ ହିଁ ମୁଁ କାର୍ଯ୍ୟକାରୀ କରିବି । ଅତଏବ ଏହାହିଁ ଆମ ଦୁହିଁଙ୍କର ଶେଷ ସମ୍ବନ୍ଧ । ଯେ କୌଣସି ଉପାୟରେ, ଏପରିକି ମୋ ପ୍ରତି ଘୃଣା ଭାବ ଆଣି ମଧ୍ୟ ଆପଣଙ୍କର ମୋତେ ଭୁଲିଯିବା ଉଚିତ । ଆପଣଙ୍କ ସହିତ ମିଳାମିଶା ବେଳେ ମୁଁ ମୋର ଭଲ ଦିଗଟି ହିଁ ଆପଣଙ୍କୁ ଦେଖାଇବାକୁ ଚେଷ୍ଟା କରିଚି । ତାହାଦ୍ୱରା ମୁଁ ମଧ୍ୟ ଆପଣଙ୍କୁ ମୋ ଆଡ଼କୁ ଆକୃଷ୍ଟ କରିଛି । ଏ ଶଠତା ପାଇଁ କ୍ଷମା କରିବେ । କିନ୍ତୁ ବର୍ତ୍ତମାନ ମୋ ପ୍ରତି ଘୃଣାଭାବ ଆଣିବାକୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ, ଯଦି ଆପଣ ଚାହାନ୍ତି, ମୁଁ ମୋର ଖରାପ ଗୁଣ ଗୁଡ଼ିକ କହିବି । ତାହାର ଅଭାବ ମଧ୍ୟ ନାହିଁ । ଇତି ॥

 

କୃପାନିଧି

 

ଚିଠି ଦେବା ଦିନ ସୂର୍ଯ୍ୟାସ୍ତ ସମୟରେ କୃପାନିଧି ନିଜ ଘରେ ଚୌକି ଉପରେ ବସି ଆକାଶ ଆଡ଼େ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଛନ୍ତି । ଏହି ସମୟରେ ତାଙ୍କର କାର୍ଯ୍ୟନିର୍ଘଣ୍ଟ ଅନୁସାରେ ବାଡ଼ିବାଗିଚା କାମ କରିବା କଥା । କେତେବେଳେ ଯାଏ ଏହିପରି ବସିଥିଲେ, ତାଙ୍କୁ ମାଲୁମ୍ ନଥିଲା । ହଠାତ୍ ତାଙ୍କର ମନେପଡ଼ିଗଲା ସେ କାର୍ଯ୍ୟନିର୍ଘଣ୍ଟ ଅନୁସାରେ କାମ ନକରି ବସିରହିଛନ୍ତି-। ଉଠିଯାଇ ବଗିଚାକୁ ଗଲେ । ଗୋଲାପ ଗଛଟିଏ ମଉଳି ଯାଇଚି ଦେଖି ତାର କାରଣ ଅନୁସନ୍ଧାନ କରିବାକୁ ସେହି ଗଛ ମୂଳେ ବସିପଡ଼ିଲେ । ଅଜାଣତରେ ତାଙ୍କର ଆଖିପତା ଟିକିଏ ଓଦା ହୋଇଗଲା ।

 

କଅଣ କରୁଚନ୍ତି ?

 

ଚମକି ପଡ଼ି ପଛକୁ ଚାହିଁ ଦେଖିଲେ, ସୁପ୍ରିୟା ।

 

ମୋର ଚିଠି ପାଇଚନ୍ତି ?

 

ଆଜ୍ଞା ହଁ, ସୁପ୍ରିୟା ହସି କହିଲ ।

 

ତେବେ ତ ଆଉ ଆସିବାର ପ୍ରୟୋଜନ ନଥିଲା ।

 

ମୋର ପ୍ରୟୋଜନ ଆପଣ କେମିତି ଜାଣିବେ ?

 

ସେ ପ୍ରଶ୍ନ ଏଡ଼ାଇ ଯାଇ କୃପାନିଧି କହିଲେ, ମୁଁ ମୋର ଯାହା କହିବାର କଥା ଚିଠିରେ ଲେଖିଚି । ତା ପରେ ଆଉ କିଛି କହିବାର ଥାଇ ପାରେନା ।

 

କିଏ କହୁଚି ଆପଣଙ୍କୁ ବିବାହ ହେବାକୁ ? ସ୍ଵାମୀ ସ୍ତ୍ରୀ ଛଡ଼ା ପୁରୁଷ ଓ ନାରୀର କଅଣ ଆଉ କୌଣସି ସମ୍ପର୍କ ଥାଇ ପାରେନା ? ଆମେ ଦୁହେଁ ବନ୍ଧୁ ଭଳି ରହିବାକୁ ଆପତ୍ତି କଣ ଆପଣଙ୍କର ?

 

ସେମିତିକିଆ ପ୍ରଶ୍ନ ମୁଁ ଅନେକ ଉପନ୍ୟାସରେ ପଢ଼ିଚି । ନିହାତି ଉପରଠାଉରିଆ ବା ଅଭିସନ୍ଧିମୂଳକ ପ୍ରଶ୍ନ । ଯେଉଁ ସମ୍ବନ୍ଧରେ ଯୌନ ପ୍ରବୃତ୍ତି ଉଦ୍ରେକ ହେବାର ସମ୍ଭାବନା ଅଛି ସେହି ନିଚ୍ଛକ ବନ୍ଧୁତ୍ୱ ରହିବ କିପରି ? ରହିବା ଉଚିତ ମଧ୍ୟ ନୁହେଁ । କାରଣ ତାହା ସମସ୍ତ ଜୀବନ ବିକୃତ କରିଦେବ ।

 

ବେଶ୍ ତ, ବିବାହ କରନ୍ତୁ । ସନ୍ତାନ ନ ହେଲେ ହେଲା । ଆଉ ଆପଣଙ୍କୁ ଆପତ୍ତି କଅଣ ଥାଇପାରେ ?

 

କୃପାନିଧି କଅଣ ଯେପରି ମନେ ପକାଇବାକୁ ଚେଷ୍ଟା କଲେ । ତା’ ପରେ ସୁପ୍ରିୟାଙ୍କୁ ଦେଇଥିବା ଚିଠିର ନକଲଟି ବାହାରକରି ପଡ଼ି କହିଲେ, ଓଃ ମୋର ଭୁଲ ହୋଇଯାଇଚି । ଏ ବିଷୟରେ ମୋର ମତ ଲେଖିବା ଉଚିତ ଥିଲା, ଲେଖି ନାହିଁ । ମୋର ମତରେ ନାରୀର ଚରମ ପରିଣତି ଜନନୀ ହେବାରେ । ସେଥିରୁ ମୁଁ ଆପଣଙ୍କୁ ବଞ୍ଚିତା କରି ଦୋଷୀ ହେବାକୁ ଚାହେଁ ନା । ଆପଣ ବୃଥାରେ ଚିନ୍ତା କରୁଚନ୍ତି । ଯାହା ବର୍ତ୍ତମାନ ମନେହେଉଚି ଅଶେଷ କଷ୍ଟଦାୟକ, କିଛିଦିନ ପରେ ଦେଖିବେ ଯେ ମନେହେବ ସେଇଟାହିଁ ଆପଣଙ୍କର ସୁଖ ଶାନ୍ତିର କାରଣ । ମନ କେବେ ଗୋଟାଏ ଜିନିଷକୁ ଧରି ପଡ଼ି ରୁହେନା । ତାହା ନ ହୋଇଥିଲେ ମଣିଷ ବିବର୍ତ୍ତନ ଦିଗରେ ଅଗ୍ରସର ହୋଇ ପାରନ୍ତା ନାହିଁ । ଏ ବିଷୟରେ ଆଉ କିଛି ଆଲୋଚନା ନ କରିବାହିଁ ଭଲ ।

 

କୃପାନିଧି ଉଠି ଦୁଆରଟି ଖୋଲି ଦେଇଥିଲେ ଏବଂ ସୁପ୍ରିୟା ତଳକୁ ମୁହଁ ପୋତି ବାହାରି ଯାଇଥିଲେ ସେ ଘରୁ । ଏହାର ପ୍ରତିକ୍ରିୟା ସ୍ଵରୂପ କୃପାନିଧି ସେହି ଦିନକ ପାଇଁ ତାଙ୍କର ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟର ବ୍ୟତିକ୍ରମ ଘଟାଇ ଖଟ ଉପରେ ଶୋଇ ରହିଥିଲେ ପରଦିନ ସକାଳ ଯାଏଁ । ଏହାପରେ ସେ ଦୁଇଜଣଙ୍କର ଆଉ ଦେଖାସାକ୍ଷାତ ହୋଇନାହିଁ କିମ୍ବା କୃପାନିଧିଙ୍କର ତାହା ପରେ ଆଉ ବ୍ୟତିକ୍ରମ ଘଟିନାହିଁ ।

 

କୃପାନିଧିଙ୍କ ଉପରେ ବିଶେଷ ବିରକ୍ତ ହୁଅନ୍ତି ସେହିମାନେ, ଯେଉଁମାନେ ତାଙ୍କ ଦ୍ଵାରା ଉପକୃତ ହୋଇଛନ୍ତି । ଦୟା, ଦାନଶୀଳତା ଆଦି ଯେଉଁ ଗୁଣଗୁଡ଼ିକ ପାଇଁ ମଣିଷ ଦେବତା ହୋଇପାରେ ବୋଲି କୁହାଯାଏ; ସେ ବିଷୟରେ ତାଙ୍କର ମତ ସମ୍ପୂର୍ଣ୍ଣ ଓଲଟା । ସେ କୁହନ୍ତି ଏହାପରି ସ୍ୱାର୍ଥାନ୍ଧତା କା ଅସାମାଜିକତା ବା ଦାୟିତ୍ଵହୀନତା ଆଉ କିଛି ନାହିଁ । କିଛି ଅର୍ଥ ସାହାର୍ଯ୍ୟ ଦେଇ ଦୟାବାନ ବୋଲି ପ୍ରଶଂସା ପାଇ ମଣିଷ ଆତ୍ମପ୍ରସାଦ ଲାଭ କରେ, ସୁନାମ ଅର୍ଜନ କରିବାରେ ଲାଗେ ଏବଂ ସମାଜରେ ନିଜର ପ୍ରତିପତ୍ତି ବଢ଼ାଏ । ତା ନହେଲେ ଲୋକ ଟିକସ ଦେବାରେ ନାନା ଧପ୍‌ପାବାଜି କରି ଦାନଖଇରାତରେ ଲକ୍ଷ ଲକ୍ଷ ଟଙ୍କା ଦିଅନ୍ତା ନାହିଁ । ଏପ୍ରକାର ପ୍ରତିପତ୍ତିରେ ସେ ଏପରି ବିଭୋର ରୁହେ ଯେ, କେବେହେଁ ଭାବି ଦେଖେ ନାହିଁ ଯେଉଁ ସାହାଯ୍ୟକୁ ସେ ନିଜର ମହତ୍ତ୍ଵଜନିତ ଦାନ ବୋଲି କହୁଚି ତାହା ହୁଏତ ଅନ୍ୟର ଦାବୀକୁ ସେ ଅସ୍ଵୀକାର କରି ତାହାକୁ ଭଣ୍ଡାଇବା ପାଇଁ ଦାନ, ଦୟା ଆଦି ଆବିଷ୍କାର କରିଚି । ଅତଏବ ପୁଞ୍ଜିବାଦରୁ ସୃଷ୍ଟି ଦୟା, ଦାକ୍ଷିଣ୍ୟ ଆଦିର ନାମକରଣ । ଆର୍ଥିକ ସାହାଯ୍ୟ ଦେଇ ମଣିଷ କେବେହେଁ ଦେଖେନାହିଁ, ତାହାଦ୍ୱାରା ସେ ଅନ୍ୟର ବା ସମାଜର କ୍ଷତି କଲା କି ନା । ଦେଖେ ନାହିଁ ତାର ସାହାଯ୍ୟ କିପରି ବ୍ୟୟିତ ହେଲା । ସେ ଦାନ ଦେଇ ପରମ ସନ୍ତୋଷ ଲାଭକରି ରହିଲା, ଅନ୍ୟର ତାହା ଦ୍ଵାରା କଅଣ ହେଲା ସେଥିରେ ତା’ର କିଛି ଯାଏ ଆସେ ନା । ତାଙ୍କ ମତରେ ଅର୍ଥନୀତି ଏପରି ହେବା ଦରକାର ଯେ ଅନ୍ୟକୁ ଦୟା, ଦାନ କରିବାର ସୁଯୋଗ ରହିବ ନାହିଁ ।

 

ଗୋଟିଏ ଦରିଦ୍ର ମେଧାବୀ ଛାତ୍ରକୁ ସେ ମାସିକ ପାଞ୍ଚ ଟଙ୍କା ସାହାଯ୍ୟ ଦେବାକୁ ସ୍ଵୀକୃତି ଦେଇଥିଲେ । କିନ୍ତୁ ସାହାଯ୍ୟ ଦେବା ପୂର୍ବରୁ ସେ ପ୍ରଧାନ ଶିକ୍ଷକଙ୍କର ମତାମତ, ସ୍କୁଲରେ ତାହାର ଆଚରଣ ଆଦି ସବୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ତାହାପରେ ତାକୁ ସାହାଯ୍ୟ କଲେ । କିନ୍ତୁ ଏହି ସର୍ତ୍ତରେ ସେ ସାହାଯ୍ୟ ଦେଲେ ଯେ ପ୍ରତ୍ୟେକ ମାସରେ ଉକ୍ତ ଛାତ୍ର ତାହାର ସମସ୍ତ ଖର୍ଚ୍ଚର ହିସାବ ଦେଇଯିବ । କେବଳ ନୁହେଁ, ପ୍ରତ୍ୟେକ ମାସରେ ସେ ପ୍ରଧାନ ଶିକ୍ଷକଙ୍କଠାରୁ ଉକ୍ତ ଛାତ୍ର ବିଷୟରେ ସମସ୍ତ ସମ୍ବାଦ ସଂଗ୍ରହ କରୁଥିଲେ । ଉକ୍ତ ଛାତ୍ର କଲେଜ ରେ ପଢ଼ିବାବେଳେ ସେ ତାକୁ ମାସିକ ଦଶଟଙ୍କା ସାହାଯ୍ୟ ଦେଉଥିଲେ । କିନ୍ତୁ ଛାତ୍ରଟି କୃପାନିଧିଙ୍କ ମାସିକ ଅନୁସନ୍ଧାନରେ ବ୍ୟତିବ୍ୟସ୍ତ ହୋଇ ଶେଷକୁ ସେ ସାହାଯ୍ୟ ନେବା ବନ୍ଦ କରିଥିଲା । କୃପନିଧିଙ୍କ ଭାଳେଣୀ ପଡ଼ିଲା ଯେ, ସେ ଛାତ୍ର ସଂକ୍ରାନ୍ତ ତାଙ୍କର ନଥିଟି ବିଡ଼ା ବନ୍ଧା ହୋଇପାରିବ ନାହିଁ, ଯେ ପର୍ଯ୍ୟନ୍ତ ସେ ଛାତ୍ରଟି ଠାରୁ ସମ୍ପୂର୍ଣ୍ଣ ହିସାବ ନ ପାଇଛନ୍ତି । ଦିନେ ହଠାତ୍ ଦେଖା ହୋଇଯିବାରୁ କୃପାନିଧି ପଚାରିଲେ, କିହୋ ଯତୀନ, କିପରି ଅଛ ? ତୁମ୍ଭର ହାକିମ ଚାକିରି ହେବାର ଶୁଣି ସୁଖୀ ହେଲି । କିପରି ଲାଗୁଚି ବର୍ତ୍ତମାନ ?

 

ଯତୀନ ଚିହ୍ନି ନ ଚିହ୍ନିଲା ପରି କହିଲା, ଭଲ । ହୁଁ, ତମର ଖବର କଣ ? ଭଲ ତ ? ବେଶ୍ ବେଶ୍ ।

 

ତମର ଶେଷ ତିନିମାସର ହିସାବ ମୋତେ ଏ ପର୍ଯ୍ୟନ୍ତ ଦେଇନା, ମନେ ଅଛି ? ସେଟା ଦେଇଦେବ । ନ ଦେଲେ ମୋର ସେ ସଂକ୍ରାନ୍ତ ନଥି ପତ୍ର ଅସଂମ୍ପୂର୍ଣ୍ଣ ରହିଯିବ । କୃପାନିଧି ଯଥାନୀତି କହିଲେ ।

 

କି ହିସାବ ହୋ ? ଭାରି ତ ଗୋଟେ ଦେଇ ପକାଉଥିଲେ ଯେ ତାହାର ହିସାବ ପୁଣି ଦବାକୁ ହେବ । ମୋ ନାଁ’ ରେ ମକଦ୍ଦମା କରିବ ଯାଅ ।

 

ମକଦ୍ଦମା କରିବ କାହିଁକି ? ଓ, ଟଙ୍କା ପାଇଁ ? ସେତକ ମୁଁ ଟିକସ ହିସାବରେ ଦେଉଚି-। ତାର ହିସାବ ନ ଦେଲେ ମୋ ନଥୀରେ ଆପଣଙ୍କ ବିଷୟରେ ମୋର ମନ୍ତବ୍ୟ ଲେଖି ଫାଇଲ କାମ ବଢ଼େଇ ବିଡ଼ାବାନ୍ଧି ଥୋଇଦେବି ।

 

ହଁ ହଁ ମନ୍ତବ୍ୟ ଲେଖି ରଖ । ସକାଳୁ ମୁହଁ ଦେଖିଲାଣି ମଣିଷ, ଏ ଦିନ‌ କେମିତି ଯିବି କିଏ ଜାଣେ । ମୁଁ ସମସ୍ତ ଟଙ୍କା ତମର ଫେରାଇ ଦେବି ।

 

—ମୁଁ ଫେରାଇ ନେବି କାହିଁକି ?

—ମୁଁ ଏପରି ଲୋକ ପାଖରେ କୃତଜ୍ଞ ରହିବାକୁ ଚାହେଁ ନା ।

—କିଏ କହୁଛି କୃତଜ୍ଞ ହେବାକୁ ? ମୁଁ କୃତଜ୍ଞତାକୁ ଘୃଣା କରେ । କେବଳ ମୋର ଦେୟ ଟିକସ ସଦ୍‌ବ୍ୟବହାରରେ ଲାଗିଛି କି ନା ତାହା ମୁଁ ଜାଣିବାକୁ ଚାହେଁ । ତୁମର ଯେଉଁ ବିଦ୍ରୋହ ଭାବ ତାହା ମୋ ବିରୁଦ୍ଧରେ ନୁହଁ । ତୁମେ ମୋର ଦବାକୁ ସାହାଯ୍ୟ ଓ ଦାନ ବୋଲି ଭାବୁଚ ବୋଲି ମନରେ ବିଦ୍ରୋହ ଭାବ ଆସୁଛି । ମୋ ପ୍ରତି ବିଦ୍ରୋହ ଭାବ କ୍ରମେ ସମସ୍ତ ସମାଜକୁ ସଂଚରି ଯିବ । ଏକୁ ସାହାଯ୍ୟ ବାବଦ ବୋଲି ଭାବ ନା । ମୁଁ ତ ନିଜେ ସେପରି ଭାବେ ନା । ହଉ ମନ ଭଲରଖି କାର୍ଯ୍ୟ କରିବ । ନମସ୍କାର ।

ଦିନେ ରବିବାର ସକାଳୁ ଯାଇ ଦେଖେ ଦଳେ କୁଷ୍ଠ, ଅନ୍ଧ, ବିକଳାଙ୍ଗ ଭିକାରୀ କୃପାନିଧି ଙ୍କ ଦୁଆର ମୁହଁରେ ଛିଡ଼ାହୋଇ ପାଟି କରୁଛନ୍ତି, ବାବୁ ଗଣ୍ଡେ ଭିକ ମିଳୁ । କୃପାନିଧି ଚିନ୍ତିତ ଭାବରେ ଚୌକି ଉପରେ ବସିଛନ୍ତି ।

କଥା କଅଣ ? ଏପରି ଚିନ୍ତାମଗ୍ନ ଭାବରେ....

—ଭାବୁଥିଲି ଏମାନଙ୍କୁ ଭିକ ଦେବି କି ନା । ସରକାରଙ୍କୁ ଆମେ ଯେଉଁ ଟିକସ ଦେଉଥାଇଁ ସେ ଟିକସରେ ଏମାନଙ୍କର ଦାବୀ ଅଛି । ଆମେ ଯଦି ଏମାନଙ୍କୁ ଭିକ୍ଷା ଦେଉ ତେବେ ସରକାରର ଅନ୍ୟାୟ ବିରୁଦ୍ଧରେ ଏମାନେ କେବେହେଁ ବିଦ୍ରୋହ କରିବେନାହିଁ । ଅର୍ଥାତ୍ ଆମେ ବିପ୍ଳବର ମୁଖରୋଧ କରିଦେବୁ । ଯଦି ନ ଦେଉ, ତେବେ ଏମାନେ ମରିଯିବେ । ଉପାୟ ?

—ସତେ ଏକା, ସରକାର ଏମାନଙ୍କ ପକ୍ଷରେ ନିହାତି ଦାୟିତ୍ଵହୀନ ଭଳି କାମ କରୁଛନ୍ତି-

—ଖାଲି ଏମାନଙ୍କ ପକ୍ଷରେ ନୁହଁ, ଆମ ପକ୍ଷରେ ମଧ୍ୟ । ଏଇମାନେ ତ ରୋଗୀ ର ସଂଖ୍ୟା ବଢ଼ାଇବାରେ ସାହାଯ୍ୟ କରୁଛନ୍ତି । ନାଃ, ସରକାରଙ୍କୁ ସଚେତନ କରିବା ପର୍ଯ୍ୟନ୍ତ ଏମାନଙ୍କୁ ଭିକ୍ଷା ଦେବା ଉଚିତ୍ ।

—ଏମାନଙ୍କୁ ଦେଖି ମନରେ ଭାରି ଦୟା ହୁଏ ମୋର; ମୁଁ କହିଲି ।

—ତା ହେଲେ ତ ଆପଣ ଦେବତା । ମୋର ଦୟା ହୁଏନାହିଁ । ମୁଁ ଭାବେ ଏମାନେ ଏମାନଙ୍କ ଦାବୀ ହାସଲ କରିବା କଥା ଜାଣି ନାହାନ୍ତି । ଅର୍ଥନୀତି ଏପରି ହେବା ଉଚିତ ଯେ କେହି ଯେପରି ଅନ୍ୟକୁ ଦୟା କରୁଚି ବୋଲି ଗର୍ବ ଅନୁଭବ ନକରେ । ଦୟା ବୋଲି ଯେଉଁ ଭାବ ତାହା ଦାତା ଓ ଗ୍ରହୀତା ଦୁହିଁଙ୍କୁ ହୀନ କରାଏ ଏବଂ ସରକାରକୁ ଦାୟିତ୍ଵହୀନ କରାଏ । ସରକାରଙ୍କୁ ଏ ଦିଗରେ ସଚେତନ ନ କରିବା ପର୍ଯ୍ୟନ୍ତ ଏମାନଙ୍କ ପାଇଁ ଅଧିକା ଟିକସ ଦିଆଯାଉ ।

କୃପାନିଧି ଉଠି ପ୍ରତ୍ୟେକଙ୍କୁ ଚାଉଳ ଦେଲେ । କିନ୍ତୁ ସେହି ଦିନୁ ସେ ଏ ବିଷୟରେ ନାନା ତଥ୍ୟ ସଂଗ୍ରହ କରି ଲେଖିବାକୁ ଲାଗିଲେ ପ୍ରବନ୍ଧ । ଯାହା ଫଳରେ ବହୁଦିନ ପରେ ସରକାରଙ୍କ ଆସନ ଟିକିଏ ଟଳିଥିଲା ।

ଜୀବନରେ ଯାହା କିଛି ସରସ, ସୁନ୍ଦର, ଆବେଗମୟ ସେ ସବୁ ଏଡ଼ାଇ ଚାଲିଛନ୍ତି । ଟିକିଏ ପରିହାସ କରିବାର ମଧ୍ୟ ମୁଁ କେବେ ତାଙ୍କୁ ଦେଖିନାହିଁ । ଏତେ ହିସାବ ନିକାଶ, ଏତେ ନିୟମପୂର୍ଣ୍ଣ ଜୀବନ କେଉଥିପାଇଁ ମୁଁ ଭାବିପାରେନା । ସଦାବେଳେ ସେଇ ଗମ୍ଭୀର ଚିନ୍ତାକୁଳ ମୁହଁ ଆଉ ହିସାବପତ୍ର । ପ୍ରତିଦିନ ଯେ ଡାଏରୀ ଲେଖନ୍ତି, କଅଣ ଲେଖନ୍ତି ସେଥିରେ ! କଅଣ ଏତେ ଘଟଣା ଅଛି ଲେଖିବାର ? ସଂସାର ତ କରିନାହାନ୍ତି, ଏତେ ହିସାବ ଲେଖିବା କେଉଁଥି ପାଇଁ ? ଥରେ ସେ କଥାଟା ସାହସ କରି ପଚାରିଥିଲି । ଉତ୍ତରରେ ସେ ହସି କହିଥିଲେ, ବିବାହ ସଂସାର କରିନାହିଁ ବୋଲି ତ ଏତେ ହିସାବ । ସମାଜ ଭିତରେ ରୋଜଗାର କରି ବଞ୍ଚିରହିବାର ଯେଉଁ ସୁଯୋଗ ମୋତେ ଦିଆହୋଇଚି ତାହାର କିପରି ସଦ୍‌ବ୍ୟବହାର କଲି ଏହା ଜାଣିବାର ଅଧିକାର ସମାଜରେ ପ୍ରତ୍ୟେକର ଅଛି । ଯଦି ବିବାହ କରିଥାଆନ୍ତି, ତେବେ ସମାଜକୁ ସୁଶିକ୍ଷିତ ସ୍ଵାସ୍ଥ୍ୟବାନ କାର୍ଯ୍ୟକ୍ଷମ କେତୋଟି ମଣିଷ ଦେଇଥାନ୍ତି, ଏତେ ହିସାବ ଲେଖିବାର ପ୍ରୟୋଜନ ନଥାନ୍ତା । କିନ୍ତୁ ତାହା ଯେତେବେଳେ କରିବାର ମୋର ଉପାୟ ନାହିଁ ସେତେବେଳେ ଟିକିନିଖି ହିସାବ ରଖିଯିବା ମୋର କର୍ତ୍ତବ୍ୟ ।

 

ଷାଠିଏ ବର୍ଷ ହେଲା କଟକର ବାହାରକୁ ସେ ଯାଇ ନାହାନ୍ତି । କେତେବାର କହିଚି ଟିକିଏ ବୁଲି ଆସିବାକୁ । ହସି ସେ ଉତ୍ତର ଦିଅନ୍ତି, ବଦ୍ରିକା ଯିବି କି କାରଣେ ? ସେଦିନ ହଠାତ୍ ସେ ନିଜେ ମୋତେ କହିଲେ—ହରିହର, ଚାଲ ହେ ଟିକିଏ ପୁରୀ ଯାଇ ସମୁଦ୍ର ସ୍ନାନ କରିଆସିବା । ଦ୍ୱିଧା ନକରି ବାହାରିପଡ଼ିଲି ତାଙ୍କ ସହିତ ।

 

ପୁରୀରେ ରହିବାର ତିନିଦିନ ହୋଇଗଲା, କିନ୍ତୁ ବୁଲିବାକୁ ଆସି ମଧ୍ୟ ତାଙ୍କର ନିୟମର ବ୍ୟତିକ୍ରମ ଘଟିନାହିଁ । କାହିଁକି ପୁରୀ ଆସିଥିଲେ, ସେଇ ଜାଣନ୍ତି । ଦିନେ ସକାଳେ ସମୁଦ୍ର କୂଳରେ ବୁଲୁ ବୁଲୁ ଜଣେ ରୁଗ୍‌ଣା ଭଦ୍ରମହିଳା ହଠାତ୍ ତାଙ୍କୁ ନମସ୍କାର କରି ସାମନାରେ ଛିଡ଼ାହେଲେ ।

 

କୃପନିଧି ଚିହ୍ନି ନପାରି ନିର୍ବାକ ଭାବରେ ଅନାଇ ରହିଲେ ।

 

ମୁଁ ସୁପ୍ରିୟା, ଭଦ୍ରମହିଳା ହସି କହିଲେ ।

 

ସୁ-ପ୍ରି-ୟା । କଅଣ ହୋଇଛି ଆପଣଙ୍କର ?

 

ଯକ୍ଷ୍ମା ।

 

କୃପାନିଧି କିଛିକ୍ଷଣ ଶୁନ୍ୟ ଦୃଷ୍ଟିରେ ଚାହିଁ ରହି କହିଲେ, ଯକ୍ଷ୍ମା ତ ଆଜିକାଲି ଆଉ ଭୟଙ୍କର ରୋଗ ନୁହେଁ । ଚିକିତ୍ସା ହେଉଚି ତ ?

 

ହଁ, ସେମିତି ହଉଚି । ତାଙ୍କର କ୍ଷମତା ଏତେ ନାହିଁ ଯେ ଏହାର ଉପଯୁକ୍ତ ଚିକିତ୍ସା ପାଇଁ ପଇସା ଖରଚ କରି ପାରିବେ । ପିଲାଝିଲା ତ ଢେର ଅଛନ୍ତି ।

 

ତା’ ତ ସତ । କେତେଦିନ ଏଠାରେ ଅଛନ୍ତି ?

 

ଦଶଦିନ ହେବ ଆସିଚି । ବୋଧହୁଏ ଆଉ ମାସେ ରହିବି ।

 

ହଉ ତେବେ ମୁଁ ଆସେ ।

 

ଆଚ୍ଛା, ଆସନ୍ତୁ ।

 

କୃପାନିଧି ଏହାପରଠୁ ଆଉ କଥାଟିଏ ସୁଦ୍ଧା କହିନାହାନ୍ତି । ସେହିଦିନ ଆମେ କଟକ ଫେରିଆସିଲୁ ଯଦିଚ ଆଉ ତିନିଦିନ ରହିବାର ତାଙ୍କର ଇଚ୍ଛା ଥିଲା ।

 

ଏହାର ସାତ ଦିନ ପରେ ହଠାତ୍ ଖବର ପାଇଲି କୃପାନିଧି ବାହାରିଚନ୍ତି ମଦନାପଲ୍ଲୀ ଯକ୍ଷ୍ମା ହାସପାତାଲକୁ । ସାଙ୍ଗେ ସାଙ୍ଗେ ଗଲି ତାଙ୍କ ଘରକୁ । ଇୟେ କଅଣ ! ଇୟେ ସେ କୃପାନିଧିଙ୍କର ପ୍ରେତାତ୍ମା !!

 

କଅଣ ହୋଇଚି ଆପଣଙ୍କର ? ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

 

ଯକ୍ଷ୍ମା । କୃପାନିଧି ହସି କହିଲେ ।

 

ଯକ୍ଷ୍ମା !! ହଠାତ୍ ?

 

ସବୁ ହଠାତ୍ ହରିହର, ସବୁ ହଠାତ୍ । ଜନ୍ମ ହଠାତ୍, ମୃତ୍ୟୁ ହଠାତ୍, ସବୁ ହଠାତ୍, ଗୋଟିଏ କ୍ଷୀଣ ନିଶ୍ୱାସ ପକାଇ କୃପାନିଧି କହିଲେ । ସେ ଯାହାହେଉ, ମୁଁ ଯାଉଛି ମଦନାପଲ୍ଲୀ । ଆରୋଗ୍ୟ ହେବା ପାଇଁ ନୁହଁ, ଲୋକବସତି ମଧ୍ୟରେ ଆଉ ରହିବା ମୋର ଆଉ ଉଚିତ ନୁହଁ ବୋଲି । ତମେ ଆସିଚ ଭଲ ହୋଇଚି । ମୁଁ ତମକୁ ଖବର ଦେଇଥାଆନ୍ତି । ଏଇ ମୋର ସାରା ଜୀବନ ର ହିସାବ ରହିଲା, ଏଇ ସବୁ ରହିଲା ଡାଏରି ଓ ଅନ୍ୟାନ୍ୟ କାଗଜପତ୍ର । ଏଇ ବାକ୍ସରେ ରହିଲା ମୋର ଶେଷ ଉଇଲ୍ । ଉଇଲ୍ ଅନୁସାରେ ସୁପ୍ରିୟାକୁ ଦେବ ପାଞ୍ଚହଜାର ତା’ର ଚିକିତ୍ସା ପାଇଁ, ଗାଁରେ କେତୋଟି ନଳକୂପ ପାଇଁ ରହିଲା ତିନିହଜାର, ଗୋଟିଏ ଜଳସେଚନ ଯୋଜନା ପାଇଁ ରହିଲା ଦଶ ହଜାର । ଗାଁ ଇସ୍କୁଲ ପାଇଁ ରହିଲା ତିନିହଜାର । ଏ ରହିଲା ମୋଟାମୋଟି ଖର୍ଚ୍ଚ ର ହିସାବ । ଆଉ ଅନେକ ଦେୟ ମୋର ଅଛି ତା’ର ହିସାବ ମଧ୍ୟ ରଖିଗଲି ।

 

ଆପଣଙ୍କର ଖାଲି ସବୁ ଦେୟ, ପ୍ରାପ୍ୟ କିଛି ନାହିଁ ?

 

ମୋର ପ୍ରାପ୍ୟ ମୁଁ ପାଇଚି ।

 

ଏହାପରେ ଯେତେ ପ୍ରଶ୍ନ ମୁଁ କରିଛି ତା’ର ଉତ୍ତରରେ ହୁଁ ବା ନା ବ୍ୟତୀତ ଆଉ କିଛି ପାଇନାହିଁ ।

 

ସେଦିନ ରାତିଟାଯାକ ତାଙ୍କ ବାରଣ ସତ୍ତ୍ଵେ ମୁଁ ତାଙ୍କ ପାଖରେ ଥିଲି । ରାତି ପ୍ରାୟ ଗୋଟାକବେଳେ ହଠାତ୍ ନିଦ ଭାଙ୍ଗିଯିବାରୁ ଦେଖିଲି କୃପାନିଧି ସ୍ଥିର ଦୃଷ୍ଟିରେ ଉପରକୁ ଚାହିଁ ରହିଛନ୍ତି । ମୁହଁରେ ତାଙ୍କର ଅପୂର୍ବ ହସ ।

 

କଅଣ ଦେଖୁଚନ୍ତି ?

 

କି ଅପୂର୍ବ ବର୍ଣ୍ଣାଭା ! କୋଟି କୋଟି ସୂର୍ଯ୍ୟ, ଗ୍ରହ, ତାରା ଚକା ଭଉଁରୀ ବୁଲୁଚନ୍ତି । ଏଁ, ମୁଁ କେଉଁଠାକୁ ଯାଉଚି ? କେଉଁଠିକି ? କିଏ ସେ ସୁନ୍ଦର ! ଆହା ସାତ ରଙ୍ଗର କି ଢେଉ ଖେଳୁଚି ଏଠି; ସେ ଢେଉ ଉପରେ କିଏ ସେ ସୁନ୍ଦର ବସିଚନ୍ତି ? ନୀଳଃ ପତଙ୍ଗୋ ହରିତୋ ଲୋହିତଃ କ୍ଷସ୍ତଡ଼ିତ୍ ଗର୍ଭଋତବଃ ସମୁଦ୍ରାଃ, ଅନାଦିମତ୍ତ୍ଵମ୍ ବିଭୁତ୍ଵେନ ବର୍ତ୍ତସେ ୟତୋଜାତାନି ଭୁବନାନି ବିଶ୍ୱା । କହୁ କହୁ ସେ ବେହୋସ୍ ହୋଇ ପଡ଼ିଗଲେ ।

 

ତା ପରଦିନ ରାତି ନ ପାହୁଣୁ କୃପାନିଧି ଚାଲିଲେ ଷ୍ଟେସନ । ସାଙ୍ଗରେ ତାଙ୍କର ସାନ ଗୋଟିଏ ସୁଟ୍‌କେସ୍ । ତାଙ୍କର କାଗଜ ପତ୍ର ଭରା ନାନା ବଡ଼ ବଡ଼ ଟ୍ରଙ୍କ ପଡ଼ିରହିଲା ତାଙ୍କର ବସାରେ, ମୋ ଜିମ୍ମାରେ । ଜଣେ ଲୋକ ଗାଧୋଇ ଯାଉ ଯାଉ କୃପାନିଧିଙ୍କୁ ଦେଖିପାରି ମୁହଁ ବୁଲାଇ ନେଇ ଚାଲିଗଲା । କୃପାନିଧି ମୋ ଆଡ଼କୁ ଚାହିଁ ଟିକିଏ ହସି କହିଲେ, ସର୍ବେ ସୁଖିନଃ ଭବନ୍ତୁ, ସର୍ବେ ସନ୍ତୁ ନିରାମୟଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍‍ ଦୁଃଖଭାଗ୍ ଭବେତ୍ ।

 

ଏକଥା ଗୁଡ଼ିକ ସେ ଏପରି ଧୀର, ଶାନ୍ତ ଭାବରେ କହିଲେ ସେ ମନେହେଲା ଏ ଯେପରି ତାଙ୍କର ଅନ୍ତରର କଥା, ଜୀବନର ସାଧନା ।

 

ଏହାପରେ ମୋର ଅନେକ ଚିଠି ଦେବା ସତ୍ତ୍ଵେ ତାଙ୍କଠାରୁ ଆଉ କୌଣସି ଜବାବ ପାଇନାହିଁ । ସୁପ୍ରିୟା ଦେବୀଙ୍କୁ ଟଙ୍କା ଦେବା ପୂର୍ବରୁ ହିଁ ଖବର ପାଇଥିଲି ସେ ଅଶାତୀତ ଭାବରେ ଭଲ ଆଡ଼କୁ ଗତି କରୁଛନ୍ତି ।

 

ଦିନେ ସକାଳେ କୃପାନିଧୀଙ୍କ କାଗଜପତ୍ର ଅଣ୍ଡାଳି ଦେଖୁଥିଲା । ହିସାବ ତ ନୁହଁ, ତାଙ୍କର ଓ ଦେଶରେ ଷାଠିଏ ବର୍ଷର ମାଦଳା ପାଞ୍ଜି ।

Image

 

ଶାନ୍ତି ଦେବୀଙ୍କ ଶାନ୍ତି ଓ ଅଶାନ୍ତି

 

ପ୍ରକୃତରେ ସେ ଶାନ୍ତି, ଏବଂ ଦେବୀ ମଧ୍ୟ । ଯେପରି ସୁନ୍ଦରୀ ଏବଂ ସ୍ୱାସ୍ଥ୍ୟବତୀ, ମନଟି ତାଙ୍କର ସେହିପରି ସରଳ । ଯେଡ଼େ ଗୁରୁତର କାରଣ ଥାଉନା କାହିଁକି କେହି ତାଙ୍କୁ କେବେହେଁ ବିଚଳିତ ହେବାର ବା ରାଗିବାର ଦେଖିନାହାନ୍ତି । ଛୋଟ ଗାଁଟିରେ ସମସ୍ତେ ତାଙ୍କୁ ସ୍ନେହ ଓ ଶ୍ରଦ୍ଧା କରନ୍ତି ।

 

ସ୍ୱାମୀ ଦୁର୍ଯ୍ୟୋଧନ ବାବୁ ମଧ୍ୟ ନା’ଟି ସାର୍ଥକ କରି ଯାଇଅଛନ୍ତି । ସେ ଥିଲେ ଭୀଷଣ ମାନୀ ଓ ରାଗୀ । ସାମାନ୍ୟ କାରଣରେ ବି ସେ ଉତ୍‍କ୍ଷିପ୍ତ ହୋଇ ଉଠୁଥିଲେ ଏବଂ ଥରେ ଉତ୍‍କ୍ଷିପ୍ତ ହେଲେ ତାଙ୍କର କାଣ୍ଡଜ୍ଞାନ ରହୁନଥିଲା । ତାଙ୍କର ପ୍ରେମ ମଧ୍ୟ ଥିଲା ରାହୁର ପ୍ରେମ ପରି ସର୍ବଗ୍ରାସୀ-

 

ପୁତ୍ର କାଳୀଚରଣ ସେ ବର୍ଷ ବି.ଏ. ପରୀକ୍ଷା ଦେଇ ଗାଁକୁ ଆସି କହିଲା, ବୋଉ, ଜାଗର ଆଉ ଚାରିଦିନ ଅଛି, ଚାଲ ମହାବିନାୟକ, ଚଣ୍ଡୀଖୋଲ—ସବୁ ବୁଲି ଆସିବା । ପୂଜା, ଭାଗବତ ପାଠ, ତୀର୍ଥ ଦର୍ଶନ, ସାଧୁ ସେବା ଆଦିରେ ଶାନ୍ତି ଦେବୀଙ୍କର ପିଲାଦିନୁ ଆଗ୍ରହ, ବିଶ୍ଵାସ ଓ ଭକ୍ତି ଅସୀମ । ଏ ବିଶ୍ୱାସ ବଢ଼ିବାରେ ନିଜେ ଦୁର୍ଯ୍ୟୋଧନ ବାବୁ ମଧ୍ୟ ସାହାଯ୍ୟ କରିଅଛନ୍ତି । ଛାତ୍ର ଜୀବନରେ ଘୋର ନାସ୍ତିକ ଓ ମୂର୍ତ୍ତିପୂଜା ବିରୋଧୀ ଥିଲେହେଁ ବିବାହ ପରେ ଯୌବନରେ ହିଁ ତାଙ୍କର ମତର ଦୃତ ପରିବର୍ତ୍ତନ ଦେଖି ତାଙ୍କର ବନ୍ଧୁମାନେ ଆଶ୍ଚର୍ଯ୍ୟ ଏବଂ ବିଦ୍ରୁପ ପ୍ରକାଶ କଲେ । ସେ ସଂକ୍ଷେପରେ କେବଳ କହୁଥିଲେ, ପ୍ରେରଣା ପାଇଚି । ଏ ‘ପ୍ରେରଣା’ର ଅର୍ଥ କିନ୍ତୁ ବନ୍ଧୁମାନେ କରିଥିଲେ ‘ସ୍ତ୍ରୈଣତା ।’ କିନ୍ତୁ ସେଥିପ୍ରତି ମହାମାନୀ ଦୁର୍ଯ୍ୟୋଧନ ସାମନ୍ତ ସିଂହ ଭୃକ୍ଷେପ କରୁନଥିଲେ । ଅଫିସରେ କାୟମନୋବାକ୍ୟରେ ସେ ଯେପରି କାର୍ଯ୍ୟରେ ଲାଗିଥିଲେ, ଘରେ ସେହିପରି କାୟମନୋବାକ୍ୟରେ ନବାଗତ ବଧୂର ମନ ନେବାରେ ଲାଗିଥିଲେ ।

 

ପୁତ୍ରର ପ୍ରସ୍ତାବ ଶୁଣି ଶାନ୍ତି ଦେବୀ ଆଗ୍ରହର ସହିତ ବାହାରି ପଡ଼ିଲେ । ଦେବ ଦର୍ଶନ, ଦାନପୁଣ୍ୟ, ପ୍ରାକୃତିକ ଦୃଶ୍ୟ ଉପଭୋଗ ଆଦିରେ ଦୁଇଦିନ ଆନନ୍ଦରେ କଟାଇ ଶାନ୍ତି ଦେବୀ ପୁତ୍ର ସହିତ ଯେତେବେଳେ ଗାଁକୁ ଫେରି ଦେଖିଲେ ଘର ଦୁଆର ମୁହଁରେ ଗୋଟିଏ ପ୍ରକାଣ୍ଡ ତାଲା ଝୁଲୁଚି ଏବଂ ସ୍ୱାମୀ ରୁଦ୍ରମୂର୍ତ୍ତିରେ ଗୋଟିଏ ଠେଙ୍ଗା ଧରି ନିକଟରେ ଦଣ୍ଡାୟମାନ । ମୁହୂର୍ତ୍ତକେ ତାଙ୍କର ସବୁ କଥା ମନେପଡ଼ିଗଲା । ଦୁଇଦିନ ଆଗରେ ସ୍ୱାମୀଙ୍କଠାରୁ ପାଇଥିବା ଚିଠିଟି ସେ ମନେ ମନେ ପୁଣି ଥରେ ପଇଟେଇ ନେଲେ ।

 

ବାୟା ବୋଉ,

 

ଶିବରାତ୍ରି ଛୁଟିରେ ଗାଁକୁ ଯାଉଚି । ଏକା ସାଙ୍ଗରେ ମହାବିନାୟକ ଯିବା । ସେଠାରେ ଦୁଇଦିନ ରହି ଚଣ୍ଡୀଖୋଲ ଯିବା । ବାୟା ବି.ଏ. ପରୀକ୍ଷା ଦେଇ ଗାଁକୁ ଯାଉଚି । ଟୋକାଟା ପରୀକ୍ଷା ପାଇଁ ଭାରି ପରିଶ୍ରମ କରିଚି । ଏଠାରେ ଟିକିଏ ଦୁଧ ବି ତାକୁ ଖାଇବାକୁ ଦେଇପାରି ନାହିଁ–କେଉଁଠୁ ପାରିବି ବା । ସେଠାରେ ରୋଜ ତାକୁ ଭଲକରି ଦୁଧ ଦେବ । କୁରୁପା ଗାଡ଼ିବାଲାକୁ କହିବ ବଳଦ ଗାଡ଼ି ନେଇ ଆମକୁ ମହାବିନାୟକ ନେଇଯିବ । ଇତି ॥

 

ତୁମର

ବାୟା ବାପ

 

ଏ ଚିଠି କଥା ଯେ ସେ ଭୁଲି ଯାଇଥିଲେ ତା ନୁହଁ । ହୁଏତ ପୁତ୍ରର ପ୍ରସ୍ତାବରେ ଅତ୍ୟନ୍ତ ଆଗ୍ରହରେ ସେ ତତ୍‍କ୍ଷଣାତ୍‌ ରାଜି ହୋଇଯାଇଥିଲେ ।

 

ସ୍ଵାମୀଙ୍କ ଆଡ଼କୁ ଅନାଇ ଟିକିଏ ହସିଦେଇ ସେ କହିଲେ, ହଉ, ଭୁଲ ହୋଇଯାଇଚି । ଦୁଆର ଖୋଲ । ଏ ବୟସରେ ଦାଣ୍ଡରେ ଆଉ କିଛି କାଣ୍ଡ କରି ବସନା ।

 

ବିବାହର ଅଳ୍ପ କେତେମାସ ପରେ ଠିକ୍ ଏହିପରି ଗୋଟିଏ ଘଟଣା ମନେ ପଡ଼ି ତାଙ୍କର ସୁନ୍ଦର ମୁହଁଟି ଟିକିଏ ଆତଙ୍କିତ ମଧ୍ୟ ହୋଇ ଉଠିଲା । ଦୁର୍ଯୋଧନ ବାବୁ ସେତେବେଳେ ପୁରୀରେ ଚାକିରି କରୁଥିଲେ । ଶାନ୍ତି ଦେବୀ ଥିଲେ ପୁରୀରେ ନିଜ ବାପ ଘରେ । କଚେରୀରୁ ଦୁର୍ଯ୍ୟୋଧନ ବାବୁ ଖବର ପଠାଇଲେ, ସେ ଉପରଓଳି ଶାନ୍ତି ଦେବୀଙ୍କୁ ନେଇ ଚନ୍ଦନ ଯାତ୍ରା ଦେଖିଯିବେ, ସେ ଯେପରି ପ୍ରସ୍ତୁତ ହୋଇଥା’ନ୍ତି । ଦୁର୍ଭାଗ୍ୟବଶତଃ ଶାନ୍ତି ଦେବୀଙ୍କ ପିତା ତାଙ୍କୁ ଜୋଇଁ ଆସିବା ପୂର୍ବରୁ ନେଇଗଲେ । ଜୋଇଁ ଫେରିଆସି ଦେଖନ୍ତି ଶାନ୍ତି ଦେବୀ ଯାତ ଦେଖିବାକୁ ଚାଲିଯାଇଛନ୍ତି । ସାଙ୍ଗେ ସାଙ୍ଗେ ସେ ବାହାରିଲେ ଏତେ ଲୋକଗହଳି ଭିତରୁ ତାଙ୍କୁ ଖୋଜି ବାହାର କରିବାକୁ । ପ୍ରାୟ ଦୁଇଘଣ୍ଟା ଖୋଜିବା ପରେ ସେ ତାଙ୍କୁ ପାଇଲେ ଏବଂ ନିର୍ଲ୍ଲଜ ଭାବରେ ଶ୍ଵଶୁରଙ୍କ ପାଖରୁ ପ୍ରାୟ ଛଡ଼ାଇ ଆଣି ଲୋକଗହଳି ଭିତରେ ମିଳାଇଗଲେ । ଶ୍ୱଶୁର ଓ ଶାଶୁ ଏହି ଘଟଣା ଘଟିବା ଦିନରୁ ଶାନ୍ତି ଦେବୀଙ୍କ ଶାନ୍ତି ବିଷୟରେ ସନ୍ଦିହାନ ହୋଇ ନୀରବରେ ଅଶ୍ରୁ ବିସର୍ଜନ କରିଥିଲେ ।

 

ଶାନ୍ତି ଦେବୀଙ୍କ କଥାରେ ଦୁର୍ଯ୍ୟୋଧନବାବୁ ଗର୍ଜ୍ଜନ କରି କହିଲେ, କାହିଁକି ? ମୋ ସାଙ୍ଗରେ ଯିବାକୁ ଆଉ ସୁଖ ଲାଗୁନି ନା ? ତା’ପରେ ହଠାତ୍‌ କାନ୍ଦିଉଠି କହିଲେ, ମୁଁ ଲେଖିବା ସତ୍ତ୍ଵେ ତୁମେ ମୋ କଥା ଟିକିଏ ବି ଭାବିଲ ନାହିଁ ।

 

ଶାନ୍ତି ଦେବୀ ମନସ୍ତତ୍ତ୍ୱ ପଢ଼ି ନଥିଲେ ମଧ୍ୟ ସ୍ତ୍ରୀ ସୁଲଭ ସହଜ ବୃଦ୍ଧିରେ ଜାଣିଥିଲେ, ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ସନ୍ତାନର ଚରିତ୍ର ଉପରେ ଯେଉଁ ରେଖାପାତ କରେ ତା ଜୀବନଯାକ ନିଭେନାହିଁ । ଏଥିପାଇଁ ସେ ସ୍ଵାମୀଙ୍କର ପ୍ରେମର ନିର୍ଯ୍ୟାତନା କେବେହେଁ ସନ୍ତାନମାନଙ୍କର ପ୍ରତ୍ୟକ୍ଷୀଭୂତ କରାଇ ନାହାନ୍ତି ।

 

ଦୁର୍ଯ୍ୟୋଧନ ବାବୁଙ୍କୁ କିନ୍ତୁ ତାଙ୍କ ଗାଁରେ ସମସ୍ତେ ଜାଣନ୍ତି । ଆଖପାଖର ଲୋକେ ଶାନ୍ତି ଦେବୀଙ୍କ ଅବସ୍ଥା କ’ଣ ହେବ ଭାବି ଭୟରେ ରୁଣ୍ଡ ହେଲେ । ଏତେ ଲୋକଙ୍କ ସାମନାରେ ପଚାଶ ବର୍ଷ ବୟସରେ ସୁଦ୍ଧା ଦୁର୍ଯ୍ୟୋଧନବାବୁଙ୍କୁ ଏ କାଣ୍ଡ କରିବାକୁ ଲଜ୍ଜାବୋଧ ହେଲାନାହିଁ । ବସ୍ତୁତଃ ତାଙ୍କର ସେତେବେଳେ କାଣ୍ଡଜ୍ଞାନ ନଥିଲା । ରୁଣ୍ଡ ହୋଇଥିବା ଲୋକେ ଶାନ୍ତି ଦେବୀଙ୍କୁ ଆଢ଼ୁଆଳ କରି ଦୁର୍ଯ୍ୟୋଧନ ବାବୁଙ୍କୁ ବୁଝାଇବାକୁ ଲାଗିଲେ । ସମସ୍ତଙ୍କର ସତର୍କତା ସତ୍ତ୍ଵେ କିନ୍ତୁ ଶାନ୍ତି ଦେବୀଙ୍କୁ ଦାଣ୍ଡ ମଝିରେ ନିର୍ଯ୍ୟାତନା ସହ୍ୟ କରିବାକୁ ପଡ଼ିଲା ।

 

କାଳୀଚରଣ ଏତେବେଳଯାଏ ଭୟ ଏବଂ ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇ ଛିଡ଼ା ହୋଇଥିଲା । ପିଲାଦିନୁ ତା’ର ବାପାଙ୍କ ପ୍ରତି ବିଶେଷ ଶ୍ରଦ୍ଧା ନଥିଲା । ବରଞ୍ଚ ହିଂସାର ଭାବ ଥିଲା । ପିତାଙ୍କର ଏପରି ଅମାନୁଷିକ କାଣ୍ଡ ସେ ପ୍ରଥମ ଦେଖିଲା । ପିତାଙ୍କୁ ତା’ର ଯଥେଷ୍ଟ ଭୟ ଥିଲେହେଁ ସେ ସାହସ କରି କିଛି କହିବାକୁ ଯାଉଥିଲା । ଶାନ୍ତି ଦେବୀ ବାଧାଦେଇ କହିଲେ, ପୁଅ ତୁ ଏଥିରେ କିଛି କହନା ।” ଲୋକମାନେ କିନ୍ତୁ କହିଲେ, ଏଡ଼େ ବଡ଼ ପୁଅ ମା’ର ଅପମାନ ସହୁଚି କେମିତି !! ପିତା ପ୍ରତି ତାର ଆଜନ୍ମ ହିଂସା ଏଥର ବଧା ନ ମାନି ପ୍ରକାଶ ପାଇଲା । ସେ ମା’ର ବାଧା ନ ମାନି କହିଲା, ବାପା, ତୁମେ ଏଡ଼େ ନୀଚ... ? ଏ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନ ବାବୁଙ୍କର ଧୈର୍ଯ୍ୟ ଥିଲା । କିନ୍ତୁ ଆଉ ସମ୍ଭାଳି ନ ପାରି ସେ ହାତରେ ଧରିଥିବା ଠେଙ୍ଗାରେ ପୁତ୍ରକୁ ଏକ ପ୍ରହାର ଦେଲେ ଏବଂ ନିଜର କାଣ୍ଡ ନିଜେ ଦେଖି ପଥରପରି ଛିଡ଼ାହୋଇ ରହିଲେ । କାଳୀଚରଣ ମୁହଁ ବୁଲାଇ କେବଳ କହିଲା, ବର୍ବର ।

 

ଶାନ୍ତି ଦେବୀ କିନ୍ତୁ ପୂର୍ବପରି ହସି ସସ୍ନେହ ଦୃଷ୍ଟିରେ ସ୍ଵାମୀଙ୍କୁ ଅନାଇ ରହିଲେ । ଲୋକେ ବହୁ କଷ୍ଟରେ ଦୁର୍ଯ୍ୟୋଧନ ବାବୁଙ୍କୁ ଶାନ୍ତ କରି ଘର ଭିତରକୁ ପଠାଇ ଦେଲେ । ସେ ଦିନଟାଯାକ ଦୁର୍ଯ୍ୟୋଧନବାବୁ କୌଣସି ଆହାର ଛୁଇଁଲେ ନାହିଁ । ରାତିରେ ଶାନ୍ତି ଦେବୀ ଖାଇବା ନେଇ ଦୁର୍ଯ୍ୟୋଧନ ବାବୁଙ୍କ କୋଠରୀକୁ ଗଲେ ଏବଂ ଘର ଭିତରକୁ ଯାଇ ଭିତରୁ କବାଟ ଲଗାଇ ଦେଲେ । କାଳୀଚରଣର ମନ ମା ପ୍ରତି ଘୃଣାରେ ପୂରି ଉଠିଲା । ଝୁଅମାନେ କିନ୍ତୁ ଆରାମରେ ନିଶ୍ଵାସ ମାରି କହିଲେ, “ଯାହେଉ, ବାପା ଟିକିଏ ଶାନ୍ତି ପାଇବେ । ମା ଯେ କଅଣ କରେ...କାହିଁକି ବାପାଙ୍କୁ ଆମର ଚିଡ଼ାଏ... । ଭଉଣୀମାନଙ୍କର ଏକଥା ଶୁଣି କାଳୀଚରଣ କେବଳ କ୍ରୋଧରେ ତାଙ୍କ ଆଡ଼େ ଅନେଇ ରହିଲା ।

 

ଅନେକ କ୍ଷଣ ପରେ ଘର ଭିତରୁ ମିଳିତ କଣ୍ଠରେ ଅସ୍ପଷ୍ଟ ଧ୍ଵନିରେ ଗୋଟିଏ ଜଣାଣ ଶୁଣାଗଲା, କୃପାସିନ୍ଧୁ ବଦନ କରି ଅବଲୋକନ... । କାଳୀଚରଣ ମୁହଁ ଘୂରାଇ ପଡ଼ିରହିଲା । ସାବିତ୍ରୀ ଓ ମଲ୍ଲିକା ଲଜ୍ଜା ପାଇଲେ ମଧ୍ୟ ବୁଝିପାରିଲେ ଯେ ସେମାନଙ୍କର ଆଦରର ବାପାଙ୍କ ମନରେ ଆଉ କଷ୍ଟ ନାହିଁ । ସ୍ଵସ୍ତିର ନିଶ୍ୱାସ ପକାଇ ସେମାନେ ଅବିଳମ୍ବେ ଶୋଇପଡ଼ିଲେ । ସେ ରାତିଯାକ ଆଖପାଖର ଲୋକେ ଅନେକ ପ୍ରକାର ଜଣାଣ ଶୁଣିବାକୁ ପାଇଲେ ମଧ୍ୟ କହିଲେ, ଏ ଜଳଜଲା ବୁଢ଼ା ଶାନ୍ତିକୁ ଜଳେଇ ମାରୁଛି ।

 

ଶାନ୍ତି ଦେବୀଙ୍କର କିନ୍ତୁ ଟିକିଏ ଅଶାନ୍ତି ନ ଥିଲା । ତାଙ୍କର ଦେହ ଅତ୍ୟାଚାର ସହିଲେ ମଧ୍ୟ ସ୍ଵାମୀଙ୍କର ମନଟିକୁ ସେ ଜାଣିଥିଲେ । ଅନ୍ୟ ଲୋକେ ଯାହାକୁ ଅତ୍ୟାଚାର ବୋଲି କହି ଆସିଛନ୍ତି ସେ ମର୍ମେ ମର୍ମେ ଜାଣିଥିଲେ ତାହା ତାଙ୍କର ଜୟ । ତାଙ୍କର ନାନା ଦେବଦେବୀ ସମାକୀର୍ଣ୍ଣ ସାନ ଖଟୁଳିଟିକୁ ଓ ସ୍ୱାମୀଙ୍କୁ ନେଇ ସେ ସୁଖରେ ଦିନ କଟାଉଥିଲେ ।

 

ଏତାଦୃଶ ମହାପ୍ରତାପୀ ମହାମାନୀ ଏବଂ ସର୍ବଜନଘୃଣିତ ଦୁର୍ଯ୍ୟୋଧନବାବୁ ଦିନେ ହଠାତ୍ କଲେରାରେ ଅଜ୍ଞାନ ହୋଇ କଟକର ହାସପାତାଲକୁ ଆନୀତ ହେଲେ । ଜ୍ଞାନ ଫେରିବା ମାତ୍ରକେ ସେ ଚାରିଆଡ଼କୁ ବଲବଲ ଅନାଇ କାହାକୁ ଯେପରି ଖୋଜିବାକୁ ଲାଗିଲେ । ଝୁଅମାନେ କାନ୍ଦି ଉଠି କହିଲେ, ବାପା, ହେଇ ମୁଁ ତୁମ ଟୁକୁ, ମୁଁ ତୁମ ବେଙ୍ଗ ।” କାଳୀଚରଣ ପିତା କାହାର ପଥକୁ ବ୍ୟଗ୍ର ଭାବରେ ଅନାଇ ରହିଛନ୍ତି ବୁଝି ପାରିଥିଲେ ମଧ୍ୟ ନୀରବରେ ଛିଡ଼ାହୋଇ ରହିଲା । ଭଉଣୀମାନେ ସାଶ୍ରୁ ନୟନରେ କହିଲେ, ଭାଇ, ବୋଉକୁ ଗାଁରୁ ଶୀଘ୍ର ଅଣାଅ... ଏ ସମୟରେ...। କାଳୀଚରଣ ଗମ୍ଭୀର ଭାବରେ କହିଲା, ମୁଁ କ’ଣ ବୁଝି ପାରୁନି ? କିନ୍ତୁ ଉପାୟ କଅଣ ? ବୋଉର ଦେହ ତ ଭାରି ଖରାପ ତାକୁ ଆଣିବି କେମିତି ?

 

ହେଲେ ବା ଦିହ ଖରାପ....ତୁମେ ଆଣ । ଶେଷ ସମୟରେ ହେଲେ ସେ ବାପାଙ୍କୁ ଟିକେ ଶାନ୍ତି ଦେଉ ।

 

ମୁଁ ଆଣିବା ଦାୟିତ୍ଵ ନେବିନି । ଶେଷରେ କଅଣ ବୋଉକୁ ହରାଇବି ?

 

ଅନ୍ତିମ ସମୟ ଜାଣି କନ୍ୟାମାନେ ଦୁର୍ଯ୍ୟୋଧନ ବାବୁଙ୍କ ଦ୍ଵାରା ପୂଜା ପାଉଥିବା ଦୁର୍ଗାଙ୍କ ଚିତ୍ର ପିତାଙ୍କ ଆଖି ସାମନାରେ ଧରି ନାନା ସ୍ତୋତ୍ର ପାଠ କରିବାକୁ ଲାଗିଲେ । ଦୁର୍ଯ୍ୟୋଧନ ବାବୁ କିନ୍ତୁ ଅନାଇ ରହିଲେ ସାମନା ଘଡ଼ିକୁ । ଗାଁରୁ କଟକକୁ ଆସିବା ଶେଷ ଟ୍ରେନର ସମୟ ଯେତେବେଳେ ଚାଲିଗଲା ସେ ଗୋଟିଏ ସୁଦୀର୍ଘ ନିଶ୍ଵାସ ମାରି ଚିରଦିନ ପାଇଁ ଆଖି ବୁଜିଦେଲେ । ଆଖି ଦୁଇଟିରୁ ଗଡ଼ି ଆସିଥିବା ଦୁଇଧାର ପାଣି ତାଙ୍କର ନିସ୍ପନ୍ଦ ହୃଦୟ ଉପରେ ପଡ଼ି ଶୁଖିଗଲା ।

 

ଗାଁର ଲେକେ ମୃତ୍ୟୁ ଖବର ପାଇ ପ୍ରକାଶ୍ୟରେ ଦୁଃଖ ପ୍ରକାଶ କଲେ ମଧ୍ୟ ମନେ ମନେ କହିଲେ, ଯାଃ, ଶାନ୍ତି ବର୍ତ୍ତମାନ ପୁଅ ଝିଅ ନେଇ ସୁଖରେ ଘର କରିବ ।

 

X X X

 

ସ୍ଵାମୀଙ୍କର ସଂସାର ଯାଇଚି । ବର୍ତ୍ତମାନ ପୁଅର ସଂସାର । ଶାନ୍ତି ଦେବୀ ପୂର୍ବପରି ତାଙ୍କର ଖଟୁଳି ଓ ସ୍ଵାମୀଙ୍କ ସ୍ମୃତି ନେଇ ନିର୍ଲିପ୍ତ ଭାବରେ କାଳ କଟାଇବାକୁ ଲାଗିଲେ । ସେ ମନୁସଂହିତା କମ୍ ନ ପଢ଼ିଥିଲେ ମଧ୍ୟ ଜାଣିଥିଲେ, ନାରୀର ଜୀବନ ପରାଧୀନ—ବିବାହ ପୂର୍ବରୁ ପିତା ମାତାର, ବିବାହ ପରେ ସ୍ଵାମୀର ଏବଂ ସ୍ଵାମୀ ଅନ୍ତେ ପୁତ୍ରର । ପୁତ୍ର ବର୍ତ୍ତମାନ ବିଲାତ ଫେରନ୍ତା ହେଲେ ମଧ୍ୟ ବୋଉପ୍ରତି କେବେହେଁ ଅବହେଳା କରିନାହିଁ । ଉପରନ୍ତୁ ବୋଉର ତୁଷ୍ଟି ସାଧନ ପାଇଁ ସେ ସର୍ବଦା ସଜାଗ ଏବଂ ବ୍ୟଗ୍ର । ବାପା ବଞ୍ଚିଥିଲା ଯାଏଁ ସେ କିଛି କରିପାରୁ ନ ଥିଲା । ମା’ର ସମସ୍ତ ସମୟ ଓ ହୃଦୟ ବାପା ଅଧିକାର କରିଥିଲେ । ଏଇଥିପାଇଁ ସେ ବାପାଙ୍କୁ କେବେହେଁ ଶ୍ରଦ୍ଧା କରିପାରିନାହିଁ । ବର୍ତ୍ତମାନ ସେ ସମୂଳେସୁଧେ ବୋଉର ସ୍ନେହ ପାଇବା ପାଇଁ ଲାଗିପଡ଼ିଲା ।

 

କିନ୍ତୁ ତଥାପି ସେ ବୁଝିପାରୁଥିଲା ମର୍ମେ ମର୍ମେ ଯେ ବୋଉ ମନରେ ସେ ଅଧିକାର ଏବଂ ବିଶ୍ୱାସରେ ଭାବ ଜନ୍ମାଇ ପାରୁନି । ବୋଉର ଏ ଭାବ ଦେଖି ଏବଂ ଦିନକୁ ଦିନ ପୂଜା ଅନୁଷ୍ଠାନ ବଢ଼ିବାର ଦେଖି ତା’ର ମନ ଶଙ୍କିତ ହୋଇଉଠିଲା । ଦିନେ ସେ ଅଧୀର ହୋଇ କହିଲା, ବୋଉ, ବାପା ଯାଇଛନ୍ତି, କିନ୍ତୁ ମୁଁ...ମାନେ, ଆମେ ତ ଅଛୁ । ମୋ...ମାନେ, ଆମ ଆଡ଼କୁ ଟିକିଏ ଅନା । ଟିକିଏ ଦ୍ୱିଧା ଭାବରେ ସେ ପୁଣି କହିଲା, ଆଉ, ବାପା ବଞ୍ଚିଥିବାଯାଏଁ ତ ତୋତେ ଟିକିଏ ବି ଶାନ୍ତିରେ ରଖିନାହାନ୍ତି । ତଥାପି...ଏ ତୋର ମୋହ । ସେ ଦୁର୍ବୃତ୍ତ, ଅତ୍ୟାଚାରୀ, ସେ ସ୍ୱାମୀ ପୁତ୍ର, ଯେ ହେଉ ନା କାହିଁକି ଘୃଣାର ପାତ୍ର । ମନର ଏହି ସାହସହିଁ ସମାଜର ଉପକାର କରିବ । ସେ ତୋର ସ୍ୱାମୀ ଥିଲେ, ମାନୁଚି । କିନ୍ତୁ ଆଜିକାଲିକାର ମନଃସ୍ତତ୍ତ୍ୱ କହୁଚି ତାଙ୍କର ଅତ୍ୟାଚାର ଏକ ଯୌନ ବିକୃତି । ତୁ ଯଦି ସାହସ କରି ତାଙ୍କର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଛିଡ଼ା ହୋଇଥାଆନ୍ତୁ ତା ହେଲେ ତାଙ୍କର ଉପକାର ହୋଇଥାଆନ୍ତା । ବିଶ୍ଵକବି ରବୀନ୍ଦ୍ରନାଥ କହିଛନ୍ତି, ଯିଏ ଅନ୍ୟାୟ କରେ ଏବଂ ଯିଏ ଅନ୍ୟାୟ ସହେ ସେ ଦୁହେଁ ସମାନ ଘୃଣ୍ୟ ଏବଂ ପାପୀ । ତୁ ତାଙ୍କୁ ଏ ପାପରୁ ଉଦ୍ଧାର ନ କରି ବରଞ୍ଚ ପାପ ମୁହଁକୁ ଠେଲି ଦେଇଚୁ ।

 

ଶାନ୍ତିଦେବୀ ଭୟରେ କହିଲେ, ପୁଅ, ସତେ !

 

ଆନନ୍ଦରେ କାଳୀଚରଣ କହିବାକୁ ଲାଗିଲା, ଏଇ ଧର, ଭଗବାନ । ସବୁବେଳେ ଯେ ତୁ ତାଙ୍କୁ ପୂଜା କରୁଚୁ, ସେ ଅଛନ୍ତି କି ନା ଜାଣୁଭଲା ?

 

ସମସ୍ତେ ତ କହନ୍ତି...

 

ସମସ୍ତେ କହନ୍ତି ! କିନ୍ତୁ ଗୀତାରେ କଅଣ ଅଛି, ଜାଣୁ ? ଗୀତା ନ ବୁଝି ପଢ଼ି ଲାଭନାହିଁ-। ନାନାବାୟା ଗୀତ ଗାଇଲେ ଯାହା, ନ ବୁଝି ଗୀତା ପଢ଼ିଲେ ସେୟା ।

 

ଭଗବାନ ଗୀତାରେ କଅଣ କହିଛନ୍ତି, ପୁଅ ?

 

ଭଗବାନ କହିଛନ୍ତି, ମନ ହେଉଚି ରଥ, ବୁଦ୍ଧି ଚାଳକ, ଇନ୍ଦ୍ରିୟ ଚକ । ଏହି ରଥକୁ ଉତ୍ତମରୂପେ ଚାଳନ କରି, ଅର୍ଥାତ୍‌ ବୈଜ୍ଞାନିକମାନଙ୍କ ଭଳି ନିର୍ଭୀକ ଭାବରେ ସତ୍ୟର ଅନ୍ୱେଷଣ କରି, ଯେଉଁ ସିଦ୍ଧାନ୍ତ ମନୁଷ୍ୟ ଲାଭ କରେ ତାହାହିଁ ମୁଁ । ଭଗବାନ କୁଟା ମାଟି ଗଢ଼ା ଭଗବାନ ନୁହେଁ ବା ନିଜର ଭୟାର୍ତ୍ତ ବା ସ୍ଵାର୍ଥାନ୍ଵେଷୀ ମନର ଭଗବାନ ନୁହେଁ । ଉପନିଷଦ୍ କହୁଚି ଭଗବାନଙ୍କୁ ଦୁର୍ବଳଚିତ୍ତ ଲୋକେ ପାଇପାରିବେନି । ତେଣୁ ଗୀତା ଅନ୍ୟାୟ ବିରୁଦ୍ଧରେ ନିଜର ନିତାନ୍ତ ଆତ୍ମୀୟ ଲୋକଙ୍କ ବିରୁଦ୍ଧରେ ମଧ୍ୟ ଯୁଦ୍ଧ କରିବାର ଉପଦେଶ ଦେବାକୁ ଦ୍ୱିଧା ବୋଧ କରିନାହିଁ । ଆଜିକାଲିକାର ବିଜ୍ଞାନ ଓ ଦର୍ଶନ ନ ପଢ଼ି ଗୀତା ପଢ଼ିଲେ କିଛି ଲାଭ ନାହିଁ । ଆତ୍ମ କଅଣ ? ‘କ୍ରମ ବିକାଶ’ ମତ ସହିତ ‘ପୁନର୍ଜନ୍ମ’ ଖାପ ଖାଏ କି ନା, ଦେଶର ଅର୍ଥନୀତି ସହିତ ମନୁଷ୍ୟର ଆଦର୍ଶ, ଧର୍ମ, କଳା ଆଦିର କି ଘନିଷ୍ଠ ସମ୍ପର୍କ ଅଛି, ଯୌନ ପ୍ରବୃତ୍ତି ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟ, ଆଚରଣ ଆଦି ଉପରେ କେତେଦୂର ପ୍ରଭାବ ପକାଏ—ଏ ସବୁ ଜାଣି ପରେ ଗୀତା ପଢ଼ିବା ଉଚିତ ।

 

ଶାନ୍ତିଦେବୀ ଅଭିଭୂତ ହୋଇ କହିଲେ, ପୁଅ, ତୁ ମୋତେ ଆଜିଠୁଁ ଗୀତା ବୁଝାଇଦେବୁ-?

 

କାଳୀଚରଣ ସୋତ୍ସାହେ କହିଲା, ନିଶ୍ଚୟ ଦେବି ।

 

ଗୀତା, ବିଜ୍ଞାନ, ଦର୍ଶନ ଆଦି ବ୍ୟଖ୍ୟାନରେ ଶାନ୍ତିଦେବୀ ପୁଅର ଜ୍ଞାନ ଦେଖି ଗର୍ବ ଅନୁଭବ କଲେ । କିନ୍ତୁ ତାଙ୍କର ସରଳ ବିଶ୍ୱାସଟି ଭାଙ୍ଗି ପଡ଼ିଲା । ତାଙ୍କର ମନ ଅବଲମ୍ବନ ହରାଇଲା । ସ୍ୱାମୀଙ୍କର ଦେବତ୍ଵ ଓ ଭଗବାନଙ୍କ ଅସ୍ତିତ୍ଵରେ—ଯେଉଁ ଦୁଇଟି ହିଁ ତାଙ୍କର ଜୀବନର ଅବଲମ୍ବନ ଥିଲେ—ତାଙ୍କର ଘୋର ସନ୍ଦେହ ଜାତ ହେଲା । ତାଙ୍କର ରକ୍ତ, ଶିକ୍ଷା ଓ ବିଶ୍ଵାସ କହିଲେ, ପତି ପରମ ଦେବତା । ଭଗବାନ ବୋଲି ଜଣେ ଅଛନ୍ତି । କିନ୍ତୁ କାଳୀଚରଣର ଜ୍ଞାନ ତାଙ୍କୁ କହିଲା, ସବୁ ମିଛ ।

 

କାଳୀଚରଣ ଗୀତା ପାଠ ଶେଷ କରି ଅନୁଭବ କଲା ଯେ ବୋଉର ବାପାଙ୍କ ପ୍ରତି ସନ୍ଦେହ ଆସିଚି । ତା’ର ମନ ଆଜି ଗୋଟାଏ ଅଦ୍ଭୁତ ଆନନ୍ଦ ପାଇଲା ।

 

ବାପାଙ୍କର ଦେହର ମୃତ୍ୟୁରେ ସେ କଷ୍ଟ ପାଇଥିଲା ସତ କିନ୍ତୁ ଆଜି ବାପାଙ୍କର ଏ ମୃତ୍ୟୁରେ ସେ ଆନନ୍ଦିତ ହୋଇଉଠିଲା ।

 

ଶାନ୍ତିଦେବୀ କିନ୍ତୁ ନିଜ ଭିତରେ ଭୀଷଣ ଯୁଦ୍ଧର ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ । ଶରୀର ତାଙ୍କର କ୍ଷୀଣରୁ କ୍ଷୀଣତର ହେବାକୁ ଲାଗିଲା । କାଳୀଚରଣ ଅବିରାମ ସେବା କରିବାକୁ ଲାଗିଲା । ତା’ର ମାତୃଭକ୍ତି ଦେଖି ସମସ୍ତେ ଚମତ୍‌କୃତ ହେଲେ । ଗାଁର ଲୋକେ କହିଲେ, ଯାହେଉ, ଶାନ୍ତି ପୁଅଠାରୁ ସବୁ ସୁଖ ପାଇଲା ।

 

ଶାନ୍ତିଦେବୀ ଶଯ୍ୟାଶାୟୀ ହେଲେ । ବହୁ ଡାକ୍ତର, ବହୁମୂଲ୍ୟ ଔଷଧ କିମ୍ବା କାଳୀଚରଣର ଅବିରାମ ସେବା ବିଫଳ ହେଲା । ସ୍ଵାମୀଙ୍କର ନାନା ନିର୍ଯ୍ୟାତନା ସତ୍ତ୍ୱେ ଯେଉଁ ସ୍ଵାସ୍ଥ୍ୟ ଅତୁଟ ଥିଲା ଏବଂ ଯେଉଁ ମନରେ ଅପୂର୍ବ ଶାନ୍ତି ଥିଲା ସେ ଦୁହେଁ ଆଜି ନାନା ଆରାମ ଓ ପରିଚର୍ଯ୍ୟା ସତ୍ତ୍ୱେ ଭାଙ୍ଗି ପଡ଼ିଲେ ।

 

ମୃତ୍ୟୁ ପୂର୍ବରୁ ଶାନ୍ତିଦେବୀ ସମସ୍ତ ଲଜ୍ଜା ତ୍ୟାଗ କରି ଅସହାୟ ଭାବରେ ପଚାରିଲେ, ପୁଅ, ଭଗବାନ କଅଣ ସତେ ନାହାନ୍ତି ? ସ୍ଵାମୀ କଅଣ ନାରୀର ଭଗବାନ ନୁହନ୍ତି ?

 

କାଳୀଚରଣ ପୁଣି ବକ୍ତୃତା ଆରମ୍ଭ କଲା । ଶାନ୍ତିଦେବୀ ଚାରି ଆଡ଼େ କଅଣ ଗୋଟାଏ ଅବଲମ୍ବନ ପାଇଁ ଥରେ ବଲ ବଲ କରି ଚାହିଁ ଶେଷ ନିଃଶ୍ୱାସ ଛାଡ଼ିଲେ । କାଳୀଚରଣ କାନ୍ଦି ଉଠି ବୋଉର ଗୋଡ଼ ତଳେ ମୁଣ୍ଡ ପିଟିଦେଲା । ସମସ୍ତେ ଅଶ୍ରୁ ସମ୍ବରଣ କରି କାଳୀଚରଣକୁ ବୁଝାଇବାକୁ ଲାଗିଲେ ଓ ତା’ର ମାତୃଭକ୍ତିର ବହୁ ପ୍ରଶଂସା କଲେ । କାଳୀଚରଣ ଅଧୀର ଭାବରେ କାନ୍ଦିବାକୁ ଲାଗିଲା । ଆଉ ମନେ ମନେ ବାରମ୍ବାର ସେ କହିଲା, କାହିଁକି ମୁ ମା’ର ବୁଦ୍ଧିଭେଦ କରାଇଲି ।

 

ଶାନ୍ତି ଦେବୀଙ୍କ ମଲା ଆଖି ଦିଓଟି ସେମିତି ଶୁଷ୍କ, ସେମିତି ଅସହାୟ ଭାବରେ ଚାହିଁ ରହିଥାଏ ।

Image

 

Unknown

ମରହଟ୍ଟୀ

 

(Sir Arther Conan – Doyele M. D. ଙ୍କର ‘Behind the Times’ କ୍ଷୁଦ୍ର ଗଳ୍ପର ଅନୁବାଦ)

 

ବଙ୍ଗାନୁବାଦ—ଜ୍ୟୋତିନ୍ଦ୍ର ମୋହନ ଜୋଆରଦାର

 

ବଙ୍ଗାନୁବାଦର ଓଡ଼ିଆ ଅନୁବାଦ—ବାମାଚରଣ ମିତ୍ର

 

ଡାଃ ଜେମସ୍ ଉଇଣ୍ଟରଙ୍କ ସହିତ ମୋର ପ୍ରଥମ ସାକ୍ଷାତ ହେଲା ନାଟକୀୟ ପରିସ୍ଥିତି ମଧ୍ୟରେ । ଗୋଟିଏ ପୁରାତନ ଗ୍ରାମ୍ୟ ଗୃହରେ ରାତି ଦୁଇଟାବେଳେ ସେ ସାକ୍ଷାତ ଘଟିଥିଲା । ତାଙ୍କର ଦୁଗ୍‌ଧଧବଳ ଓୟେଷ୍ଟକୋଟକୁ ମୁଁ ଦୁଇଥର ପଦାଘାତ କରିଥିଲି ଏବଂ ଘୃଷି ମାରି ତାଙ୍କର ନାକଉପରୁ ସୁନା ଚଷମା ତଳେ ପକେଇ ଦେଇଥିଲି । ସେ ମଧ୍ୟ ଜଣେ ନାରୀ ସାହାଯ୍ୟରେ ଫ୍ୟାନେଲ୍ ପେଟିକୋଟ୍ ଦ୍ଵାରା ମୋର କୃଦ୍ଧ ଚିତ୍କାର ରୋଧ କରି ଗରମ ପାଣିରେ ମୋତେ ପକାଇ ଗାଧୋଇ ଦେଇଥିଲେ । ପରେ ଶୁଣିବାକୁ ପାଇଲି ମୋର ମା ମଧ୍ୟ ସେଠି ଥିଲେ ଏବଂ ସ୍ମିତହାସ୍ୟ କରି ଚୁପ୍ କରି କହିଥିଲେ, ମୋର ଫୁସ୍‌ଫୁସ୍‌ରେ ଯଥେଷ୍ଟ ଶକ୍ତି ଅଛି ଏଥିରେ ସନ୍ଦେହ ନାହିଁ ।

 

ଡାଃ ଉଇଣ୍ଟରଙ୍କ ଚେହେରା ସେତେବେଳେ କେମିତି ଥିଲା ମୋର ମନେପଡ଼େ ନାହିଁ । ଅନ୍ୟାନ୍ୟ ନାନା ଚିନ୍ତାରେ ସେଆଡ଼େ ଦୃଷ୍ଟି ଦେବାର ମୋର ଅବକାଶ ନ ଥିଲା । କିନ୍ତୁ ମୋର ସେତେବେଳର ଚେହେରାର ସେ ଯେଉଁ ବର୍ଣ୍ଣନା ଦିଅନ୍ତି ତାହା ଆଦୌ ପ୍ରଶଂସାସୂଚକ ନୁହେଁ । ସଦ୍ୟଜାତ ଚଢ଼େଇ ଛୁଆ ଭଳି ମଥାରେ ଦି ଚାରି କେରା ଛିଡ଼ା ଛିଡ଼ା ବାଳ, ରୋଷେଇପାଇଁ ପ୍ରସ୍ତୁତ ହଂସ ଭଳି ଶୁକୁଟା ଦେହ, ଗୋଡ଼ ଦୁଇଟି ଧନୁ ଭଳି ବଙ୍କା ଏବଂ ପାଦ ଦୁଇଟି ଭିତରପଟକୁ—ମୋଟାମୋଟି ଏତିକି ମୋ ବିଷୟରେ ତାଙ୍କର ମନେପଡ଼େ ।

 

ଏହାପରେ ମନେ ରଖିବା ଭଳି ମୋ ଜୀବନରେ ଯାହା ଘଟିଥିଲା ତାହା କେବଳ ମଝିରେ ମଝିରେ ମୋ ଉପରେ ତାଙ୍କର ଆକ୍ରମଣ । ସେ ମୋତେ ମାଡ଼ିବସି ଟୀକା ଦେଲେ, ମୋର ବଥ କାଟିଲେ ଏବଂ ଗାଲୁଆ ପାଇଁ ପ୍ରଲେପ ଲଗାଇ ମୋ ଦେହରେ ଫୋଟକା ଜାତ କରାଇଲେ । ମୋର ଶାନ୍ତିମୟ ଜୀବନରେ ସେ ଥିଲେ ଏକମାତ୍ର ଭୟର କଳା ଛାଇ । କିନ୍ତୁ ଦିନେ ସତେ ସତେ ମୁଁ ରୋଗାକ୍ରାନ୍ତ ହୋଇ ମାସ ମାସ ଧରି ମୋ ଖଟୁଲିରେ ପଡ଼ି ରହିଲି । ସେତିକିବେଳେ ମୁଁ ଅନୁଭବ କଲି ଯେ ସେହି କଠିନ ମୁଖମଣ୍ଡଳ କୋମଳ ହୋଇପାରେ । ଗାଁ ମୋଚି ତିଆରି ସେଇ ଶବ୍ଦାୟମାନ ଜୋତା ହଳଟି ମଚ୍ ମଚ୍ ଶବ୍ଦରେ ଚାରିଆଡ଼ ମୁଖରିତ ନ କରି ମଧ୍ୟ ରୋଗୀର ଶଯ୍ୟା ନିକଟକୁ ଆସିପାରେ ଏବଂ ଶିଶୁ ସହିତ କଥା କହିବାବେଳେ ସେଇ ରୁକ୍ଷ କଣ୍ଠସ୍ୱର ନରମ ନମ୍ର ହୋଇପାରେ ।

 

ସେଦିନର ଶିଶୁ ଆଜି ଜଣେ ଡାକ୍ତର । କିନ୍ତୁ ଡାଃ ଉଇଣ୍ଟରଙ୍କର କୌଣସି ପରିବର୍ତ୍ତନ ନାହିଁ । ମୋର ହେତୁ ହେବାଦିନରୁ ତାଙ୍କୁ ଯେମିତି ଦେଖିଚି ଆଜି ବି ଠିକ୍ ତାଙ୍କୁ ସେମିତି ଦେଖୁଚି । କେବଳ ମୁଣ୍ଡରେ ପାଚିଲା ବାଳର ସଂଖ୍ୟା ଟିକିଏ ବଢ଼ିଚି ଏବଂ ତାଙ୍କର ବିରାଟ କାନ୍ଧ ଟିକିଏ ଲଇଁଯାଇଚି । ବର୍ତ୍ତମାନ ମଧ୍ୟ ସେ ସେମିତି ଦୀର୍ଘାକାର । ଟିକିଏ ଲଇଁ ଯାଇଥିବାର ହୁଏତ ଦୁଇ ଇଞ୍ଚ କମିଯାଇଥାଇ ପାରନ୍ତି । ବହୁବର୍ଷ ଧରି ରୋଗୀର ଶଯ୍ୟା ଉପରେ ଲଇଁ ଲଇଁ ତାଙ୍କର ବିଶାଳ ପୃଷ୍ଠଟି ସେହିପରି ଅବସ୍ଥାରେ ରହିଯାଇଚି । ଶୀତର ଝଡ଼ ବୃଷ୍ଟି ନ ମାନି ଦୀର୍ଘ ଗ୍ରାମପଥ ଅତିକ୍ରମ କରି ରୋଗୀ ଦେଖିଯିବାର ପ୍ରମାଣ ମଧ୍ୟ ସେ ମୁହଁରୁ ମିଳେ । ଟିକିଏ ଦୂରରୁ ଦେଖିଲେ ମୁହଁଟି ତାଙ୍କର ମସୃଣ ମନେ ହୁଏ । କିନ୍ତୁ ନିକଟକୁ ଗଲେ ମୁହଁର ଅସଂଖ୍ୟ ସରୁ ରେଖା ପରିସ୍ଫୁଟ ହୋଇଉଠେ । ସାଧରଣତଃ ସେ ସରୁ ରେଖାଗୁଡ଼ିକ ନଜରରେ ପଡ଼େନାହିଁ । କିନ୍ତୁ ସେ ଯେତେବେଳେ ହସନ୍ତି ମୁହଁଟି ଯେପରି କାଚ ଭଳି ଶତଖଣ୍ଡ ହୋଇ ଫାଟିଯାଏ । ସେତେବେଳେ ଜଣାଯାଏ ଯେ ତାଙ୍କର ବୟସ ବେଶୀ ଜଣାଗଲେ ମଧ୍ୟ ଯେତେ ମନେହୁଏ ତାଠୁ ଅବଶ୍ୟ ଆହୁରି ବେଶୀ ।

 

ତାଙ୍କର ପ୍ରକୃତ ବୟସ ମୁଁ କେବେହେଁ ଜାଣି ପାରିନାହିଁ । ଅନେକ ଥର ଜାଣିବାକୁ ଚେଷ୍ଟା କରିଚି । କିନ୍ତୁ ଚତୁର୍ଥ ଜର୍ଜ ଏପରି କି ରିଜେନ୍‌ସି ସମୟ ପର୍ଯ୍ୟନ୍ତ ତାଙ୍କର ଅସ୍ତିତ୍ୱର ଅନୁଧାବନ କରି ମଧ୍ୟ ଠିକ୍ ଆରମ୍ଭ କେଉଁଠି ଧରିପାରି ନାହିଁ । ବହୁବର୍ଷ ପୂର୍ବେ ନିଶ୍ଚୟ ତାଙ୍କର ମନର ଦୁଆର ବହିଜଗତ ପାଇଁ ଉନ୍ମୁକ୍ତ ଥିଲା । କିନ୍ତୁ ସେ ଦୁଆର ଯେବେ ରୁଦ୍ଧ ହୋଇ ଯାଇଥିଲା ତାହା ମଧ୍ୟ ବହୁବର୍ଷ ପୂର୍ବର ଘଟଣା । ଦୃଷ୍ଟାନ୍ତ ସ୍ୱରୂପ, ଆଧୁନିକ ଯୁଗର ରାଜନୀତି ବିଷୟରେ ସେ କୌଣସି ଆଗ୍ରହ ପୋଷଣ କରନ୍ତି ନାହିଁ । ଅଥଚ ଯେଉଁସବୁ ବିଷୟ ବର୍ତ୍ତମାନ ପ୍ରାୟ ପ୍ରାଗୈତିହାସିକ ସ୍ତରକୁ ଗଲାଣି ସେ ସବୁ ବିଷୟର ଆଲୋଚନାରେ ସେ ମାତି ଉଠନ୍ତି । ପ୍ରଥମ ରିଫର୍ମ ବିଲ୍ ବିଷୟ ଆଲୋଚିତ ହେଉଥିବା ସମୟରେ କେବଳ ମସ୍ତକ ସଞ୍ଚାଳନ ଦ୍ୱାରା ତାହାର ସମୀଚୀନତା ବିଷୟରେ ସେ ଗଭୀର ସନ୍ଦେହ ପ୍ରକାଶ କରନ୍ତି । ଗୋଟିଏ ଗିଲାସ ପାନ କରିବା ପରେ ତାଙ୍କର ମିଜାଜଟା ଯେତେବେଳେ ଟିକିଏ ଚଢ଼ା ସୁରରେ ବନ୍ଧା ହୋଇଯାଏ ସେତେବେଳେ ରବର୍ଟ ଗିଲ୍ ଏବଂ ତାଙ୍କର ଶସ୍ୟ ଆଇନ ବର୍ଜନ ବିଷୟରେ ତାଙ୍କ ମୁହଁରୁ ମୁଁ ଅନର୍ଗଳ କଡ଼ା ସମାଲୋଚନା ଶୁଣିଚି । ତାଙ୍କ ମତରେ ଗିଲ୍‌ଙ୍କ ମୃତ୍ୟୁ ପରେ ଇଂଲଣ୍ଡର ଇତିହାସର ପରିସମାପ୍ତି ଘଟିଚି । ତା ପରେ ଯାହା ଘଟିଚି ସେଗୁଡ଼ିକ ବିଶେଷ ଉଲ୍ଲେଖଯୋଗ୍ୟ ନୁହେଁ ।

 

ସେ ଯେ ବାସ୍ତବିକ୍ ବିଗତଯୁଗର ଗୋଟିଏ ସରଳ ନିଦର୍ଶନ ତାହା ମୁଁ ସମ୍ୟକ୍ ଉପଲବ୍‌ଧି କଲି ନିଜେ ଡାକ୍ତର ହେବା ପରେ । ଯେଉଁ ପଦ୍ଧତିରେ ସେ ଡାକ୍ତରୀ ଶିକ୍ଷା ପାଇଥିଲେ ତାହା କେବଳ ଲୋପ ପାଇ ଯାଇନାହିଁ । ଲୋକେ ସେ କଥା ଏକଦ୍‌ମ ଭୁଲିଯାଇ ଅଛନ୍ତି । ଉକ୍ତ ପଦ୍ଧତି ଅନୁସାରେ ଡାକ୍ତରୀ ଛାତ୍ରମାନଙ୍କୁ ଜଣେ ଅସ୍ତ୍ର ଚିକିତ୍ସକଙ୍କ ନିକଟରେ ଶିକ୍ଷାନବିସ୍ କରିବାକୁ ପଡ଼ୁଥିଲା । ଶରୀର ସ୍ଥାନ (Anatomy)ର ଜ୍ଞାନ ପାଇଁ କବଳରୁ ଶବ ଚୋରି କରିବାକୁ ପଡ଼ୁଥିଲା-। ଡାକ୍ତରୀ ବିଜ୍ଞାନ ଓ ବ୍ୟବସାୟ ବିଷୟରେ ତାଙ୍କର ମତାମତ ତାଙ୍କର ରାଜନୀତି ମତ ଅପେକ୍ଷା ଆହୁରି ପ୍ରଗତିବିମୁଖ । ଗତ ପଚାଶ ବର୍ଷ ଭିତରେ ସେ ଜ୍ଞାନ ଆହରଣ କରିଛନ୍ତି ଅଳ୍ପ ଏବଂ ଛାଡ଼ିଛନ୍ତି ଆହୁରି ଅଳ୍ପ । ତାଙ୍କ ଯୌବନାବସ୍ଥାରେ ଗୋବୀଜ ଟୀକାର ପ୍ରଚଳନ ଥିଲେହେଁ, ମୋର ମନେ ହୁଏ, ଗୋରୁ ଦେହରୁ ରୋଗର ବୀଜ ଆହରଣ କରିବାଠୁଁ ଅନ୍ୟ ଉପାୟରେ ତାହା ଆହରଣ କରିବାର ସେ ପକ୍ଷପାତୀ । ଅସ୍ତ୍ରୋପଚାର ସମୟରେ ଯଥେଚ୍ଛା ରକ୍ତ ନିଷ୍କାସନରେ ତାଙ୍କର ଆପତ୍ତି ନାହିଁ । କିନ୍ତୁ ଲୋକେ ଏହି ପୁରାତନ ପନ୍ଥାର ବିରୁଦ୍ଧବାଦୀ ହୋଇ ଉଠିବାରୁ ସେ ଟିକିଏ ସାବଧାନ ହେଲେ । କ୍ଲୋରୋଫର୍ମକୁ ସେ ଗୋଟିଏ ବିପଜ୍ଜନକ ଆବିଷ୍କାର ମଣନ୍ତି । ଏହାର ନାଁ ଶୁଣିବା ମାତ୍ରେ ସେ ଜିଭ ଓ ତାଳୁ ସାହାଯ୍ୟରେ ଗୋଟାଏ କ୍ଷୋଭସୂଚକ ଶବ୍ଦ କରନ୍ତି । ଲେନେକ ବିଷୟରେ ସେ ଅଦ୍ଭୁତ ମତ ପ୍ରକାଶ କରିବାର ଏବଂ ଷ୍ଟେଥୋସ୍କୋପକୁ ଗୋଟିଏ ନୂଆ ଫରାସୀ ଖେଳଣା ଆଖ୍ୟା ଦେବାର ମଧ୍ୟ ମୁଁ ତାଙ୍କ ମୁହଁରୁ ଶୁଣିଚି । ତାଙ୍କର ରୋଗୀମାନଙ୍କ ଇଚ୍ଛାର ସମ୍ମାନ ଦେବାପାଇଁ ଅବଶ୍ୟ ସେ ତାଙ୍କର ଷ୍ଟେଥୋକୁ ସାଙ୍ଗରେ ନେଇ ରୋଗୀ ଦେଖି ବୁଲନ୍ତି । କିନ୍ତୁ ସେ କାଲ ଥିବାରୁ ଏହା ବ୍ୟବହାର କରିବା ନ କରିବା ତାଙ୍କ ପକ୍ଷରେ ସମାନ ।

 

କର୍ତ୍ତବ୍ୟ ଅନୁରୋଧରେ ସେ ତାଙ୍କର ଡାକ୍ତରୀ ସପ୍ତାହିକ ପତ୍ରିକା ନିୟମିତ ପଢ଼ିଯାଆନ୍ତି-। ଆଧୁନିକ ଡାକ୍ତରୀ ବିଜ୍ଞାନର ପ୍ରଗତି ବିଷୟରେ ତେଣୁ ତାଙ୍କର ଗୋଟାଏ ସାଧାରଣ ଜ୍ଞାନ ଅଛି । କିନ୍ତୁ ଆଧୁନିକ ଡାକ୍ତରୀ ବିଜ୍ଞାନକୁ ସେ ଗୋଟାଏ ବିରାଟ ହାସ୍ୟକର ପରୀକ୍ଷା ବୋଲି ମଣନ୍ତି । ସବୁ ରୋଗର ମୂଳ କାରଣ ବୀଜାଣୁ, ଏହି ମତ ଯେତେବେଳେ ପ୍ରଥମେ ପ୍ରଚାରିତ ହେଲା ସେତେବେଳେ ସେ ଅନେକ ଦିନ ପର୍ଯ୍ୟନ୍ତ ହସିଥିଲେ । ରୋଗୀ ଦେଖିବା ସମୟରେ ତାଙ୍କର ଗୋଟିଏ ପ୍ରିୟ କୌତୁକ ଥିଲା, “କବାଟ ଝରକା ଲଗାଇ ଦିଅ, ବୀଜାଣୁ ପଶି ଆସିବେଟି ।” ଡାର୍‌ଉଇନଙ୍କ ମତବାଦ ଶୁଣି ସେ କହିଲେ ଏ ଯୁଗର ଏହା ଗୋଟିଏ ଚୂଡ଼ାନ୍ତ କୌତୁକ । ‘ପିଲାଛୁଆ ଧାଈ କୋଳରେ ଏବଂ ପିତା ପ୍ରପିତାମହ ଗଛ ଉପରେ’ ଏହା କହି ସେ ହସି ଗଡ଼ି ଯାଉଥିଲେ, ଆଖିରୁ ତାଙ୍କର ପାଣି ବାହାରି ପଡ଼ୁଥିଲା ।

 

ପ୍ରଚଳିତ ପ୍ରଥାର ଏତେ ପଛରେ ସେ ପଡ଼ିଥାନ୍ତି ଯେ ସମୟ ସମୟରେ ସେ ସମସ୍ତଙ୍କଠାରୁ ବେଶି ଆଧୁନିକ ମନେ ହୁଅନ୍ତି । କାରଣ ସବୁ ଜିନିଷ ଭଳି ପ୍ରଥା ବା ଚଳଣି ମଧ୍ୟ ଚକ୍ରବତ୍ ପରିବର୍ତ୍ତନ୍ତେ । ଏଥିରେ ସେ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଉଦାହରଣ ସ୍ୱରୂପ ଖାଦ୍ୟ ନିୟନ୍ତ୍ରଣ ଦ୍ୱାରା ଚିକିତ୍ସା କରିବାର ପନ୍ଥା ଧରନ୍ତୁ । ତାଙ୍କର ଯୁବାବସ୍ଥାରେ ଏହାର ଚଳଣି ଖୁବ ଥିଲା-। ଏ ବିଷୟରେ ତାଙ୍କର ଯେପରି ବ୍ୟାବହାରିକ ଜ୍ଞାନ ଆଉ କାହାର ମୁଁ ସେପରି ଦେଖିନାହିଁ । ସଂବାହନ ବା ମେସେଜିଂ ଯେତେବେଳେ ଆମେ ପ୍ରଥମେ ଦେଖିଲୁ ସେତେବେଳେ ଦେଖିଲୁ ଏହା ସହିତ ସେ ସୁପରିଚିତ । ତାଙ୍କର ଡାକ୍ତରୀ ପାସ୍ କରିବା ସମୟରେ ଡାକ୍ତରୀ ଯନ୍ତ୍ରପାତି ଆଦିମ ଅବସ୍ଥାରେ ଥିଲା । ସେତେବେଳେ ଡାକ୍ତରମାନେ ନିଜର ଅଙ୍ଗୁଳି ଉପରେ ବେଶୀ ନିର୍ଭର କରିବାକୁ ଶିକ୍ଷା କରୁଥିଲେ । ତାଙ୍କର ନିଜ ହାତଟି ଅସ୍ତ୍ର ଚିକିତ୍ସା ପାଇଁ ଗୋଟିଏ ଆଦର୍ଶ ହାତ । ପେଶୀଯୁକ୍ତ ହାତର ଲମ୍ବା ଆଙ୍ଗୁଳିଗୁଡ଼ିକ କ୍ରମଶଃ ସରୁ ହୋଇଯାଇଚି । ଏବଂ ‘ପ୍ରତ୍ୟେକ ଅଙ୍ଗୁଳି ଅଗରେ ଗୋଟିଏ ଆଖି’ । ଡାଃ ପିଟାର୍ସନ ଓ ମୁଁ ସାର୍ ଜନ୍ ବାର୍‌‌ଓ୍ୟେଲ୍‌ଙ୍କ ପିତ୍ତସ୍ଥଳୀରୁ ପଥର ବାହାର କରିବା ପାଇଁ ଅସ୍ତ୍ରୋପଚାର କରିସାରି ପଥରଟି ଦରାଣ୍ଡି ପାଇଲୁ ନାହିଁ । ସେତେବେଳେ ଆମର ମନର ଅବସ୍ଥା ଭୁଲିବାର ନୁହେଁ । ସେ ଗୋଟାଏ ଭୟଙ୍କର ମୁହୂର୍ତ୍ତ । ଆମ ଦୁଇଜଣଙ୍କର ଡାକ୍ତରୀ ଜୀବନ ସଙ୍କଟାପନ୍ନ ହୋଇ ଉଠିଥିଲା । କେବଳ ଭଦ୍ରତା ଖାତିରରେ ଆମେ ଦୁହେଁ ଡାଃ ଉଇଣ୍ଟରଙ୍କୁ ସେଠାରେ ଉପସ୍ଥିତ ଥିବାକୁ ଅନୁରୋଧ କରିଥିଲୁ । କିନ୍ତୁ ଶେଷରେ ସେ’ହିଁ କ୍ଷତ ମୁହଁରେ ତାଙ୍କର ଲମ୍ବା ଅଙ୍ଗୁଳି ପ୍ରବେଶ କରାଇ ଦେଲେ । ସେତେବେଳକାର ମାନସିକ ଉତ୍ତେଜନାବଶତଃ ଆମର ମନେହେଲା ତାଙ୍କର ପ୍ରତ୍ୟେକ ଅଙ୍ଗୁଳିଗୁଡ଼ିକ ନ’ଇଞ୍ଚ ଲମ୍ବା । ବନିଶୀ କଣ୍ଟା ଅଗରେ ମାଛ ଧରିବା ଭଳି ସେ ତାଙ୍କର ଅଙ୍ଗୁଳି ଅଗରେ ପଥରଟି ସୁନ୍ଦରଭାବରେ ବାହାରକରିଆଣିଲେ ଏବଂ ହସି ହସି କହିଲେ, କୋଟ୍ ପକେଟରେ ଗୋଟିଏ ଗୋଡ଼ି ନେଇ ଆସିଥିବା ଭଲ, କିନ୍ତୁ ତୁମେ ଆଜିକାଲିକାର ଯୁବକମାନେ ତ ଏ ସବୁର ଉପରେ ।

 

ଆମେ ତାହାଙ୍କୁ ବ୍ରିଟିଶ ମେଡ଼ିକାଲ୍ କାଉନ୍‌ସିଲ୍‌ର ସ୍ଥାନୀୟ ଶାଖାର ସଭାପତି କରିଥିଲୁ-। କିନ୍ତୁ ସଭାର ପ୍ରଥମ ଅଧିବେଶନ ପରେ ସେ ସେଥିରୁ ଇସ୍ତଫା ଦେଲେ । କହିଲେ, ଆଜିକାଲିର ଟୋକାମାନେ ବହୁତ କଥା ଜାଣନ୍ତି, ଅନେକ ସମୟରେ ସେମାନଙ୍କ କଥା ମୁଁ ବୁଝିପାରେ ନାହିଁ । କିନ୍ତୁ ତାହେଲେ କଅଣ ହେବ, ତାଙ୍କର ରୋଗୀମାନେ ନିର୍ବିବାଦରେ ଆରୋଗ୍ୟଲାଭ କରନ୍ତି ତାଙ୍କରି ଚିକିତ୍ସାରେ । ସେ ସେଇ ଯାଦୁମନ୍ତ୍ରର ଅଧିକାରୀ ଥିଲେ ଯାହାର ଅନ୍ୟ ନାମ ହାତ ଯଶ, ଯାହାର କୌଣସି ବ୍ୟାଖ୍ୟା ବା ବିଶ୍ଳେଷଣ ଅସମ୍ଭବ । ସେ ଥରେ ଆସି ଦେଖିଗଲା ମାତ୍ରେ ରୋଗୀମାନଙ୍କ ମନରେ ଓ ଶରୀରରେ ଜୀବନୀ ଶକ୍ତି ଓ ଆଶା ସଞ୍ଚରି ଉଠେ । ଘରେ ସାମାନ୍ୟ ଟିକିଏ ଧୂଳିମଳି ଯେପରି ନିପୁଣା ଗୃହଣୀମାନଙ୍କୁ ଅସହ୍ୟ ବୋଧହୁଏ, ରୋଗ ଦେଖିଲେ ଡାଃ ଉଇଣ୍ଟରଙ୍କୁ ସେହିପରି ମନେହୁଏ । ନା, ନା, ଏମିତି କଲେ ଚଳିବ ନାହିଁ, କହି ସେ ତାଙ୍କର ରୋଗୀ ତାଲିକାରେ ଆଉ ଗୋଟିଏ ରୋଗୀର ନାମ ଲେଖି ରଖନ୍ତି । ‘ହୁସ୍ ହୁସ୍ ଯା’ କହି ଆମେ ଯେପରି ଅଗଣାରୁ କାଉ ଉଡ଼ାଇଦେଉ ସେ ସେହିପରି ମୃତ୍ୟୁକୁ ହତାପାର କରିଦେବାକୁ ଚାହାନ୍ତି । କିନ୍ତୁ ମୃତ୍ୟୁ ଯେତେବେଳେ ଯିବାକୁ ଅମଙ୍ଗ ହୁଏ, ଯେତେବେଳେ ରୋଗୀର ଧମନୀରେ କ୍ରମେ ରକ୍ତର ବେଗ କ୍ଷୀଣରୁ କ୍ଷୀଣତର ହୋଇ ଆସୁଥାଏ, ଆଖି କ୍ରମେ ଜ୍ୟୋତିହୀନ ହୋଇ ଯାଉଥାଏ ସେତେବେଳେ ଡାଃ ଉଇଣ୍ଟରଙ୍କ ସବୁ ଔଷଧପତ୍ରଠାରୁ ସେ ନିଜେ ରୋଗୀର ବେଶୀ ଉପକାରରେ ଲାଗନ୍ତି । ଇହଲୋକ ଓ ପରଲୋକର ଏହି ଭୟାବହ ସନ୍ଧିସ୍ଥଳ ପାରହେବା ମୁହୂର୍ତ୍ତରେ ରୋଗୀ ଯେପରି ଡାଃ ଉଇଣ୍ଟରଙ୍କର ବିଶାଳ କର୍ମଠ ଦେହରୁ ସାହସ ସଞ୍ଚୟ କରିନିଏ । ବହୁ ରୋଗ ଯନ୍ତ୍ରଣା ସହି ସହି ଶେଷରେ ଯେଉଁମାନେ ଅଜଣା ଉଦ୍ଦେଶ୍ୟରେ ଯାତ୍ରା କରିଚନ୍ତି, ସେମାନଙ୍କ ମଧ୍ୟରୁ ଅନେକ ସେଇ ରେଖାଙ୍କିତ ସଦୟ ମୁଖମଣ୍ଡଳର ସ୍ମୃତି ଇହ ଜଗତର ଶେଷ ସ୍ମୃତି ସ୍ୱରୂପ ସାଙ୍ଗରେ ନେଇଯାଇଚନ୍ତି ।

 

ଡାଃ ପିଟାର୍ସନ ଓ ମୁଁ ସେତେବେଳେ ସେହି ଅଞ୍ଚଳରେ ପ୍ରଥମେ ଡାକ୍ତରୀ ଆରମ୍ଭ କଲୁ ସେତେବେଳେ ଆମେ ଯୁବକ । କାମରେ ଆମର ଅସୀମ ଉତ୍ସାହ । ଚିକିତ୍ସା ବିଜ୍ଞାନର ଅଗ୍ରଗତି ବିଷୟରେ ଆମର ଜ୍ଞାନକୁ ଆମେ ଦିନେ ପଛେଇ ଯିବାକୁ ଦେଉ ନଥାଉ । ବୃଦ୍ଧ ଡାଃ ଉଇଣ୍ଟର ଆମକୁ ସାଦର ଅଭ୍ୟର୍ଥନା ଜଣାଇଲେ । ଆମେ ତାଙ୍କର ରୋଗୀ ସଂଖ୍ୟା କିଛି କମାଇ ପାରିଲେ ସେ ସତେ ସୁଖୀ ହୁଅନ୍ତେ । କିନ୍ତୁ ରୋଗୀମାନଙ୍କର ଗୋଟାଏ ବଡ଼ ଦୋଷ ସେମାନେ ସେମାନଙ୍କ ମିଜାଜ୍ ଅନୁସାରେ ଚାଲନ୍ତି । ଫଳତଃ ଆମେ ଆମର ଆଧୁନିକ ଯନ୍ତ୍ରପାତି, ଔଷଧ ଓ ଜ୍ଞାନ ସତ୍ତ୍ୱେ ଅବହେଳିତ ରହିଲୁ ଏବଂ ବୃଦ୍ଧ ଡାକ୍ତର ଅଞ୍ଚଳଟି ଯାକ ତାଙ୍କର ମାନ୍ଧାତାଯୁଗର ଡାଲଚିନିର ଜୁଲାପ ଓ ପାରଦଘଟିତ ବିରେଚକ ଦେଇ ଖେଦି ବୁଲିଲେ । ବୃଦ୍ଧ ଡାକ୍ତରଙ୍କ ପ୍ରତି ଆମର ଯଥେଷ୍ଟ ଶ୍ରଦ୍ଧା ଥିଲା । କିନ୍ତୁ ତାଙ୍କର ଏ ପ୍ରକାର ଶୋଚନୀୟ ଅବିବେଚନା ବିଷୟରେ ନିଜ ନିଜ ଭିତରେ କଟୂମନ୍ତବ୍ୟ ନ କରି ରହି ପାରୁନଥିଲୁ । ଦିନେ ପିଟାର୍ସନ୍ କହିଲେ, ଗରିବଙ୍କ ପାଇଁ ହୁଏତ ତାହା ଯଥେଷ୍ଟ । କିନ୍ତୁ ଶିକ୍ଷିତ ଶ୍ରେଣୀ ଅନ୍ତତଃ ଏତିକି ଦାବୀ କରିପାରନ୍ତି ଯେ ତାଙ୍କର ଚିକିତ୍ସକ ସୁସ୍ଥ ଓ ଅସୁସ୍ଥ ଫୁସ୍‌ଫୁସ୍‌ର ଶବ୍ଦ ଭିତରେ ପାର୍ଥକ୍ୟ ବୁଝି ପାରୁଥିବେ । ସହାନୁଭୂତିଶୀଳ ମନ ଡାକ୍ତର ପକ୍ଷରେ ଯଥେଷ୍ଟ ନୁହଁ, ବିଚାରଶୀଳ ମନ ଲୋଡ଼ା ।

 

ଏହାର ଅଳ୍ପଦିନ ପରେ ସେ ଅଞ୍ଚଳରେ ଫ୍ଳୁ ସଂକ୍ରାମକ ରୂପେ ବ୍ୟାପିଲା । ଖଟି ଖଟି ଆମର ପ୍ରାଣ କଣ୍ଠାଗ୍ରତ ହେବାକୁ ବସିଲା । ଦିନେ ସକାଳେ ମୁଁ ରୋଗୀ ଦେଖିବାକୁ ବାହାରିବା ସମୟରେ ବାଟରେ ପିଟାର୍ସନକୁ ଭେଟିଲି । ମୁହଁଟି ତା’ର ଶେତା ପଡ଼ିଯାଇଥାଏ, ଆଖି ଓ ଗାଲ କୋଟରଗତ । ମୋତେ ଦେଖି ସେ ବି ମୋ ବିଷୟରେ ସେଇୟା କହିଲା । ବାସ୍ତବିକ ସେଦିନ ମୋ ଶରୀରଟା ଆଦୌ ଭଲ ଲାଗୁନଥାଏ । ସେଦିନ ଉପରଓଳିଟିଯାକ ମୁଁ ଆରାମଚୌକିରେ ପଡ଼ିରହିଲି । ଅସହ୍ୟ ଯନ୍ତ୍ରଣାରେ ମୁଣ୍ଡ ଫାଟିଯାଉଥାଏ । ଦେହରେ ପ୍ରତ୍ୟେକ ଗଣ୍ଠିରେ ପରାସ । ସନ୍ଧ୍ୟାବେଳକୁ ଆଉ ସନ୍ଦେହ ରହିଲା ନାହିଁ ଯେ ଫ୍ଲୁ ମୋତେ ଧରିଚି । ଅତି ଶୀଘ୍ର ଡାକ୍ତରକୁ ଦେଖାଇବା ପ୍ରୟୋଜନ । ପିଟାର୍ସନ କଥା ସ୍ଵଭାବତଃ ମନକୁ ଆସିଲା । କିନ୍ତୁ କେଜାଣେ କାହିଁକି ତା କଥା ମନକୁ ଆସିଲା । କିନ୍ତୁ କେଜାଣେ କାହିଁକି ତା କଥା ମନକୁ ଆସିବା ମାତ୍ରେ ଗୋଟାଏ ବିତୃଷ୍ଣା ଜାତ ହେଲା । ତା’ର ଆନ୍ତରିକତାହୀନ ଦୋଷଦର୍ଶୀ ଭାବଭଙ୍ଗୀ, ଅସରନ୍ତି ପ୍ରଶ୍ନ ତାଣ୍ଡବ, ସୂକ୍ଷ୍ମାତିସୂକ୍ଷ୍ମ ପରୀକ୍ଷା ଓ ବିଶ୍ଳେଷଣ, ଆଉ ସମସ୍ତ ଛାତି ପିଠିରେ ଶବ୍ଦାୟମାନ ଅଙ୍ଗୁଳିସ୍ପର୍ଶ ସବୁ ମୋ ଆଖିଆଗରେ ଭାସିଗଲା । ଟିକିଏ ଆରାମ, ଦି’ପଦ ଆଶ୍ଵାସବାଣୀ ମୋ ପ୍ରାଣ ଲୋଡ଼ୁଥିଲା ।

 

ମୋ ହାଉସ୍‌କିପର୍‌କୁ ଡାକି କହିଲି, ଡାକ୍ତର ଉଇଣ୍ଟର୍‌ଙ୍କୁ ଟିକିଏ ଡାକ୍ତନ୍ତୁ ! କହିବ, ସେ ଯଦି ଦୟାକରି ଥରେ ଆସନ୍ତେ ମୁଁ କୃତଜ୍ଞ ହୁଅନ୍ତି ।

 

ହାଉସ୍‌କିପର୍ ଅଳ୍ପ ସମୟ ଫେରିଆସି ଜଣାଇଲା ଯେ ଡାକ୍ତର ଉଇଣ୍ଟର୍ ଘଣ୍ଟାକ ଭିତରେ ଆସିବେ ବୋଲି କହିଲେ । ଏଇମାତ୍ର ସେ ଡାକ୍ତର ପିଟାର୍ସନ୍‌ଙ୍କୁ ଦେଖିବାକୁ ଗଲେ, କାରଣ ସେ ଡକାଇ ପଠାଇଚନ୍ତି ତାଙ୍କୁ ।

Image

 

ବାବା ଡହରାନନ୍ଦଙ୍କର ରୋମାଞ୍ଚକର କାହାଣୀ

 

ସମୟ ଅପରାହ୍ନ । ସ୍ଥାନ ପୁରୀର ସମୁଦ୍ର ଉପକୂଳସ୍ଥ ତ୍ରିଲୋଚନ ବାବୁଙ୍କ ମନୋରମ ଆରାମଦାୟକ ବୈଠକଖାନା । କାଳ ବର୍ଷାରମ୍ଭ ।

 

ପ୍ରଥମ ବର୍ଷଣର ଝିପି ଝିପି ସେଇଦିନ ଆରମ୍ଭ ହୋଇଥାଏ । ସେ ଦିନର ପାଣିପାଗ ବିଷୟରେ ବେତାର ଘୋଷଣା—ପୁରୀଠାରୁ ଦୁଇଶହ ମାଇଲ ଦୂରରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ତାହା କ୍ରମଶଃ ଉତ୍ତର ଆଡ଼କୁ ଘଣ୍ଟାକୁ କୋଡ଼ିଏ ମାଇଲ ବେଗରେ ଗତି କରୁଥିବାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଓ ଝଡ଼ର ସମ୍ଭାବନା ରହିଚି ।

 

ଉକ୍ତ ସମ୍ଭାବନା ଆମମାନଙ୍କୁ ବିଚଳିତ କରିଚି ଓ ମନରେ ବିରକ୍ତି ସଞ୍ଚାର କରିଚି । ଗୂହକର୍ତ୍ତା ତ୍ରିଲୋଚନ, ମଦନ, ସ୍ଵପ୍ନେଶ୍ଵର ଓ ମୁଁ ଗୋଟିଏ ଗୋଟିଏ ନରମ ଓ ଆରାମପ୍ରଦ ଗଦିଚୌକିରେ ବସି ସୁଗନ୍ଧ ଓ ସୁସ୍ଵାଦୁ ଚାହା ପାନ କରୁଥିଲେହେଁ ଉନ୍ମୁକ୍ତ ଝରକା ଭିତର ଦେଇ ବଙ୍ଗୋପସାଗର‌ଆଡ଼େ କ୍ରୁର ଦୃଷ୍ଟି ନିକ୍ଷେପ କରୁଚୁ । କାହାରି ମୁହଁରେ କଥା ନାହିଁ । ତ୍ରିଲୋଚନ ଆଦିର ଆପ୍ୟାୟନରେ ମୁକ୍ତ ହସ୍ତ । ଆରାମରେ ବସି ଏବଂ ଯଥେଚ୍ଛା ଚା ପାନ ସିଗାରେଟ ଖାଉ ଖାଉ ରାଜନୈତିକ ପରିସ୍ଥିତି, ଲୋକମାନଙ୍କ ଦୁର୍ଦ୍ଦଶା, ଯୋଜନା-ନୀତି, ଯୌନ ପ୍ରବୃତ୍ତି ଆଦି ସମସ୍ୟା ବିଷୟରେ କୌଣସି ସମାଧାନ ନ ଦେଇ ପାରିଲେ ମଧ୍ୟ ଗଭୀର ଆଲୋଚନା ଓ ଚିନ୍ତା ଆମେ ଚାରିଜଣ ଯୁବକ କରୁ । କିନ୍ତୁ ଆଜି ପାଣିପାଗ ଘୋଷଣା ସବୁ ଆଲୋଚନା ବନ୍ଦ କରି ଦେଇଚି ।

 

ଏହି ସମୟରେ ମଦନା ଝରକା ଆଡ଼କୁ ଆଙ୍ଗୁଠି ଦେଖାଇ ସୋତ୍ସାହେ କହି ଉଠିଲା, ହେଇ ଆସିଗଲା !

ସମସ୍ତେ ଉତ୍କଣ୍ଠାର ସହିତ ଝରକା ପାଖକୁ ଦୌଡ଼ିଯାଇ ଚିତ୍କାର କରି ପଚାରିଲୁ, କଅଣ ଲଘୁଚାପ ?

—ନା, ବାବା ଡହରାନନ୍ଦ ଆସୁଛନ୍ତି !!

ନିମିଷକେ ସମସ୍ତଙ୍କ ମୁହଁରୁ ବିରକ୍ତିଭାବ ଚାଲିଯାଇ ଆନନ୍ଦ ଖେଳିଗଲା ।

ଏଇଠି ବାବା ଡହରାନନ୍ଦଙ୍କ କିଞ୍ଚିତ ପରିଚୟ ଆବଶ୍ୟକ । ଦିନେ ଆମେ ଚାରିଜଣ ସାନ୍ଧ୍ୟ ଭ୍ରମଣରେ ଯାଉଁ ଯାଉଁ ସ୍ଵର୍ଗଦ୍ୱାର ପାଖରେ ଗୋଟିଏ ବଟବୃକ୍ଷ ତଳେ ଜଣେ ଧ୍ୟାନମଗ୍ନ ଯୋଗୀକୁ ଦେଖିବାକୁ ପାଇଲୁ । ଦେହଯାକ ତା’ର ପାଉଁଶ ବହଳ ହୋଇ ଲେପା ହୋଇଛି । ବ୍ରହ୍ମତାଳୁ ଉପରେ ଗୋଟାଏ ପ୍ରକାଣ୍ଡାକାର ଜଟା । କଟିଦେଶରେ କୌପୀନ । ବାଁ ପଟରେ ଏକ ଭୀଷଣାକାର ତ୍ରିଶୂଳ ପୋତାହୋଇଛି ଏବଂ ଡାହାଣ ପଟରେ କମଣ୍ଡଳୁ । ସାମନାରେ ଗୋଟାଏ ବଡ଼ କାଠ ଗରରେ ନିଆଁ ଧିକି ଧିକି ହୋଇ ଜଳୁଚି । କିଛିକ୍ଷଣ ଆମେ ତା’ ସାମନାରେ ଛିଡ଼ା ହୋଇ ରହିଲୁ । ବିନା ଶ୍ରମରେ ପରମାତ୍ମା ଏବଂ ଧନ ଉଭୟ ଲାଭର ଉପାୟ ପାଇବା ପାଇଁ ଆମେ ସର୍ବଦା ବ୍ୟାକୁଳ ଥାଉଁ ଏବଂ ପ୍ରାୟ ସବୁ ସାଧୁ ସନ୍ନ୍ୟାସୀଙ୍କ ସହିତ ଆମେ ଦେଖା କରିସାରିଚୁ ସେଥିପାଇଁ । ନୂତନ ଜଣେ ସାଧୁ ଦେଖି ଆମେ ଆଶାନ୍ୱିତଭାବେ ଛିଡ଼ାହୋଇ ଅପେକ୍ଷା କରୁଥିଲୁ ଯୋଗୀଙ୍କ ଧ୍ୟାନ ଭାଙ୍ଗିବା ପର୍ଯ୍ୟନ୍ତ । ମଦନ କିନ୍ତୁ ତା’ର ଆଖିରେ ତା’ର ହାତ ଛଡ଼ିଟି ଧୀରେ କେଞ୍ଚି ଦେଲା । ଯୋଗୀ ଧ୍ୟାନ ନିମିଳିତ ଆଖି ଖୋଲି ଆମଆଡ଼େ ଚାହିଁ ସ୍ମିତହାସ୍ୟ କଲେ ।

ମୁଁ ଆନନ୍ଦିତ ହୋଇ କହିଲି, ଆରେ ଏ ଯେ ବାବା ଡହରାନନ୍ଦ !!

ତା’ପରେ ଆମେ ଚାରିଜଣ ବାବାଙ୍କ ସକ୍ରିୟ ବାରଣସତ୍ତ୍ୱେ ତାକୁ ସଶରୀରରେ ଉତ୍ତୋଳନ କରି ରିକ୍‌ସାରେ ବସାକୁ ନେଇ ଆସିଥିଲୁ ଏବଂ ବୈଠକଖାନା ଘରେ ବସାଇ ତାହାର ଜୀବନକାହାଣୀ ଶୁଣିଥିଲୁ । ତା’ପରେ ପୁଣି ତା’ର ଜଟ ଦାଢ଼ି କଟାଇ ଲୁଗା କମିଜ ପିନ୍ଧାଇ କରିଥିଲୁ ଡମ୍ବରୁଧର, ଆମର ପୁରୁଣା ସହପାଠୀ ଓ ବନ୍ଧୁ ଡହରା ଡମ୍ବରୁଧର । ଡହରାମିରେ ସିଦ୍ଧି ଲାଭ କରିଥିବାରୁ ତା’ର ନାଁ, ଆମେ କଲେଜରେ ଦେଇଥିଲୁ ବାବା ଡହରାନନ୍ଦ । ଏହାପରେ ଡହରାନନ୍ଦ ଏକ ସମସ୍ୟା ଉତ୍‌ଥାପନ କଲା, ବର୍ତ୍ତମାନ ସେ ଅବସ୍ଥାରେ ତା’ର ଉଦର ପୂରଣ ହେବ କିପରି ? ଆମର ସମ୍ମିଳିତ ଚେଷ୍ଟାରେ ତାହାର ଜଙ୍ଗଲ ବିଭାଗରେ ଖଣ୍ଡେ ସରକାରୀ ଚାକିରି ହୋଇଗଲା । ସେତେବେଳେ ତା’ର ବୟସ ହେବ ପଇଁତିରିଶ । ଡହରାନନ୍ଦ ସରକାରୀ ଚାକିରିରେ ଆମର ଅନେକ ତଳେ ଥିଲେ ବି ଆମର ପୂର୍ବ ବନ୍ଧୁତ୍ୱ କଦାପି କ୍ଷୁଣ୍ଣ ହୋଇନାହିଁ । ତାହାର କାରଣ ଆମର ଔଦାର୍ଯ୍ୟ ନୁହଁ, ସବୁ ଯେତେବେଳେ କହି ବସିଚି ସେତେବେଳେ ଏ କଥା ମାନିବାକୁ ବାଧ୍ୟ ଯେ ଆମର ଅହମିକା ପୂର୍ଣ୍ଣ ମାତ୍ରାରେ ଅଛି । କିନ୍ତୁ ଡହରାନନ୍ଦ ନ ହେଲେ ଆମର ବୈଠକ ଜମେ ନାହିଁ, ଆମେ ସମସ୍ତେ ଜାଣୁ । ଯାହାକୁ ସେ ନିଜ ଅଙ୍ଗେ ଲିଭାଇଥିବା ଘଟଣା କହେ ସେଥିରୁ ଅନ୍ତତଃ ଅଠାନବେ ପଇସା ବାଦ୍ ଦେବାକୁ ହେବ । ତଥାପି ସେ ଏପରି ରସାଳ ଗଳ୍ପ ସୃଷ୍ଟି କରିପାରେ ଯେ ନିମିଷକେ ଆଡ୍‍ଡ଼ାଟି ଜମିଯାଏ ।

ଆଜି ଏଇ ବିରକ୍ତିକର ପାଗରେ କୌଣସି ଆଲୋଚନା କରିବାକୁ କାହାରିକୁ ଭଲ ଲାଗୁନଥିଲା । କାଳେ କେହି କୌଣସି ଆଲୋଚନା ଆରମ୍ଭ କରିଦେବ ଏହି ଭୟରେ ଆମେ ସମସ୍ତେ ନୀରବ ଥିଲୁ । ଡହରାନନ୍ଦଙ୍କୁ ଦେଖି ଆମେ ସମସ୍ତେ ତେଣୁ ଆନନ୍ଦିତ ହୋଇ ଉଠିଲୁ ।

ଝରକା ପାଖକୁ ଲାଗିଯାଇ ଆମେ ସମସ୍ତେ ଚିତ୍କାର କରି ଡାକିଲୁ ଆସନ୍ତୁ, ଆସନ୍ତୁ ବାବା ଡହରାନନ୍ଦ । ଆଶୀର୍ବାଦ କରିବା ଭଙ୍ଗୀରେ ହାତ ଉଠାଇ ଡହରାନନ୍ଦ ପ୍ରବେଶ କଲା । ଆମ୍ଭେମାନେ ମୁଣ୍ଡ ନୁଆଁଇ କହିଲୁ, ବାବା ଡହରାନନ୍ଦଙ୍କ ଜୟ ହେଉ । ବସନ୍ତୁ, ବସନ୍ତୁ ।

 

ମୋର ଯେ ଅନ୍ୟ କାର୍ଯ୍ୟ ଅଛି ବତ୍ସଗଣ, ଡହରାନନ୍ଦ ଗମ୍ଭୀର ଭାବରେ କହିଲା ।

 

ଯାରେ, ସ୍ଵପ୍ନେଶ୍ୱର ଡହରାନନ୍ଦ ହାତ ଟାଣି ବସାଇଦେଇ କହିଲା ।

 

ମୁଁ କହିଲି, ଆଜି ବାବା ଡହରାନନ୍ଦ ଖଣ୍ଡେ ଛାଡ଼ନ୍ତୁ ଗୁଲ୍ । ଏକଦମ ଗୁମ୍ ମାରି ଯାଇଥିଲା ବୈଠକ ।

 

ଡହରାନନ୍ଦ ଗମ୍ଭୀର ଭାବରେ କହିଲା, ମୁଁ କଦାପି ମିଛ ଗପ କହେନାହିଁ, ଅଙ୍ଗରେ ଲଭାଇଥିବା କଥା କହେ ।

 

ନିଶ୍ଚୟ, ନିଶ୍ଚୟ, ତ୍ରିଲୋଚନ କହିଲା, ଖାଲି କଅଣ ଲିଭାଇଥିବା କଥା, ଅଙ୍ଗରେ ବୋଳି ହୋଇଥିବା କଥାସବୁ ।

 

ମଦନ କହିଲା, ବାବା ଡହରାନନ୍ଦ, ଆଜି ଏ ପାଗରେ ଗୋଟିଏ ଜଟିଳ ପ୍ରେମମୂଳକ ଅନୁଭୂତି କହ । ମେଘାଲୋକେ ଭବତି ସୁଖିନୋଽପ୍ୟନ୍ୟଥାବୃତ୍ତି ଚେତଃ.....

 

ଡହରାନନ୍ଦ ଗମ୍ଭୀର ଭାବରେ କହିଲେ, ମୁଁ ଚିର ସନ୍ନ୍ୟାସୀ ମଣିଷ, ମୋ ଜୀବନରେ ପ୍ରେମର ସ୍ଥାନ ନାହିଁ । ତେବେ ଆଜି ତୁମକୁ ଦୁଇଟି ବାଘୁଣୀ କଥା ଶୁଣାଇବି । ମୋର ନିଜର ପ୍ରତ୍ୟକ୍ଷ ଅନୁଭୂତି ।

 

ହଉ ହଉ ବାଘ ଗଳ୍ପହିଁ ହଉ, ଆମେ ସମସ୍ତେ ରାଜି ହେଲୁ ।

 

ତେବେ ଶ୍ରବଣ କର । ଦି’ ତିନିଥର ଗଳା ପରିଷ୍କାର କରି ସେ ଆରମ୍ଭ କଲା—

 

ତୁମେମାନେ ତ ମିଳିମିଶି ଏ ଚିର ସନ୍ନ୍ୟାସୀକୁ ସଂସାର–ଜାଲରେ ନିକ୍ଷେପ କଲ ଜଙ୍ଗଲ କାମରେ ଚାକିରି ଦେଇ । ଗଲି କଳାହାଣ୍ଡି । ସେଠି ମୋର ବଦଳି ହେଲା ଥୁଆମୂଳ ରାମପୁରକୁ । ଘୋର ଜଙ୍ଗଲ ଜାଗା । ଦେଖ ବାବୁ, ମୁଁ ନିଜ ଅଙ୍ଗରେ ଲିଭାଇଥିବା କଥା କହୁଚି, ମନଗଢ଼ା ଗଳ୍ପ କହୁ ନାହିଁ । ଏଥିରେ ତୁମେ ଯଦି ଭାଷାର ଚାତୁର୍ଯ୍ୟ, ଅଳଙ୍କାର, ଶୈଳୀ, ଭାବ, ନାଟକୀୟ ଉତ୍କଣ୍ଠା ଆଦି ଖୋଜି ବସିବ ତେବେ ନିରାଶ ହେବ । ଯାହା ଯେମିତି ଘଟିଥିଲା ସିଧା ସିଧା କହିଯିବି ।

 

ହଉ ହଉ । ଭଣିତା ଥାଉ, କୁହ, ଆମେ କହିଲୁ ।

 

ବେଶ୍ । ଗଲି ଥୁଆମୂଳ ରାମପୁର । ମୋର ପ୍ରଧାନ କର୍ତ୍ତବ୍ୟ ହେଉଚି ଜଙ୍ଗଲରୁ ଯେପରି କେହି ଅବୈଧ ଭାବରେ ଗଛ କାଟି ନ ନିଅନ୍ତି ସେଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖିବା । ଆଚ୍ଛା, ତୁମ୍ଭମାନଙ୍କ ଭିତରୁ କାହାରି କଳାହାଣ୍ଡି ଯିବାର ସୌଭାଗ୍ୟ ବୋଧହୁଏ ହୋଇନାହିଁ ?

 

—ନା

 

—ଅତି ସୁନ୍ଦର ମନୋରମ ସ୍ଥାନ ! କେବଳ ଗୋଟିଏ ଭୟ ହେଉଚି ବାଘ ଭୟ । ଭାରତରେ ସବୁ ଜଙ୍ଗଲ ଜାଗାଠାରୁ କଳାହାଣ୍ଡିରେ ବାଘଦ୍ୱାରା ମନୁଷ୍ୟ ଓ ପଶୁର ମୃତ୍ୟୁ ବେଶୀ । ବାଘ ଭୟରେ ଗାଁ ଗାଁ ଶୂନ୍ୟ ହୋଇଯାଏ, ଚାଷ କାମ ବନ୍ଦ ହୋଇଯାଏ । ବନ୍ଦୋବସ୍ତ ନଥିରେ ଗୋଟିଏ ଗାଁ ନାଁ ଦେଖି ସେଠି ଯାଇ ହୁଏତ ଦେଖିବ ଗାଁ ନା ଫାଁ, କେହି ନାହାନ୍ତି, ପ୍ରକାଣ୍ଡ ପ୍ରକାଣ୍ଡ ଶାଳ ପିଆଶାଳ ଗଛ, ଘଞ୍ଚ ଜଙ୍ଗଲ । ଏପରିକି କଳାହାଣ୍ଡିର ପ୍ରଧାନ ସହର ଭବାନୀପାଟଣାଠାରୁ ମାତ୍ର ପାଞ୍ଚମାଇଲ ଦୂରରେ ଜଙ୍ଗଲରେ ବାଘ ଦେଖାଯାଇଛନ୍ତି । ଏଇ ତ ଏଥର ବିଧାନସଭାର ଜଣେ ସଭ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ମହୋଦୟ ତଥ୍ୟ ବାଢ଼ିଛନ୍ତି, କଳାହାଣ୍ଡିରେ ବାଘ ଅଛନ୍ତି ୨୪୩୨୧ ଆଉ ବାଘୁଣୀ ୨୫୩୫୩ ।

 

ଯାଃ, ବାଜେ କଥା କଥା କହନା, ମୁଁ କହିଲି ।

 

ବିରକ୍ତ ହୋଇ ଡହରାନନ୍ଦ କହିଲା, ଯାହା ଜାଣନା ସେ ବିଷୟରେ ଏପରି ନିଶ୍ଚିତ ଭାବରେ କହିବା ହେଉଚି ଡହରାମି । ମୁଁ ନିଜେ ଥୁଆମୂଳର ସବୁ ବାଘ ବାଘୁଣୀ ଗଣିଛି । ଆଚ୍ଛା ତୁମେ ସବୁ ବାମାଚରଣଙ୍କୁ ଜାଣ ?

 

ଆରେ ହଁ, ସେଇ ଭଣ୍ଡ, ମୁହଁରେ ସର୍ବଦା ଭଗବାନଙ୍କ କଥା, ଆଉ କାମରେ ଠିକ୍ ଓଲଟା, ମୁଁ କହିଲି ।

 

—ହୋଇପାରେ । ସେ ଆଉ ଡାକ୍ତର ମନୀନ୍ଦ୍ର ଲାଲ—

 

—ଡାକ୍ତର ମନୀନ୍ଦ୍ର ଲାଲ ? ଓଃ ହୋ, ଯିଏ ସେଠି ମେଲେରିଆ ଅଫିସର ଥିଲେ ?

 

—ହଁ, ସେ ଦୁହିଁଙ୍କର ଇଚ୍ଛା ହେଲା କଳାହାଣ୍ଡିର ଜଙ୍ଗଲ ଦେଖିବାକୁ । ବେଶୀ ନିବିଡ଼ ଜଙ୍ଗଲ ଯିବାକୁ ତ ସାହସ ନାହିଁ । ପ୍ରସିଦ୍ଧ ଶିକାରୀ ଲାଲ୍ ସାହେବଙ୍କ ସହିତ ଗଲେ ପାଞ୍ଚ ମାଇଲ ଦୂରକୁ ଗୋଟିଏ ଗାଉଁଲି ଜଙ୍ଗଲକୁ ଦିନ ଏଗାରଟାବେଳେ । କିଛି ଦୂର ଗଲାପରେ ଦେଖିଲେ ଗୋଟିଏ ବାଘ ମରିପଡ଼ିଛି । ତା’ର ଗୋଟାଏ ଗୋଡ଼ କିଏ ଖାଇ ଯାଇଚି । ଆଶ୍ଚର୍ଯ୍ୟ କଥା । ବାଘର ମାଉଁସ ପୁଣି କିଏ ଖାଇବ ? ଲାଲ୍ ସାହେବ କହିଲେ ତା’ର ବାଘୁଣୀ ଖାଇଯାଇଚି ନିଶ୍ଚୟ ପାଖରେ କେଉଁଠି ଅଛି । ତାଙ୍କର ଶିକାରୀ ପ୍ରବୃତ୍ତି ପ୍ରବଳ ହୋଇଉଠିଲା । ସେ କିଛି ଲୋକ ସାଙ୍ଗରେ ନେଇ ବାମାଚରଣ ଓ ଡ଼ାକ୍ତରଙ୍କୁ ଗୋଟାଏ ଗଛ ଉପରେ ବସାଇ ଦେଇ ବାହାରିଗଲେ । ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ । ଚାରିଆଡେ଼ ବନାନୀର ନିସ୍ତବ୍‌ଧତା । ହଠାତ୍ ଗୋଟାଏ ଗେଧ ମାଙ୍କଡ଼ ଦୂରରେ ହୁଙ୍କାର ଦେଲା ଦି ଚାରି ଥର । ଏଟା ବାଘର ଆଗମନ ବାର୍ତ୍ତା ଜଣାଇ ଦିଏ । ଗୋଟାଏ କାଉ ନିକଟସ୍ଥ ଗୋଟାଏ ଡାଳରେ ବସି କା’ କା’ କରି ରାବିଲା ଓ ଏଣେ ତେଣେ ଭୟାର୍ତ୍ତ ଭାବରେ ଚାହିଁଲା । ଦି’ଜଣ ଦୁହିଙ୍କୁ ମୁହୂର୍ତ୍ତକ ପାଇଁ ଚାହିଁଲେ । ମଣିଷ ପ୍ରତି ତାଙ୍କର ସେଇ ଶେଷ ଦୃଷ୍ଟି ଜାଣି ଦୀର୍ଘ ନିଶ୍ଵାସ ପକାଇଲେ । କିଛିକ୍ଷଣ ପରେ ଟିକିଏ ଆଇଁଷିଣିଆ ଗନ୍ଧ ଭାସି ଆସିଲା । ମାଛ ମାଉଁସ ନ ହେଲେ ବି ଟିକିଏ ଆଇଁଷିଣିଆ ଗନ୍ଧ ନ ହେଲେ ଯେଉଁମାନଙ୍କ ଭାତଗୁଣ୍ଡା ଉଠେ ନାହିଁ ସେମାନେ ସେ ଗନ୍ଧରେ ନିସ୍ତେଜ ହୋଇପଡ଼ିଲେ । ତାହାର କିଛିକ୍ଷଣ ପରେ ଶୁଭିଲା ଭୀଷଣ ଗର୍ଜନ ଅତି ନିକଟରେ । ଗଛର ଡାଳକୁ ପ୍ରାଣ ମୂର୍ଚ୍ଛାରେ ଜାବୁଡ଼ି ଧରିଥିଲେ ସୁଦ୍ଧା ସେମାନଙ୍କର ହାତ ଶିଥିଳ ହୋଇଗଲା । ଦୁହେଁ ପାଚିଲା ଫଳ ପରି ଗଛରୁ ତଳେ ଲଥ୍ କିନା ପଡ଼ିଲେ । ତା’ପରେ.....

 

ତା’ପରେ ? ଆମେ ଉତ୍କଣ୍ଠାର ସହ ପଚାରିଲୁ ।

 

—ତା’ପରେ ଭାଗ୍ୟକୁ ଆସି ଅନ୍ୟ ଦଳେ ଶିକାରୀ ପହଞ୍ଚିଗଲେ । ସେମାନେ ଆସି ଦେଖନ୍ତି ଏମାନେ ବେହୋସ ହୋଇ ପଡ଼ିଚନ୍ତି । ଛାଡ଼ ସେ କଥା । ମୁଁ ମୋ ଅଭିଜ୍ଞତା କଥା କହୁଚି । ଦିନେ ରାତି ପ୍ରାୟ ନ’ଟାବେଳେ ଖବର ପାଇଲି ଦଳେ ଲୋକ ଜଙ୍ଗଲ ଭିତରେ ପଶି କାଠ କାଟୁଛନ୍ତି । ସାଙ୍ଗେ ସାଙ୍ଗେ ବନ୍ଧୁକ ଓ ଟର୍ଚ୍ଚ ଆଲୁଅ ଧରି ଛୁଟିଲି ଜଙ୍ଗଲ ଭିତରକୁ । ଥୋଡ଼ା ବାଟ ଗଲାପରେ ଗୋଟାଏ ଗଭୀର ପାହାଡ଼ୀ ନଳା ପଡ଼ିଲା । ଚାରିଆଡେ଼ ନିବିଡ଼ ଜଙ୍ଗଲ । ଆଉ ସେଇ ଜାଗାଟା ପୁଣି ବାଘମାନଙ୍କର ପାଣି ପିଇବା ଜାଗା ଜଣାଥାଏ । ବନ୍ଧୁକରେ ଗୁଳି ଭରତି କରି ଟର୍ଚ୍ଚ ଆଲୁଅ ନେଇ ସାହସ କରି ମୁଁ ଚାଲିଲି । ଟର୍ଚ୍ଚ ଆଲୁଅ ଟିପିବା ମାତ୍ରେ ନଜରରେ ପଡ଼ିଲା ଠିକ୍ କୋଡ଼ିଏ ହାତ ଦୂରରେ ଗୋଟିଏ ବାଘୁଣୀ ଗୋଟାଏ ମଲା ମଣିଷ ଉପରେ ବସିଚି......

 

ବାଘୁଣୀ ବୋଲି କେମିତି ଜାଣିଲ ?

 

—ମଣିଷ ଉପରେ ଦୁଇଟି ବାଘଛୁଆ ବସି ଖାଉଥାନ୍ତି । ବାଘୁଣୀ ମଝିରେ ମଝିରେ ମାଉଁସ ତା’ ନଖରେ ଖେଳାଇ ଦେଉଥାଏ ଆଉ ତା’ର ଛୁଆମାନେ ଦାନ୍ତରେ ଟାଣି ନଖରେ ଆମ୍ଫୁଡ଼ି ଖାଉଥାଆନ୍ତି । ଯେମିତି ମୋ ନଜରରେ ପଡ଼ିଚି ବନ୍ଧୁକ ଉଠାଇଲି ମାରିବାକୁ । ବାଘୁଣୀ ତା’ର ଦୁଇ ଛୁଆଙ୍କୁ ଧକ୍‌କା ମାରି ସଂକେତ ଦେଲା ପଳାଇବାକୁ ଓ ନିଜେ ମଧ୍ୟ ପଳାଇ ଲୁଚିଗଲା ।

 

ହ୍ୟାପ୍ ଏକ ଲମ୍ବର ଡହରା । ତୋ ଲୁଗା ଅବସ୍ଥା କେମିତି ହେଲା ସେତେବେଳେ ? ମଦନ ପଚାରିଲା ।

 

—ଆରେ, କୁଳକୁଣ୍ଡଳିନୀ ଖାଲି ଅତ୍ୟଧିକ ପ୍ରେମରେ ଜାଗ୍ରତ ହୁଏ ନାହିଁ, ଅତ୍ୟଧିକ ଭୟରେ ମଧ୍ୟ ଜାଗେ । କୁଳକୁଣ୍ଡଳିନୀ ଜାଗ୍ରତ ହେଲେ ମଣିଷ ଦୁଃସାଧ୍ୟ କାମ କରିଥାଏ । ଶୁଣ, ବାଘୁଣୀ ତ ଚାଲିଗଲା କିନ୍ତୁ ମୋର ପାଦ ଚଳିଲା ନାହିଁ । ନ ଯଯୌ ନ ତସ୍ଥୌ ଅବସ୍ଥାରେ ପଡ଼ି ସେଇଠି ଛିଡ଼ାହୋଇ ରହିଲି ସେମିତି ସେଇଆଡ଼େ ବନ୍ଧୁକ ମୁହାଇଁ । ଭୟରେ ଗୋଡ଼ ଥରୁଥାଏ । ବାହ୍ୟଞ୍ଜାନ ନ ଥାଏ କହିଲେ ଚଳେ । କେତେବେଳ ପର୍ଯ୍ୟନ୍ତ ସେମିତି ଛିଡ଼ା ହୋଇଥିଲି ଜାଣେ ନା-। ହଠାତ୍‌ ପଛଆଡ଼ୁ ଗୋଟାଏ ପ୍ରଚଣ୍ଡ ନରମ ଧକ୍‌କା ଦୁମ୍ କରି ତଳେ ପଡ଼ିଗଲି । ବନ୍ଧୁକଟା ଛିଟିକିଯାଇ ଅନେକ ଦୂରରେ ପଡ଼ିଲା । ଟର୍ଚ୍ଚ ଆଲୁଅଟା ମଧ୍ୟ ଛିଟିକି ଅଳ୍ପଦୂରରେ ପଡ଼ିଲା । କିନ୍ତୁ ଜଳୁଥାଏ, ମୋ ଆଡ଼କୁ ଆଲୁଅ କରି । ଅଳ୍ପକ୍ଷଣ ପର୍ଯ୍ୟନ୍ତ ମୁଁ ହତଞ୍ଜାନ ହୋଇଗଲି । ଧୀରେ ଧୀରେ ଚେତା ଆସିବାରୁ ସାମାନ୍ୟ ଟିକିଏ ମୁଣ୍ଡ ଟେକି ପଛକୁ ଚାହିଁ ଦେଖିଲି ବାଘୁଣୀ ନାହିଁ । ଏଇ ସୁଯୋଗରେ ପଳାଇ ଯିବାପାଇଁ ଧୀରେ ଧୀରେ ଗୁରୁଣ୍ଡି ଗୁରୁଣ୍ଡି ମୁଁ ହାତେ ଯାଇଛି କି ନା ଗୋଟାଏ ନରମ ଉଷ୍ଣ ଚାପ ମୋ ପିଠି ଉପରେ ଅନୁଭବ କଲି । ଶୀତଦିନ । ସତ କହୁଚି ମୁହୂର୍ତ୍ତକ ପାଇଁ ଭାରୀ ଆରାମ ଲାଗିଲା । ବିଶ୍ଵାସ କରିବ ନାହିଁ, ସେ ନରମ ଉଷ୍ଣ ଚାପପାଇଁ ହେଉ ବା ଅତ୍ୟଧିକ ଭୟରେ ହେଉ ହଠାତ୍‌ ଗୋଟାଏ ଶିହରଣ ଅନୁଭବ କଲି ଅଙ୍ଗେ ଅଙ୍ଗେ । କେମିତି ଗୋଟାଏ କାମଭାବ ଜାଗି ଉଠିଲା ! ଆଶ୍ଚର୍ଯ୍ୟ !

 

—କଅଣ କହୁଚୁ ତୁ !!

 

—ଡହରାଟା !

 

—ଆରେ ଗୋଟିଏ ବର୍ଣ୍ଣ ବି ମିଛ କହୁନାହିଁ । ତା’ପରେ ଶୁଣ । ବାଘୁଣୀ କ’ଣ କଲା ନା, ମୋ’ ଗାଲରେ ଚୁମ୍ୱନ ଦେଲା !!

 

—ଆଏଁ ! ସମସ୍ୱରରେ ଚିତ୍କାର କରି ଉଠିଲୁ ।

 

—ହଁ, ତା’ର ମୁହଁ ନୁଆଁଇ ଦେଇ ମୋ ଗାଲଉପରେ ରଖି ଅତି ଧୀରେ ଧୀରେ ଶୁଙ୍ଘିବାକୁ ଲାଗିଲା । ତା’ର ନିଶ ମୋ ଗାଲରେ ଲାଗି କୁତୁ କୁତୁ ଲାଗିଲା । ମୁଁ ହସି ଉଠିଲି । ପ୍ରକାଣ୍ଡ ଗୋଟାଏ ହାଁ କରି ସେ ହେଁଟାଳିଲା । ଠିକ୍‌ ଯେମିତି ମନେ ହେଲା ସେ ହସି ଉଠିଲା ମୋ ହସରେ ହସ ମିଶାଇ ।

 

ମଦନ କହିଲା, ପୂର୍ବଜନ୍ମରେ ସେ ତୋର ପ୍ରେମିକା ବା ଭାର୍ଯ୍ୟା ଥିଲା ।

 

—ହୋଇପାରେ । ମୋର ଧାରଣା ପୃଥିବୀରେ ସବୁ ପ୍ରାଣୀମାନଙ୍କ ମଧ୍ୟରେ କିଛି ନା କିଛି ଗୋଟାଏ ସମ୍ପର୍କ ଅଛି । ତା’ପରେ କଅଣ ହେଲା ନା ବାଘୁଣୀ ଧୀରେ ମୋ ବେକରେ ଦାନ୍ତ ଲଗାଇଲା । ଦୁଇଟି ସାବଳ ଯେମିତି ମୋର କେବଳ ଦୁଇ ପଟରୁ କେଞ୍ଚି ଦେଲା । କିନ୍ତୁ ଦାନ୍ତ ଚଳାଇଲା ନାହିଁ । ମୁଁ କିନ୍ତୁ ମନେ ମନେ ଗଜନିସ୍ତାରଣ ଗାଇବାକୁ ଲାଗିଲି । ହଠାତ୍‌ ଉଠି ବାଘୁଣୀ ପଳାଇଲା ।

 

ସ୍ଵପ୍ନେଶ୍ୱର କହିଲା, ଗଜନିସ୍ତାରଣ ଗାଇଲେ ନିଶ୍ଚୟ....

 

—ମୁଁ ମଧ୍ୟ ସେଇୟା ଭାବିଥିଲି । ଧୀରେ ଉଠି ପଳାଇବାକୁ ଯେମିତି ଚେଷ୍ଟା କରିଚି ପୁଣି ସେଇ ନରମ ଦେହର ମୃଦୁ ଧକ୍‌କା । ଦୁମ୍ କରି ତଳେ କଚାଡ଼ି ପଡ଼ିଲି ପୁଣି । ବାଘୁଣି ଏଥର ମୋର ହାତ ଦାନ୍ତରେ କାମୁଡ଼ି ଧରି ଟାଣିବାକୁ ଲାଗିଲା । ଜଙ୍ଗଲ ଭିତରକୁ ନିଭୃତ ସ୍ଥାନକୁ । ମୁଁ ଏଥର ବାଘୁଣୀର ଏହି ଶେଷ ଖେଳ ଭାବି ଭୟରେ ଚିତ୍କାର କରି ଉଠିଲି । ବାଘୁଣୀ ପୁଣି ପଳାଇଲା ଜଙ୍ଗଲ ଭିତରକୁ । ଏମିତି କେତେଥର ସେ ମୋ ସାଙ୍ଗରେ ଲୁଚକାଳି ଖେଳିଲା । ମଝିରେ ମଝିରେ ବାଘୁଣୀର ଛୁଆ ଦୁଇଟି ଆସି ଖାଦ୍ୟ ସହିତ ସେମିତି ଖେଳୁଥାଆନ୍ତି । ଏଡ଼େ ସୁନ୍ଦର ଛୁଆ ଯୋଡ଼ିକ ହୋଇ ଥାଆନ୍ତି ଯେ, ସତ କହୁଚି, ତାଙ୍କ ସହିତ ଖେଳିବାକୁ ଇଚ୍ଛା ହେଉଥାଏ-। ମୋର ମାନସିକ ଅବସ୍ଥା ଶେଷରେ ଏପରି ହେଲା ଯେ, ମୁଁ ଭାବିଲି ପାଗଳ ହୋଇଗଲିଣି । ସେ ପରିସ୍ଥିତିକୁ ଥରେ ଅନୁଭବ କର ! ଅଥଚ ତାହାରି ଭିତରେ ମୁଁ ଭାବୁଥାଏ କାଲି ସକାଳୁ କଅଣ ରିପୋଟ ଲେଖିବି, ବଡ଼ ହାକିମ ଘିଅ ମାଗିଥିଲେ କିଣି ଦେବି କେଉଁଠୁ, ଘରଟା ମେଲା କରି ଆସିଚି, ନିଶ୍ଚୟ ଚୋର ପଶି ମୋର ସବୁ ନେଇ ଯାଇଥିବ ! ଆଶ୍ଚର୍ଯ୍ୟ ! ମୋର ମନ ଉପରେ ଆଉ କୌଣସି ଆୟତ୍ତ ରହିଲା ନାହିଁ ସେତେବେଳେ । ମନ ତା ଇଚ୍ଛା ଖାଲି ଭାବୁଥାଏ । ଅଥଚ ପୁଣି ଭାବୁଥାଏ ଏ ସବୁ କଅଣ ଭାବୁଚି ମୁଁ ! କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ହାସ୍ୟାସ୍ପଦ ଭାବନା ସବୁ ଫେରି ଆସୁଥାଏ । ଏମିତି ହେଲା ଯେ ଭଗବାନଙ୍କୁ ମୁଁ ପ୍ରାର୍ଥନା କଲି, ହେ ଭଗବାନ୍ ! ଆଉ ସହ୍ୟ କରିପାରିବି ନାହିଁ, ବାଘୁଣୀ ମୋତେ ମାରିଦେଉ ।

 

ଏହି ସମୟରେ ବାଘୁଣୀ ପୁଣି ଆସି ମୋ ଉପରେ ଶୋଇଲା । ମୁଁ ହାତଯୋଡ଼ି କହିଲି, ମା ମୋତେ ଆଉ ଏମିତି କର ନା ।

 

ବାଘୁଣୀ ଅଟ୍ଟହାସ୍ୟ କରି ଉଠିଲା । ଏହି ସମୟରେ ଅତି ନିକଟରେ ହେଲା ଆଉ ଗୋଟାଏ ବାଘର ଗର୍ଜନ ଏବଂ ସାଙ୍ଗେ ସାଙ୍ଗେ ବନ୍ଧୁକର ଶବ୍ଦ । ସେ ବନ୍ଧୁକର ଶବ୍ଦ ମୋ କାନରେ ଅମୃତ ଢାଳି ଦେଲା ପରି ଲାଗିଲା । ତା ପରେ ମୁଁ ସଂପୂର୍ଣ୍ଣରୂପେ ହତଜ୍ଞାନ ହୋଇଗଲି । ଅତି ବିପଦ୍‌ବେଳେ ଅଭାବିତ ଭାବରେ ରକ୍ଷାର ଉପାୟ ଆସିଗଲେ ମଣିଷ ଅତି ନିଶ୍ଚିନ୍ତରେ ବିହ୍ଵଳ ହୋଇଯାଏ । ସେଇଥିପାଇଁ ତ ସୁଖ ସାଙ୍ଗକୁ ଦୁଃଖ ଲାଗି ରହିଚି । ତା’ପରେ କଅଣ ହୋଇଚି ମୁଁ ଜାଣେନା । ଅନେକ କ୍ଷଣ ପରେ ମୁଁ ଅନୁଭବ କଲି ମୁଁ ଗୋଟାଏ ଜିପ୍‌ରେ ବୁହାହୋଇ ଯାଉଚି । ପରେ ଜାଣିଲି ଯେଉଁମାନଙ୍କୁ ମୁଁ ଧରିବାକୁ ଯାଉଥିଲି ସେଇମାନେ ମୋତେ ବଞ୍ଚାଇଛନ୍ତି । ସେମାନେ ଅନେକ ଗଛ କାଟି ଦେଇଥିଲେ । କିନ୍ତୁ ମୁଁ ତାଙ୍କ ବିରୁଦ୍ଧରେ ଆଉ ରିପୋଟ ଦେଲିନାହିଁ-

 

ଆମେ ସମସ୍ତେ ଉତ୍କଣ୍ଠାରେ ନିଶ୍ୱାସ ଚାପି ଶୁଣୁଥିଲୁ । ସରିଲା ପରେ ସମସ୍ତେ ଏକା ସାଙ୍ଗରେ ଦୀର୍ଘ ନିଃଶ୍ୱାସ ପକାଇ ପଚାରିଲୁ । ସତ କଥା ନା ଡହରାମି ବା ?

 

ଡହରାନନ୍ଦ ହସି କହିଲା, ଏଇ ଦୋଷ ତୁମର ଗଲା ନାହିଁ । କଥାଟା ଶୁଣିଲ, ଉତ୍କଣ୍ଠା, ଆଗ୍ରହ, ଆଶ୍ଚର୍ଯ୍ୟ ହେବା ସବୁ ତୁମର ହେଲା, ଆମୋଦ ପାଇଲ । କଥାଟା ସତ ହେଉ ବା ନ ହେଉ ତୁମର କଅଣ ଗଲା ! ନାଇଁ, କଥାଟା ହେଉଚି ଏ ସବୁ ଯଦି ଗୋଟାଏ ମିଛ ଗପପାଇଁ ଜାତ ହୋଇଥାଏ ତେବେ ଅନୁଶୋଚନା ହେବ ଯେ ତୁମେ ଠକି ଗଲ । ଏଇ ଗୁଣପାଇଁ ତୁମର ଯେତେବେଳେ କି ଭଗବାନଙ୍କପାଇଁ ବ୍ୟାକୁଳତାର ଆନନ୍ଦ ଜାତ ହେଉଚି ସେତେବେଳେ ଠିକ୍ ଭାବୁଚ ଯଦି ଭଗବାନ୍ ନ ଥାନ୍ତି ତେବେ ଠକି ଯିବ । ଅତି ନିକୃଷ୍ଟ ଭାବନା । ସେଥିରେ ତୁମେ ନିଜେ ଠକି ଯିବ ।

 

—ରଖି ଦେ ତୋ ତତ୍ତ୍ୱ କଥା, ଆଚ୍ଛା ଦ୍ଵିତୀୟ ବାଘୁଣୀଟି କେଉଁଠି ଭେଟିଥିଲୁ ? ମୁଁ ପଚାରିଲି ।

 

ଡହରାନନ୍ଦ କିଛିକ୍ଷଣ ଗମ୍ଭୀର ହୋଇଗଲା ଓ ତା’ ପରେ ଦୀର୍ଘ ନିଃଶ୍ୱାସ ପକାଇ କହିଲା, ଏଇ ପୁରୀ ସହରର ରାମଚଣ୍ଡୀ ସାହିରେ ।

 

ବାହାରିଲା ଡହରାମି ! ମଦନ ଧମକାଇ କହିଲା ।

 

ଡହରାନନ୍ଦ ପୁଣି ଦୀର୍ଘ ନିଶ୍ଵାସ ପକାଇ କହିଲା, ଆରେ ନାଇଁ । ତେବେ ଶୁଣ୍ । ମୁଁ ଅନେକ ଦିନରୁ ପୁରୀ ଆସିଲିଣି ବଦଳି ହୋଇ । କିନ୍ତୁ ତୁମ ସହିତ ଦେଖା କରିନାହିଁ, ତା’ର କାରଣ ମୋ କଥାରୁ ବୁଝିପାରିବ । ଆଚ୍ଛା ତମେ ନିଶ୍ଚୟ ଶ୍ରୀ—ବାବୁଙ୍କୁ ଜାଣ । ମୋ ବସା ପାଖରେ ତାଙ୍କର ବସା । ତାଙ୍କର କନ୍ୟାଙ୍କର ନାଁ’ ରସବତୀ ! ରସବତୀ ! ସତେ ଏକା ରସବତୀ ସେ । କବିସମ୍ରାଟଙ୍କ କାବ୍ୟ କବିତାର ଉପଯୁକ୍ତ ନାୟିକା ସେ । ବିଧାତା ଯେପରି କବିସମ୍ରାଟଙ୍କ କାବ୍ୟ କବିତା ପଢ଼ି ତାକୁ ଗଢ଼ିଛନ୍ତି । ବୟସ ହେବ ପ୍ରାୟ ବାଇଶି । ଅର୍ଥାଭାବରୁ ତାଙ୍କର ବିବାହ ହୋଇନଥାଏ ।

 

ଶ୍ରୀ—ବାବୁଙ୍କର ଦିନେ ଦେହ ଭାରି ଖରାପ ହେଲା । ମୋତେ ଡାକରା ପଡ଼ିଲା, ଟିକିଏ ଡାକ୍ତର ଡାକିଦେବା ପାଇଁ । ତାଙ୍କର ଘରକୁ ଗଲି । ଦୁଆର ଖୋଲିଦେଲେ ରସବତୀ । ମୋ ଉପରେ ନଜର ପଡ଼ିବା ମାତ୍ରେ ଅପାଙ୍ଗ ଦୃଷ୍ଟିରେ ଟିକିଏ ଚାହିଁ ମୁରୁକି ହସି ଡାକ ଛାଡ଼ିଲେ, ବୋଉ, ଭାଇ ଆସିଲେଣି । କି ସୁନ୍ଦର ବ୍ୟବହାର । ସତେ ଯେମିତି ମୁଁ ସେମାନଙ୍କ କେତେ ଆପଣାର, କେବେଠୁ ଚିହ୍ନା । ଅଥଚ ସେଇଦିନ ମୋର ହେଲା ପ୍ରଥମ ପରିଚୟ ।

 

ବର୍ଷା ପଡ଼ୁଥାଏ । କିନ୍ତୁ ରସବତୀ ଯେତେବେଳେ କହିଲେ ଡାକ୍ତର ଡାକି ଦେବାକୁ, ମୁଁ ବିନା ଆପତ୍ତିରେ ଦୌଡ଼ିଲି । ଛତା ନେବାକୁ ମଧ୍ୟ ଭୁଲି ଗଲି ।

 

ତା ପରେ କ୍ରମେ କ୍ରମେ ତାଙ୍କ ସହିତ ଘନିଷ୍ଠତା ହେଲା । ରସବତୀଙ୍କ ନିକଟରେ ମୁଁ ଯେତେବେଳ ପର୍ଯ୍ୟନ୍ତ ଥାଏ କେମିତି ବିହଳତା ଭିତରେ ସମୟ ଚାଲିଯାଏ ଜାଣି ପାରେନା ।

 

ଦିନେ ରସବତୀ କହିଲେ, ଡମ୍ବରୁ ଭାଇ, ତୁମେ ନ ଆସିଲେ ମୋତେ ଭାରୀ ଖରାପ ଲାଗେ । କାହିଁକି କହିପାରିବ ?

 

ମୁଁ ଆଉ କାରଣ କହିବି କଅଣ ! ମୁଣ୍ଡ ଭିତର ତ କଅଣ ହୋଇଗଲା । ଖାଲି ଅନେଇ ରହିଲି ତାଙ୍କ ଆଡ଼େ । ବିହଳତା ଭିତରେ କେତେବେଳେ ଯେ ତାଙ୍କ ହାତ ଧରି ପକାଇଚି ଜାଣେ ନା ।

 

ଧିରେ ଧିରେ ହାତ କାଢ଼ି ନେଇ ସେ ମରାଳ ଗମନରେ ଦୌଡ଼ି ଗଲେ ଘର ଭିତରକୁ । ଆଉ କହି ଗଲେ, ଛି, ସେ ସବୁ କଅଣ ?

 

ହଠାତ୍ ଯେମିତି ଖୁବ୍ ଉଚ୍ଚରୁ ଦୁମ୍ କିନା ତଳେ ପଡ଼ିଗଲି । ଆଉ ତାଙ୍କ ଦେଖା ପାଇଲି ନାହିଁ ସେ ଦିନଯାକ ଯେତେଥର ଗଲି ତାଙ୍କ ଘରକୁ କୌଣସି ନା କୌଣସି ଆଳରେ !

 

ସେ ଦିନଯାକ ମୋର ଯେ କି ଦୁଶ୍ଚିନ୍ତାରେ କଟିଛି କଅଣ କହିବି । ଆଶା ଓ ନିରାଶାର ଦ୍ଵନ୍ଦ ଭିତରେ ନିଦ ହେଲାନାହିଁ ।

 

ତା’ ପରଦିନ ସକାଳ ହେବା ମାତ୍ରକେ ପୁଣି ଗଲି । ରସବତୀଙ୍କୁ ଏକା ପାଇ କହିଲି, ମୋତେ କ୍ଷମା କରିବେ, ଆଉ ଏପରି ଭୁଲ ହେବନାହିଁ, ଏଇ ଶେଷ, ନମସ୍କାର, ମୁ ଯାଉଚି ।

 

ମୋର ହାତ ଧରି ପକାଇ ସେ କହିଲେ, ସେଇ ଭୁଲଟାହିଁ ତ ଠିକ୍ ମଣିଷର । ସେ ଭୁଲ ନ ଥିଲେ ତ ମୋର......ଯାଉଛ କୁଆଡ଼େ ? ମୁଁ ଜାଣିଥିଲି ତମେ ଆସିବ, ଜଳଖିଆ ଚାହା କରି ରଖିଚି, ମୋ ରାଣ, ଖାଇଯାଅ । ତା’ପରେ ମୋ ଆଡ଼କୁ ଚାହିଁ (ଆଃ, କି ସୁନ୍ଦର ସେ ଚାହାଁଣୀ !!) ହସି କହିଲେ, ତମ ଚେହେରା ଏମିତି ହେଇଚି କାହିଁକି ? କାଲି ରାତିରେ ନିଦ ହୋଇନାହିଁ ନିଶ୍ଚୟ-?

 

ମୁଁ କହିଲି, ଆଖିପତା ବି ଟିକିଏ ପଡ଼ିନାହିଁ ।

 

—କାହିଁକି ? ଦେହ ଖରାପ ଥିଲା କି ? ଚାକିରିରେ ବେଶୀ ପରିଶ୍ରମ ପଡ଼ୁଚି ମୁଁ ଜାଣେ-

 

—ନା, ନା, ପରିଶ୍ରମ ନୁହେଁ, ଚିନ୍ତା ।

 

—କି ଚିନ୍ତା ତମର ମୁ ଶୁଣେ ? ପୁଣି ସେଇ ମନମତାଣିଆ ଦନ୍ତବିକାଶ ।

 

—ନାଃ, ତୁମେ ଶୁଣି ଆଉ କଅଣ କରିବ । ମୁଁ ଦୀର୍ଘ ନିଶ୍ଵାସ ପକାଇ କହିଲି ।

 

ହଉ ଥାଉ । ମୋର ଶୁଣିବା ଦରକାର ନାହିଁ । ମୁଁ ତମର କିଏ କି ? ମୋର ଭୁଲ୍ । ଏତକ କହି ଅଭିମାନ କରି ସେ ଉଠିଗଲେ ।

 

ଯାହା ମୁଁ କହିବାକୁ ବ୍ୟାକୁଳ ଥିଲି ତାହା କହିପାରିଲି ନାହିଁ । ସେମିତି ଅଭିମାନ କରି ସେ ଜଳଖିଆ ଚାହା ରଖିଦେଇ ଗଲେ ! ମନରେ ଗୋଟାଏ ଅପୂର୍ବ ଆନନ୍ଦ ଜାତ ଦେଲା । ଜଳଖିଆ ଚାହା ଖାଇ ମୁଁ ଅପେକ୍ଷା କରି ରହିଲି ତାଙ୍କ ଆଗମନକୁ । ସେ ଆଉ ଆସିଲେ ନାହିଁ । ଅନେକ ଥର ସେ ମୋ ସାମନାରେ ଯିବା ଆସିବା କଲେ ଘର କାମ କରୁ କରୁ । କିନ୍ତୁ ମୋ ଆଡ଼କୁ ଟିକେ ଫେରି ବି ଚାହିଁଲେ ନାହିଁ ।

 

ମୁଁ ତେବେ ଆସେ କହି ମୁଁ ଉଠିଲି ।

 

—ହଉ, କହି ସେ ଚାଲିଯାଉଥିଲେ ।

 

ଧିରେ ପଚାରିଲି, ପୁଣି ଆସିବି କି ?

 

—ଆସି ପାରନ୍ତି । ଆପଣଙ୍କ ଇଚ୍ଛା । ଗୋଟିଏ ଦୀର୍ଘ ନିଶ୍ଵାସ ତାଙ୍କର ବାହାରି ଆସିଲା-

 

ଭାବିଲି, ଆହା ନାରୀମାନେ କି କୋମଳ । ସତେ ଏକା, ସାମାନ୍ୟ ଟିକିଏ କଥାର ଆଘାତ ବି ସେମାନେ ସହିପାରନ୍ତି ନାହିଁ ।

 

ମୁଁ ମଧ୍ୟ ଅଭିମାନର ଅଭିନୟ କରି ତା’ ପରଦିନ ଗଲିନାହିଁ । ତା ପରଦିନ ବି ଗଲିନାହିଁ-

 

ଦୁଇଦିନ ପରେ ମୁଁ ଛୁଟି ନେଇ ଘରେ ଥାଏ । ସେତେବେଳେ ଏକମାତ୍ର ଧ୍ୟାନ ଥାଏ ମୋର ରସବତୀ । ନାନା କଳ୍ପନା କରୁଥାଏ ତାକୁ କେନ୍ଦ୍ର କରି । ଦିପହର ବେଳେ ହଠାତ୍ କବାଟ ଠେଲି (କବାଟ ମୁଁ ଖୋଲା ରଖିଥିଲି ସେଇ ଆଶାରେ । ଯଦିଓ କେବେ ସେ ମୋ ଘରକୁ ଆସି ନାହାନ୍ତି) ପ୍ରବେଶ କଲେ ରସବତୀ । ମୁଁ ଆଖି ବୁଜି ଶୋଇ ପଡ଼ିଥିବାର ଅଭିନୟ କଲି ।

 

—ଓଃ ହୋ, ନିଜେ ମୋତେ ଅପମାନ କରି ତା’ ଉପରେ ଅଭିମାନ । ସେ ମୋତେ ଧୀରେ ଠେଲିଦେଇ କହିଲେ ।

 

କି ନରମ ସେ ହାତ ଆଉ କଅଣ କହିବି ! ଆଖି ଖୋଲି ଚାହିଁ ଆଶ୍ଚର୍ଯ୍ୟ ହେବାର ଅଭିନୟ କରି କହିଲି, ତୁମେ ?

 

—ହଁ ମୁଁ । ରହିପାରିଲି ନାହିଁ । ଲୁଚି ଚାଲି ଆସିଚି । ଆପଣ ମୋର ସବୁ ଲଜ୍ଜା ହରଣ କରିଛନ୍ତି ।

 

ମୁଁ ଆଉ ସମ୍ଭାଳି ପାରିଲି ନାହିଁ । କୋଳକୁ ଆଉଜାଇ ନେଲି । କି ନରମ ଓ ଉଷ୍ଣ ତାଙ୍କ ଦେହଟି । ମୋ ଦେହକୁ ସିଏ ଲାଗିଗଲେ ।

 

ହଠାତ୍ ମୋତେ ଠେଲିଦେଲେ ସେ ଉଠିପଡ଼ିଲେ । ଆଖିରେ ତାଙ୍କର କ୍ରୋଧ ! ସେ କହିଲେ, ଛିଃ ଡମ୍ବରୁ ଭାଇ । ସେସବୁ ମୋତେ ଭଲ ଲାଗେନା । ସବୁ ପୁରୁଷ ସମାନ । ଖାଲି ସେଇ କଥା । ଭାରୀ ଘୃଣା ହୁଏ । ଆପଣ ତ ମୋର ଭାଇ । ସେ ସବୁ ପୁଣି କଅଣ ? ଛିଃ ।

 

ମୁଁ ଆଉ ସହ୍ୟ କରିପାରିଲି ନାହିଁ । କହିଲି, ରସ, ତୁମର କି ମତଲବ ପରିଷ୍କାର କରି କହ । ମୁଁ ଆଉ ଏ ଜ୍ୱାଳା ସହିପାରୁ ନାହିଁ ।

 

—ମତଲବ ? ମାନେ ! ସେ ଆଶ୍ଚର୍ଯ୍ୟ ଭାବରେ ପଚାରିଲେ । ଟିକିଏ ହସିଲେ ମଧ୍ୟ ।

 

ମୁଁ କହିଲି, ତମେ ଯଦି ଭାଇ ବୋଲି ମୋତେ ଜ୍ଞାନ କରୁଚ ତେବେ ଏମିତି ବ୍ୟବହାର କରୁଚ କାହିଁକି ?

 

ସେ କହିଲେ, ମୁଁ ଜାଣେ ପରା, ସବୁ ପୁରୁଷ ସମାନ, ନାରୀକୁ କେବଳ ଗୋଟିଏ ପ୍ରକାର ସମ୍ପର୍କରେ ସେମାନେ ଭାବନ୍ତି । ମୁଁ କି ବ୍ୟବହାର କରିଚି ଯାହା ଭଉଣୀ ଭାଇ ସହିତ କରେନାହିଁ ଶୁଣେ ?

 

—ଆଚ୍ଛା ତେବେ ଯାଅ ଭଉଣୀ, ଯାଅ ? ମୁଁ କହିଲି ।

 

—ଓଃ ହୋ ? ରାଗ ? ପୁଣି ସେଇ ହସ ।

 

ଓଃ, ପାଗଳ ହୋଇଗଲି ମୁଁ । କି ପ୍ରହେଳିକା ଏ । ମୁଁ ଦୃଢ଼ ଭାବରେ କହିଲି, ଯାଅ ରସ-। ଗଲାବେଳେ ସେ ମୋର ହାତ ଉପରେ ସାମାନ୍ୟ ଟିକିଏ ଚାପ ଦେଇ ମୁରୁକି ହସି ଚାଲିଗଲେ ।

 

ମୁଁ ଆଉ ସ୍ଥିର ରହିପାରିଲି ନାହିଁ । ତାଙ୍କ ପଛେ ପଛେ ତାଙ୍କ ଘରକୁ ଗଲି ଏହାର ଗୋଟାଏ ସମାଧାନ କରିବା ପାଇଁ ।

 

ତାଙ୍କ ଘର ସାମନାରେ ଯାଇ ଶୁଣିଲି, କିଏ ଜଣେ ତାଙ୍କୁ କହୁଚି, ମୁଁ ସବୁ ଖବର ରଖିଚି-। ସବୁ ଶୁଣିଚି । ଏ ଖେଳ ତୁମର ବନ୍ଦ କରିଦେବି ଚିରକାଳ ପାଇଁ ଯଦି ମୋତେ ତମେ ବିବାହ ନ କର । ମୁଁ ଆଉ......

 

ଦୁଆରମୁହଁରୁ ଫେରିଆସିଲି । ଓଃ ହୋ, ତେବେ ଗୋଟିଏ ଶିକାର ସେ କରିସାରିଲେଣି-। ଆଉ ଗୋଟାଏକୁ ଖେଳେଇ ଖେଳେଇ ମାରୁଥିଲେ । ମନଟା ବିଦ୍ରୋହ କରି ଉଠିଲା ନାରୀଜାତୀ ପ୍ରତି । ତୁଳସୀ-ଦାସ ନାରୀଚରିତ୍ର ଠିକ୍ ବୁଝିଛନ୍ତି । ରାତ୍‌ମେ ବାଘିନୀ ପଲକ୍ ପଲକ୍ ଲହୁ ଚୁଷେ......

 

ରୋମାଞ୍ଚକର କାହାଣୀ ସତେ । ଆମେ ଅପଲକ ଦୃଷ୍ଟିରେ ଶୁଣୁଥିଲୁ ।

 

ଡହରାନନ୍ଦ ଦୀର୍ଘ ନିଶ୍ଵାସ ପକାଇ କଥା ଶେଷ କଲା । କିଛିକ୍ଷଣ ନୀରବ ରହି ସେ କହିଲା,ହେଏ, ମୁଁ ବାହା ହେବି । ତୁମେମାନେ ମୋର ସାଙ୍ଗ । ତୁମକୁ ମନ ଖୋଲି କହୁଚି, ଗୋଟାଏ କନ୍ୟା ଠିକ୍ କରିଦିଅ ।

 

ଆଶ୍ଚର୍ଯ୍ୟ ହୋଇ ଆମେ ସମସ୍ତେ ହାଁ କରି ତା ଆଡ଼େ ଚାହିଁ ରହିଲୁ କେବଳ ।

Image

 

ନିର୍ବାଚନ

 

ଜିଲ୍ଲା କଲେକ୍ଟର ସାହେବ ଉଦବିଗ୍ନ ଭାବରେ ମୁଣ୍ଡରେ ହାତ ଦେଇ ବସି ଅଛନ୍ତି । ଚିନ୍ତାର କାରଣ, ପଶ୍ଚିମ ଆଡ଼ୁ ଖଣ୍ଡେ କଳା ମେଘ ଘୋଟି ଆସିଲାଣି । ଟେବୁଲ ଉପରେ ତାଙ୍କର ନାନା ନଥିପତ୍ର, ମାନଚିତ୍ର ନୋଟବହି ଆଦି ଖେଳାମେଳା ହୋଇ ପଡ଼ିଛି । ଆଜିକି ଚାରିଦିନ ହେବ ତାଙ୍କର ଖାଇବା ଶୋଇବାର ଠିକ୍ ନାହିଁ । ଚାରି ଦିନ ହୋଇଗଲା,ସେ ତାଙ୍କ ଘରକୁ ଯାଇନାହାନ୍ତି, ସେଇ କିଲଟରି ଅଫିସ ଘରେ ତାଙ୍କର ଖିଆ ଶୁଆ ଚାଲିଚି ।

 

ପାଞ୍ଚବର୍ଷ ପରେ ପୁଣି ଥରେ ନିର୍ବାଚନ ଆସିଚି । ଜିଲ୍ଲାର ପ୍ରାୟ ଏକ ହଜାର ସ୍ଥାନରେ ଭୋଟ ଗ୍ରହଣ କେନ୍ଦ୍ର ଖୋଲା ଯାଇଚି । କେଉଁ ଦୁର୍ଗମ ପାହାଡ଼ ଖୋଲ ମଝିରେ ଗୋଟିଏ କେନ୍ଦ୍ର ତ ସାତ ନଈ, ସାତ ନାଳ, ବିଲ, ଜଙ୍ଗଲ ପାରିହୋଇ ଆଉ ଗୋଟିଏ କେନ୍ଦ୍ର । ଭୋଟ ଗ୍ରହଣ ପାଇଁ ପ୍ରତ୍ୟେକ କେନ୍ଦ୍ରକୁ ଦଶ ଜଣ କରି ଅଫିସର ମଟରରେ ସୁବିଧାରେ ଯିବେ, ସେଠାରେ ସୁବିଧାରେ ରହିବେ ଏବଂ ଭୋଟ ଗ୍ରହଣ କାମ ସାରି ହୁଏତ ଯିବେ ସେହିପରି ଆଉ ଗୋଟିଏ ଦୁର୍ଗମ କେନ୍ଦ୍ରକୁ-। ଏକାଥରକେ କଚେରୀ ହତାରୁ ବାହାରିବେ ଏହିପରି ଦୁଇଶହ ଦଳ । ସେମାନଙ୍କ ଠାରୁ ଭୋଟ ଭରତି ବାକ୍‍ସ ସବୁ ଆଣିବେ ଏବଂ ଦେଇଆସିବେ ପରବର୍ତ୍ତୀ କେନ୍ଦ୍ରପାଇଁ ଅନ୍ୟ ବାକ୍‍ସ ସବୁ । କଚେରୀ ଘର ବାହାରେ ରଖା ହୋଇଛି ଅସଂଖ୍ୟ ମୋଟର ଗାଡ଼ି, କେଉଁ ମୋଟର କେତେବେଳେ କେଉଁ ଦଳ ନେଇ କେଉଁ ବାଟରେ କେତେ ଦୂର ଯିବ ତାହାର ସଂପୂର୍ଣ୍ଣ ବିବରଣୀ ସହ ଗୋଟିଏ ନିର୍ଦ୍ଦେଶନାମା ପ୍ରତ୍ୟେକ ଦଳକୁ ଦିଆସରିଲାଣି । କେଉଁଠାରେ ମେଲେରିଆର ପ୍ରକୋପ ବେଶୀ, ସେ କେନ୍ଦ୍ରକୁ ଯିବା ଦଳ ସହିତ ଦେବାକୁ ହେବ କୁଇନାଇନ୍ ଓ ପ୍ୟାଲୁଡ଼୍ରିନ୍ । କେଉଁଠାରେ ସମସ୍ତ ଗ୍ରାମଟି କୁଷ୍ଠ ରୋଗାକ୍ରାନ୍ତ, ସେଠାରେ କିପରି ଭାବରେ ସାବଧାନରେ ରହିବାକୁ ହେବ ତାହାର ଗୋଟିଏ ଉପଦେଶାବଳୀ ଦିଆ ସରିଚି । ସମସ୍ତ ଜିଲ୍ଲାଟାର ସମସ୍ତ ଗ୍ରାମ, ରାସ୍ତା, ପ୍ରତ୍ୟେକ ଗ୍ରାମର ଭୂଗୋଳ, ଇତିହାସ କଲେକ୍ଟର ସାହେବଙ୍କ ନଖଦର୍ପଣରେ । ସେ ନିଜେ ସମସ୍ତ ଯୋଜନା ଟିକି ନିଖି ତନଖି ତିଆରି କରିଛନ୍ତି । ରାତି ଦିନ ଲାଗି ତିନିଶହ କିରାଣୀ ଓ ପଚାଶ ସରିକି ଅଫିସର ଖଟୁଛନ୍ତି । ଥରେ ଥରେ ହୁଏତ ମହା ଭୁଲ୍ ହୋଇଯାଇଚି, ସବୁ ଓଲଟ ପାଲଟ ହୋଇଯାଇଚି । କିନ୍ତୁ ଯେତେ ଭୁଲ୍‍ ଭ୍ରାନ୍ତି ହେଉ କେହି କେବେ କଲେକ୍ଟର ସାହେବଙ୍କୁ ଉତ୍ତେଜିତ ହେବାର ଦେଖିନାହାନ୍ତି । ଟିକିଏ ହସି ସେ ନିଜେ କାମରେ ଲାଗି ସୁଧାରି ଦେଇଛନ୍ତି ସବୁ ଭୁଲ । ତାଙ୍କର ଅମାୟିକ ବ୍ୟବହାରରେ ସମସ୍ତେ ଆନନ୍ଦରେ ଖଟି ଚାଲିଛନ୍ତି । କଲେକ୍ଟର ସାହେବ ତାଙ୍କର ବ୍ୟବହାରରେ ଏପରି ଅବସ୍ଥା ସୃଷ୍ଟି କରିଛନ୍ତି ଯେ ଯାହାକୁ ଅଳ୍ପ କାମ ଦିଆହୋଇଚି ତାହାର ମନରେ ଦୁଃଖ ତାହାକୁ କାହିଁକି ବେଶୀ କାମ ଦିଆ ନ ଗଲା ।

 

ଅଧିକାଂଶ ମୋଟର ସ୍ୱ ସ୍ୱ ଗନ୍ତବ୍ୟ ସ୍ଥାନକୁ ବାହାରି ଗଲେଣି । ଆଉ କେତେକ ମୋଟର ସ୍ଵ ସ୍ଵ ଦଳ ସହିତ ନିର୍ଦ୍ଦେଶନାମା ଅପେକ୍ଷାରେ ରହିଛନ୍ତି । ସମସ୍ତଙ୍କୁ ନିର୍ଦ୍ଦେଶନାମା ଦିଆଇ ଯାତ୍ରା କରାଇଦେଇ କଲେକ୍ଟର ସାହେବ କପେ ଚାହା ଖାଇ ନିଜ କଚେରୀ ଘରୁ ପଦାକୁ ବାହାରିଲେ । ଚିନ୍ତିତ ଭାବରେ ସେ ମୁହଁ ଟେକି ଆକାଶକୁ ଚାହିଁଲେ । ପଶ୍ଚିମ ଆକାଶରେ ସେହି କ୍ଷଦ୍ର କଳା ମେଘ ଖଣ୍ଡକ ଆକାଶର ଅଧ ପର୍ଯ୍ୟନ୍ତ ମାଡ଼ି ଆସିଲାଣି । ପବନ ଧୀରେ ଧୀରେ ବହିବାକୁ ଆରମ୍ଭ କଲାଣି ଏବଂ ଅଳ୍ପ ସମୟ ପରେ ସେ ଝଡ଼ରୂପେ ବହିବାକୁ ଆରମ୍ଭ କରିବ ତାହାର ସୂଚନା ଦେଲାଣି । କଚେରୀ ହତାର ଗଛ ସବୁ ଆପତ୍ତି ଜଣାଇ ମୁଣ୍ଡ ହଲାଉଚନ୍ତି । କଲେକ୍ଟର ସାହେବ ବୋଧହୁଏ ଆପତ୍ତି ଜଣାଇ ମୁଣ୍ଡ ହଲାଇଲେ । ତାଙ୍କର ଚିନ୍ତାର କାରଣ, ଯଦି ଝଡ଼ ବର୍ଷା ହୁଏ ତେବେ ମଙ୍ଗଳପୁର ଦଳ କଦାପି ଗନ୍ତବ୍ୟ ସ୍ଥାନରେ ଭୋଟ ପୂର୍ବରୁ ପହଞ୍ଚି ପାରିବେ ନାହିଁ ।

 

ନାଳ ବନ୍ଧରେ ଷାଠିଏ ମାଇଲ ଯିବାପରେ ସେଠାରୁ ବିଲ ମଝିରେ ଯିବାକୁ ହେବ ଦଶ ମାଇଲ । ସେ ଦଶ ମାଇଲ ମୋଟର କୌଣସି ଉପାୟରେ ଯାଇପାରେ । କିନ୍ତୁ ତା ପରେ ନଦାରତ୍ । ତା ପରେ ନଦୀ ପାରିହୋଇ ବିଲ ମଝିରେ ଚାଲିବାକୁ ହେବ ଚାରି ମାଇଲ । ତା ପରେ ଆଉ ଗୋଟିଏ ନଦୀ । ସେ ନଦୀ ପାରିହୋଇ ପୁଣି ଚାଲିବାକୁ ହେବ ଦୁଇ ମାଇଲ । ତା ପରେ ପଡ଼ିବ ଗୋଟିଏ ଜଙ୍ଗଲ, ଅଗ୍ନାଗ୍ନି ବନସ୍ତ କହିଲେ ଚଳେ । ସେଇ ଜଙ୍ଗଲ ମଝିରେ ଗୋଟିଏ ଗାଁ, ନା’ଟି ତାର ମଙ୍ଗଳପୁର । ଭୂଗୋଳ ପୋଥି ପତରରେ ପଛେ ନ ଥାଉ ତାର ନା’ଟି, କିନ୍ତୁ କଲେକ୍ଟର ସାହେବଙ୍କ ପୋଥି-ପତରରେ ତା’ର ନା ତଳେ ଦିଆ ହୋଇଚି ଦୁଇଟି ମୋଟା ମୋଟା ନାଲିଆ ଗାର ଏବଂ ତାଙ୍କ ମାନଚିତ୍ରରେ ସେ ନା’ର ଚାରିପଟେ ଗୋଟିଏ ନାଲିଆ ମୁଣ୍ଡୁଳା ଦିଆହୋଇଚି । ଗାଁଟିର ଅଧିକାଂଶ ହରିଜନ ।

 

କଲେକ୍ଟର ସାହେବ ଚିନ୍ତାକୁଳ ଭାବରେ ବୁଲୁ ବୁଲୁ ପଚାରିଲେ, କିଛି ଖବର ଆସିଲା ?

 

ଜଣେ ଅଫସର କହିଲେ, ସବୁ ଦଳ ସେମାନଙ୍କ ନିଜ ନିଜ କେନ୍ଦ୍ରମାନଙ୍କରେ ପହଞ୍ଚି ଯାଇଥିବାର ଖବର ବର୍ତ୍ତମାନ ଆସିଲା, କେବଳ ମଙ୍ଗଳପୁର ସମ୍ବାଦ ଏ ପର୍ଯ୍ୟନ୍ତ ଆମେ ପାଇନୁ ।

 

ହୁଁ । ମିଶ୍ର ବାବୁଙ୍କୁ ଟିକିଏ ଡାକି ଦିଅନ୍ତୁ ତ । ସେ ତିନି ଖଣ୍ଡ ମୋଟର ନେଇ ଯାଆନ୍ତୁ ମଙ୍ଗଳପୁର ଆଡ଼େ । ବିଳରେ ଯଦି କୌଣସି ମଟର କାଦୁଅରେ ଅଟକି ଯାଇଥାଏ, ...ଆଚ୍ଛା ଚାଲନ୍ତୁ ମୁଁ ନିଜେ ଯାଉଚି ତାଙ୍କ ପାଖକୁ ।

 

ମିଶ୍ରବାବୁ ଓ ଅନ୍ୟାନ୍ୟ କେତେଜଣ ଅଫିସର ଦୁଇ ରାତି ଦୁଇ ଦିନ ଖଟିବା ପରେ ସେତେବେଳେ ଗୋଟିଏ ଘରେ ବିଶ୍ରାମ କରୁଚନ୍ତି । ଚାହା ଓ ଶିଙ୍ଗିଡ଼ା ଖାଇବା ମଝିରେ ମଝିରେ ଚାଲିଚି । ରାଜନୈତିକ ଦର୍ଶନ ଆଲୋଚନା । କାର୍ଯ୍ୟର ଚାପ ଓ ଦାୟିତ୍ଵ ଏତେ ବଢ଼ିଚି ଯେ ସମସ୍ତେ ରାଗିଯାଇ ଗଣତନ୍ତ୍ରକୁ ନିନ୍ଦା କରିବାର ନାନା ଯୁକ୍ତି ବାଢ଼ୁଛନ୍ତି ।

 

ମିଶ୍ରବାବୁ କହିଲେ, ଲୋକଶାସନ ସଫଳ କରିବାକୁ ହେଲେ ଆଗ ଦରକାର ବ୍ୟାପକ ଶିକ୍ଷା । ମୁଁ କଦାପି ବିଶ୍ୱାସ କରିପାରେ ନା ଯେ ଅଇଣ୍ଠୁ ମଳିକ ସବୁ ବୁଝି ବୁଝି ତାର ଭୋଟଟି ଦଉଚି-। ସେ କଅଣ ଜାଣେ କାଶ୍ମୀର ସମସ୍ୟା ବିଷୟରେ, ସେ କଅଣ ଜାଣେ ବାନ୍ଦୁଙ୍ଗ ସମ୍ମିଳନୀ, ପଞ୍ଚଶୀଳ ନୀତି ବିଷୟରେ, ବା ସେ କଅଣ ଜାଣେ ପଞ୍ଚବାର୍ଷିକ ଯୋଜନା ବିଷୟରେ, ସେ ତାର ନିଜ ଦାୟିତ୍ଵ ତୁଲାଇବାକୁ ଉପଯୁକ୍ତ ଶିକ୍ଷା ପାଇନାହିଁ । ତାକୁ ସେ ଶିକ୍ଷା ଦିଆ ହୋଇନାହିଁ, ତାକୁ ଦୁଇଟି ଟଙ୍କା ଯିଏ ଦବ ସେ ତାକୁ ଭୋଟ ଦେବ । ଅତଏବ......

 

କଲେକ୍ଟର ସାହେବ ଏହି ସମୟରେ ଘର ଭିତରକୁ ପଶିଯାଇ ଅଳ୍ପ ହସି କହିଲେ, ସେ କଥା ଯଥାର୍ଥ । କିନ୍ତୁ ଆପଣ ଅଇଣ୍ଠୁ ମଳିକକୁ ଯେତେ ନିର୍ବୋଧ ମନେ କରୁଚନ୍ତି ବାସ୍ତବରେ ସେତେ ନିର୍ବୋଧ ସେ ନୁହେଁ । ତାର ରାଜନୈତିକ ଚେତନା କ୍ରମେ କ୍ରମେ ବିକାଶ ଲାଭ କରୁଚି । ମୁଁ ମୋର ଗସ୍ତବେଳେ ଲକ୍ଷ୍ୟ କରିଚି ଗତ ନିର୍ବାଚନଠାରୁ ଏ ନିର୍ବାଚନ ବେଳକୁ ଲୋକେ ଟିକିଏ ବେଶୀ ବୁଝିବାକୁ ଆରମ୍ଭ କଲେଣି । ଆଉ ଦୁଇଟା ନିର୍ବାଚନ ପରେ ଲୋକେ ଆହୁରି ଅନେକ ବୁଝିଯିବେ । ଲୋକେ ଶିକ୍ଷା ପାଇସାରିବା ପର୍ଯ୍ୟନ୍ତ ଏକଛତ୍ର ଶାସନ ଚାଲିବ, ଏହା କଣ ଆପଣ ଚାହାନ୍ତି ? ତା ଛଡ଼ା, ପ୍ରତ୍ୟେକ ବ୍ୟକ୍ତିକୁ ମିଶାଇ ଯେଉଁ ସମାଜ ସେ ମଧ୍ୟ ଏକ ବ୍ୟକ୍ତି । ସେ ବ୍ୟକ୍ତି ଭାରି ଚଲାଖ । ଗଣତନ୍ତ୍ର ଶାସନର ସଫଳତା ପାଇଁ ଆଉ ଗୋଟିଏ ପ୍ରଧାନ ଉପାଦାନ ହେଉଛି ସେ ଯାହାକୁ ଯେତିକି କାମ ଦିଆ ହୋଇଚି । ସେ ତାହା ପ୍ରାଣପଣେ ତୁଲାଇବାକୁ ଚେଷ୍ଟା କରିବାର ଦାୟିତ୍ୱବୋଧ । ଲୋକ ଶାସନରେ କୌଣସି କାମ ବଡ଼ ନୁହେଁ କି କୌଣସି କାମ ଛୋଟ ନୁହେଁ । ଆମର ଦାୟିତ୍ଵ, ବର୍ତ୍ତମାନ ନିର୍ବାଚନ କାର୍ଯ୍ୟ ନିବିଘ୍ନରେ......

 

ବିଲୁଆ କହୁଚି କୁକୁରକୁ, ବିଲୁଆ କହୁଚି କୁକୁରକୁ, ବିଲୁଆ କହୁଚି କୁକୁରକୁ । ମୋର ସମ୍ବାଦ କଲେକ୍ଟର ସାହେବଙ୍କୁ ଜଣାଅ । ବର୍ତ୍ତମାନ ସମ୍ବାଦ ମିଳିଲା ମଙ୍ଗଳପୁର ଦଳ ମଙ୍ଗଳପୁରରେ ପହଞ୍ଚି ଗଲେଣି । ସମ୍ବାଦ ଶେଷ ହେଲା ।

 

ଅଦୁରେ ରଖା ହୋଇଥିବା ବେତାର ଯନ୍ତ୍ରରୁ ଉକ୍ତ ସମ୍ବାଦ ପ୍ରଚାରିତ ହେଲା । ନିମିଷକେ କଲେକ୍ଟର ସାହେବଙ୍କ ବଦନରେ ଆନନ୍ଦର ହସ ଖେଳିଗଲା । ଏହି ସମୟରେ ମଧ୍ୟ ଗୋଟିଏ ପାରା ଉଡ଼ି ଉଡ଼ି ଆସି ବସି ପଡ଼ିଲା ତାହାର ପିଞ୍ଜରା ଉପରେ । ଗୋଡ଼ରେ ବନ୍ଧା ହୋଇଚି ତାହାର ଖଣ୍ଡେ କାଗଜ । ପାରା ରକ୍ଷକ ସେ କାଗଜଟି ଆଣି କଲେକ୍ଟର ସାହେବଙ୍କୁ ଦେଲେ । କଲେକ୍ଟର ସାହେବ କାଗଜଟି ପଢ଼ି କହିଲେ, ଆସନ୍ତୁ, ଆମେ ସିଂହମାନେ ଏଥର ଜଳଖିଆ ଖାଇବା ।

 

X X X

 

ମଙ୍ଗଳପୁରରେ ଭୋଟ ଦଳ ପହଞ୍ଚିଲେ ସନ୍ଧ୍ୟା ସମୟରେ । ଦଳଟି ଗାଁ ନି: ପ୍ର: ବିଦ୍ୟାଳୟରେ ସେମାନଙ୍କ ଆସ୍ଥାନ ଜମେଇ ସାରିଲେଣି । ସେମାନଙ୍କ ସଙ୍ଗରେ ଦିଆ ହୋଇଥିବା ପେଟ୍ରୋମ୍ୟାକ୍‍ସ ଆଲୁଅ ସଗର୍ଜନେ ଜଳୁଛି । କାଲି ଭୋଟ ଗ୍ରହଣ ପାଇଁ ସେମାନେ ପ୍ରସ୍ତୁତ ହେଉଚନ୍ତି । ଗାଁର ଦଫାଦର, ଚୌକିଦାର ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି । ସେମାନଙ୍କୁ କଲେକ୍ଟର ସାହେବଙ୍କ ଆଦେଶ ଯେ ଭୋଟ ଦଳକୁ ଯେପରି କୌଣସି ସାମାନ୍ୟ ଅସୁବିଧା ଭୋଗ କରିବାକୁ ନ ପଡ଼େ ।

 

ମଙ୍ଗଳପୁର ଗ୍ରାମ ନିର୍ବାଚନ ପାଇଁ ଲଢ଼ିଛନ୍ତି ଦୁଇଟି ଦଳ । ଏଇ ଯେ ଅଇଣ୍ଠୁ ମଳିକ, ସଜନୀ ବେୱା, ଅଗାଧୁ ସୁଇଁ, ଦନେଇ ସାହୁ, ଦୁଲୀ ଦେଇ, ନଣ୍ଡା ଦାସ ପ୍ରଭୃତି ଅର୍ଦ୍ଧନଗ୍ନ ଅବସ୍ଥାରେ ବସି ବୋକାଙ୍କ ଭଳି ବଡ଼ ବଡ଼ ଆଖିରେ ଚାହିଁ ରହିଚନ୍ତି, ସେମାନେ କାଲି ବିଚାର କରିବେ କେଉଁ ଲୋକ ତାଙ୍କର ହାଲ୍‍ହରକତ ବୁଝିବା ପାଇଁ ଉପଯୁକ୍ତ,କେଉଁ ଦଳ କାଶ୍ମୀର ବିଷୟରେ ସହଜ ସମାଧାନ କରିପାରିବ, କେଉଁ ଦଳ ପୃଥିବୀ ଯୁଦ୍ଧ ବନ୍ଦ କରିପାରିବ ସେମାନଙ୍କୁ ମୂର୍ଖ, ଅଜ୍ଞ, ନିର୍ବୋଧ ଜନତା ଭାବନ୍ତୁ ନାହିଁ । ସବୁ ବିଷୟରେ ସେମାନଙ୍କର ଗୋଟାଏ ମୋଟାମୋଟି ଧାରଣା ଅଛି ଏବଂ ସେହି ମୋଟାମୋଟି ଧାରଣାହିଁ ଦେଖାଯାଉଛି ସବୁ ଶାସ୍ତ୍ରର ଶେଷ ସିଦ୍ଧାନ୍ତ । ଭକ୍‍ସ ପପୁଲି ଭକ୍‍ସ ଦେଇ—ପଞ୍ଚମୁଖେ ହରି ।

 

ସପନି ମଳିକ ମୁଣ୍ଡ ଟୁଙ୍ଗାରି କିଣେଇ ସାହୁକୁ ବୁଝାଉଚି, ଆରେ କଥାଟା ବୁଉଝ୍ । ବୋଇଲା, ଦୟା ଦାକ୍ଷିଣ୍ୟ ସେବା ଫଳେ, କିବା ଅସାଧ୍ୟ ମହୀତଳେ ।

 

କିଣେଇ ସାହୁ କିଛିକ୍ଷଣ ଆବାକାବା ହୋଇ ସପନି ମଳିକକୁ ଚାହିଁ କହିଲା, କଅଣ କହୁଚୁ ବା !! ତା କଥାକୁ ତମ କଥା ଖାପ ଖାଇଲା ଟି ? ନା, ନା, କୁହ ମତେ, ତମ କଥା ତା କଥାକୁ ଖାପ ଖାଇଲା ? ଖାପ ଖୋଇ, କଥାକୁ କଥା ଖଞ୍ଜି କହିଲେ ହବନା, ଇଆଡ଼ୁ ସିଆଡ଼ୁ କହିଲେ ଚଳିବ ?

 

ସପନି ମଳିକ ରାଗିଯାଇ ଧଡ଼ପଡ଼ ହୋଇ ଉଠି ବସି କହିଲେ, ବୋଇଲା, କେତେ ଦିନକୁ ମନ କରିଚୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟ...

 

କିଣେଇ ସାହୁ ଖଣ୍ଡେ ବାଟ ଘୁଞ୍ଚି ଯାଇ କହିଲା, ଘଟ କଅଣ ମୋର ଏକା ଛୁଟିବ କି ହେ, ସେ କାଳ ଆଉ ନାହିଁ । ଗୁପ୍ତ୍ୟାନ୍ତେ ସେ ଦଳ ପାଖରୁ ଥୋଡ଼େ ଟଙ୍କା ଲୁଗା ପାଇଯାଇଚ ନା ସବୁ ଜଣା, ଛାଡ଼ । କଅଣ କହୁଚି ସେ ।

 

ଜଣେ ପ୍ରଚାରକ ପଚାରିଲେ, ମୁଁ ଆପଣମାନଙ୍କୁ ଗୋଟିଏ ଅତି ସାଧାରଣ କଥା ପଚାରିବି । ମୋତେ କୁହନ୍ତୁ ଆମ ଦେଶରେ କଅଣ ଲୋକ ନାହାନ୍ତି ଯେ ଏଠୁ ଜଣେ ଅଣଓଡ଼ିଆ ଛିଡ଼ା ହୋଇଚି ?

 

ସମସ୍ତ ଜନତା ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁଲେ ? ହାଡ଼ୁ ସାନ୍ତରା ସଭୟେ ପଚାରିଲା, ଅଣଓଡ଼ିଆ କିଏ ? ଜଣେତ ମିଶ୍ରେ, ଆଉ ଜଣେ ତ ଛୋଟରାୟେ, ଦି ଜଣତ ଆମରି ଗାଁ ଲୋକ !!

 

ପ୍ରଚାରକ କହିଲେ, ହାଁ, ସେଇଠି ତ କଥା । ଛୋଟରାୟେ ଆମ ଗାଁ । ଲୋକ, ହେଲେ ଆମରି ଗାଁ ଲୋକ ନୁହନ୍ତି । ସେ ହେଉଛନ୍ତି ଦିଲ୍ଲୀବାଲା । ସେ ଯାହା କହିବେ, ଯାହା କରିବେ; ଦିଲ୍ଲୀଠୁ ନିର୍ଦ୍ଦେଶ ପାଇଲେ କରିବେ । ଆପଣମାନଙ୍କୁ ପଚାରି, ଆପଣମାନଙ୍କ ପରାମର୍ଶ ନେଇ କରିବେ ନାହିଁ । ତାଙ୍କର ତନୁ, ମନ, କାନ ସବୁ ସବୁ ଦିଲ୍ଲୀରେ, ଏ ଗାଁରେ ନାହିଁ । ଏ ଗାଁରେ ଅଛି ତାଙ୍କର ପ୍ରେତ । କୁହନ୍ତୁ ତେବେ, ସେ ଦିଲ୍ଲୀବାଲା ନା ଏଇ ଗାଁ ଲୋକ ।

 

ଜନତା ନିର୍ବାକ୍ ।

 

ଆର ଦଳର ପ୍ରଚାରକ କହିଲେ, ଏ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ହିଙ୍ଗୁଳା । ତାଙ୍କର ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ । (ନୀରବରେ ପ୍ରଣାମ କରିବା ପରେ) ମା, ମା, ତୁ ତୋ ବାହୁଛାୟା ତଳେ ଏମାନଙ୍କୁ ରକ୍ଷାକର । କୁହନ୍ତୁ, ମା ହିଙ୍ଗୁଳେଈ କେଉଁଠି ଅଛନ୍ତି । ସେ ଯେଉଁ ବରଗଛରେ ଅଛନ୍ତି ସେଇ ବରଗଛ ଆମର ଚିହ୍ନ—ଏଥର ଆପଣମାନେ ବିଚାର କରନ୍ତୁ ଭୋଟ କାହାକୁ ଦେବେ ।

 

ଅସଣା ଷଣ୍ଢେ କିଛିକ୍ଷଣ ପରେ ଛିଡ଼ାହୋଇ କହିଲା, ମା ହିଙ୍ଗୁଳେଈ କଥା ଯଦି କହିଲେ ତେବେ ମୁଁ କହୁଚି ଶ୍ରବଣ କରନ୍ତୁ । ମା ହିଙ୍ଗୁଳେଈ ଆଜି ଶହେ ବର୍ଷ ହେବ ସେହି ଗଛମୂଳେ ଖରା ବର୍ଷା କାକରରେ ପଡ଼ିଛନ୍ତି । ଗୋଟିଏ ସାନ ପକ୍‌କାଘର ତାଙ୍କ ପାଇଁ କରିଦେବାକୁ ଆମେ ଦରଖାସ୍ତ କରି କରି ହଇରାଣ ହେଲୁଣି । ଶେଷ ଦରଖାସ୍ତ ଖଣ୍ଡକ ପଢ଼ୁଚି ଶୁଣନ୍ତୁ । “ଶ୍ରୀ ଶ୍ରୀ ଶ୍ରୀ ପ୍ରଧାନ ମନ୍ତ୍ରୀ ମହୋଦୟ ସମୀପେଷୁ, ଧର୍ମାବତାର । ମା ହିଙ୍ଗୁଳେଈଙ୍କ ଚରଣେ ଶରଣ । ମା ହିଙ୍ଗୁଳାଈ ଆପଣଙ୍କୁ ଦୀର୍ଘଜୀବୀ କରନ୍ତୁ । ଦରଖାସ୍ତର କାରଣ ଏହିକି ଯେ ଆମ୍ଭ ଗ୍ରାମର ମା ହିଙ୍ଗୁଳାଈ ପ୍ରତ୍ୟକ୍ଷ ଦେବୀ ଅଟନ୍ତି । ଆମେ ଏହାର ବହୁ ପ୍ରମାଣ ପାଇଅଛୁ । ଆଜିକି ବହୁବର୍ଷ ଧରି ଆମ୍ଭ ଗ୍ରାମର ଷଠୀ ବରଗଛ ତଳେ ସେ ବିଜେ ଅଛନ୍ତି । ଏଥକୁ ଖରା ବର୍ଷାରେ ତାଙ୍କୁ ବଡ଼ ହଇରାଣ ହେଉଅଛି । ସେ ଗଛରେ ଭୂତ ପ୍ରେତ ଆଦି ବାସ କରୁଥିବାରୁ ରାତିରେ ଭୟରେ କେହି ପୂଜା କରିବାକୁ ଯାଇପାରୁନାହାନ୍ତି । ଆଜିକୁ ଚାରିଦିନ ତଳେ ମା ଆମ୍ଭ ଗ୍ରାମର କାଳସୀକୁ ସ୍ୱପ୍ନରେ କହିଛନ୍ତି ଯେ ସେ ଗୋଟିଏ ପକ୍‌କାଘରେ ରହିବାକୁ ଚାହାନ୍ତି । ଆମ୍ଭ ଗ୍ରାମର ଅଧିକାଂଶ ଦରିଦ୍ର ହରିଜନ ଥିବାସତ୍ତ୍ୱେ ଆମ୍ଭେ ମା’ଙ୍କ ପାଇଁ ଗୋଟିଏ ପକ୍‌କାଘର କରିବାକୁ ଅସମର୍ଥ ଥିବା ଏବଂ ଉପଯୁକ୍ତ ସ୍ଥାନ ନ ଥିବା ସତ୍ତ୍ୱେ ଆମ୍ଭମାନଙ୍କର ବିନୀତ ପ୍ରାର୍ଥନା କି.....”

 

ପ୍ରଚାରକ ବାଧା ଦେଇ କହିଲେ, ହବ, ସବୁ ହବ, କେତେ ଟଙ୍କା ଆପଣଙ୍କର ଦରକାର କୁହନ୍ତୁ ।

 

ସପନି ମଳିକ ଛିଡ଼ାହୋଇ କହିଲେ, ବୋଇଲା, ଯାହା ନୋହିଲା ବାଲ୍ୟକାଳେ, ତାହା ନୋହିବ ପାଚିଲା ବାଳେ ।

ପରଦିନ ସକାଳୁ ଭୋଟ କାର୍ଯ୍ୟ ଆରମ୍ଭ ହେଲା । ପ୍ରଥମେ ଭୋଟ ଦେଲେ ବୃଦ୍ଧ ଦନେଇ ପଧାନ । ଖଣ୍ଡେ ମଇଳା ଗାମୁଛା ପିନ୍ଧିଛନ୍ତି । ଗାମୁଛାର ଗୋଟିଏ ପାଖ ଚିରା ଥିବାରୁ ଫାଳେ ପିଚା ଦିଶୁଚି । କାଖରେ ଗୋଟିଏ ଦାଆ ଗୁଞ୍ଜି ସେ ପହଞ୍ଚିଗଲେ ଭୋଟ ଦେବାକୁ । ସେ କାହାକୁ ଭୋଟ ଦେଲେ କେଜାଣି !!

ତା ପରେ ପରେ ଚାଲିଲା ଭୋଟଦାତାଙ୍କ ସ୍ରୋତ । ବାହାରେ ଜମି ଗଲେଣି ଅନେକ ସ୍ତ୍ରୀଲୋକ । ମୂଖ୍ୟ ନିର୍ବାଚନ ଅଫିସର ଆଦେଶ ଦେଲେ ଏଥର ସ୍ତ୍ରୀଲୋକମାନଙ୍କୁ ଛାଡ଼ନ୍ତୁ ।

ପ୍ରଥମେ ଗଲା ଦୁଲୀ ଦେଈ । ତେଇଶି ବର୍ଷ ବୟସ । କୁନ୍ଦା କୁନ୍ଦା ଦେହ । ସୁପୁଷ୍ଟ ବର୍ତ୍ତୁଳ ନିତମ୍ୱ ଉପରେ ରୂପାର ଗୋଠ ଅଙ୍ଗଶୋଭା ଆହୁରି ବଢ଼ାଇ ଦେଇଛି । କପାଳରେ ଗୋଟିଏ ବଡ଼ ସିନ୍ଦୁର ଟୋପା । ସଖୀ କାନ୍ଧରେ ହାତ ରଖି ସେ ବଙ୍କିମଠାଣିରେ ଛିଡ଼ା ହେଲେ ପ୍ରଥମ ଅଫିସରଙ୍କ ପାଖରେ ।

ନାଁ କଅଣ ? ପଚାରିଲେ ଅଫିସର ।

ଉତ୍ତର ନାହିଁ, କେବଳ ଟିକିଏ ମୁରୁକି ହସ ।

ନାଁ କଅଣ ?

ଉତ୍ତର ନାହିଁ । ସଖୀ କହୁଣିରେ ଟିକିଏ ଠେଲି ଦେଲେ । ନାଁ କଅଣ, କୁହ । ଅଫିସର ଟିକିଏ ବିରକ୍ତ ହେଲେଣି ।

ଧୀରେ ଓଢ଼ଣା ତଳୁ ଶୁଭିଲା, ଦୁଲୀ ଦେଈ ।

ଦୁଲୀ ଦେଈ ?

ଉତ୍ତର ନାହିଁ । କେବଳ ଟିକିଏ ମୁଣ୍ଡ ଟୁଙ୍ଗୁରା ।

ସ୍ଵାମୀ ନାଁ ରଘୁଆ ଭୋଇ ? ଅଫିସର ଭୋଟର ତାଲିକା ଦେଖି ପଚାରିଲେ ।

ଦୁଲୀ ଦେଈ ସଲ୍ଲଜେ ସଖୀ କାନ୍ଧରେ ମୁଣ୍ଡ ରଖି ତାଙ୍କ କାନେ କାନେ କହିଲେ, ଆଗୋ ସହି, ଇୟେ ତାଙ୍କ ନାଁ ବି ଜାଣନ୍ତି !

ଦୁଲୀ ଦେଈ କାହାକୁ ଭୋଟ ଦେଲେ କେଜାଣି ।

Image

 

ସମୁଦୟ

 

କୁନୁ ଥରି ଥରି ଆସି ବୋଉ କୋଳରେ ଗୁଞ୍ଜିଗାଞ୍ଜି ହୋଇ ବସି ବୋଉର ପଣତ କାନି ଟାଣି ଦେହରେ ଘୋଡ଼ାଇ କହିଲା ବୋଉ ଉଁ ହୁଁ ହୁଁ, ଭାରି ଶୀତ କରୁଚି ।

 

କୁନୁ ବୋଉ ଦୁଇପରସ୍ତ କରି ପଣତ କାନି ଘୋଡ଼ାଇ ଦେଇ ପୁଅର ଗୋଡ଼ ଉପରେ ଖଣ୍ଡେ ରେଜେଇ ପକାଇ ଦେଇ କହିଲେ, ଗୀତ ଗା ।

 

କୁନୁ ମୁହଁ ଫୁଲାଇ କହିଲା, ନାଇଁ ନାଇଁ, ଗୋଟେ ସ୍ୱେଟର କିଣିଦବୁ ନାହିଁ, ନାଲିଆ ରଙ୍ଗର ?

 

—ହଉ ଆରମାସରେ ଦେବି, ବାପା ଦରମା ପାଆନ୍ତୁ କିଣି ଦେବି ।

 

କୁନୁବାପା କରଲେଉଟାଇ ରେଜେଇରେ ମୁହଁ ଢାଙ୍କି ଦେଇ ଆଖି ବୁଜିଦେଲେ । ତାଙ୍କର ରେଜେଇ ଟଣାରେ ମିନୁ ଦିହରୁ ରେଜେଇ ଟାଣି ହୋଇ ଖସିଯିବାରୁ ସେ ସକ୍ରନ୍ଦନ ଆପତ୍ତି ଜଣାଇଲା । କୁନୁବୋଉର ମିଜାଜ ଆଜିକାଲି ଭାରି ଖିଟିଖିଟା ହୋଇଗଲାଣି । ସେ ଖେଁକି ହୋଇ କହିଲେ, ବୁଢ଼ାଟି ହେଲାଣି, ଟିକଏ ବିଚାର ନାହିଁ...

 

କୁନୁ ବାପା କିଛି ନ କହି ମିନୁ ଉପରେ ପୁଣି ରେଜେଇ ପକାଇଦେଇ ପୂର୍ବପରି ଆଖିବୁଜି ପଡ଼ି ରହିଲେ ।

 

ବୋଉର ମୁହଁ ଜୋର କରି ନିଜ ଆଡ଼କୁ ଟାଣି ନେଇ କୁନୁ କହିଲା, ନାଇଁ, ନାଇଁ କା’ଲି କିଣିଦବୁ ।

 

କୁନୁ ବୋଉ ନିଶ୍ଚୟତା ଜଣାଇବା ପାଇଁ ମୁଣ୍ଡ ଯଥେଷ୍ଟ ଝୁଙ୍କାଇ କହିଲେ, ହଉ ତେବେ କାଲି କିଣିଦେବି ।

 

କୁନୁ କୌଣସି ବିଷୟରେ ଜିଦ୍ ଧରି କୁହେ ବୋଉ, କହିଥିଲୁ କା’ଲି ଜୋତା କିଣିଦେବୁ ବୋଲି, କାହିଁ ଦେ । କୁନୁ ବୋଉ କହେ, କହିଚି ପରା କା’ଲି ଦେବି ।

 

କାଲି, କାଲି, କାଲି । ଏ କାଲିର ଶେଷ ନାହିଁ । ଏ କାଲି ଅନନ୍ତ । ଏ ‘କାଲି’କୁ ତ୍ୟାଗ କରିବା ପାଇଁ ବୁଦ୍ଧ କାମନା ତ୍ୟାଗ କରିବାକୁ କହିଲେ । ଏ କା’ଲିକୁ ‘ଆଜି’ କରିବା ପାଇଁ ଫରାସୀ ବିପ୍ଳବ ହେଲା, ମାର୍କସ୍ କମ୍ୟୁନିଜମ୍ ଉଦ୍ଭାବନ କଲେ, ଭାରତରେ ସ୍ୱାଧୀନତା ସଂଗ୍ରାମ ହେଲା ଏବଂ ଗୋଟି ଗୋଟି ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଉଚି । କୁନୁ ବୋଉର ମଧ୍ୟ ଏଇ ‘କାଲି’ରେ କେତେ ମାସ କେତେ ବର୍ଷ ବିତିଗଲାଣି । କିନ୍ତୁ ‘କାଲି’ର ଶେଷ ନାହିଁ । ଏ ପ୍ରବହମାନ କାଲି ବୋହି ଚାଲିଛି ଅନନ୍ତକୁ । କୁନୁ ବୋଉର ପଞ୍ଜରା ଭେଦ କରି ଦୀର୍ଘଶ୍ଵାସ ବାହାରି ଆସିଲା । କୁନୁ ବାପାର ରେଜେଇ ଥରେ ସ୍ଫୀତ ହୋଇ ଉଠିଲା । ଯେତେ ପୁଞ୍ଜୀଭୁତ ରୁଦ୍ଧ କାମନା ପରି ଆସି ପୁଣିଥରେ ଭଟ୍ଟାରେ ଶେଷ ହୋଇଗଲା ।

 

କୁନୁ ବୋଉ କୁନୁ ପାଟିରେ ନିଜର ଚର୍ମସାର ସ୍ତନାଗ୍ର ଦେଇ ଶୁଆଇବାକୁ ଚେଷ୍ଟା କଲେ-। କୁନୁର ବୟସ ତିନିବର୍ଷ ହେଲାଣି କିନ୍ତୁ ତଥାପି ତାର ତୃପ୍ତି ଆସିନାହିଁ ।

 

କବାଟ ଝରକା ସବୁ ବନ୍ଦ କରି କୁନୁ ବୋଉ ମୁଣ୍ଡ ଉପରେ ଝରକାରେ ଥୁଆ ହୋଇଥିବା ନଲଠଣଟି କମେଇ ଦେଇ କୁନୁ ବାପା କଡ଼ରେ ଗୁଞ୍ଜି ହୋଇ ଶୋଇପଡ଼ିଲେ । ଆଉ ଗୋଟିଏ ରେଜେଇ ନିଜ ଉପରକୁ ଟାଣି ନେଇ କୁନୁ ଉପରେ ପକାଇ ଦେଲେ ।

 

ସମସ୍ତେ ଚୁପ୍ ଚାପ୍ । କୁନୁ ତାର କାମନାର ସ୍ଵପ୍ନ ଦେଖୁଚି । କୁନୁ ବାପା ମଧ୍ୟ କଳ୍ପନା କରୁଚନ୍ତି କେତେ ସୁଖ । କୁନୁ ବୋଉର କାମନାଗୁଡ଼ିକ ଖାଲି ଦୀର୍ଘଶ୍ୱାସରେ ବାହାରି ଘର ଭିତରର ବାୟୁଘନୀଭୂତ କରୁଚି । ଗୋଟିଏ କଙ୍କି କେଉଁଆଡ଼ୁ ଉଡ଼ିଆସି ନଲଠଣ ଚାରିପଟେ ଫର୍‌ଫର୍ ହୋଇ ବୁଲୁଚି ଏବଂ ନଲଠଣ କାଚ ଭିତରେ ଥିବା ନିଆଁର ଦୁର୍ବାର ଆହ୍ୱାନ ପାଇ ବାରମ୍ବାର ଚେଷ୍ଟା କରିଚି ନିଆଁ ପାଖକୁ ଯିବାକୁ । ନିଜକୁ ନିଃଶେଷ କରିଦେବାର ଆଗ୍ରହରେ ସେ ଯେପରି ଅସ୍ଥିର ହୋଇ ପଡ଼ିଚି ।

 

କୁନୁ ବାପା ହଠାତ୍ ଧଡ଼ପଡ଼ ହୋଇ ବିଛଣାରୁ ଉଠିପଡ଼ି କହିଲେ, ଆରେ ମୁଁ ତ ଆଜି ଏ ପର୍ଯ୍ୟନ୍ତ କାଳି ମନ୍ଦିର ଯାଇନାହିଁ । କେତୁଟା ରାତି ହେଲାଣି !

 

କୁନୁ ବାପା ତରତର ହୋଇ ଉଠି ଗରମ ଗେଞ୍ଜି ଓ ସୂତା ପଞ୍ଜାବି ଖଣ୍ଡ ଦେହରେ ଗଳାଇ ଦେଇ ପୈତୃକ କାଣ୍ଟିଆ ଘୋଡ଼ି ହୋଇ ମଫଲରରେ ମୁଣ୍ଡ, କାନ୍ଧ ଓ ବେକ ନିବୁଜ ଭାବରେ ଘୋଡ଼ାଇ ବାହାରି ପଡ଼ିଲେ । ପ୍ରତ୍ୟହ କାଳି ମନ୍ଦିର ଥରେ ଯିବା ତାଙ୍କର ନିୟମ । ଯେତେ ରାତି ହେଉ ନିଶ୍ଚେ ଯିବେ ।

 

କୁନୁ ବୋଉ ଆଖି ନ ଖୋଲି ପଚାରିଲେ, ମନ୍ଦିର କାମ ନ ସାରି ଘରକୁ ଫେରି ଆସିଥିଲ କିଆଁ ?

 

—ସାଙ୍ଗସାଥୀ ମେଳରେ ବସି ତାସ ଖେଳୁ ଖେଳୁ ଭୁଲି ଯାଇଥିଲି ।

 

ତାସ୍ ଖେଳିବାକୁତ ଦିନେ ଭୁଲୁନା ! ଆଖି ନ ଖୋଲି ସେମିତି ନିର୍ଲିପ୍ତ ଭାବରେ କୁନୁ ବୋଉ ପଚାରିଲେ ।

 

କୁନୁ ବାପା ହଠାତ୍ ଉତ୍‌କ୍ଷିପ୍ତ ହୋଇ ଡାକିଲେ, କଅଣ ହବ ନିଇତି ଯାଇ ? କଅଣ ମିଳୁଚି ସେଥିରେ ? ମୁଁ ଏ ଥଣ୍ଡାରେ ଯାଇପାରିବି ନାହିଁ, ଯାହା ହବାର ହଉ । ଯଉ ଦେଇ ପକାଉଥିଲେ ଭଗବାନ ନ ଦେବେ ସେତକ । କାହିଁକି ଏତେ କଷ୍ଟ ସହି ଯିବିକି ମୁଁ ? କୁନୁବାପା ପଞ୍ଜାବି ଉତାରୁଥିଲେ ।

 

—ବାଜେ କଥାଗୁଡ଼ିକ ଭଲଲାଗେ ନାହିଁ । ସେଇ ମନ ପାଇଁ ତ ଏତେ ଦୁଃଖ । ଗୁହାରି କଲେ ସିନା କେହି ଶୁଣିବେ । ଯାଅ ଶୀଘ୍ର କାମସାରି ଆସ ।

 

କୁନୁବାପା ମୋଜାପିନ୍ଧି ଯୋତାମାଡ଼ି ଘରୁ ବାହାରିଗଲେ । ଝଲକାଏ କନକନିଆ ଉତ୍ତର ପବନ ମଜ୍ଜାଭେଦ କରି ବୋହିଗଲା । କୁନୁବାପା ମଫଲରକୁ ଆହୁରି ଜୋରରେ ଭିଡ଼ିଦେଇ ତରତର ହୋଇ ମୁହାଁଇଲେ କାଠଯୋଡ଼ୀ ନଦୀକୂଳ ଆଡ଼େ । ପ୍ରତ୍ୟହ ଏଇବାଟରେ ସେ ମନ୍ଦିରକୁ ଯାଆନ୍ତି ଓ ଫେରନ୍ତି । ରାତି ବେଶୀ ହୋଇନାହିଁ । ଶୀତଦିନ ରାତି । ଚାରିଆଡ଼େ ନିସ୍ତବ୍‌ଧ, ଜନଶୂନ୍ୟ । ଝଲକାଏ ଥଣ୍ଡା ପବନ ସହିତ ମନରେ ପ୍ରବେଶ କଲା ଗରମ ସୁଟର କାମନା ।

 

ଥଣ୍ଡା ପବନ କୁନୁବାପାଙ୍କ ସହିତ କିଛି ବାଟ ଆସି କାଠଯୋଡ଼ି ନଈ ଭିତରକୁ ଚାଲିଗଲା, ଦୟାକରି ବୋଧହୁଏ । କୁନୁବାପା ଭାବିଲେ ଗଜେନ୍ଦ୍ର ବାବୁଙ୍କ ଭଳି ଗୋଟିଏ ଗରମ ସୁଟ କରିପାରନ୍ତେ କି ! ଭାରି ସୁନ୍ଦର ହୋଇଚି ଏକା ସେ ସୁଟ୍‌ଟି ।

 

କୁନୁ ବାପା ଚାଲୁ ଚାଲୁ କଳ୍ପନା କଲେ ସେମିତି ଗୋଟିଏ ସୁଟ ସେ ପିନ୍ଧି ଚାଲିଚନ୍ତି । ବେକରେ ନେକ୍‌ଟାଇ, ହାତରେ ଦାମିକା ଘଡ଼ି । ପାଦରେ ଦାମୀ ଯୋତା, ବହୁମୂଲ୍ୟ ସ୍ଵେଟର । ଏଇ ପୋଷାକ ପିନ୍ଧି ସେ ଯାଇଚନ୍ତି ରାଜଭବନକୁ, ସେଠାରେ ମିସ୍ ଘୁଙ୍ଗୁରବାଲା...

 

କୁନୁବାପାଙ୍କ ଦନ୍ତ ବିକଶିତ ହେଲା । ହଠାତ୍ ତାଙ୍କ ଚେତା ପଶିଲା ଯେ ତାଙ୍କର କାମନା ତାଙ୍କୁ ଧୀରେ ଧୀରେ ଗହନ ବନ ଆଡ଼େ ନେଇ ଯାଉଚି । ଆଶ୍ଚର୍ଯ୍ୟ ହୋଇ ସେ ମନେ ମନେ କହିଲେ, କି ଆଶ୍ଚର୍ଯ୍ୟ, ପୃଥିବୀ ସୂର୍ଯ୍ୟ ଚାରିପଟେ ପରିକ୍ରମା କରୁ କରୁ ଟିକିଏ ସୂର୍ଯ୍ୟ ନିକଟକୁ ଚାଲି ଆସିଥିବାରୁ ହେଲା ଗ୍ରୀଷ୍ମଋତୁ । ଅତି ସାଧାରଣ ନିୟମ କିନ୍ତୁ ଗ୍ରୀଷ୍ମର ପ୍ରବେଶ ସହିତ ମନରେ ପ୍ରବେଶ କଲେ ସିଲ୍‌କ ପଞ୍ଜାବି, ବିଜୁଳି ପଙ୍ଖା, ଥରେ ଥରେ ମଟର ଗାଡ଼ିରେ ସୁନ୍ଦରୀ ଯୁବତୀକୁ କଡ଼ରେ ବସାଇ ହାଓ୍ଵା ଖିଆ, କାଶ୍ମୀର ସିମଳା । ପୃଥିବୀ ସୂର୍ଯ୍ୟଠୁ ଟିକିଏ ଦୂରକୁ ଚାଲିଗଲା, ପ୍ରବେଶ ହେଲା ଶୀତ । କାମନା କହିଲା ଦାମୀ ପଶମ ପୋଷାକ । ଯୋଉ ଝଲକାଏ ଥଣ୍ଡା ପବନ ତାଙ୍କୁ ଛାଡ଼ି କାଠଯୋଡ଼ି ନଈ ଭିତରକୁ ଚାଲି ଯାଇଥିଲା ସେ କାହାରିକୁ ସାଥୀ ନ ପାଇ ବା କାହାରିକୁ ଉତ୍‌ପୀଡ଼ନ କରିବାକୁ ନ ପାଇ ଫେରିଆସିଲା ବୋଧହୁଏ । କୁନୁବାପାଙ୍କୁ ଦେଖିପାରି ପୁଣି ତାଙ୍କ ସହିତ ଚାଲିଲା । କୁନୁବାପା ବିରକ୍ତ ହୋଇ ପୁଣି ଭଲ କରି ଘୋଡ଼ିଘାଡ଼ି ହୋଇ ଚାଲିଲେ ।

 

...ସେଃ, ଅର୍ଥଶାସ୍ତ୍ର କୁହେ, କନାକୁ ଚାହିଁ କୋଟ କାମିଜ, ଆୟ ଅନୁସାରେ ବ୍ୟୟ କରିବ-। କିନ୍ତୁ ଆୟର ଲୌହ ପ୍ରାଚୀର ପଛରେ ରୁଦ୍ଧ କାମନା ସବୁ ପୁଞ୍ଜୀଭୂତ ହୋଇ ସୃଷ୍ଟି କରେ ବିଦ୍ରୋହ, ବିଦ୍ୱେଷ ଓ ବିଷାକ୍ତ ବିରାଗ । କେଉଁ ଅର୍ଥ ଶାସ୍ତ୍ର ସେଠି ଖଟିଲା କି ? ...କାମନାର ବିନାଶରେ ଦୁଃଖର ବିନାଶ-ବାଃ, ମୁଁ ଯଦି ଏ ଗରମ ପୋଷାକ ପିନ୍ଧିବାର କାମନାକୁ ବିନାଶ କରେ ଏବଂ ସମସ୍ତେ ଏହିପରି ବିନାଶ କରିବାକୁ ସମର୍ଥ ହୁଅନ୍ତି ତେବେ ବିବର୍ତ୍ତନ ତ ବନ୍ଦ ହୋଇଯିବ । ତେବେ ତ ମନୁଷ୍ୟ ସୃଷ୍ଟି ଲୋପ ପାଇଯିବ । କାମନାହିଁ ତ ଉନ୍ନତିର ଉତ୍ସ ।

 

...କାହିଁକି ବା ରୋଧ କରିବି । ମୁଁ ଲକ୍ଷପତି, କୋଟିପତି ହବାକୁ ଚାହୁଁ ନାହିଁ । କ୍ଷଦ୍ର ମୋର କାମନା, ଦୁଇଶହ ବା ତିନିଶହ ବା ତିନିଶହ ଟଙ୍କାର ଗରମ ପୋଷାକଟିଏ । କୁନୁର ଖଣ୍ଡେ ସ୍ଵେଟର କିଣି ପାରୁନାହିଁ ! କୁନୁବୋଉ ଖଣ୍ଡେ ଗରମ ଚାଦର କିଣିବ ବୋଲି ଦୁଇବର୍ଷ ହେଲା ଚେଷ୍ଟା କରୁଚି !! ଘରେ ଗୋଟିଏ ରେଡ଼ିଓ କି ଗ୍ରାମଫୋନ୍ ନାହିଁ ଯେ ମଣିଷ ଖଟି ଖଟି ଆସି ଟିକିଏ ଆରାମରେ ବସି କଷ୍ଟ ଲାଘବ କରିବ !!

 

ନାଃ, ଯା ହବାର ହବ; କାଲି ନିଶ୍ଚୟ ପୋଷାକ ପାଇଁ ବରାଦ ଦେବି ।

 

ଖିଲି ଖିଲି ହସର ସ୍ରୋତରେ କୁନୁବାପା ଚମକି ପଡ଼ି ଚାହିଁ ଦେଖିଲେ ରାସ୍ତା କଡ଼ରେ ଶୋଇଚନ୍ତି ଦୁଇଟି କୁଷ୍ଠ ରୋଗୀ । ଗୋଟିଏ ଘୋଡ଼ି ହୋଇଚି ଶତଚ୍ଛିନ୍ନ ଗୋଟିଏ କନ୍ଥା ଏବଂ ଅନ୍ୟଟି ଘୋଡ଼ି ହୋଇଚି ଗୋଟିଏ ମୋଟା ଅଖା । ମୋଟାଅଖା ଛିଣ୍ଡାକନ୍ଥାକୁ କହୁଚି, ହେଁ ହେଁ ବୁଝିଲୁ, ଯେମିତି ଦେଖିଲି ସେ ପେଟା ମାରୁଆଡ଼ି ଅଖା ଖଣ୍ଡକ କୋଠା ଉପରୁ ତଳକୁ ପକେଇ ଦେଇଚି, ମାଡ଼ି ବସି ତାକୁ ଧରିତ ଭାଗେ । ଗୋଟାଏ ଡାମ୍ଫଣ ଓ ସୁତୁଲି ନେହୁରା ହୋଇ ଜଣକ ଘରୁ ମାଗି ଛିଣ୍ଡା ଜାଗା ସବୁ ସିଲାଇ କରିବାକୁ ବସିଗଲି । ଆଜି କଅଣ କିଛି ଖାଇଚି କି, ଭିକ କି ମାଗି ଯାଇନାହିଁ । କେମିତି ଯିବି କହୁନାହୁଁ ? ଦିନଯାକ ତ ବସିଲି ସିଲେଇ କରିବାକୁ, ଶଳା ହାତଟା ବେଶୀ ଖଣ୍ଡିଆ ହୋଇଗଲାଣି ଯେ ଡାମ୍ଫଣ ଧରି ପାରୁନାହିଁ । ଲାଗିଚି ତ ଦିନଯାକ । ଆଉ ଯା’ହଉ ଆଜି ରାତିକୁ ଆରାମରେ ଟିକିଏ ଶୋଇବି ।

 

ଛିଣ୍ଡାକନ୍ଥା କହିଲା, ହଅରେ ଭାଇ, ଖୁଦା ଯିସ୍‌କୁ ଦେତା ଛପର ଫାଡ଼୍‌କେ ଦେତା ।

 

କୁନୁବାପା ସ୍ତମ୍ଭୀଭୂତ ହୋଇ ସେଠି ଛିଡ଼ାହୋଇ ରହିଲେ ।

Image

 

ବାତାୟନ

 

ନରିବାବୁ ମୃତ୍ୟୁ ଶଯ୍ୟାରେ । ମୁହଁ ତାଙ୍କର ଫିଟୁ ନାହିଁ କିନ୍ତୁ ଜ୍ଞାନ ହରାଇ ନାହାନ୍ତି । ସେ ବେଶ୍ ବୁଝିପାରୁଚନ୍ତି ମୃତ୍ୟୁ ତାଙ୍କର ପାଦ‌ଆଡ଼ୁ ଉପରକୁ ମାଡ଼ି ଆସୁଚି ଧୀରେ ଧୀରେ । ପ୍ରଥମେ ସେ ଗୋଟାଏ ବରଫ ଭଳି ଥଣ୍ଡା ସ୍ପର୍ଶ ପାଦର ବୁଢ଼ା ଆଙ୍ଗୁଳି ଅଗରେ ଅନୁଭବ କଲେ । ସେ ସ୍ପର୍ଶ ତ୍ଵକ୍ ମେଦ, ଅସ୍ଥି ଭେଦ କରି ମଜ୍ଜାରେ ଯାଇ ପହଞ୍ଚିଲା । ତା ପରେ ଗୋଟାଏ ବରଫ ଗୋଲା ଧୀରେ ଧୀରେ ଉଠିବାକୁ ଲାଗିଲା । ଉଠିବା ସାଙ୍ଗେ ସାଙ୍ଗେ ପ୍ରାଣବାୟୁ ପାଦ‌ଆଡ଼ୁ ଛାଡ଼ି ଛାଡ଼ି ଆସିଲା ।

 

ସମସ୍ତେ ତାଙ୍କୁ ଘେରି ବସିଚନ୍ତି । ତାଙ୍କର ବଡ଼ ପୁଅ ଓ ସ୍ତ୍ରୀ କାନ୍ଦୁଚନ୍ତି । ସେ କ୍ରନ୍ଦନ ଧ୍ୱନି ତାଙ୍କୁ ବୋଧହେଉଚି ଯେପରି କାହାର କରୁଣ ସଙ୍ଗୀତ କାହିଁ କେତେ ଦୂରରୁ ଭାସି ଆସୁଚି । ମଝିରେ ମଝିରେ ଗୋଟାଏ ଅତ୍ୟୁଜ୍ଜ୍ୱଳ ଆଲୋକ ତାଙ୍କ ଆଖି ଝଲସାଇ ଦେଉଚି । ହଠାତ୍ କେତେଜଣ ସେଇ ଆଲୋକ ଭିତରୁ ବାହାରି ଆସି ତାଙ୍କୁ ଟେକି ନେଇ ଚାଲିଲେ ମହାଶୂନ୍ୟକୁ । ସେ ମହାଶୂନ୍ୟରେ ଛାୟାପଥ ଉପରେ ସେମାନେ ଚାଲିଚନ୍ତି । ପୃଥିବୀ ଗୋଟିଏ କ୍ଷୁଦ୍ର ମାଟି ପିଣ୍ଡୁଳା ଭଳି ଦିଶୁଚି । କିନ୍ତୁ ସେଥିରୁ ଯେଉଁ କରୁଣ ସଙ୍ଗୀତଟି ଭାସି ଆସୁଚି ସ୍ପଷ୍ଟ ଶୁଭୁଚି । କିଛି ସମୟ ପରେ ନୂପୁରର ସିଞ୍ଜନ ସେ ଶୁଣିବାକୁ ପାଇଲେ, ଝୁଣୁ ଝୁଣୁ, ଝମ୍‌ ଝମ୍ । ମନେ ହେଲା ଖୁବ୍ ନିକଟରେ ଯେପରି କୌଣସି ଉତ୍ସବ ଚାଲିଚି ।

 

ହଠାତ୍ ନିଜ ଛାତି ଉପରେ ଗୋଟାଏ ଗୁରୁପତନରେ ସେ ଚମକି ପଡ଼ି ଅର୍ଦ୍ଧ ନିମୀଳିତ ଚକ୍ଷୁରେ ଦେଖିଲେ ନାରୀର ଗୋଟିଏ ହସ୍ତ ।

 

କିଏ ସେ ନାରୀ ସେ ଚିହ୍ନିପାରିଲେ ନାହିଁ । ସେ ନାରୀର ଦୁଇ ପାଖରେ ଦୁଇଟି ଶିଶୁ । ଗୋଟିଏ ନିର୍ବିକାର ଭାବରେ ସ୍ତନ୍ୟ ପାନ ରତ ଏବଂ ଅନ୍ୟଟି ସୁଖସୁପ୍ତ । ସ୍ତନ୍ୟ ପାନ ରତ ଶିଶୁଟି ଥରେ ତାଙ୍କୁ ଚାହିଁ ଟିକିଏ ମୁରୁକି ହସି ପୁଣି ସ୍ତନ୍ୟ ପାନ କରିବାକୁ ଲାଗିଲା ।

 

ଛାୟାପଥରେ ଏମାନେ କିଏ !

 

...ଓଃ, ନା, ମୁଁ ମରିନାହିଁ । ନିଜ ମରଣ ସ୍ଵପ୍ନ ଦେଖିଲେ ଅନ୍ୟ କେହି ମରନ୍ତି ବୋଲି କହନ୍ତି । ମନେ ପଡ଼ିଯିବାରୁ ମନରେ ତାଙ୍କର ଆନନ୍ଦ ଓ ସାହସ ଫେରି ଆସିଲା । କିନ୍ତୁ ଛାତି ତାଙ୍କର ଏ ପର୍ଯ୍ୟନ୍ତ ଥରୁଚି ।

 

ଶୋଷରେ ତାଙ୍କର ତଣ୍ଟି ଶୁଖି ଯାଉଥିଲା । ପ୍ରୀତିର ରୁଗ୍‌ଣ ହାତଟି ନିଜ ଛାତି ଉପରୁ ଧୀରେ ଉଠାଇ ତଳେ ରଖି ସେ ଟେବୁଲ ଉପରୁ ପାଣି ଗିଲାସଟି ଆଣି ଏକା ନିଶ୍ଵାସକେ ପିଇ ଝରକା ପାଖରେ ଛିଡ଼ା ହେଲେ । ଦୂରରେ ଶୁଭିଲା, ବୋଲି ହରି, ହରି ବୋଲ, ରାମ ନାମ ସତ୍ୟ ହେ ।

 

ପଡ଼ିଶା ଘରେ ବାହାଘର କାମ ଏପର୍ଯ୍ୟନ୍ତ ସରିନାହିଁ । ଛ’ ସାତ ଖଣ୍ଡ ମଟର ଏପର୍ଯ୍ୟନ୍ତ ଛିଡ଼ା ହୋଇଚି । ଗ୍ରାମଫୋନ ବାଜି ଚାଲିଚି, ଆରେ ନାଉରୀ, ଏ ଘାଟରେ ନ ବାନ୍ଧ ତରୀ...

 

ନରିବାବୁ ବିଡ଼ି ଧୂଆଁ ସହିତ ଗୋଟିଏ ଦୀର୍ଘ ନିଃଶ୍ଵାସ ପକାଇ ମନେ ମନେ କହିଲେ, ନାଃ, ତରୀକୁ ଏ ଘାଟରୁ ଅନ୍ୟ ଘାଟକୁ ନେଇଯିବାକୁ ହେବ । ସଂସାରର ଲୀଳା ଖେଳା ସରିଲା ଆମର...ଦେଖୁ ଦେଖୁ ଚାଳିଶ ବର୍ଷ ଗଲାଣି ହେ...ସେ ଦିନ କଥା...ଏହି ସାମନା ପଡ଼ିଆରେ ମୁଁ ବଲ୍ ଖେଳୁଥିଲି...ଆଉ ବେଶୀ ହେଲେ ପନ୍ଦର କି କୋଡ଼ିଏଟି ବର୍ଷ ଜୀବନ ରହିଲା...ସାରତତ୍ତ୍ୱ ପାଶୋରିଣ ସାରିଲୁ ଆୟୁଷ...ସେ ସାରତତ୍ତ୍ୱଟି କ‌ଅଣ ?

 

ସେ ସାରତତ୍ତ୍ୱ ଜାଣିବାକୁ ଚେଷ୍ଟାକଲେ ବଞ୍ଚିରହିବା ଚେଷ୍ଟାରେ ଯେଉଁ ଜଟିଳତା ଉପୁଯିବ ତାକୁ ସମ୍ଭାଳିବ କିଏ ? ...ମୋଟେ ଆଉ କୋଡ଼ିଏ ବର୍ଷ ! ତାପରେ ମୁଁ ହୋଇଯିବି ଅତୀତ ! ଯେମିତି ଅତୀତ ହେଲେଣି ମୋର ବାପା । ଏ ଘର ଥିବ କିନ୍ତୁ ଏ ଘରେ ଶୋଇବେ ମୋ ପୁଅ ଓ ବୋହୂ । ଏ ଦାଣ୍ଡରେ ଏମିତି ଲୋକେ ଯିବା ଆସିବା କରୁଥିବେ, କିନ୍ତୁ ମୁଁ ସେମାନଙ୍କ ଭିତରେ ନ ଥିବି । ଏ କାନ୍ଥରେ ଏମିତି ବାଇସ୍କୋପ କାଗଜ ମରା ହେଉଥିବ, ମୁଁ ଆଉ ବାଇସ୍କୋପ ଦେଖି ଯିବି ନାହିଁ । ମରିଗଲା ପରେ କିଛିଦିନ ହୁଏତ ମୋ ନାଁରେ ଚିଠି ସବୁ ପୂର୍ବ ପର ଆସିବ । ଅଳ୍ପଦିନ ପରେ ବନ୍ଦ ହୋଇଯିବ ।

 

ନରିବାବୁ ଘରକୁ ଚାହିଁଲେ ।

 

କେତେ କଷ୍ଟ ସହି ଏ କୁଡ଼ିଆ ଖଣ୍ଡକ ମୁଁ ତୋଳିଚି, ଖରା ବର୍ଷା ନ ମାନି ମୂଲିଆଙ୍କ ସହିତ ମୂଲିଆ ପରି ଖଟିଚି । ଏ ଘରଟିକୁ ଛାଡ଼ି ଯିବାକୁ ତ ଇଚ୍ଛା ହେଉନାହିଁ । କିନ୍ତୁ ଏଇ ଘରୁ ମୋର ଶବ ଦିନେ କଢ଼ା ହୋଇ ବାଉଁଶରେ ବୁହା ହୋଇ ପୋଡ଼ା ହବ । ତେବେ କେଉଁଥିପାଇଁ ଏ ମୋହ ?

 

ଏଇ ଯେ ନାରୀ ସୁଖସୁପ୍ତା, ଏ କିଏ ? ତା କଡ଼ରେ ଯେଉଁ ଶିଶୁ ଦୁଇଟି ଶୋଇଚନ୍ତି ସେମାନେ ମଧ୍ୟ କିଏ ? ସେମାନଙ୍କ ଭିତରେ ଯେଉଁ “ମୁଁ” ଅଛି ତା ସହିତ ମୋର “ମୁଁ”ର କି ସମ୍ବନ୍ଧ-? ମଣିଷ ମରେ କାହିଁକି ? ପୁଣି ନୂତନ ରୂପେ ଜନ୍ମ ନେବାକୁ ? ବୋଧହୁଏ ଯହିଁରୁ ତାର ଜନ୍ମ ତାକୁହିଁ ଫେରିଯିବାକୁ ସେ ବ୍ୟାକୁଳ ।

 

ପଡ଼ିଶାଘରୁ ଦୁମ୍‌ କରି ଅଇଣ୍ଠା ପତର ଖୁରି ଗିଲାସ ଝରକା ସାମନାରେ ପଡ଼ିଲା । ନରିବାବୁ ହଠାତ୍ ରାଗରେ ଦପ୍ କରି ଜଳି ଉଠିଲେ । ଶ୍ୟେଃ, ବଡ଼ଲୋକ ଦେଖେଇ ହେଉଚନ୍ତି... ଖାତିର ନାହିଁ । ପଡ଼ିଶାଘର, ଅଥଚ ଭଦ୍ରତା ଖାତିରରେ ଗୋଟାଏ ଲୌକିକ ନିମନ୍ତ୍ରଣ ବି କଲେ ନାହିଁ । ଅଥଚ ଦେଖ, ଅଇଣ୍ଠାପତ୍ର ଜାଣିଶୁଣି ଉପରକୁ ଫୋପାଡ଼ୁଚନ୍ତି । ଫୋପାଡ଼, ଫୋପାଡ଼ ସହିବାହିଁ ବଡ଼ କଥା । ଯିଏ ମହାସହ, ସିଏ ମହାଶୟ । ଏଇ, ମୁଁ ଚାପୁଡ଼ା ଖାଉଚି । ଏକ, ଦୁଇ, ତିନି, ଚାରି,... ଆରେ ଏଠି ସିନା ଧନୀ ଦରିଦ୍ର, ସେଠି ସବୁ ସମାନ । ଏ ଗର୍ବ ସେଠି ରହିବ ନାହିଁ । ସେଠି ନର୍କକୁଣ୍ଡରେ ପଡ଼ି ଯେତେବେଳେ ଛଟପଟ ହେଉଥିବ, ସେତେବେଳେ ମୁଁ ... କମ୍ୟୁନିଜମ୍ ଆସିଯାଆନ୍ତା କି, ରସିୟାଟା କଣ କରୁଚି, ମାଡ଼ି ଆସୁନି କାହିଁକି ? ହେ ଭଗବାନ, ଏ ଦାରିଦ୍ର୍ୟ ଆଉ ସହି ହେଉନାହିଁ, ଅନ୍ତତଃ,...ଅନ୍ତତଃ... ପାଞ୍ଚଟି, ନା ଦଶଟି, ନା କୋଡ଼ିଏଟି ହଜାର ହେଲେ... ଏତେ ଲୋକଙ୍କୁ ଏତେ ଦଉଚ ଭଗବାନ୍ ଏ ସାମାନ୍ୟ କୋଡ଼ିଏଟି ହଜାର ତୁମକୁ ବା କେତେ ? କେମିତି ହେଲେ ମୋତେ ଯୋଗାଡ଼ କରି ଦିଅ ।

 

ନରିବାବୁ କଳ୍ପନା କରିବାକୁ ଲାଗିଲେ...

 

ସନ୍ଧ୍ୟାବେଳେ ଖାନ୍ନଗର ମଶାଣି ଦେଇ ସେ ବୁଲି ଯାଉଚନ୍ତି । ହଠାତ୍ ମଶାଣିର ସେଇ ଝଙ୍କାଳିଆ ବରଗଛ ତଳର ଗହଳ ଅନ୍ଧାର ଭିତରୁ ଶୁଭିଲା, ବେଟା, ଇଧର ଆଓ । କତିକୁ ଯାଇ ଦେଖିଲେ, ଜଣେ ଅପୂର୍ବ ସୁନ୍ଦର ସନ୍ନ୍ୟାସୀ । ସନ୍ନ୍ୟାସୀଙ୍କ ଗୋଡ଼ ତଳେ ଲାଗୁନାହିଁ । ହାତଠାରି ତାଙ୍କୁ ନିକଟକୁ ଡାକି ସନ୍ନ୍ୟାସୀ କହିଲେ, ବେଟା, ତୁ ପୁଣ୍ୟବାନ୍ ହେ । ଯା, ଘର ୱାପସ୍ ଯା, ତେରା ମନସ୍କାମ ପୂରଣ୍ ହୋଗା ।

 

ନରିବାବୁ ମନେ ମନେ ମଶାଣିରୁ ଘରକୁ ଦୌଡ଼ିଲେ । ନିଶ୍ୱାସ ଖରେ ବୋହିବାକୁ ଲାଗିଲା । ମୁଣ୍ଡ ତାଙ୍କର ଗରମ ହୋଇଗଲା । ଘରେ ପହଞ୍ଚି ଦେଖିଲେ ଜଣେ ଲକ୍ଷେ ଟଙ୍କା ଧରି ଛିଡ଼ା ହୋଇଚି । ... ଇସ୍, ପ୍ରୀତି ଦେଖି ପକାଇବ ତ...

 

ହଠାତ୍ ତାଙ୍କର ମନେହେଲା, ନା; ଏପରି ଦୈବ ଉପାୟ ଅର୍ଥ ପାଇ ଲାଭ ନାହିଁ । ଲୋକେ ତା ପାଇଁ ବାହାଦୂରୀ ମୋତେ ଦେବେ ନାହିଁ । ... ହେ ଭଗବାନ୍, ମୋତେ ପୃଥିବୀର ଶ୍ରେଷ୍ଠ ସାହିତ୍ୟିକ, ବୈଜ୍ଞାନିକ, ଗାୟକ, ନେତା, ଦାର୍ଶନିକ ଏକାଧାରରେ ସବୁ କରିଦିଅ । ମୁଁ ଆହୁରି ଶହେ ବର୍ଷ...ନା ଦୁଇଶହ...ତିନିଶହ ବର୍ଷ ବଞ୍ଚେ, ଚିରଦିନ ଯୁବକ ଥାଏ । ଖାଲି ମରିବାକୁ ଦଶ ବର୍ଷ, ନା ପାଞ୍ଚ, ନା ତିନି ନା ବର୍ଷଟିଏ ମୁଁ ବୁଢ଼ା ହେବି । ...କେତେ ନାରୀ ମୋ ପ୍ରେମରେ ପଡ଼ିବେ । ଯେଉଁଠାକୁ ଯିବି ଦଳଦଳ ହୋଇ ଯୁବତୀ...

 

ନରିବାବୁ ପ୍ରୀତିକୁ ଅନାଇଲେ ।

 

...କାହିଁକି, କଅଣ ଦେଖି ଯେ ବାପା ମୋ ସହିତ ବିବାହ ଦେଇଥିଲେ ! ନା ଅଛି ରୂପ, ନା ଯୌବନ, ନା କଥା । ସେ ସୁଉଚ୍ଚ କୁଚ କାହିଁ ? ସେ ବର୍ତ୍ତୁଳ ନିତମ୍ବ କାହିଁ ? କେବେ ନ ଥିଲା ବି-! ପୁଣି ଗୋଟିଏ ଅପୂର୍ବ ସୁନ୍ଦରୀ ବିବାହ କରିବି । ତେବେ ପ୍ରୀତିକୁ କଅଣ କରିବି ? ସେ ଥିବ ? ...ନା, ସେ ସତୀ । କେତେ କଷ୍ଟ ସେ ମୋ ପାଇଁ ସହୁଚି । ମୋ’ରି ସୁଖ ପାଇଁ କି ତ୍ୟାଗ ତାର !! ସେ ଦିନେ ମୋରି କୋଳରେ ମୁଣ୍ଡରଖି ମୋତେ ଚାହିଁ ଶେଷ ନିଶ୍ଵାସ...

 

ବୋଲ ହରି, ହରି ବୋଲ୍, ରାମନାମ୍ ସତ୍ୟ ହେ...

 

ଗୋଟାଏ ଶବ ଝରକା ସାମନା ଦେଇ ଗଲା । ବର୍ଷା ଆସୁଛି । ଶବବାହକମାନେ ଦୌଡ଼ିଛନ୍ତି, ଶୀଘ୍ର କାମ ଶେଷ କରି ଫେରିବେ । ସେମାନଙ୍କ ପଛରେ ଜଣେ ପେଟ୍ରୋମାକ୍‍ସ ନେଇ ଦୌଡ଼ିଚି । ନରିବାବୁ ତାକୁ ଚିହ୍ନିପାରି ଡାକିଲେ, କିରେ ହରି, କିଏ କିରେ ?

 

ବାପା ପରା ।

 

ଆଁ-ଏ ! ପୀତବାସ !! ଆଜି ସନ୍ଧ୍ୟାବେଳେ ପରା ଆମେ ଏକାସାଙ୍ଗରେ ବଜାର କରି ଫେରିଲୁ !!! କଅଣ ହେଲା ଇୟା ଭିତରେ ?

 

କିଛି ତ ନାହିଁ ଆଜ୍ଞା । ଆସିଲେ, ଗୋଡ଼ ହାତ ଧୋଇ ଜଳଖିଆ ଖାଇ ଟିକିଏ ବସିଲେ । ଦେହଟା ଟିକିଏ କେମିତି ଲାଗିବାରୁ ବିଛଣାରେ ଯାଇ ଗଡ଼ି ପଡ଼ିଛନ୍ତି କି ନାହିଁ ଗୋଡ଼ ଆଡ଼ୁ କଅଣ ଗୋଟାଏ ତ ମାଡ଼ି ଆସିଲା । ବିଛଣାରେ ଖାଲି ଛଟପଟ ହେଲେ । ସାଙ୍ଗେ ସାଙ୍ଗେ ଗାଡ଼ି ଡାକି ମୁଁ ନେଲି ଡାକ୍ତରଖାନା । ବାଟରେ ତ...ଥରେ ମାତ୍ର ମୋତେ ଚାହିଁ ମୋ ହାତକୁ ଜାପୁଟି ଧରି କଅଣ କହିବାକୁ ଯାଉଥିଲେ, କହି ପାରିଲେ ନାହିଁ, ଓଠ ଥରି ଉଠିଲା, ଆଖିରୁ ଲୁହ ଝରି ପଡ଼ିଲା... ଶେଷ..., ମୁଁ ଯାଉଛି ଆଜ୍ଞା...

 

ନରିବାବୁ ଆଁ କରି ଚାହିଁ ରହିଲେ ।

 

...ଅଥଚ ମୁଁ ଭାବୁଚି ତିନିଶହ ବର୍ଷ ବଞ୍ଚିବି ? ସବୁ ଭୋଗ କରିବି ! ...ଓହୋ, ଏହି କାମନା ପାଇଁ କେତେ ଲୋକଙ୍କୁ ମୁଁ ମନେ ମନେ ଅଭିଶାପ ଦେଲିଣି, କେତେ ଲୋକଙ୍କୁ ମାରି ସାରିଲିଣି ! ଏ କାମନା ମୋତେ ତିଳେ ତିଳେ ଖାଉଚି । ଜାଳି ଦେଇ ସାରିଲିଣି । ହେ ଭଗବାନ, କେମିତି ଏହାର ଦାଉରୁ ମୁଁ ନିସ୍ତାର ପାଇବି ? ମୋର କିଛି ଲୋଡ଼ା ନାହିଁ, ମୋତେ ଏ କାମନାର ଦହନରୁ ବଞ୍ଚାଅ । ହେ ଭଗବାନ, ମୋତେ ଆନନ୍ଦସାଗରର ସନ୍ଧାନ ଦିଅ...କାଞ୍ଚନେ ବାଞ୍ଛା ନାହିଁ ମୋର, ମାଗଇ...କାହାକୁ ମାଗଇ ? କିଏ ଶୁଣୁଚି ? ମରିବି, ଏଇ ତୀବ୍ର କାମନା ମୋତେ ଜାଳି ଦେବ । କାମନାର ଦାଉରେ ମୁଁ କେବଳ କଳ୍ପନାରେ ନିଜର ଶକ୍ତି ବଢ଼ାଉଚି ସିନା । ଦିନକୁ ଦିନ କ୍ଷମତାରହିତ ହୋଇ ଯାଉଚି । ହତାଶ ଭାବରେ ନରିବାବୁ ଚାରିଆଡ଼କୁ ଚାହିଁଲେ ।

 

ପୂର୍ବ ଗଗନରେ ସୁନ୍ଦରା ଫାଟିଲାଣି । ପାହାନ୍ତି ତାରାଟି ଦପ୍ ଦପ୍ ହୋଇ ଜଳୁଚି । ଲୋକେ ଗାଧୋଇବାକୁ ବାହାରିଗଲେଣି । କିଏ ଜଣେ ଗାଇଗାଇ ଯାଉଛି—ମଧୁବାତା ଋତାୟତେ...ମଧୁ କ୍ଷରନ୍ତି ସିନ୍ଧବଃ... ମଧୁ...

 

ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ନରିବାବୁ କହିଲେ, ନା, ନା, ତୁମେ ଅଛ । ତୁମେ ପାପରେ ଅଛ, ପୁଣ୍ୟରେ ଅଛ, ମୋ ଅସହ୍ୟ କାମନାରେ ମଧ୍ୟ ତୁମେ...ମୋ ପ୍ରେମରେ ମଧ୍ୟ ତୁମେ...ଉଃ କି ସୁନ୍ଦର ! କି ଆନନ୍ଦ ! ତୁମର ସୁର ସାଙ୍ଗରେ ସୁର ମିଳାଇ ମୁଁ ଅମୃତର ଗାନ ଗାଇବି...ସବୁ ସୁନ୍ଦର, ସବୁ ଭଲ, ସମସ୍ତେ ଭଲ...ମଧୁ, ମଧୁ, ମଧୁ......ଶୁଣୁଚ, ଉଠ । ତେଲ ଦିଅ, ଗାଧୋଇ ଯିବି ।

 

ପ୍ରୀତି ଉଠି ବସି ଆଶ୍ଚର୍ଯ୍ୟ ହୋଇ କହିଲେ, ଗାଧୋଇବ ! ରାତି ନ ପାହୁଣୁ । ଯିଏ ଦିନ ନ’ଟା ବେଳେ ବିଛଣା ଛାଡ଼ୁଥିଲା...

 

...ନା, ନା, ସେ ସବୁ ଆଉ ଚଳିବ ନାହିଁ । ନିରାଶ୍ରୟ ମାଂ ଜଗଦୀଶ ରକ୍ଷ । ମୁଁ ଯାଉଚି ଗୁହାଳ ସଫା କରିବାକୁ । ତୁମେ ତେଲ ଗାମୁଛା ଯୋଗାଡ଼ କରି ରଖିଥିବ ।

 

...ଗୁହାଳ ସଫା କରିବ ତୁମେ ! ତୁମର ହେଲା କଅଣ !!

 

ନରିବାବୁ ଟିକିଏ ହସି ଚାଲିଗଲେ ଗୁହାଳ ସଫା କରିବାକୁ ।

Image

 

ସଙ୍କଟ

 

ବ୍ରହ୍ମାନନ୍ଦ ଯେତେବେଳେ ଆମେରିକାକୁ କୃଷି ବିଦ୍ୟା ପଢ଼ିବାକୁ ଯାଇଥିଲେ ସେତେବେଳେ ମିଃ ଗ୍ରିଫଲ୍‌ଙ୍କ ସହିତ ତାଙ୍କର ଖୁବ ବନ୍ଧୁତା ହୋଇଥିଲା । ଦୁଇ ଜଣ ସେତେବେଳେ ଯୁବକ ଥିଲେ । ଦୁହିଙ୍କ ମନରେ ଥିଲା ଅସୀମ ଉତ୍ସାହ ଓ କର୍ମପ୍ରେରଣା । ଦୁଇ ବନ୍ଧୁଙ୍କ ମଧ୍ୟରେ ଅନେକ ଆଲୋଚନା ହୁଏ । ଦୁହିଁଙ୍କ ମତ ପରସ୍ପର ବିରୋଧି ହେଲେହେଁ ଦୁହିଁଙ୍କ ବନ୍ଧୁତ୍ୱ ଉପରେ ତାହା କୌଣସି ଆଞ୍ଚ ଆଣି ପାରିନଥିଲା । ଉପରନ୍ତୁ ପରସ୍ପର ଆଲୋଚନା ସେମାନଙ୍କର ବନ୍ଧୁତ୍ୱକୁ ଅଧିକ ପ୍ରଗାଢ଼ କରିଥିଲା ।

 

ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭର ଠିକ୍ ପୂର୍ବରୁ ବ୍ରହ୍ମାନନ୍ଦ ଭାରତ ଫେରି ଆସି ସ୍ଥିର କଲେ ଯେ ଦେଶରେ କୃଷିର ଉନ୍ନତି ଆଣିବା ପୂର୍ବରୁ ଆବଶ୍ୟକ ଦେଶର ସ୍ଵାଧୀନତା । ସେ ତେଣୁ ଭାରତର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଲେ ।

 

ମିଃ ଗ୍ରିଫଲ୍ ସେତେବେଳକୁ ଗ୍ରିଫଲ୍ ଗ୍ର୍ୟାବଲ୍ ଏଣ୍ଡ କୋଃର ପ୍ରଧାନ ଅଂଶୀଦାର । ନିଉୟର୍କରେ ତାଙ୍କର ପ୍ରାସାଦୋପମ ଅଟ୍ଟାଳିକା । ପ୍ରାସାଦଟି ରାଜୋପଯୋଗୀ ହେଲେହେଁ ଗ୍ରିଫଲ୍ ତାର ନାଁ ରଖିଚନ୍ତି ‘ଦି ହଟ୍’, ଅର୍ଥାତ୍ ଏହା ଗୋଟିଏ କୁଟୀର । ବିଷଧରର ସୌନ୍ଦର୍ଯ୍ୟ ଯେପରି ଅଧିକ ଆତଙ୍କ ସୃଷ୍ଟି କରେ, ଗର୍ବୀର ବିନୟ ଯେପରି ତାର ଔଦ୍ଧତ୍ୟକୁହିଁ ଅଧିକ ଫୁଟାଏ, ଶୋଷକର ଦାନ ଯେପରି ଶୋଷଣର ଅଧିକ ସୁବିଧା କରେ, କିମ୍ବା ବଳବାନର ଶାନ୍ତିବାଣୀ ଯେପରି ଅଧିକ ଭୟ ଉପୁଜାଏ, ଏ ପ୍ରାସାଦର କୁଟୀର ଆଖ୍ୟାଟି ବୋଧହୁଏ ସେହିପରି ତାର ସ୍ୱରୂପଟି ଅଧିକ ପ୍ରକାଶ କରୁଥିଲା ।

 

ଗ୍ରିଫଲ୍ ବିବାହ କଲେଣି ପ୍ରାୟ ପାଞ୍ଚବର୍ଷ ହେବ । ତାଙ୍କର ସ୍ତ୍ରୀ କ୍ଳାରା ଖୁବ୍ ସୁନ୍ଦରୀ । ଦୁଇ ଜଣ ସୁଖାନ୍ଵେଷୀ । ଦୁଇଜଣହିଁ ଏକମତ ଯେ ଆୟ କେତେ ହଜାର ଡଲାର ନ ହେବା ପର୍ଯ୍ୟନ୍ତ ସନ୍ତାନର ପିତାମାତା ହେବେନାହିଁ ।

 

ନିଦରୁ ଉଠି ଗ୍ରିଫଲ ସୁଇଚ୍ ଟିପିଲେ । ଭୃତ୍ୟ ଚାହା ଆଣି ଦେଲା । ବିଛଣାରେ ଶୋଇ ଚାହା ପାନ କରି ତରତର ହୋଇ ସେ ଗାଧୋଇବା ଘରକୁ ଗଲେ । ଅଳ୍ପ ସମୟ ଭିତରେ ନିତ୍ୟକର୍ମ ଶେଷ କରି ଜଳଖିଆ ଖାଇ ବସିଲେ । ଟେବୁଲ ଉପରେ ଖାଦ୍ୟର ପ୍ରାଚୁର୍ଯ୍ୟ ଓ ବୈଚିତ୍ର୍ୟର ଅଭାବ ନାହିଁ । ଗ୍ରିଫଲ ସାମାନ୍ୟ ଟିକିଏ ଆହାର କରୁ କରୁ ଚିଠି ପତ୍ର ପଢ଼ିବାକୁ ଲାଗିଲେ । ଖାଉଁ ଖାଉଁ ଚିଠିର ଉତ୍ତରଗୁଡ଼ିକ ସେ ସେକ୍ରେଟେରୀକୁ ଡାକି ଦେଇ ବାହାରି ପଡ଼ିଲେ କର୍ମସ୍ଥାନକୁ । ଗୋଟିଏ ମୁହୂର୍ତ୍ତ ବି ନଷ୍ଟ କରିବାର ତାଙ୍କର ଉପାୟ ନାହିଁ, କାରଣ ପ୍ରତି ମିନିଟ୍‌ରେ ତାଙ୍କର ଆୟ ହୁଏ ତ କେତେ ହଜାର ଡଲାର । ଏହାକୁ ସେ କୁହନ୍ତି ଜୀବନ ସଂଗ୍ରାମ ଏବଂ ହୁଏତ ସେଥିପାଇଁ ତାଙ୍କର କେବେହେଁ ଖିଆଲ ହୋଇନାହିଁ ଯେ ଯାହାକୁ ସେ ଜୀବନ ସଂଗ୍ରାମ ବୋଲି ଆଖ୍ୟା ଦେଇ ମହାନ୍ କରିବାକୁ ଚେଷ୍ଟା କରନ୍ତି ତାହା ବାସ୍ତବିକ ଅନ୍ୟକୁ ନିଶ୍ଚିହ୍ନ କରି ନିଜର ପ୍ରତିଷ୍ଠା ପ୍ରସାର ପାଇଁ ସଂଗ୍ରାମ ।

 

ମାତ୍ର ତିରିଶ ବର୍ଷ ବୟସରେ ଗ୍ରିଫଲ୍ ଆମେରିକାର ଜଣେ ବିଖ୍ୟାତ ଶିଳ୍ପପତି ଏବଂ ଧନକୁବେର । ଆମେରିକାର ନାନା ଶିଳ୍ପ ପ୍ରତିଷ୍ଠାନର ମାଲିକ ଏବଂ ପୃଥିବୀର ନାନା ବ୍ୟବସାୟୀ ପ୍ରତିଷ୍ଠାନର ପ୍ରଧାନ ଅଂଶୀଦାର ସେ । ପିଲାଟି ଦିନରୁ ତାଙ୍କର ଆଦର୍ଶ ଓ ଚେଷ୍ଟା ପୃଥିବୀର ସବୁଠୁଁ ବଡ଼ ଶିଳ୍ପପତି ହେବା । ନିଜର କର୍ମଶକ୍ତି ଓ ନିଷ୍ଠାଦ୍ୱାରା ସାରା ପୃଥିବୀରେ ତାଙ୍କର ବ୍ୟବସାୟ ପ୍ରତିଷ୍ଠା ଲାଭ କରିଚି ।

 

କ୍ଳାରା ଏ ପର୍ଯ୍ୟନ୍ତ ଶଯ୍ୟା ତ୍ୟାଗ କରିନାହିଁ । କାଲି ରାତିର ପ୍ରମୋଦ ପରେ ସେ ଶୋଇ ପଡ଼ିଛି । ଗ୍ରିଫଲ୍ ଯାଉଁ ଯାଉଁ କ୍ଳାରା ଘର ସାମନାରେ ଛିଡ଼ାହୋଇ ଡାକିଲେ, ସୁପ୍ରଭାତ ଡାର୍ଲିଂ । ନିଦ୍ରାଳସ କଣ୍ଠରେ ଭିତରୁ ଉତ୍ତର ଆସିଲା, ସୁପ୍ରଭାତ, ଡିଆର, ବାହାରିଲ ? ଯାଅ ।

 

ଗୁଣୁ ଗୁଣୁ କରି ଗୀତ ଗାଉ ଗାଉ କ୍ଳାରା ଉଦ୍ଦେଶ୍ୟରେ ଚୁମ୍ବନ ଜଣାଇ ସେ ଡେଇଁ ଡେଇଁ ଆନନ୍ଦରେ ବାହାରିଗଲେ ।

 

ଗ୍ରିଫଲ୍ ତାଙ୍କର ପ୍ରତ୍ୟେକଟି ପ୍ରତିଷ୍ଠାନର କାର୍ଯ୍ୟ ନିତି ପୁଙ୍ଖାନୁପୁଙ୍ଖରୂପେ ଦେଖନ୍ତି । ତାଙ୍କୁ ସାମାନ୍ୟ ଟିକିଏ ଫାଙ୍କି ଦେବାର ଉପାୟ କାହାରି ନାହିଁ । କାର୍ଯ୍ୟରେ ସାମାନ୍ୟ ଟିକିଏ ବିଶୃଙ୍ଖଳା ସେ ସହ୍ୟ କରିପାରନ୍ତି ନାହିଁ ।

 

ସହର ତମାମ ଏପାଖ ସେପାଖ ମଟରରେ ବୁଲି ପରିଦର୍ଶନ କାର୍ଯ୍ୟ ଶେଷ କରୁ କରୁ ବାଜିଲା ଦିନ ଗୋଟାଏ । ହୋଟେଲରେ ମଧ୍ୟାହ୍ନ ଭୋଜନ ଶେଷ କରି ସାଙ୍ଗେ ସାଙ୍ଗେ ସେ ବାହାରିଲେ ନିଜ ଦପ୍ତରକୁ । ତାଙ୍କର କାର୍ଯ୍ୟର ନିପୁଣତା ଓ ଗତି ମନ୍ତ୍ର ଭଳି ।

 

ଦପ୍ତରରେ ପହଞ୍ଚିବା ମାତ୍ରକେ ତାଙ୍କ ନିର୍ଦ୍ଦେଶମତେ କିରାଣୀମାନେ କାଗଜପତ୍ର ନେଇ ଛିଡ଼ା ହେଲେ । ମିନିଟକୁ ପ୍ରାୟ ଦୁଇଶହ ଶବ୍ଦ ଗତିରେ ଚିଠିର ଉତ୍ତର ଏବଂ ନିର୍ଦ୍ଦେଶଗୁଡ଼ିକ ଡାକି ଦେଇ ସମସ୍ତ କାର୍ଯ୍ୟ ଶେଷ କରିବାକୁ ବାଜିଲା ଦିନ ତିନିଟା । ଏ ପର୍ଯ୍ୟନ୍ତ ସେ ଟିକିଏ ହସି ବି ନାହାନ୍ତି । ଚେହେରାରେ ପ୍ରଚଣ୍ଡ ଗାମ୍ଭୀର୍ଯ୍ୟ ଓ କଥାବାର୍ତ୍ତାରେ ତୀକ୍ଷ୍‌ଣ ଛୁରୀ ଭଳି ଗୋଟାଏ ନିର୍ଦ୍ଦିଷ୍ଟତା କାର୍ଯ୍ୟର ସୁବିଧା ପାଇଁ ସେ ସୁଦୀର୍ଘ ଅଭ୍ୟାସ ଦ୍ୱାରା ହାସଲ କରିବାକୁ ସକ୍ଷମ ହୋଇଚନ୍ତି-

 

ତା’ପରେ ସାଙ୍ଗେ ସାଙ୍ଗେ ମଟର କ୍ଷିପ୍ର ଗତିରେ ଚାଲିଲା ସରକାରୀ ମହଲକୁ । ସରକାରଙ୍କ ନାନା ପରାମର୍ଶ କମିଟିର ସଭ୍ୟ ସେ । ସେଠି ଯୁଦ୍ଧ ନୀତି ବିଷୟରେ ଗୁପ୍ତ ମନ୍ତ୍ରଣା ଚାଲିଲା । ଯୁଦ୍ଧ ଘନାଇ ଆସୁଛି । ଆମେରିକା ସେ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଯୁଦ୍ଧରେ ଯୋଗ ଦେଇନାହିଁ । ଗ୍ରିଫଲ୍ ଗମ୍ଭୀର ଭାବରେ କହିଲେ, ଆମେରିକା ଏ ପର୍ଯ୍ୟନ୍ତ, ତୃତୀୟ ଶ୍ରେଣୀର ଶକ୍ତି ନ ହେଉ, ଦ୍ଵିତୀୟ ଶ୍ରେଣୀର ଶକ୍ତି ହୋଇଉଠିଚି । କିନ୍ତୁ ବର୍ତ୍ତମାନ ସମୟ ଆସିଚି ପ୍ରଥମ ଶ୍ରେଣୀର ଶକ୍ତି ହେବାପାଇଁ । କାହିଁକି ନ ହେବ ବା । ଏ ଜୀବନ ସଂଗ୍ରାମ । ସମସ୍ତେ ଜାଣନ୍ତି ଜୀବନସଂଗ୍ରାମରେ ଦୁର୍ବଳର ସ୍ଥାନ ନାହିଁ । ପୃଥିବୀର କେତେ ପ୍ରାଣୀ ଏହି ଜୀବନ ସଂଗ୍ରାମରେ ଲୋପ ପାଇଗଲେଣି ଏହି ଦୁର୍ବଳତା ଯୋଗୁଁ । ଏହାହିଁ ତ ସୃଷ୍ଟିର ନିୟମ । ଯାହାର ଯାହା ଶକ୍ତି ତାହାହିଁ ତାହାର ବଞ୍ଚିବାର ଉପାୟ । ଇଂଲଣ୍ଡର ଯେତେବେଳେ ନୌଶକ୍ତି ପ୍ରବଳ ଥିଲା, ସେତେବେଳେ ସେ ପୃଥିବୀ ଜୟ କରିଥିଲା । ଅଶୋକ ଧର୍ମ ଦ୍ଵାରା ପୃଥିବୀ ଜୟ କରିଥିଲେ । ଗ୍ରୀସ ସୈନ୍ୟବଳ ଦ୍ୱାରା ପୃଥିବୀ ଜୟ କରିଥିଲା । ସମସ୍ତଙ୍କ ଚେଷ୍ଟା ମୂଳରେ ଅଛି କେବଳ ଗୋଟିଏ ଉଦ୍ଦେଶ୍ୟ, ନିଜର ପ୍ରତିପତ୍ତିର ବିସ୍ତାର । ଆମେରିକାର ବର୍ତ୍ତମାନ ଧନବଳ ପ୍ରବଳ । ସେ କାହିଁକି ପୃଥିବୀ ଜୟ ନ କରିବ ? ଏଥିପାଇଁ ଦେଶପ୍ରେମ ଜଗାଇବାକୁ ହେବ ।

 

ନାନା ଆଲୋଚନା ଓ ମନ୍ତ୍ରଣା ପରେ ସନ୍ଧ୍ୟାବେଳେ ପୁଣି ଗ୍ରିଫଲ୍‌ଙ୍କ ମଟର କ୍ଷିପ୍ରଗତିରେ ଚାଲିଲା । ଏହାପରେ ତାହାଙ୍କୁ ତିନି ଜାଗାରେ ବକ୍ତୃତା ଦେବାକୁ ହେବ । ମୋଟରରେ ଯାଉ ଯାଉ ଗ୍ରଫଲ୍‌ ହିସାବ କରିବାକୁ ଲାଗିଲେ ଯଦି ଆମେରିକାକୁ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବରେ ଯୋଗ ଦିଆଇ ପାରନ୍ତି ତେବେ ତାଙ୍କର ନୂତନ ମାରଣ ଅସ୍ତ୍ର ବିକ୍ରିରୁ କେତେ କୋଟି ଡଲାର ଲାଭ ହେବ ।

 

ବକ୍ତୃତା ଶେଷ କରି ଫେରୁ ଫେରୁ ବାଜିଲା ରାତି ଦଶଟା । ତାପରେ ଗ୍ରିଫଲ୍‌ଙ୍କ ମଟର ଚାଲିଲା ନଗରର ଶ୍ରେଷ୍ଠ ବିଳାସୀ ହୋଟେଲକୁ । ଖାଇସାରିବା ପରେ ଗ୍ରିଫଲ୍ ଗଲେ ହୋଟେଲର ନୃତ୍ୟ ଗୃହକୁ । ନୃତ୍ୟ ଗୃହଟି ନାନା ଅର୍ଦ୍ଧନଗ୍ନ ସୁନ୍ଦରୀଙ୍କ ସମାବେଶରେ ପୂର୍ଣ୍ଣ । ସମସ୍ତ ଦିନର ଉତ୍ତେଜନାପୂର୍ଣ୍ଣ କର୍ମ ପରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ବିଳାସହିଁ ଗ୍ରିଫଲଙ୍କ ମାନସିକ ଉତ୍ତେଜନା ଦୂର କରିବାକୁ ସକ୍ଷମ ହୁଏ । କର୍ମରେ ଉତ୍ତେଜନା ଯେତେ ବଢ଼ି ଚାଲିଚି ବିଳାସରେ ଉତ୍ତେଜନା ମଧ୍ୟ ସେତେ ସେ ବଢ଼ାଇ ଚାଲିଚନ୍ତି । ପରିଶ୍ରମ ପରେ ଘରେ ବସି ଏକାକୀ ବିଶ୍ରାମ କରି ସେ ଉତ୍ତେଜନା ଦୂର ହୁଏ ନାହିଁ, ବରଂ ବଢ଼େ । ତାଙ୍କ ଘରେ ପ୍ରକାଣ୍ଡ ଲାଇବ୍ରେରୀରେ ସେ ପୃଥିବୀର ଶ୍ରେଷ୍ଠ ଗ୍ରନ୍ଥ ଓ ଚିତ୍ର ବହୁ ମୂଲ୍ୟରେ କିଣି ରଖିଚନ୍ତି । ତାଙ୍କର ପ୍ରଶସ୍ତ ବଗିଚା ନାନା ଜାତିର ସୁନ୍ଦର ଫୁଲଗଛ ଓ ଝରଣାରେ ପୂର୍ଣ୍ଣ । କିନ୍ତୁ ଏସବୁ ମଧ୍ୟରେ ବିଶ୍ରାମ ତାଙ୍କୁ ନିହାତି ଅଲଣା ଲାଗେ ।

 

ବିଶ୍ରାମ ପରେ ଘରକୁ ଫେରିବାବେଳକୁ ବାଜିଲା ରାତି ଗୋଟାଏ । ଟଳି ଟଳି ସେ ନିଜ ଘର ଆଡ଼କୁ ଗଲେ ଗୋଟାଏ ଶସ୍ତା ପ୍ରେମ ଗୀତ ଗାଉ ଗାଉ । କ୍ଳାରା ଘରୁ ଆଲୋକ ଦେଖାଯାଉଚି । ସେ ମଧ୍ୟ କିଛିକ୍ଷଣ ପୂର୍ବେ ଘରକୁ ଫେରିଚି ।

 

ଗ୍ରିଫଲ୍ ଦୁଆର ସାମନାରେ ଛିଡ଼ାହୋଇ କହିଲେ, ଗୁଡ଼୍ ନାଇଟ୍ ଡାର୍ଲିଂ ।

 

ଜଡ଼ିତ କଣ୍ଠରେ ଭିତରୁ ଉତ୍ତର ଆସିଲା, ଗୁଡ଼୍ ନାଇଟ୍ ଡିଅର ।

 

ଗ୍ରିଫଲ ଦୁମ୍‌କରି ନିଜ ଖଟ ଉପରେ ପଡ଼ି ସାଙ୍ଗେ ସାଙ୍ଗେ ଘୁଙ୍ଗୁଡ଼ି ମାରିଲେ । କ୍ଳାରା ସେତେବେଳେ ଅନ୍ୟ ଜଣେ ପ୍ରେମିକଙ୍କ ଆଲିଙ୍ଗନରେ ଓ ଚୁମ୍ବନରେ ମସଗୁଲ ।

 

ପରଦିନ ପୁଣି ଠିକ୍ ସମୟରେ ଗ୍ରିଫଲଙ୍କ ନିଦ ଭାଙ୍ଗିଲା । ତାପରେ ଚାଲିଲା ସେହିପରି ଅକ୍ଳାନ୍ତ ପରିଶ୍ରମ । ମଟରର ଗତିବୃଦ୍ଧି ପରି ସେ ପ୍ରତ୍ୟହ ଆୟର ହାର ବୃଦ୍ଧି କରିବାକୁ ଚେଷ୍ଟା କରନ୍ତି । ପରିଶ୍ରମ ପରେ ପୁଣି ସେହିପରି ଉଦ୍ଦାମ ଉଲଙ୍ଗ ବିଳାସ ।

 

ପୂର୍ବ ଦିଗନ୍ତରେ ଯେଉଁ କଳାମେଘ ଖଣ୍ଡକ କିଛିଦିନ ପୂର୍ବେ ଦିଶୁଥିଲା ତାହା ସମସ୍ତ ପୂର୍ବ ଗଗନ ବ୍ୟାପିଗଲାଣି । ସେ କଳା ମେଘର ଗର୍ଜନରେ ଥିଲା ଶୋଷିତର ହାହାକାର । ଏହି ବର୍ଷ ଏ ମେଘ ନିଶ୍ଚୟ ବର୍ଷିବ । ଯେବେ ବର୍ଷିବ ଗ୍ରିଫଲ୍ କାହିଁକି ତାର ଫାଇଦା ନ ଉଠାଇବେ ? ଗ୍ରିଫଲ୍ ଭାବୁ ଭାବୁ ପରିଶ୍ରମ କରି ଚାଲିଲେ । ଆଜିକାଲି ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ୁଚି । ତାଙ୍କର ମାରଣ ଅସ୍ତ୍ର କାରଖାନାରେ ଯନ୍ତ୍ରର ବେଗ ଅନେକ ବଢ଼ାଇବାକୁ ପଡ଼ିଚି । ଆଜିକାଲି ସେ ଅଧିକାଂଶ ସମୟ ସେହିଠାରେ ହିଁ ଥାଆନ୍ତି ।

 

ସେଦିନ ରାତିରେ ପ୍ରାୟ ଲକ୍ଷେ ଲୋକପାଇଁ ଗୁପ୍ତ ମାରଣ ଅସ୍ତ୍ର ଜାହାଜରେ ବୋଝାଇ କରି ଘରକୁ ଫେରି ଦେଖିଲେ ତାଙ୍କର ଭୃତ୍ୟ ଗୋଟିଏ କୁକୁରକୁ ଖୁବ୍ ଆଦରରେ ନିଜର କୋଟ ଦେହରୁ କାଢ଼ି ଘୋଡ଼ାଇ ଦେଇ ବସିଚି । ଭୃତ୍ୟ ପ୍ରଭୁଙ୍କୁ ଦେଖି ଭୟରେ କୁକୁରଟି ଲୁଚାଇ ଦେବାକୁ ଯାଉଥିଲା । ଗ୍ରିଫଲ୍ ବିରକ୍ତ ହୋଇ ପଚାରିଲେ, ଏଟା କେଉଁଠୁ ଆଣିଲ ?

 

—ଆଜ୍ଞା, ରାସ୍ତାରେ ପଡ଼ିଥିଲା । ଗୋଟାଏ ସୈନ୍ୟବାହୀ ମୋଟର ତା ଗୋଡ଼ ଉପରେ ମାଡ଼ିଗଲା । ତାର କରୁଣ କାନ୍ଦ ସହି ନ ପାରି...

 

ଗ୍ରିଫଲ୍ ନୀରବରେ ସେ କୁକୁର ଆଡ଼େ କିଛିକ୍ଷଣ ଚାହିଁ କହିଲେ, ଦେଖେଁ ।

 

ତାଙ୍କର ନରମ ସ୍ୱର ଶୁଣି ଭୃତ୍ୟ ଅବାକ ଭାବରେ ଚାହିଁ କୁକୁରଟି ଦେଖାଇଲା । କୁକୁରଟି ଗ୍ରିଫଲ୍‌ଙ୍କୁ ଥରେ ଚାହିଁ ମୁହଁଟି ଭୃତ୍ୟର କାଖତଳେ ଲୁଚାଇ ଦେଲା । ଗ୍ରିଫଲ୍ କୁକୁର ଆଡ଼କୁ ଚାହିଁ ରହିଲେ । ହଠାତ୍ ତାଙ୍କ ଆଖି ଛଳ ଛଳ ହୋଇଗଲା । ସେ ସେଠାରୁ ତର ତର ହୋଇ ଚାଲିଗଲେ ।

 

ସେ ରାତିରେ ତାଙ୍କର ନିଦ ହେଲା ନାହିଁ । ଟିକିଏ ନିଦ ଆସିବା ମାତ୍ରକେ ସେ ପୂର୍ବ ଦିଗନ୍ତରୁ ଲକ୍ଷ ଲକ୍ଷ ଲୋକର ମୃତ୍ୟୁ ଚିତ୍କାର ଯେପରି ଶୁଣିବାକୁ ପାଇଲେ ଏବଂ ତାଙ୍କ ସମସ୍ତ ଦେହରେ ଅନୁଭବ କରିବାକୁ ଲାଗିଲେ ସେଇ ମୁମୂର୍ଷୁ କୁକୁରର ଲାଙ୍ଗୁଡ଼ର ପରଶ । ଅନେକ ଥର ଏହିପରି ନିଦ୍ରା ଭାଙ୍ଗିବା ପରେ ଗ୍ରିଫଲ୍ ଶଯ୍ୟାରୁ ଉଠିଆସି ବାରନ୍ଦାରେ ଛିଡ଼ା ହେଲେ । ଆଜି ତାଙ୍କର ମନ ହଠାତ୍ କ୍ଳାରା ପ୍ରତି ଆକୃଷ୍ଟ ହେଲା । କ୍ଳାରାର ଘର ଖୋଲି ଦେଖିଲେ ତାହା ଶୂନ୍ୟ । କ୍ଳାରା ଏପର୍ଯ୍ୟନ୍ତ ପ୍ରମୋଦରୁ ଫେରି ନାହିଁ । ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ସେ ପୁଣି ବାରନ୍ଦାରେ ଛିଡ଼ାହୋଇ ଆକାଶକୁ ଚାହିଁ ରହିଲେ ଶୂନ୍ୟ ଦୃଷ୍ଟିରେ । ଅସୀମ ଆକାଶ, ଅସୀମ ଚନ୍ଦ୍ରାଲୋକ, ଅସୀମ ତାରା, ଗ୍ରହ, ଉପଗ୍ରହ । ମହାଶୂନ୍ୟ କେଡ଼େ ନୀରବ ନିସ୍ତବ୍‌ଧ ! ଅସୀମର ଏହି ନିବିଡ଼ ନିସ୍ତବ୍‌ଧତା ମଧ୍ୟରେ କିଏ ସର୍ବଦା ଜାଗ୍ରତ ଥାଇ ସୃଷ୍ଟିର ରାଗିଣୀ ବଜାଇଚାଲିଚି ? ଏ ସୃଷ୍ଟି ବା କାହିଁକି, ଏହାର ପରିଣାମ ବା କଅଣ ? ଗ୍ରିଫଲ୍ ଆଜି ହଠାତ୍ ଏସବୁ ଭାବି ବସିଲେ । ଭାବୁ ଭାବୁ ତାଙ୍କର ମନେହେଲା ସେ ଯେପରି ନିଜର କ୍ଷଦ୍ରତା ଓ ବିରାଟର ମହାଶକ୍ତି ମଧ୍ୟସ୍ଥଳରେ ଛିଡ଼ା ହୋଇ ବିରାଟକୁ ଚାହିଁ ରହିଚନ୍ତି ଏବଂ ଏହି ବିରାଟ ମଧ୍ୟରେ ନିଜର ବା ନିଜର ବିରାଟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ମୂଲ୍ୟ ଖୋଜି ପାଉନାହାନ୍ତି ।

 

ଗ୍ରିଫଲ୍ ମୁହଁ ପୋତି ବାରନ୍ଦାର ଏପାଖ ସେପାଖ ବୁଲିବାକୁ ଲାଗିଲେ । କେତେଗୁଡ଼ିଏ ପ୍ରଶ୍ନ ବାରମ୍ବାର ତାଙ୍କର ମନକୁ ଆଘାତ କରିବାକୁ ଲାଗିଲା । ଏ ବିରାଟ ସୃଷ୍ଟିର ପରିକଳ୍ପନାରେ ମୋର ମୂଲ୍ୟ କଅଣ ? ମୋର ଧନ, ମୋର ପ୍ରତିଷ୍ଠାନଗୁଡ଼ିକ ମୋତେ ମୋ ଜୀବନର ମୂଲ୍ୟ ଦେଇପାରିଚି କି ? ମୋର କ୍ଷମତା, ମୋର ପ୍ରତିପତ୍ତି ମୋତେ ମୋ ଜୀବନର ମୂଲ୍ୟ ଦେଇପାରିଚି କି ? ଏହାର ଉତ୍ତର ଦେବାକୁ ଯାଇ ସେ ଦେଖିଲେ ଯେ ସେ ମନୁଷ୍ୟ ହିସାବରେ ନିଜର ମୂଲ୍ୟ ନ ପାଇ କେବଳ ଅନ୍ୟ ଉପାୟରେ ନିଜର ମୂଲ୍ୟ ବଢ଼ାଇବାକୁ ଲାଗିଚନ୍ତି । ନିଜ ପ୍ରତି ମୋହ, ଗୌରବ ବୃଦ୍ଧି, ସ୍ୱାର୍ଥରକ୍ଷା ଓ ପ୍ରତିପତ୍ତି ବୃଦ୍ଧିଦ୍ୱାରା ଯେଉଁ ଗୃହ ସେ ନିର୍ମାଣ କରିଛନ୍ତି ସେ ଘରେ ଅବିଶ୍ୱାସ, ହିଂସା, ଭୟ ସର୍ବଦା ବାସ କରୁଚି । ନିର୍ମଳ ଆଲୋକର ଆନନ୍ଦ ସେ ଘରେ ନାହିଁ । ଏହାର କାରଣ ସ୍ୱରୂପ ସେ ଠିକ୍ କଲେ ଶିଳ୍ପ-ସଭ୍ୟତା । ଏ ସଭ୍ୟତା ସର୍ବଗ୍ରାସୀ । ଏଥିରେ ଆତ୍ମାର ମୃତ୍ୟୁ ଘଟେ । ଆତ୍ମାର ବିକାଶ ହୁଏ କୃଷି ସଭ୍ୟତାରେ ଯେଉଁଠି ମନୁଷ୍ୟ ଅକ୍ଳାନ୍ତ ପରିଶ୍ରମ କରି ମଧ୍ୟ କର୍ମର ଫଳ ପାଇଁ ନିର୍ଭର କରେ ସେହି ମହାଶକ୍ତି ଉପରେ । ସେଠି କର୍ମଫଳ ନ ପାଇଲେ ମନୁଷ୍ୟ ଦୁଃଖ ହୁଏତ ପାଏ କିନ୍ତୁ ଶାନ୍ତି ହରାଏ ନାହିଁ, ନିଜର ମୂଲ୍ୟ ହରାଏ ନାହିଁ । ଶିଳ୍ପ-ସଭ୍ୟତା ଆଜି ଆକୃଷ୍ଟ କରି ପାରିଚି ତାର କାରଣ ଏ ସଭ୍ୟତାରେ ମନୁଷ୍ୟର କର୍ମଫଳ ତାର କରାୟତ୍ତ ହୋଇଚି ବୋଲି । ତେଣୁ ଏହା ମନୁଷ୍ୟକୁ ଦେଇଚି ଅନ୍ଧ ଶକ୍ତି । ସେ ଶକ୍ତି ଯେତେ ବଢ଼ି ଚାଲିଛି ତାର ଲୋଭ ହିଂସା ସେତେ ବଢ଼ି ଚାଲିଛି । ଏ ସଭ୍ୟତାରେ ମନର ଆବେଗ ନାହିଁ, ଅଛି କ୍ଷୁଧା; ପ୍ରେମ ନାହିଁ, ଅଛି ଲାଳସା । ଗ୍ରିଫଲ୍ ସେ ରାତିରେ ପ୍ରଥମଥର ପାଇଁ ସେ ମହାଶକ୍ତି ଉଦ୍ଦେଶ୍ୟରେ ମୁଣ୍ଡ ନୁଆଁଇ ପ୍ରଣାମ କଲେ ।

 

ପରଦିନ ଗ୍ରିଫଲ୍ କର୍ମସ୍ଥାନକୁ ଗଲେ ନାହିଁ । ସେ ଯୁଦ୍ଧ ବିରୁଦ୍ଧରେ ପ୍ରଚାର କରିବାକୁ ଲାଗିଲେ । ସରକାର ତାଙ୍କୁ ବନ୍ଦୀ କଲେ ।

 

ଯୁଦ୍ଧରେ ଆମେରିକା ଜୟ ଲାଭ କଲା । ଗ୍ରିଫଲ୍ କାରାମୁକ୍ତ ହୋଇ ବାହାରିଲେ । ସମସ୍ତ ଆମେରିକା ଯେତେବେଳେ ଜୟରଆନନ୍ଦରେ ଉନ୍ମତ୍ତ ସେତେବେଳେ ଗ୍ରିଫଲ୍ ସନ୍ୟାସୀ ବେଶରେ ବାହାରିଲେ ଭାରତବର୍ଷ, ବ୍ରହ୍ମାନନ୍ଦଙ୍କ ପାଖକୁ ।

 

ଭାରତରେ ମଧ୍ୟ ସେତେବେଳେ ସ୍ଵାଧୀନତା ସଂଗ୍ରାମର ଅବସାନ ହୋଇଚି । ଭାରତ ଆଜି ସ୍ଵାଧୀନ । ଏ ସଂଗ୍ରାମରେ ବ୍ରହ୍ମାନନ୍ଦ ବିଶିଷ୍ଟ ନେତାମାନଙ୍କ ମଧ୍ୟରୁ ଜଣେ । ସ୍ୱାଧୀନତା ପରେ ଅହିଂସା ଓ ଧର୍ମର ମହାନ୍ ଆଦର୍ଶ ଉପରେ ଭାରତର ଶାସନ ପ୍ରତିଷ୍ଠିତ ହୋଇଚି । ବ୍ରହ୍ମାନନ୍ଦ ଏ ଶାସନର କର୍ଣ୍ଣଧାରମାନଙ୍କ ମଧ୍ୟରୁ ଜଣେ । କିନ୍ତୁ ତାଙ୍କ ମନରେ ମୁକ୍ତିର ସେ ତୃପ୍ତି ନାହିଁ ।

 

ଗ୍ରଫଲ୍ ଭାରତ ଆସି ପ୍ରଥମେ ବ୍ରହ୍ମାନନ୍ଦଙ୍କୁ ଭେଟିଲେ । ବ୍ରହ୍ମାନନ୍ଦଙ୍କୁ ବିମଷ ଦେଖି ସେ ପଚାରିଲେ, ଏ ଆନନ୍ଦରେ ତୁମକୁ ବିମର୍ଷ ଦେଖୁଛି କାହିଁକି ?

 

—ବନ୍ଧୁ, ମୁଁ ନିଜର ଜୀବନର ମୂଲ୍ୟ ଖୋଜି ପାଉନାହିଁ ।

 

—ଆଶ୍ଚର୍ଯ୍ୟ ! ଭାରତର ସ୍ଵାଧୀନତା ସଂଗ୍ରାମରେ ତୁମେ ଅଗ୍ରଣୀ । କୋଟି କୋଟି ପରାଧୀନକୁ ତୁମେ ମୁକ୍ତି ଦେଇଚ । ତୁମେ ପରମ ଧାର୍ମିକ । ଅଥଚ ତୁମେ ମୂଲ୍ୟ ଖୋଜି ପାଉନ !

 

—ମୁଁ ଚିରଜୀବନ ମିଥ୍ୟାକୁ ଆଶ୍ରୟ କରି ଆସିଚି । ଧର୍ମ ନାମରେ ମୁଁ କେବଳ ବ୍ରତ, ପୂଜା, ମୂର୍ତ୍ତି ଓ ଅନୁଷ୍ଠାନ ବଢ଼ାଇଚି । ଏ ସବୁରେ ମଣିଷ ନିଜର ମୂଲ୍ୟ ହରାଏ । ତେଣୁ ଭାରତରେ ଆଜି ସମୟ ଆସିଚି ଏ ସବୁର ସମୂଳ ବିନାଶ ପାଇଁ । ଏ ସ୍ଵାଧୀନତାର ବା ମୂଲ୍ୟ କଅଣ ? ଭାରତ ଦିନେ ନା ଦିନେ ସ୍ଵାଧୀନ ହୋଇଥାଆନ୍ତା । ମୋର ଏଥିରେ ଗର୍ବ କରିବାର କିଛି ନାହିଁ । ବରଂ ମୁଁ ବର୍ତ୍ତମାନ ଅନୁଭବ କରୁଚି ଏତେ ତରବର ହୋଇ ସ୍ଵାଧୀନ ହେବା ବୋଧହୁଏ ଠିକ୍ ହୋଇନାହିଁ । ଦେଶବ୍ୟାପି ବିଦ୍ରୋହ ନ ହେଲେ ଲୋକେ ସ୍ଵାଧୀନତାର ମୂଲ୍ୟ ବୁଝନ୍ତି ନାହିଁ । ସେହି ପୁରୁଣା ନିଚତା ଉପରେ ଏ ସ୍ଵାଧୀନତା ପ୍ରତିଷ୍ଠିତ । ଏପରି ଅବସ୍ଥାରେ ମନୁଷ୍ୟ ନିଜର ଜୀବନର ମୂଲ୍ୟ ବୁଝିବ ବା କିପରି ? ଜୀବନର ମୂଲ୍ୟ ଅଛି କର୍ମରେ । ଦେଶକୁ ଏ ପ୍ରବଞ୍ଚନାରୁ ମୁକ୍ତ କରିବାକୁ ହେଲେ ଦରକାର ପୁଣି ଥରେ ବିପ୍ଳବ, ଯେପରି ହୋଇଥିଲା ଫ୍ରାନ୍‌ସ, ଆମେରିକା ବା ରୁଷିଆରେ ।

 

—ସେ ସ୍ଵାଧୀନତା ତ ହିଂସା ଉପରେ ପ୍ରତିଷ୍ଠିତ । ସେ ମୁକ୍ତି ମଧ୍ୟ ପ୍ରବଞ୍ଚନା । ଭାରତର ମୁକ୍ତି ଅହିଂସା ଓ ଧର୍ମ ଉପରେ ପ୍ରତିଷ୍ଠିତ । ଏଠାରେ ମିଥ୍ୟା ବା ପ୍ରବଞ୍ଚନା....

 

—ଅହିଂସା, ଅହିଂସା ! ଧର୍ମ, ଧର୍ମ ! ଯେଉଁ ଦିନରୁ ଜୀବ ସୃଷ୍ଟି ହୋଇଚି ସେହିଦିନୁ ହିଂସାର ସୃଷ୍ଟି । ଭାବି ଦେଖ, ଗଣତନ୍ତ୍ର ଆଦର୍ଶ ମଧ୍ୟ ଏ ହିଂସା ଉପରେ ପ୍ରତିଷ୍ଠିତ । ଆଉ ଧର୍ମ ଏହି ଧର୍ମ ନାମରେ ଏଠାରେ ଅସଂଖ୍ୟ ଭଣ୍ଡ ନିଜକୁ ସାଧୁ ଆଖ୍ୟା ଦେଇ କିଛି ଉତ୍ପାଦନ ନକରି ମଲାଙ୍ଗଭଳି ବଞ୍ଚିଛନ୍ତି । ଏଠାରେ ଲୋକେ କର୍ମ ନକରି ଶସ୍ତାରେ ସୁବିଧାରେ ଭଗବାନ ପାଇବାକୁ ଚାହାନ୍ତି । ଏଠାରେ ବିକୃତ ଆବେଗ ଅନ୍ୟକୁ ଅନ୍ଧଭାବରେ ପୂଜା କରି ଆନନ୍ଦ ପାଏ ଓ ମୁକ୍ତି ପାଏ ବୋଲି ଭାବେ । ଏଠି ଶତକଡ଼ା ଅଠାନବେ ଜଣ ଖାଇବାକୁ ନ ପାଇ ସୂକ୍ଷ୍ମ ଓ ପିନ୍ଧିବାକୁ ନପାଇ ଦିଗମ୍ବର ସନ୍ୟାସୀ । ଶହେକେ ଅନ୍ୟ ଦୁଇଜଣ ଏଠି ସର୍ବଦା ବୁଝାଇବାରେ ଲାଗିଚନ୍ତି ଦାରିଦ୍ର୍ୟ ମହାନ୍, ଦରିଦ୍ରମାନେ ନାରାୟଣଙ୍କ ଚଳନ୍ତି ମୂର୍ତ୍ତି । ଦାରିଦ୍ର୍ୟହିଁ କେବଳ ପରମାର୍ଥ ଲାଭ ପାଇଁ ଉତ୍କୃଷ୍ଟ ପନ୍ଥା । ଅନ୍ୟ ଅଠାନବେ ଜଣ ତାହା ଅଭିଭୂତ ହୋଇ ଶୁଣି ବିଶ୍ଵାସ କରନ୍ତି ଓ ନିଜର ଦାରିଦ୍ର୍ୟରେ ଗୋଟାଏ ବିକୃତ ଗର୍ବ ଅନୁଭବ କରନ୍ତି । ଏ ଅବସ୍ଥା କେବଳ ରାଜନୈତିକ ଚେତନା ଦୂର କରିପାରେ । ସେ ଚେତନା ଓ ବିପ୍ଳବ ପାଇଁ ଆଦୌ ଦରକାର ଶିଳ୍ପର ପ୍ରସାର ଦ୍ଵାରା ଦାରିଦ୍ର୍ୟ ଦୂର କରି ଦେଶକୁ ସବଳ କରିବା । ଏ ଦେଶରୁ ଧର୍ମାନ୍ଧତା ଦୂର ହେବ କେବଳ ଶିଳ୍ପର ପ୍ରସାର ଦ୍ଵାରା ।

 

—ବେଶ୍ ତ । ତୁମର ଶ୍ରେଷ୍ଠ ଧର୍ମଗ୍ରନ୍ଥ ଗୀତା ତ ଏପରି ଅବସ୍ଥାରେ ଯୁଦ୍ଧ ଓ ବିଦ୍ରୋହର ଆହ୍ଵାନ ଦେଇଚି । ସେଥିପାଇଁ ଶିଳ୍ପ ସଭ୍ୟତାର ଆବଶ୍ୟକ କଅଣ ?

 

—ହଁ ଦେଇଚି । ଖାଲି ସେତିକି ନୁହେଁ କହିଚି, ନାୟମାତ୍ମା ବଳାହୀନେନ ଲଭ୍ୟଃ । ତୁମର ବାଇବେଲ ତ କହିଛି ଗୋଟିଏ ଗାଲରେ ଚାପୁଡ଼ା ମାରିଲେ ଅନ୍ୟ ଗାଲ ଦେଖାଇବାକୁ । ତା ସତ୍ତ୍ୱେ ଆଜି କେହି ଗୋଟିଏ ଗାଲରେ ଚାପୁଡ଼ା ମାରିଲେ ତୁମେ ତାକୁ ମାରିବାକୁ ମାରଣ ଅସ୍ତ୍ର ତିଆରି କରୁଚ । ଖାଲି ଧର୍ମଗ୍ରନ୍ଥରେ ବାଣୀ ଥିଲେ ହବ ନାହିଁ । ସବୁ ନିର୍ଭର କରେ ଦେଶର ଉତ୍ପାଦନ ପନ୍ଥା ଉପରେ । ଯେଉଁ ଦେଶ ଶିଳ୍ପ ପ୍ରଧାନ ସେ ଦେଶ କର୍ମବୀର, ସେ ଦେଶ ଭୀରୁ ନୁହେଁ, ସେ ଦେଶ ଅବିଚାର, ଅନ୍ୟାୟ ବିରୁଦ୍ଧରେ ସର୍ବଦା ଜାଗ୍ରତ । ଏ ଦେଶ କୃଷିପ୍ରଧାନ । ଏଠି ତେଣୁ ଗୀତାର ବାଣୀ ସତ୍ତ୍ଵେ ଲୋକେ ନୀରବରେ ଅନ୍ୟାୟ ସହ୍ୟ କରନ୍ତି । ଏଠି ବିପ୍ଳବ ଅସମ୍ଭବ, କାରଣ ଲୋକେ ଏଠି ଅଳ୍ପରେ ସନ୍ତୁଷ୍ଟ । ନିଜର ସାମାନ୍ୟ ଆବଶ୍ୟକ ପାଇବା ପରେ ଲୋକେ ଅନ୍ୟର ବା ଦେଶର କଅଣ ହେଲା ସେଥିପ୍ରତି ଉଦାସୀନ । କୃଷିପ୍ରଧାନ ଦେଶରେ ତେଣୁ ସାମୁହିକ ଚେଷ୍ଟା ଅସମ୍ଭବ । ଏଠାରେ ଲୋକେ ନିଜର ଯତ୍‌କିଞ୍ଚିତ ଧରି ପଡ଼ି ରହିଚନ୍ତି । ତେଣୁ ହିଂସା, କ୍ଷୁଦ୍ରତା, ରିକ୍ତତା ଏଠାରେ ପ୍ରବଳ । ଦେଶକୁ ସେଥୁରୁ ଜଗାଇବା ପାଇଁ ଦେଶକୁ ପ୍ରଥମେ ଶିଳ୍ପପ୍ରଧାନ କରିବାକୁ ହେବ । ଶିଳ୍ପ ସଭ୍ୟତା ହେଉଚି ବନ୍ୟାର ନଦୀ । ସେଥିରେ ଅଛି ଗତିର ଆନନ୍ଦ, ପ୍ରାଚୁର୍ଯ୍ୟର ପୂର୍ଣ୍ଣତା ଓ ତେଣୁ ନିରାସକ୍ତତା ।

 

—ବନ୍ଧୁ, ସେ ନଦୀର କ୍ଷୁଧା ସର୍ବଗ୍ରାସୀ । କୃଷି ସଭ୍ୟତା ହେଉଚି ଶାନ୍ତ, ସ୍ନିଗ୍‌ଧ ପୋଖ‍ରୀ, ନିସ୍ତବ୍‌ଧ ନିଥର । ଯେଉଁ ଦେଶ ଶାନ୍ତ ହେବାକୁ ଶିଖିନି ସେ ବୟଃପ୍ରାପ୍ତ ହୋଇନି । ପିଲାଙ୍କ ପରି ସେ ଦୁର୍ବଳ । ତେଣୁ ନିଜର ଶକ୍ତି ବୃଦ୍ଧି ପାଇଁ ସେ ବେଶୀ ବ୍ୟଗ୍ର । ପ୍ରାଗୈତିହାସିକ ପ୍ରକାଣ୍ଡ ଜୀବମାନଙ୍କ ପରି ଏହି ଶକ୍ତିହିଁ ଦିନେ ତାର ବିଲୁପ୍ତିର କାରଣ ହେବ । ପାଶ୍ଚାତ୍ୟର ଏ ଶିଳ୍ପ ସଭ୍ୟତା ଅନ୍ଧ ଭାବରେ ଧାଇଁଚି ଅଜଣା ଉଦ୍ଦେଶ୍ୟରେ । ସ୍ଵତଃ ଆନନ୍ଦ ସେଠି କାହୁଁ ଆସିବ, ଯାହା ଏଠି ଅଛି ?

 

—କିନ୍ତୁ ପୋଖରୀ ଦିନେ ଏହି ସ୍ଥିରତା ଯୋଗୁଁ ପଚିଯାଏ । ବନ୍ୟାର ସ୍ରୋତରେ ତାହା ଅସମ୍ଭବ । ଶିଳ୍ପ ସଭ୍ୟତାରେ ଯେଉଁ ନିଷ୍ଠା, ଚରିତ୍ରବଳ, କର୍ମନିପୁଣତା ପାଇବ ତାହା କୃଷି ସଭ୍ୟତାରେ ଅସମ୍ଭବ ।

 

—ଯେଉଁ ଲୋକ, ଜାତି ବା ଦେଶ ନିଜର ସ୍ୱାର୍ଥ ଓ ପ୍ରତିପତ୍ତି ପାଇଁ କୋଟି କୋଟି ଲୋକର ମୃତ୍ୟୁର କାରଣ ହୁଏ ତାହାର ଆଉ ଯାହା ଥାଉ ଚରିତ୍ର ବଳ ନାହିଁ । ଶୋଷକର ମଧ୍ୟ ନିଷ୍ଠା ଓ କର୍ମନିପୁଣତା ପ୍ରକାଶ ପାଏ । କିନ୍ତୁ ତାହା ଚରିତ୍ର ବଳ ନୁହେଁ । ଚରିତ୍ର ବଳ କେବଳ କୃଷି ସଭ୍ୟତାରେ ପାଇବ । ମାଟି ସହିତ ସଂସ୍ପର୍ଶ ହରାଇ ଆଜି ସେ ଦେଶ ଏପରି ଅବସ୍ଥାରେ ପଡ଼ିଚି । ଧର୍ମ ସେଠି ଗୋଟାଏ ବିଳାସ, ଉତ୍ତେଜନାର ଆନନ୍ଦ ।

 

ନା ବନ୍ଧୁ ନା । ତୁମେ ଏଠି ରହି ଦେଖିବ ତୁମର ଧାରଣା ଭୁଲ । ଏଠି ବାହାରର ଶାନ୍ତି ତଳେ କି କ୍ଷୁଦ୍ରତା ସମୁଦ୍ରର ବିଷାକ୍ତ ପ୍ରାଣୀ ଭଳି ଖେଳି ବୁଲୁଚନ୍ତି ଦେଖି ପାରିବ । ମୁଁ ମନସ୍ଥ କରିଚି ଆମେରିକା ଯାଇ ଶିଳ୍ପ ଶିକ୍ଷା କରି ଭାରତକୁ ଫେରିବି ନୂତନ କର୍ମପ୍ରେରଣା ଦେବାକୁ ।

 

—ଯାଅ । କିନ୍ତୁ ତୁମେ ମଧ୍ୟ ସେଠି ଯାଇ ଦେଖିବ ବାହାରର ପ୍ରାଚୁର୍ଯ୍ୟ ତଳେ କି ନିଷ୍ଠୁର ଲୋଭ ଓ ବସ୍ତୁବାଦୀର ଜଡ଼ତା ଅଛି । ମୁଁ ଭାରତ ଆସିଚି ତାର କୃଷି ସଭ୍ୟତାର ଦର୍ଶନ ନେଇ ଆମେରିକାକୁ ନୂତନ ବାଟ ଦେଖାଇବାକୁ ।

 

ବ୍ରହ୍ମାନନ୍ଦ ଆମେରିକା ଗଲେ । ଗ୍ରିଫଲ୍ ଭାରତର ଗୋଟିଏ ଗ୍ରାମରେ କୃଷି କାର୍ଯ୍ୟ କରିବାକୁ ଲାଗିଲେ ।

 

ଏହାପରେ ବିତି ଯାଇଛି ଚାରୋଟି ବର୍ଷ । ଦ୍ଵିତୀୟ ବିଶ୍ଵସମର ପରେ ଯେଉଁ ଶାନ୍ତିର ବାଣୀ ସର୍ବଦା ଆତଙ୍କିତ ମାନକ ମନରେ କ୍ଷୁଦ୍ର ଆଶା ଜଗାଇଥିଲା ସେ ଶାନ୍ତି ଆଜି ସୁଦୂର ପରାହତ । ଆଦର୍ଶର ଦୁହାଇ ଦେଇ ସ୍ଵାର୍ଥର ସଂଘର୍ଷ ପୁଣି ତୃତୀୟ ମହାସମର ରୂପେ ଦେଖା ଦେଇଚି । ଭୀତ, ଶୋଷିତର ଦୀର୍ଘଶ୍ଵାସରେ ପୃଥିବୀର ବାୟୁମଣ୍ଡଳ ସେତେବେଳେ ଆଲୋଡ଼ିତ, ସେତେବେଳେ ଗ୍ରିଫଲ୍ ଓ ବ୍ରହ୍ମାନନ୍ଦଙ୍କ ମନରେ କି ଆଲୋଡ଼ନ ସୃଷ୍ଟି କଲା କେଜାଣି । ଦିନେ କିନ୍ତୁ ସମ୍ବାଦ ପ୍ରକାଶ ପାଇଲା, ବ୍ରହ୍ମାନନ୍ଦ ଆମେରିକାରୁ ଏବଂ ଗ୍ରିଫଲ୍ ଭାରତରୁ ନିରୁଦ୍ଦେଶ । କେବଳ ବ୍ରହ୍ମାନନ୍ଦଙ୍କ ଘରୁ ଗ୍ରିଫଲ୍‌ଙ୍କ ଗୋଟିଏ ଚିଠି ବାହାରିଲା । ସେଥିରେ ଲେଖାଅଛି, ବନ୍ଧୁ ଦୁର୍ବଳ ପାଇଁ ଯେତେ ବଡ଼ ଆଦର୍ଶ ସୃଷ୍ଟିକର ନା କାହିଁକି, ତାହା ଦିନେ ବିକୃତ ହୋଇ ବିଭତ୍ସତା ସୃଷ୍ଟି କରିବ । ଗ୍ରିଫଲଙ୍କ ଘରୁ ମଧ୍ୟ ବ୍ରହ୍ମାନନ୍ଦଙ୍କ ଗୋଟିଏ ଚିଠି ମିଳିଲା । ସେଥିରେ ଲେଖା ଅଛି, ଶକ୍ତିରେ ଉନ୍ମତ୍ତ ଲୋକର ମନକୁ ଖାପଖୁଆଇ କୌଣସି ଆଦର୍ଶ ବା ଦର୍ଶନ ସୃଷ୍ଟି କରିବା ଅସମ୍ଭବ । ତଥାପି ବନ୍ଧୁ, ମୋର ମନ କହୁଚି ସମୂହ କଲ୍ୟାଣର ପନ୍ଥା ନିକଟରେ ନିଶ୍ଚିତ ଅଛି । ତାକୁ ଖୋଜି ବାହାର କରିବାକୁ ହେବ । ମନୁଷ୍ୟକୁ ଘୃଣାକରି ଲାଭ ନାହିଁ । ଏ ଯୁଦ୍ଧ ରୋଧ କରିବାର ଚେଷ୍ଟା କରି ମଧ୍ୟ କିଛି ଲାଭ ନାହିଁ ।

 

କ୍ଲାରା ସମ୍ବାଦ ମନ୍ତ୍ରଟି ପଢ଼ି ଗୋଟାଏ ବିଦ୍ରୁପର ହସ ହସି ତାଙ୍କର ନୂତନ ପ୍ରେମିକ ଅମେରିକାର ବିମାନ ବାହିନୀର ଜଣେ ସୈନିକଙ୍କ କୋଳକୁ ଡେଇଁ ପଡ଼ି ଚୁମ୍ବନ ପରେ ଚୁମ୍ବନ ଆଙ୍କ ଦେଇଗଲେ । ଯୁଦ୍ଧକୁ ଯିବା ପୃର୍ବରୁ ଆଜି ସେମାନେ ବିମାନ ଯୋଗେ କେହି ଯାଇନଥିବା ଭଳି ଉଚ୍ଚତାକୁ ଉଠି ରତିକ୍ରୀଡ଼ା କରିବେ ।

Image

 

ବଟ ମହାପୁରୁଷ

 

ଆପଣ କେବେ ଯେବେ ନରିପୁର ଆଡ଼େ ଯାଇଥିବେ ତେବେ ନିଶ୍ଚୟ ବଟ ମହାପୁରୁଷଙ୍କ ଛାୟାତଳେ ବସି ବିଶ୍ରାମ ନେଇଥିବେ । (ହାୟ ! ସେ ମହାପୁରୁଷ ଆଉ ନାହାନ୍ତି । ମଣିଷମାନଙ୍କ ଦାଉରେ ପଡ଼ି ତାଙ୍କୁ ଇହଧାମ ଗୁଡ଼ିବାକୁ ପଡ଼ିଚି !)

 

ନରିପୁର ଗାଁମୁଣ୍ଡରେ ବଟ ମହାପୁରୁଷଙ୍କ ଆସ୍ଥାନ । ପ୍ରକାଣ୍ଡ ମହୀରୁହ । ଅସଂଖ୍ୟ ଓହଳ ସବୁ ଓହଳି ପ୍ରକାଣ୍ଡ ପ୍ରକାଣ୍ଡ ଖମ୍ବ ପାଲଟି ଗଲାଣି । ପ୍ରାୟ ମାଣେ ଜମି ମାଡ଼ି ବସିଚନ୍ତି ବଟ ମହାପୁରୁଷ । ତଳଟି ପରିଷ୍କୁତ ପରିଚ୍ଛନ୍ନ, ଯେପରି ପକ୍କା ଚଟାଣ । ମହାପୁରୁଷଙ୍କ ତଳଦେଇ ସଡ଼କ ଚାଲିଯାଇଛି ପଶ୍ଚିମରୁ ପୂର୍ବରୁ । ପୂର୍ବକୁ ଡିହସାହି, ଦୈତାପୁର, ଧାନୁଆ, ଗମରା ଇତ୍ୟାଦି ଗାଁମାନ-। ପଶ୍ଚିମକୁ ନୂଆଗାଁ, ନୂଆପାଟଣା ଅସମ୍ମଦପୁର ଇତ୍ୟାଦି । ଏ ସବୁ ଗାଁ ନରିପୁରଠାରୁ ଅଳ୍ପ ଦୂରରେ ।

 

ସଡ଼କ ଉତ୍ତର ପଟକୁ ଲାଗି ନରିପୁର ଗାଁ ମଶାଣି । ସେଠି ସାନ ବଡ଼ କେତେ ମଣିଷ ମୁଣ୍ଡ, କେତେ ଛିଣ୍ଡା ମସିଣା ତକିଆ ଆଦି ପଡ଼ିଛି । ଆହୁରି ପଡ଼ିବ । ମଝିରେ ମଝିରେ ବୋଲ ହରି, ‘ହରି ବୋଲ’ କୁହାଟରେ ମଶାଣି କମ୍ପି ଉଠେ । ଦାଉ ଦାଉ ଚିତା ଜଳି ଉଠେ । ତା’ ପରେ ଶୁନଶାନ୍ କିଛିକ୍ଷଣ ପାଇଁ । ଗାଁ ମାଇପିମାନେ କାନ୍ଦ ବୋବାଳି ଛାଡ଼ୁ ଛାଡ଼ୁ ହାଣ୍ଡି ମାଠିଆ ଧରି ସେଠି ରୁଣ୍ଡ ହୁଅନ୍ତି । ହାଣ୍ଡି ଫାଣ୍ଡି ମଶାଣିରେ ଫେପାଡ଼ି ଦେଇ ପାଖ ପୋଖରୀରେ ଗାଧୋଇ ପାଧୋଇ ପୁଣି କାନ୍ଦି କାନ୍ଦି ଫେରିଯାଆନ୍ତି ଯେ ଯାହା ଘରକୁ । ଦିନେ ଦିଦିନ କାନ୍ଦନ୍ତି । କାନ୍ଦଣା ଥମି ଆସେ । କିଛି ଦିନପରେ ପୁଣି ହସ ଖୁସି । ଯିଏ ମଲା ସିଏ ଗଲା । ତାର ଦେହ ନରିପୁର ମଶାଣିରେ ମାଟି ହୋଇ ମିଶି ଘାସ ବା ଗଇସ ଗଛକୁ ସାର ଯୋଗାଇଲା । ଆଉ ତା’ର ଆତ୍ମା ? କିରସ୍ତାନମାନେ କହିବେ, ସବୁ ଆତ୍ମାଯାକ ଯାଇ ପ୍ରକାଣ୍ଡ ଗୋଟାଏ ଘରେ ଅପେକ୍ଷା କରି ରହିବେ । କଳ୍ପ ଶେଷରେ ସେମାନଙ୍କ ବିଚାର ହେବ । ତା’ପରେ କେହି ଅନନ୍ତକାଳ ପାଇଁ ନରକ ଯିବେ । କେହି ବା ସ୍ୱର୍ଗ । ନାସ୍ତିକମାନେ କହିବେ, ଭସ୍ମୀଭୂତସ୍ୟ ଦେହସ୍ୟ ଆତ୍ମା କୁଆଡ଼ୁ ଆସିଲା ? ଗୀତା କହେ ଆତ୍ମା ଅମର ! ପଣ୍ଡିତେ ଯିଏ ଯାହା କହନ୍ତୁ, ନରିପୁର ଲୋକେ ପ୍ରତ୍ୟକ୍ଷ ପ୍ରମାଣ ପାଇଛନ୍ତି ଯେ ଅନେକ ଭସ୍ମୀଭୂତ ଦେହ ଭୁତ ହୋଇ ନିଜ ଘର ବା ଘର ଲୋକର ମାୟା ଛାଡ଼ି ନ ପାରି ଏଇ ବଟ ମହାପୁରୁଷଙ୍କ ଦେହରେ ଆଶ୍ରା କରି ରହିଯାଆନ୍ତି । ସ୍ୱର୍ଗକୁ ଯିବାକୁ ବି ଇଚ୍ଛା କରନ୍ତି ନାହିଁ । ଏଇ ତ ସେଦିନ ଅନ୍ତା, ଗଜାଟୋକାଟା, ଗଜାଟୋକୀ ବୋହୂଟାକୁ ଛାଡ଼ି ଗୋଟାଏ ଝାଡ଼ା ପରେ ଚାଲିଗଲା । ଏଇ ଶ୍ମଶାନରେ ତା ବୋହୂ କାନ୍ଦି କାନ୍ଦି ମୂର୍ଚ୍ଛା ଯାଇଥିଲା । ତା ଶବ ଦାହ କରି ଲୋକେ ଫେରୁଥିବାବେଳେ ଦେଖିଲେ ବଟ ମହାପୁରୁଷଙ୍କ ଗୋଟାଏ ମୋଟା ଡାଳ ମଟ ମଟ କରି ଭାଙ୍ଗି ପଡ଼ିଗଲା, ଅଥଚ ବତାସ ଫତାସ କିଛି ନାହିଁ । ସମସ୍ତେ ଜାଣିଲେ ବୋହୂ-ମାୟା ଛାଡ଼ି ନ ପାରି ଅନ୍ତା ବଟ ମହାପୁରୁଷଙ୍କ ଗୋଟାଏ ଡାଳରେ ବସା ବାନ୍ଧି ରହିଲା । ମାସେ ନ ପୁରୁଣୁ ଅନ୍ତାବୋହୂ ରାମ ପ୍ରଧାନ ସାଙ୍ଗରେ କଲିକତା ପଳେଇଲା । ଅନେକେ କୁହାକୁହି ହେଲେ, କଥାଟି ବି ଜଣାପଡ଼ିଗଲା, ରାମ ପ୍ରଧାନ କୁଶିକ୍ଷାରେ ଅନ୍ତାବୋହୂ ଅନ୍ତାକୁ ବିଷ ଦେଇ ମାରି ଦେଇଚି । ତଥାପି ଏପର୍ଯ୍ୟନ୍ତ ଅନ୍ତା ବଟ ମହାପୁରୁଷଙ୍କ ଡାଳରେ ଅଛି, ଲୋକେ ଦେଖୁଛନ୍ତି । ଏମିତି କେତେ ଯେ ଭୂତ ବଟ ମହାପୁରୁଷଙ୍କ ଦେହରେ ରହିଲେଣି କିଏ ତା’ର କଳନା କରିବ ! କେହି କେହି ଦେଖିଚନ୍ତି ରାତି ଅଧରେ ଅସଂଖ୍ୟ ଭୂତ ସେ ଗଛରୁ ଓହ୍ଲାଇ ସଡ଼କେ ସଡ଼କେ କୁଆଡ଼େ ଯାଆନ୍ତି । ଖାଲି ଯେ ନରିପୁର ଭୂତମାନେ ବଟ ମହାପୁରୁଷଙ୍କଠି ଅଛନ୍ତି ତା ନୁହେଁ, ଆଖ ପାଖ ପଚିଶଖଣ୍ଡ ଗାଁର ଭୂତମାନେ ମଧ୍ୟ ସେଠି ରହନ୍ତି; ଏମିତି ଶୁଣାଯାଏ ।

 

ବଟ ମହାପୁରୁଷଙ୍କ ତଳେ ବର୍ଷା ଟୋପାଏ କି ଖରା ଚେନାଏ ବି ପଡ଼େ ନାହିଁ । ଶୀତଦିନରେ ମଧ୍ୟ ତାଙ୍କ ତଳଟି ଉଷୁମ, ମା’କୋଳ ଭଳି । ଘୋର ବର୍ଷା ଆସିଲେ ଗାଈଆଳ ପିଲାଏ ଗାଈ ଗୋଠକୁ ବିଲରୁ ବା ଦଣ୍ଡାରୁ ଘଉଡ଼େଇ ନେଇ ଆସନ୍ତି ବଟ ମହାପୁରୁଷଙ୍କ ତଳକୁ । ଗାଈ, ଛେଳି, ମେଣ୍ଢା ଆଦି ଶହ ଶହ ପଶୁ ନିରାପଦରେ ଶୁଖିଲାରେ ଗଛତଳେ ଚାରିକାତ ମେଲେଇ ଦେଇ ଦେହକୁ ଦେହ ଲଗେଇ ଦେଇ ଅଳସ ଭାଙ୍ଗନ୍ତି, ପାକୁଳି କରନ୍ତି । ଗାଈଆଳ ପିଲାଏ ବଟ ମହାପୁରୁଷଙ୍କ ରାସ୍ତାପରି ଲମ୍ବା ଚଉଡ଼ା ଡାଳମାନଙ୍କର ଦୌଡ଼ା-ଦୌଡ଼ି କରନ୍ତି ଆନନ୍ଦରେ । କେହି ବା ଗୋଟାଏ ଡାଳରେ ଶୋଇ ଆନନ୍ଦରେ ଗୀତ ଛାଡ଼େ, କହ କହ ବାଳା କାହାର ଅବଳା, କିମ୍ପା ଏକା ବସି କାନ୍ଦୁଚୁରେ, କହ କହ ବାଳା..... । ଆଉ କେହି ବା ଗୋଟାଏ ଓହଳରେ ଦୋଳି ଖେଳେ । ଖରା ଦିନର ଉଦୁଉଦିଆ ଖରାବେଳେ ବାଟୋଇ ଦୌଡ଼ୁଥାଏ ବଟ ମହାପୁରୁଷଙ୍କୁ ଲକ୍ଷ୍ୟ କରି । ପାଖ ହୋଇଗଲା ମାତ୍ରେ ବଟ ମହାପୁରୁଷଙ୍କ ଦେହରୁ ଝଲକାଏ ହେମାଳ ପବନ ବାଟୋଇକୁ ପାଛୋଟି ଆଣେ । ବାଟୋଇ ମୁଣ୍ଡରୁ ଠେକାଟି ଫିଟାଇ ଦେଇ ଝାଳ ପୋଛି ଥକାମାରି ଗୋଟାଏ ଓହଳକୁ ଡେରି ବସିଯାଏ ଦଣ୍ଡେ । ତା’ପରେ ପାଣିଛତ୍ରରୁ ଲଙ୍କାମରିଚ ଗୋଳା ହୋଇଥିବା ଥଣ୍ଡା ତୋରାଣିରୁ ଏକା ନିଶ୍ୱାସକେ ପେଟେ ପିଇ ବଟ ମହାପୁରୁଷଙ୍କ ଗୋଟାଏ ପାଦରେ ମୁଣ୍ଡ ରଖି ବେହୋସ୍ ହୋଇ ଶୋଇଯାଏ । ଉଠେ ଛାଇ-ନେଉଟାଣି ବେଳକୁ । ମହାପୁରୁଷଙ୍କ ପାଦଛୁଇଁ ଜୁହାର ହୋଇ ଚାଲିଯାଏ ବାଟେ ବାଟେ । ଶୀତଦିନ ରାତିରେ ମହାଜନମାନଙ୍କ ୩୦/୪୦ ଖଣ୍ଡ ମାଲବୁହା ବଦଳଗାଡ଼ିର କେଁ କଟର୍ ବନ୍ଦ ହୋଇଯାଏ ବଟ ମହାପୁରୁଷଙ୍କ ଆସ୍ଥାନ ତଳେ । ବଳଦମାନଙ୍କୁ ଫିଟାଇ ଦେଇ ଓହଳମାନଙ୍କରେ ବାନ୍ଧି ଦେଇ ରୋଷେଇ କରିବାରେ ଲାଗି ଯାଆନ୍ତି । ଖିଆପିଆ ପରେ ବଳଦମାନଙ୍କୁ ଖାଇବାକୁ ଦେଇ ଆରାମରେ ଶୋଇ ଯାଆନ୍ତି ବଟ ମହାପୁରୁଷଙ୍କ ତଳେ । ବାହାରର ଥଣ୍ଡା ସେମାନଙ୍କୁ ସ୍ପର୍ଶ କରିପାରେ ନାହିଁ, ବଟ ମହାପୁରୁଷ ଖଣ୍ଡେ ଅଦୃଶ୍ୟ ଉଷୁମ କମ୍ବଳ ସମସ୍ତଙ୍କୁ ଘୋଡ଼ାଇ ଦିଅନ୍ତି । ସକାଳୁ ଉଠି ସେମାନେ ମହାପୁରୁଷଙ୍କ ଆସ୍ଥାନ ପରିଷ୍କାର କରି ଦେଇ ଜୁହାର ହୋଇ ଚାଲିଯାଆନ୍ତି-

 

ଏ ମହାପୁରୁଷଙ୍କୁ ଆଣିଥିଲେ ବଟବିହାରୀ । ସେ ଚାରିପୁରୁଷ ଆଗ କଥା । ବଟବିହାରୀ ଥିଲେ ଅତି ଧାର୍ମିକ, ସତ୍ୟବାନ୍, ନିଷ୍ଠାବାନ ଅଥଚ ନୀରବ ମୌନୀ ଲୋକ । ଗାଁ ଗାଁ ଭିତରେ ଯେତେବେଳେ କନ୍ଦଳ କ୍ରମେ କ୍ରମେ ବୃଦ୍ଧି ପାଇବାକୁ ଲାଗିଲା ସେତେବେଳେ ସେ ବ୍ୟଥିତ ହୋଇ ଚାଲିଗଲେ ହିମାଳୟକୁ ତପସ୍ୟା କରିବାକୁ । ସେ ଯୁଗରେ ସମାଜରେ ପାପବୃଦ୍ଧି ହେଲେ ନେତା ଗୋଷ୍ଠୀବାଦ, ସମାଜବାଦ, କୂଟନୀତି, ରାଜନୀତି, ପେଞ୍ଚ ପ୍ରୟୋଗ କରୁନଥିଲେ । ସମସ୍ତଙ୍କ ପାପକୁ ନିଜର ପାପ ବୋଲି ଧରି ନେଇ ତାକୁ ଦୂର କରିବାକୁ ତପସ୍ୟା କରୁଥିଲେ, ଉପବାସ କରୁଥିଲେ । ଏବଂ ତପସ୍ୟା ପରେ ଆସି ପୁଣି ଧର୍ମ, ଆଧ୍ୟାତ୍ମିକତା ସଂସ୍ଥାପନ କରିବାକୁ ଲାଗିଯାଉଥିଲେ । ବର୍ତ୍ତମାନ ଯୁଗରେ ନେତାଏ ପ୍ରଚାର କରୁଛନ୍ତି, ଧର୍ମ, ଆଧ୍ୟାତ୍ମିକତା ଫିଙ୍ଗି ଦିଅ ବିଜ୍ଞାନଯୁଗରେ ସେ ସବୁର ସ୍ଥାନ ନାହିଁ, ଶିଳ୍ପ ବ୍ୟବସାୟଦ୍ଵାରା ଅର୍ଥ ଉପାର୍ଜନ ବଢ଼ାଅ, ତାହାହିଁ ଜୀବନର ଏକମାତ୍ର ଲକ୍ଷ୍ୟ । ଧର୍ମ ଅଳୀକ କଳ୍ପନା, ଅର୍ଥ ବାସ୍ତବ ସତ୍ୟ । କିଏ ଭଲ, କିଏ ଠିକ୍ ମହାକାଳ କେବଳ ଜାଣନ୍ତି ! ହୁଏତ ମିଥ୍ୟାଟା ହିଁ ସତ୍ୟ, ସତ୍ୟଟା ହିଁ ମିଥ୍ୟା ! ! ହୁଏତ ସେ କଳ୍ପନା ମଣିଷକୁ କରାଏ ଦେବତା, ଆଉ ସେ ସତ୍ୟ କରାଏ ରାକ୍ଷସ !! ବର୍ଷେକାଳ ହିମାଳୟରେ ତପସ୍ୟା କରିବା ପରେ ବଟବିହାରୀ ଫେରିଲେ ନରିପୁର, ସାଙ୍ଗରେ ବରଗଛର ଚାରା ଧରି । ଆଖପାଖ ପଚିଶଖଣ୍ଡ ଗାଁର ଲୋକେ ମହାଉତ୍ସାହରେ ଓ ସମ୍ଭ୍ରମରେ ବଟ ମହାପୁରୁଷଙ୍କୁ ସ୍ଥାପନା କଲେ । ସାତଦିନ ଧରି ଧୂମ୍‍‍ଧାମ୍‍‍ରେ ଖିଆ ପିଆ ଚାଲିଲା । ସେଇ ଚାରା ଆଜି ବିରାଟ ବଟ ମହାପୁରୁଷ । ତାଙ୍କରି ଯୋଗୁଁ ସମସ୍ତ ବାଦବିବାଦ ଭୁଲି ପୁଣି ମିଳିତ ହେଲେ ତାଙ୍କରି ଶତ ଶତ ବାହୁଚ୍ଛାୟା ତଳେ-। ବଟବିହାରୀ ଦେହତ୍ୟାଗ କଲା ପରେ ସ୍ୱର୍ଗ ନ ଯାଇ ରହିଗଲେ ବଟ ମହାପୁରୁଷଙ୍କ ଦେହରେ । ଏ ପର୍ଯ୍ୟନ୍ତ ତା’ଙ୍କ ବଂଶରୁ କେହି ହେଲେ ଜଣେ ଖରାଦିନରେ ବଟ ମହାପୁରୁଷଙ୍କ ତଳେ ପାଣିଛତ୍ର ଦିଅନ୍ତି । ବଟମହାପୁରୁଷଙ୍କ ଲଗାଏତ ବଟେଶ୍ୱର ମହାଦେବଙ୍କ ପୂଜା କରନ୍ତି । ତାଙ୍କ ବଂଶର ବଟସୁନ୍ଦର ଯେତେବେଳେ ମନ୍ଦିର ଭିତରେ ଶିବାଷ୍ଟକ ବୋଲୁଥିଲେ—

 

“ଗିରିରାଜସୁତାନ୍ଵିତବାମତନୁ, ତନୁନିନ୍ଦିତରାଜିତକୋଟିବିଧୁମ୍,

ବିଧୁ ଖଣ୍ଡବିମଣ୍ଡିତଭାଲତଟମ୍, ପ୍ରଣମାମି ଶିବମ୍ ଶିବକଳ୍ପତରୁମ୍ ।”

 

କିମ୍ବା ରାବଣଙ୍କ ଶିବତାଣ୍ଡବ ବୋଲୁଥିଲେ—

 

“ଜଟାଟବୀଗଳଜ୍ଜଳପ୍ରବାହପ୍ଳାବିତସ୍ଥଳେ,

ଗଳେଽବଲମ୍ବ୍ୟଲମ୍ବିତାମ ଭୁଜଙ୍ଗତୁଙ୍ଗମାଳିକାଂ,

ଡମଡ଼ମ ଡମଡ଼ମ ନିଦାଦ ବଡ଼୍‍ଡ଼୍‍ମର୍ବୟଂ,

ଚକାରଚଣ୍ତତାଣ୍ଡବମ୍ ତନୋତୁ ନଃ ଶିବଃ ଶିବମ୍ ।”

 

ସେତେବେଳେ ମନ୍ଦିର ଭିତର ଗମଗମ ହୋଇ ଉଠୁଥିଲା । ବଟ ମହାପୁରୁଷ ମଧ୍ୟ ଆବେଗରେ କମ୍ପି ଉଠୁଥିଲେ । ବଟସୁନ୍ଦରଙ୍କ ମରକଳେବର ନରିପୁର ମଶାଣିରେ ମିଶି ଯାଇଚି । କିନ୍ତୁ ସେ ବି ନରିପୁର ମାୟା ନ ଛାଡ଼ି ରହିଯାଇଚନ୍ତି ବଟ ମହାପୁରୁଷଙ୍କ ଦେହରେ ।

 

ପ୍ରତ୍ୟେକ ବର୍ଷ ଦ୍ଵିତୀୟା ଓଷା ଦିନ ବଟ ମହାପୁରୁଷ ମାର୍ଜନା, ସ୍ନାନ ହୁଏ । ପୂଜା ହୁଏ । ଢୋଲ ମହୁରି ବାଜେ । ଗୁଡ଼ପଣା ଭୋଗ ହୁଏ । ଗାଁ ମାଇପିମାନଙ୍କ ଶଙ୍ଖ ହୁଳହୁଳି ଶବ୍ଦରେ ବଟ ମହାପୁରୁଷ ଆନନ୍ଦରେ କମ୍ପି ଯାଆନ୍ତି । ସ୍ନାନ ହୁଏ । ତା’ପରେ ବଟ ମହାପୁରୁଷ ପିନ୍ଧନ୍ତି ନୂଆଲୁଗା-। ତା’ଙ୍କର ପ୍ରତ୍ୟେକ ଓହଳରେ ଓ ମୂଳରେ ସିନ୍ଦୂର ଲାଗିହୁଏ । ଧୂପଝୁଣା ବାସନାରେ ବଟ ମହାପୁରୁଷଙ୍କ ଆସ୍ଥାନ ମହକି ଉଠେ । ତା’ପରେ ଚାଲେ ଭୋଜି ଭାତ । ପଚିଶ ଖଣ୍ଡ ଗାଁର ଲୋକେ, ଏପରି କ ଅହମ୍ମଦପୁରର ପଠାଣମାନେ ବି, ଏକାଠି ବସି ଖାଆନ୍ତି । ଦିନରାତି ବଟ ମହାପୁରୁଷଙ୍କ ତଳେ ଯାତ୍ରା, ବାଦି ପାଲା, ଦୋକାନପତ୍ର ବସେ । ଇୟେ ହେଲା ତାଙ୍କର ବାର୍ଷିକ ପୂଜା କିନ୍ତୁ କାହାରି ପିଲା ହେଲେ, ବା କାହାରି ମନସ୍କାମନା ପୂର୍ଣ୍ଣ ହେଲେ, ପୁଅ ଚାକିରି ପାଇଲେ ବା ବାହାଘର ହେଲେ, ସେ ପୂଜା କରାଏ । ଏମିତି ପୂଜା ଲାଗିଥାଏ ବର୍ଷସାରା । ବଟ ମହାପୁରୁଷଙ୍କୁ କେନ୍ଦ୍ରକରି ପଚିଶଖଣ୍ଡ ଗାଁ ଭେଦାଭେଦ ଦୂର କରି ମିଳିମିଶି ଚଳନ୍ତି ।

 

ହିମାଳୟର ଏ ମହୀରୂହ ହିମାଳୟପରି ନରିପୁର ସୀମାରେ ଏବଂ ପଚିଶ ଖଣ୍ଡ ଗାଁର କେନ୍ଦ୍ରସ୍ଥଳରେ ବିରାଜମାନ ଚାରିପୁରୁଷ ହେବ ।

 

ନରିପୁର ଗାଁ ମଶାଣିକୁ ଲାଗି ଉତ୍ତରପଟେ ହଳଦିଆ ଗାଁ । ବଡ଼ ଗାଁଟାଏ । ହଳଦିଆର ଲୋକେ ନରିପୁରିଆମାନଙ୍କ ଠାରୁ ଅଧିକ ଶିକ୍ଷିତ ଓ ଥିଲାବାଲା । ନରିପୁରରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଇନର ସ୍କୁଲରେ ପରିଣତ ହୋଇପାରି ନାହିଁ । ତା’ର ଦରକାର ପଡ଼ିନାହିଁ, କାରଣ ପିଲାଏ, କଳାକଳେବର କହ୍ନାଇ ସଙ୍ଗେ ରୋହେଣୀ ସୁତ...ବୋଲି ଶିଖୁ ନ ଶିଖୁଣୁ ବଳଦଲାଙ୍ଗୁଡ଼ ମୋଡ଼ି ହେଃ ହେଃ ଶଳା ବଳଦ ମୋର......କହୁ କହୁ ବିଲକୁ ଦୌଡ଼ନ୍ତି ସକଳୁ । କିନ୍ତୁ ହଳଦିଆର ମାଇନର ସ୍କୁଲ ଉଚ୍ଚ ବିଦ୍ୟାଳୟରେ ପରିଣତ ହେଲାଣି ଅନେକ ଦିନୁ । ଆଉ ଅଳ୍ପ ଦିନ ଭିତରେ ସେ କଲେଜରେ ପରିଣତ ହେବ । ହଳଦିଆ ଅଧିକାଂଶ ଚାକିରିଆ ଓ ବଡ଼ ବ୍ୟବସାୟୀ । ସେମାନଙ୍କ ଭିତରୁ ଅନେକ ବଡ଼ ବଡ଼ ଚାକିରିଆ ବି ଅଛନ୍ତି । ବିଧାନସଭାର ସଭ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ଚେୟାରମେନ୍ ମଧ୍ୟ ହଳଦିଆର ଲୋକେ । ନରିପୁରରେ ଖାଲି ନୁଆଣିଆ ଅନ୍ଧାରୁଆ ଚାଳଘର । ମଣିଷ ରହିବା ଘରଠାରୁ ଗାଈଗୋରୁ ରହିବା ଘର ବଡ଼ । କିନ୍ତୁ ହଳଦିଆରେ ଅନେକ କୋଠାବାଡ଼ି ।

 

ହେଲେ, ନରିପୁରର ଗର୍ବ ତା’ର ବଟ ମହାପୁରୁଷ । ଯେତେ ବଡ଼ ଗାଁ ହେଉନା ପଛକେ ତାକୁ ମୁଣ୍ଡ ନୁଆଇଁବାକୁ ହେବ ନରିପୁରର ବଟ ମହାପୁରୁଷଙ୍କ ତଳେ । କଳ୍ପତରୁ ସେ । ପ୍ରତ୍ୟକ୍ଷ୍ୟ ଦେବତା ।

 

କିନ୍ତୁ ହେଲେ କଅଣ ହେଲା, ଯୁଗ ବଦଳୁଛି । ପଞ୍ଚାୟତରାଜ ଚାଲିଚି । ଲୋକେ ଶିକ୍ଷିତ ହେଲେଣି । ଦେଶର ଭଗୀରଥ ବିଦେଶମାନଙ୍କରୁ ଟଙ୍କାସ୍ରୋତ ସବୁ ମୁଁହାଇ ଦିଲ୍ଲୀକୁ ଆଣିଲେଣି । ସେଠି ସବୁ ଠୁଳ କରି ପୁଣି ମୁହେଁଇ ଦିଆହେଉଚି ସବୁ ରାଜ୍ୟକୁ । ପୁଣି ରାଜ୍ୟରୁ ପ୍ରତ୍ୟେକ ଗାଁକୁ ସୁଅ ଚାଲିଛି । କେଉଁ କେଉଁ ରାଜ୍ୟର ଭଗୀରଥମାନେ ପୁଣି ସିଧାସଳଖ ବିଦେଶରୁ ସେ ସୁଅକୁ ନିଜ ନିଜ ରାଜ୍ୟକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଅନେକ କପଟି ମହାଦେବ ବା ଜାନୁମୁନି ସେ ସୁଅକୁ ଜଟରେ ଛପାଇ ଦେଉଛନ୍ତି ବା ଚଳୁ କରି ଦେଉଛନ୍ତି । କିନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ । ସୁଅ ତ ମାଡ଼ି ଆସୁଛି । କିଏ କେତେ ଛପାଇ ରଖୁଛି, କିଏ କେତେ ଚଳୁ କରୁଚି କରୁ ! ଦେଖାଯିବ ପରେ ! କ୍ୟା ପର୍‌ୱା ।

 

ହେଲେ, ଗୋଳମାଳ ହେଲା, ଫାଇଦା ଉଠାଇ ନ ପାରିବା ଲୋକେ ଯେତେବେଳେ ହଠାତ୍ ଦେଶପ୍ରେମୀ, କର୍ମୀ ହୋଇ ଉଠିଲେ, ମୁଣ୍ଡରେ ଧଳା ଟୋପି ନାଇଲେ, କାନ୍ଧରୁ ମୁଣା ଝୁଲାଇଲେ ଓ ଆଣ୍ଠୁ ଉପରକୁ ମୋଟ ଧୋତି ପିନ୍ଧିଲେ । ନରିପୁରର ବଟକୃଷ୍ଣ ଦିନେ ଏମିତି ବେଶ ବଦଳେଇଲେ । ସେ କଲିକତାରେ ଝୋଟ କଳରେ କଅଣ କାମ କରୁଥିଲେ । ଶାଗୁଣା ମଢ଼ ଗନ୍ଧ ପାଇ ଛୁଟିଲାପରି ସେ କଲିକତା ଛାଡ଼ି ଗାଁକୁ ଆସି ଆସ୍ଥାନ ଜମାଇଲେ । ନିମେଷେକେ ସେ ଅବସ୍ଥାଟା ହୃଦୟଙ୍ଗମ କଲେ ଯେ ଯେଉଁ ସୁଅ ହଳଦିଆକୁ ଚାଲିଚି ତା’ର ଗୋଟାଏ ଧାର ନରିପୁରକୁ ଆଣିବାକୁ ହେଲେ ବେଶ୍ କିଛି ବୁଦ୍ଧି ଖରଚ କରିବାକୁ ପଡ଼ିବ ।

 

ତେଣୁ ସେ ପ୍ରଥମେ ସ୍ଥାପନ କଲେ ‘ବଟ ମହାପୁରୁଷ ଉନ୍ନତି ସମିତି’ । ସଭା ବସିଲା । ପଚିଶଖଣ୍ଡ ଗାଁର ଲୋକେ ସଭାରେ ଯୋଗ ଦେଲେ । ନିୟମ ହେଲା ପ୍ରତ୍ୟେକ ଗାଁବାଲା ମାସକୁ ଅଣାଏ ଚାନ୍ଦା ଦେବେ । ଯିଏ ବଟ ମହାପୁରୁଷଙ୍କ ସ୍ପେସିୟାଲ୍ ପୂଜା କରାଇବ ସେ ଦୁଇଟଙ୍କା ଦେବ-। ପ୍ରତ୍ୟେକ ଚୈତ୍ରରେ ବଟ ମହାପୁରୁଷଙ୍କ ନୂତନ କଳେବରବେଳେ ଯେଉଁ ହିମାଳୟ ପ୍ରମାଣ ପତର ଝଡ଼େ ତାକୁ ଆଉ ଧୋବଣୀ ପାଲୁଣୀମାନେ ମାଗଣା ନେଇ ପାରିବେ ନାହିଁ, ଟୋକେଇକୁ ଏକ ନୁଆପଇସା ମାସୁଲ ଦେବେ, ଇତ୍ୟାଦି । ବଟକୃଷ୍ଣ ସମିତିର ସେକ୍ରେଟେରି ହେଲେ । ଖୁବ୍ ଟଙ୍କା ଆଦାୟ ହେଲା । ବଟ ମହାପୁରୁଷଙ୍କ ମୂଳ ଚାରିପଟେ ପ୍ରକାଣ୍ଡ ଚଉତରା ଗଢ଼ା ହେଲା । ଏବଂ ପ୍ରତ୍ୟେକ ଓହଳ ଚାରିପଟେ ବି ସାନ ସାନ ଚଉତରା ଗଢ଼ା ହେଲା । ତା ସାଙ୍ଗେ ସାଙ୍ଗେ ବଟକୃଷ୍ଣଙ୍କ ଆଶ୍ରମ ମଧ୍ୟ ପକା ହେଲା । ବଟକୃଷ୍ଣ ବଟ ମହାପୁରୁଷଙ୍କ ଆୟ ଆହୁରି ଏକ ଅଭିନବ ଉପାୟରେ ବଢ଼ାଇବାକୁ ଲାଗିଲେ । ଅମମ୍ମଦପୁରର ଜାନ୍‍ମହମ୍ମଦ ହେଉଚନ୍ତି ଗଣକବି । ‘ଶାଶୁ-ବୋହୂ କଳି’ ‘କଟକିଆଣୀ’ ଆଦି କବିତା ଲେଖି ଛପାଇ ସେ ଗ୍ରାମେ ଗ୍ରାମେ ବୁଲି ବିକନ୍ତି । ଅନ୍ତାବୋହ ଅନ୍ତାକୁ ବିଷ ଦେଇ ମାରି ରାମ ପ୍ରଧାନ ସହିତ କଲିକତା ପଳେଇ ଯିବା କାହାଣୀ ସେ କବିତାରେ ଲେଖି ଛପାଇ ଗ୍ରାମେ ଗ୍ରାମେ ବୁଲି ପ୍ରଚାର କରିଥିଲେ । ସେ ବହି ତାଙ୍କର ଭାରି କାଟତି ହୋଇଥିଲା, ପ୍ରତ୍ୟେକ ଗାଁର ବୋହୂମାନେ ତାକୁ କିଣି ପଢ଼ିଚନ୍ତି । ବଟକୃଷ୍ଣ ତାକୁ ଧରିଲେ ‘ବଟ ମହାପୁରୁଷ ମାହାତ୍ମ୍ୟ’ ଲେଖି ପ୍ରଚାର କରିବାକୁ । ବଟ ମହାପୁରୁଷ ମାହାତ୍ମ୍ୟ’ ଲେଖା ହେଲା, ସେଥିରେ ଭଣିତା ହେଲା ‘ଦୀନ ସେବକ ବଟକୃଷ୍ଣ’ । ବଟ ମହାପୁରୁଷଙ୍କ ନାନା ଅଲୌକିକ କାହାଣୀ ଶୁଣି ଯାତ୍ରୀ ବଢ଼ିଲେ । ସେ ଦିଗରୁ ବେଶ୍‌ କିଛି ଅର୍ଥ ବଟକୃଷ୍ଣଙ୍କ ହାତପୈଠ ହେଲା ଏବଂ ବଟ ମହାପୁରୁଷଙ୍କ ମାହାତ୍ମ୍ୟ ସହିତ ବଟକୃଷ୍ଣଙ୍କ ମହାତ୍ମ୍ୟ ମଧ୍ୟ ପ୍ରଚାରିତ ହେଲା ।

 

ବଟକୃଷ୍ଣ ଅଙ୍ଗୁଳି ପ୍ରବେଶ କରାଇଲେ ପଞ୍ଚାୟତରେ ସାମାନ୍ୟ ମେମ୍ବରଟିଏ ହୋଇ । କିଛିଦିନ ପରେ ଜନରବ ହେଲା ଯେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିବ । ସରପଞ୍ଚ ହେଉଛନ୍ତି ହଳଦିଆର ବଟୁକ । ତାଙ୍କ ଦୋତାଲାର ମୁଣ୍ଡି ମରା ହୋଇନାହିଁ । ସେ ପ୍ରମାଦ ଗଣିଲେ-। ବଟୁକ ମାମଲାବାଜ ଲୋକ । ସେ ଦାଉ ସାଧନ୍ତି ଆଇନ ଅଦାଲତ ଜରିଆରେ । ତାଙ୍କ ହାତ ମୁଠାରେ ଅନେକ ସାକ୍ଷୀ ଅଛନ୍ତି, ଯେଉଁମାନେ ଅଦାଲତରେ ‘ନିୟମ କରୁଚି ଯାହା କହିବି ସତ କହିବି, କିଛି ମିଛ କହିବି ନାହିଁ, କିଛି ଲୁଚାଇବି ନାହିଁ’ ଶପଥ ନେଲା ପରେ ମଧ୍ୟ ‘ଆମେ କାହିଁକି ମିଛ କହିବୁ, ଆମେ ମିଛ କହିଲାବାଲା ନହୁଁ’ ଯୋଡ଼ି ଦେଇ ଅନର୍ଗଳ ମିଛ କହିଯାଆନ୍ତି, ଆଉ ଜେରାରେ ଧରି ପଡ଼ିଲେ ମଧ୍ୟ ନିର୍ଲ୍ଲଜ ଭାବରେ ମିଛ କହିଯାଆନ୍ତି ଓ ସାକ୍ଷ୍ୟ ଦେଇ ସାରିବା ପରେ ଦୁଇଟଙ୍କା ପାରିଶ୍ରମିକ ନେଇ ହୋଟେଲରେ ମାଗଣା ଖାଇ ଘରକୁ ଫେରନ୍ତି । ବିଚାରକ ବିଚାରା ଜବାନବନ୍ଦୀ ପଢ଼ୁ ପଢ଼ୁ ଭାବୁଥାଏ—

 

ଚନ୍ଦ୍ର ନ ଦିଶେ ମେଘାଚ୍ଛନେ,

ମିଥ୍ୟା ବଚନେ ସତ୍ୟ ଯେହ୍ନେ ।

 

ବଟୁକକୁ ତେଣୁ ସମସ୍ତେ ଭୟ କରନ୍ତି । ପଞ୍ଚାୟତ ସଭା ବସିବା ଆଗରୁ ସେ ବଟକୃଷ୍ଣଙ୍କ ନାମରେ ନାରୀଧର୍ଷଣ, ଚୋରି, ଠକେଇ ଆଦି ପିଙ୍ଗଳକୋର୍ଡ଼ର ବଡ଼ ବଡ଼ ଦଫାରେ ଚାରି ପାଞ୍ଚଟା ମାମଲା ଯୋଡ଼ି ଦେଲେ । ବଟକୃଷ୍ଣ ବଟ ମହାପୁରୁଷଙ୍କ ପାଖରେ ଅଧିଆ ପଡ଼ିଲେ । ଆହୁରି ଜୋର ସୋରରେ ‘ବଟ ମହାପୁରୁଷ ମାହାତ୍ମ୍ୟ’ ପ୍ରଚାର ଚଳାଇଲେ । ବଟ ମହାପୁରୁଷଙ୍କ ପାଣ୍ଠିରୁ ମକଦ୍ଦମା ଖରଚ ଚଳାଇଳେ, ସାକ୍ଷୀ ଭଙ୍ଗେଇଲେ । ପଞ୍ଚାୟତ ସଭାରେ ବଟୁଳ ହାରିଗଲେ-। ବଟକୃଷ୍ଣ ସରପଞ୍ଚ ହେଲେ । ବଟକୃଷ୍ଣ କିନ୍ତୁ କହିଲେ ବଟ ମହାପୁରୁଷ ଜାଣିଲେ । ନରିପୁର ଆଉ ହଳଦିଆ ଗାଁ ଭିତରେ ବିବାଦ ତେଜି ଉଠିଲା । ଖାଲି ସେତିକି ନୁହଁ, ସବୁ ଗାଁ ଭିତରେ ଫାଟ ଦୁଶିଲା ।

 

ବଟୁକ ଏଥର ଭଲକରି ଅଣ୍ଟା ଭିଡ଼ିଲେ । ସେ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆଣିବାପାଇଁ ଯୋଗାଡ଼ ଚଳାଇଲେ । ମେମ୍ବରମାନଙ୍କୁ ଟଙ୍କା ପଇସା ଦେଇ ହାତକରି ରାତାରାତି ଗୋଟିଏ ଟ୍ରକରେ ଭୁବେନଶ୍ଵର ଯାଇ ମନ୍ତ୍ରୀଙ୍କ ପାଖରେ ଶପଥ କରାଇ ଲିଙ୍ଗରାଜଙ୍କ ପାଖରେ ମହାପ୍ରସାଦ ଛୁଆଁଇ ଶପଥ କରାଇ ରାତି ନ ପାହୁଣୁ ଓ୍ୟାପସ୍ ।

 

ତଳେ ତଳେ ଗଲା ତଳ ଗଡ଼ିଶା,

କେହି ନ ଜାଣିଲେ ସାଇ ପଡ଼ିଶା !

 

କିନ୍ତୁ ଲିଙ୍ଗରାଜଙ୍କ ପ୍ରଭାବ ନରିପୁର ପର୍ଯ୍ୟନ୍ତ ପଡ଼େ ନାହିଁ ବୋଧହୁଏ । ଏଠି ବଟ ମହାପୁରୁଷ ସର୍ବେସର୍ବା । ଦାସ କାଠିଆ ଦଳ, ପାଲାବାଲା, ଜାନ୍ ମହମ୍ମଦ ସମସ୍ତେ ଗାଁ ଗାଁ ବୁଲି ମହାପୁରୁଷଙ୍କ ମାହାତ୍ମ୍ୟ ଓ ତା ସହିତ ବଟକୃଷ୍ଣଙ୍କ ମାହାତ୍ମ୍ୟ ପ୍ରଚାର ଚଳାଇଚନ୍ତି । ସେ ପ୍ରଚାରପ୍ରାଚୀର ଭେଦ କରି ଲିଙ୍ଗରାଜ ପଶିପାରିଲେ ନାହିଁ କି ମନ୍ତ୍ରୀଙ୍କ ମନ୍ତ୍ରୀତ୍ଵ ମଧ୍ୟ କାଟୁ କଲାନାହିଁ । ବଟକୃଷ୍ଣ ବଟ ମହାପୁରୁଷଙ୍କ ମାହାତ୍ମ୍ୟ ପ୍ରଚାର କରି ବରଗଛ ସଙ୍କେତ ଧରି ପଞ୍ଚାୟତ ସମିତି ଚେୟାରମେନ୍ ପଦକୁ ଆଖୋଉ ଆଖୋଉ ପାଖେଇଲେଣି ।

 

ଏତେଦିନକେ ବଟୁକଙ୍କ ଚେତା ପଶିଲା । ସେ ବୁଝିଲେ ଯେ ପ୍ରଥମେ ବଟ ମହାପୁରୁଷଙ୍କ ମାହାତ୍ମ୍ୟ ଖର୍ବ କରିବାକୁ ହେବ ।

 

ଦିନେ ହଠାତ୍ ଦେଖାଗଲା ହଳଦିଆ ଗାଁ ମଶାଣିରେ ଏକ ବାବାଜି ଆସ୍ଥାନ ଜମାଇ ବସିଚନ୍ତି । ତାଙ୍କ ନାଁ ବଟିଆ ବାବା । ପ୍ରଚାର ହୋଇଗଲା ବଟିଆ ବାବା ଜଣେ ଭାରି କାଳିସାଧକ । ପ୍ରତି ଅମାବାସ୍ୟା ରାତିରେ ସେ ଶବ ସାଧନା କରନ୍ତି । ବୀର ପେଷି ଜାଣନ୍ତି ବି । ଆଉ ତାଙ୍କ ବଟୁଆରୁ ଟିକିଏ ଟିକିଏ ହୋମ ପାଉଁଶ ଦେଇ ସବୁ ରୋଗ ଭଲ କରି ଦେଇପାରନ୍ତି । ଅଳ୍ପଦିନ ଭିତରେ ପଚିଶି ଖଣ୍ତ ଗାଁରେ ଏ ସମ୍ବାଦ ବିଜୁଳି ଭଳି ଖେଳିଗଲା । ଲୋକସୁଅ ଲାଗିଲା ବଟିଆ ବାବା ପାଖକୁ ।

 

କେତେକ ଦିନ ପରେ ଗାଁ ଗାଁରେ ଏକ ନୂଆ ଆତଙ୍କ ସୃଷ୍ଟି ହେଲା । ରାତି ଅଧରେ ଅନେକଙ୍କ ଘରେ ଟେକା ଭୁଷା ଘୁଅ ପଡ଼ିବାକୁ ଲାଗିଲା । କେଉଁଠୁ ପଡ଼ୁଚି କେହି ଧରିପାରିଲେ ନାହିଁ । ଲୋକେ ବଟିଆ ବାବାକୁ ଧରିଲେ ଏହାର କାରଣ ଜାଣିବାକୁ ଓ ପ୍ରତିକାର କରିବାକୁ । ବଟିଆ ବାବା ପୂଜା କଲେ । ପୂଜାରୁ ଉଠି ସେ କାରଣ ଜଣାଇଲେ । ଲୋକେ ଶୁଣି ତାଟଙ୍ଗା । କାରଣ କଣ ! କାରଣଟା ହେଉଚି ଏଇଆ, ଆଜି ପର୍ଯ୍ୟନ୍ତ ପଚିଶି ଖଣ୍ଡ ଗାଁର ଭୂତମାନେ ବଟ ମହାପୁରୁଷଙ୍କ ଦେହରେ ଏକାନ୍ନବର୍ତ୍ତୀ ପରିବାର ପରି ରହି ଭୋଗ ଦଖଲ କରି ଆସୁଥିଲେ । ଏଥିକୁ ନରିପୁରିଆ ଭୂତମାନେ ଗୁଣ୍ଡା ଓ ଦୁଷ୍ଟ ପ୍ରକୃତିର ଓ ଦଙ୍ଗାବାଜ୍‌ ଓ ମାମଲାବାଜ ଥିବାରୁ ବେଆଇନଭାବେ ଦଳବଦ୍ଧ ହୋଇ ଏକାଏକା ବଟ ମହାପୁରୁଷଙ୍କୁ ଭୋଗ ଦଖଲ କରିବା କୁଇଚ୍ଛାରେ ଓ ଅହମ୍ମଦପୁରର ଖବିସମାନଙ୍କ କୁପରାମର୍ଶରେ ଅନ୍ୟାନ୍ୟ ଗ୍ରାମର ଭୂତମାନଙ୍କୁ ବଟ ମହାପୁରୁଷଙ୍କ ଦେହରୁ ବେଦଖଲ କରିବାସତ୍ତ୍ଵେ ଅନ୍ୟାନ୍ୟ ଗ୍ରାମର ଭୂତମାନେ ଅନାଥ ହୋଇ ସ୍ଥାନ ଅଭାବରୁ ଉପଦ୍ରବ କରୁଅଛନ୍ତି । ଉପାୟ ? ପ୍ରତ୍ୟେକ ଗ୍ରାମରେ ବରଗଛ ରୋପି ଭୂତମାନଙ୍କୁ ରଖିବାକୁ ହେବ । ଠିକ୍ ଠିକ୍ । ସମସ୍ତଙ୍କ ମନକୁ କଥାଟା ପାଇଲା । ବଟୁକଙ୍କ ପ୍ରଧାନ ସାକ୍ଷୀ ଓ ସହକର୍ମୀ ଧୂଳିଆ ନିଭୃତରେ ବଟୁକଙ୍କୁ ପଚାରିଲା, ଆଜ୍ଞା ନରିପୂରିଆ ଭୂତମାନଙ୍କ ନାଁ’ରେ ଗୋଟାଏ ୧୪୭, ୪୪୭, ୪୨୬, ୩୨୩, ୫୦୦, ୫୦୪, ୩୨୫, ୩୫୪, ୩୭୯ ଦଫା ମକଦ୍ଦମା ଯୋଡ଼ିଦେଲେ କିମିତି ହୁଅନ୍ତା ? ଆମ ଡାକ୍ତର ତ ଅଛନ୍ତି; ଡାକ୍ତର ମାଇଁନା ସର୍ଟିଫିକେଟ ଦେବାକୁ ? ଖାଲି ମାଡ଼ରଙ୍ଗଟା ଯା ଗୋଳମାଳ କରି ଦିଅନ୍ତି, ତା ନ ହେଲେ ତ ଭଲ ସାର୍ଟିଫିକେଟ ଦିଅନ୍ତି । ମୁଁ ତ ଅଛି ସାକ୍ଷ୍ୟ ଦବାକୁ, ସାକ୍ଷୀ ଯୋଗାଡ଼ କରିବାକୁ । ବଟୁକ ରାଗିଯାଇ କହିଲେ, ଭାକ୍ ଶଳା ।

 

କଥା ହେଲା ବଟିଆ ବାବା ପ୍ରଥମେ ହଳଦିଆ ଗ୍ରାମରେ ବରଗଛ ରୋପିବେ, ହଳଦିଆ ଶ୍ମଶାନରେ । ଏ ବରଗଛ ନା ହେବ ‘ବଟ ମହାରାଜ’ । ଯୋଗାଡ଼ଯନ୍ତ୍ର ଚାଲିଲା । ବଟୁକ ଗଲେ ଗୟା କଳ୍ପବଟରୁ ଗୋଟିଏ ଡାଳ ଆଣିବାକୁ । ବଟକୃଷ୍ଣ ବୁଝିପାରିଲେ ବଟୁକଙ୍କ କାଇଦାଟା । ସେ ଲାଗିପଡ଼ିଲେ ତାକୁ ବ୍ୟର୍ଥ କରିବାକୁ । ତା କରିବାକୁ ବେଶୀ ଡେରି ଲାଗିଲା ନାହିଁ । ନରିପୁରର ବଟୀ ବେଓ୍ୟା । ସେମିତି ସୁନ୍ଦରୀ ନ ହେଲେ କଅଣ ହେଲା ମହା ମହା ଲୋକଙ୍କୁ ଗଡ଼େଇ ପକେଇଚି ସେ, କେତେ ଲୋକଙ୍କୁ ଜିଅଲ ଯିବା ମୁହଁରୁ ଖଲାସ କରି ଆଣିଚି । ନେହୁରା ହୋଇ କହିଲେ ବିପଦ ଆପଦକୁ ମାଡ଼ିଯିବା ମାଇକିନିଆ ସେ । ଦି ଚାରି ରାତି ବଟିଆ ବାବାଙ୍କ ପାଖକୁ ଯିବା ଆସିବା କରିବା ପରେ ବଟିଆ ବାବା ହଳଦିଆ ଛାଡ଼ି ଚାଲିଯାଇ ନରିପୁରରେ ଆଶ୍ରମ ଜମେଇଲେ ।

 

ବଟୁକ ଗୟାରୁ ଫେରି ଦେଖନ୍ତି ତ ଇୟେକାଣ୍ଡ । ରକ୍ତଚାଉଳ ଚୋବେଇ ରହିଲେ । ଗୟାରୁ ସେ ବରଗଛ ଚାରା ଆଣି ପାରିନଥିଲେ । ଲୋକେ ପଚାରିବାରୁ କହିଲେ, ବାଟରେ ମୋତେ ସ୍ୱପ୍ନ ହେଲା ଯେ ବଟ ମହାପୁରୁଷଙ୍କ ଡାଳରେ ଗଛ ନ ହେଲେ ଭୂତମାନେ ଅନ୍ୟ କୌଣସି ବରଗଛରେ ରହିବେ ନାହିଁ । ଆଉ ପ୍ରତ୍ୟେକେ ଗାଁର ତ ଅଧିକାର ଅଛି ବଟ ମହାପୁରୁଷଙ୍କ ଦେହର ଡାଳ ନେବାକୁ, ତା’ ଛଡ଼ା ସେ ଗଛ ମୋର, ଆଜକୁ ପାଞ୍ଚବର୍ଷ ହେବ ମୁଁ ସପନିଙ୍କଠାରୁ ଟ୫୦୦ଙ୍କା ଜରସମନରେ ସେ ଜମି କବଲା କରିନେଇ ଖଜଣା ପ୍ରତିବର୍ଷ ଦେଇ ଆସି ପାଉତି ହାସଲ କରି ଆସୁଅଛି । ମୁଁ କିନ୍ତୁ ସେ ଜମି ଓ ଗଛ ପଚିଶି ଖଣ୍ଡ ଗାଁକୁ ଦାନ କରୁଚି । ତୁମ୍ଭେମାନେ ସମସ୍ତେ ଯାଇ ଖଣ୍ଡେ ଖଣ୍ଡେ ଡାଳ ନେଇ ନିଜ ନିଜ ଗାଁରେ ପୋତି ଭୂତମାନଙ୍କଠାରୁ ଉଦ୍ଧାର ପାଅ । ଗାଁବାଲାମାନେ ବଟୁକ ପ୍ରଧାନଙ୍କ ମହାନ୍‌ ଦାନରେ ଚମତ୍‌କୃତ ହେଲେ । ତାଙ୍କ ପ୍ରସ୍ତାବଟା ସେମାନଙ୍କ ମନକୁ ପାଇଲା । କଥାଟା କିନ୍ତୁ ଗୁପ୍ତ ରହିଲା । ଦିନେ ରାତି ଅଧରେ ବଟ ମହାପୁରୁଷଙ୍କ ଆସ୍ଥାନରେ ଦୁମ୍‌ଦୁମ୍ ପାହାର ଶୁଣି ବଟକୃଷ୍ଣ ଦୌଡ଼ି ଯାଇ ଦେଖିଲେ ଯେ ହଳଦିଆର ଓ ଅନ୍ୟାନ୍ୟ ଗ୍ରାମର ଲୋକେ ବଟ ମହାପୁରୁଷଙ୍କ ଡାଳ କାଟୁଛନ୍ତି । ସାଙ୍ଗେ ସାଙ୍ଗେ ଖବରଟା ନରିପୁର ଗାଁ ଯାକ ଖେଳିଗଲା । ମୁହୂର୍ତ୍ତକେ ନରିପୁରିଆମାନେ ଲାଠି, ଟେଣ୍ଟା, କଟୁରି, କୁରାଢ଼ି ଆଦି ଧରି ଜମା ହୋଇଗଲେ । ସେ ପଟରୁ ମଧ୍ୟ ସେମିତି ଲୋକେ ଜମା ହୋଇଗଲେ । ମଡ଼ ମଡ଼ କରି ବଟ ମହାପୁରୁଷଙ୍କ ଗୋଟାଏ ବାହୁ ଛିଡ଼ି ପଡ଼ିଲା କୁରାଢ଼ି ଚୋଟରେ । ବଟେଶ୍ୱର ମହାଦେବଙ୍କ ମନ୍ଦିର ଭିତରେ ସେ ଶବ୍ଦ ପ୍ରତିଧ୍ୱନିତ ହୋଇ ଉଠିଲା । ସତେ କି ମହାକାଳ ଗର୍ଜି ଉଠିଲେ ।

 

ତା’ପରେ ଲାଗିଲା ଦୁଇଦଳଙ୍କ ଭିତରେ ପିଟାପିଟି । ବଟ ମହାପୁରୁଷ ବାରମ୍ବାର ଥରିବାକୁ ଲାଗିଲେ । କାଳ ଭୈରବୀ ଡାକ ଦେଲାପରି ବଟେଶ୍ୱରଙ୍କ ମନ୍ଦିର ଭିତରୁ ଖାଲି ହୋ ହୋ ଶବ୍ଦ ବାହାରୁଥାଏ । ଏଇ ସମୟରେ ଅହମ୍ମଦପୁରର ପଠାଣ ଆଠ ଜଣ ଖଣ୍ଡା ବୁଲାଇ ବୁଲାଇ ଦୌଡ଼ି ଆସିଲେ । ବଟୁକ ସେମାନଙ୍କୁ ପଇସା ଦେଇ ଜାଗତିଆର କରି ରଖିଥିଲେ । ଅହମ୍ମଦପୁରିଆଙ୍କ ରାଗ ଥିଲା ନରିପୁରିଆମାନଙ୍କ ଉପରେ, କାରଣ ବଟକୃଷ୍ଣଙ୍କ ଶିକ୍ଷାରେ ସେମାନେ ପଠାଣମାନଙ୍କୁ ବଟ ମହାପୁରୁଷଙ୍କ ପାଖରୁ ଭିନ୍ନ କରିଦେଇଥିଲେ । ପଠାଣମାନେ ଖଣ୍ଡା ଧରି ଦୌଡ଼ି ଆସୁଥିବାର ଦେଖି ଯେ ଯୁଆଡ଼େ ଛିନ୍‌କାନିଆ ହୋଇ ପଳେଇଲେ ।

 

ଗଲାବେଳେ ଧୂଳିଆ ବଟୁକ ଶିକ୍ଷାମତେ ବଟ ମହାପୁରୁଷଙ୍କ ପାଦତଳେ ଅତି କଟୁବିଷ ପୋତି ଦେଇଗଲା ।

 

ପରଦିନ ଦେଖାଗଲା ଆଠଜଣଙ୍କ ମୃତଦେହ ବଟ ମହାପୁରୁଷଙ୍କ ତଳେ ପଡ଼ିଚି । ଆଉ ପନ୍ଦରଜଣ ସାଂଘାତିକ ଭାବରେ ଜଖମ ହୋଇ ପଡ଼ିଛନ୍ତି । ଯେଉଁମାନେ ଅପେକ୍ଷାକୃତ ଅଳ୍ପ ଜଖମ ହୋଇଥିଲେ ସେମାନେ କୌଣସିମତେ ପଳାଇ ପାରିଛନ୍ତି ।

 

ପୁଲିସ ଆସିଲା । ବଟ ମହାପୁରୁଷଙ୍କ ଆସ୍ଥାନ ଉପରେ ୧୪୪ ଧାରା ଜାରିହେଲା । ସବୁ ଗାଁରୁ ପ୍ରାୟ ଶହେ ସରିକି ଲୋକ ହାତକଡ଼ା ପିନ୍ଧି ଧରା ହୋଇଗଲେ । ବଟୁକ ଓ ବଟକୃଷ୍ଣ ମଧ୍ୟ ଧରା ହେଲେ । ଧୂଳିଆ ଭୂତମାନଙ୍କ ବିପକ୍ଷରେ ଯେଉଁ ଦଫାମାନ ଯୋଡ଼ି ମକଦ୍ଦମା କରିବାକୁ ବଟୁକଙ୍କୁ ପରାମର୍ଶ ଦେଇଥିଲା, ସେ ଦଫାମାନଙ୍କରୁ ଅନେକ ଓ ତା ସହିତ ହତ୍ୟାପାଇଁ ୩୦୨ ଦଫା ଯୋଡ଼ା ହୋଇ ମକଦ୍ଦମା ଚାଲିଲା । ମଢ଼ ପଡ଼ିଥିବାର ଦେଖି ଶାଗୁଣା ବିଲୁଆ କୁକୁରମାନେ ଯେମିତି ଗଦା ହୋଇ ପଡ଼ନ୍ତି, ସେମିତି ଟାଉଟର ଆଦିମାନେ ଗଦା ହୋଇପଡ଼ି ଟଙ୍କା ଶୋଷିବାକୁ ଲାଗିଲେ । ବଟୁକ ଓ ବଟକୃଷ୍ଣଙ୍କ ଧନ ନିଆଁ ପୁଆଁରେ ଯିବାକୁ ଲାଗିଲା ।

 

ଏ ଘଟଣାର ଅଳ୍ପଦିନ ପରେ ବଟ ମହାପୁରୁଷ ଝାଉଁଳି ପଡ଼ିଲେ । ବିରାଟ ମହୀରୁହ ସତେ ଯେପରି ଧ୍ୟାନମଗ୍ନ । ଅତୀତର କଥା ମନେପକାଇ ସେ ବୋଧହୁଏ ଧ୍ୟାନମଗ୍ନ ଭବିଷ୍ୟତ୍ ଚିନ୍ତାରେ । ମହାକାଳ ମଧ୍ୟ ଲୋକମାନଙ୍କର କଲ୍ୟାଣପାଇଁ ବିଷପାନ କରିଥିଲେ । ବଟ ମହାପୁରୁଷ ମହାକାଳ ବଟେଶ୍ୱରଙ୍କୁ ମନେ ମନେ ପ୍ରଣାମ କରି ମହାପ୍ରୟାଣ କଲେ । ନାରାୟଣ ପ୍ରାପ୍ତି ତ ନୁହଁ, ହତ୍ୟା ! କିନ୍ତୁ ଗଛର କି ପ୍ରାଣ ଅଛି ଯେ ତାଙ୍କୁ ମାରିଲେ ମଣିଷ ତିଆରି ପିଙ୍ଗଳ କୋର୍ଡ଼ର ୩୦୨ ଦଫା ଲାଗିବ । ଆହା ବୋଲିବାକୁ ମଧ୍ୟ କେହି ନାହିଁ ।

 

ସରକାର ସେ ଗଛକୁ ନିଲାମ କରାଇ ଦେଲେ । ନରିପୁର, ହଳଦିଆ ଆଦି ଗ୍ରାମର ଲୋକମାନଙ୍କ କ୍ଷମତା ନାହିଁ ସେ ବିରାଟ ଗଛକୁ ନିଲାମ ଧରିବାକୁ । ସବୁ ପଇସା ତ ନିଆଁ ପୁଆଁରେ ଯାଇଚି । ଅହମ୍ମଦପୁରର ପଠାଣମାନେ କିନ୍ତୁ ନିଲାମ ଧରିଲେ । ବାକିତକ ଗାଁବାଲାମାନେ ଘୁଷ୍‌ଘାଷ ଦେଇ ଚୋରେଇ ବୋହି ନେଇ ଜାଳିଲେ । ଦୁଇଦିନ ଭିତରେ ସବୁ ସଫା । ବଟ ମହାପୁରୁଷଙ୍କ ଆସ୍ଥାନ ଶୂନଶାନ୍ । ଗୋଟାଏ ସଭ୍ୟତା ଗଲା, ଆଉ ଗୋଟିଏ ସଭ୍ୟତା ଆସିଗଲା । କିଛି ଡରିବାର ନାହିଁ । ମହାକାଳ ସଦା ଜାଗ୍ରତ ।

 

ଆଜି ପର୍ଯ୍ୟନ୍ତ ବି ରାତିରେ ବଟବିହାରୀଙ୍କୁ ଲୋକେ ସେଠି ବୁଲୁଥିବାର ଦେଖିଚନ୍ତି । ତା’ଙ୍କ କଠଉ ଠକ୍ ଠକ୍ ଓ ଦୀର୍ଘନିଶ୍ୱାସ ପକାଇବାର ଶବ୍ଦ ଅନେକ ଶୁଣୁଚନ୍ତି ।

Image

 

Unknown

ଶୁଖିଲା ପତର

 

ପ୍ରତିଦିନ ଉପରଓଳି ସେମାନେ କଈ କୂଳେ କୂଳେ ଅନେକ ବାଟ ବୁଲିଯାଆନ୍ତି । ଗତକାଲି ବୁଲିଯିବାବେଳେ ଗୋଟାଏ ଅପ୍ରୀତିକର ଘଟଣା ଘଟି ଯାଇଥିଲା । ସେଇକଥା ଆଜି ପଡ଼ିଥାଏ । ସହର ସୀମା ପାରିନହେବା ପର୍ଯ୍ୟନ୍ତ ଆସ୍ତେ ଆସ୍ତେ ଅତି ସନ୍ତର୍ପଣରେ ଓ ଚାରିଆଡ଼କୁ ସତର୍କ ଦୃଷ୍ଟି ସହ ସେ ବିଷୟରେ ସେମାନେ ଆଲୋଚନା କରୁଥିଲେ; କିନ୍ତୁ ଯେଉଁଠି ରାସ୍ତା ବାଙ୍କି ଯାଇଛି ବୁଦିବୁଦିକା ଜଙ୍ଗଲ ଭିତରଦେଇ ଶ୍ମଶାନ ଆଡ଼କୁ, ସେଇଠୁ ବେଶ୍ ବଡ଼ପାଟିରେ ଆଲୋଚନା ଚାଲିଲା । ନିତିଦିନ ଭଳି ସେମାନେ ଶ୍ମଶାନ ମୁଣ୍ଡର ସେଇ ନିଛାଟିଆ ଝଙ୍କାଳିଆ ବରଗଛର ଚଉତରା ଉପରେ ବସି ଆଲୋଚନା କରିବାକୁ ଲାଗିଲେ । ନିତିଦିନ ଭଳି ଅନତିଦୂରସ୍ଥ ନିଛାଟିଆ ଚାହାପାନ ଦୋକାନ ମାଲିକ ବୁଢ଼ା କପିଳ ପାନ ଆଣି ବାତକମ୍ପା ହାତରେ ବଢ଼ାଇ ଦେଇ ଦି’ପାଦ ପଛକୁ ଘୁଞ୍ଚିଯାଇ ବିନୀତଭାବରେ ଛିଡ଼ା ହୋଇରହିଲା । ବାବୁମାନଙ୍କ ମର୍ଜି ଯେବେ ହେବ ଦାମ୍ ଦେବେ । ସବୁଦିନ ଘରବାହୁଡ଼ା ବେଳକୁ ସେମାନେ ଦାମ୍ ଦିଅନ୍ତି । ସେତେବେଳ ପର୍ଯ୍ୟନ୍ତ କପିଳ ସେମିତି ଛିଡ଼ା ହୋଇଥାଏ ପ୍ରାୟ । କପିଳ ଦୋକାନର ବଡ଼ ଗରାଖ ହେଲେ ଶବ ବୋହିଆଣୁଥିବା ମଲାଚଣ୍ଡିଆମାନେ । ଶବଟିଏ ଆସିଲେ କପିଳର ବେଶ୍ ଦି’ପଇସା ରୋଜଗାର ହୁଏ । ତା’ତଳକୁ ବଡ଼ ଗରାଖ ହେଲେ ସେମାନେ । କପିଳ ସେମାନଙ୍କୁ ବିଶେଷ ଖାତିର କରେ, କାରଣ ସେମାନେ ତା’ପାଖରେ ଖାଲି ସମ୍ମାନିତ ବ୍ୟକ୍ତି ନୁହନ୍ତି, ନାଗୁଆ ଗରାଖ ବି ।

 

ସେମାନଙ୍କ ପରିଚୟ ଦେବାକୁ ଯାଇ ଖାଲି ନାଁ, ଗାଁ କହିଲେ ସେମାନେ କ୍ଷୁଣ୍ଣ ହେବେ । କାରଣ, ଏବେ ବି ନିଜକୁ ସରକାରୀ କର୍ମଚାରୀ ଜ୍ଞାନ କରି ସେମାନେ ସାଧାରଣ ନାଗରିକଠାରୁ ଭିନ୍ନ ବୋଲି ନିଜକୁ ମଣନ୍ତି, ପେନସନ୍‍କୁ ଦରମା ବୋଲି ଯୁକ୍ତି କରି ସରକାରଙ୍କ ପାଖରେ ଦରମା ବୃଦ୍ଧି ଓ ଅନ୍ୟାନ୍ୟ ସୁବିଧା ପାଇବାପାଇଁ ଅର୍ଜି ଅଳି ପେସ୍ କରନ୍ତି ଏବଂ ସେଥିପାଇଁ ସଂବିଧାନ ଦତ୍ତ ସାଧାରଣ ନାଗରିକର ମୌଳିକ ଅଧିକାରରେ ସେମାନଙ୍କ ଦାବୀ ନାହିଁ ବୋଲି ଯୁକ୍ତି ବାଢ଼ନ୍ତି । ଚାକିରି ସେମାନଙ୍କ ପକ୍ଷରେ ପ୍ରଭୁତ୍ଵ ଦେଖାଇବାର ସୁଯୋଗ । ମଣିଷ ବୋଇଲେ ସେମାନେ ବୁଝନ୍ତି କ୍ଷମତାବାନ ଓ ପ୍ରତିପତ୍ତି ଥିବା ଲୋକ । ଯାହାର ତାହା ନାହିଁ ସେ ମଣିଷ ନୁହେଁ । ଯେ କୌଣସି ସରକାରୀ ଅଫିସରେ ଚପରାସିଟିଏ ହେଲେ ବି ତା’ର ପଦବୀ ଅଛି; ତେଣୁ ସେ ମଣିଷ । ଏବେ ବି ସେମାନେ ଜାତିଭେଦ ପ୍ରଥା ଭଳି ପଦବୀଭେଦ ପ୍ରଥା ମାନି ଚଳନ୍ତି । ସେମାନଙ୍କ ପରିଚୟ ଦେବାବେଳେ ନାଁ ନ କହିଲେ ବରଞ୍ଚ ଚଳିବ, କିନ୍ତୁ ପୂର୍ବ ହେଉ ନା କାହିଁକି, ପଦବୀ ନ କହିଲେ ବା କୌଣସି ସାଧାରଣ ଲୋକ ସେମାନଙ୍କ ସହିତ ସମାନଭାବରେ କଥା କହିଲେ ସେମାନେ ଏମିତିଭାବରେ ଚାହିଁବେ ଯେ ଆଖିରେ କ୍ରୋଧ ଯେତିକି ଫୁଟିବ ତାଠୁଁ ବେଶି ଫୁଟିବ ଗୋଟାଏ ନିରାଶ୍ରୟ ଅବହେଳିତ ଭାବ । ତେଣୁ ସେମାନଙ୍କ ନାଁ ନ କହି ପଦବୀ ମାଧ୍ୟମରେ ସେମାନଙ୍କ ପରିଚୟ ଦେବା ଭଲ । ଅବଶ୍ୟ ନାଁ ନ କହିବାର ଅନ୍ୟ କାରଣ ଅଛି ।

 

ସେମାନେ ହେଉଛନ୍ତି ପାଞ୍ଚଜଣ । ସମସ୍ତେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ସେମାନଙ୍କ ପୂର୍ବ ପଦବୀ ଥିଲା କମିଶନର, ପୁଲିସ୍ ଏସ୍. ପି. ଡେପୁଟି ସ୍କୁଲ ଇନିସ୍‍ପେକ୍ଟର ଏବଂ ହେଡ଼ କିରାଣୀ । ବୟସ ସେମାନଙ୍କର ସତୁରି ଉପରେ । କମିଶନର ହେଉଛନ୍ତି ବୟସରେ ଏବଂ ପଦବୀରେ ସମସ୍ତଙ୍କଠାରୁ ବଡ଼ । ସେ ମଧ୍ୟ ସ୍ଥାନୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି । ତେଣୁ ସିନିୟରିଟି ଅନୁସାରେ ସେ ହେଉଛନ୍ତି ଏହି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସାନ୍ଧ୍ୟଭ୍ରମଣକାରୀ ଦଳଟିର ନେତା । ଅନ୍ୟମାନେ ତାଙ୍କୁ ସମ୍ମାନ କରନ୍ତି ଓ ତାଙ୍କ କଥା ମାନି ନିଅନ୍ତି । ବସ୍ତୁତଃ ସେ ହେଉଛନ୍ତି ବକ୍ତା ଏବଂ ଅନ୍ୟମାନେ ଶ୍ରୋତା । ଆଜି କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । କମିଶନରଙ୍କ ବାଲ୍ୟବନ୍ଧୁ ମୁକ୍ତିପଦ ଗାଁରେ ରହି ଚାଷବାସ କରନ୍ତି । ତାଙ୍କ ସହିତ ହଠାତ୍ ନଈକୂଳେ ଦେଖା ହୋଇଯିବାରୁ ସେ ଏ ଦଳଟି ସହିତ ଯୋଗ ଦେଇଛନ୍ତି । ଏ ଦଳଟି ତାଙ୍କୁ ଚାହାନ୍ତି କି ନାହିଁ ସେ କଥା ସେ ଭାବି ନ ଦେଖି ବହୁବର୍ଷ ପରେ ବାଲ୍ୟବନ୍ଧୁ ସହିତ ଦେଖା ହୋଇଯିବାରୁ ମନର ଆନନ୍ଦରେ ଏ ଦଳ ଭିତରେ ପଶିଯାଇଛନ୍ତି ।

 

ଗତକାଲି ସେମାନେ ବୁଲି ଯାଉଥିବାବେଳେ ଆଜିକାଲିକା ଯୁଗ ବିଷୟରେ ଆଲୋଚନା ଚାଲିଥିଲା । କମିଶନର ଆକ୍ଷେପ କରି କହୁଥିଲେ, କି ଯୁଗ ହେଲା ଇୟେ ! କେହି କାହାକୁ ମାନୁନାହାନ୍ତି । ଏଥିରେ ଶାସନ ଚାଲିବ କିପରି ! ପୂର୍ବକାଳରେ ଏପରି ନ ଥିଲା । ଲୋକେ ଧର୍ମ ଓ ଭଗବାନଙ୍କୁ ଡରୁଥିଲେ, ଶାସନକୁ ଭୟ କରୁଥିଲେ । ତେଣୁ ସୁଖରେ ଥିଲେ ।

 

ଠିକ୍ ଏତିକିବେଳେ ପଛରୁ ଶୁଭିଲା, ଭାଣ୍ଡ ସବୁ । ପୂର୍ବକାଳରେ କୁଆଡ଼େ ସୁଖରେ ଥିଲେ ! ବାଲ୍ୟକାଳୁ ଧର୍ମଧନ ସଞ୍ଚୁଥିଲେ । ମିଥ୍ୟା କହୁ ନ ଥିଲେ । ସର୍ବଦା ସତ୍ୟ କହୁଥିଲେ । ସମସ୍ତଙ୍କୁ ପ୍ରେମ କରୁଥିଲେ । ହିଂସା କ’ଣ ଜାଣି ବି ନ ଥିଲେ । କଅଣ ଶୁଣିବ ! ହ୍ୟାଲ୍ପେ, ଦାରିଦ୍ର୍ୟକୁ ତ ମଣୁଥିଲେ ଦୈବ ଅଭିଶାପ । ଥୋଡ଼େ ସ୍ୱାର୍ଥାନ୍ଧ ନିଷ୍ଠୁର ଲୋକେ ପୁରାଣ ଫୁରାଣ ବଖାଣି ସେଇୟା ଲୋକଙ୍କୁ ବୁଝାଇ ଦେଇଥିଲେ । ନର୍କ ଭୟ ଦେଖାଇ ଲୋକଙ୍କୁ କାବୁ କରି ରଖିଥିଲେ । ସାଧାରଣ ଲୋକଙ୍କୁ ତ ପାଠ ପଢ଼ିବାକୁ ଦିଆ ହେଉନଥିଲା, ସେମାନେ ବା ଜାଣନ୍ତେ କୁଆଡ଼ୁ ? ଏମିତି ଦୁର୍ନୀତିରେ ଧର୍ମ ଓ ଧନ ସଞ୍ଚି ଗରିବଙ୍କୁ ଦୟା ଦେଖାଇ ଆହୁରି ଧର୍ମ ସଞ୍ଚୁଥିଲେ । ମୂର୍ଖ ଲୋକେ ଜାଣି ନଥିଲେ ଯେ ତାଙ୍କର ଦାବୀ ଅଛି, ଦୟା ଉପରେ ହିଁ ଚଳୁଥିଲେ । ଏ କାଳ କଅଣ, ସେ କାଳ କଅଣ, ସବୁ କାଳର ଲୋକଙ୍କୁ ଘୃଣା, ଅବିଶ୍ଵାସ ଆପଣମାନଙ୍କର । ନିଜ ଅହଂର ଲୁହା ଘର ଭିତରେ ରହି ଆପଣମାନେ କାହାରିକୁ ଦେଖିପାରନ୍ତି ନାହିଁ, ଜାଣି ପାରନ୍ତି ନାହିଁ ।

 

କମିଶନର ଉତ୍‌କ୍ଷିପ୍ତ ହୋଇ କହିଲେ, କିଏ ତୁମେ ଅଭଦ୍ର ଯୁବକ ? ପରକଥାରେ କାହିଁକି ଅନ୍ୟାୟ ଓ ଅଭଦ୍ରଭାବେ ମୁଣ୍ଡ ପୁରାଉଛ ?

 

—ଅନ୍ୟାୟ ଓ ଅଭଦ୍ରତା କାହିଁକି ହେବ ? ଆପଣ ସର୍ବସାଧାରଣ ରାସ୍ତା ଉପରେ ଓ ସମସ୍ତଙ୍କ ସାମନାରେ ଏ ଯୁଗ ବିଷୟରେ ମନ୍ତବ୍ୟ କଲେ । ତେଣୁ ସସାଧାରଣଙ୍କ ଭିତରୁ ଜଣେ ବୋଲି ମୁଁ ତାହାର ପ୍ରତିବାଦ କଲି । ଏହା ଅନ୍ୟାୟ ଅଭଦ୍ରତା ହେଲା କେମିତି ?

 

କଥାଟା ହୁଏତ ଅନେକଦୂର ଯାଇଥାନ୍ତା; କିନ୍ତୁ ସ୍କୁଲ ଇନ୍‌ସପେକ୍ଟର ଜଣକ ଭୟରେ ଦୁଇପକ୍ଷକୁ ଅଲଗା କରିଦେଇ କମିଶନରଙ୍କ ହାତ ଧରି ଭିଡ଼ି ନେଇଗଲେ ।

 

ଆଜି ପୁଣି ସେଇକଥା ପଡ଼ିଥିଲା । କେହି କଥାଟା ଭୁଲି ପାରିନଥିଲେ । କମିଶନରଙ୍କ ମନ ଭିତରଟା କୁହୁଳୁ ଥାଏ, ଛାତିଭିତର କୋରି ହୋଇଯାଉଥାଏ । ଜୀବନରେ ସେ ଏପରି ବ୍ୟବହାର ପାଇନାହାନ୍ତି । ତାଙ୍କ ମୁହଁ ଉପରେ କେହି କଥା କରିବାକୁ ସାହସ କରିନାହାନ୍ତି । ଏ ଘଟଣାଟା ଯୋଗୁ ତାଙ୍କ ମନଟା ତେଣୁ ବିଷାଦରେ ଭରି ଯାଇଥାଏ । କିଛି ଚିନ୍ତା କରି ପାରୁନଥାନ୍ତି କି ଚିନ୍ତା କଲେ ବି କିଛି ଥଳ କୂଳ ପାଉନଥାନ୍ତି ।

 

ଚଉତରା ଉପରେ ବସିଯିବାବେଳକୁ ସେମାନେ ଦେଖିଲେ ସାରା ଚଉତରାଟି ଶୁଖିଲା ପତରରେ ଭରିଯାଇଛି । କମିଶନର ତରାଟି ଚାହିଁଲେ କପିଳ ଦୋକାନ ଆଡ଼େ । ସେ ଯେମିତି ଏଥିପାଇଁ ଦାୟୀ ଏବଂ ନିଇତି ଏ ଥାନଟି ସେମାନଙ୍କ ବସିବା ପାଇଁ ସଫା ରଖିବା ଯେମିତି ତା’ର କର୍ତ୍ତବ୍ୟ । କମିସନରଙ୍କ ଚାହାଣି ଦେଖି ଏସ୍ ପି.. ପୁଲିସିଆ ଗଳାରେ ହାଙ୍କ ଦେଲେ କପିଳକୁ । କପିଳ ଝାଡ଼ୁଟାଏ ଧରି ତରବର ହୋଇ ଦୌଡ଼ି ଆସି ଓଳେଇବାକୁ ଲାଗିଲା । ସେ ଜାଣିସାରିଚି ଯେ ସେମାନେ ଦିନେଥିଲେ ବଡ଼ ବଡ଼ ହାକିମ । ସେ ବି ଦିନେ ଥିଲା ଚପରାସି । ହାକିମ ସହିତ ସେ ଅଭ୍ୟସ୍ତ ଖାଲି ନୁହେଁ ଶ୍ରଦ୍ଧାବାନ ବି ।

 

ଚଉତରାଟି ସଫା ହେଲାପରେ ସେମାନେ ବସିଲେ । କମିସନର ପୂର୍ବପ୍ରସଙ୍ଗ ଅନୁସାରେ କହିଲେ, କୁହାଯାଉଛି ଯେ ଏଟା ହେଉଛି ଜନମଙ୍ଗଳ ରାଷ୍ଟ୍ର । କିନ୍ତୁ ଜନମଙ୍ଗଳ ଏଥିରେ ହେବ କେମିତି ? ମୁଁ ଯେତେବେଳେ ଏସ୍. ଡ଼ି. ଓ. ଥିଲି କୌଣସି ଗ୍ରାମ ପରିଦର୍ଶନ କରିବାକୁ ଗଲାବେଳେ ଚହଳ ପଡ଼ି ଯାଉଥିଲା । ଯିବାର ଚାରିଦିନ ଆଗରୁ ଆଖପାଖ ଗାଁମାନଙ୍କରୁ ଚୌକିଦାରମାନେ ଆସି ଡାକବଙ୍ଗଳା ଘେରି ଜଗି ରହୁଥିଲେ । ମୋତେ ଟିକିଏ ଦେଖିବା ପାଇଁ ଲୋକେ ରୁଣ୍ଡ ହେଉଥିଲେ ଦୂରରେ । ମୋ ପାଖ ପଶିବାକୁ ସାହସ କରୁନଥିଲେ । ଗାଁ ଭିତରକୁ ଗଲେ ବାଜାଫାଜା ବଜାଇ ଶୋଭାଯାତ୍ରା କରି ପାଲିଙ୍କିରେ ମୋତେ ନିଆ ହେଉଥିଲା । ଯାହା କହୁଥିଲି ତା’ ଅକ୍ଷରେ ଅକ୍ଷରେ ପାଳିତ ହେଉଥିଲା । ଏଠି ରାସ୍ତା ହବ ନା ହବ । ସେଠି ବନ୍ଧ ପଡ଼ିବ, ନା ପଡ଼ିବ । ଥରେ ଗୋଟାଏ ନଈରେ ବନ୍ଧ ପକାଇବା ଯୋଜନା ସରକାର ପ୍ରସ୍ତୁତ କଲେ । ବନ୍ଧଟି ହୋଇଗଲେ ଆଖପାଖ ପାଞ୍ଚଖଣ୍ଡ ଗାଁର ପ୍ରାୟ ପାଞ୍ଚଶହ ଏକର ଜମିକୁ ଜଳ ଯୋଗାଇଦେଇ ହେବ । କେବଳ ଗୋଟିଏ ଗାଁର ସାମାନ୍ୟ କ୍ଷତି ହେବ । ବନ୍ଧ ପକାଇବା ବିରୁଦ୍ଧରେ ସେମାନେ ଦରଖାସ୍ତ କଲେ । ସରକାର ମୋ ଉପରେ ଦାୟିତ୍ଵ ଦେଲେ ଯେ କୌଣସି ଉପାୟରେ ବନ୍ଧଟି ପକାଇବାକୁ । ପ୍ରଥମେ ମୁଁ ସେ ଗାଁର କେତେକ ଲୋକଙ୍କୁ ପଇସା ପତର ଦେଇ ହାତ କଲି । ସେମାନେ ବନ୍ଧ ସପକ୍ଷରେ କହି ବୁଲିଲେ । ବନ୍ଧ ବିପକ୍ଷରେ ସେ ଗାଁଟା ଯାକ ଯେ ଏକମେଳ ହୋଇଥିଲେ ତା’ ଆଉ ରହିଲା ନାହିଁ । ଦୁଇଦଳ ଭିତରେ ଉତ୍ତେଜନା ସୃଷ୍ଟି ହେଲା । ମୋ ଦଳ ଲୋକ ସେ ଉତ୍ତେଜନା ବଢ଼ାଇବାକୁ ଲାଗିଲେ । ଶେଷରେ ଦିନେ ଖବର ଆସିଲା ଯେ ଦୁଇ ଦଳ ଭିତରେ ମାଡ଼ପିଟ ହେବ । ଏଇ ସୁଯୋଗକୁ ମୁଁ ଅପେକ୍ଷା କରିଥାଏ । ପୁଲିସ ଫୌଜ ଧରି ପହଞ୍ଚିଗଲି । ବିପକ୍ଷ ଦଳ ସଭା କରୁଥିବାବେଳେ ମୋ ଦଳ ଟେକା ପଥର ପକାଇ ଗୋଳମଳ ସୃଷ୍ଟି କଲେ । ସାଙ୍ଗେ ସାଙ୍ଗେ ନିର୍ମମଭାବରେ ଲାଠି ଚଲାଇବାପାଇଁ ଆଦେଶ ଦେଲି । ଦୁଇଜଣ ମଲେ । ପଚାଶ ସରିକି ସାଙ୍ଘାତିକ ଭାବରେ ଆହତ ହେଲେ । ତା’ ଭିତରୁ ଆଉ ତିନିଟା ପରେ ମଲେ । ତେଣେ ଦୁଇଶହ ଲୋକଙ୍କୁ ପୁଲିସ ବାନ୍ଧି ନେଇଗଲା । ଫୌଜଦାରି ମକଦ୍ଦମାରେ ସେମାନଙ୍କୁ ପକେଇ ବନ୍ଧ ତିଆରି ଶେଷ ନ ହେବା ପର୍ଯ୍ୟନ୍ତ ଜେଲରେ ପକେଇ ରଖିଲି । ଆଜି ପର୍ଯ୍ୟନ୍ତ ସେ ବନ୍ଧ ଅଛି ଓ ଲୋକେ ଉପକାର ପାଉଛନ୍ତି । ଲୋକେ ମୋ ନାଁ’ ଅନୁସାରେ ସେ ବନ୍ଧ ନାଁ’ ଦେଇଛନ୍ତି । ମୃକ୍ତିପଦ, ତୁମେ କୁହେ, ମୁଁ କଅଣ ଜନମଙ୍ଗଳ ତା’ ଦ୍ଵାରା ନ କଲି ?

 

ମୁକ୍ତିପଦ ଏ କଥାମାନ ଶୁଣି ପାଟି ମେଲାକରି ବଡ଼ ବଡ଼ ଆଖିରେ ଅନାଇଁ ରହିଥାଆନ୍ତି-। କମିସନର ଦ୍ଵିତୀୟ ଥର ପ୍ରଶ୍ନ କଲାରୁ ସେ କହିଲେ, କିଛି ମନେ କରିବ ନାହିଁ ବାବୁ, ଏ ଜନମଙ୍ଗଳ ନୁହେଁ ।

 

କମିସନର ରାଗିଯାଇ କହିଲେ, କାହିଁକି ?

 

ମୁକ୍ତିପଦ ବିନୀତ ଭାବରେ କହିଲେ, ଜନମଙ୍ଗଳ କାମ ଜନ ଆଡ଼ୁ ହେବା ଉଚିତ । ବନ୍ଧୁକ ମୂନରେ ପ୍ରଭୂତ୍ଵ ଦେଖାଇ ଯାହା ହେବ ତାହା ଜନମଙ୍ଗଳ ହେବ କେମିତି ? ଜନ ଉପରେ ସ୍ନେହ ଯଦି ନ ଥାଏ, ବିଶ୍ୱାସ ଯଦି ନ ଥାଏ ଜନ ହିଁ ଦେଶର ଶକ୍ତି ଏବଂ ସେମାନେ ମଙ୍ଗଳ ପାଇଁ ସବୁ କରିବାକୁ ସର୍ବଦା ପ୍ରସ୍ତୁତ, ତେବେ ଜନମଙ୍ଗଳ କାମ ହେବନାହିଁ । ଲୋକେ ମଙ୍ଗଳ ଚାହାନ୍ତି । କିନ୍ତୁ ଠିକ୍ କେଉଁ କାମଟି କଲେ ମଙ୍ଗଳ ହେବ ତାହା ଧରିପାରନ୍ତି ନାହିଁ । ଏଥକୁ ଉପାୟ ହେଉଛି ଧୈର୍ଯ୍ୟ ଧରି ବାରମ୍ବାର ସେମାନଙ୍କ ସହିତ ଆଲୋଚନା କରି କାମ କରିବାକୁ ହେବ । ତମେ ଯାହା କଲ ସେଟା ହେଲା ପରାଧୀନ ଦେଶରେ ଜନମଙ୍ଗଳ ନା’ରେ ପ୍ରଭୂତ୍ୱ ବିସ୍ତାର କରିବା କାମ । ସେ ଇଂରେଜ ଅମଳ କଥା ଆଜିଯାଏଁ ବି ଚାଲିଚି । ପରାଧୀନ ଲୋକ ଜାତିଭେଦ, ପଦବୀ ଭେଦ ଆଦି ନାନା ଭେଦପ୍ରତି ଭାରି ସଜାଗ, ସଚେତନ । ନାନା ଭେଦ ସେମାନେ ସୃଷ୍ଟି କରନ୍ତି ।

 

କମିସନର ଏଥର ରାଗରେ ଛିଡ଼ା ହୋଇପଡ଼ି ହାତ ହଲାଇ କହିଲେ, ଧ୍ୱଂସ ପାଇବାକୁ ଆଉ ବିଳମ୍ବ ନାହିଁ । ମୋ’ ଗୁରୁ ଭକ୍ତିମାର୍ତଣ୍ଡ ମହାରାଜ ବାରମ୍ବାର ଏ କଥା ଚେତାଇ ଆସୁଛନ୍ତି । ଆମେ ଏଇସବୁ କଥା ପାଇଁ ଭଗବାନଙ୍କଠାରୁ ଦୂରେଇ ଯାଉଛୁ । ପାପ ମାଡ଼ି ଗଲାଣି । ସେଥିପାଇଁ ତ ଭୂମିକମ୍ପ, ମରୁଡ଼ି, ଧୋଇ, ବାତ୍ୟା ଲାଗି ରହିଛି ।

 

ମୁକ୍ତିପଦ ସେମିତି ଧୀରସ୍ଥିର ଭାବରେ କହିଲେ, ପୂର୍ବଠୁଁ ସେ ସବୁ ଅନେକ କମିଗଲାଣି-

 

ସ୍କୁଲ ଇନିସ୍‌ପେକ୍ଟର ସାହସ ପାଇ କହିଲେ, ଯାହା କହନ୍ତୁ ଆଜ୍ଞା, ଭୟ ଦେଖାଇ ଶାସନ କଲେ ଭାରି ସୁବିଧା । କେହି ଆପତ୍ତି କରିବାକୁ ନ ଥିବେ; ତେଣୁ ସମସ୍ୟା ବି ନଥିବ । ଯାହା ଖୁସି ହେଲା କରିବାକୁ ତାହା କଲ । ନିଜ ମର୍ଜି ଉପରେ ସବୁ । ହେଲେ, ମୁକ୍ତିପଦ ବାବୁ ଯାହା କହିଲେ ତାହାହିଁ ହେଉଛି ଗୀତାର ‘ଲୋକ ସଂଗ୍ରହ’ ଶ୍ଳୋକର ତାତ୍ପର୍ଯ୍ୟ ।

 

କମିଶନର ସେମିତି ଚଢ଼ା ଗଳାରେ କହିଲେ, ଭୟ କାଢ଼ିଦେଲେ ତ ଖାଲି ଅନ୍ୟାୟ ଦାବୀ ବ୍ୟାପିଯିବ । ସେଇୟା ତ ହୋଇଚି । ଆପଣମାନେ ଗୋଟାଏ କଥା ଶୁଣି ତାଟଙ୍ଗା ହେବେ । ମୁଁ ଅଙ୍ଗରେ ନିଭାଇବା କଥା । ଅବସର ନେବାକୁ ବର୍ଷେ ଥାଏ । ମୁଁ ସେତେବେଳକୁ କମିସନର ହେଲିଣି । ରାଜଧାନୀ ଆସିଥାଏ ଗୋଟାଏ ମିଟିଂ କାମରେ । ଓପରଓଳି ବଜାରକୁ ଯାଇଥାଏ କିଛି କିଣାକିଣି କରିବାକୁ । ସାଙ୍ଗରେ ଦୁଇଜଣ ଚପରାସି ଥା’ନ୍ତି ପୋଷାକ ପିନ୍ଧି । ମଟରରୁ ଓହ୍ଲାଇ ଯାଉଁ ଯାଉଁ ଚଟିଟା ଛିଣ୍ଡିଗଲା । ପାଖରେ ଗୋଟାଏ ମୋଚି ବସିଥାଏ । ତାକୁ ଦେଲି ମରାମତ କରିଦେବା ପାଇଁ । କାମ କିଛି ନାହିଁ । ଖାଲି ଦୁଇଟା ଟାଙ୍କ; କିନ୍ତୁ ସେ ଦାବୀ କଲା କେତେ ଜାଣନ୍ତି-? ଦଶ ଅଣା !

 

ପୁଲିସ ଏସ୍.ପି. ଆଶ୍ଚର୍ଯ୍ୟ ହୋଇ କହିଲେ, ଆଏଁ ।

 

—ହଁ । ରାଗରେ ମୋର ସର୍ବାଙ୍ଗ ଜଳିଗଲା । କହିଲି କୋଡ଼ିଏଟି ପଇସାରୁ ବେଶି ଦେବିନାହିଁ । ସେ କଅଣ କହିଲା ଜାଣନ୍ତି ? କହିଲା, ଭାରି ଚଟି ପିନ୍ଧିଲା ବାଲା ।

 

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ସତେ ନା କଅଣ ? କି ଘୋର ଅନ୍ୟାୟ କଥା !

 

—ମୋ ଚପରାସୀ ଦୁଇଜଣ ତାକୁ ଚେତାଇ ଦେଇ କହିଲେ, ଆବେ ଲୋକ ଜଣା ପଡ଼ୁନାହିଁ କି ? କମିସନର ସାହେବ ଟି ! ତେବେ ବି ସେ ମୋଚିଟା କଅଣ କହିଲା ଜାଣନ୍ତି ? କହିଲା, ଯାଆ ବା, କମିସନର ତାଙ୍କ ଅଫିସରେ । ଏଠି ସେ ମୋତେ ଖଟେଇଛନ୍ତି, ପଇସା ଦିଅନ୍ତୁ-। ଛୋଟ ଲୋକଙ୍କ ଭୟ ଚାଲିଗଲେ ଏମିତି ହେବ ହିଁ ହେବ । ରାଗରେ ମୁଁ ଦଶଅଣା ପଇସା ତଳେ ଫୋପାଡ଼ି ଦେଲି । ସେ ସେଇଠୁ କଅଣ କଲା ଜାଣନ୍ତି ? ହଠାତ୍ ଉଠିପଡ଼ି ମୋ ହାତ ଧରିପକେଇ କହିଲା, ହେଏ, ପଇସା ଉଠେଇ ମୋ ହାତରେ ଦେଇ ଯା’ । ତଳେ ପକେଇଲେ ମୁଁ ନେବି ନାହିଁ । ମୁଁ...

 

ସମସ୍ତେ ଅବାକ୍ ହୋଇ ଚାହିଁ ରହିଲେ । ମୁକ୍ତିପଦ କିନ୍ତୁ ହସି ହସି ପଚାରିଲେ, ତୁମେ ତା’ ହାତରେ ଦେଲ ତ ?

 

—ଉପାୟ ନାହିଁ ନ ଦେଇ । ତଳୁ ଗୋଟାଇ ପଇସା ତା’ ହାତରେ ଦେଲି । ଏ ଅନ୍ୟାୟ ଦାବୀ କରିବାକୁ ସାହସ ସେ ପାଇଲା କେମିତି ? ଏଥିରେ ଜନମଙ୍ଗଳ କେମିତି ହେବ ?

 

ମୁକ୍ତିପଦ କହିଲେ, ଦାବୀଟା ଅବଶ୍ୟ ଅନ୍ୟାୟ । କିନ୍ତୁ ଅନ୍ୟମାନେ ତ ଏମିତି ବାଗରେ ନେଉଛନ୍ତି ଯେ ସେମାନଙ୍କୁ ଦାବୀ କରିବା ପାଇଁ ଯେଉଁ ସାହସ, ପରିଶ୍ରମ, ଚିନ୍ତା ଆଦି ଦରକାର ତା ପଡ଼ୁନାହିଁ । ସେ ଯଦି ଅନ୍ୟାୟ ଦାବୀ କଲା ତେବେ ତୁମେ ବି ଦାବୀ କରିଥା’ନ୍ତ ଯେ କୋଡ଼ିଏ ପଇସାରୁ ବେଶି ଦେବନାହିଁ । ଦୁଇ ଦାବୀର ଗୋଟାଏ ସମାଧାନ ହୋଇଥା’ନ୍ତା । କିନ୍ତୁ ତା’ କରିବାର ସାହସ ନ କରି ତୁମେ ତାକୁ ଅପମାନ କରିବ ବୋଲି ପଇସା ତଳେ ପକାଇଦେଲ । ତୁମ ଅନ୍ୟାୟ ପଦବୀ-ଜ୍ଞାନ ତୁମକୁ ମାଡ଼ି ବସିଲା । କିନ୍ତୁ ଦାବୀ ତାହାର ଯାହା ହେଉନା କାହିଁକି, ମୁଁ ଆନନ୍ଦିତ ହେଉଛି ଏଇୟା ଦେଖି ଯେ ତୁମ ସହିତ ସମାନ ଭାବରେ ସେ କଥା କହିଲା । ତା’ହେଲେ ସ୍ୱୀକାର ନ କରି ଉପାୟ ନାହିଁ ଯେ ସାମ୍ୟବାଦ କାର୍ଯ୍ୟ କରୁଛି । ବାଃ ବାଃ ।

 

ସ୍କୁଲ ଇନିସ୍‌ପେକ୍ଟର କହିଲେ, ମୁଁ ବି ସ୍ୱାଗତ କରୁଛି ଏହାକୁ । ଏ ତ ଖାଲି ରାଜନୀତିକ ଉନ୍ନତି ନୁହେଁ, ଆଧ୍ୟାତ୍ମିକ ଉନ୍ନତି ।

 

କମିସନର ଏଥର ରାଗରେ ପ୍ରାୟ କାନ୍ଦ କାନ୍ଦ ହୋଇ କହିଲେ, ଏକୁ ଆପଣ ଆଧ୍ୟାତ୍ମିକତା କହୁଛନ୍ତି ? ଆଶ୍ଚର୍ଯ୍ୟ !

 

—କାହିଁକି ନୁହେଁ ? ଗୀତାରେ ହିଁ ତ ଶ୍ରୀକୃଷ୍ଣ କହିଛନ୍ତି, ନିଜର ଯେମିତି କାମନା ବା ଦାବୀଦୁବା ଅଛି ପରର ବି ସେମିତି ଅଛି । ଏକଥା ମନେ ରଖି କାମ କଲେ ବିଶ୍ଵସତ୍ତା ସହିତ ନିଜର ସାମ୍ୟ ବା ସାମଞ୍ଜସ୍ୟ ପାଇବ । ସମସ୍ତେ ଯେତେବେଳେ ନିଜ ନିଜ ଦାବୀ ବାଢ଼ିବେ ସେତେବେଳେ ପରସ୍ପରକୁ ଭଲ କରି ବୁଝିବାକୁ ଓ ପରସ୍ପର ପ୍ରତି କର୍ତ୍ତବ୍ୟ କରିବାକୁ ବାଧ୍ୟ ହେବେ, ଏହା ନ କଲେ ଜୀବନ ଧାରଣ ହିଁ ବିପଜ୍ଜନକ ହୋଇପଡ଼ିବ ।

ମୁକ୍ତିପଦ ଆନନ୍ଦିତ ହୋଇ କହିଲେ, ଠିକ୍ କଥା ତ । ପରସ୍ପର ବିରୋଧୀ ଦାବୀମାନ ଆସିଲେ ସମସ୍ତଙ୍କୁ ସୁହାଇଲା ଭଳି ଗୋଟାଏ ନିଷ୍ପତ୍ତି ନିଶ୍ଚୟ ଆସିବ । ଅଯଥା ବା ଅନ୍ୟାୟ ଦାବୀ ପ୍ରତି ତେବେ ଆଉ ଭୟ କଅଣ ? କିଏ କି ଲାଭ କଲା ବା କ୍ଷତି ସହିଲା ସେଟା ତ ବଡ଼ କଥା ନୁହେଁ । ବଡ଼ କଥା ହେଉଛି, ପ୍ରତ୍ୟେକ ପ୍ରତ୍ୟେକକୁ ସେଥିରେ ବୁଝିପାରିବେ, ନିଜକୁ ଅନ୍ୟମାନଙ୍କ ଭିତରେ ଦେଖିପାରିବେ । ଏଇଟାଇ ତ ଆଣିଦେବ ସାମ୍ୟ, ଆର୍ଥନୀତିକ ସାମ୍ୟ ବାଟେ ଆଧ୍ୟାତ୍ମିକ ସାମ୍ୟ । ବାଃ, ତା ହେଲେ ମାନବ-ଅଭ୍ୟୁଦୟ ଦିନେ ଆସିବ ବୋଲି ଯା କବି କହିଥିଲେ, ତା ଆସିଗଲା କି ? ଯୁଦ୍ଧକୁ ଅଯଥା, ଭୟ କରିବାର କିଛି କାରଣ ନାହିଁ ।

ସ୍କୁଲ ଇନିସ୍‌ପେକ୍ଟର କହିଲେ, ସେମିତି ତ ମନେହେଉଛି । ଏ ନ୍ୟସ୍ତସ୍ଵାର୍ଥ ଲୋକେ, ଆମେ ଭଗବାନଙ୍କଠାରୁ ଦୂରେଇ ଯାଉଛୁ ଓ ପାପ ମାଡ଼ିଗଲାଣି ବୋଲି ଯେତେ ଆତଙ୍କ ସୃଷ୍ଟି କରନ୍ତୁ ନା କାହିଁକି, ସମଗ୍ର ମାନବଜାତି ଯେ ଦେଶ, ଜାତୀୟତାର କୃତ୍ରିମ ବନ୍ଧ ଭାଙ୍ଗି ଏକ ହେବାକୁ ଯାଉଛି ତାହା ଏଇ ସାମାନ୍ୟ ଘଟନାରୁ ଜଣା ପଡ଼ୁଛି । ଇୟେ ବୁଢ଼ାଏ, ବାବା, ଦାଦା, ମା, ଭକ୍ତି—କେବଳ ମହାରାଜାମାନେ ସିନା ଆତଙ୍କ ସୃଷ୍ଟି କରୁଛନ୍ତି, ଗୀତାରେ କିନ୍ତୁ ଶ୍ରୀକୃଷ୍ଣ ଭଗବାନ କହିଛନ୍ତି, ପରସ୍ପର ସଂଘର୍ଷ ଭିତର ଦେଇ ସମସ୍ତେ ମୋ ଆଡ଼କୁ ଆସୁଛନ୍ତି କ୍ରମେ କ୍ରମେ, ଏହାକୁ କେହି ରୋଧ କରିପାରିବେ ନାହିଁ ।

କପିଳ ଏତେବେଳେ ଯାଏଁ ସବୁ ଶୁଣୁଥିଲା । କମିସନରଙ୍କ ଆଡ଼େ ସେ ଭୟ କରି ଅନାଇ କହିଲା, ହଜୁର ଆଜ୍ଞା, କପିଳ ଖୁଣ୍ଟିଆ ମୁଁ । ମନେ ପଡ଼ୁଛି କି ହଜୁର ?

କମିସନର କହିଲେ, କିଏ କପିଳ ?

—ହଜୁର, ମନେ ନାହିଁ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ କଥା ? ୧୯୩୪ ମସିହା ଏପ୍ରିଲ ୬ ତାରିଖ କଥା ? ଆପଣ ସେତେବେଳେ ନୂଆ ହୋଇ ଡ଼େପୁଟି ହୋଇଥାଆନ୍ତି । ମହାତ୍ମାଜୀ ଲୁଣମରା ଆନ୍ଦୋଳନ ପାଇଁ ଡାକ ଦେଲାରୁ ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡ଼ିରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥାଏ । ହଜୁର, ଗ୍ରହଣଖଣ୍ଡି ଗିରୀଶ କଥା ମନେ ପଡ଼ୁନାହିଁ ? ଜନ୍ମବେଳୁ ତା ଉପର ଓଠ କଟି ଯାଇଥାଏ ଠେକୁଆ ଭଳି । ସେଇଥିରେ ବି ସେ କି ସୁନ୍ଦର ଗାଉଥାଏ ! ନାହିଁ ହଜୁର ? ସେ ଯେତେବେଳେ ଗାଉଥାଏ—‘କହ—କହ କେଉଁ ଜାତି, ପାଇଛି ମୁକତି କରି ହୁରି ହାରି ଗୁହାରି’ ସେତେବେଳେ ମନଟା କେମିତି ଗୋଳେଇ ଘାଣ୍ଟି ହୋଇଯାଏ, ସତ୍ୟାଗ୍ରହରେ ମିଶିଯିବା ପାଇଁ ମନ ଡହଳ ବିକଳ ହୁଏ । ମନେ ପଡ଼ୁଛି ଟି ହଜୁର ଆଜ୍ଞା ?

—ତୁମେ କଅଣ ମୋ ଚପରାଶି ଥିଲ ?

—ହଁ ହଜୁର । ଆଗ ଚପରାସୀ ‘ବାନରସେନା’ର ପିଲାମାନଙ୍କୁ ବେତମାଡ଼ ଭଲ କରି ଦେଇପାରିଲା ନାହିଁ ବୋଲି ପରା ହଜୁର ତାକୁ ତଡ଼ିଦେଇ ମୋତେ ରଖିଲେ । ଥରେ ପରା ଏମିତି ମାଡ଼ ଦେଲି ଯେ ପିଲାଙ୍କ ହାତରୁ ଦରଦର ହୋଇ ରକ୍ତ ବାହାରୁଥାଏ, ହାତ ଫାଟି ହାଁ ମେଲା ହୋଇ ଯାଇଥାଏ । ହଜୁର ପରା ସରକାରଙ୍କ ପାଖରୁ ମୋତେ ଶହେ ଟଙ୍କା ପୁରସ୍କାର ଦିଆଇଥିଲେ । ଆପଣଙ୍କ ଇଜିଲାସ ବାହାରେ ରହି ସେ ଗିରୀଶ ଗୀତ ବୋଲୁଥାଏ । ଗାଇବି ଆଜ୍ଞା ସେ ଗୀତ ?

ମୁକ୍ତିପଦ କହିଲେ, ହଁ ଗାଅ, ଗାଅ ।

କପିଳ ପାକୁଆ ପାଟିରେ ଗାଇଲା—‘ଭାଇ ମାର ଯେତେ ବେତ ମାରିବ, ଦେଶ ଲାଗି ଆମେ ଜୀବନ ଦେଇଛୁ ତୁମେ କି ଆମକୁ ପାରିବ ? ଆମେ ଡରୁ ନାହିଁ କେବେ ମରଣେ, ମନ ରଖିଅଛୁ ବିଭୁ ଚରଣେ, ତୁମ ଆମକଥା ତାଙ୍କ ମିସଲରେ ଦିନେ ତ ବିଚାର ହୋଇବ ।’

କମିଶନର ହଠାତ୍ କପିଳକୁ କୁଣ୍ଢାଇ ପକାଇ ଭୋ ଭୋ ହୋଇ କାନ୍ଦି କହିଲେ ଆରେ ତମେ ସେଇ କପିଳ । ମୋର ଆଜି କି ସୌଭାଗ୍ୟ ! କିନ୍ତୁ ମୁଁ ଏସବୁ କିଛି ବୁଝି ପାରୁନାହିଁ ହୋ କପିଳ । ଓଃ ହୋ ହୋ ।

କପିଳ ମଧ୍ୟ ତାଙ୍କୁ କୁଣ୍ଢାଇ ପକାଇ କହିଲା, କାନ୍ଦନ୍ତୁ ନାହିଁ । ଯାହା ହେବାର ହୋଇଗଲା-। ଆମେ ସବୁ ଶୁଖିଲା ପତର । ବିଭୁଙ୍କୁ ସ୍ମରଣ କରି ଆମର କମ୍ପୋଷ୍ଟ ଖତ ହୋଇଯିବା ହିଁ ଭଲ । ଏଥକୁ ମନକଷ୍ଟ କ୍ୟା ? ଏଥିରେ ବି ଆନନ୍ଦ ଅଛି ଆଜ୍ଞା ।

ଏଣେ କଅଣ ହୋଇଛି ନା, ବରଗଛ ଉହାଡ଼ରୁ ପୁନେଇଚାନ୍ଦ ଉଠି ଶ୍ମଶାନକୁ ଏକ ଅପୂର୍ବ ଶୋଭାରେ ମଣ୍ଡିତ କରିଥାଏ । ଜୀବନ ମରଣ ଏକ ହୋଇଯାଇଥାଏ ସେ ଶୋଭା ଭିତରେ-। ସବୁ ଯେମିତି ଶୋଭାବନ ।

Image

 

ନନ୍ଦକୁଳେ

 

ଗୋବିନ୍ଦର ବୟସ ଦୁଇ ବର୍ଷ । ଗୋରା ତକ୍ ତକ୍, ସୁନ୍ଦର ଦେଖିବାକୁ‌ । ଆଖି ଯୋଡ଼ିକ ଉଜ୍ଜ୍ଵଳ । ମୁଣ୍ଡର ବାଳଗୁଡ଼ିକ କୁଞ୍ଚିକୁଞ୍ଚିଆ । ଗୋବିନ୍ଦର ମା ଏ ପର୍ଯ୍ୟନ୍ତ ଗୋବିନ୍ଦର ବାଳ କାଟି ନାହାନ୍ତି । ପାଞ୍ଚ ବର୍ଷ ପୂରିଲେ ଧବଳେଶ୍ଵରଙ୍କ ପାଖରେ ବାଳ ପକେଇବେ ବୋଲି ମନାସିଚନ୍ତି । ବଡ଼ ବଡ଼ ବାଳଗୁଡ଼ିକ ଟେକି ମୁଣ୍ଡ ଉପରେ ତେରେଛା କରି ଗୋଟିଏ ଜୁଡ଼ା ବାନ୍ଧି, ସେଥିରେ ଗୋଟିଏ ମୟୂର ଚନ୍ଦ୍ରିକା ଗୁଞ୍ଜିଦେଇ ଯେତେବେଳେ ମୁଗ୍‍ଧଭାବରେ ତାକୁ ଚାହାଁନ୍ତି ସେତେବେଳେ ଠିକ୍ ମନେ ହୁଏ ଯଶୋଦା ଯେପରି ବାଳକ ଶ୍ରୀକୃଷ୍ଣଙ୍କୁ ଚାହିଁଛନ୍ତି । ସେତେବେଳେ ତାଙ୍କ ଆଖି ଛଳଛଳ ହୋଇଯାଏ । ପୁତ୍ରର ଅକଲ୍ୟାଣ ହେବ ବୋଲି ସେ ମୁହଁ ବୁଲାଇ ଶୀଘ୍ର ଆଖି ପୋଛି ଗଣ୍ଡରେ ଶତଚୁମ୍ବନ ଦେଇ ହଳଦିଆ ରଙ୍ଗର ପାଟ ତ୍ରିକଚ୍ଛ କରି ପିନ୍ଧାଇ ଦିଅନ୍ତି ଏବଂ ପାଦରେ ନୁପୁର ପିନ୍ଧାଇ ହାତ ଧରି ଚଲାଇ ନେଇ ଦାଣ୍ଡ ପିଣ୍ଡାରେ ବସାଇ ଦେଇ ଆସି ଘର କାମରେ ମନ ଦିଅନ୍ତି । ମନ କିନ୍ତୁ ତାଙ୍କର ଗୋବିନ୍ଦ ପାଖରେ ବସିଥାଏ । ମୁହୁର୍ମୁହୁ ଯାଇ ଦେଖି ଆସନ୍ତି ପୁଅକୁ । ବାଟରେ ଚାଲି ଯାଉ ଯାଉ କେହି ମୁଗ୍‍ଧଭାବରେ ଚାହିଁଲେ ତାଙ୍କର ଭାରି ଆନନ୍ଦ ହୁଏ । କିନ୍ତୁ କାହାରି ଖରାପ ଦୃଷ୍ଟି ପଡ଼ିଯିବ ବୋଲି ଭୟରେ ସେ ବେଶିକ୍ଷଣ ପୁଅକୁ ସେଠି ରଖନ୍ତି ନାହିଁ ।

ଲାଗ ଲାଗ ସାତଟି ଝୁଅ ପରେ ଗୋଟିଏ ପୁତ୍ର ଜାତ ହୋଇଚି । ଗୋବିନ୍ଦର ଜନ୍ମ କୁମାରପୂର୍ଣ୍ଣିମା ଦିନ, ପୂର୍ଣ୍ଣିମାର ଚାନ୍ଦ ଯେତେବେଳେ ଠିକ୍ ମଝିଆକାଶରେ । ଶଙ୍ଖ ଭେରି ତୂରି ନ ବାଜିଲେ ମଧ୍ୟ ହୁଳହୁଳିର ଶବ୍ଦରେ ନନ୍ଦବାବୁ ଚମକି ଉଠିଲେ । ସନ୍ଧ୍ୟା ସମୟରେ ସ୍ତ୍ରୀଙ୍କର ଗର୍ଭ ବେଦନା ଆରମ୍ଭ ହେବାବେଳଠାରୁ ସେ ପ୍ରସୂତିଘର ପିଣ୍ଡାରେ ଘଡ଼ି, କାଗଜ, କଲମ ଓ ପାଞ୍ଜି ଘେନି ଜଗି ବସିଥିଲେ । ଛାତି ତାଙ୍କର ଧଡ଼କିନା ହେଲା । କଅଣ ହେଲା ? ବଡ଼ ଝିଅ ଦଉଡ଼ି ଆସି କହିଲା, ବାପା, କୁନୁ ଭାଇ ହୋଇଚି । ପୁଅ ହେଲେ ତାର ନିରୋଗ ଏବଂ ଦୀର୍ଘ ଜୀବନ କାମନା କରି ନନ୍ଦବାବୁଙ୍କ ସ୍ତ୍ରୀ ନା’ଟି ବାଛି ରଖିଥିଲେ ଗୋବିନ୍ଦ, ନିଜର କୁଳଦେବାତା ଶ୍ରୀ ଶ୍ରୀ ଗୋବିନ୍ଦ ଜିଉଙ୍କ ନାମାନୁସାରେ । ପୁତ୍ରର ପୃଥିବୀ ବିଖ୍ୟାତ ଖ୍ୟାତି କାମନା କରି ନନ୍ଦବାବୁ ସେ ନା’ଟିରେ ରାଜି ହୋଇଥିଲେ । ପୁତ୍ର ହେବାର ସମ୍ବାଦ ପାଇ ନନ୍ଦବାବୁଙ୍କ ମୁହଁ ଆନନ୍ଦରେ ଉଦ୍ଭାସିତ ହୋଇଗଲା । ସାଙ୍ଗେ ସାଙ୍ଗେ ସେ କାଗଜରେ ଟିପି ରଖିଲେ, ନନ୍ଦବାବୁଙ୍କ ଔରଷରେ ସାବିତ୍ରୀ ଦେବୀଙ୍କ ଅଷ୍ଟମ ଗର୍ଭରେ ପୁତ୍ରରତ୍ନ ଜାତ । ନାମ ଗୋବିନ୍ଦ । ଜନ୍ମ ସମୟ, ତିଥି, ଦିନ,ବାର ଯୋଗ ଆଦି ଦେଖି ତାଙ୍କର ମନ ଆଶାରେ ପୂରିଗଲା । ମନେ ମନେ ସେ କହିଲେ, ଏ ପୁଅ ଖାଲି ମୋତେ ଆନନ୍ଦ ଦେବନାହିଁ, ସାରା ଭୁବନର ଆନନ୍ଦଦାୟକ ହେବ । ଅଷ୍ଟମ ଗର୍ଭର ଶିଶୁ, କମ୍ ନୁହଁ !! ଆନନ୍ଦରେ ସେ ମନେ ମନେ ସୁର କରି ଗାଇବାକୁ ଲାଗିଲେ, ନନ୍ଦକୁଳେ ଗୋବିନ୍ଦ, ବାଜେ ଶଙ୍ଖ ଭେରି ତୁରି ଭୁବନ ଆ ଆ ଆ ଆନନ୍ଦ, ମୋ ନନ୍ଦ କୁଳେ ଗୋବିନ୍ଦ, ଦେଖ ମୋ ନନ୍ଦକୁଳେ ଗୋବିନ୍ଦ, ଏ ଏ ଏ ବାଜେ ଶଙ୍ଖ ଭେରି... । ତାଙ୍କ ମନରେ ସେତେବେଳେ ଏତେ ଆନନ୍ଦ ହୋଇଥିଲା ଯେ ସେ ପାଟି କରି ଉଠିଲେ, ଆରେ ଏ ଟୁନା ରେ...ଶଙ୍ଖ ବଜା, କଅଣ କରୁଚ କିରେ ? ଶୋଇଗଲ କିରେ ?

ଆଜିକାଲି ପୁଅକୁ ଚାହିଁ ନନ୍ଦବାବୁ ମଝିରେ ମଝିରେ ଥଟ୍ଟା କରି ସ୍ତ୍ରୀଙ୍କୁ କହନ୍ତି, ଦେଖିଲ ! ତୁମେ ମନା କରୁଥିଲ, ଅଲଗା ଘରେ ଭିତରୁ ଶିକୁଳି ଲଗାଇ ଶୋଉଥିଲ । ମୁଁ ଠିକ୍ ଜାଣେ ଏଥର ପୁଅ ହବ । ଆରେ, ଆମକୁ ଜ୍ୟୋତିଷ ବିଦ୍ୟା ଭଲ ମାଲୁମ ଅଛି ମ । କଉ ବିଦ୍ୟା ମାଲୁମ ନାହିଁ ! କପାଳ ଦୋଷରୁ ସିନା...। ମୁଁ କହି ରଖୁଚି ଏ ପୁଅ ବଡ଼ ହେଲେ ଭାରି ନାଁ କରିବ ।

ସାବିତ୍ରୀ ଦେବୀ କିନ୍ତୁ ନିରୁତ୍ସାହ ଭାବରେ କହନ୍ତି—ପୁଅ ବଞ୍ଚୁ ତ ଆଗେ ।

ନନ୍ଦବାବୁ ଦପ୍‌କିନା ଜଳି ଉଠି କୁହନ୍ତି ତୁମେ ସଦାବେଳେ କାଳତୁଣ୍ଡିଟା । କହି ପୁଅକୁ କୋଳକୁ ଆଣି ସେ ଦମ୍ ଦମ୍ କରି ବାହାରି ଯାଆନ୍ତି ସେ ଘରୁ ।

ନନ୍ଦବାବୁ କିରାଣୀ, ଦରମା ସବୁ ମିଶାଇ ଅଢ଼େଇଶହ । ଗାଁରେ ଜମି ବାଡ଼ି ବେଶ୍ ଅଛି-। ଚାଉଳ, ଡାଲି, ସୋରିଷ ଆଦି କିଛି କିଣିବାକୁ ପଡ଼େନାହିଁ । କଟକରେ ପୈତୃକ କୋଠା ଖଣ୍ଡି ମଧ୍ୟ ଅଛି । ତାର ଗୋଟିଏ ଅଂଶ ଭଡ଼ା ଦେଇ ସେଥିରୁ ମଧ୍ୟ ମାସକୁ ପଚାଶ ଟଙ୍କା ପାଆନ୍ତି । ଧନୀ ନ ହେଲେ ମଧ୍ୟ ବେଶ୍ ସ୍ୱଚ୍ଛଳ ଅବସ୍ଥା । ପୁତ୍ର ଆଶାରେ ନିଜେ ପରିବାରଟିକୁ ବଡ଼ କରିପକାଇଥିଲେ ସତ କିନ୍ତୁ ତଥାପି କେବେହେଁ ଅନାଟନ ହୋଇନାହିଁ । ସଞ୍ଚୟ ମଧ୍ୟ କିଛି କମ୍ ନାହିଁ । ବେଶ୍ ସୁଖର ସଂସାର କହିବାକୁ ହେବ । କିନ୍ତୁ ତଥାପି ନନ୍ଦବାବୁଙ୍କ ମନରେ ଶାନ୍ତି ନାହିଁ । ସବୁବେଳେ ନିଜକୁ ଅନ୍ୟମାନଙ୍କ ସାଙ୍ଗେ ତୁଳନା କରି ଭାବନ୍ତି, ତାଙ୍କର କିଛି ନାହିଁ । ସେ ଅତି ସାଧାରଣ ଛାତ୍ର ଥିଲେ । ଠେଲାପେଲା କରି କୌଣସି ମତେ ବି. ଏ. ଖଣ୍ଡକ ପାଶ୍ କରିଛନ୍ତି । ବୁଦ୍ଧି ମଧ୍ୟ ଅତି ସାଧାରଣ, ସମୟ ସମୟରେ ସାଧାରଣରୁ ତଳେ ମଧ୍ୟ । ନିଜ ବିଦ୍ୟାବୁଦ୍ଧି ତୁଳନାରେ ଉନ୍ନତ ଓ ଉପାର୍ଜନ ଊଣା ନୁହଁ, ବରଂ ବେଶି । କିନ୍ତୁ ତାଙ୍କର ଦୃଷ୍ଟି ନିଜ ଆଡ଼କୁ କଦାପି ଯାଏ ନାହିଁ ।

ଯାହାର କାମନା ଅନୁସାରେ କର୍ମ କରିବାର ଇଚ୍ଛା ଓ ଶକ୍ତି ଅଛି ତାହାର ନିଜ ଉପରେ ଅଯଥା ବଡ଼ ଧାରଣ ନ ଥାଏ । ସେ ଅନ୍ୟ ସହିତ ପ୍ରତିଦ୍ୱନ୍ଦିତା କରେ କିନ୍ତୁ ଯାହାର କାମନା ଅଛି କିନ୍ତୁ ତାକୁ ପୂରଣ କରିବାର ଶକ୍ତି ନାହିଁ, ଅଛି ଆଳସ୍ୟ, ତାହାର ନିଜ ଦିବାସ୍ଵପ୍ନ ଯେତେ ବଢ଼ୁଥାଏ ଅନ୍ୟ ପ୍ରତି ହିଂସା ସେତେ ବଢ଼ୁଥାଏ । ସେ ସର୍ବଦା ଅସନ୍ତୁଷ୍ଟ । ତେଣୁ କୌଣସି ସାଙ୍ଗ ଯଦି ବଡ଼ ଚାକିରି ପାଇଗଲା ତେବେ ନନ୍ଦବାବୁ ବସି ବସି ଭାବନ୍ତି, ଦେଖ, ମୋରି ସାଙ୍ଗରେ ପଢ଼ୁଥିଲା, ଦୁଇଥର ବି. ଏ. ଫେଲ, ଅଥଚ ଖେଳରେ ନା’ କରିଛି ବୋଲି.....ଆଉ ମୁଁ ଏଡ଼େ ଭଲ ଛାତ୍ର ଥାଇ ମଧ୍ୟ......ମୋ କପାଳକୁ ସବୁବେଳେ ପଡ଼ିଲେ କରଣ ଅଧ୍ୟାପକ, ମୁଁ ବ୍ରାହ୍ମଣ ବୋଲି ଜାଣି ଶୁଣି ଅଳ୍ପ ନମ୍ବର ଦେବେ । ଚାକିରୀରେ ମଧ୍ୟ ଦେଖିଲି ସେଇଆ । ଏଥର ଭାବିଥିଲି ବ୍ରାହ୍ମଣ ହାକିମ ଅଛନ୍ତି କିଛି ନ୍ୟାୟ ହେବ । କିନ୍ତୁ କେମିତି ହେବ ! ମୁଁ ଯେ ତାଙ୍କ ମାଉସୀଙ୍କର ପୁଅଙ୍କର ଜୋଇଁଙ୍କର ଶଳାର ଝିଅକୁ ବିବାହ ହେବାକୁ ମନା କରିଦେଇଥିଲି, ସେଇ ରାଗ ତ ଅଛି !

ବ୍ୟର୍ଥତାର କାରଣଗୁଡ଼ିକ ଯେଡ଼େ ହାସ୍ୟାସ୍ପଦ ଓ ଅସମ୍ଭବ ହେଉ ନା କାହିଁକି ନନ୍ଦବାବୁ ସେଗୁଡ଼ିକୁ ଖାଣ୍ଟି ସତକଥା ବୋଲି ଧରି ନିଅନ୍ତି । ତେଣୁ ସବୁ ବ୍ୟର୍ଥତା ମୂଳରେ ସେ ଦେଖନ୍ତି ଅନ୍ୟର ହିଂସା ବା ଚକ୍ରାନ୍ତ । ନିଜର ଜାତି ହେଲେ ସେ କୁହନ୍ତି ସ୍ଵଜାତି ପରହିଂସ୍ରକ । ଅନ୍ୟ ଜାତି ହେଲେ ତ କଥା ନାହିଁ । ଏହିପରି ଭାଳି ଭାଳି ସମସ୍ତଙ୍କୁ ସନ୍ଦେହ କରିବା ଆଜିକାଲି ତାଙ୍କର ଗୋଟିଏ ବ୍ୟଧିରୂପ ହେଲାଣି । ଅନେକ ସମୟରେ କାଳ୍ପନିକ ବ୍ୟର୍ଥତା ସୃଷ୍ଟି କରି ତାର କାରଣ ଖୋଜି ବାହାର କରି ସେ ଦାଉ ସାଧିବା ପାଇଁ ଚିନ୍ତା କରନ୍ତି । ଏପରିକି ଏତେ ଝିଅ ହେବାର ଦୋଷ ମଧ୍ୟ ସ୍ତ୍ରୀ ଉପରେ ଲଦି ଦେଇ ସେ ନିଶ୍ଚିନ୍ତ ।

ସାବିତ୍ରୀ ଦେବୀ ତାଙ୍କୁ ନାନା ଉପାୟରେ ଶାନ୍ତ କରିବାକୁ ଚେଷ୍ଟା କରନ୍ତି । ...ଦେଖ ତୁମେ ଏମିତି ହୁଅନା । ଅନ୍ୟ ସାଙ୍ଗରେ ତୁଳନା କରି ନିଜେ ଖାଲି ଜଳୁଚ । ଆମର ତ କିଛି ଅଭାବ ନାହିଁ । ଅନ୍ୟର ଯେତେ ବେଶି ଥାଉ ଆମର ସେଥିରେ କଣ ଗଲା ?

ନନ୍ଦବାବୁ ବିରକ୍ତ ହୋଇ କୁହନ୍ତି, ବୁଝିଲ, ଯାହା ବୁଝନା, ତା କୁହନା । ନିଜର ଅଳ୍ପ ଆୟ ପାଇଁ କାହାରି ଦୁଃଖ ହୁଏ ନାହିଁ, କମ୍ ଯୋଗ୍ୟତା ଥାଇ ମଧ୍ୟ ଅନ୍ୟ ଜଣେ ଅସଦୁପାୟରେ ଉପରକୁ ଉଠି ଯାଉଚି ଦେଖି ମନ ଜଳିଯାଏ ।

 

ସାବିତ୍ରୀ ଦେବୀ କୁହନ୍ତି, କଉ ବହିରେ ଏମିତି ଲେଖାଅଛି ବୋଲି ତୁମେ କହୁଥିଲ । କଉଥିପାଇଁ କିଏ ଏକଥା ଲେଖିଛନ୍ତି ସିନା । ତାକୁ ନିଜ ମନକଷ୍ଟର କାରଣ ବୋଲି ଧରିନେଇ ଆହୁରି ତମ ମନରେ ସମସ୍ତଙ୍କ ପ୍ରତି ରାଗ ଆସୁଚି ।

 

ବର୍ତ୍ତମାନ ନନ୍ଦବାବୁ ଉନ୍ନତିର ସବୁ ଆଶା ଛାଡ଼ିଚନ୍ତି । ବୟସ ଆସି ହେଲା ପଚାଶ । ତାଙ୍କର ସବୁ କାମନା ତେଣୁ ପୁଅକୁ ଜାବୁଡ଼ି ଧରିଲା । ମନୁଷ୍ୟର ଏପରି ଆଶା ଯେତେବେଳେ ପ୍ରବଳ ହୁଏ ସେତେବେଳେ ଆକାଶ କୁସୁମ ମଧ୍ୟ ବାସ୍ତବ ବୋଲି ଧାରଣା ଜନ୍ମେ । ଗୋବିନ୍ଦର ଜନ୍ମ ସମୟରୁ ନନ୍ଦବାବୁଙ୍କର ଦୃଢ଼ ଧାରଣା ହେଲା, ପୁତ୍ର ଧନୀ ଓ ଯଶସ୍ଵୀ ହେବ ନିଶ୍ଚୟ । ଜ୍ୟୋତିଷ ଅଣ୍ଟାରେ ଦଶଟି ମୁଦ୍ରା ମାରି ଯେଉଁ ଜାତକ କରିଦେଇ ଯାଇଚି, ତାହା ପଢ଼ି ନନ୍ଦବାବୁଙ୍କ ଆଶା ଦୃଢ଼ ଧାରଣାରେ ମଧ୍ୟ ପରିଣତି ହେଲା । ଶିଶୁ ପୁତ୍ରର ପ୍ରତ୍ୟେକ କାର୍ଯ୍ୟ ତାଙ୍କୁ ଅସାଧାରଣ ବୋଲି ମନେହେଲା । ଗୋବିନ୍ଦ ଯେତେବେଳେ ଅଗଣାରେ ଗୁରୁଣ୍ଡି ଗୁରୁଣ୍ଡି ପିମ୍ପୁଡି ଧରିବାକୁ ତା ପଛରେ ଗୋଡ଼ାଏ, ନନ୍ଦବାବୁ ଆଶ୍ଚର୍ଯ୍ୟ ଭାବରେ ଚାହିଁ ସ୍ତ୍ରୀକୁ କୁହନ୍ତି ଦେଖିଲ, କି ତୀକ୍ଷ୍‌ଣ ଦୃଷ୍ଟି ଗୋବିନ୍ଦର ! ମୋତେ ତ ପିମ୍ପୁଡ଼ି ଦିଶୁନାହିଁ !!

 

ସ୍ତ୍ରୀ ମୁହଁ ଛାଟି କୁହନ୍ତି, ମଲା, ଏମିତି ତ ସବୁ ପିଲାଏ ଖେଳନ୍ତି । ଆଗେ ପୁଅ ବଞ୍ଚୁ, ବଡ ହେଉ ବା ନ ହେଉ, ଶାନ୍ତିରେ ରହୁ । ତୁମର ପୁଅ ଦେହକୁ ତ ଦୃଷ୍ଟି ନାହିଁ, ଅଛି ତାର ଯଶ-ମାନକୁ ।

 

ନନ୍ଦବାବୁ ରାଗିଯାଇ କୁହନ୍ତି, ସବୁ ପିଲାଏ ଏମିତି କରନ୍ତି ? ଦେଖିଚ ତୁମେ ? ଖାଲି ବଦମାସି କଥା ।

 

ଗୋବିନ୍ଦ ଯେତେବେଳେ ଦୁଇ ବର୍ଷରେ ପଡ଼ିଲା, କଥା କହିବାକୁ ଶିଖିଲା, ନନ୍ଦବାବୁ ତାକୁ ଅ, ଆ, ଏକ, ଦୁଇ, ଓ୍ୟାନ, ଟୁ ଆଦି ଶିଖାଇବାକୁ ଲାଗିଲେ । ଗୋବିନ୍ଦର ମନ ଯେତେବେଳେ ଖୁସିଥାଏ, ସେତେବେଳେ ସେ ଏକା ସାଙ୍ଗରେ ଗୁଡ଼ାଏ ଅବା ଗୁଡ଼ାଏ ଆ କହିଯାଏ କିମ୍ବା ଏତ୍, ଡୁଇ କୁହେ । ମନ ଭଲ ନ ଥିଲେ ସେ କାନ୍ଦେ । ନନ୍ଦବାବୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋବିନ୍ଦକୁ ମାରନ୍ତି । ସାବିତ୍ରୀ ଦେବୀ ଦୀର୍ଘନିଶ୍ଵାସ ପକାଇ ନୀରବରେ ପୁଅକୁ ତାଙ୍କଠାରୁ ନେଇଯାଇ ଭୁଲାନ୍ତି-। ନନ୍ଦବାବୁ ହତାଶାର ରାଗରେ ମୁହଁକୁ ତଳକୁ କରି ବସନ୍ତି ।

 

କ୍ରମେ କ୍ରମେ ଗୋବିନ୍ଦର ବାପାଙ୍କୁ ଭାରି ଭୟ ହେଲା । ଖେଳୁ ଖେଳୁ ନନ୍ଦବାବୁଙ୍କୁ ଦେଖିଲେ ସେ ଭୟରେ ଖେଳ ଛାଡ଼ି ଥମ୍ କିନା ଛିଡ଼ା ହୋଇଯାଏ । ନନ୍ଦବାବୁ ତାକୁ ଖେଳରୁ ଉଠାଇ ଆଣି ପଢ଼ାଇବାରେ ଲାଗି ପଡ଼ନ୍ତି । ଗୋବିନ୍ଦ ଭୟରେ ସବୁ କୁହେ । ନନ୍ଦବାବୁ ଗର୍ବରେ ତାକୁ ଗୋଟିଏ ଚୁମାଦେଇ ଛାଡ଼ି ଦିଅନ୍ତି । ଗୋବିନ୍ଦ ପିଞ୍ଜରମୁକ୍ତ ଚଢ଼େଇ ଭଳି ଦଉଡ଼ି ଯାଏ ମୁକ୍ତ ଆକାଶ ରୂପକ ମା କୋଳକୁ ।

 

ନନ୍ଦବାବୁଙ୍କ ଶିକ୍ଷାଦାନରେ ଗୋବିନ୍ଦର ଏଡ଼େ ଭୟ ଯେ ସେ ଆଜିକାଲି ସବୁବେଳେ ସେହି ଭୟରେ ଘରର ଗୋଟିଏ କଣରେ କିମ୍ବା ମା’ କୋଳରେ ଥାଏ । କ୍ରମେ କ୍ରମେ ଖେଳରୁ ମଧ୍ୟ ତାର ଉତ୍ସାହ ଚାଲିଗଲା । ସବୁବେଳେ ସୁନ୍ଦର ମୁହଁଟି ତାର ଶୁଖି ଯାଇଥାଏ ।

 

ନନ୍ଦବାବୁଙ୍କ ଭୟରେ ସେ ଆଜିକାଲି ‘ଗୁଡ଼୍ ମର୍ଣ୍ଣିଂ’ କହି ଶିଖିଚି । ନନ୍ଦବାବୁଙ୍କର କେହି ବନ୍ଧୁ ଆସିଲେ ସେ ଆଗ ଡାକନ୍ତି ଗୋବିନ୍ଦଙ୍କୁ । ଗୋବିନ୍ଦ ଧୀରେ ଧୀରେ ସଭୟେ ଆସି ଆଗନ୍ତୁକକୁ ନମସ୍କାର କରି କୁହେ ଗୁଡ଼୍ ମର୍ଣ୍ଣିଂ ।

 

ନନ୍ଦବାବୁ ସଗର୍ବେ ବନ୍ଧୁଙ୍କୁ ଅନାଇ କୁହନ୍ତି, ଭାରି ବୁଦ୍ଧି, ଯଉକଥା ତାକୁ ଥରେ କହିଚ, ମନେ ରଖିଥିବ । ଗୋବିନ୍ଦ, କହିଲୁ, ଓ୍ୟାନ୍, ଟୁ । ଗୋବିନ୍ଦ କାଠ ପିତୁଳାପରି ଛିଡ଼ାହୋଇ କୁହେ ଅନ୍, ତୁ, ଥିଲି, ଛିଛ୍ । ଆଗନ୍ତୁକ ବନ୍ଧୁ କୋଳକୁ ନେଇ ଆଦର କରି ଛାଡ଼ି ଦିଅନ୍ତି । ଗୋବିନ୍ଦ ପଳାଏ-। ନନ୍ଦବାବୁ କହନ୍ତି, ଭାରି ବୁଦ୍ଧି, କିନ୍ତୁ ଚଗଲା । ଭାରି ଖେଳରେ ମନ, କାହାକୁ ଡରେନାହିଁ ।

 

ସେଦିନ ସକାଳେ ଆସିଥିଲେ ନନ୍ଦବାବୁଙ୍କ ବାଲ୍ୟବନ୍ଧୁ ହରି ବାବୁ । ହରିବାବୁ ମଧ୍ୟ ନନ୍ଦବାବୁଙ୍କ ସହିତ କିରାଣୀ ଥିଲେ । ତାଙ୍କର ବିଦ୍ୟା ଅଳ୍ପ ହେଲେ ମଧ୍ୟ ଅସାଧାରଣ ପରିଶ୍ରମ ଗୁଣରୁ ଶିଘ୍ର ଶିଘ୍ର ଉପରକୁ ଉପରକୁ ଯାଇ ପାରିଛନ୍ତି । ସେ କଟକ ବଦଳି ହୋଇ ଆସି ବାଲ୍ୟବନ୍ଧୁଙ୍କୁ ଦେଖା କରିବାକୁ ଆସିଚନ୍ତି । ହରିବାବୁ ନନ୍ଦବାବୁଙ୍କର ଅନ୍ତରଙ୍ଗ ଓ ବାଲ୍ୟବନ୍ଧୁ ହେଲେ ମଧ୍ୟ ନନ୍ଦବାବୁଙ୍କର ତାଙ୍କ ପ୍ରତି ଆଉ ପୂର୍ବ ସ୍ନେହ ନାହିଁ । ତାଙ୍କର ଧାରଣା, ସେ ମଧ୍ୟ ତାଙ୍କୁ ପ୍ରତାରଣା କରିଛନ୍ତି ।

 

ଦୁଇ ବନ୍ଧୁ ନାନା ଦୁଃଖ ସୁଖ କଥା ହେଲେ । କଥାରେ କଥାରେ ନନ୍ଦବାବୁ ପୁଅର ଗୁଣଗାନ କରି କହିଲେ ଭଗବାନ ମୋତେ ସବୁଥିରୁ ବଞ୍ଚିତ କରି, ଦେଇଛନ୍ତି ପୁଅଟିଏ । ଭାରି ବୁଦ୍ଧିମାନ୍ ଏକା । ଆରେ ଗୋବିନ୍ଦ...ଗୋବିନ୍ଦ...ଆସ ତ...

 

ଗୋବିନ୍ଦ ସେତେବେଳେ ବୋଉ ପାଖରେ ଥିଲା । ଭୟରେ ସେ ବୋଉକୁ କୁଣ୍ଢାଇ ଧରିଲା ।

 

...ଗୋବିନ୍ଦ...ଅ...ଆ...ନନ୍ଦବାବୁ ପୁଣି ଡାକିଲେ ।

 

ଗୋବିନ୍ଦ ଭୟରେ ଆସି ଛିଡ଼ାହେଲା ଏବଂ ଆଗନ୍ତୁକକୁ ଦେଖି ଭୁତ ଦେଖିଲା ପରି ଥରିବାକୁ ଲାଗିଲା । କେବଳ ଥରକୁ ଥର ହରିବାବୁଙ୍କ ମୁହଁ ଆଡ଼େ ଅନାଇବାକୁ ଲାଗିଲା । ନନ୍ଦବାବୁଙ୍କ ଭଳି ହରିବାବୁଙ୍କର ବଡ଼ ବଡ଼ ନିଶ ଅଛି । ଗୋବିନ୍ଦ ନିଶୁଆ ଲୋକ ଦେଖିଲେ ଭାରି ଡରେ । ଗୋବିନ୍ଦକୁ ଏପରି ଛିଡ଼ା ହେବାର ଦେଖି ନନ୍ଦବାବୁ ଅପ୍ରସ୍ତୁତ ହୋଇଗଲେ । କିନ୍ତୁ ଆଦର କରି କହିଲେ, କିରେ କହୁନୁ । ନମସ୍କାର କରି ତୁ ଯା କହୁ କହ ।

 

ଗୋବିନ୍ଦ ‘ଗୁ’ କହି ଭେଁ କରି କାନ୍ଦି ପକାଇଲା । ବନ୍ଧୁ ସାମନାରେ ନନ୍ଦବାବୁଙ୍କୁ ଏହା ଚରମ ଅପମାନ ଭଳି ଲାଗିଲା । ଯାହାକୁ ସେ ଭାରି ବୁଦ୍ଧିମାନ, ଚାଲାକ ବୋଲି କହୁଥିଲେ ଏଇ ତାର ନମୁନା ! ସେ କ୍ରୋଧରେ ଉତ୍‌କ୍ଷିପ୍ତ ହୋଇ ପ୍ରଚଣ୍ଡ ଶକ୍ତିରେ ଗୋବିନ୍ଦ ପିଠିରେ ଚାପୁଡ଼ାଏ ମାରିଲେ । ଗୋବିନ୍ଦ ତଳେ ପଡ଼ିଗଲା । ନନ୍ଦବାବୁ ତାର ଗୋଟାଏ ହାତ ଧରି ଘୋଷାଡ଼ି ନେଇ ସ୍ତ୍ରୀ ପାଖରେ ଛାଡ଼ିଦେଇ ଆସିଲେ ।

 

ଏ ଘଟଣା ପରେ ହରିବାବୁ ଅଳ୍ପ ସମୟ ରହି ଚାଲିଗଲେ । ସାବିତ୍ରୀ ଦେବୀ ପୁଅକୁ କୋଳକୁ ଆଣି ପିଠି ଦେଖାଇ କହିଲେ, ଦେଖିଲ, ତୁମର କଅଣ କାଣ୍ଡଜ୍ଞାନ ନାହିଁ ? ଏଡ଼େ ଜୋରରେ ମାରିଚ ଯେ ପାଞ୍ଚ ଆଙ୍ଗୁଠି ବସି ଯାଇଚି, ଛି !

 

ନନ୍ଦବାବୁ ରାଗିଯାଇ କହିଲେ, ବେଶ୍ କରିଚି । ମୁଁ ଯେତେ ଚେଷ୍ଟା କଲେ କଣ ହବ ? ଟୋକାଟା ମୋ ବୁଦ୍ଧିରୁ ଟିକିଏ ବି ପାଇନି । ମାମୁ ବଂଶର ସବୁ ଗୁଣତକ ଆଣିଚି ।

 

ସାବିତ୍ରୀ ଦେବୀ ମୁହଁ ଛାଟି କହିଲେ, ଧିକ୍ ତୁମ ବୁଦ୍ଧିକି ।

Image

 

ରାଣୀ ତୁରୁଗା

 

ଦୀନକୃଷ୍ଣ ବିରକ୍ତି ସହିତ ଖବର କାଗଜଟା ଫୋପାଡ଼ି ଦେଇ କହିଲେ, କଣ ଯେ ହୋଇଚି ଆଜି କାଲି, କୌଣସି ଆଡ଼େ କିଛି ନାହିଁ । ସବୁ କେମିତି ମାନ୍ଦା ଧରି ଗଲେଣି । ଯୁଦ୍ଧ ବେଳେ ବେଶ୍ ଥିଲା । ରୋଜ କିଛି ନା କିଛି ଚାଞ୍ଚଲ୍ୟକର ଖବର । ଆହୁରି ଚାରିଟା ଷ୍ଟେସନ ଅଛି ମଣିଷ ସମୟ କଟାଇବ କିପରି ?

 

ନରହରି ଅନ୍ୟ ବେଞ୍ଚକୁ ଗୋଡ଼ ଲମ୍ବାଇ ଦେଇ ନିବିଷ୍ଟ ମନରେ ଗୋଟିଏ ବହି ପଢ଼ୁଥିଲେ । ଦୀନକୃଷ୍ଣ ଆଡ଼େ ଚାହିଁ ଟିକିଏ ହସି କହିଲେ,ନେ, ଏ ବହିଟା ପଢ଼, ଭାରି ଚମତ୍‌କାର ଲେଖିଚି !

 

ଦୀନକୃଷ୍ଣ ନିରୂପାୟ ଭାବରେ ବହିଟି ଟାଣି ନେଇ ଖଣ୍ଡେ ନିଆଁ ରଡ଼ ଧରି ପକାଇବା ଭଳି ବହିଟିକୁ ନରହରିଙ୍କ କୋଳକୁ ଛାଟି ଫୋପାଡ଼ି ଦେଇ କହିଲେ, ଧେତ୍, ବାଜେ ବହି,ପାଗଳର ପ୍ରଳାପ ଖାଲି । ସେ ଦର୍ଶନ ବହିଗୁଡ଼ିକ ଉପରେ ମୁଁ ଭାରି ଚିଡ଼େ । ଗୋଟିଏ ନୂଆ ଚିନ୍ତା ଦବା ମାନେ ଗୋଟିଏ ନୂଆ କଳିର ମଞ୍ଜି ପୋତିବା । ମାର୍କସ କଅଣ କଲେ ? ଗୋଟିଏ ନୂଆ କଳିର ମଞ୍ଜି ପୋତି ଦେଇଗଲେ ସିନା ।

 

ସେଥିରେ ବିଚଳିତ ହେବାର କଣ ଅଛି ? ସେ ଚିନ୍ତାଧାରାର ମଧ୍ୟ ଦିନେ ମୃତ୍ୟୁ ହେବ ଏବଂ ତା ସ୍ଥାନରେ ଉଦୟ ହେବ ଆଉ ଗୋଟିଏ ଚିନ୍ତାଧାରା । ମନୁଷ୍ୟର ଦେହର ବିକାଶ ସଙ୍ଗେ ସଙ୍ଗେ ଚିନ୍ତାର ବିକାଶ ମଧ୍ୟ ହେଉଚି । ହୁଏତ ଦେହର ବିକାଶ ବନ୍ଦ ହୋଇଗଲାଣି, ମନର ବିକାଶ ଆରମ୍ଭ ହେଉଚି । ଏ ସବୁ ନପଢ଼ିଲେ ଜାଣିବୁ କିପରି !

 

ଦୀନକୃଷ୍ଣ ଅସହିଷ୍ଣୁ ଭାବରେ କହିଲେ, ରଖ୍ ତୋ ବିକାଶ । ତୁ ପଢ଼ ତାକୁ । ମୁହଁରେ ଯେତେ ବଡ଼ ବଡ଼ କଥା କୁହ ବାପା, ମନ ଧାଇଁଥାଏ କ୍ଷମତା, ପ୍ରତିପତ୍ତି, ଉତ୍ତେଜନା ପାଇଁ । ହେଇ ଇଡ଼େନ ଗଲେ ବ୍ୟାଙ୍କକ୍ । ସେଠି ରୁଷିଆ ବିରୋଧରେ ଦକ୍ଷିଣ-ପୂର୍ବ ଏସିଆ ମେଣ୍ଟ ଗଢ଼ା ହେବ । ଡ୍ୟୁଲେସ୍ ଟଙ୍କା ଥଳି ମୁହଁ ଖୋଲି ଦେଇଛନ୍ତି । ନିଅ ଯିଏ ଯେତେ ପାରୁଚ, ଟଙ୍କା ଦେଇ ଅସ୍ତ୍ର କିଣ ରୁଷିଆ ସାଙ୍ଗରେ ଲଢ଼ିବାକୁ ବଳ ବଢ଼ାଅ । ମଧ୍ୟ-ପ୍ରାଚ୍ୟରେ ତୁର୍କୀ-ଇରାକ ଚୁକ୍ତି ହୋଇଗଲା । ମିଶର ଓ‌ ଅନ୍ୟାନ୍ୟ ଆରବ ଦେଶ ତାର ବିରୋଧ କରିବେ । ଚୀନ ଫର୍ମୋଜା ଅଧିକାର ପାଇଁ ସଜବାଜ ହେଲାଣି । ଆମେରିକା ଫର୍ମୋଜାକୁ ରକ୍ଷା କରିବାକୁ ମଧ୍ୟ ସଜବାଜ ହେଲାଣି । ଇସ୍, ହେ ଭଗବାନ, ଲାଗି ଯାଉ ଏ ଯୁଦ୍ଧ, ଲାଗିଯାଉ ଏ ନିରୁଦ୍ବେଗ ଜୀବନ ଅସହ୍ୟ । ଦୀନକୃଷ୍ଣ ଉତ୍ତେଜିତ ଭାବରେ ଦୁଇ ହାତରେ ନଖ ପରସ୍ପର ଘଷି ବେଞ୍ଚ ଉପରେ ଏପାଖ ସେପାଖ ହଲିବାକୁ ଲାଗିଲେ ।

 

ନରହରି ଆଶ୍ଚର୍ଯ୍ୟ ଓ ବ୍ୟଥିତ ଭାବରେ ତାଙ୍କୁ ଚାହିଁ ରହି କହିଲେ, ଏହାକୁ ହିଁ କୁହନ୍ତି ବିକୃତ ମନ । ବିକୃତ ନ ହେଲେ...

 

ସାମନାସ୍ଥିତ ମାରଓ୍ୟାଡ଼ି କହିଲେ, ହାମି ବି କହୁଚି ଯୁଦ୍ଧ ଲଗ୍‌ନା ଚାହିଁୟେ । ବଜାର୍‌ ଭାରି ଘାଟ୍‌ତି । ଯୁଦ୍ଧ ନେହିଁ ଲଗ୍‌ନେସେ କାରୋବାର ବିଲକୁଲ୍‍ ବାର୍‍ବାଦ୍ ହୋଇଯିବ । ହାମ୍ ବଞ୍ଚେଙ୍ଗେ କୈସେ । କଂଗ୍ରେସକୁ ଦଶ ହଜାର, ମଜ୍‍ଦୁର୍ କେ ଲିୟେ ବୋନସ୍, ନୟା ଘର ଏ ସବୁ କରି ବଞ୍ଚେଙ୍ଗେ କୈସେ ।

 

ନରହରି ତଳକୁ ମୁହଁ ପୋତି ମୁରୁକି ହସି କହିଲେ, କାହିଁକି ଅଗରା ମଞ୍ଜି, ପଥର ଗୁଣ୍ଡ ଏସବୁ କଣ କମି ଗଲାଣି ? ଆପଣମାନଙ୍କ ପାଇଁ ତ ସମସ୍ତଙ୍କର ସ୍ୱାସ୍ଥ୍ୟ ଗଲା, ଧନ ଗଲା, ମାନ ବି ଗଲା । ପଢ଼ି ନାହାନ୍ତି ଖବର କାଗଜରେ, ସେଦିନ ଭାରତର ଅର୍ଥମନ୍ତ୍ରୀ ଦେଶମୁଖ୍ କହୁଥିଲେ ଭାରତର ବ୍ୟବସାୟୀ ମାନଙ୍କର ଅସାଧୁତା ପାଇଁ ଭାରତ ବାହାରେ ଭାରତୀୟ ମାଲ୍‌ର ଚାହିଦା କମିଯାଉଚି । ପଞ୍ଚବାର୍ଷିକ ଯୋଜନା ସଫଳ ହୋଇ ପାରୁନାହିଁ ।

 

ଆରେ ବାବୁଜୀ, ଦୋଷ ହାମାରି ନାହିଁ । ସବ୍ ନେତାୟୋଁଙ୍କୁ ମୁଁ ପୈଚାହିଛି । ସବ୍ ଜୋୟାଚୋର, ଘୁସ ଖବୈୟା ଯହାଁ ଯାଓ,ପୈସା ଡାଲୋ କାମ୍ ଲୋ । ତୋ ଫିର୍ ହାମଭି ଛୋଡୁଁ କାହେ ।

 

ନରହରି ନିରୁତ୍ତର ରହିଲେ । ଦୀନକୃଷ୍ଣ କହିଲେ, ଲୋକଙ୍କୁ ଠକି ନଉଚନ୍ତି ସତ କିନ୍ତୁ ମାରଓ୍ୟାଡ଼ିମାନେ ତାହାର ସଦ୍‌ବ୍ୟବହାର ମଧ୍ୟ କରୁଛନ୍ତି । ଧର୍ମଶାଳା, ମନ୍ଦିର ତିଆରି କରିବା, ଦାନ ଖୈରାତ କରିବାରେ ସେମାନେ ଯଥେଷ୍ଟ ଖର୍ଚ୍ଚ କରୁଛନ୍ତି । ଦୟା, ଦାନ ଆଦି ଦେବତାସୁଲଭ ଗୁଣ କେବଳ ସେମାନଙ୍କ ପାଖରେ ତ ଆଜିକାଲି ଦେଖାଯାଏ ।

 

ନରହରିଙ୍କ ମୁହଁରେ ବିରକ୍ତି ଫୁଟି ଉଠିଲା । ସେ ଟିକିଏ ଉତ୍ତେଜିତ ଭାବରେ କହିଲେ, ଦେଖନ୍ତୁ, କେହି କେହି ମଣିଷ ଦେବତା ହେବାର ସୁବିଧା ପାଇଁ ଅଧିକାଂଶ ଦରିଦ୍ର ରହିବା ଉଚିତ ନା କେହି ଯେପରି ଦରିଦ୍ର ନ ରୁହନ୍ତି ତାହାର ବ୍ୟବସ୍ଥା ହେବା ଉଚିତ୍ ।

 

ଦୀନକୃଷ୍ଣ ମଧ୍ୟ ଉତ୍ତେଜିତ ହୋଇ ପାଟି କରି କହିଲେ, ଏହିସବୁ ମତ ପାଇଁ ତ ପାଶ୍ଚାତ୍ୟ ଦେଶରେ ଯେତେ‌ ବ୍ୟଭିଚାର ବ୍ୟାପୁଛି । ନାରୀ ହରଣ ସୁରାପାନ ଆଦି ବ୍ୟଭିଚାର....

 

ନରହରି ତାଙ୍କୁ ଶାନ୍ତ ରହିବାକୁ ଇଙ୍ଗିତ କରି କହିଲେ, ଦେଖନ୍ତୁ, ନାରୀହରଣ କୁହନ୍ତୁ, ସୁରାପାନ ଆଦି ଯାହା କୁହନ୍ତୁ ସେଗୁଡ଼ିକ ଏଇ ମଣିଷର ପ୍ରବୃତ୍ତି । ସେଗୁଡ଼ିକ କଲେ ସମାଜରେ ବିଶୃଙ୍ଖଳା ସୃଷ୍ଟି ହୁଏ ସ୍ଵୀକାର କରୁଚି । ସେଇ ବିଶୃଙ୍ଖଳା ବନ୍ଦ କରିବାପାଇଁ ମଣିଷ ନାନା ସାମାଜିକ ନିୟମ ସୃଷ୍ଟି କରିଚି । କିନ୍ତୁ ଗୋଳମାଳ ହୁଏ ସେତେବେଳେ ଯେତେବେଳେ ଏହି ସାମାଜିକ ନିୟମ ଗୁଡ଼ିକୁ ଆମ୍ଭେ ନୈସର୍ଗିକ ନିୟମ ବୋଲି ଆଖ୍ୟା ଦେଇ ମଣିଷ ମନରେ ଗୋଟିଏ ଆତଙ୍କ ସୃଷ୍ଟି କରିବା ପାଇଁ ନରକର ଭୟ, ଭଗବାନଙ୍କ ଅଭିଶାପ ଇତ୍ୟାଦି ପ୍ରଚାର କରୁ । ଏହି ଆତଙ୍କ ପାଇଁ ମଣିଷ ମନ ବିକୃତ ହୁଏ । ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ମଣିଷ ସେ ନିୟମକୁ ଫାଙ୍କି ଦେବାକୁ ଚେଷ୍ଟା କରେ । ଭଗବାନଙ୍କୁ ଘୁସ୍ ଦେବାକୁ ଚାହେଁ । ଦୟା, ଦାନ, ଗୋଟାଏ ପ୍ରକାରର ଘୁସ୍ । ପରିସ୍ଥିତି ଓ ଶାସନ ଏପରି ହେବା ଉଚିତ ଯେପରି ଦୟା, ଦାନ ଆଦି ଗୁଣର ଆବଶ୍ୟକତା ରହିବ ନାହିଁ । ସାମାଜିକ ନିୟମ ସହିତ ନୈସର୍ଗିକ ନିୟମର କୌଣସି ସମ୍ବନ୍ଧ ନାହିଁ ।

 

ଷ୍ଟେସନରେ ଗାଡ଼ି ପ୍ରବେଶ କଲା । ସମସ୍ତେ ନୀରବ ରହି ଷ୍ଟେସନ ଆଡ଼େ ଚାହିଁଲେ । ଷ୍ଟେସନରେ କେହି ଯାତ୍ରୀ ନାହାନ୍ତି କେବଳ ଦୁଇଜଣ ମହିଳାଙ୍କ ଛଡ଼ା । ସେମାନଙ୍କ ଭିତରୁ ଜଣେ ସୁନ୍ଦରୀ, ବୟସ ପ୍ରାୟ ପଇଁତିରିଶ । ଶାଢ଼ିଟି ଅପୂର୍ବ ଭଙ୍ଗିରେ ପିନ୍ଧିଚି ।

 

ତାଙ୍କୁ ଦେଖି ସମସ୍ତେ ମୁଗ୍‌ଧ ଭାବରେ ଚାହିଁ ରହିଲେ । କେବଳ ନରହରିବାବୁ ପୂର୍ବ ପରି ନିବିଷ୍ଟ ଭାବରେ ବହି ପଢ଼ି ଚାଲିଲେ । ଅନ୍ୟ ଜଣକର ବୟସ କେତେ କହିବା ଅସମ୍ଭବ, ପଚିଶିରୁ ପଚାଶ ଯେ କୌଣସି ବୟସ ହୋଇପାରେ । ସେ ପିନ୍ଧିଛି ଖଣ୍ଡେ ଅତି ମଇଳା ଲୁଗା, ତା ମଧ୍ୟ ଅନେକ ତାଳି । ମୁଣ୍ଡର ବାଳଗୁଡ଼ିକ ଫୁରୁଫୁରୁ ଉଡ଼ୁଛି । ଦୁଇଜଣଯାକ ଗାଡ଼ିରେ ଉଠିଲେ । ସୁନ୍ଦରୀ ମହିଳାଟି ଏମାନଙ୍କ ସାମନାରେ ବସିଲେ । ଅନ୍ୟ ଜଣକ ମଧ୍ୟ ତାଙ୍କରି ନିକଟରେ ବସିବାକୁ ଯାଉଥିଲା କିନ୍ତୁ ସେ ହାତ ଦେଖାଇ କହିଲେ, ଏଇ ଏଟା ଦେଢ଼ା ଡବା । ଅନ୍ୟ ଡବାକୁ ଯା । ସେ ଭୟରେ ଓହ୍ଲାଇ ଯାଉଥିଲା । କିନ୍ତୁ ଠିକ୍ ଏହି ସମୟରେ ଗାଡ଼ି ଛାଡ଼ିଦେବାରୁ ସେ ଦୁଆର ପାଖରେ ବସି ପଡ଼ିଲା ତାର ସାନ ପୁଟୁଳିଟି ରଖି ।

 

ଗାଡ଼ି ଚାଲିଲା । ଦୀନକୃଷ୍ଣ ମଧ୍ୟ ପୁଣି ତର୍କ ଚଳେଇବା ଇଚ୍ଛାରେ ଆରମ୍ଭ କଲେ, ଯାହା କୁହନ୍ତୁ, ଦର୍ଶନ ପଢ଼ି କିଛି ଲାଭ ନାହିଁ । ଦର୍ଶନ କେବଳ ଧୂଆଁ ବାଣ—

 

ନରହରି ହସି କହିଲେ, ଏବଂ ଧୂମାତ୍ ବହ୍ନି ! ଭଗବାନ, ଭଗବାନ ଯଦି ହେଉଛନ୍ତି ଏବଂ ତାଙ୍କର ଅସ୍ତିତ୍ୱରେ ଯଦି ସତେ ବିଶ୍ୱାସ ଅଛି ତେବେ ତାଙ୍କୁ କୁହନ୍ତୁ, ଯେପରି କବୀନ୍ଦ୍ର କହିଛନ୍ତି, ଆଗୁନେଇ ପରଶ ମନି ଛୋଆଁ ଓ ପ୍ରାନେ ।

 

—ରଖନ୍ତୁ ସେ ସବୁ ଅଳୀକ କଥା । ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି...କିନ୍ତୁ ଜବାହରଲାଲ ମିଛରେ ଶାନ୍ତି ପାଇଁ ବ୍ୟସ୍ତ ହେଉଛନ୍ତି । ଲାଗିଯାଉ ଯୁଦ୍ଧ । ଆମେରିକା ନାରଦ ଭଳି କଳି ଲଗାଇବା ପାଇଁ ଢେଙ୍କି ବାହନରେ ୟା ପାଖ ତା ପାଖ ହେଉଛନ୍ତି, ଦେଖାଯାଉ । ଏଇ ଫର୍ମୋଜା ନେଇ ନିଶ୍ଚୟ ବିଶ୍ୱଯୁଦ୍ଧ ଲାଗିଯିବ । ଦର୍ଶନ ଛାଡ଼ି ବର୍ତ୍ତମାନର ରାଜନୀତି ଚର୍ଚ୍ଚା କରନ୍ତୁ, ସବୁ ବିଷୟ ଟିକିଏ ଅନୁଧ୍ୟାନ କରନ୍ତୁ । ହିଟଲର୍ କଅଣ ମରିଚନ୍ତି ଆପଣ କହୁଛନ୍ତି ? କଦାପି ନୁହେଁ, ଆଉ ଗୋଟେ ଯୁଦ୍ଧ ଲାଗିଲେ ସେ ବାହାରିବେ ।

 

ସୁନ୍ଦରୀ ମହିଳାଟି କହିଲେ, କେଉଁ କଥା ପଡ଼ିଥିଲା କି ?

 

ଦୀନକୃଷ୍ଣ ବୋଧ ହୁଏ ତାଙ୍କ ସହିତ ଆଳାପ କରିବାକୁ ମନେ ମନେ ଉଦ୍‍ଗ୍ରୀବ ହୋଇଥିଲେ । ମହିଳାଙ୍କ ପ୍ରଶ୍ନରେ ତାହାର ସୁବିଧା ପାଇ ତାଙ୍କ ମୁହଁଟି ଆନନ୍ଦରେ ଉତ୍‌ଫୁଲ୍ଲ ହୋଇଉଠିଲା । ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ ସେ ପଚାରିଲେ, ଆପଣଙ୍କ... ଆପଣ...

 

—ମୋ ନା’ ଦୁର୍ଗା ଦେବୀ । ମୁଁ ଯାଇଥିଲି ପୁରୀ । ମହିଳା କଲ୍ୟାଣ ସମିତିର ଗୋଟାଏ ସଭା ଥିଲା । ପୁରୀରୁ କାଲି ଆସି ଏହି ଗାଁକୁ ଯାଇଥିଲି ଗୋଟିଏ ମହିଳା କଲ୍ୟାଣକେନ୍ଦ୍ର ଖୋଲିବାକୁ ।

 

ଦୀନକୃଷ୍ଣ ମୁଗ୍‌ଧ ଭାବରେ ତାଙ୍କୁ ଚାହିଁ କହିଲେ, ବାଃ ଆପଣ ମହିଳା କଲ୍ୟାଣ ସମିତିର... ?

 

—ସେକ୍ରେଟେରୀ ।

 

ବାଃ ! ଆପଣମାନେହିଁ ତ ପ୍ରକୃତ ଦେଶ ସେବା କରୁଛନ୍ତି । ପ୍ରକୃତ ଧର୍ମ କରୁଚନ୍ତି ।

 

—କିନ୍ତୁ କଲେ କଅଣ ହବ । ଚାରିଆଡ଼େ ତ ଠକେଇ । ମୁହଁରେ ବଡ଼ କଥା କିନ୍ତୁ ଅସଲ କାମ ବେଳକୁ ପଛଘୁଞ୍ଚା । କେତେ ବଡ଼ବଡ଼ିଆ ନେତାଙ୍କୁ ଦେଖିଚି, ସମସ୍ତଙ୍କୁ ପରଖି ନେଇଚି । ଆରେ, ଖାଲି ହାତରେ କିଛି ହେଲାଣି ! ଟଙ୍କା ଦିଅ ତେବେ ନା କିଛି କାମ ହେବ । କହିଲି, ଅନ୍ତତଃ ପାଞ୍ଚୋଟି ହଜାର ଦିଅନ୍ତୁ ପୁରୀରେ ଗୋଟିଏ ଶିଶୁ ଚିକିତ୍ସାକେନ୍ଦ୍ର ଖୋଲିବାକୁ । ମୁହଁରେ କହିଲେ, ହଁ ନିଶ୍ଚୟ । କିନ୍ତୁ ଫାଇଲ କାମ ତ ଚାଲିଚି ଆଜକୁ ବର୍ଷେ ହେବ । ଟଙ୍କା ନ ଦେଲେ କିଛି ହେବ, କହିଲେ ?

 

—ନା, ନା, ତା କେମିତି ହେବ ।

 

—କିନ୍ତୁ ଇୟାଡ଼େ ଦେଖନ୍ତୁ ନିଜ ବେଳକୁ, ବାସ୍, ଘଣ୍ଟାକରେ କାମ ହାସଲ । ସାଙ୍ଗେ ସାଙ୍ଗେ ଦରମା ବଢ଼ିଗଲା । ନିଜର ପୁଅ, ନାତି, ଭାଇ ପାଇଁ ସାଙ୍ଗେ ସାଙ୍ଗେ ଟଙ୍କା ଆସିଗଲା । ଯେତେ ସବୁ...ଗାଁରେ ଗୋଟିଏ ବାଳିକା ବିଦ୍ୟାଳୟ ଖୋଲିଚି । ଭଲ ଶିକ୍ଷୟିତ୍ରୀଟିଏ ମିଳୁନାହିଁ ଟଙ୍କା ନାହିଁ ବୋଲି । ନରିପୁର ଶାସନରେ ଗୋଟିଏ ମାତୃମଙ୍ଗଳ କେନ୍ଦ୍ର ଖୋଲିଚି, କିନ୍ତୁ ସେଠି ଗୋଟିଏ ଧାଈ ବି ରଖିପାରୁ ନାହିଁ, ଟଙ୍କା ନାହିଁ ବୋଲି । କେତେ ଆଡ଼େ କଅଣ କରିବ ମଣିଷ । ଏକା ମୁଁ ଧାଇଁ ଧାଇଁ...ଅଥଚ ପଦ୍ମଶ୍ରୀ ଉପାଧି ବେଳକୁ...ଛାଡ଼...ଛାଡ଼

 

ଦୀନକୃଷ୍ଣ ଏହା ଉପରେ କିଛି ମନ୍ତବ୍ୟ ନ କରି ପଚାରିଲେ, ଆପଣ...ଆପଣ କଅଣ...

 

—ହଁ ମୁଁ ବିବାହିତା । ମୋର ସ୍ୱାମୀ ଆମ ଗାଁରେ ଗୋଟିଏ ଡାକ୍ତରୀ ଦୋକାନ ଦେଇଛନ୍ତି ।

 

—କାହିଁକି ? କଟକରେ...

 

—ନା, ସେ ହୋମିଓପାଥି ଡାକ୍ତର ।

 

ଦୀନକୃଷ୍ଣ ହଠାତ୍ ପଚାରିଲେ, ଆଚ୍ଛା, ଆପଣଙ୍କର ଏହି ଛାଡ଼ପତ୍ର ଆଇନ ସମ୍ବନ୍ଧରେ ମତ କଅଣ ?

 

ଦୁର୍ଗା ଦେବୀ କହିଲେ, ଖୁବ୍ ଭଲ ହେବ । ମୋତେ ତ ଏ ବ୍ୟବସ୍ଥା ଭଲ ଲାଗେନାହିଁ । ମନ ମିଳିଲାତ ଏକାଠି ରହିଲୁ, ନ ମିଳିଲା ତ ଅନ୍ୟ ବ୍ୟବସ୍ଥା କଲୁ, ଏଥିରେ ଲଜ୍ଜାର କାରଣ କଅଣ ଅଛି । ଆତଙ୍କିତ ହେବାର କଅଣ ଅଛି ମୁଁ ବୁଝିପାରେନା !

 

ଦୀନକୃଷ୍ଣ ଉତ୍ସାହିତ ହୋଇ କହିଲେ, ନିଶ୍ଚୟ, ଏତ ଅତି ସରଳ କଥା । ଏ ବିଷୟରେ ଏତେ ଆଲୋଚନାର ବା ପ୍ରୟୋଜନ କଅଣ । ଆପଣତ ସବୁ ବିଷୟରେ ବେଶ୍ ଚିନ୍ତା କରିଛନ୍ତି ।

 

ନରହରି ବହିରୁ ମୁହଁ ଟେକି ତଳେ ବସିଥିବା ସ୍ତ୍ରୀ ଲୋକଟି ଆଡ଼େ ଚାହିଁ କହିଲେ, ମାଉସୀ ଏଇଠି ଆସି ବସ । ତଳେ କେତେ ବସିଥିବ ।

 

ସ୍ତ୍ରୀ ଲୋକଟି ଓଢ଼ଣା ଟାଣି ନୀରବ ରହିଲା ।

 

—ତୁମ ନା’ କଅଣ ।

 

—ଦୁରୁଗା ।

 

—କେଉଁଠିକି ଯାଉଚ ?

 

—ଯାଉଚି ଭାଇ ଘରକୁ ।

 

—କାହିଁକି ?

 

—କିଛି ଟଙ୍କା ଆଣିବି । ଗେରସ୍ତ ଆଜିକି ଛ’ ମାସ ହେବ ବାତ ବେମାରୀରେ ପଡ଼ିଚି । କାମ ଧନ୍ଦା ନାହିଁ । ଗୋଟିଏ ପୋଖରୀ ଜମିଦାରଙ୍କ ପାଖରୁ କିଛି ଟଙ୍କା ଦେଇ ଏ ବର୍ଷ ପାଇଁ ଧରିଚି-। ଯାଉଚି ଭାଇ ପାଖରୁ କିଛି ଟଙ୍କା ଆଣି ଦଳ କଢ଼ାଇ ମାଛ ଛାଡ଼ିବ । ପୁଅଟିକୁ ପାଠ ପଢ଼ଉଚି ଯେ ତାହା ଖର୍ଚ୍ଚ ଦେଇ ପାରୁନାହିଁ ।

 

ଏତକ କହି ମହିଳାଟି ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ବାହାରେ ଆକାଶକୁ ଚାହିଁ ରହିଲା ।

 

ନରହରି ଟିକିଏ ମୁରୁକି ହସି ଦୀନକୃଷ୍ଣଙ୍କୁ ଚାହିଁ କହିଲେ, ଦେଖନ୍ତୁ ଏ ଦୁଇଜଣ ଭଦ୍ରମହିଳାଙ୍କ ସମସ୍ୟା ଭିତରେ ପ୍ରଭେଦ କେତେ । କେଉଁ ସମସ୍ୟାଟି ମହାନ୍‌ କହିବେ ? ଆଚ୍ଛା, ତାର ଛାଡ଼ପତ୍ର ବିଷୟରେ ମତ କଅଣ ଜଣାଯାଉ । ସେମାନଙ୍କର ମତ ହିଁ ପ୍ରକୃତ ମତ । ଆମ ଭଳି ବିକୃତମନା ମଣିଷର ମତ ତ ବାସ୍ତବରେ ମତ ନୁହେଁ । ଆଚ୍ଛା, ମାଉସୀ ତୁମେ କିଛି ମନେକରିବ ନାହିଁ, ଏ ଗେରସ୍ତକୁ ଛାଡ଼ି ଅନ୍ୟ ବିବାହ କରୁ ନା ।

 

ମହିଳାଟି ଘୃଣା ଓ ବିରକ୍ତିରେ ମୁହଁ ବୁଲାଇ ଦେଇ କହିଲା, ବାବୁ, କଅଣ କହୁଚନ୍ତି !! ଛି-!

 

—କାହିଁକି ? ଛାଡ଼ପତ୍ର ଆଇନ ତ ସରକାର କରି ସାରିଲେଣି । ଆଉ ତ ବାଧା କିଛି ନାହିଁ ।

 

—ସେ ସବୁ ମୁଁ ଜାଣେନା କିଛି । ହାତ ଯାର ଥରେ ଧରିଚି, ଚିରଦିନକୁ ଧରିଚି । ସେ ଯାହା ହେଉ ।

 

—ଆଚ୍ଛା ଯଦି ତୁମ ଗେରସ୍ତ ତୁମକୁ ବାଡ଼ୋଉ ଥାଆନ୍ତା, ମଦ ପିଉ ଥାଆନ୍ତା, ଅନ୍ୟ ଗୋଟିଏ ସ୍ତ୍ରୀ ସହିତ ସମ୍ପର୍କ ରଖନ୍ତା ତେବେ ତୁମେ କଅଣ କରନ୍ତ ?

 

ସ୍ତ୍ରୀ ଲୋକଟି ଏଥର ଓଢ଼ଣା ଖୋଲିଦେଇ ଚାହିଁ ହସି କହିଲା, ବାବୁ, ମାଇକିନିଆର ବୁଦ୍ଧି ନ ଥିଲେ ମରଦମାନେ ଏମିତି ହୁଅନ୍ତି । ନ ହେଲେ ମରଦଙ୍କ ମୁରଦ କେତେ ସେ ମାଇକିନିଆଙ୍କୁ ବଳିଯିବେ । ବିଧାତା ପୁରୁଷଙ୍କୁ ବଣ ପକ୍ଷୀ କରି ସୃଷ୍ଟି କରିଛନ୍ତି । ଆମେ ତାଙ୍କୁ ପିଞ୍ଜରାରେ ପୋଷା ମନେଇ ରଖୁ । ଇୟେ ଯୋଉଁ ଛାଡ଼ପତ୍ରର ଆଇନ କଥା କହୁଚନ୍ତି ମୋ ମନେ ହେଉଚି ମରଦମାନେ ନିଜେ ଆମ କବଳରୁ ଖସିବାକୁ ସେ ଆଇନ କରୁଛନ୍ତି । ମାଇକିନିଆମାନେ ସେ ସଭାରେ ଥିଲେ କେବେହେଲେ ଏ ଆଇନ ହୁଅନ୍ତା ନାହିଁ ।

 

ନରହରି ସ୍ତ୍ରୀ ଲୋକଟିର କଥାରେ ଚମତ୍କୃତ ହୋଇ କହିଲେ ନା ମାଉସୀ, ସେ ସଭାରେ ଅନେକ ସ୍ତ୍ରୀ ଲୋକ ଅଛନ୍ତି । ସେମାନେ ଏ ଆଇନକୁ ଭଲ କହୁଚନ୍ତି । ସେମାନେ ମାଇକିନିଆଙ୍କ ସ୍ୱାଧୀନତା ଚାହାନ୍ତି ।

 

ସ୍ତ୍ରୀ ଲୋକଟି ବିରକ୍ତିର ମୁହଁଛାଟି କହିଲା ସେଗୁଡ଼ାକ ମାଇକିନିଆ ନୁହନ୍ତି ଅଣ୍ଡିରାଚଣ୍ଡୀ-। ସେମାନଙ୍କ ନିଜର ଶକ୍ତି ନାହିଁ । ଆମେ ତ ରାଣୀ । ମରଦମାନେ ତ ପରଜା । ଆମେ କଅଣ ସ୍ୱାଧୀନ ହେବା !

 

ଗାଡ଼ି ଆଉ ଗୋଟିଏ ଷ୍ଟେସନରେ ଛିଡ଼ା ହେଲା । ସ୍ତ୍ରୀ ଲୋକଟି ପୁଟୁଳିଟି ଧରି ଓହ୍ଲାଇ ଗଲା ।

ନରହରି କହିଲେ, ବୁଝିଲେ, ସମୂହ ମଙ୍ଗଳ ପାଇଁ ଗୋଟାଏ ଶାସନ ଦରକାର । ପ୍ରଜାମାନେ ନିଜର ମଙ୍ଗଳ ପାଇଁ ସେଇଥିପାଇଁ କଡ଼ା ଶାସନ ଚାହାନ୍ତି । ନାରୀ ହେଲା ପୁରୁଷର ଶାସକ, ଭାରି ଜବରଦସ୍ତ ଶାସକ । ପୁରୁଷର ଲାଳସା, କାମ ପ୍ରବୃତ୍ତି ସବୁ ଭାରି ଦୁର୍ଦ୍ଦମନୀୟ । କେବଳ ନାରୀ ସେଗୁଡ଼ିକୁ ଶାସନ କରିପାରେ ।

 

ଧ୍ୟେତ୍ ଛାଡ଼ନ୍ତୁ ସେ କଥା, ଦୀନକୃଷ୍ଣ ବାବୁ ଘୃଣା ସହକାରେ ଖବର କାଗଜଟି ଗୋଟାଇ ପଢ଼ିବାକୁ ଲାଗିଲେ ।

 

ଦୁର୍ଗାଦେବୀ ପଚାରିଲେ, ଖବର କଅଣ ?

 

—କିଛି ନାହିଁ ଆଜ୍ଞା । ସବୁ ମାନ୍ଦା ଧରି ଗଲାଣି । ଖାଲି ମେଣ୍ଟ ହେଉଚି । ଦକ୍ଷିଣ-ପୂର୍ବ ଏସିଆ ମେଣ୍ଟ । ତୁର୍କୀ-ଇରାକୀ ମେଣ୍ଟ । ମଧ୍ୟପ୍ରାଚ୍ୟ ମେଣ୍ଟ । ଏସିଆ-ଆଫ୍ରିକା ମେଣ୍ଟ, ଉତ୍ତର ଆତଲାନ୍ତିକ ମେଣ୍ଟ । ଖଣ୍ଡାର ବେଣ୍ଟ ନାହିଁ ଆଉ, ତେଣୁ ଖାଲି ମେଣ୍ଟ । ଇଡେନ, ଡୁଲେସ୍ ଖାଲି ଧାଁ ଧପଡ଼ କରୁଛନ୍ତି ପୃଥିବୀର ଏ ପାଖରୁ ସେ ପାଖ । ସାଇବିରିୟର ଭାଲୁ-ସାହିତ୍ୟ ପ୍ରସଙ୍ଗରେ ପଢ଼ିଚନ୍ତି ନା ? —ତାଙ୍କରି ଗାଡ଼ି ପଛରେ ବସି ଆନନ୍ଦରେ କୋଳି ଖାଉଚି । ସେ ଧାଁ ଧପଡ଼ କରୁନାହିଁ ।

 

ନରହରି ତନ୍ମୟ ହୋଇ ଟିକିଏ ପାଟିକରି ପଢ଼ିବାକୁ ଲାଗିଲେ ତାଙ୍କ ଦର୍ଶନ ବହିରୁ ।

 

—ମନୁଷ୍ୟ ନିଜେହିଁ ନିଜ ପାଖରେ ସବୁଠୁ ବେଶି ଦୁର୍ବୋଧ୍ୟ । ସେ ବିଶ୍ୱର ନିୟମ ଜାଣି ପାରୁନାହିଁ କାରଣ ସେ ନିଜେ ନିଜକୁ ହିଁ ଜାଣିପାରୁ ନାହିଁ । ଆଇନ୍ ଷ୍ଟାଇନ୍ କହିଚନ୍ତି, ଏହା ମହା ସୃଷ୍ଟି, ହିନ୍ଦୁମାନେ ଯାହାକୁ ପରମ ବ୍ରହ୍ମ କୁହନ୍ତି, ତାହାଙ୍କୁ ଜାଣିବାରେ ଯେଉଁ ଆନନ୍ଦ ଅଛି ତାହାହିଁ ବିଜ୍ଞାନର ବୀଜ । ବସ୍ତୁ ପ୍ରତିଦିନ ଶକ୍ତିରେ ପରିଣତ ହେଉଅଛି । ଦିନ ଆସିବ ଯେଉଁଦିନ ବସ୍ତୁ ଆଉ ବସ୍ତୁ ରହିବ ନାହିଁ । ଏ ମହା ସୃଷ୍ଟି କେବଳ ନିଜର ଶକ୍ତିରେ ପରିବ୍ୟାପ୍ତ ହୋଇଯିବ । ପୁଣି ସେଇ ଶକ୍ତିର ଅନ୍ତର୍ନିହିତ ଇଚ୍ଛାରେ ସେହି ଶକ୍ତିର ନାନା ପ୍ରକାର ସଂମିଶ୍ରଣରେ ବସ୍ତୁ ସୃଷ୍ଟି ହେବ, ପୁଣି ଜୀବ ସୃଷ୍ଟି ହେବେ....

 

ଗରମ ଆଳୁବମ୍, ପାନବିଡ଼ି ସିଗାରେଟ୍, ଗରମ ଚା...

 

ଆରେ, ଉଠନ୍ତୁ, ଉଠନ୍ତୁ, ଷ୍ଟେସନ ହୋଇଗଲା...

 

ନରହରି ଉଦ୍‌ଭ୍ରାନ୍ତ ଭଳି ଚାହିଁ ରହିଲେ...

 

ଦୁର୍ଗାଦେବୀ ଓ ଦୀନକୃଷ୍ଣ ଓହ୍ଲାଇବାକୁ ଲାଗିଲେ...

 

ଦୀନକୃଷ୍ଣ ଦୁର୍ଗାଦେବୀଙ୍କ ମାଲ ପତ୍ର ଧରି କହିଲେ, ନା, ନା, ଆପଣଙ୍କୁ କଷ୍ଟ କରିବାକୁ ଦେବି ନାହିଁ...

 

ଦୁର୍ଗାଦେବୀ ପଚାରିଲେ, ଆପଣ ପରା କଟକ ଯିବେ, ଟିକଟ କିଣିଛନ୍ତି ?

 

ନା, ଆଜି ଏଠି ଟିକିଏ କାମ ଅଛି । ଆପଣଙ୍କର ଅତିଥି ହେବି ।

Image

 

ପୁନର୍ମୁଷିକ

 

(O. Henryଙ୍କ “A Retrieved Reformation”ର ଅନୁବାଦ)

 

ଜିମ୍ମି କଇଦିଖାନାର ଜୋତା କାରଖାନାରେ ବସି ଜୋତା ସିଲାଇ କରୁଛି । ଗୋଟିଏ ଜଗୁଆଳୀ ତାକୁ କୟେଦିଖାନା କଚେରିକୁ ନେଇଗଲା । ସେଇଦିନ ସକାଳେ ଲାଟସାହେବ ତାକୁ କ୍ଷମା ଦେଇଥିବାର ଆଦେଶ ତାକୁ ଦିଆଗଲା । ଜିମ୍ମି ଅବସନ୍ନ ହୃଦୟରେ ତାହା ଗ୍ରହଣ କଲା । ଚାରିବର୍ଷର ଜେଲ୍ ମିଆଦରୁ ସେ ସେତେବେଳକୁ ଦଶ ମାସ ଭୋଗ କରି ସାରିଥାଏ ।

 

ଦେଖ ଭେଲେଣ୍ଟିନ୍, ଜେଲ୍‌ରକ୍ଷକ କହିଲେ (ଜିମ୍ମିର ପୂରାନାମ ଜିମ୍ମି ଭେଲେଣ୍ଟିନ୍), ତୁମେ କାଲି ସକାଳେ ମୁକ୍ତି ପାଇବ । ଏଥର ମୁକ୍ତିପାଇ ମଣିଷ ହବାକୁ ଚେଷ୍ଟା କର । ତୁମେ ହୃଦୟବାନ୍ ଲୋକ । ତେଣୁ ଆଉ ଲୁହାସିନ୍ଦୁକ ନ ଭାଙ୍ଗି ସାଧୁଭାବରେ ଜୀବନ ଯାପନ କର ।

 

ମୁଁ ! ଜିମ୍ମି ଆଶ୍ଚର୍ଯ୍ୟ ହୋଇ କହିଲା, ଆଜ୍ଞା, ମୋ ଜୀବନରେ ଗୋଟିଏ ବି ଲୁହାସିନ୍ଦୁକ ଭାଙ୍ଗି ନାହିଁ ।

 

ନା, ନା, ଜେଲରକ୍ଷକ ହସି କହିଲେ, କଦାପି ନୁହେଁ । ଆଚ୍ଛା, ତା ହେଲେ ସ୍ପ୍ରିଙ୍ଗ୍‌ଫିଲଡ଼ର ଘଟଣାରେ ତୁମେ କିପରି ସଂପୃକ୍ତ ହେଲ ? ବୋଧହୁଏ ତୁମ୍ଭମାନଙ୍କ ଅଭିଜାତ ସମାଜରୁ କାଳେ ଅନ୍ୟ କେହି ଜଣେ ସଂପୃକ୍ତ ହୋଇପଡ଼ିବେ, ସେଇ ଭୟରେ ତୁମେ ଘଟଣାବେଳେ ଅନ୍ୟ ସ୍ଥାନରେ ଥିଲେ ମଧ୍ୟ ତାହାର ପ୍ରମାଣ ଜାଣି ଶୁଣି ନ ଦେଇ ଦଣ୍ଡ ବରଣ କଲ ? କିମ୍ବା ବିଚାରକମାନଙ୍କ ମଧ୍ୟରୁ ଜଣକର ତୁମ ଉପରେ ରାଗ ଥିବାରୁ ତୁମେ ଦଣ୍ଡ ପାଇଲ ? ତୁମ୍ଭମାନଙ୍କ ଭଳି ନିର୍ଦ୍ଦୋଷମାନେ ତ ଏଇ ଦୁଇଟାରୁ ଗୋଟାଏ କାରଣ ବାଢ଼ନ୍ତି ।

ମୁଁ ! ଜିମ୍ମି ତଥାପି ସାଧୁଜନସୁଲଭ ନିର୍ଲିପ୍ତତା ଦେଖାଇ କହିଲା, ମୁଁ ମୋ ଜୀବନରେ ଆଜି ପର୍ଯ୍ୟନ୍ତ ସ୍ପ୍ରିଙ୍ଗ୍‌ଫିଲଡ଼ ଯାଇ ନାହିଁ ଆଜ୍ଞା !

କ୍ରୋନିନ୍ ଏକୁ ନେଇଯାଅ, ଜେଲରକ୍ଷକ ହସି ଆଦେଶ ଦେଲେ, କୟେଦି ପୋଷାକ କାଢ଼ିନେଇ ଭଲ ପୋଷାକ ଦିଅ । କାଲି ସକାଳ ସାତଟାରେ ଏହାକୁ ଖଲାସ କରିଦେବ । ଭେଲେଣ୍ଟିନ୍, ପୁଣି କହୁଛି ମୋ କଥାଟା ଖିଆଲ ରଖିବ ।

ପରଦିନ ସକାଳ ସାତଟାରେ ଜିମ୍ମି ଜେଲରକ୍ଷକଙ୍କ ପାଖରେ ହାଜର ହେଲା । ଏମାନେ ସରକାରଙ୍କ ବାଧ୍ୟତାମୂଳକ ଅତିଥି । ସରକାର ଏମାନଙ୍କୁ ବିଦାୟ ଦେଲାବେଳେ ବିଭିନ୍ନ ରକମର ଟାଙ୍କଟୁଙ୍କ ପୋଷାକ ଓ ଶବ୍ଦାୟମାନ ମଜବୁତ୍ ଦିଅନ୍ତି । ତାହାହିଁ ଜିମ୍ମିକୁ ଦିଆଗଲା ।

କିରାଣୀ ତାକୁ ରେଳ ଟିକଟ ଓ ପାଞ୍ଚୋଟି ଡଲାର ଦେଲେ । ଆଇନ ଆଶାକରେ ଯେ ସେଇଥିରେ ହିଁ ଇୟେ ଭବିଷ୍ୟତ୍‌ରେ ଭଦ୍ର ନାଗରିକ ହେବ ଓ ଉନ୍ନତ ଜୀବନଯାପନ କରିବ । ଜଗୁଆଳି ତାକୁ ଗୋଟିଏ ସିଗାର ମଧ୍ୟ ଦେଲା ଓ କରମର୍ଦ୍ଦନ କଲା । ବହିରେ ଲେଖାଗଲା, ଭେଲେଣ୍ଟିନ୍ ନଂ ୯୭୬୨—ଲାଟସାହେବ କ୍ଷମା ଦେବାରୁ ଖଲାସ । ଏବଂ ମିଷ୍ଟର ଜେମସ୍ ଭେଲେଣ୍ଟିନ୍ ଜେଲରୁ ମୁକ୍ତ ସୂର୍ଯ୍ୟାଲୋକକୁ ପ୍ରବେଶ କଲା ।

ପକ୍ଷୀମାନଙ୍କର ଗାନ, ସବୁଜ ବନାନୀର ଧୀର ସଞ୍ଚାଳନ ଓ ପୁଷ୍ପମାନଙ୍କର ସୁଗନ୍ଧ ଉପେକ୍ଷାକରି ଜିମ୍ମି ସିଧାସଳଖ ପଶିଲା ଗୋଟିଏ ହୋଟେଲ ଭିତରେ । ସେଠି କୁକୁଡ଼ା ମାଂସ, ବୋତଲ ମଦ ଓ ଖାଇବାପରେ ଗୋଟିଏ ସିଗାର ଟାଣି ଜିମ୍ମି ସ୍ଵାଧୀନତାର ଆନନ୍ଦ ଉପଲବ୍‌ଧି କଲା । ତାପରେ ସେଠାରୁ ସେ ଅଳସ ଭାବରେ ଚାଲିଲା ଷ୍ଟେସନଆଡ଼େ । ଦୁଆର ପାଖରେ ବସିଥିବା ଅନ୍ଧର ଟୋପି ଭିତରକୁ ଗୋଟିଏ ସୁଉକି ଫିଙ୍ଗିଦେଇ ସେ ରେଲଗାଡ଼ିରେ ବସିଲା । ତିନିଘଣ୍ଟା ପରେ ସେ ଗୋଟିଏ ସହରରେ ଓହ୍ଲାଇ ପଡ଼ିଲା । ତା ପରେ ସେ ମାଇକ୍‌ଡ଼ୋଲାନର କାଫେକୁ ଯାଇ ତା ସହିତ କରମର୍ଦ୍ଦନ କଲା ।

ଆମେ ଅତ୍ୟନ୍ତ ଦୁଃଖୀତ ଯେ ତୋର ମୁକ୍ତି ଆମେ ଆଗରୁ କରାଇ ପାରିଲୁ ନାହିଁ, ମାଇକ କହିଲା, କିନ୍ତୁ ଆମେ କଅଣ କରିବୁ ? ସ୍ପ୍ରିଙ୍ଗ୍‌ଫିଲଡ଼ର ଲୋକେ ଆପତ୍ତି କଲେ । ଆଉ ଲାଟସାହେବ ତ ତାଙ୍କ କଥା ମାନି ନେଇଥିଲେ ! ଛାଡ଼ ବର୍ତ୍ତମାନ ବେଶ୍ ଲାଗୁଛି ତ ?

ଚମତ୍‌କାର ! ମୋ ଚାବି କାହିଁ ? ଜିମ୍ମି ପଚାରିଲା ।

ଚାବିନେଇ ଜିମ୍ମି ଉପର ମହଲାକୁ ଯାଇ ତାର ନିଜ କୋଠରି ଖୋଲିଲା । ସବୁ ଠିକ୍ ସେମିତି ଅଛି ଘର ଭିତରେ । ବିଖ୍ୟାତ ଗୁଇନ୍ଦା ବେନ୍ ପ୍ରାଇସ୍ ଜିମ୍ମିକୁ ଜବତ କଲାବେଳେ ଜିମ୍ମି ତାହାର କମିଜର ବେକପଟି ଛିଣ୍ଡାଇ ଆଣିଥିଲା, ସେଟି ମଧ୍ୟ ଘର ଚଟାଣରେ ପଡ଼ିଛି ସେମିତି ।

କାନ୍ଥରେ ଲାଗିଥିବା ଗୋଟିଏ ଫୋଲଡ଼ିଂ ଖଟ ଟାଣି ଆଣି କାନ୍ଥ ଭିତରୁ ଜିମ୍ମି ଗୋଟିଏ ଧୂଳି ଧୂସରିତ ସୁଟ୍‌କେସ୍ ବାହାରକଲା । ସୁଟ୍‌କେସ୍‌ଟି ଖୋଲି ଜିମ୍ମି ଅତି ଆଦରରେ ଅନାଇ ରହିଲା-। ତାହା ଭିତରେ ଅଛି ସବୁ ପ୍ରକାର ସିନ୍ଦୁକ ଭାଙ୍ଗିବାର ଅତି ଆଧୁନିକ ଯନ୍ତ୍ରପାତି । ଖାଣ୍ଟି ଇସ୍ପାତରେ ତିଆରି ଭଅଁର, ବଟାଳି ଇତ୍ୟାଦି ଏବଂ ଜିମ୍ମି ନିଜେ ଆବିଷ୍କାର କରିଥିବା କେତୋଟି ନୂଆ ଯନ୍ତ୍ର ମଧ୍ୟ-। ସେ ନୂଆ ଯନ୍ତ୍ରଗୁଡ଼ିକ ଆବିଷ୍କାର କରି ଜିମ୍ମି ନିଜକୁ ସମ୍ମାନିତ ମନେ କରେ । ସେ ସବୁ ଅମୁକ ସହରରେ ତିଆରି କରାଇବାକୁ ଜିମ୍ମିକୁ ଖରଚ ପଡ଼ିଥିଲା ନଅ ଶହ ଡଲାର ।

ଅଧଘଣ୍ଟା ଭିତରେ ଜିମ୍ମି ପୁଣି ତଳକୁ ଓହ୍ଲାଇ କାଫେବାଟ ଦେଇ ଗଲା । ପିନ୍ଧିଥାଏ ସେ ଚମତ୍କାର ଆଧୁନିକ ପୋଷାକ ଏବଂ ହାତରେ ଥାଏ ସେଇ ସୁଟ୍‌କେସ୍ । ତାକୁ ସେ ଯତ୍ନର ସହିତ ପରିଷ୍କାର କରିସାରିଥାଏ ।

କଅଣ କେଉଁଠି ସନ୍ଧାନ ପାଇଛ କି ? ମାଇକ୍ ଆନନ୍ଦରେ ପଚାରିଲା ।

ମୁଁ ! ଆଶ୍ଚର୍ଯ୍ୟ ଭାବରେ ଜିମ୍ମି ପଚାରିଲା, ତୁମ କଥା ମୁଁ ବୁଝି ପାରୁନାହିଁ ! ମୁଁ ତ ନ୍ୟୁୟର୍କ ଏମାଲଗାମେଟେଡ଼ ସର୍ଟ ସ୍ନାଇପ୍ ବିସ୍କୁଟ କ୍ରାକର ଓ ଫ୍ରାଜେଲ୍‌ଟ୍ ହୁଇଟ୍ କମ୍ପାନିର ପ୍ରତିନିଧି !

ଜିମ୍ମିର ଏ ପରିଚୟ ବର୍ଣ୍ଣନା ମାଇକ୍‍କୁ ଏତେ ଆନନ୍ଦ ଦେଲା ଯେ ଜିମ୍ମିକୁ ତତ୍‌କ୍ଷଣାତ୍‌ ଗୋଟିଏ ଗିଲାସ ନରମ ମଦ ପାନ କରିବାକୁ ପଡ଼ିଲା । ଜିମ୍ମି କେବେହେଁ କଡ଼ା ମଦ ଖାଏ ନାହିଁ ।

 

ଭେଲେଣ୍ଟିନ୍‌ ୯୭୬୨ ଖଲାସ ହେବାର ଏକ ସପ୍ତାହ ପରେ ରିଚ୍‌‌ମଣ୍ଡରେ ଗୋଟିଏ ଅତି ଚମତ୍କାର ସିନ୍ଧି କଟା ହେଲା ଏବଂ କିଏ କରିଛି ତାହାର କୌଣସି ପତ୍ତା ମିଳିଲା ନାହିଁ । ସାମାନ୍ୟ ଆଠଶହ ଡଲାର ହରଣଚାଳ ହୋଇଥିଲା । ଦୁଇ ସପ୍ତାହ ପରେ, ଛେନା କାଟିବା ଭଳି ଅତି ଅନାୟାସରେ କଟା ହେଲା ଗୋଟିଏ ସିନ୍ଧି ନିରୋଧକ ଆଧୁନିକ ଲୁହାସିନ୍ଦୁକ ଏବଂ ସେଥିରୁ ଗଲା ପନ୍ଦର ଶହ ଡଲାରର ନୋଟ ବିଡ଼ା, ମୁଦ୍ରା ଓ ସରକାରୀ କାଗଜ ହାତମରା ନ ହୋଇ । ଏହାପରେ ବଦମାସ-ବୈରିମାନଙ୍କ ଆସନ ଟିକିଏ ଟଳିଲା । ତା ପରେ ଜେଫେରେସନ୍‌ ନଗରର ଗୋଟିଏ ବେଙ୍କର ପୁରୁଣାକାଳିଆ ଗନ୍ତାଘର ହଠାତ୍‌ ସକ୍ରିୟ ହୋଇ ଉଠି ତାର ମୁଖବାଟେ ଉଦ୍‌ଗାରିଲା ପାଞ୍ଚହଜାର ଡଲାରର ନୋଟ ବିଡ଼ାସବୁ । ଏତେଗୁଡ଼ିଏ ଟଙ୍କା ଗଲା ପରେ ହୃଦୟଙ୍ଗମ ହେଲା ଯେ ବର୍ତ୍ତମାନ ବେନ୍ ପ୍ରାଇସକୁ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ପଡ଼ିବ । ପ୍ରତ୍ୟେକ ଚୋରୀରେ ଗୋଟିଏ ମାତ୍ର ଉପାୟ ପ୍ରୟୋଗ କରାହୋଇଛି । ବେନ୍‌ ପ୍ରାଇସ୍‍ ଉକ୍ତ ସ୍ଥାନଗୁଡ଼ିକ ତଦନ୍ତ କରି କହିବାର ଶୁଣାଗଲା, ସବୁଥିରେ ସେଇ ମହାଶୟ ଜିମ୍ମି ଭେଲେଣ୍ଟିନ୍‌ର ହାତ ଅଛି । ପୁଣି ସେ ତାର କାରବାର ଆରମ୍ଭ କରିଦେଇଛି । ପ୍ରତ୍ୟେକ କ୍ଷେତ୍ରରେ ମୂଳା ଓପାଡ଼ିଲା ଭଳି ଯେମିତି ଅନାୟାସରେ ଲୁହାଗଣ୍ଠି ସବୁ ଓପଡ଼ା ହୋଇଛି, ସେଥିରୁ ଏହା ସ୍ପଷ୍ଟ ପ୍ରମାଣ ହୁଏ । ଏମିତି ଭାବରେ ଓପାଡ଼ିବା ପାଇଁ ତାହାଛଡ଼ା ଆଉ କାହାରି ପାଖରେ ଯନ୍ତ୍ର ନାହିଁ । ପୁଣି ଦେଖ, କେମିତି ନିଖୁଣ ଭାବରେ ସିନ୍ଦୁକର ଦରଜା ସବୁ ଟଣା ହୋଇଛି । ଜିମ୍ମିକୁ ମାତ୍ର ଥରେ ଭଅଁର ବ୍ୟବହାର କରିବାକୁ ପଡ଼େ । ଅଯଥା ପରିଶ୍ରମ ସେ କରେ ନାହିଁ । ମୋର ଆଉ ସନ୍ଦେହ ନାହିଁ ଯେ ଏସବୁର କର୍ତ୍ତା ଜିମ୍ମି ଭେଲେଣ୍ଟିନ୍‌ । ଧରାପଡ଼ିଲେ ଆଉ ତାକୁ କ୍ଷମାଦେବାର ବୋକାମି କଥା ଉଠିବ ନାହିଁ ।

 

ଜିମ୍ମିର ଚାଲିଚଳଣ ବେନ୍ ପ୍ରାଇସକୁ ଜଣା । ସ୍ପ୍ରଙ୍ଗ୍‌ଫିଲ୍‌ଡ଼ରେ ଅନୁସନ୍ଧାନ କରୁଥିବାବେଳେ ସେ ତାହା ଭଲକରି ଜାଣି ପାରିଥିଲା । ଲମ୍ବାଡ଼ିଆଁ, ଶୀଘ୍ର ପ୍ରସ୍ଥାନ, ସହକାରୀନାସ୍ତି ଏବଂ ଅଭିଜାତ ବ୍ୟକ୍ତିଙ୍କ ସହିତ ବନ୍ଧତ୍ୱ—ଏ ସବୁ ଯୋଗୁଁ ଜିମ୍ମିକୁ ଆଇନ ସ୍ପର୍ଶ କରିପାରେ ନାହିଁ । ଶୀଘ୍ର ପ୍ରଚାର ହୋଇଗଲା ଯେ ବେନ୍‌ ପ୍ରାଇସ୍‍ ବର୍ତ୍ତମାନ ତଦନ୍ତ ହାତକୁ ନେଲେଣି । ଯେଉଁମାନଙ୍କର ସିନ୍ଧିନିରୋଧକ ସିନ୍ଦୁକ ଅଛି ସେମାନେ ଟିକିଏ ଶ୍ଵସ୍ତି ଅନୁଭବ କଲେ ।

 

ଦିନେ ସନ୍ଧ୍ୟାରେ ଜିମ୍ମି ଭେଲେଣ୍ଟିନ୍‌ ଓ ତାହାର ସୁଟ୍‌କେସ୍‌ ଏଲ୍‌ମୋରରେ ରେଳଗାଡ଼ିରୁ ଓହ୍ଲାଇଲେ । ଏଲ୍‌ମୋର ହେଉଛି ଆରକ୍ନ୍‌ସାସ୍‌ର ଗୋଟିଏ କ୍ଷୁଦ୍ର ସହର, ଷ୍ଟେସନଠାରୁ ପାଞ୍ଚ ମାଇଲ ଦୂରରେ । ଜିମ୍ମିକୁ ମନେ ହେଉଥିଲା କଲେଜ ଛୁଟିରେ ଘରକୁ ଫେରୁଥିବା ଗୋଟିଏ ଛାତ୍ର । ଜିମ୍ମି ହୋଟେଲକୁ ଯିବା ରାସ୍ତାରେ ଚାଲିଲା ।

 

ଠିକ୍‌ ସେତିକିବେଳେ ଗୋଟିଏ ଯୁବତୀ ରାସ୍ତା ଏ ପାଖରୁ ସେ ପାଖକୁ ଯାଇ ଗୋଟିଏ ଘରେ ପ୍ରବେଶ କଲେ । ସେ ଘରେ ଲେଖା ହୋଇଚି, ଏଲମୋର ବ୍ୟାଙ୍କ । ଜିମ୍ମି ଭେଲେଣ୍ଟିନ୍‌ ଯୁବତୀର ଆଖିକୁ ଚାହିଁଲା, ନିଜକୁ ସେ ଭୁଲିଗଲା ଏବଂ ସେଇ ମୁହୂର୍ତ୍ତରେ ତାର ନବଜନ୍ମ ହେଲା । ଯୁବତୀଟି ଆଖି ତଳକୁ କରି ଲଜ୍ଜାରେ ଆରକ୍ତିମ ହୋଇଗଲା । ଜିମ୍ମି ଭଳି ସୁନ୍ଦର ଓ ସୁରୂଚିସମ୍ପନ୍ନ ଯୁବକ ଏଲ୍‌ମୋରରେ ଦେଖା ନ ଥିଲା ପୂର୍ବେ ।

 

ଗୋଟାଏ ବାଳୁଙ୍ଗା ଛୁଆ ସେତେବେଳେ ସେହି ବ୍ୟାଙ୍କର ଜଣେ ଚାଳକ ଭଙ୍ଗୀରେ ବ୍ୟାଙ୍କ ପାହାଚରେ ଛିଡ଼ା ହୋଇଥାଏ । ଜିମ୍ମି ତାହାର କାମିଜ ଧରି ଟାଣି ଆଣି ସହର ବିଷୟରେ ନାନା ପ୍ରଶ୍ନ ପଚାରିଲା ଏବଂ ମଝିରେ ମଝିରେ ଲେବେଞ୍ଚୁସ୍ ଦେବାକୁ ଲାଗିଲା । କିଛି ସମୟ ପରେ ଯୁବତୀଟି ବ୍ୟାଙ୍କରୁ ବାହାରି ଜିମ୍ମି ଓ ତାହାର ସୁଟ୍‍କେସ୍‌‍କୁ ଲକ୍ଷ୍ୟ ନ କରିବା ଭାବ ଦେଖାଇ ଚାଲିଗଲା ।

 

ସେ ଝିଅଟିର ନା ଶ୍ରୀମତୀ ପଲି ସିମସନ୍ ନୁହେଁ କି ? ଜିମ୍ମି ପଚାରିଲା ।

 

ନାଃ, ସେ ହେଉଛି ଆନାବେଲ୍‌ ଆଡାମ୍‌‍ସ୍‌ । ତା ବାପ ଏଇ ବ୍ୟାଙ୍କର ମାଲିକ । ତୁମର ଏ ଘଡ଼ି ଚେନ୍‌ କଅଣ ସୁନାର ? ମୁଁ ଗୋଟିଏ ଡାହାଳ କୁକୁର କିଣିବି । ଆଉ ଲେବେଞ୍ଚୁସ୍‌ ଅଛି ? ବାଳୁଙ୍ଗାଟା କହି ଚାଲିଲା ।

 

ଜିମ୍ମି ଗଲା ହୋଟେଲକୁ ଏବଂ ସେଠାରେ ଗାଲଫ ଡ଼ି. ସ୍ପେନ୍‌‍ସର ବୋଲି ନିଜର ପରିଚୟ ଦେଇ ଗୋଟିଏ କୋଠରୀ ଭଡ଼ା ନେଲା ଓ ନିଜର ଉଦ୍ଦେଶ୍ୟ ବ୍ୟକ୍ତ କଲା, ମୁଁ ଆସିଛି ଏଠି କିଛି ବ୍ୟବସାୟ ଉଦ୍ଦେଶ୍ୟରେ । ଏଠି ଜୋତା କାରବାର କଲେ କେମିତି ହେବ ? ସେଥିପାଇଁ ସୁଯୋଗ ସୁବିଧା ଅଛି ?

 

ହୋଟେଲ କର୍ମଚାରୀଟି ଜିମ୍ମିର ଭାବଭଙ୍ଗୀରେ ମୁଗ୍‍ଧ ହୋଇଗଲା । ଏଲ୍‌‍ମୋରର ଅଳ୍ପ କେତେକ ସୁରୁଚିସଂପନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ସେ ଜଣେ ବୋଲି ଗଣାହୁଏ । କିନ୍ତୁ ଜିମ୍ମିକୁ ଦେଖି ସେ ନିଜକୁ ସେଥିପାଇଁ ଅଯୋଗ୍ୟ ମନେ କଲା । ଜିମ୍ମିର ବେଶଭୂଷା ପିନ୍ଧିବାର ଓ କଥା କହିବାର ଭଙ୍ଗୀ ଭଲ ଭାବରେ ଲକ୍ଷ୍ୟ କରୁ କରୁ ସେ ଜିମ୍ମିକୁ ସବୁ ଖବର ଦେଲା ।

 

ଖାଲି ଜୋତା ଦୋକାନ ଏ ସହରରେ ନାହିଁ । ମନୋହାରୀ ଦୋକାନୀମାନେ ଜୋତା ବିକ୍ରି କରୁଛନ୍ତି । ଯୋତା ଦୋକାନଟିଏ ଖୋଲିଲେ କାରବାର ଭଲ ହେବାର କଥା । ମିଃ. ସ୍ପେନ୍‌‍ସର ତେଣୁ ଏଲ୍‍‍ମୋର୍‍‍ରେ ଜୋତା ଦୋକାନ ଖୋଲିବାର ମନସ୍ଥ କଲେ । ସେପରି ମନସ୍ଥ କରିବାର ଅନ୍ୟ କାରଣ ହେଉଛି, ସହରଟି ସୁନ୍ଦର ଏବଂ ଏହାର ଲୋକମାନେ ସଦାଳାପୀ ।

 

ମିଃ. ସ୍ପେନସର୍ ପ୍ରଥମ କିଛିଦିନ ଅବସ୍ଥା ପର୍ଯ୍ୟବେକ୍ଷଣ କରିବାରେ ଅତିବାହିତ କରିବାକୁ ଇଚ୍ଛା କଲେ । ତାଙ୍କର ସୁଟ୍‍‍କେସ୍‌‍ଟି ତାଙ୍କ କୋଠରିକି ନେଇଯିବା ପାଇଁ ହୋଟେଲ କର୍ମଚାରୀ ଗୋଟିଏ ପିଲାକୁ ଡାକୁଥିଲେ । ମିଃ. ସ୍ପେନ୍‌‍ସର ମନା କରି କହିଲେ, ନା, ନା, ମୁଁ ନିଜେ ନେଇଯିବି । ସୁଟ୍‍‍କେସ୍‌‍ଟି ଟିକିଏ ଭାରୀ ।

 

ବାରମ୍ଵାର ପ୍ରେମାଗ୍ନି ଦ୍ୱାରା ଆକ୍ରାନ୍ତ ଜିମ୍ମି ଭେଲେଣ୍ଟିନ୍‌‍ର ଭସ୍ମରୁ ଜାତ ମି. ସ୍ପେନ୍‌‍ସର ଏଲ୍‍‍ମୋରରେ ରହି ଅବିଳମ୍ୱେ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବାକୁ ଲାଗିଲେ ।

 

ସାମାଜିକ କ୍ଷେତ୍ରରେ ମଧ୍ୟ ତାଙ୍କର ଉନ୍ନତି ହେଲା । ଅନେକ ତାଙ୍କର ବନ୍ଧୁ ହେଲେ । ତାଙ୍କର ଅନ୍ତରର ଅଭିଳାଷ ମଧ୍ୟ ପୂର୍ଣ୍ଣ ହେଲା । ସେ ମିସ୍ ଆଡ଼ାମ୍‍ସଙ୍କ ସହିତ ପରିଚିତ ହେଲେ ଏବଂ ତାଙ୍କ ପ୍ରତି ପ୍ରେମ ଘନୀଭୂତ ହେବାକୁ ଲାଗିଲା ।

 

ବର୍ଷକ ପରେ । ମିଃ. ସ୍ପେନ୍‌‍ସର ସଜ୍ଜନ ସମାଜରେ ଗଣ୍ୟ ହେଲେଣି । ତାଙ୍କର ଜୋତା ବ୍ୟବସାୟ ଦ୍ଵାରା ବହୁତ ଅର୍ଥ ଉପାର୍ଜନ କଲେଣି । ଆଉ ଦୁଇ ସପ୍ତାହ ମଧ୍ୟରେ ମିସ୍ ଆଡ଼ାମ୍‍ସଙ୍କ ସହିତ ତାଙ୍କର ବିବାହ ନିର୍ବନ୍ଧ ହୋଇଯାଇଛି । ଶ୍ରୀମତୀ ଆଡ଼ାମ୍‍ସଙ୍କ ପିତା ନିଜେ ଜଣେ ପରିଶ୍ରମୀ ବ୍ୟବସାୟୀ । ସେ ମଧ୍ୟ ଏ ବିବାହରେ ସ୍ଵୀକୃତି ଦେଲେ । ଆନାବେଲ୍‌ ମିଃ. ସ୍ପେନ୍‌‍ସରଙ୍କୁ ସ୍ୱାମୀ ରୂପେ ପାଇ ନିଜକୁ ସୌଭାଗ୍ୟବତୀ ମନେ କଲେ । ମିଃ. ଆଡ଼ାମ୍‍ସ୍‌‍ଙ୍କ ପରିବାରରେ ଓ ଆନାବେଲଙ୍କ ବଡ଼ ଭଉଣୀଙ୍କ ପରିବାରରେ ଜିମ୍ମି ବି ଜଣେ ଲୋକ ପରି ଗଣାହେଲେ । ଦିନେ ଜିମ୍ମି ତାର ପୁରାତନ ବନ୍ଧୁ ଲୁଇସ୍‍କୁ ନିମ୍ନ ରୂପ ପତ୍ରଟିଏ ଲେଖି ଡାକଘରେ ପକାଇ ଦେଲା ।

 

ପ୍ରିୟ ପୁରାତନ ବନ୍ଧୁ,

 

ଆସନ୍ତା ବୁଧବାର ରକ୍ ସହରରେ ସୁଲିଭାନ୍‌‍ର ଘରକୁ ରାତି ୯ଟାବେଳେ ଆସିବାକୁ ତୁମକୁ ଅନୁରୋଧ କରୁଛି । ମୋର ଗୋଟିଏ ସାମାନ୍ୟ କାର୍ଯ୍ୟରେ ତୁମେ ସାହାଯ୍ୟ କରିବ ମୋର ଆଶା । ଆଉ ତୁମକୁ ମଧ୍ୟ ମୋର ଯନ୍ତ୍ରପାତିଗୁଡ଼ିକ ଉପହାର ଦେବି । ମୁଁ ନିଶ୍ଚୟ ଜାଣେ ସେ ସବୁ ପାଇଲେ ତୁମେ ଅତ୍ୟନ୍ତ ଆନନ୍ଦିତ ହେବ । ଏକ ହଜାର ଖରଚ କରି ମଧ୍ୟ ତୁମେ ଏପରି ଯନ୍ତ୍ରପାତି ତିଆରି କରିବାକୁ ସକ୍ଷମ ହୋଇନ । ବନ୍ଧୁ, ବର୍ଷେ ହେବ ମୁଁ ମୋର ପୁରୁଣା କାରବାର ଛାଡ଼ି ଦେଇଛି । ଏଠି ଗୋଟିଏ ସୁନ୍ଦର ଜୋତା ଦୋକାନ କରିଛି । ସାଧୁ ଭାବରେ ଜୀବନଯାପନ କରୁଛି-। ଶୁଣି ସୁଖୀ ହେବ, ପୃଥିବୀର ସବୁଠାରୁ ଶ୍ରେଷ୍ଠ ସୁନ୍ଦରୀ ଓ ସର୍ବଗୁଣାଳଂକୃତା ନାରୀଙ୍କୁ ମୁଁ ଦୁଇ ସପ୍ତାହ ମଧ୍ୟରେ ବିବାହ କରିବାକୁ ଯାଉଛି । ମୁଁ ବର୍ତ୍ତମାନ ହୃଦୟଙ୍ଗମ କରିଛି, ଏହାହିଁ ଜୀବନରେ ଏକମାତ୍ର ଆନନ୍ଦ । ବର୍ତ୍ତମାନ ମୋତେ କେହି ହଜାରେ ଦେଲେ ବି ଅନ୍ୟର କାଣି କଉଡ଼ିଟିଏ ଛୁଇଁବି ନାହିଁ । ବିବାହ ପରେ ମୁଁ ପଶ୍ଚିମକୁ ଚାଲିଯିବି । ସେଠି ଆଉ ମୋର ପୁରୁଣା କାର୍ଯ୍ୟକଳାପ ପ୍ରକାଶ ପାଇବାର ଆଶଙ୍କା ରହିବ ନାହିଁ । ବନ୍ଧୁ, ଯାହାକୁ ମୁଁ ବିବାହ କରିବାକୁ ଯାଉଛି ସେ ତ ମାନବୀ ନୁହେଁ, ଦେବୀ । ସେ ମୋତେ ବିଶ୍ୱାସ କରେ । ତାର ସେ ବିଶ୍ଵାସ ଭଙ୍ଗ କରି ମୁଁ ଆଉ ଖରାପ କାମ କରିବି ନାହିଁ । ସମଗ୍ର ପୃଥିବୀର ରାଜା କଲେ ବି ନୁହେଁ । ସୁଲିଭାନ୍‌‍ର ଘରକୁ ନିଶ୍ଚୟ ଆସିବ । ମୁଁ ମୋର ଯନ୍ତ୍ରପାତି ସହ ସେଠାରେ ଥିବି ।

 

ତୁମର ପୁରାତନ ବନ୍ଧୁ

ଜିମ୍ମି

 

ଯେଉଁଦିନ ଜିମ୍ମି ସେ ଚିଠିଟି ଡାକରେ ପକାଇଲା ସେଇ ରାତ୍ରିରେ ବେନ୍‌ ପ୍ରାଇମ୍ ଏଲ୍‍‍ମୋରରେ ଉପସ୍ଥିତ ହେଲେ । ତାପରେ ସେ ଅତି ସତର୍କତା ସହିତ ଏଲ୍‍‍ମୋରରେ ଏଠି ସେଠି ବୁଲି ସୂତ୍ର ଖୋଜିବାକୁ ଲାଗିଲେ । ମିଃ. ସ୍ପେନ୍‌‍ସରଙ୍କ ଜୋତା ଦୋକାନ ସାମନାରେ ଥିବା ଔଷଧ ଦୋକାନରୁ ସେ ମିଃ ସ୍ପେନସର୍‍ଙ୍କୁ ନିରୀକ୍ଷଣ କରିବାକୁ ଲାଗିଲେ ଏବଂ ସ୍ୱଗତୋକ୍ତି କଲେ, ଜିମ୍ମି, ତୁମେ ବ୍ୟାଙ୍କ ମାଲିକ କନ୍ୟାକୁ ବିବାହ କରିବାକୁ ଯାଉଛ, ନା ? ଦେବା ନ ଜାନନ୍ତି କୁତଃ ମନୁଷ୍ୟ !

 

ପରଦିନ ସକାଳେ ଜିମ୍ମି ଆଡମ୍‍ସ ପରିବାର ସହିତ ଜଳଖିଆ ଖାଇଲା । ସେଇଦିନ ରକ୍ ସହରକୁ ଯାଇ ବିବାହ ପାଇଁ ପୋଷାକ ଓ ଆନାବେଲ୍‌ ପାଇଁ ଉପହାର କିଣିବା କଥା । ଏଲ୍‌‍ମୋରକୁ ଆସିବା ପରେ ସେ ପ୍ରଥମ ଥର ପାଇଁ ସେ ସହର ଛାଡ଼ି ବାହାରକୁ ଯାଉଛି । ବର୍ଷେହେବ ସେ ତାର ପୁରୁଣା କାରବାର ଛାଡ଼ି ଦେଇଛି, ତେଣୁ ବାହାରକୁ ଯିବାରେ ଆଉ ବିପଦ ନାହିଁ ।

 

ଜଳଖିଆ ଖାଇ ସାରିଲା ପରେ ମିଃ ଆଡମ୍‍ସ, ଆନାବେଲ୍, ଜିମ୍ମି, ଆନାବେଲ୍‌‍ଙ୍କ ବଡ଼ ଭଉଣୀ, ତାଙ୍କର ପାଞ୍ଚ ବର୍ଷର ଓ ନ’ ବର୍ଷର ଦି’ ଝିଅ ସମସ୍ତେ ମିଳି ବାହାରିଲେ ଜିମ୍ମିର.ହୋଟେଲକୁ-। ଜିମ୍ମି ତାର ସୁଟ୍‍‍କେସ୍‌‍ଟି ଆଣିଲା ଏବଂ ସମସ୍ତେ ମିଳି ବ୍ୟାଙ୍କକୁ ଗଲେ । ସେଠି ଜିମ୍ମିର ଗାଡ଼ି ଥୁଆ ହୋଇଥାଏ । ସେଠାରୁ ସେଇ ଗାଡ଼ିରେ ସେ ଷ୍ଟେସନ ଯିବା କଥା ।

 

ସମସ୍ତେ ମିଳି ବ୍ୟାଙ୍କ ଭିତରକୁ ଗଲେ । ଜିମ୍ମି ମିଃ ଆଡ଼ାମ୍‍ସଙ୍କ ଭବିଷ୍ୟତ୍‌ ଜାମାତା । ତାକୁ ଆଉ ଲୁଚାଇବାର କଅଣ ଅଛି ? ବ୍ୟାଙ୍କର କିରାଣୀମାନେ ଜିମ୍ମିକୁ ଦେଖି ଭାରି ଖୁସି ହେଲେ ଓ ଅଭିନନ୍ଦନ ଜଣାଇଲେ । ଜିମ୍ମି ସେଠି ସୁଟକେସ୍‌‍ଟି ରଖିଲା । ଆନାବେଲ୍‌‍ର ଆନନ୍ଦ କହିଲେ ନ ସରେ । ଯୁବତୀସୁଲଭ ଚପଳତାରେ ସେ ଜିମ୍ମିର ଟୋପି ନିଜେ ପିନ୍ଧି ସୁଟ୍‍‍କେସ୍‌‍ଟି ଉଠାଇ କହିଲା, ବୋଉ ଲୋ, କେଡ଼େ ଭାରି ମ ! ସୁନା ଇଟା ଅଛି କି ୟା ଭିତରେ !

 

ଜିମ୍ମି କହିଲା, ନା, ଜୋତା କଣ୍ଟା ଭରତି ହୋଇଛି । ସେଗୁଡ଼ାକ ଭଲ ନ ପଡ଼ିବାରୁ ଫେରାଇ ଦେବାକୁ ଯାଉଛି । ପାର୍ଶଲ କରି ପଠାଇ ଦେଲେ ଚଳି ଥାଆନ୍ତା । କିନ୍ତୁ ମୁଁ ଆଜିକାଲି ଭାରି ମିତବ୍ୟୟୀ ହୋଇ ଗଲିଣି, ନିଜେ ନେଇ ଯାଉଛି ।

 

ଏଲ୍‌ମୋର ବ୍ୟାଙ୍କରେ ଗୋଟିଏ ନୂଆ ରକମର ଗନ୍ତାଘର ତିଆରି ହୋଇଥାଏ । ମିଃ ଆଡ଼ାମ୍‌ସ ଭାରି ଗର୍ବରେ ତାକୁ ପ୍ରତ୍ୟେକକୁ ଦେଖାଇ ଥାଆନ୍ତି । ସାନ ଗନ୍ତାଘରଟିଏ । କିନ୍ତୁ ତାର କବାଟଟି ଯାନ୍ତ୍ରିକ କାରିଗରିର ପରାକାଷ୍ଠା କହିଲେ ଚଳେ । ଥରେ ଠେଲିଲେ ତିନୋଟି ଲୌହକିଳକ ଏକାସାଙ୍ଗରେ ବାହାରି ପଡ଼ି କବାଟ ଭିଡ଼ି ରଖେ । ଆଉ ଠେଲିବା ପାଇଁ ଅଛି ଗୋଟିଏ ଘଡ଼ି ଯନ୍ତ୍ର । ମିଃ ଆଡ଼ାମ୍‌ସ ମହା ଆନନ୍ଦରେ ମିଃ ସ୍ପେନସର୍ (ଜିମ୍ମି)କୁ ବୁଝାଉ ଥାଆନ୍ତି ଯାନ୍ତ୍ରିକ କୌଶଳଟି । କିନ୍ତୁ ମିଃ ସ୍ପେନସର୍ ମନଦେଇ ଶୁଣୁଥିବାର ଅଭିନୟ କଲେ ମଧ୍ୟ ଶୁଣିବାର ଆଗ୍ରହ ନ ଥିଲା । ସେଇ ସାନ ଝିଅ ଦୁଇଟି ଚକଚକିଆ ଲୁହା ଏବଂ ଅଦ୍ଭୁତ ଘଡ଼ିଯନ୍ତ୍ର ଦେଖି ମହା ଖୁସିରେ ଏଠି ସେଠି ହାତ ଦେଉଥାଆନ୍ତି ।

 

ଏମାନେ ସବୁ କଥାବାର୍ତ୍ତା ହେଉଥିବାବେଳେ ବେନ୍ ପ୍ରାଇସ୍ ଧୀରେ ପ୍ରବେଶ କରି ସେମାନଙ୍କୁ ନିରୀକ୍ଷଣ କରୁଥାଏ । ଜଣେ ବ୍ୟାଙ୍କ କର୍ମଚାରୀ ପଚାରିବାରୁ ସେ କହିଲେ, ନା, ଜଣେ ପରିଚିତ ବନ୍ଧୁ ସହିତ ଦେଖାକରିବାକୁ ଆସିଛି ।

 

ହଠାତ୍ ଆନାବେଲ୍ ଓ ତାର ବଡ଼ ଭଉଣୀ ଆର୍ତ୍ତନାଦ କରି ଉଠିଲେ । ଚାରିଆଡ଼େ ଭୟାର୍ତ୍ତ ଚାଞ୍ଚଲ୍ୟ ଖେଳିଗଲା ମୁହୂର୍ତ୍ତକେ । ଅନ୍ୟମାନଙ୍କ ଅଲକ୍ଷ୍ୟରେ ନଅବର୍ଷର ଝିଅଟି ଶିଶୁସୁଲଭ କୌତୁକରେ ତାର ସାନ ଭଉଣୀକୁ ଗନ୍ତାଘର ଭିତରକୁ ପେଲିଦେଇ କବାଟ ଲଗାଇ ଦେଇଛି । କିଲଣା ଲଗାଇବାର କୌଶଳଟି ସେ ଅବିକଳ ଅନୁକରଣ କରି ଲଗାଇ ଦେଇଛି ।

 

ପୋଖତ ବ୍ୟାଙ୍କ ମାଲିକ କବାଟ ଖୋଲିବାକୁ ଚେଷ୍ଟାକରି ଏଠି ସେଠି ହାତମାରିଲେ । କିନ୍ତୁ ପ୍ରାୟ ମୂର୍ଚ୍ଛିତ ଭଳି କହିଲେ, କବାଟ ଖୋଲିହେବ ନାହିଁ ଘଡ଼ି ଯନ୍ତ୍ରଟି ବିଗିଡ଼ି ଯାଇଛି !

 

ଆନାବେଲ୍‌ର ବଡ଼ ଭଉଣୀ ମୂର୍ଚ୍ଛାଗଲେ ।

 

ଗନ୍ତାଘର ଭିତରୁ କ୍ଷୀଣ ଆକୁଳ କ୍ରନ୍ଦନ ସମସ୍ତଙ୍କୁ ପ୍ରାୟ ମୂର୍ଚ୍ଛା କରିଦେବା ଉପରେ ।

 

ମିଃ ଆଡ଼ାମ୍‌ସ କିଂକର୍ତ୍ତବ୍ୟବିମୂଢ଼ ହୋଇ ପ୍ରକାଶ କଲେ, ଏ ସହରରେ କେହି ନାହିଁ ଯିଏ ଏ କବାଟ ଖୋଲିବାକୁ ସକ୍ଷମ ହେବ । ହେ ଭଗବାନ ! ସ୍ପେନସର୍, ଉପାୟ ? ତା ଭିତରେ ବେଶି କ୍ଷଣ ରହିଲେ ସେ ଯେ ମରିଯିବ ଭୟରେ ।

 

ଆନାବେଲ୍‌ର ବଡ଼ ଭଉଣୀ କବାଟ ବାଡ଼େଇବାକୁ ଲାଗିଲେ ।

 

କେହି ଜଣେ ପାଗଳ ଭଳି ପ୍ରସ୍ତାବ କଲେ, ଡିନାମାଇଟ ଦେଇ ଘରକୁ ଉଡ଼ାଇ ଦିଅ । ଆନାବେଲ୍ କରୁଣ ଭାବରେ ଜିମ୍ମିକୁ ଚାହିଁଲେ । ପ୍ରେମିକା ଭାବେ, ତାର ପ୍ରେମିକ ତା ପାଇଁ ଅସାଧ୍ୟ ସାଧନ କରିପାରେ ।

 

ରାଲ୍‌ଫ, ତୁମେ ଉଦ୍ଧାର କର...

 

ଜିମ୍ମି ମୁହୂର୍ତ୍ତକ ପାଇଁ ଆନାବେଲ୍‌କୁ ଅଦ୍ଭୁତ ଭାବରେ ଚାହିଁଲା, ଅଧର ପ୍ରାନ୍ତରେ ମଧ୍ୟ ସେଇ ଭାବ ଖେଳିଗଲା । ତା ପରେ ସେ କହିଲା, ଆନାବେଲ ଯେଉଁ ଗୋଲାପଟି ଖୋସିଛି ଦେବକି ? ଦେବନି ?

 

ଆନାବେଲ୍ ମନ୍ତ୍ରମୁଗ୍‌ଧ ଭଳି ହୃଦୟ ସନ୍ନିକଟସ୍ଥ ଗୋଲାପଟି ବାହାର କରି ଜିମ୍ମିର ହାତରେ ଦେଲେ । ତା ଫଳରେ ରାଲ୍‌ଫଡ଼ି ସ୍ପେନସର୍ ଅପସରି ଗଲେ ଏବଂ ତା ସ୍ଥାନରେ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ ଜିମ୍ମି ଭେଲେଣ୍ଟିନ୍ ।

 

ଦର୍‌ବାଜ ସେ ତଫାତ୍ ଯାଓ, ଜିମ୍ମି ଆଦେଶ ଦେଲା ।

 

ତା ପରେ ସୁଟକେସ୍‌ଟି ଟେବୁଲ ଉପରେ ରଖି ସେ ତାକୁ ଖୋଲିଲା । ସେତେବେଳେ ସେ ଆଉ ଅନ୍ୟମାନଙ୍କର ଅବସ୍ଥିତି ମଧ୍ୟ ଅନୁଭବ କଲା ନାହିଁ । ତାର ଅଦ୍ଭୁତ ଯନ୍ତ୍ରଗୁଡ଼ିକ ଯାହା ପରେ ଯେଉଁଟି ଦରକାର ହେବ କ୍ଷିପ୍ରତାର ସହିତ ସଜାଉ ସଜାଉ ସେ ଗୁଣୁ ଗୁଣୁ ଗାନ କରିବାକୁ ଲାଗିଲା । ଏହାହିଁ ତାର କାମ କରିବାର ରୀତି । ଅନ୍ୟମାନେ ବାଷ୍ପରୁଦ୍ଧ ଆବେଗରେ ଅନାଇ ରହିଲେ ।

 

ମୁହୂର୍ତ୍ତକ ମଧ୍ୟରେ ତାର ପ୍ରିୟ ଯନ୍ତ୍ରଗୁଡ଼ିକ କାମ କରିବାକୁ ଲାଗିଲେ । ଦଶମିନିଟ ମଧ୍ୟରେ ଚିଚିଂ ଫାଙ୍କ୍ । ଜିମ୍ମି ତାର ପୂର୍ବର ସିନ୍ଧକଟା କୃତିତ୍ଵକୁ ମଧ୍ୟ ଏଥର ଟପି ଗଲା ! ଝିଅଟି ବାହାରି ଆସି ତାର ମା ବୁକୁରେ ମୁହଁ ଲୁଚାଇ ରହିଲା ।

 

ତା ପରେ କିଛି ଭେଲେଣ୍ଟିନ୍ କୋଟ ପିନ୍ଧି ବାହାରିଲା ଷ୍ଟେସନକୁ ଯିବାକୁ । ବାହାରି ଗଲାବେଳେ ସେଇ ପ୍ରିୟ ଡାକ ରାଲଫ୍ ସେ ଶୁଣିବାକୁ ପାଇଲା । କିନ୍ତୁ ସେ ତାହା ଉପେକ୍ଷା କରି ବାହାରି ଗଲା ।

 

ବ୍ୟାଙ୍କ ଦୁଆର ପାଖରେ ଛିଡ଼ା ହୋଇଛି ବେନ୍ ପ୍ରାଇସ୍, ବିଖ୍ୟାତ ଗୁଇନ୍ଦା ।

 

ହ୍ୟାଲୋ ବେନ୍ ! ସେମିତି ଅଦ୍ଭୁତ ହସ ହସି ଅଭିନନ୍ଦନ ଜଣାଇ ଜିମ୍ମି କହିଲା, ଚମତ୍କାର, ଶେଷରେ ମୋ ସନ୍ଧାନ ତୁମେ ପାଇଲ । ଚାଲ ଯିବା । ବର୍ତ୍ତମାନ ମୋର ଆଉ ଆପତ୍ତି ନାହିଁ ।

 

ବେନ୍ ପ୍ରାଇସ୍ ମଧ୍ୟ ଏକ ଅଦ୍ଭୁତ ପୁଲିସ୍ ।

 

ଆପଣଙ୍କର ବୋଧହୁଏ ଭ୍ରମ ହୋଇଚି ମିଃ ସ୍ପେନସର୍‌, ବେନ୍ କହିଲେ, ମୁଁ ତ ଆପଣଙ୍କୁ ଜାଣେନାହିଁ । ଆପଣଙ୍କର ଗାଡ଼ି ବାହାରେ ଅପେକ୍ଷା କରୁଛି ।

 

ବେନ୍ ପ୍ରାଇସ୍ ତା’ପରେ ଧୀର ମନ୍ଥର ଗତିରେ ସେଠାରୁ ଚାଲିଗଲେ ।

Image

 

Unknown

ମହାଯୁଦ୍ଧ

 

ଦୁର୍ଗାପଦ ତାର ପଢ଼ା ବହିକି ଚାହିଁ ବସିଥିବା ସମୟରେ ତାର ଜୀବନର ପ୍ରଥମ ସତରଟି ଆଷାଢ଼ କେତେବେଳେ ମୁଣ୍ଡ ଉପର ଦେଇ ଚାଲିଗଲା, ତାର ଖିଆଲ ନ ଥିଲା । ତାର ପିତା ବିଷ୍ଣୁ ପ୍ରସାଦ ବାବୁ ତାକୁ ଗଢ଼ୁଥିଲେ ନିଜ ଆଶାନୁସାରେ । ସେ ଥିଲେ ତୀକ୍ଷ୍‌ଣ ବୁଦ୍ଧିସମ୍ପନ୍ନ, କିନ୍ତୁ ଦରିଦ୍ର । ସମାଜରେ ଗଣ୍ୟମାନ୍ୟ ହୋଇ ଚିରସ୍ମରଣୀୟ ରହିବାକୁ ତାଙ୍କର ଆଶା ଥିଲା । ଉଚ୍ଚ ହେଲେହେଁ ଅତି ସାଧାରଣ ଏବଂ ସ୍ଵାଭାବିକ ଆଶା । କିନ୍ତୁ ଆର୍ଥିକ ଓ ପାରିପାର୍ଶ୍ଵିକ ଇତ୍ୟାଦି ନାନା କାରଣରୁ ତାଙ୍କ ଜୀବନରେ କୌଣସି ଗୋଟିଏ ଆଶା ସେ ଫଳହତୀ କରାଇ ପାରିନାହାନ୍ତି । କରିବାର ସାମର୍ଥ୍ୟ କିମ୍ବା ସମୟ ମଧ୍ୟ ଆଉ ନାହିଁ । ତାଙ୍କର ଶେଷ ଆଶା ଗୋଟିଏ ପୁତ୍ରକୁ ଗଣ୍ୟମାନ୍ୟ କରାଇ ଅମୁକର ପିତା ବୋଲି ଚିରସ୍ମରଣୀୟ ରହିବେ ।

 

ପୁତ୍ର ଆଶାରେ ଯେତେବେଳେ ମଧ୍ୟ-ଜୀବନର ତିନିଭାଗ ଚାଲିଗଲା ପୁତ୍ର ଆଶା ତ୍ୟାଗ କରି ମୃତ୍ୟୁ ଅପେକ୍ଷାରେ ସେ ଥିଲେ । ତାଙ୍କର ସ୍ତ୍ରୀ ବରଦା ସୁନ୍ଦରୀ ଦେବୀ ଅତିଶୟ ଭୀରୁ ସ୍ୱଭାବର । ବାସ୍ତବ ଏବଂ କାଳ୍ପନିକ ନାନା ଭୟରେ ସେ ସର୍ବଦା ତ୍ରସ୍ତ, ସର୍ବତ୍ର ସଂଶୟ । ପରେ ପରେ ପାଞ୍ଚୋଟି କନ୍ୟା ଜନ୍ମ ଦେଇ ସେ ମଧ୍ୟ ପୁତ୍ର ଆଶା ତ୍ୟାଗ କରିଥିଲେ । ଷଷ୍ଠବାର ଗର୍ଭବତୀ ହେବା ସମୟରେ ସମସ୍ତେ ଯଥାରୀତି ଧରି ନେଲେ ଯେ ଏଥର ମଧ୍ୟ ଗୋଟିଏ କନ୍ୟା ହେବ ।

 

ବେଦନା ଆରମ୍ଭ ହେବା ସଙ୍ଗେ ସଙ୍ଗେ ସେ ପ୍ରସୂତୀ ଘରକୁ ଗଲେ ଏବଂ ବ୍ୟାକୁଳ ଭାବରେ ଗୋଟିଏ ପୁତ୍ର କଥା ପୁଣି ଥରେ ଛତ୍ରିଶ କୋଟି ଦେବଦେବୀଙ୍କୁ ମନେ ପକାଇ ଦେଲେ । ଅନ୍ଧାରିଆ ସନ୍ତସନ୍ତିଆ ଘର । ଘରର ଘନୀଭୂତ ଅନ୍ଧକାର ଭିତରେ ଗୋଟିଏ କ୍ଷୁଦ୍ର ଭୀରୁ ଦୀପର ଅସହାୟ କ୍ଷୀଣ ଆଲୋକ ଅନ୍ଧକାରକୁ ଆହୁରି ଘନୀଭୂତ କରୁଥିଲା । ଘରର ଚାରିକାନ୍ଥ ଯାକ ଗାର ଟାଣି ସେ ଭାଗ୍ୟ ଗଣିବାକୁ ଲାଗିଲେ । ପ୍ରତ୍ୟେକ ଥର ଫଳ ପାଇଲେ ‘ନା’—ଅର୍ଥାତ୍‌ ପୁତ୍ର ହେବନାହିଁ । ଦ୍ଵିଗୁଣ ହତାଶାରେ ସେ ଭଗବାନଙ୍କୁ ଡାକିବାକୁ ଲାଗିଲେ । ସନ୍ତାନଟି ଜାତ ହେବା ମାତ୍ରକେ ସେ ମୁର୍ଚ୍ଛା ଗଲେ । ବିଷ୍ଣୁ ପ୍ରସାଦ ବାବୁ ବାହାର ପିଣ୍ଡାରେ ମୁଣ୍ଡରେ ହାତଦେଇ ବସି ପଡ଼ିଲେ । ବରଦା ଦେବୀଙ୍କ ଜନନୀ ଆଖିରୁ ଲୁହ ପୋଛି ସନ୍ତାନଟିକୁ ଘୃଣାରେ ଠେଲି ଦେଇ କନ୍ୟାର ଶୁଶ୍ରୁଷାରେ ଲାଗିଲେ । ଗୋଟିଏ କ୍ଷୀଣ ଶରୀର ଟିକିଏ କ୍ଷୀଣତର ପ୍ରାଣକୁ ଧରି ନିର୍ବିବାଦରେ ପଡ଼ି ରହିଲା ଅନ୍ଧକାରର ଗହ୍ୱରରେ । ପ୍ରାୟ ଅଧଘଣ୍ଟା ପରେ ବରଦା ସୁନ୍ଦରୀ ଟିକିଏ ସୁସ୍ଥ ହୋଇ କହିଲେ, ବୋଉ, ଝୁଅ ହେଉ ପଛକେ, ଟିକିଏ ଦେଖ୍ କାହିଁକି ଏତେବେଳ ଯାଏ କାନ୍ଦୁନି । ବରଦା ଦେବୀଙ୍କ ଜନନୀ ସନ୍ତାନଟିକୁ ପରିଷ୍କାର କରିବାକୁ ଯାଇ ପାଟି କରି କହିଲେ, ଆଲୋ ଧାଈ, ଦୀପଟା ଆଣିଲୁ, ଜଙ୍ଘ ମଝିରେ କଅଣ ଗୋଟିଏ ଫୋଟକା ପରି ଦିଶୁଛି ।

 

ନିମିଷକେ ବିଷାଦ ମେଘ ଚାଲିଗଲା । ଆନନ୍ଦର ଆଲୋକ ଖେଳିଗଲା । ବରଦା ଦେବୀଙ୍କ ପିତା ଆନନ୍ଦରେ କହିଲେ, ଟୋକା ଭାରି କୌତୁକ ଜାଣେ ତ ! ବିଷ୍ଣୁ ପ୍ରସାଦ ବାବୁ ଏହି ଆନନ୍ଦର ଗୋଳମାଳରେ ଯେ କୁଆଡ଼େ ଗଲେ କେହି ଜାଣି ପାରିଲେ ନାହିଁ । କିଛିକ୍ଷଣ ପରେ ସେ ଫେରିଲେ । ହାତରେ ତାଙ୍କର ବଡ଼ ହାଣ୍ଡିରେ ହାଣ୍ଡିଏ ଲଡ଼ୁ । ଆଖି ତାଙ୍କର ଆଶାର ବହ୍ନିରେ ଉଜ୍ଜ୍ୱଳ-

 

X X X

 

ଦୁର୍ଗାପଦକୁ ଯେତେବେଳେ ମାତ୍ର ଛ ବର୍ଷ ସେତେବେଳେ ବିଷ୍ଣୁ ବାବୁ ତାକୁ ଗାଁରୁ କଟକକୁ ନିଜ ପାଖକୁ ନେଇ ଆସିଲେ । ତାଙ୍କର ଭୟ ଗାଁ ପିଲାମାନଙ୍କ ସହିତ ମିଶି ସେ ଖରାପ ହୋଇଯିବ । ବେଶି ଖର୍ଚ୍ଚ ହୋଇଯିବା ଭୟରେ ବରଦା ଦେବୀ ସର୍ବଦା ଗାଁରେ ରୁହନ୍ତି । କଟକରୁ ପଶ୍ଚିମକୁ ପଚାଶ ମାଇଲ ଦୂର ଯିବା ଆସିବା ପାଇଁ ରେଳ, ମଟର, ନୌକା ବଳଦ ଗାଡ଼ି ସବୁ ବ୍ୟବହାର କରିବାକୁ ହୁଏ । ଏତେ ଅଳ୍ପ ବୟସରେ ଏତେ ଦୂରକୁ ଛାଡ଼ିବାକୁ ତାଙ୍କର ଆଦୌ ଇଚ୍ଛା ନଥିଲା । ସ୍ୱାମୀଙ୍କ ପ୍ରସ୍ତାବରେ ସେ ଅଧୀର ହୋଇ କାନ୍ଦି ପକାଇଲେ । କିନ୍ତୁ ବିଷ୍ଣୁ ବାବୁଙ୍କ ଆଶା ନିର୍ମମ । ଦୁର୍ଗାପଦର ପ୍ରଥମେ କଟକକୁ ଯିବାକୁ ଭାରି ଉତ୍ସାହ ଥିଲା । ନୂଆ ଜାଗା, ମଟର ଘୋଡ଼ାଗାଡ଼ି କଥା ସେ ତାର ବନ୍ଧୁ କୁନା ପାଖରୁ ଶୁଣିଥିଲା । ପୁତ୍ରର କଟକ ଯିବାର ଉତ୍ସାହ ଦେଖି ବିଷ୍ଣୁ ବାବୁ ସଗର୍ବେ ସ୍ତ୍ରୀଙ୍କୁ କହିଲେ, ଦେଖ ହୋ, ପୁଅ ମୋ ପାଖରେ ରହିବାକୁ ଚାହେଁ, ତୁମକୁ ତା ସୁଖ ଲାଗେ ନାହିଁ । ବରଦା ଦେବୀ ଟିକିଏ ମ୍ଳାନ ହସ ହସିଲେ । ବିଷ୍ଣୁ ବାବୁ ଯେତେବେଳେ ଦୁର୍ଗାପଦକୁ ବଳଦ ଗାଡ଼ିକୁ ଉଠିବାକୁ କହିଲେ ସେତେବେଳେ ସେ ମା ଆଡ଼କୁ ଅନାଇ କେବଳ ନୀରବରେ କାନ୍ଦିବାକୁ ଲାଗିଲା । ବରଦା ଦେବୀ ପୁଅକୁ ବୁଝାଇ କହିଲେ, କଟକ ଯିବୁ, ପାଠ ପଢ଼ିବୁ, ବଡ଼ ମଣିଷ ହେବୁ, ମଟର କିଣିବୁ ଇତ୍ୟାଦି । ଛଅ ବର୍ଷର ଶିଶୁ ଏ ପ୍ରଲୋଭନରେ ପଡ଼ିଲା କି ନାହିଁ କେଜାଣି କିନ୍ତୁ ଦ୍ଵିରୁକ୍ତି ନ କରି ଥରେ ମାତ୍ର ଅସହାୟ ଭାବରେ ମା ଆଡ଼କୁ ଚାହିଁ ଗାଡ଼ିରେ ଉଠିଲା । ବିଷ୍ଣୁ ବାବୁ ଜୟ ଯାତ୍ରାରେ ବାହାରିବା ଭଳି ଗାଡ଼ିରେ ବସିଲେ । ବରଦା ଦେବୀ ଏହାପରେ ସାତ ଦିନ ପର୍ଯ୍ୟନ୍ତ ଅନ୍ନ ଜଳ ଛୁଇଁଲେ ନାହିଁ ।

 

ସହରର ନାନା ଆକର୍ଷଣରେ ଦୁର୍ଗାପଦର ମନ ଭୁଲିଗଲା । କେବଳ ଶୋଇବା ବେଳେ ମା କୋଳ ମନେ ପଡ଼ି ଆଖିରୁ ପାଣି ଝରେ । ବିଷ୍ଣୁ ବାବୁଙ୍କର ସେ କଥା ଲକ୍ଷ୍ୟ କରିବାର ବେଳ ନାହିଁ । ଛଅ ବର୍ଷର ଶିଶୁକୁ କେନ୍ଦ୍ର କରି ସେ ସେତେବେଳେ ଆଶାର ସୌଧ ଗଢ଼ି ସାରିଥିଲେ । ତାକୁ ସଜାଇବାରେ ସେ ବ୍ୟସ୍ତ । ଗାଁ ରେ ବଢ଼ି ଥିବାରୁ ପୁତ୍ରର ବିକ୍ଷିପ୍ତ କଳ୍ପନାପ୍ରବଣ ମନକୁ ପଢ଼ାପଢ଼ିରେ ଲଗାଇବାକୁ, ଗାଁ ପିଲାମାନଙ୍କ ସହିତ ମିଶିଥିବାରୁ ଅନେକ ଖରାପ ଗୁଣକୁ ଭଲଆଡ଼େ ନବାକୁ ଏବଂ ଭବିଷ୍ୟତରେ କଟକରେ କୌଣସି ବଜାରି ପିଲାମାନଙ୍କ ସହିତ ଯେପରି ନ ମିଶେ ଏଥିପାଇଁ ସେ ପ୍ରତ୍ୟହ ସକାଳେ ନିୟମିତ ଭାବରେ ଛଅ ବର୍ଷର ଶିଶୁକୁ ବୁଝାଇବାକୁ ଓ ପ୍ରହାର କରିବାକୁ ଲାଗିଲେ ଏବଂ ପୁରାଣର ପିତୃ ଭକ୍ତିର ନାନା ଗଳ୍ପ କହି ପୁତ୍ରର ମନ ଆକୃଷ୍ଟ କରିବାକୁ ଲାଗିଲେ । କ୍ରମେ କ୍ରମେ ଦୁର୍ଗାପଦ ବଢ଼ି ଉଠିଲା ପିତାଙ୍କ ଅସୀମ ଆଶାର ତାଡ଼ନାରେ । ପିତାଙ୍କୁ ହିଁ ସେ ଆଦର୍ଶ ସ୍ଥାନୀୟ କଲା । ଦିନ ରାତି ପଢ଼ି ସତର ବର୍ଷ ବୟସରେ ପ୍ରଥମ ହୋଇ ସେ ମେଟ୍ରିକୁଲେସନ୍ ପାଶ୍ କଲା । ଯେଉଁ ଦିନ ପରୀକ୍ଷା ଫଳ ବାହାରିଲା,ସେଦିନ ବିଷ୍ଣୁବାବୁ ଅଗଣାରେ ଛିଡ଼ା ହେଲେ ଲଡ଼ୁ ହାଣ୍ଡି ଧରି । ଆଖି ତାଙ୍କର ସେଦିନ ପରି ମଧ୍ୟ ଆଶାର ବହ୍ନିରେ ଉଜ୍ଜ୍ୱଳ ହୋଇ ଉଠିଥିଲା ।

 

X X X

 

ଜୀବନର ସତରଟି ଆଷାଢ଼ ଏହିପରି ଯିବା ପରେ ଅଷ୍ଟାଦଶ ଆଷାଢ଼ଟି ଆଣି ଦେଲା ତା ଜୀବନରେ ଭୂମିକମ୍ପ । ଏତେ ଦିନ ଗୁପ୍ତରେ ତା ମନ ଭିତରେ କି ପ୍ରକ୍ରିୟା ଚାଲିଥିଲା କିଏ ଜାଣେ ହଠାତ୍ ତାର ସବୁ ଓଲଟ ପାଲଟ ହୋଇଗଲା ।

 

ସେ ଦିନ ଆଷାଢ଼ର ପହିଲି ମେଘ ଆକାଶରେ ଆଲୋକ ଓ ଅନ୍ଧକାରର ଅପୂର୍ବ ମାୟାଜାଲ ସୃଷ୍ଟି କରିଥାଏ । କଳା ବଉଦର ଗୁରୁ ଗୁରୁ ଗର୍ଜନ ଓ ବିଜୁଳିର ଅପୂର୍ବ ଛଟା ଦେଖି ଦୁର୍ଗାପଦର ମନେ ହେଲା ପୂର୍ବେ ଏପରି କେବେହେଁ ହୋଇନଥିଲା । ଝରକା ପାଖରେ ଛିଡ଼ା ହୋଇ ସେ ଏହି ସଂପୂର୍ଣ୍ଣ ନୂତନ ଶୋଭା ଉପଭୋଗ କରୁଥିଲା । ଧାଡ଼ିଏ ଦୁଗ୍‍ଧ-ଧବଳ ବଗ କଳା ବଉଦ ଦିହରେ ଉଡ଼ିଗଲେ । କାଠଯୋଡ଼ି ନଦୀର ଆରପାଖରୁ ବର୍ଷା ନୃତ୍ୟର ଛନ୍ଦରେ ମାଡ଼ି ଆସିଲା । ଘରର ଚାଳ ଉପରେ ବର୍ଷା ପଡ଼ିବାର ଶଦ୍ଦ ସେଦିନ ଦୁର୍ଗାପଦର ମନେହେଲା ଅପୂର୍ବ ସଙ୍ଗୀତ ପରି । ହଠାତ୍ ତାର ମନଟା ବ୍ୟାକୁଳ ହୋଇ ଉଠିଲା । ଦେହ ମନରେ ଅପୂର୍ବ ଶିହରଣ ଜାତ ହେଲା । ହୃଦୟ ଭିତରଟି ଶୂନ୍ୟ ପରି ମନେହେଲା । କଅଣ ଗୋଟାଏ ଅଭାବ ତାର ମନକୁ ଘାରି ହେଲା । ତାର ମନେହେଲା କାହାର ଟିକିଏ ସ୍ନେହ ପାଇଲେ ଯେପରି ହୃଦୟର ଏ ଶୂନ୍ୟତା ପୂରଣ ହୋଇଯିବ । ଏହି ସ୍ନେହ ପାଖରେ ପିତା ମାତାର ସ୍ନେହ ମନେ ହେଲା ତୁଚ୍ଛ । ଏହି ସ୍ନେହ ପାଇଁ ସେ ପୃଥିବୀର ସବୁ ଦୁଃଖ କଷ୍ଟ ସହ୍ୟ କରିବାକୁ ପ୍ରସ୍ତୁତ । କଳ୍ପନାରେ ସେ ଦେଖି ପାରିଲା କିଏ ଯେପରି ଏହି ପ୍ରେମ ଦେବାକୁ ଅପେକ୍ଷା କରି ବସିଚି । ଦୁର୍ଗାପଦ ଆଉ ଘରେ ରହିପାରିଲା ନାହିଁ । ସାଇକେଲ ଧରି ବାହାରି ପଡ଼ିଲା ତାରି ଅନୁସନ୍ଧାନରେ, ରୂପ କଥାର ରାଜପୁତ୍ର ଯେପରି ହଠାତ୍ ଦିନେ ସ୍ଵପ୍ନରେ ଦେଖା ରାଜକୁମାରୀର ଅନୁସନ୍ଧାନରେ ପକ୍ଷୀରାଜ ଘୋଡ଼ାରେ ଚଢ଼ି ବାହାରି ପଡ଼େ ନିଭୁତରେ ରାତିର ଅନ୍ଧକାରରେ । ପ୍ରଚଣ୍ଡ ବର୍ଷା, କିନ୍ତୁ ଦୁର୍ଗାପଦର ସେଥିପ୍ରତି ଭୂକ୍ଷେପ ନାହିଁ-। ସେ ଆଜି ପାଇଛି ଗୋଟାଏ ଆନନ୍ଦମୟ ବେଦନା । ସେହି ଆନନ୍ଦରେ ସେ କଟକ ସହରଯାକ ବୁଲିଲା । କସ୍ତୁରୀ ମୃଗ ଯେପରି ନିଜର ଗନ୍ଧରେ ମାତି ବୁଲେ । ଫେରିଲା ଦୁଇଘଣ୍ଟା ପରେ ଗୋଟିଏ ବ୍ୟର୍ଥତାର ବେଦନା ନେଇ ।

 

ପୁତ୍ରର କ୍ଷୀଣ ଶରୀର ସାମାନ୍ୟ ଟିକିଏ ଅସୁସ୍ଥ ହେଲେ ବିଷ୍ଣୁବାବୁ ଆତଙ୍କିତ ହୋଇପଡ଼ନ୍ତି । ପ୍ରଥମ ବର୍ଷାରେ ଦୁର୍ଗାପଦ ଘରେ ନ ଥିବାର ଦେଖି ପ୍ରଥମେ ତାଙ୍କର ଭାରି ଭୟ ହେଲା । ଫେରିବାର ଯେତେ ଡେରି ହେଲା ଭୟ କ୍ରମଶଃ କ୍ରୋଧରେ ପରିଣତି ହୋଇ ବଢ଼ିବାକୁ ଲାଗିଲା । ସେ ବାହାରେ ଅପେକ୍ଷା କରିଥିଲେ ରୀତିମତ ଶାସ୍ତି ଦେବାକୁ । ସେ ବୃଥା ବାକ୍ୟ ବ୍ୟୟ ନ କରି ଦଣ୍ଡ ଦେବାକୁ ଲାଗିଲେ । ଏହା ପର୍ବରୁ ଦୁର୍ଗାପଦ ପିତାଙ୍କ ଠାରୁ ଅନେକ ଥର ପ୍ରହାର ଖାଇଛି । କେବେହେଁ ଅପମାନିତ ବୋଧ କରିନାହିଁ । ଆଜି ତାର ବ୍ୟକ୍ତିତ୍ୱରେ ଆଘାତ ଲାଗିଲା । ସ୍ଵତନ୍ତ୍ର ଗୋଟାଏ ଘର ନାହିଁ ଯେ ନିର୍ଜନରେ ବସି ମନଟା ହାଲୁକା କରି ନେବ । ଘର ଭିତରକୁ ଆସି ସେ ଅଶ୍ରୁ ସମ୍ବରଣ କରିପାରିଲା ନାହିଁ । ପ୍ରହାର ପାଇଁ ନୁହେଁ; ଗୋଟିଏ ଅନିର୍ଦ୍ଦିଷ୍ଟ ବେଦନାରେ-

 

ଏହି ବେଦନା ଭିତରେ ମଧ୍ୟ ସେ ଗୋଟିଏ ଉଦାରତା ଅନୁଭବ କଲା । ଆଜି ତାର ମନେହେଲା ପୃଥିବୀର ସବୁ ସୁନ୍ଦର । ଟମି କୁକୁରଟା ବର୍ଷେ ହେବ ରହିଲାଣି । ଘୃଣାରେ ସେ ଦିନେ ବି ତା ଦିହରେ ହାତ ଦେଇନାହିଁ । ଆଜି ସେ ତାକୁ ଆଦରରେ କୋଳକୁ ଟାଣି ନେଲା । ଦୁର୍ଗାପଦର ଏ ହଠାତ୍ ପରିବର୍ତ୍ତନ ତାକୁ ଜଣା ନାହିଁ । ସେ ଭୟରେ ଦୁର୍ଗାପଦର ହାତ କାମୁଡ଼ି ଦେଲା । ଅନ୍ୟ କୌଣସି ଦିନ ହୋଇଥିଲେ ତାହାର ପ୍ରାଣ ନ ଥାନ୍ତା । କିନ୍ତୁ ଆଜି ତାର ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ଆଜି ତାକୁ ଯିଏ ଯେତେ ଆଘାତ କରୁ ନା କାହିଁକି ସେ ପ୍ରେମ ଦେବାକୁ ପ୍ରସ୍ତୁତ । ଦୁର୍ଗାପଦ ଟମିକୁ ଅଧିକ ସ୍ନେହରେ ଟାଣି ନେଲା । ଭଗବାନଙ୍କୁ ପୂଜା କରିବା ଏତେଦିନ ଗୋଟାଏ ଅର୍ଥହୀନ ସାମାଜିକ ପ୍ରଥା ବୋଲି ସେ ଜାଣିଥିଲା । ଆଜି କିନ୍ତୁ ତାର ମନେହେଲା ଭଗବାନ ଅନନ୍ତ ପ୍ରେମିକ-। ତାର ବେଦନାର ସମସ୍ତ ଅଶ୍ରୁ ସେ ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି କହିଲା, ଭଗବାନ୍, ଏପରି କର ଯେ ତୁମରି ପ୍ରେମରେ ମୁଁ ସର୍ବଦା ବିଭୋର ରହେ । ତୁମର ପ୍ରେମ ପାଇଁ ସବୁ ଦୁଃଖ କଷ୍ଟ ବରଣ କରିବାକୁ ସାହସ ଦିଅ । ମୋର ଅତି ଶତ୍ରୁ ମଧ୍ୟ ସୁଖରେ ରହୁ ।

 

X X X

 

ଜୀବନର ଗୋଟାଏ ନିଦ୍ଦିଷ୍ଟ ବୟସ ବା ମନର ଗୋଟାଏ ନିର୍ଦ୍ଦିଷ୍ଟ ଅବସ୍ଥା ପର୍ଯ୍ୟନ୍ତ ମନୁଷ୍ୟ ବଢ଼େ ଅନ୍ୟର ଆଦର୍ଶରେ ଅନ୍ୟ କେହି ତାର ପ୍ରେରଣାର ଉତ୍ସ ଥାଏ । ସାଧାରଣତଃ ପିତା ମାତା ହିଁ ଏହି ଆଦର୍ଶ ର ସ୍ଥାନ ନିଅନ୍ତି । ତେଣୁ ଏହି ବୟସରେ ଲାଗିଯାଏ, ସନ୍ତାନମାନଙ୍କ ମଧ୍ୟରେ ତୀବ୍ର ଦ୍ଵନ୍ଦ ପିତା ମାତାର ସ୍ନେହ ପାଇବା କିନ୍ତୁ ତା ପରେ ନିଜର ଶିକ୍ଷା, ଦୀକ୍ଷା ମନ ଅନୁସାରେ ଗଢ଼ି ଉଠେ ନିଜର ଆଦର୍ଶ । ସେତେବେଳେ ସେ ବଞ୍ଚିବାକୁ ଚାହେଁ ନିଜର ତୁଷ୍ଟି ପାଇଁ । ଠିକ୍ ଏହି ସମୟରେ ନିଜର ବ୍ୟକ୍ତିତ୍ୱ ଫୁଟାଇବା ପାଇଁ ଗୋଟାଏ ଅଦମ୍ୟ ଆଗ୍ରହ ହୁଏ । ଯାହାର ଏହି ଆଗ୍ରହଟି ବିକାଶ ପାଇନାହିଁ ସେ ଚିରଜୀବନ ରହିଯାଏ ବାଳକ । ଏହି ଆଗ୍ରହ ଭିତରେ ଥାଏ ପୁଣି ପ୍ରକୃତିର ସୃଜନ ପ୍ରକ୍ରିୟାର ଗୁପ୍ତ ସଙ୍କେତ । ନିଜକୁ ସର୍ବାଙ୍ଗସୁନ୍ଦର କରିବାକୁ ସେ ପ୍ରାଣପଣେ ଚେଷ୍ଟା କରେ । ଦୁଃସାହସିକ ଏବଂ ବୀରୋଚିତ୍ କାମ କରିବାରେ ସେ ଅପୂର୍ବ ଆନନ୍ଦ ପାଏ ।

 

ଅଳ୍ପ ଦିନ ଭିତରେ ଦୁର୍ଗାପଦର ଅଦ୍ଭୁତ ପରିବର୍ତ୍ତନ ହୋଇଚି । ଦେଖିବାକୁ ସୁଶ୍ରୀ ନ ହେଲେହେଁ କୁଶ୍ରୀ ନୁହେଁ ସେ । ଶରୀରର ପ୍ରଧାନ ଦୋଷ ଭିତରେ ମୁହଁଟି ଟିକିଏ ଅସ୍ଵାଭାବିକ ଲମ୍ବା-। ଏଥିପାଇଁ ସେ ଭାରି ବିବ୍ରତ ହୋଇ ଅନେକ ସମୟ ଦର୍ପଣ ସାମନାରେ ଆଜିକାଲି କଟାଏ-। ପୈତୃକ କ୍ଷୀଣ ଶରୀରଟିକୁ ସୁପୃଷ୍ଟ କରିବା ପାଇଁ ନିୟମିତ ବ୍ୟାୟାମ ଓ ଖେଳ ଆରମ୍ଭ କରିଚି-। କିନ୍ତୁ ପୋଷାକ ପରିଚ୍ଛଦ ତାର ଚିନ୍ତାର ବିଶେଷ କାରଣ । ବିଷ୍ଣୁ ବାବୁଙ୍କ ମତରେ ଛାତ୍ର ଜୀବନରେ ଭଲ ପୋଷାକ ପରିଚ୍ଛଦ, ଖେଳ କସରତ ଛାତ୍ରର ମନକୁ ପଢ଼ାପଢ଼ିରୁ ବିଳାସ ଆଡ଼କୁ ଟାଣି ନିଏ । ଦୁର୍ଗାପଦର ବ୍ୟବହାର ପାଇଁ ସପ୍ତାହକୁ ଖଣ୍ଡେ ମୋଟା ଧୋତି ଓ ଖଣ୍ଡେ ସାଧାରଣ କମିଜ, ଯା ନ ହେଲେ ନ ଚଳେ । ଏହାକୁ ପିନ୍ଧି କଲେଜ ଯିବାକୁ ଦୁର୍ଗାପଦର ଭାରି ଲଜ୍ଜ୍ୟା ହୁଏ । ହେଉ ନା ସେ ଦରିଦ୍ର, କିନ୍ତୁ ଏ ରିକ୍ତତା କାହିଁକି ? ଆଜିକାଲି ସେ ପିତାଙ୍କୁ ଲୁଚାଇ ସାବୁନରେ ଲୁଗା ପରିଷ୍କାର କରି ନିଏ । ପୂର୍ବର ଅବିନ୍ୟସ୍ତ ତୈଳହୀନ ବଡ଼ ବଡ଼ ମୁଣ୍ଡ ବାଳଗୁଡ଼ିକର ମଧ୍ୟ ଆମୂଳ ପରିବର୍ତ୍ତନ ହୋଇଛି । ସେ ଯଥା ସମ୍ଭବ ପିତାଙ୍କୁ ଲୁଚି ଥାଏ । ତାର ମନେହୁଏ ତା ମନ ଉପରେ ବାପା ଗୋଟିଏ ବଡ଼ ପଥର ।

 

ପୁତ୍ରର ପରିବର୍ତ୍ତନ ବିଷ୍ଣୁ ବାବୁଙ୍କ ଆଖିରେ ପଡ଼ିଲେ ଆଉ ରକ୍ଷା ନାହିଁ । ଖେଳାଖେଳି ପାଇଁ ମଧ୍ୟ ଦୁର୍ଗାପଦକୁ କମ୍ ଅପମାନ ସହ୍ୟ କରିବାକୁ ପଡ଼େନାହିଁ । ସେ ପତ୍ର ପତ୍ରିକାରେ ମଧ୍ୟ କବିତା ଦେବାକୁ ଆରମ୍ଭ କରିଚି । କିନ୍ତୁ ସାହସ କରି କେବେହେଁ ନିଜର ନାମ ଦେଇନାହିଁ । ଦୁର୍ଗାପଦ ଗୋଟାଏ ନୂତନ ଶକ୍ତିର ଆନନ୍ଦରେ ପାଗଳ । ପିତାଙ୍କର ଆଦର୍ଶ ତାର କଣ୍ଠରୋଧ କଲେହେଁ ମାରି ଦେବାକୁ ଅକ୍ଷମ ।

 

କିନ୍ତୁ ନାନା ଦୁଃସାହସିକ କାର୍ଯ୍ୟ କଲେ ମଧ୍ୟ ଦୁର୍ଗାପଦ ରାଜକୁମାରୀର ସନ୍ଧାନ ପାଏନାହିଁ । ମଝିରେ ମଝିରେ ତାର ହୃଦୟ ହାହାକାର କରି ଉଠେ । ତାର ସାଙ୍ଗ ଅନେକ ଅଛନ୍ତି କିନ୍ତୁ ବନ୍ଧୁ କହିଲେ ଯାହା ବୁଝାଏ ସେପରି କେହି ନାହାନ୍ତି । ପିତାଙ୍କୁ ତାର ଭୟ । ମା ବା ଭଉଣୀକୁ ହୃଦୟର ଏ ବ୍ୟାକୁଳତା ଜଣାଇ ମଧ୍ୟ ଲାଭ ନାହିଁ । ମନକୁ ମନରେ ମାରି ଦୁର୍ଗାପଦ ପ୍ରତୀକ୍ଷାରେ ଦିନ କଟାଏ । ଏ ପ୍ରତୀକ୍ଷା ଯେତେବେଳେ ତାର କଣ୍ଠରୋଧ କରେ ସେତେବେଳେ ଜଗତଟା ମିଥ୍ୟା ମନେ ହୁଏ । ଶଙ୍କରାଚାର୍ଯ୍ୟ ବୁଦ୍ଧଙ୍କର ପନ୍ଥା ଠିକ୍ ଭାବି କେତେବାର ସେ ସନ୍ନ୍ୟାସୀ ହେବାକୁ ଭାବିଚି । କିନ୍ତୁ ପାରିନାହିଁ ।

 

ଅଳ୍ପଦିନ ଆଗେ ଦୁର୍ଗାପଦ ସମଗ୍ର ଓଡ଼ିଶାର ସନ୍ତରଣ ପ୍ରତିଯୋଗିତାରେ ପ୍ରଥମ ହୋଇଚି । ପିତାଙ୍କର ଏଥିରେ ଆନନ୍ଦ ନାହିଁ । ଦୁର୍ଗାପଦର ଏ ସବୁ ଯେତେ ବଢ଼ୁଚି, ତାଙ୍କର ଆଶା ସେତେ କ୍ଷୀଣ ହୋଇ ଆସୁଚି । ତାଙ୍କର ସର୍ବଦା ଭୟ କାଳେ ଦୁର୍ଗାପଦ ପଢ଼ାପଢ଼ି ଛାଡ଼ି ଅନ୍ୟ ସାଧାରଣ ପିଲାଙ୍କ ଭଳି ଏଥିରେହିଁ ମାତିବ । ଦୁର୍ଗାପଦର ମଧ୍ୟ ମନରେ ସୁଖ ନାହିଁ । ଗୋଟାଏ ଅଭାବ ତାର ମନକୁ ସର୍ବଦା ଆଚ୍ଛନ୍ନ କରି ରଖିଥାଏ । ସେଦିନ ମନର ଏହିପରି ଅବସ୍ଥାରେ ସେ କାଠଯୋଡ଼ି କୂଳରେ ଛିଡ଼ା ହୋଇଥିଲା । ନଦୀରେ ଆସିଛି ପ୍ରବଳ ବନ୍ୟା । ନଈ ବନ୍ଧ ଅର୍ଦ୍ଧ ବୃତ୍ତାକାରରେ ଯେଉଁଠି ନଈ ଭିତରକୁ ପଶି ଯାଇଛି ପାଣିର ଧକ୍‌କାଲାଗି ସେଠାରେ ଭୟଙ୍କର ଭଉଁରୀ ହୁଏ । କଟକରେ ଏହି ଭଉଁରୀ ଭିତରେ ପହଁରିବାକୁ କେବଳ ଦୁର୍ଗାପଦ ସକ୍ଷମ । ସେ ଯେତେବେଳେ ଏହି ଭଉଁରୀ ଭିତରେ ପହଁରେ ନଈ ବନ୍ଧରେ ଲୋକର ଭିଡ଼ ହୁଏ ତାର ଅଦ୍ଭୁତ ସନ୍ତରଣ କୌଶଳ ଦେଖିବାକୁ । ପଶ୍ଚିମ ଆକାଶରେ ଅସ୍ତଗାମୀ ସୂର୍ଯ୍ୟ ଯେଉଁ ଅପୂର୍ବ ଶୋଭାମାନ ସୃଷ୍ଟି କରୁଥିଲା, ସେଥିପ୍ରତି ତାର ଲକ୍ଷ୍ୟ ନାହିଁ । ସେ ଭାବୁଥାଏ ନିଜକଥା । ହଠାତ୍ ଦେଖିପାରିଲା ଗୋଟିଏ ବାଳିକା ବୁରୁଜ ଉପରେ ଛିଡ଼ାହୋଇ ପାଣିର ଭୟଙ୍କର ଦୃଶ୍ୟ ଉପଭୋଗ କରୁଅଛି । ସେ କିଏ ଜାଣିବାର ଅବସର ବା ଆବଶ୍ୟକତା ନାହିଁ । ସେ ସାଙ୍ଗେ ସାଙ୍ଗେ ଘରକୁ ଯାଇ ଲୁଗା ବଦଳାଇ ଆସି ଭଉଁରୀ ଭିତରେ ପହଁରିବାକୁ ଲାଗିଲା ଏବଂ ଗର୍ବର ସହିତ ଅନାଇ ଦେଖିଲା ଭୟ ଓ ଆଶ୍ଚର୍ଯ୍ୟରେ ବାଳିକାର ଆଖି ଯୋଡ଼ିକ କିପରି ବିଷ୍ଫାରିତ । ସେ ଅଧିକ ଉତ୍ସାହରେ ନାନା କୌଶଳ ଦେଖାଇବାକୁ ଲାଗିଲା । କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ ହେଲା ତା’ର ସାଙ୍ଗ ଗୋପାଳ । ସୁନ୍ଦର ସୁଶ୍ରୀ ଚେହେରା, ଅସାଧାରଣ ବାକ୍‌ପଟୁ । ପାଣିକୁ ତାର ଛେଳିପରି ଭୟ ହେଲେହେଁ ପଶ୍ଚାତ୍‌ପଦ ହେବାର ପିଲା ସେ ନୁହଁ । ଉପରେ ଛିଡ଼ାହୋଇ ସେ ଦୁର୍ଗାପଦକୁ ନାନା ଉପଦେଶ ଦେବାକୁ ଲାଗିଲା । ତାର କଥାବାର୍ତ୍ତାରେ ସେ ଏପରି ପରିସ୍ଥିତି ସୃଷ୍ଟିକଲା ଯେ ସମସ୍ତେ ଭାବିଲେ ସେ ଦୁର୍ଗାପଦର ସନ୍ତରଣ ଶିକ୍ଷକ । ଅବସ୍ଥାଟି ବୁଝିପାରି ସେ ଅଧିକ ଭୟପ୍ରଦ କୌଶଳମାନ ଦେଖାଇବାକୁ ଲାଗିଲା । ଗୋଟିଏ ବଡ଼ ଭଉଁରୀରେ ବୁଡ଼ିଯାଇ ଦୁର୍ଗାପଦ ତା ଭିତରେ ଅନେକ କ୍ଷଣ ରହିଲା । ସମସ୍ତେ ଭୟରେ ଚାହିଁ ରହିଲେ । ଦୁର୍ଗାପଦ ସଗର୍ବେ ଆଉ ଗୋଟିଏ ଭଉଁରୀ ଭିତରେ ପାଣି ଭିତରୁ ବାହାରିଲା ଏବଂ ଅନାଇ ଦେଖିଲା ରାଜକୁମାରୀ ଅପହୃତା । ଉପରକୁ ଆସି ଦେଖିଲା ଗୋପାଳ ବାଳିକା ସହିତ ହସି ହସି କଥା କହିଯାଉଛି ।

 

ସେଦିନ ରାତିରେ ତାର ଭାରି ଜ୍ଵର ହେଲା । ହୃଦୟର ସେହି ଶୂନ୍ୟତା ଯେପରି ତାର କଣ୍ଠରୋଧ କରିବାକୁ ଲାଗିଲା । ମନ କଥା କାହାକୁ ନ କହିବା ଯାଏଁ ମନ ଭିତରେ ଲାଖି ରହିଲା ଗୋଟାଏ ଅସହ୍ୟ ଅସ୍ୱସ୍ତି । କାନ୍ଥରେ ଟଙ୍ଗାହୋଇଥିବା ଶ୍ରୀକୃଷ୍ଣଙ୍କ ଚିତ୍ର ତାର ନଜରରେ ପଡ଼ିଲା । ମୁହଁରେ ଲାଗି ରହିଛି ଗୋଟିଏ କ୍ଷୁଦ୍ର ହସ । ଏହି କ୍ଷଦ ହସ ଯେପରି ପୋଛିଦେଲା ତାର ବେଦନାର ସମସ୍ତ କାଳିମା । ତାର ମନେ ହେଲା ଭଗବାନ୍ ତାର ଯୁଗ ଯୁଗ ଧରି ବନ୍ଧୁ । ଚିତ୍ରଟି ସାମନାରେ ଥୋଇ ଦୁର୍ଗାପଦ ତାର ବ୍ୟର୍ଥ ହୃଦୟ ଅଜାଡ଼ି ଦେଲା । ଅନେକଟା ହାଲୁକା ଲାଗିଲା ।

 

X X X

 

ଦୁର୍ଗାପଦ ବର୍ତ୍ତମାନ କୋଡ଼ିଏ ବର୍ଷର ଯୁବକ । ଯୌବନର ପ୍ରାରମ୍ଭରେ ପ୍ରକୃତିର ସଙ୍କେତ ଅସ୍ପଷ୍ଟ ହେଲେହେଁ ଦୁର୍ବାର । ରକ୍ତ ମାଂସରେ ଗଢ଼ା ଗୋଟିଏ ନାରୀ ସେ ଖୋଜେ । ଅମୂର୍ତ୍ତ ପ୍ରେମରେ ସେ ମାଦକତା ପାଏ ନାହିଁ ।

 

ଆଶା, ପ୍ରତୀକ୍ଷାରେ ଦୁର୍ଗାପଦର ଚାରିବର୍ଷ ଚାଲିଗଲା । ଏତିକି ଟିକିଏ ଅଭାବ ଯୋଗୁଁ ତାର ସବୁ ଦିଗରେ ସାଫଲ୍ୟ ନିରର୍ଥକ ମନେ ହେଲା । ଶୂନ୍ୟତାରେ, ବେଦନାରେ ତାର ମନ ମଝିରେ ମଝିରେ ବ୍ୟାକୁଳ ହୋଇଉଠେ । ଦୁର୍ଗାପଦ ଯେଉଁଦିନ ବି. ଏ. ପାଶ କଲା, ସେଦିନ ମଧ୍ୟ ବିଷ୍ଣୁ ବାବୁ ହାତରେ ଲଡ଼ୁ ହାଣ୍ଡି ଧରି ଅଗଣାରେ ଛିଡ଼ା ହେଲେ । ତାଙ୍କର ଆଶା ପୂର୍ଣ୍ଣ ହେବାକୁ ଆଉ ବେଶୀ ଡେରି ନାହିଁ । ଉତ୍ତେଜନାରେ ତାଙ୍କର ଆଖି ଯୋଡ଼ିକ ସେଦିନ ମଧ୍ୟ ଉଜ୍ଜ୍ୱଳ ହୋଇ ଉଠିଥିଲା ।

 

ଦୁର୍ଗାପଦର ଇତି ମଧ୍ୟରେ କିନ୍ତୁ ଅନେକ ପରିବର୍ତ୍ତନ ହୋଇଛି । ନିଜର ବିଗତ-ଜୀବନ କଥା ଭାବୁ ଭାବୁ ଦୁର୍ଗାପଦ ଦିନେ ଚମକି ଉଠିଲା । ଏତେ ଦିନ ସେ କଠୋର ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲା । ପିତାଙ୍କର ଓ ନିଜର ଅତ୍ୟଧିକ ଦମନ ଯୋଗୁଁ ଧିରେ ଧିରେ ତା ଭିତରେ ଯୌନ ବିକାର ସହ ନାନା ମାନସିକ ବିକୃତି ମୁଣ୍ଡ ଟେକିବାର ଦେଖି ଦୁର୍ଗାପଦ ହତୋତ୍ସାହ ହୋଇପଡ଼ିଲା । ଆଗର ସହଜ ସରଳ ମନ ଆଉ ତାର ନାହିଁ । ହିଂସା, ଅବିଶ୍ଵାସ, କଳହପ୍ରିୟତା, ଈର୍ଷା, ଆଳସ୍ୟ, ଲୋଭ ଆଦି ଧୀରେ ଧୀରେ କେତେବଳେ ଯେ ପ୍ରବେଶ କଲେ ସେ ଏପର୍ଯ୍ୟନ୍ତ ବୁଝିପାରିନଥିଲେ । ସେ ଚମକି ଯେତେବେଳେ ନିଜର ସ୍ୱରୂପ ଦେଖିଲା ସେତେବେଳେ ସେ ଗୋଟି ଗୋଟି କରି ମନର ସବୁ ଦୁଆର ବନ୍ଦ କରିଦେବାକୁ ଚେଷ୍ଟା କଲା । ମନର ସରଳ ସହଜ ଗତିକୁ ସେ କଣ୍ଠରୋଧ କରି ମାରିଦେବାକୁ ବସିଲା । ଯେଉଁ କାର୍ଯ୍ୟ ତାର ପିତା ଏତେ ଦିନ କରି ଆସୁଥିଲେ ନିଜ ଅଜ୍ଞାତରେ ସେ କାର୍ଯ୍ୟଗୁଡ଼ିକୁ ନିଜେ କରିବାକୁ ଆରମ୍ଭ କଲା । ବାହାର ସହିତ ଆଉ କୌଣସି ସମ୍ପର୍କ ରଖିଲା ନାହିଁ । ମୁଣ୍ଡର ବାଳଗୁଡ଼ିକ ଲଣ୍ଡା କରି ସେ ପିନ୍ଧିଲା ଗେରୁଆ ମୋଟା ଧୋତି ଓ ଚାଦର । ଭୟରେ ସମସ୍ତ ବିଳାସ ସେ ତ୍ୟାଗ କଲା । ମନର ଦୁର୍ବଳତା ଯେତେ ବଢ଼ିବାକୁ ଲାଗିଲା, ତାର ଅନୁଷ୍ଠାନ ସେତେ ବଢ଼ିବାକୁ ଲାଗିଲା । ବିଷ୍ଣୁ ବାବୁ ପୁତ୍ରର ପରିବର୍ତ୍ତନ ଦେଖି ଆନନ୍ଦିତ ହେଲେ । କିନ୍ତୁ ବରଦା ଦେବୀ ଭୟରେ କହିଲେ, ଶୁଣୁଚ, ପୁଅକୁ ବାହା କରିଦିଅ, ନ ହେଲେ ସେ ଦଣ୍ଡ କମଣ୍ଡଳୁ ଧରି ବାହାରିଯିବ । ବିଷ୍ଣୁ ବାବୁ ହସି କହିଲେ, ପାଗଳ ହେଲ । ପଢ଼ାପଢ଼ି ସମୟରେ ମନ ଏସବୁ ଆଡ଼େ ଯିବା ଭଲ । ପଢ଼ାପଢ଼ି ସରିଲେ ରୋଜୋଗାର କଲେ ମନ ଫେରାଇବାକୁ କେତେକ୍ଷଣ ଲାଗିବ ।

 

ଏତେ କରି ମଧ୍ୟ ଦୂର୍ଗାପଦ ନିଜ ଅନ୍ତରର ଇଚ୍ଛାକୁ ଲୋପ କରିପାରିଲା ନାହିଁ । ଗୋଟିଏ ଇଚ୍ଛା ବହୁ ଇଚ୍ଛା ହୋଇ ବହୁ ବିକୃତ ରୂପଧରି ତାକୁ ଟାଣିଲେ । ଦୂର୍ଗାପଦର ନିଜ ଉପରେ ଭିକ୍ଷଣ ଘୃଣା ଜାତ ହେଲା ଏବଂ ପ୍ରତିଫଳିତ ହେଲା ପୃଥିବୀ ଉପରେ । ବିଫଳ ହୋଇ ସେ ଭାବିଲା ବିବାହ କଲେ ତାର ସବୁ ବିକୃତି ଚାଲିଯିବ । ନିଜର ଅଭିପ୍ରାୟ ସେ ପ୍ରକାରାନ୍ତରେ ପ୍ରକାଶ କଲା । ବରଦା ଦେବୀ ଭୟରେ ଭୟରେ ପ୍ରସ୍ତାବଟା ସ୍ଵାମୀଙ୍କ ଆଗରେ ଥୋଇଲେ ଏବଂ ବହୁ ଗଞ୍ଜଣା ସହ୍ୟ କରି ଫେରିଲେ । ଦୁର୍ଗାପଦକୁ ମଧ୍ୟ ଅନେକ ଅପମାନ ସହି ‘ବାହାପାଗଲ’ ଦୁର୍ନାମ ସହ୍ୟ କରିବାକୁ ପଡ଼ିଲା ।

 

ନିରାଶ ହୋଇ ସେ ସ୍ଥାନ ପରିବର୍ତ୍ତନ ପାଇଁ ବ୍ୟାକୁଳ ହୋଇଉଠିଲା । ପିତାଙ୍କୁ ଅନେକ ବୁଝାଇ ସେ ଗଲା ପାଟନା ଏମ୍. ଏ.,ବି. ଏଲ. ପଢ଼ିବାକୁ । ବିଷ୍ଣୁବାବୁ ନିଜର ଓ ପରିବାରର ସମସ୍ତଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ତାଙ୍କର ସାମାନ୍ୟ ଆୟର ତିନି ଭାଗରୁ ଦୁଇଭାଗ ପଠାଇଲେ ପୁତ୍ର ପାଖକୁ । ପାଟନା ଆସି ପ୍ରଥମ କେତେଦିନ ଅବଶ୍ୟ ଭଲ ଲାଗିଲା, କିନ୍ତୁ ଅଳ୍ପଦିନ ପରେ ତାର ଅନ୍ତରର ବୁଭୁକ୍ଷା ପୁଣି ଦେଖା ଦେଲା । ଏତେ ଦିନ ନିଜ ସହିତ ଯୁଦ୍ଧକରି ତାର ଶରୀର ଭାଙ୍ଗି ପଡ଼ିଥିଲା । ଆଉ ଯୁଦ୍ଧ କରିବାର ଶକ୍ତି ଓ ପ୍ରେରଣା ସେ ହରାଇଚି । ଏଥର ସେ ନିଜକୁ ଭସାଇ ଦେଲା ପ୍ରବୃତ୍ତିର ସ୍ରୋତରେ । ତାର ମନ ଯୁକ୍ତି କଲା, ଯୌନ ପ୍ରବୃତ୍ତି, କ୍ଷୁଧା ଓ ତୃଷ୍ଣା ଭଳି ଗୋଟିଏ ଶାରୀରିକ ପ୍ରବୃତ୍ତି । ପ୍ରେମ ଏହି ପ୍ରବୃତ୍ତିର ନାମାନ୍ତର ମାତ୍ର । ଅତଏବ ଏ ମୌଳିକ ପ୍ରବୃତ୍ତିଟି ଚରିତାର୍ଥ ହେଲେ ତାହାର ଏ ନିର୍ମମ ଦୁର୍ବଳତା ଚାଲିଯିବ ।

 

ଦିନେ ଗୋଟିଏ ସାଙ୍ଗ ସହିତ ସେ ଗଲା ବେଶ୍ୟା ଘରକୁ । ଅପରିଷ୍କାର, ଅସ୍ୱାସ୍ଥ୍ୟକର ପରିସ୍ଥିତି ମଧ୍ୟରେ ଗୋଟିଏ ପ୍ରୌଢ଼ା ବେଶ୍ୟା । ବନ୍ଧୁ ବୟସ ବିଷୟରେ ପଚାରିବାରୁ ବେଶ୍ୟାଟି ଯାହା କଲା ସେଥିରେ ଅତି ବଡ଼ କାମୁକର ମଧ୍ୟ ବିତୃଷ୍ଣା ହେବ । ବେଶ୍ୟାଟି ନିଜର ବକ୍ଷ ଉନ୍ମୁକ୍ତ କରି ପ୍ରମାଣ ଦେଲା ସେ ଯୁବତୀ । କିନ୍ତୁ ଯେଉଁ ଘଟଣାଟି ତା ମନକୁ ବିତୃଷ୍ଣା ଆଣିଦେଲା, ତାହା ବନ୍ଧୁକୁ ଅଧିକ କାମୋନ୍ମତ୍ତ କଲା । କିଛିକ୍ଷଣ ପରେ ସେ ଚମକି ପଡ଼ି ଶୁଣିଲା, ତୁ ଯିବୁ ନାହିଁ ? ଦୂର୍ଗାପଦ ଘୃଣାରେ କିଛି କହିପାରିଲା ନାହିଁ । ନିର୍ଲଜ ଭାବରେ ତାର ବନ୍ଧୁ ହସି କହିଲା, ପ୍ରଥମ ଥର ଏମିତି ଲାଗେ । ଦୁଇ ତିନିଥର ଆସିଲେ ଠିକ୍ ହୋଇଯିବ । ଦୁର୍ଗାପଦ ସେଦିନ ଘୃଣାରେ ମୁହଁ ଘୁରାଇ ନେଇଥିଲା । ସେଦିନ ସେ ବୁଝିପାରିନଥିଲା ଯେ ଏ ଘଟଣାଟି ତାର ଅଜ୍ଞାତରେ ଶିକ୍ଷା ଓ ରୁଚିର ବାହ୍ୟ ଆବରଣ ଭେଦ କରି ସ୍ପର୍ଶ କରିଛି ମନର ଗୋଟାଏ ନିଗୂଢ଼ ସ୍ତରକୁ । ମନର ଗହ୍ଵରରେ ଥିବା ଇଚ୍ଛାଗୁଡ଼ିକ ପ୍ରଚଣ୍ଡ ଶକ୍ତିରେ ସବୁ ବାଧା ଠେଲି ବାହାରକୁ ବାହାରି ଆସିଲେ । ଦୁର୍ଗାପଦ ନାନା ବିଳାସରେ ନିଜକୁ ବୁଡ଼ାଇ ଦେଲା । ଯେଉଁ ଯୌନ ଜ୍ଞାନ ତାର ପାଇବାର ଉଚିତ ଥିଲା ସୁନ୍ଦର ସ୍ଵାସ୍ଥ୍ୟକର ପରିସ୍ଥିତିରେ ତାହା ସେ ପାଇଲା ଅତି ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ।

 

ଦୁର୍ଗାପଦର ଚିନ୍ତା ପିଲାଦିନରୁ ଅନ୍ତର୍ମୁଖୀ । ଦିନେ ଗଙ୍ଗାକୂଳରେ ଏକା ବସି ଭାବୁ ଭାବୁ ସେ ପୁଣି ଚମକି ଉଠିଲା । ଭଗବାନଙ୍କୁ ଭାବି ବା ପ୍ରାର୍ଥନା କରି ସେ ଆଜି କାଲି ସାନ୍ତ୍ଵନା ପାଏ ନାହିଁ । ତାର ବିଶ୍ଵାସ ଜନ୍ମିଛି ଭଗବାନ ବ୍ୟର୍ଥ ଏବଂ ଭୀତ ମାନବର କଳ୍ପନା । ସେ ପାଟନାରୁ ପୁଣି କଟକ ପଳାଇ ଆସିଲା । ଦୁର୍ଗାପଦର ମାମୁଁ ଥାନ୍ତି ପାଟନାରେ । ବିଷ୍ଣୁ ବାବୁ ତାଙ୍କଠାରୁ ସବୁ ଶୁଣି ସାରିଥିଲେ । ସ୍ଥିର ଦୃଷ୍ଟିରେ କେବଳ ଚାହିଁ ରହିଲେ । କ୍ରୋଧ ଏବଂ ହତାଶାରେ ତାଙ୍କ ମୁହଁରୁ କଥା ବାହାରିଲା ନାହିଁ । ଥରେ ଭାବିଲେ ଆଶା ଯେତେବେଳେ ଗଲା ସେତେବେଳେ ପୁତ୍ରରେ ପ୍ରୟୋଜନ କଅଣ । କିନ୍ତୁ ତଦପି ନ ମୁଞ୍ଚତି ଆଶାବାୟୁଃ । ଉଦ୍ୟତ କ୍ରୋଧକୁ ଚାପିରଖି ଦୁର୍ଗାପଦକୁ ପୁଣି ବୁଝାଇବାକୁ ଲାଗିଲେ । ଦୁର୍ଗାପଦ ଯେ ବୁଝିଲା ତା ନୁହେଁ; ପିତାଙ୍କର ଆଶା ଭାଣ୍ଡ ଉପରେ ତାର ଦୟା ହେଲା । ନିଜର ବ୍ୟର୍ଥତା ପାଇଁ ମରଣୋନ୍ମୁଖୀ ପିତାଙ୍କୁ କଷ୍ଟ ଦେଇ ଲାଭ କଅଣ ? ପୁଣି ସେ ପଢ଼ାପଢ଼ିରେ ମନ ଦେଲା । ସେ ନିଜକୁ ହଜାଇ ଦେଲା ନାନା କର୍ମରେ । ସାହାଯ୍ୟ ସମିତି, ସାହିତ୍ୟ ସମିତି, ବ୍ୟାୟାମ ବିଦ୍ୟାଳୟ ଆଦି ନାନା କର୍ମରେ ସେ ନିଜକୁ ବୁଡ଼ାଇ ରଖିଲା । ବିଷ୍ଣୁ ବାବୁଙ୍କୁ ଏସବୁ ଭଲ ଲାଗୁନଥିଲେ ମଧ୍ୟ ସେ ବୁଝିପାରିଥିଲେ ପୁତ୍ରର ଯଥେଷ୍ଟ ବୟସ ହୋଇଚି-। ଓକିଲାତି ପାଶ୍‍ହେଲା । କିନ୍ତୁ ବିଷ୍ଣୁ ବାବୁ ଆଉ ବଞ୍ଚିଲେ ନାହିଁ । ବୟସ ତାଙ୍କର ଯଥେଷ୍ଟ ହୋଇଥିଲା । ତାଙ୍କର ଆଶା ନାନା ବ୍ୟର୍ଥତାରେ ଭାଙ୍ଗି ପଡ଼ିଥିବା ଶରୀରକୁ ଆଉ ବେଶୀଦିନ ଟାଣି ନେଇପାରିଲା ନାହିଁ । ପରୀକ୍ଷା ଫଳ ବାହାରିବାର ଅଳ୍ପ ଦିନପରେ ସେ ପ୍ରାଣ ତ୍ୟାଗ କଲେ । ମୃତ୍ୟୁ ସମୟରେ ତାଙ୍କର ଆଖି ଦିଓଟି ଅମରତ୍ଵର ଆଶାରେ ଉଜ୍ଜ୍ୱଳ ହୋଇଉଠିଥିଲା । ସେ ଦୁର୍ଗାପଦ ମୁହଁକୁ ଚାହିଁ ଚାହିଁ ଶେଷ ନିଶ୍ଵାସ ଛାଡ଼ିଲେ । ମରିବା ଆଗରୁ ସେ ଦୁର୍ଗାପଦ ଉପରେ ଆଶୀର୍ବାଦର ବୋଝ ଲଦି ଦେଇଗଲେ ।

 

ଆଶୀର୍ବାଦ ସହିତ ଯେଉଁ ଦାରିଦ୍ର୍ୟର ବୋଝ ମଧ୍ୟ ଲଦା ହେଲା ସେଥିରେ ଦୁର୍ଗାପଦର ଆଉ ଓକାଲତି କରିବା ହେଲାନାହିଁ । ପନ୍ଦର ଜଣ ବିଶିଷ୍ଟ ଗୋଟିଏ ପରିବାରର ଭାର ପଡ଼ିଲା ଦୁର୍ଗାପଦର ଦୁର୍ବଳ ଓ ଅନଭିଜ୍ଞ କାନ୍ଧ ଉପରେ । ନିଜର ସେ ସ୍ଵାସ୍ଥ୍ୟ ଓ କର୍ମ ପ୍ରେରଣା ନାହିଁ । ସେଥିରେ ଯୋଗ ଦେଲା ଅର୍ଥଚିନ୍ତା । ତାର ହୃଦୟରେ ଯେଉଁ ନିଆଁ ଜଳୁଥିଲା ତାହା ତାକୁ ତିଳେ ଦଗ୍‌ଧ କରୁଥିଲା । ଏହି ସମୟରେ ଦାରିଦ୍ର୍ୟର ବିକଟ ରୂପ ଆଖି ସାମନାରେ ଦେଖି ସେ ଆତଙ୍କିତ ହୋଇଉଠିଲା । ପିତାର ମୃତ୍ୟୁର ମାସକ ଭିତରେ ତାର ବୟସ ଦଶବର୍ଷ ଆଗେଇ ଯାଇଚି । ଦର୍ପଣ ସାମନାରେ ଛିଡ଼ାହୋଇ ଅଣତ୍ରିଶ ବର୍ଷର ଯୌବନ ଦେଖି ତାହାର ଲଜ୍ଜା ହେଲା । ପ୍ରକୃତି କିନ୍ତୁ ନିର୍ମମ । ଏତେ କଷ୍ଟରେ ମଧ୍ୟ ତାହାର ନାକ ଦଉଡ଼ି କୋହଳ ହୋଇନାହିଁ । ଗୁପ୍ତରେ ସେ ତାର କାର୍ଯ୍ୟ କରିଚାଲିଚି । ଦୁର୍ଗାପଦ ବର୍ତ୍ତମାନ ବୈଶିଷ୍ଟ୍ୟ ଆଣିବାକୁ ଲାଗିପଡ଼ିଲା ତାର ଜ୍ଞାନରେ । ଲେଖାଲେଖି ସେ ଅନେକ ଦିନ ଆଗରୁ ଛାଡ଼ି ଦେଇଥିଲା । ପୁଣି ଆରମ୍ଭ କଲା । ନାନା ବହି ପଢ଼ି ସେ ଜ୍ଞାନ ବୃଦ୍ଧି କରିବାକୁ ଲାଗିଲା । ତାହାର ଜ୍ଞାନ ଓ ସ୍ଵାଧୀନ ଚିନ୍ତାଧାରା ପାଇଁ ସେ କିଛି ସୁଖ୍ୟାତି ମଧ୍ୟ ଲାଭ କଲା । କ୍ରମେ କ୍ରମେ ଏହି ସୁଖ୍ୟାତି ପ୍ରତି ତାର ଗୋଟାଏ ମୋହ ଜାତ ହେଲା । ସଭା ସମିତିରେ ବକ୍ତୃତା ଦେଇ କରତାଳି ଉପଭୋଗ କରିବାରେ ସେ ଗୋଟାଏ ମାଦକତା ଅନୁଭବ କଲା । ଯେଉଁ ବୈଶିଷ୍ଟ୍ୟ ଫୁଟାଇବାରେ ତାର ଗୋଟିଏ ନାରୀକୁ ଆକୃଷ୍ଟ କରିବା ଉଦ୍ଦେଶ୍ୟ ଥିଲା ତାହା ବିକୃତ ହୋଇ ବର୍ତ୍ତମାନ ବ୍ୟାପକ ପ୍ରଶଂସା ଏବଂ ବହୁଲୋକ ଉପରେ ପ୍ରଭାବ ବିସ୍ତାର ପ୍ରତି ମୋହରେ ପରିଣତ ହେଲା ।

 

ଭାରତର ସ୍ଵାଧୀନତା ସଂଗ୍ରାମ ସେତେବେଳେ ତୀବ୍ର ଆକାର ଧାରଣା କରିଥାଏ । ଦ୍ଵିତୀୟ ମହାଯୁଦ୍ଧରେ ପଶ୍ଚିମ ପଟେ ଇଂରେଜମାନଙ୍କର ସ୍ଥିତି ଯେତେ ହାସ୍ୟକର ହେଉଥାଏ ଭାରତରେ ସେମାନଙ୍କ ଶାସନ ସେତେ ନିର୍ମମ ହେଉଥାଏ । ଶାସନ ଚାଲିଥାଏ ସେତେବେଳେ ବନ୍ଧୁକ ମୁନ ଓ ଅର୍ଡିନାନ୍‌ସ ଦ୍ୱାରା । ସବୁ ନେତାମାନେ ଥାଆନ୍ତି ଜେଲରେ । ଭାରତୀୟ ମାନଙ୍କ ଅପମାନ ପହଞ୍ଚି ଥାଏ ଚରମ ସୀମାରେ । ଦୁର୍ଗାପଦକୁ ଏ ଅପମାନ ଯେତେବେଳେ ଅସହ୍ୟ ବୋଧ ହେଲା ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ଚାହିଁଲା । ଘରେ ତା’ର ଉଦ୍ଦେଶ୍ୟ ଜଣାଇଲା । ସମସ୍ତେ ସମସ୍ୱରେ କ୍ରନ୍ଦନ କରି ଉଠିଲେ । ବରଦା ଦେବୀ ଭାରି ଭୀରୁ । ଦୁର୍ଗାପଦ ପିତାର ବୁଦ୍ଧି ସହିତ ପାଇଛି ମାତାର ଭୀରୁତା । ବରଦା ଦେବୀ କାନ୍ଦି କାନ୍ଦି କହିଲେ, ଆମ ଆଡ଼କୁ ନ ଚାହିଁ ତୋର ବାପା ଯେ ଏତେ ଖର୍ଚ୍ଚ କଲେ, ତାହା କ‌ଅଣ ଏଇଥିପାଇଁ ? ଯାହାର ଏତିକି ଟିକିଏ କର୍ତ୍ତବ୍ୟବୋଧ ନାହିଁ । ସେ କ‌ଅଣ ଯିବ ଦେଶର କାମ କରିବାକୁ !

 

ଅଗତ୍ୟା ଚାକିରିଟିଏ ପାଇଁ ସେ ବ୍ୟସ୍ତ ହେଲା । ବାପା ବଞ୍ଚିଥିବାବେଳେ ସେ ଜଣେ ଉଚ୍ଚପଦସ୍ଥ ଇଂରେଜ କର୍ମଚାରୀଙ୍କୁ ପ୍ରହାର କରିଥିଲା । ଅବଶ୍ୟ ଦୋଷ ଥିଲା କର୍ମଚାରୀଙ୍କର । ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ପାରିନଥିବାରୁ ତା’ ମନରେ ଯେଉଁ କ୍ଷୋଭ ଥିଲା, ନିଜର ଭୀରୁତା ପାଇଁ ତା ନିଜ ଉପରେ ଯେଉଁ ରାଗ ଥିଲା, ସେ ରାଗ ପଡ଼ିଲା ସେ ଇଂରେଜ ଉପରେ । ଏ ଘଟଣା ପାଇଁ ଦୁର୍ଗାପଦର ଚାକିରି ମିଳିବା ଅସମ୍ଭବ ହୋଇଗଲା । କୌଣସି ଭାରତୀୟ ସରକାରୀ ବା ବେସରକାରୀ କର୍ମଚାରୀ ତାକୁ ସାମାନ୍ୟ ଖଣ୍ଡେ ଚାକିରି ଦେଲେନାହିଁ । ଘରର ଆର୍ଥିକ ଅବସ୍ଥା ଏପରି ଯେ ଭିକ୍ଷା ବୃତ୍ତି କରିବାକୁ ଆଉ ଡେରି ନଥାଏ । ସ୍ତ୍ରୀ ଓ ବାଳକ ବାଳିକା ନେଇ ପନ୍ଦର ଜଣ ବିଶିଷ୍ଟ ଗୋଟିଏ ପରିବାର । ସ୍ତ୍ରୀ ମାନଙ୍କର ଏପରି କୌଣସି ଗୁଣ ନାହିଁ ଯେ ଅର୍ଥୋପାର୍ଜନରେ ସାହାଯ୍ୟ କରିବେ । ଦୁର୍ଗାପଦ ସମସ୍ତ ଲଜ୍ଜ୍ୟା ଓ ଉଚ୍ଚାଶା ତ୍ୟାଗ କରି ଚାକିରି ଅନୁସନ୍ଧାନରେ ବୁଲିବାକୁ ଲାଗିଲା । ସବୁଠୁଁ ବଳି ତାକୁ ଅପମାନ ଲାଗିଲା ଏକଥା ଦେଖି ଯେ ଯେଉଁ କନ୍ୟା ପିତାମାନେ ବିଷ୍ଣୁ ପ୍ରସାଦ ବାବୁ ବଞ୍ଚିଥିବା ସମୟରେ ବାରମ୍ବାର ବିବାହ ପ୍ରସ୍ତାବ ସହ ନାନା ପ୍ରଲୋଭନ ଦେଖାଉଥିଲେ । ସେମାନେ ଏ ଦୁର୍ଦ୍ଦିନରେ ଥରେ ଚାହିଁଲେ ବି ନାହିଁ । ଶେଷରେ ଚାକିରୀ ଦେଲେ ଜଣେ ଇଂରେଜ ।

 

ସାମାନ୍ୟ ପ‌ଇଁତିରିଶ ଟଙ୍କାର ଚାକିରି ହେଉ ପଛେ ଘରେ ସମସ୍ତେ ନିଃଶ୍ୱାସ ମାରିଲେ । ଦୁର୍ଗାପଦ କିନ୍ତୁ ଭାଙ୍ଗି ପଡ଼ିଲା । ଘରେ ଯାହା ସାମାନ୍ୟ କେତେ ଖଣ୍ଡ ଅଳଙ୍କାର ଓ ଜମି ଥିଲା, ତାହା ବିକ୍ରୟ ହୋଇଗଲା । ଦୁର୍ଗାପଦ ତଥାପି ଆଦର୍ଶ ଭ୍ରଷ୍ଟ ହୋଇନାହିଁ । କିନ୍ତୁ ଋଣଦାତାମାନେ ଯେତେବେଳେ ଦାଣ୍ଡରେ ଅପମାନ କରିବାକୁ ଛାଡ଼ିଲେ ନାହିଁ ସେତେବେଳେ ଦୁର୍ଗାପଦ ଟିକିଏ ଭାବି ବସିଲା । ଯେଉଁଠି ତାର ଚାକିରି ସେଠି ଘୁଷ୍ ନେବାର ଯଥେଷ୍ଟ ସୁବିଧା ଥିଲେ ମଧ୍ୟ ତା’ର ଦିନେ ହେଲେ ଲୋଭ ହୋଇନାହିଁ । କିନ୍ତୁ ଅବସ୍ଥା ଏପରି ହେଲା ଯେ, ମାତ୍ର ଚାରିଅଣା ନେବାକୁ ତା’ର ଲୋଭ ହେଲା । ମନ ତା’ର ଯୁକ୍ତି କଲା, ଆଦର୍ଶ ବୋକାମିର ନାମାନ୍ତର ମାତ୍ର । ତା’ର ମଧ୍ୟ ବଞ୍ଚିବାର ଅଧିକାର ଅଛି । ଏ ଯୁଗରେ ଯଦି ବଞ୍ଚିବାର ଉପାୟ ଏହାହିଁ ହୁଏ, ସେ କାହିଁକି ଏ ଉପାୟ ନ କରିବ । କିନ୍ତୁ ଏଠି ବି ତା’ର ଭୀରୁତା ଏବଂ ଏଇଥିପାଇଁ ସେ ସାଧୁ ସାଜି ରହିଲା ସିନା, ସାଧୁ ତାର ଆନନ୍ଦ ପାଇଲା ନାହିଁ ।

 

କିନ୍ତୁ ପୁଣି ଦିନେ ସବୁ ଓଲଟ ପାଲଟ ହୋଇଗଲା । ଯେତେବେଳେ ବିମଳକାନ୍ତ ବାବୁ ତାଙ୍କର ସୁନ୍ଦରୀ କନ୍ୟାସହ ଦୁର୍ଗାପଦର ଘରର ଗୋଟିଏ ପାଖରେ ଭଡ଼ାନେଇ ରହିଲେ । ବାଣୀର ଉଚ୍ଚ କୁଚ, ବର୍ତ୍ତୁଳ ନିତମ୍ବ ଉପରେ ନର୍ତ୍ତିଳ କେଶ ଗୁଚ୍ଛ, ଅପାଙ୍ଗ ଚାହାଣୀ, ଲାସ୍ୟମୟ ଗମନ ତାକୁ ଦୁର୍ବାର ଶକ୍ତିରେ ଆକର୍ଷଣ କରିବାକୁ ଲାଗିଲା । ତାର ପ୍ରତି ପଦକ୍ଷେପରେ ଦୁର୍ଗାପଦର ପ୍ରତ୍ୟେକ ଧମନୀରେ ରକ୍ତ ଗରମ ହୋଇଉଠିଲା । ସେ ଅନୁଭବ କଲା ଯେପରି ତାର ମସ୍ତିଷ୍କ ଉପରେ ରକ୍ତର ଚାପ ବୃଦ୍ଧି ପାଇଛି । ଯୌବନର ପ୍ରାରମ୍ଭରେ ହୃଦୟରେ ଏହିପରି ବେଦନା ସେ ଅନୁଭବ କରିଥିଲା । ତାର ସୁପ୍ତ କାମନା ଜାଗ୍ରତ ହେଲା ଭୀଷଣ ବୁଭୁକ୍ଷା ନେଇ । ଆଉ ଯାହା କିଛି ବାକି ଥିଲା ବାଣୀର ମୁହଁରୁ ନିଜ ଲେଖାର ପ୍ରଶଂସା ଶୁଣି ମୁଣ୍ଡଟି ଏକଦମ୍ ଘୂରିଗଲା । ବାଣୀର କିରାଣୀକୁ ଘୃଣା । ଦୁର୍ଗାପଦ କାହାରିକୁ ନ‌ପଚାରି ଚାକିରିରୁ ଇସ୍ତଫା ଦେଲା । ଘରର ସମସ୍ତେ ପୁଣି ସମସ୍ୱରେ କ୍ରନ୍ଦନ କରି ଉଠିଲେ । ଦୁର୍ଗାପଦ ଗର୍ବର ସହିତ ବାଣୀର ମୁହଁକୁ ଚାହିଁଲା ପ୍ରଶଂସା ପାଇଁ-। ବାଣୀର ପାତଳା ଅଧରରେ ଖେଳିଗଲା ମୋନାଲିସାର ରହସ୍ୟମୟୀ ହସ । ଦୁର୍ଗାପଦ ତାହାକୁହିଁ ଯଥେଷ୍ଟ ମନେକଲା । ଯାହାର ପ୍ରତୀକ୍ଷାରେ ସେ ଯୌବନର ଉତ୍ତମାର୍ଦ୍ଧ କଟାଇ ଦେଇଛି ସେ ଆଜି ଦୁଆରେ । ଦୁର୍ଗାପଦର ଜୀବନଧାରା ବଦଳି ଗଲା । ତାର ଲୁପ୍ତ ପ୍ରେରଣା ଓ ଆଦର୍ଶ ଫେରିଆସିଲା-। ସାମାନ୍ୟ ଟିକିଏ ଦକ୍ଷିଣା ପବନରେ ଆକାଶର ଭୟଙ୍କର କଳାମେଘ ନିମିଷକେ ଅନ୍ତର୍ହିତ ହେଲାଭଳି ତାର ସବୁ ବିକୃତି ତିରୋହିତ ହେଲା । ଦୁର୍ଗାପଦ ପୁଣି ଲାଗିପଡ଼ିଲା ବ୍ୟାୟାମ ଓ ଲେଖା ପଢ଼ାରେ । ଅଳ୍ପଦିନ ଭିତରେ ତାହାର ଚେହେରାର ଅନେକ ପରିବର୍ତ୍ତନ ହୋଇଗଲା । ଦେହ ଓ ମନରେ ସେ ଅପୂର୍ବ ରୋମାଞ୍ଚ ଅନୁଭବ କଲା ।

 

ଓକିଲାତି ଆରମ୍ଭ କଲା । ଏଣେ ବାଣୀ ପାଇଁ ଅପେକ୍ଷା କରିବାର ତାର ଧୈର୍ଯ୍ୟ ନାହିଁ । ବର୍ଷ ବର୍ଷ ଧରି ଗୁପ୍ତ ପ୍ରଣୟ କରିବାକୁ ତାର ସମୟ ନାହିଁ । ତାର ପ୍ରତିଦ୍ୱନ୍ଦୀ ଶ୍ରୀନିବାସ ଦେଖିବାକୁ ସୁନ୍ଦର । ନିଜ ବିଷୟରେ ନାନା ଅଦ୍ଭୁତ କଥା ସୁନ୍ଦର ବିଶ୍ୱାସଯୋଗ୍ୟ ଭାବରେ କହି ସେ ବାଣୀର ମନ ଜୟ କରିବାକୁ ଚେଷ୍ଟା କରୁଚି । ବାଣୀର ସାମାନ୍ୟ ଇଚ୍ଛା ସେ ସାଙ୍ଗେ ସାଙ୍ଗେ ପୂରଣ କରେ । ଦୁର୍ଗାପଦ ଭାବେ ଏ ନିର୍ଲ୍ଲଜ୍ଜତାକୁ ବାଣୀ ନିଶ୍ଚୟ ଘୃଣା କରୁଚି । ନିଜର ନାନା ଗୁଣ ଓ ପୌରୁଷ ଦେଖାଇ ଦୁର୍ଗାପଦ ବାଣୀକୁ ଆକୃଷ୍ଟ କରିବାର ଚେଷ୍ଟାକରେ । କିନ୍ତୁ ତାର ଅନ୍ତରର ଭୟ ଶ୍ରୀନିବାସ ପ୍ରତି । ଥରେ ଶ୍ରୀନିବାସର ଏହି ନିର୍ଲଜ୍ଜତା ପାଇଁ ଦୁର୍ଗାପଦ ତାକୁ ଅପମାନ ଦେଇ କୁହେ । ଶ୍ରୀନିବାସ ଗୋଟାଏ ଅବଜ୍ଞାରେ ହସି ହସି କହେ, ଏଥିରେ ଲଜ୍ଜ୍ୟା କରିବାର କଅଣ ଅଛି । ବଗ ବା ମୟୂର ବଗୁଲୀ ବା ମୟୂରୀକୁ ଆକୃଷ୍ଟ କରିବା ପାଇଁ ନାନା ପ୍ରକାର ନୃତ୍ୟର ପ୍ରଦର୍ଶନୀ ଦେଖାଏ । ଏ ଦୃଷ୍ଟାନ୍ତ ପ୍ରାଣୀ ଜଗତରେ ବହୁଳ । ତୋ ମତରେ ଏ ମଧ୍ୟ ନିର୍ଲ୍ଲଜତା । କିନ୍ତୁ ଏହାହିଁ ପ୍ରକୃତିର ନିୟମ । ସମାଜର ଅପ୍ରାକୃତିକ ନିୟମ ଓ ଆଦର୍ଶ ଯୋଗୁଁ କେତେକ ବ୍ୟର୍ଥ ଯୁବକ ସାହିତ୍ୟରେ ନାରୀ ପ୍ରତି ଔଦାସୀନ୍ୟ ବା ଅବଜ୍ଞାର ଭାବ ଦେଖାଇ ନାରୀକୁ ଆକୃଷ୍ଟ କରିବାର ଯେଉଁ ପନ୍ଥା ଦେଖାଇ ଅଛନ୍ତି, ତାହା ଅନ୍ୟ ବ୍ୟର୍ଥ ଯୁବକର ମନକୁ ଭଲ ଲାଗିପାରେ, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ତାହା ଅଚଳ । ତା ଛଡ଼ା ସମାଜ ପକ୍ଷରେ ତାହା ଅସ୍ଵାସ୍ଥ୍ୟକର ମଧ୍ୟ ।

 

କେତେଥର ନଈ କୂଳରେ ବାଣୀ ସହିତ ଏକା ବସିଥିବା ସମୟରେ ଦୁର୍ଗାପଦ ଭାବିଛି ତାର ମନ ଖୋଲିଦେବାକୁ । କିନ୍ତୁ ଖାଲି ଚାହିଁ ରହିବା ଛଡ଼ା ସେ ଆଉ କିଛି କରିପାରି ନାହିଁ । ବ୍ୟର୍ଥତାର ଗୋଟାଏ ଅଯଥା ଗର୍ବ ଅଛି । ସେହି ଗର୍ବରେ ଦୁର୍ଗାପଦ ଇଚ୍ଛାକରେ ବାଣୀ ଆଗେ ଏ ଦୁର୍ବଳତା ପ୍ରକାଶ କରିବ । ଯେଉଁ ଅଗ୍ନି ତାକୁ ତିଳେ ତିଳେ ଦଗ୍‌ଧ କରୁଥିଲା, ତାହା ଅନୁଭବ କଲେ ମଧ୍ୟ ଦୁର୍ଗାପଦ ଏହାକୁ ଦୁର୍ବଳତା ବୋଲି ମନକୁ ଭୁଲାଇବାର ଚେଷ୍ଟା କରିଛି । ନିଜର ମନ ଖୋଲି ସବୁ କହିବାକୁ ଚେଷ୍ଟା କଲେ ମଧ୍ୟ ସେ କେବେହେଁ ତାହା କରି ପାରିନାହିଁ । ନିଜର ଏ ଅକ୍ଷମତା ଯେତେବେଳେ ତାର ଅସହ୍ୟ ବୋଧହୁଏ ସେତେବେଳେ ତାର ଆଖିରୁ ପାଣି ଝରିପଡ଼େ । ଦିନେ ସେ ସବୁ ଦୁର୍ବଳତା ଠେଲି ବାଣୀକୁ ତାର ମନକଥା କହିବାକୁ ତାର ଘରକୁ ଗଲା । ସେ ଦିନ ବାଣୀ ଘରେ ଏକା । ଘରକୁ ଯାଇ ସେ ଯାହା ଦେଖିଲା ସେଥିରେ ସେ ନିଶ୍ଚଳ ହୋଇ ଛିଡ଼ା ହୋଇ ରହିଲା । ବାଣୀ ଯାହାକୁ ଘୃଣାକରେ ବୋଲି ସେ ଭାବିଥିଲା ସେ ଆଲିଙ୍ଗନ କରି ରହିଛି ବାଣୀକୁ । ବାଣୀ ତାର ଛାତିରେ ମୁଣ୍ଡ ରଖି ଛିଡ଼ା ହୋଇ ରହିଛି । ଦୁର୍ଗାପଦର ମୁଣ୍ଡ ହଠାତ୍‌ ଘୂରିଗଲା । ସେ କୌଣସି ମତେ ନିଜକୁ ସମ୍ଭାଳି ଶ୍ରୀନିବାସର ମୁଣ୍ତ ଫଟାଇ ଦେବାର ଅଦମ୍ୟ ଇଚ୍ଛାକୁ ଚାପି ଧରି ଧୀରେ ଧୀରେ ଫେରି ଆସିଲା । ସମସ୍ତ ନାରୀ ଜାତି ପ୍ରତି ଘୃଣାରେ ତାର ଦେହ ଥରି ଉଠିଲା । କୌଣସି ନାରୀର ମସୃଣ ସୁନ୍ଦର ବେକ ଚିପି ମାରିଦେବାର କଳ୍ପନାରେ ସେ ଗୋଟାଏ ଆନନ୍ଦ ଅନୁଭବ କଲା ।

 

ଘରକୁ ଫେରିଆସି ବୃଥା କାରଣରେ ସେ ତାର ସାନ ଭଉଣୀକୁ ପ୍ରହାର କଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ । ସେ କିନ୍ତୁ ଭାବୁଥାଏ, ନାରୀ ସ୍ଵାଧୀନତା ଉତ୍ସୃଙ୍ଖଳତାର ନାମାନ୍ତର । ଆଜିକାଲି କାହାରି ସଂଯମ ନାହିଁ । ଏହି ଅସଂଯତାକୁ ପ୍ରଶ୍ରୟ ଦେବା ପାଇଁ ଗୋଟାଏ ମତ ଉଠିଚି ନାରୀକୁ ସ୍ୱାଧୀନତା ଦେବା । ମୁଁ ଯଦି କ୍ଷମତା ପାଆନ୍ତି... । ଏଇତ ନାରୀ । ବାହାରର କ୍ଷଣିକ ସୌନ୍ଦର୍ଯ୍ୟ ତଳେ ପୂଜ, କୃମି, କୁତ୍ସିତ ହାଡ଼, ମିଥ୍ୟା, ଛଳନା, ବ୍ୟଭିଚାର, ନରକ । ବୁଦ୍ଧ ଶଙ୍କରଙ୍କର ପନ୍ଥାହିଁ ଠିକ୍ ।

 

ପରଦିନ ତାର ଭୀଷଣ କମ୍ପ ସହ ଜ୍ଵର ଆସିଲା । ଏ ଜ୍ଵର ଛାଡ଼ିବାକୁ ଲାଗିଲା ତାର ତିନି ମାସ । ଚିକିତ୍ସା ବିନା ମରୁ ମରୁ ଦୁର୍ଗାପଦ ବଞ୍ଚି ଉଠିଲା କିନ୍ତୁ ନିଃଶ୍ୱାସ ମାରିବାକୁ ତାର ବେଳ ନାହିଁ । ଏତେ ଦିନ ଉତ୍ତେଜନାରେ ଘରର ଦାରିଦ୍ର୍ୟ କଥା ତାର ଖିଆଲ ନ ଥିଲା । ସାମାନ୍ୟ ଟିକିଏ ସୁସ୍ଥ ହୋଇ ସେ ଚାକିରି ଉଦ୍ଦେଶ୍ୟରେ ବାହାରିଲା । ବହୁ କଷ୍ଟରେ ହେଲେ ମଧ୍ୟ ଅଳ୍ପଦିନ ଭିତରେ ସେ ଖଣ୍ଡେ ଚାକିରି ପାଇଲା । ବିବାହର ଉପଯୁକ୍ତ ବୟସ ତାର ଅତିକ୍ରମ କରିଯାଇଛି । ଘରର ସମସ୍ତେ ପୁଣି ଥରେ ସମସ୍ୱରେ କ୍ରନ୍ଦନ କରି ଉଠିଲେ । ପ୍ରଥମ ଯୌବନ ବ୍ୟର୍ଥତାରେ କଟିଯିବା ପରେ ବିବାହ ଗୋଟାଏ ଦୁଃସାହସିକ କାର୍ଯ୍ୟ ମନେହୁଏ । କିନ୍ତୁ ସମବେତ କ୍ରନ୍ଦନର ଶକ୍ତିକୁ ସେ ଏଡ଼ିପାରିଲା ନାହିଁ । ସେ ଭାବିଲା, ପୃତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା । ତା ସହିତ ଆଉ ସମ୍ବନ୍ଧ କଅଣ ହେବ ? ଘରର ଓ ସମାଜର ମଙ୍ଗଳ ପାଇଁ ମୁଁ ଆଦର୍ଶ ବିବାହ କରିବି । ଯେଉଁ ସାମାଜିକ ଅଟ୍ଟାଳିକା ବିବାହ ଉପରେ ପ୍ରତିଷ୍ଠିତ ତାର ଭିତ୍ତି ମନର ସ୍ଵାସ୍ଥ୍ୟକର ଆନନ୍ଦରେ । ଦୁର୍ଗାପଦ ମନର ସେ ସ୍ଵାସ୍ଥ୍ୟ ହରାଇଚି ।

 

ସମାଜରେ ଯେତେବେଳେ ଯୌତୁକ ପ୍ରଥା ଘୃଣ୍ୟ ଆକାର ଧାରଣ କରିଥାଏ, ଦୁର୍ଗାପଦ ବିବାହ କଲା ଗୋଟିଏ ଅତି ଦରିଦ୍ର ପରିବାରର କନ୍ୟାକୁ ବିନା ଯୌତୁକରେ । ଘରର ସମସ୍ତେ ଅଗତ୍ୟା ଏହାକୁ ସମର୍ଥନ କଲେ । ଏ ବିବାହ ଯୋଗୁଁ ସେ ସମାଜରେ ପାଇଲା ସମ୍ମାନ ।

 

ପ୍ରତିମା ସୁନ୍ଦରୀ ହେଲେହେଁ ଏତେ ବୟସ ପର୍ଯ୍ୟନ୍ତ ତାର ବିବାହ ହୋଇନଥିଲା ପିତାର ଦାରିଦ୍ର୍ୟ ଯୋଗୁଁ । ଏଥି ସକାଶେ ପିତାଙ୍କଠାରୁ ବହୁ ଗଞ୍ଜଣା ସେ ପାଇଛି । ପିତା ପ୍ରକାରାନ୍ତରେ ତାକୁ ଆତ୍ମହତ୍ୟା କରିବାକୁ ମଧ୍ୟ କହି ଅଛନ୍ତି । ନିଜର ବ୍ୟର୍ଥ ଜୀବନ ବିସର୍ଜନ ଦେବାପାଇଁ ମନସ୍ଥ କଲାବେଳେ ସେ ପାଇଲା ଦୁର୍ଗାପଦ ଭଳି ସ୍ଵାମୀ, ଯାହାର ବାହାରେ ବେଶୀ ସୁନାମ । ବାସର ରାତିରେ ପ୍ରତିମା ତାର ବଡ଼ ବଡ଼ ସୁନ୍ଦର ଆଖି ଦିଓଟିରେ କୃତଜ୍ଞତା ଭରି ଦୁର୍ଗାପଦକୁ ଚାହିଁ ରହିଲା-। ଦୁର୍ଗାପଦ ଆଖିରେ ଫୁଟି ଉଠିଲା ଦୟା କରିବାର ଗର୍ବ ।

 

ବାର୍ଦ୍ଧକ୍ୟ ବିନା ଆୟାସରେ କିଛି ପାଇଲେ ସୌଭାଗ୍ୟ ମନେକରେ । ଯେତେ କ୍ଷୁଦ୍ର ହେଉ ନା କାହିଁକି ଯୌବନ ପ୍ରତ୍ୟେକ ଜିନିଷକୁ ଜୟକରି ଲାଭ କରିବାରେ ଆନନ୍ଦ ପାଏ । ଏହି ଜୟରେ ଲାଭଠୁଁ ରୋମାଞ୍ଚ ବେଶୀ । ପ୍ରତିମାକୁ ଦୁର୍ଗାପଦ ପାଇଛି, ଜୟ କରିନାହିଁ । ତାହାର ଏ ଆଦର୍ଶ ବିବାହ ସମାଜରେ ସମ୍ମାନ ଆଣି ଦେଇଛି, ଜୀବନରେ ପୁଲକ ଆଣି ଦେଇନାହିଁ । ଏହିଠାରେ ଦୁର୍ଗାପଦର ବ୍ୟର୍ଥତା । ଏହି ବ୍ୟର୍ଥତା ଉପରେହିଁ ଭବିଷ୍ୟତ୍ ଜୀବନର ମୂଳଦୁଆ ପକାଇବାକୁ ହେବ ।

 

ବିବାହ ଆଜିକୁ ବର୍ଷେ ହେବ ହୋଇଗଲେ ମଧ୍ୟ ଦୁହେଁ ଦୁହିଁଙ୍କଠାରୁ ଅଛନ୍ତି ବହୁ ଦୂରରେ-। ସମସ୍ତଙ୍କର ସେବା ଶୁଶ୍ରୁଷା ସାରି ପ୍ରତିମା ଯେତେବେଳେ ସମସ୍ତଙ୍କର ଧନ୍ୟବାଦ ଓ ଆଶୀର୍ବାଦ ନେଇ ଶୋଇବାକୁ ଆସେ ସେତେବେଳେ ସେ ସ୍ୱାମୀର ସେବା ସାରି ଦେହ ଓ ମନର କ୍ଳାନ୍ତିରେ ଶୋଇପଡେ଼ । ଏହାଛଡ଼ା ଦୁର୍ଗାପଦ ଆଉ କିଛି ପାଇନାହିଁ । ସେ ଦେଇଛି ବା କଅଣ ? ଦୁର୍ଗାପଦ ଯଥାସାଧ୍ୟ ଚେଷ୍ଟାକରେ ମନ ଭିତରେ ପ୍ରେମର ପୁଲକ ଜାତ କରାଇବାକୁ । ସେ ଭାବେ, ପ୍ରତିମା ଅପୂର୍ବ ସୁନ୍ଦରୀ । ମନଟି ତାର ସରଳ । ମୋର ଓ ଅନ୍ୟର ତୁଷ୍ଟି ପାଇଁ ସେ ସର୍ବଦା ବ୍ୟସ୍ତ । ମୋର ଭାଗ୍ୟ ମୁଁ ପ୍ରତିମାକୁ ସ୍ତ୍ରୀ ରୂପେ ପାଇଛି । ପ୍ରତିମା ମଧ୍ୟ ଭାବେ, ମୋର ଭାଗ୍ୟ ମୁଁ ଏଭଳି ସ୍ଵାମୀ ପାଇଛି । କେତେ ଜ୍ଞାନୀ ଓ ଦୟାଳୁ ! ଏ ବିବାହ ହୋଇନଥିଲେ ମୁଁ ଆତ୍ମହତ୍ୟା କରିଥାନ୍ତି କିମ୍ୱା କେଉଁ ଅପଦାର୍ଥର ହାତ ଧରି ଥାଆନ୍ତି ।

 

ଦୁହେଁ ଆପ୍ରାଣ ଚେଷ୍ଟା କଲେ ହୃଦୟରେ ସେହି ପୁଲକ ଜାତ କରାଇବାକୁ ଯାହାର ପ୍ରଭାବରେ ସମସ୍ତ ଦୁଃଖ କଷ୍ଟ ତୁଚ୍ଛ ମନେହୁଏ । କିନ୍ତୁ ଦୁହିଁଙ୍କର ସେ ଉତ୍ସ ବନ୍ଦ ହୋଇଯାଇଛି । ହୃଦୟରେ ଗୋଟାଏ ଯନ୍ତ୍ରଣା ପାଇବା ଛଡ଼ା ଆଉ କିଛି ଲାଭ ହୁଏନାହିଁ ମନର ଏହି ଅସହ୍ୟ ଅଚଳ ଅବସ୍ଥା ପାଇଁ ଦୁର୍ଗାପଦ ମଝିରେ ମଝିରେ ନିଜ ଉପରେ ଭାରି ରାଗି ଭାବେ, ଏହି ସାମାନ୍ୟ ପ୍ରେମର ଭାବ ଟିକକ ମୁଁ ଆଣି ପାରୁନାହିଁ ! ! କେବେ ମୋର ପ୍ରତିମା ପ୍ରତି ନିର୍ମଳ ପ୍ରେମ ଆସିବ । ଏହି ଛତ୍ରିଶ ବର୍ଷ ବୟସରେ ଏହି ବାର୍ଦ୍ଧକ୍ୟକୁ ଧିକ । ନାଃ—ପିଲାପିଲି ହେଲେ ସବୁ ପାଇବି ।

 

ପ୍ରତିମା ମଧ୍ୟ ଭାବେ ଏଇ ତ ଜୀବନ । ଏହାତ ସମସ୍ତଙ୍କ ଭାଗ୍ୟରେ ହୁଏ । ଆଉ କିଛି ନ ମିଳୁ ଦୁଃଖ କଷ୍ଟ ତ ନାହିଁ । ପିଲାଛୁଆ ହେଲେ ସବୁ ପାଇବି ।

 

ମନ ଭିତରେ ଯାହା ଥାଉ ବାହାରେ ଏମାନେ ଆଦର୍ଶ ଦମ୍ପତି । ଦୁହିଁଙ୍କ ଭିତରେ ସାମାନ୍ୟ ମନାନ୍ତର କେହି କେବେହେଁ ଦେଖି ନାହାନ୍ତି । ଏ ସୁଖ୍ୟାତି ତଳେ ଅଛି ଅଭିନୟ ଏବଂ ଅଭିନୟ ତଳେ ଅଛି ପୁଣି ନିଜ ସହିତ ଅବିରତ ଯୁଦ୍ଧ ।

 

ଦୁର୍ଗାପଦର ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଦୁଇଟି ମହାଯୁଦ୍ଧ ଶେଷ ହୋଇ ତୃତୀୟଟିର ସୂତ୍ରପାତ ହୋଇସାରିଛି । ବିଭିନ୍ନ ଦେଶର ଓ ଲୋକର ଶାନ୍ତି ଚେଷ୍ଟା ପୁଣି ଯୁଦ୍ଧର ନୂଆ କାରଣ ରୂପେ ଦେଖା ଦେଉଛି । କିନ୍ତୁ ବ୍ୟକ୍ତିର ଜୀବନରେ ଏହି ମହାଯୁଦ୍ଧ, ବାହ୍ୟ ସଫଳତା ସତ୍ତ୍ୱେ ବ୍ୟକ୍ତିର ଏହି ବିଭତ୍ସ ବିକୃତି, ପୃଥିବୀ ମହାଯୁଦ୍ଧର କାରଣ ନୁହଁ ବୋଲି କିଏ କହିପାରିବ !!!

 

ଦୁର୍ଗାପଦ ବର୍ତ୍ତମାନ ଛଅଟି ପିଲାର ପିତା । ପ୍ରତିମାର ଏଥିରେ ଆପତ୍ତି ନାହିଁ କିମ୍ବା ଦୁର୍ଗାପଦର ସ୍ତ୍ରୀର ସ୍ୱାସ୍ଥ୍ୟ ପ୍ରତି ଲକ୍ଷ୍ୟ ନାହିଁ । ଦୁହେଁ ହିଁ ମଝିରେ ମଝିରେ ଆତ୍ମହତ୍ୟାର ଇଚ୍ଛା ଦମନ କରି ଚାହିଁଥିଲେ ସନ୍ତାନ । ଦୁହିଁଙ୍କର ସୁଖ କଳ୍ପନା ସନ୍ତାନକୁ କେନ୍ଦ୍ର କରି । ପ୍ରତିମା ସବୁବେଳେ ବ୍ୟସ୍ତ ଥାଏ ସନ୍ତାନ ଓ ସ୍ୱାମୀର ସେବାରେ । ଦୁର୍ଗାପଦର ଲକ୍ଷ୍ୟ ଅର୍ଥ, ସମ୍ମାନ ଓ ପ୍ରତିପତ୍ତି । ବହୁ ପରିଶ୍ରମ କରି ଅଳ୍ପକାଳ ମଧ୍ୟରେ ତାର ଚାକିରିର ଅନେକ ଉନ୍ନତି ହୋଇଚି । ଆହୁରି ଉନ୍ନତି ତାର ଉଦ୍ଦେଶ୍ୟ । ଦେଶର ଅବସ୍ଥା ସୁଧାରିବା ପାଇଁ ସେ ନାନା ଉପାୟର ପ୍ରସ୍ତାବ ଦେଇ ଚାକିରିରେ ଉନ୍ନତି ଓ ପ୍ରଶଂସା ପାଇଛି । ଦେଶର ଅବସ୍ଥା ସୁଧାରିବା ବା ସମାଜରେ ଉନ୍ନତି ଆଣିବା ତାର ଲକ୍ଷ୍ୟ ନୁହେଁ । ତେଣୁ ତାର କର୍ମତତ୍ପରତାରେ ମାନବିକତା ନାହିଁ । ସେ ଯାହା ହେଉ ସୁଲେଖକ, ସଂସ୍କାରକ, କର୍ତ୍ତବ୍ୟନିଷ୍ଠ ବୋଲି ସେ ସମ୍ମାନ ସହିତ ଅର୍ଥ ଓ ପ୍ରତିପତ୍ତି ମଧ୍ୟ ପାଇଛି । କିନ୍ତୁ ଏହା ମାଦକ ଦ୍ରବ୍ୟ ଭଳି ସେ ଅଧିକରୁ ଅଧିକ ପାନ କରିବାକୁ ଚାହେଁ । ତାର ତୃପ୍ତି ନାହିଁ, ପ୍ରତିମା ମଧ୍ୟ ଶଶୁର ଘରେ ପାଇଛି ସମ୍ମାନ ତାର ସରଳତା ଓ ନିରାଡ଼ମ୍ବରତା ପାଇଁ । ସେ ମଧ୍ୟ ଅଧିକ ଆଶାରେ ନିଜର ସୁଖ, ଶାନ୍ତି, ସ୍ଵାସ୍ଥ୍ୟ ବିସର୍ଜନ ଦେଇ ଲାଗିଚି ସମସ୍ତଙ୍କୁ ତୁଷ୍ଟି କରିବାରେ ।

 

ତଥାପି ଦୁହିଁଙ୍କର ମନ ଦିନେ ଦିନେ ହାହାକାର କରି ଉଠେ । ଏଥିରୁ ଉଦ୍ଧାର ପାଇବା ପାଇଁ ମନ ସେମାନଙ୍କର ବେଳେ ବେଳେ ଆଉଟି ପାଉଟି ହୋଇଯାଏ । କିନ୍ତୁ କିଛି ବାଟ ନ ପାଇ ପୁଣି ଲାଗିଯାନ୍ତି ଘର କାମରେ, ନାନା କାମରେ, ସୁଖ୍ୟାତି ପାଇବାର ଚେଷ୍ଟାରେ, ଧନ କମାଇବାର ଚେଷ୍ଟାରେ ।

Image

 

ପରୀକ୍ଷା

 

ଧରଣୀ ବାବୁଙ୍କର ସାତ ବର୍ଷର ପୁଅ ବେଣୁ । ଓଃ, ଭାରି ଆନନ୍ଦ ତାର ସ୍କୁଲରେ ନାଁ’ ଲେଖାଇ । ଅଳ୍ପଦିନ ହେଲା ଚତୁର୍ଥ ଶ୍ରେଣୀରେ ତାର ନାଁ ଲେଖା ହୋଇଚି । ନୂତନ ଭାରତ ଇତିହାସ, ଭୌଗୋଳିକ କଥା, ଉଚ୍ଚ ସାହିତ୍ୟ, ସାଧାରଣ ଜ୍ଞାନ ଆଦି କେତେ ବହି ତା’ର ! ସେଥିରେ କେତେ ନୂଆ ନୂଆ କଥା ଅଛି ! ଭାରି ଗର୍ବରେ ସେ ବୋଉକୁ ବହି ସବୁ ପଢ଼ାଇ ଶୁଣାଏ, ବୋଉ ପାଖରେ କେତେ ବାହାଦୂରି କରେ । ସେ ସମୟରେ ଧରଣୀ ବାବୁ ପହଞ୍ଚିଗଲେ ମନଟା ତାର ଫିକା ପଡ଼ିଲା । ଆଜି ତାର କିନ୍ତୁ ଭାରି ଆନନ୍ଦ ଯେ, ତା ବହିକୁ ବାପା ମଧ୍ୟ ପଢ଼ୁଛନ୍ତି ପରୀକ୍ଷା ଦେବାପାଇଁ ।

 

ଧରଣୀ ବାବୁ ଚାଳିଶି ବର୍ଷରେ ପରୀକ୍ଷା ଦେବାକୁ ଯାଉଛନ୍ତି ଡେପୁଟି ହେବାପାଇଁ । ସେ ଯେତେବେଳେ ମାଟ୍ରିକ୍‍ ପାଶ କରିଥିଲେ, ସେତେବେଳେ ତାଙ୍କର ବାପା ବୋଉ ଆନନ୍ଦରେ କହିଥିଲେ, ‘ପୁଅ ଆମର ଦିପୋଟି ହେବ, ମଟର ଚଢ଼ିବ, କେତେ ଲୋକ ମାନିବେ...’ ସେ ଆଶା ସେମାନଙ୍କର ବିଫଳ ହେଲା । ଧନାଭାବରୁ ଧରଣୀବାବୁ ଆଇ .ଏ. ଉପରକୁ ଯାଇପାରିଲେ ନାହିଁ-। ଧନ ମାନ ଯଶ ପ୍ରତିପତ୍ତି ସ୍ନେହ ଆଦି ପାଇବାକୁ ପ୍ରତେକ ବାତୁଳ । ଅଥଚ ମୂଳ କଥାଟା ଦେଖିବାକୁ ଗଲେ ଆଉ କିଛି ନୁହେଁ, ଖାଲି ନିଜେ ନିରାପଦରେ ସୁଖରେ ବଞ୍ଚିରହିବା ପାଇଁ ଅନ୍ୟର ସାହାଯ୍ୟ ଓ ସାହସ ଲୋଡ଼ା । ପୁଣି ତା’ ଭିତରେ ପଶିଯାଏ ଆଉ ଗୋଟିଏ କଥା—ମୋର ହେଉ, ତା’ର ନ ହେଉ । କାରଣ ତା’ର ହେଲେ ସେ ଆଉ ମୋତେ ଅନାଇବ ନାହିଁ ବୋଲି ଭୟ । ତେବେ ଏମିତି ଲୋକେ ଥାନ୍ତି ଯେଉଁମାନେ ତ୍ୟାଗୀ ବା ସନ୍ଥ ନ ହେଲେ ବି ଗୋଟାଏ ନିର୍ବିବାଦର ଗୁଳା ଧରିନେଇ ଚାଲିଥାନ୍ତି ।

 

ଧରଣୀବାବୁ ସାଂସାରିକତାର ଗୁଳାଟି ଧରି ନେଇଥିଲେ । ଗୋଟିଏ ସାନ ଘର, ସବତ୍ସା ଗୋଟିଏ ଗାଈ, ବିଧବା ଭଉଣୀ ଓ ବୋଉ, ଚାରୋଟି ସନ୍ତାନ ଓ ଗୋଟିଏ ସ୍ତ୍ରୀ ନେଇ ତାଙ୍କ ସଂସାର । ବର୍ଷେ ହେବ ଦୁଇଜଣ ଭଣଜା ମଧ୍ୟ ଆସିଛନ୍ତି । ଜଣେ ଏମ୍.ଏସ୍‍ସି. ଓ ଅନ୍ୟ ଜଣେ ବି.ଏ ପଢ଼ନ୍ତି । ଏମାନଙ୍କ ଛଡ଼ା ତାଙ୍କର ସାନ ଭାଇ ହେମନ୍ତ ମଧ୍ୟ ସପରିବାରେ ଥାଆନ୍ତି । ରୋଜଗାର ଭିତରେ ତାଙ୍କର ଦେଢ଼ଶହ ଓ ହେମନ୍ତର ଅଶି । ସେଥିରେ ସଂସାରର ଯାବତୀୟ ଖର୍ଚ୍ଚ ଚଳାଇ ମଧ୍ୟ ସେ କିଛି ସଞ୍ଚୟ କରନ୍ତି । ଗୋଟିଏ କୋଠାଘର କରିବାକୁ ତାଙ୍କର ପଚିଶ ବର୍ଷର ଗୋଟିଏ ଯୋଜନା ଅଛି । ଧରଣୀ ବାବୁ ନିଜେ ବାରି ଘର ଖରକିବା, ଗାଈ ଗୁହାଳ ପରିଷ୍କାର କରିବା ଆଦି ସବୁ କରନ୍ତି । ସ୍ତ୍ରୀ ତାଙ୍କର ବାସନ ମାରିବା, ରୋଷେଇ କରିବା, ଲୁଗା କାଚିବା ଆଦି ସବୁ କାମ କରନ୍ତି । ନାନା ସାଂସାରିକ କର୍ମ ଓ ଚିନ୍ତାରେ ସମୟ ଚାଲିଯାଏ, ଅନ୍ୟ କିଛି ଚିନ୍ତା କରିବାର ସମୟ ବା ଇଚ୍ଛା ନଥାଏ ।

 

ସେଦିନ ସେ ଶୋଇବାକୁ ଯାଉଛନ୍ତି, ବଡ଼ ଭଣଜା ନୃସିଂହ ଖବରକାଗଜ ଖଣ୍ଡକ ଧରି ଧଇଁସଇଁ ହୋଇ ଆସି କହିଲା, ମାମୁଁ ଆପଣଙ୍କର ହୋଇଗଲା ନିଶ୍ଚୟ ।

 

କିରେ କଥା କଅଣ ? ଧରଣୀବାବୁ ଭୀତଭାବରେ ପଚାରିଲେ, କଅଣ ହେଲାରେ ? ହେ ଦୟାମୟ, ରକ୍ଷାକର । ବାପ ଶିଘ୍ର କହ କ’ଣ ହେଲା ।

 

ହୋଇ ତ ଯିବ ନିଶ୍ଚୟ, ଆଉ ସନ୍ଦେହ ନାହିଁ ।

 

ନୁର, ବାପ, ଜଲଦି କହ କଅଣ ହେଲା । ତୋର ସେ ନାଟକୀୟ ସସ୍‌ପେନ୍‌ସ ଥାଉ ।

 

ମାମୁଁ, ଡରିବାର କିଛି ନାହିଁ । ଡରୁଛନ୍ତି କ୍ୟାଁ ?

 

ଆମ ଭଳିଆ ଲୋକେ ସଦାବେଳେ ଭୟରେ ଥାଆନ୍ତି କେଉଁ ବିପଦ କେତେବେଳେ କେଉଁଆଡ଼ୁ ଆସିବ ବୋଲି । ତୁ ଜଲଦି କହ ।

 

ଦେଖନ୍ତୁ ଆଜି କାଗଜରେ ବିଜ୍ଞାପନ । ଡେପୁଟି ଚାକିରୀ ଖୋଲିଚି ଅନେକ । ଜରୁରୀ ଦରକାର ବୋଲି ଆଇ. ଏ. ପାଶ୍‌ବାଲା ବି ନେବେ । ବୟସ ତିରିଶରୁ ପଇଁଚାଳିଶ ଭିତରେ ହେବା ଦରକାର । ଖାଲି ଗୋଟାଏ ସାଧାରଣ ପରୀକ୍ଷା ଦେବାକୁ ହେବ ସାଧାରଣ ଜ୍ଞାନରେ । ସେଥିପାଇଁ କିଛି ଚିନ୍ତା ନାହିଁ । ପ୍ରତିବର୍ଷ ଯେଉଁ ଡେପୁଟି ପରୀକ୍ଷା ହୁଏ ତା ପାଇଁ ମୁଁ ପଢ଼ୁଚି । ଆପଣଙ୍କୁ ମୁଁ ପଢ଼ାଇ ଦେବି । ଆପଣଙ୍କର ନିଶ୍ଚୟ ହେବ । ଶୁଭସ୍ୟ ଶ୍ରୀଘ୍ରଂ । କାଲି ଦରଖାସ୍ତ ଦିଅନ୍ତୁ ।

 

ଧରଣୀ ବାବୁ ଦୀର୍ଘ ନିଶ୍ଵାସ ପକାଇ କହିଲେ, ନୁର, ସେ କଥା ବାପ କହନା ତୋ ମାଇଁ କି । ଶୁଣିଲେ ମୋତେ ସେ ଥୟ କରିବ ନାହିଁ । ଆମ କପାଳରେ ସେ ସବୁ ଲେଖି ନାହାନ୍ତି ଭଗବାନ । ଆମର ଏଇ ଭଲ ।

 

ନୃସିଂହ ଛାତ୍ର ନେତା । ମାମୁଁଙ୍କ କଥାରେ ତାର ନେତୃତ୍ୱ ଜାଗି ଉଠିଲା । ଗୋଟାଏ ବକ୍ତୃତା ଝାଡ଼ି ଦେଲା ।

 

—ମାମୁଁ, ମାମୁଁ, ଆପଣଙ୍କ ଭଳି ଲୋକମାନଙ୍କ ଯୋଗୁଁ ଭାରତର କିଛି ଉନ୍ନତି ହେବନାହିଁ । ଆପଣ ଶୋଇରହିଲେ କଅଣ ଆପଣଙ୍କୁ ଭଗବାନ ଦେଇଯିବେ ? ନିର୍ଭୀକ ଚିତ୍ତରେ ଆଗେଇ ଯିବାକୁ ହେବ ମାଡ଼ି ଦଳି ସବୁ ଦୁର୍ବଳତା, ମିଥ୍ୟା ଭୟ । ଭୟ କରିବା ହେଉଚି ସବୁଠୁ ବଡ଼ ପାପ । ଡାହାଣ ହାତ ମୁଠା କରି ଉପରକୁ ଟେକି ଛାତି ଫୁଲାଇ ବୀରୋଚିତ ପଦକ୍ଷେପରେ ସେ ଦୁଇ ପାହୁଣ୍ଡ ଆଗେଇଗଲା ।

 

ସିଆଡ଼େ ଯା’ନାରେ, ପୁଅ ମୁତିଚି, ଗୋଡ଼ ଖସି ଯିବ ।

 

ଖସୁ ଗୋଡ଼, ପରବାଏ ନାହିଁ ।

 

ହଉ ଆ, ବ’ସ । କଥା କଅଣ କହ ।

 

କିଛି କଥା ନାହିଁ । କାଲି ଯାଲ ଟ୍ରେଜେରିରେ ପଚିଶଟି ଟଙ୍କା ଜମା ଦେଇ ଗୋଟିଏ ଚାଲାଣ ଆଣନ୍ତୁ । ମୁଁ କାଲି ଗୋଟିଏ ଦରଖାସ୍ତ ଫର୍ମ ଆଣିଦେବି । ବାସ୍, ତାକୁ ପୂରଣ କରି ରଖିଥିବେ, ମୁଁ ସବୁ ବତେଇଦେବି । ତାହାପରେ ଯାହା କରିବାର ମୁଁ ସବୁ କରିଦେବି, ହେଲା । ମାଇଁ, ମାଇଁ ମ.......

 

ପ-ଚି-ଶ ଟଙ୍କା !!! ... ଧରଣୀ ବାବୁ ମୁଣ୍ଡରେ ହାତ ମାରିଲେ ।

 

ମାଇଁ, ମାଇଁ...ନୁର ଆହୁରି ପାଟିକରି ଡାକିଲା ।

 

ଧରଣୀ ବାବୁଙ୍କ ସ୍ତ୍ରୀ ଆସିଲେ । ସବୁ କଥା ଶୁଣି କହିଲେ, ନା, ତା କାହିଁକି କରିବ, ତୁମର କଅଣ ଯାଉଚି କି ? ବେଶ୍ ସୁଖରେ ଅଛ ଆପଣାର । ଚାକର ଖର୍ଚ୍ଚ ପଡ଼ୁନାହିଁ କି ପୂଜାରି ଖର୍ଚ୍ଚ ପଡ଼ୁନାହିଁ । ଧୋବା ଖର୍ଚ୍ଚ ପଡ଼ୁଥିଲା ଯେ ତାକୁ ବି ବନ୍ଦ କଲ । ଏତେ ଖଟି ବି ନିଅଣ୍ଟ ପଡ଼ିବା ବେଳକୁ ମୁଁ ଯିବି ସାଇପଡ଼ିଶାକୁ ହାତ ପତେଇବାକୁ । ସେଦିନ ଯାଇଥିଲି ଯେ ହରମୋହନ ବାବୁଙ୍କ ଘରକୁ...

 

କେଉଁ ହରମୋହନ ବାବୁ ? ଯିଏ ମାମୁଁଙ୍କ ସାଙ୍ଗରେ କିରାଣୀ ଥିଲେ ? ବର୍ତ୍ତମାନ ଡେପୁଟି ହୋଇଛନ୍ତି ?

 

ହଁ, ଯାଇଥିଲି ଯେ ତାଙ୍କ ଘରକୁ ମାତ୍ର ଦୁଇଟଙ୍କା ଧାର ମାଗିବାକୁ, ତାଙ୍କ ସ୍ତ୍ରୀ କହିଲେ, ଏଇଥିପାଇଁ ସେ କିରାଣୀଙ୍କ ଭିତରେ ରହିବାକୁ ଚାହାନ୍ତି ନାହିଁ । କହୁ କହୁ ସେ କାନ୍ଦି ପକାଇଲେ ।

 

ନୃସିଂହ ଦ୍ଵିଗୁଣ ଉତ୍ସାହରେ କହିଲା, ଆପଣଙ୍କ ଭଗବାନ ତ କହିଚନ୍ତି, କ୍ଷୁଦ୍ରଂ ହୃଦୟ ଦୌର୍ବଲ୍ୟମ୍...

 

ହଁ, ପରୀକ୍ଷା ଦବାକୁ ହେବ । ମୁଁ ଆଉ ଏତେ କଷ୍ଟ ସହିପାରିବି ନାହିଁ, ଆଖି ପୋଛି ଧରଣୀ ବାବୁଙ୍କ ସ୍ତ୍ରୀ କହିଲେ ।

 

ସାନ ଭଣଜା ଯାଦବ ଆସି ସବୁ ଶୁଣି କହିଲା, ମାମୁଁ, ଏଇତ ସେଦିନ ବାପା ଆପଣଙ୍କଠାରୁ ବୟସରେ ବଡ଼ ହୋଇ ବି ପରୀକ୍ଷା ଦେଇ ପାସ୍ କରି ବଡ଼ ଚାକିରି ପାଇଲେ । ତିନିଶହ ପାଉଥିଲେ, ବର୍ତ୍ତମାନ ତାଙ୍କର ଦରମା ସାତ ଶହ । ମୁଁ ଆପଣଙ୍କୁ ଇକନମିକ୍‌ସ, ଇତିହାସ ଇତ୍ୟାଦି ପଢ଼ାଇଦେବି, କିଛି ଚିନ୍ତା ନାହିଁ...

 

ବୋଉ ଶୁଣି କହିଲେ, ନୁର, ବାପ, ମୁଁ କଅଣ ଜନ୍ମ ହୋଇଚି ଖାଲି କିରାଣୀର ମା ହବାକୁ... ? ତାଙ୍କ ଆଖିରୁ ମଧ୍ୟ ପାଣି ଝରି ପଡ଼ିଲା ।

 

ଶେଷରେ ସାବ୍ୟସ୍ତ ହେଲା, ଟଙ୍କାର ଭାର ନେବେ ଧରଣୀ ବାବୁଙ୍କ ସ୍ତ୍ରୀ, ବୋଉ ଓ ଭଉଣୀ । ଚାଲାଣ ଆଣି ଦେବ ଯାଦବ । ଦରଖାସ୍ତ ଆଣିଦେବ ନୃସିଂହ । ଆଉ ପରୀକ୍ଷା ପାଇଁ ପଢ଼ାଇ ଦେବେ ଯାଦବ ଓ ନୃସିଂହ । ଧରଣୀବାବୁଙ୍କୁ କିଛି କରିବାକୁ ପଡ଼ିବ ନାହିଁ । ପରୀକ୍ଷା ବୋଲି ତ ସାଧାରଣ ଜ୍ଞାନ । ପରୀକ୍ଷା ପୂର୍ବରୁ ସାତଦିନ ଛୁଟି ନେଲେ ଯଥେଷ୍ଟ । ସାତ ତୁଣ୍ଡରେ ତ ଛେଳି କୁକୁର । ସେଥିରେ ପୁଣି ଧରଣୀବାବୁଙ୍କ ଯେଉଁ କାମନାଟି ଶୁଖି ଶୁଖି ମନର କେଉଁ କ’ଣରେ ଏଡ଼େ ବକଟେ ହୋଇ ପଡ଼ିଥିଲା । ପାଣି ପବନ ପାଇ ବଙ୍କେଇ ବଙ୍କେଇ ବାହାରକୁ ଆସି ଫଣାଟେକି ଦୋହଲିବାକୁ ଲାଗିଲା ।

 

ପରୀକ୍ଷା ଆସିଗଲା । ଧରଣୀ ବାବୁ ସାତଦିନ ଛୁଟିନେଇ ପଢ଼ିବାକୁ ଆରମ୍ଭ କଲେ । ଯାଦବ ଓ ନୃସିଂହ ବହୁ ଆଲୋଚନା ପରେ ପଢ଼ାର କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ । ହେମନ୍ତ କଚେରିରୁ ଥାକେ ଉତ୍କଳ ପ୍ରସଙ୍ଗ, ପାଞ୍ଚବାର୍ଷିକ ଯୋଜନା, ମୌଳିକ ଶିକ୍ଷା, ଗ୍ରାମପଞ୍ଚାଏତ, ଅଞ୍ଚଳଶାସନ, ଗ୍ରାମଗୋଷ୍ଠୀ ଯୋଜନା, ଜାତୀୟ ସଂପ୍ରସାରଣ ଇତ୍ୟାଦି ବହି ଆଣି ଜମା କରିଦେଲେ । ନୃସିଂହ ମଧ୍ୟ ସାଧାରଣ ଜ୍ଞାନ ବିଷୟରେ ନାନା ବହି ଆଣି ଜମା କରିଦେଲା ।

 

ଆଚ୍ଛା, ଆଜି ଦିନ ଭଲ । ବିଦ୍ୟାରମ୍ଭେ ଗୁରୁଶ୍ରେଷ୍ଠ । ମୁଁ ପଢ଼ାଇବି ଚିକିତ୍ସା ବିଜ୍ଞାନ, ଅଙ୍କ ଆଦି ବିଷୟରେ ସାଧାରଣ ଜ୍ଞାନ । ଆଚ୍ଛା ମାମୁଁ, କହିଲେ, ନିଉଟନଙ୍କ ଲ’ ଅଫ୍ ମୋଶନ୍ କଅଣ ? ନୃସିଂହ ପଚାରିଲା ।

 

ମୋଶନ୍ ? ମୋଶନ୍ ? ମାନେ...

 

ନା, ଆପଣ ଜାଣନ୍ତି ନାହିଁ । ପ୍ରଥମ ଲ’ ହେଉଚି, ବାହାରର କୌଣସି ଶକ୍ତିର ତାଡ଼ନା ନ ପାଇବା ପର୍ଯ୍ୟନ୍ତ ଯେ କୌଣସି ବସ୍ତୁ ସ୍ଥିର ଥାଏ ବା ସମାନ ଗତିରେ ଯାଉଥାଏ । ଦ୍ଵିତୀୟ ନିୟମ ହେଉଚି...

 

ଯାଦବ ପହଞ୍ଚି ଯାଇ କହିଲା, ଯାଃ, ବର୍ତ୍ତମାନ ମୋର ପଢ଼ାଇବା ସମୟ । ମାମୁଁ, କହିଲେ ଗ୍ରାସ୍‌ହାମ୍‌ସ୍ ଲ’ କଅଣ ?

 

ଗ୍ରାସ୍‌ହାମ୍‌ସ୍ ଲ’ ? ଯେ କୌଣସି ପ୍ରାଣୀ ତାଡ଼ନା ପାଇଲେ...

 

ନା, ନା, ମାମୁଁ ଏଟା ଅର୍ଥଶାସ୍ତ୍ରର ନିୟମ । ଖରାପ ମୁଦ୍ରା ଭଲ ମୁଦ୍ରାକୁ ବଜାରରୁ ତଡ଼ି ଦିଏ । ଆଚ୍ଛା, ବେଲ୍‌ଗ୍ରେଡ଼୍ କେଉଁଠି ?

 

ଜାଣେ ନା ।

 

ୟୁଗୋସ୍ଲୋଭିୟାର ରାଜଧାନୀ । ଭାରତର ଶେଷ ହିନ୍ଦୁ ରାଜା କିଏ ?

 

ଜାଣେ ନା ।

 

ପୃଥ୍ଵୀରାଜ । ଆଚ୍ଛା ପତଞ୍ଜଳି କେଉଁଥି ପାଇଁ ପ୍ରସିଦ୍ଧ ?

 

ଜଣେ ନା ।

 

ନର୍ଗିସ୍ କିଏ ?

 

ଜଣେ ନା ।

 

ଯାଦବ ହତାଶ ଭାବରେ କହିଲା, ନା ନୁର ଭାଇ, ହବ ନାହିଁ ଏମିତି । ମାମୁଁ ନର୍ଗିସ୍ କିଏ ଜାଣନ୍ତି ନାହିଁ !! ରୀତିମତ ପଢ଼ାଇବାକୁ ହେବ ।

 

ଧରଣୀ ବାବୁ ହସି କହିଲେ, ଦେଖୁଚି, ତୁମର ସାଧାରଣ ଜ୍ଞାନ ଅର୍ଜନ କରିବା ମାନେ ସର୍କସର ଜୋକର ସାଜିବା ।

 

ନୃସିଂହ ଥିଓରି ଅଫ୍ ରିଲେଟିଭିଟି ଠାରୁ ଆରମ୍ଭ କରି ବେଣୁର ଅଙ୍କ ବହି ପର୍ଯ୍ୟସ୍ତ ପଢ଼ାଇବାକୁ ଲାଗିଲା । ଯାଦବ କୁଟୀର ଶିଳ୍ପ ଆଦିଠାରୁ ଆରମ୍ଭ କରି ବେଣୁର ଇତିହାସ ଭୂଗୋଳ ବହି ପର୍ଯ୍ୟନ୍ତ ପଢ଼ାଇବାକୁ ଲାଗିଲା । ଧରଣୀ ବାବୁଙ୍କ ନିଃଶ୍ୱାସ ମାରିବା ସମୟ ନାହିଁ । ସକାଳୁ ଦିନ ଏଗାରଟା ଯାଏ ପଢ଼ାଏ ନୃସିଂହ । କଲେଜରୁ ଫେରି ଯାଦବ ପଢ଼ାଏ ରାତି ବାରଟା ପର୍ଯ୍ୟନ୍ତ । ଖରାବେଳେ ସ୍ତ୍ରୀ ପଢ଼ାଇବାକୁ ବସନ୍ତି ଉତ୍କଳ ପ୍ରସଙ୍ଗ ଆଦିରୁ ଓ ବେଣୁର ଇତିହାସ ଭୂଗୋଳ ବହିରୁ ପଚାରନ୍ତି । କ୍ରମେ କ୍ରମେ ଧରଣୀ ବାବୁଙ୍କ ଉତ୍ସାହ ବଢ଼ିବାକୁ ଲାଗିଲା ।

 

ପରୀକ୍ଷା ପୂର୍ବ ଦିନ ରାତିରେ ଯାଦବ ଓ ନୃସିଂହ ସବୁ ପଢ଼ା ପୁଣିଥରେ ଗଡ଼ାଇ ଦେବାକୁ ଯାଇ ରାତି ଗୋଟାଏ କରିଦେଲେ । ପଢ଼ିସାରି ଧରଣୀ ବାବୁ ଶୋଇବାକୁ ଗଲେ । ନିଦ କିନ୍ତୁ ତାଙ୍କର ହେଲାନାହିଁ । ଶୋଇ ଶୋଇ ସେ ଡେପୁଟି ଜୀବନର ନାନା ସୁଖ କଳ୍ପନା କରିବାକୁ ଲାଗିଲେ । ହଠାତ୍ କାହାର ଧୀର ସ୍ପର୍ଶରେ ସେ ଚମକି ପଡ଼ି ଦେଖିଲେ ଛିଡ଼ା ହୋଇଛି ବେଣୁ । ସୁଖ କଳ୍ପନାରେ ବାଧା ପଡ଼ିବାରୁ ଧରଣୀ ବାବୁ ବିରକ୍ତ ହୋଇ ତାକୁ ଗାଳି ଦେବାକୁ ଯାଉଥିଲେ । ବେଣୁ ଧୀରେ ଗୋଟାଏ ବହି ବଢ଼ାଇ ଦେଇ କହିଲା, ବାପା, ତୁମେ ଏ ବହିଟି ପଢ଼ିନା ? ଧ୍ରୁବ କିପରି ଭଗବାନଙ୍କୁ ପାଇଲେ ଏଥିରେ ଅଛି । ଦେଖିବ, ତୁମ ମାଷ୍ଟ୍ରେ ନିଶ୍ଚୟ ଏ କଥା ପଚାରିବେ । ବହିଟି ଦେଇ ବେଣୁ ଦୌଡ଼ି ପଳାଇଲା ।

 

ଧରଣୀ ବାବୁ ବହିଟି ଧରି ଅପଲକ ଦୃଷ୍ଟିରେ ଚାହିଁ ରହିଲେ । ରାତ୍ରିର ନିସ୍ତବ୍‌ଧତା ଭଙ୍ଗ କରି ପେଚାଟା ତିନିଥର ରାବିଦେଲା...ହୁଁ, ହୁଁ, ହୁଁ ।

Image

 

ଲେଖା ଓ ଲେଖକ

 

ଚିନ୍ତାଶୀଳତା ପାଇଁ ବନ୍ଧୁ ମହଲରେ ବିପିନର ବେଶ୍ ଖ୍ୟାତି । ତା’ର ଅନ୍ତରଙ୍ଗ ରମେଶ ତାକୁ ଅନେକବାର କହିଚି, ବିପିନ, ତୋର ଚିନ୍ତାଧାରାରେ ଯେପରି ନୂତନତ୍ୱ ଅଛି ସେସବୁ ଲେଖାରେ ପ୍ରକାଶ କଲେ ତୋର ଯେ କେବଳ ଖ୍ୟାତି ହେବ ତା ନୁହେଁ, ସମାଜର ମଧ୍ୟ କଲ୍ୟାଣ ହେବ ।

 

ବିପିନ କୁହେ, ମହା ମହା ଚିନ୍ତାନାୟକମାନେ ଅନେକ ଲେଖିଯାଇଛନ୍ତି । ସମାଜ ଟିକେ ବଦଳିଛି କି ? ଆଉ, ଖ୍ୟାତି ମୁଁ ଚାହେଁନା ।

 

—ଆରେ, ଆରେ । ତୋ ଚିନ୍ତାରେ ଟିକିଏ ଭୁଲ୍ ଦେଖୁଚି । ତୁ କହୁଚୁ ବୁଦ୍ଧ, ଯିଶୁ, ଚୈତନ୍ୟ ଏମାନଙ୍କ ଦ୍ୱାରା କିଛି ଲାଭ ହୋଇନି । ତେବେ ମାନବ ସମାଜକୁ ଆଗେଇ ନେଇଚି କିଏ ଶୁଣେ ? ନା, ନା, ତୁ ଲେଖ୍ । ପୃଥିବୀର ଅନ୍ୟାୟ ଅବିଚାର, ଶୋଷଣ, ଯୁଦ୍ଧ ବିରୁଦ୍ଧରେ ତୁ ଯୁଦ୍ଧ ଘୋଷଣା କର । କଲମର ଶକ୍ତି ଖଣ୍ଡାଠୁ ବଳେ । ମା ବସୁନ୍ଧରା ଏ ଯୁଗରେ ଭାରି ବିପନ୍ନା, ଚିନ୍ତାନ୍ୱିତା । ତୁ ତା’ର ଦୁଃଖ ମୋଚନ କର । ତୋର ଯେମିତି ଚିନ୍ତାଶକ୍ତି ତୁ ନିଶ୍ଚେ ପାରିବୁ । ଅନେକଙ୍କୁ ଆଲୋକ ଦେବ, ସାହସ ଦେବ ତୋ ଲେଖା । ଆଉ ମୁଁ ଖ୍ୟାତି ଚାହେଁନା ଏ ଗୋଟାଏ ଅହଙ୍କାରିଆ କଥା । ତୁ ତୋର ଲେଖିଯିବୁ । ଖ୍ୟାତି ଆସିଲେ ଆସିଲା, ନ ଆସିଲେ ନାହିଁ । ଆସିଲେ ବି ଖୁସି ନାହିଁ, କି ନ ଆସିଲେ ବି ଦୁଃଖ ନାହିଁ । ଖ୍ୟାତି ପାଇଁ ତୋତେ କିଏ ଲେଖିବାକୁ କହୁଚି ?

 

ବିପିନ ହତାଶ ଭାବରେ ପୁଣି ସେଇ କଥା କୁହେ, ଆଜି ପର୍ଯ୍ୟନ୍ତ ପୃଥିବୀରେ ଲେଖକ ଓ ଭାବୁକମାନେ ଅନେକଥର ଯୁଦ୍ଧ ଘୋଷଣା କରିଚନ୍ତି ଅନ୍ୟାୟ, ଅବିଚାର ବିରୁଦ୍ଧରେ । ଲାଭ କଅଣ ହୋଇଚି ? ମୋତେ ଯେତେ ମାଠିବୁ ମାଠ......

 

—ଫଳ ଫଳି ନାହିଁ ! ! ରୁଷୋ, ଭୋଲଟାୟାରଙ୍କ ଲେଖାରେ ଫରାସୀ ବିଦ୍ରୋହ ହେଲା, ମାର୍କସ୍‌ଙ୍କ ଲେଖାରେ ରୁଷିଆରେ ବିଦ୍ରୋହ ହେଲା... ଲେଖକମାନେହିଁ ତ...

 

—ଆରେ, ବିଦ୍ରୋହ ତ ହେଲା ମାନୁଚି । ବୁଦ୍ଧ, କନ୍‌ଫୁସିୟସ୍, ସକ୍ରେଟସ, ଯିଶୁଖ୍ରୀଷ୍ଟ, ମହମ୍ମଦ, ରାମମୋହନ, ଚୈତନ୍ୟ, ବିବେକ ନନ୍ଦ, ଗାନ୍ଧୀ ସମସ୍ତେତ ବିଦ୍ରୋହ ଆଣିଚନ୍ତି । କିନ୍ତୁ ଲୋକମାନଙ୍କର ମନ ବା ଅବସ୍ଥା ଯଥା ପୂର୍ବ ତଥା ପରଂ । ଆଦିମ ଗୁହା ଯୁଗର ମଣିଷଠାରୁ ଏଇ ବିଂଶ ଶତାବ୍ଦୀର ବିଜ୍ଞାନ ଯୁଗର ମଣିଷ ଭିତରେ କୌଣସି ମୌଳିକ ପାର୍ଥକ୍ୟ ଘଟିଚି କି ? ଲେଖକ ଭାବୁକର ଅଭାବ କେବେହେଁ ଘଟିନାହିଁ । କୌଣସି ଗୋଟିଏ ସମୟରେ ଗୋଟିଏ ସାମାଜିକ ଦୋଷ ପ୍ରବଳ ହୋଇଉଠେ ଏବଂ ସମଗ୍ର ମାନବ ଜାତିର ଧ୍ଵଂସର କାରଣ ହୋଇଉଠେ । ସେହି ସମୟରେ ଜଣେ ଭାବୁକର ଆବିର୍ଭାବ ହୁଏ । ସେ ଦୋଷ ବା ପାପ ବିରୁଦ୍ଧରେ ସେ ଯୁଦ୍ଧ ଘୋଷଣା କରନ୍ତି । ବିଦ୍ରୋହ ହୁଏ ଏବଂ ବିଦ୍ରୋହ ସଫଳ ମଧ୍ୟ ହୁଏ । କିନ୍ତୁ ଏହାର ପରିଣାମ କଅଣ ହୁଏ ? ଉକ୍ତ ଭାବୁକକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଓ ମତବାଦ ସୃଷ୍ଟି ହୁଏ । ସେହି ଗୋଷ୍ଠୀ ସେ ମତବାଦକୁ ଚରମ ସତ୍ୟ ବୋଲି ପ୍ରଚାର କରନ୍ତି ଏବଂ ଅନ୍ୟ କୌଣସି ନୂତନ ମତବାଦକୁ ଦମନ କରିବାରେ ଲାଗିପଡ଼ନ୍ତି । କାରଣ ତା ନ କଲେ ତାଙ୍କର ପ୍ରାଧାନ୍ୟ ରହିବ ନାହିଁ । ପ୍ରାଧାନ୍ୟ ନେଇ ସେହି ଗୋଷ୍ଠୀ ମଧ୍ୟରେ ଭେଦ ସୃଷ୍ଟି ହୁଏ ମଧ୍ୟ । ଲୋକେ ମୌଳିକ ଭାବକୁ ଭୁଲିଯାଇ ପରସ୍ପର ହିଂସାରେ ମାତି ଉଠନ୍ତି । କ୍ରମେ କ୍ରମେ ବହୁ ନିରର୍ଥକ ଅନୁଷ୍ଠାନ ଗଢ଼ି ଉଠେ । ମୂଳ ଚିନ୍ତାଟି ନାନା ରୂପେ ବିକୃତ ହୁଏ । ନିଜର ଦୋଷରେ ନିଜେ ଯେତେ ଦୁର୍ବଳ ହେଉଥାଆନ୍ତି ଅନ୍ୟ ନୂତନ ବାଦ ଶକ୍ତି ସଞ୍ଚୟ କରୁଥାଏ । ଲୋକେ କ୍ରମେ ନୂତନ ଆଡ଼କୁ ଆକୃଷ୍ଟ ହୁଅନ୍ତି, ତା ନୁହଁ । ପୁରୁଣା ମତବାଦର ଦମନ ନୀତିରେ ଉତ୍ତ୍ୟକ୍ତ ହୋଇ ଆଉ ଗୋଟିଏକୁ ବରଣ କରନ୍ତି । ନୂତନ ଜୟଲାଭ କରେ ଏବଂ ପୁଣି ସେହି ଦୋଷରୁ ଦିନେ ଭୁଷୁଡ଼ି ପଡ଼େ ।

 

—ମାନୁଚି ସେକଥା । କିନ୍ତୁ ବର୍ଷା ଦିନରେ ପାଣିଆସେ, ନଈ ବଢ଼େ । ନଈ ବଢ଼ି ଅନେକ ଘର ଦୁଆର ଭସାଇ ନେଇଯାଏ । କିନ୍ତୁ ପଟୁ ପକାଇ ଅନେକ ଜମି ଉର୍ବର କରି ଯାଏ ମଧ୍ୟ । ପୁଣି ଦିନେ ସେ ନଦୀ ଶୁଖିଯାଏ... ଖାଲି ଧୂ ଧୂ ଶୁଷ୍କବାଲି ଶଯ୍ୟା । ପୁଣି ପାଣି ଆସେ । ଏ ପ୍ରକାର ତ ଚାଲିଚି, ଚାଲିଥିବ । ଏତ ପ୍ରାକୃତିକ ନିୟମ । ଏକୁ କେହି ବାଧାଦେଇ ପାରିବେ ନାହିଁ । କିନ୍ତୁ ତା ବୋଲି ତୁ ତୋର ଚିନ୍ତା ପ୍ରକାଶ ନ କରିବୁ କାହିଁକି ?

 

ବିପିନବାବୁ କୁହନ୍ତି ‘ନା, ରେ, ନା । ଦେଖୁଚୁ ତ ବୁଦ୍ଧଙ୍କର ସରଳ ଚାରୋଟି ସତ୍ୟକୁ ନେଇ ବୌଦ୍ଧମାନେ କିପରି ଅସଂଖ୍ୟ ମତବାଦ ଓ ଗୋଷ୍ଠୀ ସୃଷ୍ଟିକଲେ । ଶେଷରେ ଦିନେ ଏ ଶ୍ରେଷ୍ଠ ଧର୍ମ ଜଘନ୍ୟ ତାନ୍ତ୍ରିକବାଦରେ ପରିଣତ ହେଲା, ଧର୍ମର ଆବରଣ ତଳେ ଅକଥ୍ୟ ନାରକୀୟ ଲୀଳା ଚାଲିଲା । ଅତଏବ ଲେଖି ଆଉ ମତବାଦ ସୃଷ୍ଟି କରି ଲାଭ ନାହିଁ । ତାଠୁ ବରଞ୍ଚ ଯେଉଁ କେତେ ଜଣଙ୍କ ଦାୟିତ୍ଵ ମୋ ପରିବାରରେ ମୁଁ ପାଇଚି ସେମାନଙ୍କର ମଙ୍ଗଳ ସାଧନ ଓ ନିଜେ ସାଧୁ ଜୀବନ ଯାପନ ଶ୍ରେଷ୍ଠ ବୋଲି ମୁଁ ଭାବେ ।

 

ବିପିନବାବୁ ଚାରୋଟି ସନ୍ତାନର ପିତା । ତାଙ୍କର ସମୟ ଚାଲିଯାଏ ପରିବାରର ଦୈନନ୍ଦିନ ନାନା କ୍ଷୁଦ୍ର ପ୍ରୟୋଜନ ମେଣ୍ଟାଇବାରେ । ତା’ଛଡ଼ା ତାଙ୍କର ପ୍ରଥମ ସନ୍ତାନ ପାଞ୍ଚ ବର୍ଷର ପୁଅ । ଚନ୍ଦ୍ରକୁ ପଢ଼ାଇବାର ତାଙ୍କର ଅଧିକାଂଶ ସମୟ ଅଧିକାର କରିନିଏ । ଜୀବନର କ୍ଷୁଦ୍ର ଦୁଃଖ, ଯାତନା, ବିଚ୍ଛେଦ, ବିରହ, ଆଶା, ନିରାଶାର ଚିନ୍ତା ଭିତର ଦିନର କାର୍ଯ୍ୟ ଶେଷକରି ସନ୍ଧ୍ୟା ସମୟରେ ସେ ଯେତେବେଳେ ପିଲାଙ୍କ ସହିତ ଖେଳି ବସନ୍ତି ସେତେବେଳେ ଅଶେଷ ସୁଖ ଓ ସାନ୍ତ୍ଵନା ପାଆନ୍ତି । ତାଙ୍କର ସ୍ତ୍ରୀ ଉଷା କେତେ କ୍ଷୁଦ୍ର କ୍ଷୁଦ୍ର ସାଂସାରିକ ସମସ୍ୟା ଆଣନ୍ତି ଓ ସେ ସେଗୁଡ଼ିକର ସମାଧାନ କରିଦେବା ପରେ ଉଷାର ମୁହଁରେ ଯେଉଁ ଆନନ୍ଦ ଓ ଗର୍ବ ଫୁଟି ଉଠେ ତାହା ତାଙ୍କୁ କମ୍ ଆନନ୍ଦ ଦିଏନାହିଁ । ଏହା ଭିତରେ ବନ୍ଧୁମାନେ ଯେତେବେଳେ ତାଙ୍କୁ ବଡ଼ ହେବାକୁ ଉତ୍ସାହ ଦିଅନ୍ତି ସେ ଭାବନ୍ତି, ସମଗ୍ର ମାନବ ଜାତିର ମଙ୍ଗଳ କରିବାକୁ ଚେଷ୍ଟା ନ କରି ଏ ପୃଥିବୀରେ ଯେଉଁ ବିଶିଷ୍ଟ କେତେ ଜଣଙ୍କର ଦାୟିତ୍ଵ ମୁଁ ପାଇଚି ସେମାନଙ୍କର ମଙ୍ଗଳ ସାଧନ ହିଁ ମୋର ଶ୍ରେଷ୍ଠ କର୍ତ୍ତବ୍ୟ । ଅସି ବା କଲମ ସାହାଯ୍ୟରେ ଯୁଦ୍ଧକରି ଯେଉଁମାନେ ବିଖ୍ୟାତ ହୋଇପାରିଚନ୍ତି ସେମାନେ ହିଁ କଅଣ କେବଳ ଇତିହାସ ସୃଷ୍ଟି କରିଚନ୍ତି, ଆଉ ଜୀବନର ନାନା କ୍ଷୁଦ୍ର ସମସ୍ୟା ସହିତ ଯୁଦ୍ଧକରି ଯେଉଁମାନେ ଜୀବନ ଯାପନ କରି ଚାଲିଛନ୍ତି, ସେମାନେ କଅଣ ଇତିହାସ ସୃଷ୍ଟିକରି ନାହାନ୍ତି ? ଗୁହାଯୁଗର ମନୁଷ୍ୟମାନଙ୍କର ଇତିହାସରେ କଅଣ କୌଣସି ସ୍ଥାନ ନାହିଁ ?

 

କିନ୍ତୁ ରମେଶ ଅବିରାମ ଉତ୍ସାହ ଯୋଗୁଁ ବିପିନ ଦିନେ ଲେଖି ବସିଲେ ।

 

ତାଙ୍କର ପ୍ରଥମ ଲେଖାଟି ପ୍ରକାଶ ପରେ ହିଁ ସେ ଖ୍ୟାତି ଅର୍ଜନ କଲେ । ବନ୍ଧୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଲେ । ଚାରିଆଡ଼ୁ ସେ ପ୍ରଶଂସାର ଚିଠି ପାଇଲେ । ତାପରେ ତାଙ୍କର ପୁଣି ଗୋଟିଏ ଲେଖା ପ୍ରକାଶ ପାଇଲା । ଏଥର ସେ ଅଧିକ ଖ୍ୟାତି ପାଇଲେ । ଅନେକ ସାହିତ୍ୟ ସଭାରେ ସେ ସଭାପତିର ନିମନ୍ତ୍ରଣ ପାଇଲେ । ଖ୍ୟାତି ପ୍ରତି ତାଙ୍କର ଗୋଟାଏ ମୋହ ଜନ୍ମିଗଲା । ସେ ଉଷା ଉପରେ ଘରର ସବୁ କାମ ଛାଡ଼ିଦେଇ ତାଙ୍କର ସମସ୍ତ ସମୟ ସେ ଲେଖାଲେଖିରେ କଟାଇଲେ ।

 

ସେଦିନ ବିପିନ ଉଷାକୁ ଡାକିଲେ, ଶୁଣୁଚ ।

 

ଉଷା ରୋଷେଇଶାଳୁ କହିଲା କୁହ, ମୁଁ ଯାଇପାରିବି ନାହିଁ ଏଇଛୁଣି । କୁନୁକୁ ଶୁଆଉଚି-

 

ବିପିନ ରୋଷେଇଶାଳକୁ ଯାଇ ଉଷାର ଗଣ୍ଡ ଦେଶରେ ଗୋଟିଏ ଚୁମ୍ବନ ଆଙ୍କିଦେଇ କହିଲେ ଶୁଣୁଚ, ସେଦିନ ସେ ଗଳ୍ପଟା ପଢ଼ି ତୁମକୁ ଶୁଣାଉ ନ ଥିଲି ସେଟା....

 

—କଉ ଗଳ୍ପମ । ରୁହ ଏଇଛୁଣି, ପାଟି କରନା, କୁନୁ ଶୋଇଚି ।

 

—ଶୁଣନା, ଶୁଣିଲେ ତୁମେ ଭାରି ଖୁସି ହେବ ଯେ.....

 

—ହଉ କୁହ, ଟିକିଏ ଆସ୍ତେ କୁହ ।

 

—ସେ ଗଳ୍ପଟା ତୁମର ମନେ ନାହିଁ ।

 

—ନା, ପୋଡ଼ା ମନରେ କିଛି ରୁହେ ନାହିଁ । ଏ ପିଲାଏ ତ...

 

ବିପିନଙ୍କ ଉତ୍ସାହ ବାଧା ପାଇଲା । ବିମର୍ଷ ଭାବରେ ସେ କହିଲେ, ଉଷା, ତୁମର ଟିକିଏ ଆଗ୍ରହ ହୁଏନା ମୋ ଲେଖାପାଇଁ । ମୋର ସ୍ତ୍ରୀ ବୋଲି ତୁମେ ବି ତ ଅମର ହୋଇ ରହିକ । ଅଥଚ ତୁମର ଟିକିଏ ଆଗ୍ରହ ନାହିଁ......

 

—ତୁମେ ଖାଲି କହୁଚନା, କେତେବେଳେ ପଢ଼ିବି କହିଲ ! ବେଳ କାହିଁ କହିଲ ? ପଢ଼ିବି, ପଢ଼ିବି, ହେଲା । କୁହ କଅଣ କହୁଥିଲ ।

 

—କଅଣ ହେଲା ପଚାରି ଭାରି ଦୟା କଲ, କହି ବିପିନବାବୁ ଉଠି ଯାଉଥିଲେ । ଉଷା ତାଙ୍କର ହାତ ଧରି କହିଲେ, ମୋ ରାଣଟି କୁହ, ରାଗନା ।

 

ବିପିନ ଉତ୍‌କ୍ଷିପ୍ତ ହୋଇ କହିଲେ, ଜଞ୍ଜାଳ, ଜଞ୍ଜାଳ, ମୁଁ କଅଣ ଏଇ ଜଞ୍ଜାଳରେ ପଡ଼ିଥିବି ତୁମପରି, ତୁମେ ଚାହଁ ?

 

—ଛିଃ, ତା କଅଣ କହୁଚି ମୁଁ । ତେବେ ଚାକର ବାକର ତ ନାହାନ୍ତି । ଟିକିଏ ତୁମେ ମୋତେ ସାହାଯ୍ୟ ନ କଲେ......

 

—ସାହାଯ୍ୟ । ଜାଣ, ଆଇନ୍‌ଷ୍ଟାଇନ୍ ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକ, ତାଙ୍କ ସ୍ତ୍ରୀଙ୍କ ପାଖରେ ଜୀବନଯାକ କୃତଜ୍ଞ । କାରଣ ତାଙ୍କୁ ଘରର କୌଣସି ଚିନ୍ତା କରିବାକୁ ପଡ଼େ ନାହିଁ । ବଜାରଠୁ ଆରମ୍ଭ କରି, ଘରଭଡ଼ା ଦେବା, ଅତିଥି ସେବା, ଟିକସ ଦେବା ଇତ୍ୟାଦି ସବୁ କାମ ତାଙ୍କ ସ୍ତ୍ରୀ କରନ୍ତି । ଦିନେ ହେଲେ ସ୍ଵାମୀଙ୍କୁ ସେ ଏ ବିଷୟରେ ପଦେ ପଚାରନ୍ତି ନାହିଁ ଆଇନଷ୍ଟାଇନ୍ କେବଳ ଟଙ୍କାଟି ସ୍ତ୍ରୀଙ୍କୁ ଦେଇ ନିଶ୍ଚିନ୍ତ ମନରେ କଲମ ଧରି ଘରର ଟିକିଏ କଣରେ ମଗ୍ନ ଥାଆନ୍ତି । ମୋତେ ଯଦି ତୁମେ ଏ ଜଞ୍ଜାଳ ଭିତରେ ପୋତି ରଖିବ; ତା ହେଲେ...

 

ତା’ର ନିଶ୍ଚେ ଏମିତି ଦୁଷ୍ଟ ପିଲା ନଥିଲା... ଦୁନିଆ ଛଡ଼ା ପରା ଏମାନେ ।

 

ବିପିନଙ୍କୁ ଲେଖା ଭୁତ ମାଡ଼ି ବସେ । ସବୁବେଳେ ତାଙ୍କର ଚିନ୍ତା କେଉଁଠୁ ସେ ଗଳ୍ପର ଉପାଦାନ ପାଇବେ । ଦିନେ ସେ ଗୋଟିଏ ଭିକ୍ଷୁକକୁ ଡାକି ଘରେ ବସାଇ ତାର ଦୁଃଖମୟ ଜୀବନ କାହାଣୀ ଶୁଣିଲେ । ଭିଖାରୀଟି ଶିଘ୍ର ଭିକ୍ଷା ନେଇ ଚାଲିଯିବାକୁ ବ୍ୟସ୍ତ ହେଲା । କିନ୍ତୁ ବିପିନ ଗୋଟାଏ ଭଲ ବିଷୟ ପାଇ ଯାଇଥିବା ଆନନ୍ଦରେ ତାକୁ ସହଜେ ଛାଡ଼ିଲେ ନାହିଁ । ସବୁକଥା ଟିକିନିଖି ବୁଝି ସାରି ଟଙ୍କାଟିଏ ଦେଇ ତାକୁ ଛାଡ଼ିଦେଲେ । ଭିଖାରୀଟି ବିପିନଙ୍କ ଦୟାରେ ଅଭିଭୂତ ହୋଇ ଚାଲିଗଲେ ।

 

ବିପିନ ଭିଖାରୀର ଜୀବନ ଅବଲମ୍ବନ କରି ଗଳ୍ପଟିଏ ଲେଖିଲେ । ତାଙ୍କ କଳାନୈପୁଣ୍ୟରେ ଭିଖାରୀଟିର ଜୀବନ ଅଧିକ ଦୟନୀୟ ହେଲା । ପାଠକେ ପଢ଼ି ଆଖି ପାଣି ସମ୍ଭାଳି ପାରନ୍ତି ନାହିଁ । ଭିଖାରୀର କାହାଣୀ ଲେଖୁ ଲେଖୁ ବିପିନଙ୍କ ମଧ୍ୟ ଆଖି ଛଳ ଛଳ ହୋଇ ଯାଇଥିଲା ।

 

ପୁଣି ଦିନେ ଭିକ୍ଷୁକଟି ଭିକ ମାଗି ଆସେ, ବାବୁ ମା, ଭିକ ଗଣ୍ଡେ ମିଳୁ । ଆହା ଏମିତି ଦୟା ବାବୁଙ୍କର । ସାକ୍ଷାତ ଦେବତା ।

 

ବିପିନଙ୍କ ଲେଖାରେ ବାଧା ପଡ଼େ । ବିରକ୍ତ ହୋଇ ସେ ଉଠି ଆସନ୍ତି । ତାଙ୍କର ଗଳ୍ପ ନାୟକକୁ ସେ ଚିହ୍ନି ପାରନ୍ତି ନାହିଁ । ପାଟି କରି କୁହନ୍ତି ଯା, ଯା, ଭିଖ ବଢ଼ିଚି ।

 

—ବାପାଲୋ, ଦୁଇଦିନ ହେଲା ଖାଇନି !

 

—ସବୁବେଳେ ତ ସେଇ ଗୋଟିଏ କଥା । ଖଟି ଖାଇବ ନାହିଁ, ଯା, ଯାଃ ।

 

—ବାପା, ଆଜି ମୋର କି ଦୋଷ ବାବୁ ।

 

—ଯା ଯାଃ, ବିରକ୍ତ କରନି । ଆଇନ କରି ଏମାନଙ୍କୁ...

 

ଉଷା ରୋଷେଇଶାଳୁ ଦୌଡ଼ି ଆସି କୁହେ, ଛି, ନ ଦବ ନାହିଁ । ଏମିତି କହିବନି ସେମାନଙ୍କୁ । ପିଲା ଛୁଆଙ୍କ ଉପରେ ନିଶ୍ଵାସ ପଡ଼ିଯିବ ସେମାନଙ୍କର ।

 

ବିପିନ ବିରକ୍ତ ହୋଇ କୁହନ୍ତି, ତୁମେ ବୁଝନା ଉଷା, ଏମାନେ ହେଉଛନ୍ତି ମଲାଙ୍ଗ ।

 

—ଛି, ତୁମେ ଛୋଟା ନେଙ୍ଗଡାମାନଙ୍କୁ ଏମିତି କୁହନା...

 

ଉଷା ଘରୁ ଚାଉଳ ମୁଠାଏ ଆଣି ଭିକାରିକୁ ବିଦାୟ କରି କୁହେ, ଯାଅ, ତୁମେ ଲେଖି ବସ ।

 

ଆଜିକାଲି ବିପିନ ଯେପରି ସଂସାରିକ କଥାରେ ଟିକିଏ ବି ବ୍ୟସ୍ତ ନ ହୁଅନ୍ତି, ସେଥିପ୍ରତି ଉଷା ସର୍ବଦା ସଜାଗ । ଲେଖିବା ବେଳେ ପିଲାଏ ଗୋଳମାଳ କଲେ ଦୌଡ଼ି ଆସି ପିଲାଙ୍କୁ ସେଠୁ ନେଇଯାଇ ଘର ଭିତରେ ଧମକାଇ କୁହେ, ଦେଖୁ ନା, ବାପା ଲେଖୁଚନ୍ତି । ଏମିତି ପାଟି କରନ୍ତି ?

 

ବିପିନ ବିରକ୍ତ ହୋଇ କହନ୍ତି, ସତେ ଉଷା, ତୁମର ଟିକିଏ ବି ବିବେଚନା ନାହିଁ...

 

—ଦୋଷ ମାନୁଚି । କଅଣ କରିବି । ଏକା ମଣିଷ, ରାନ୍ଧିବି, ବାଢ଼ିବି, ବାସନ ମାଜିବି, ଲିପିବି, ପିଲାଙ୍କ ଗାଧୁଆ ଖିଆ ବୁଝିବି......

 

—ତୁମର ଏହି ସବୁ ବଡ଼ ହେଲା, ମୋର ଲେଖା ନୁହେଁ ?

 

—ତୁମେ ଆଜିକାଲି ଖାଲି ଓଲଟା ବୁଝୁଚ... ମୁଁ କଅଣ ସେଇଆ କହିଲି...

 

—ଓଲଟା ମୁଁ ବୁଝିଲି...ଆଶ୍ଚର୍ଯ୍ୟ...

 

—ହଉ ତୁମକୁ ମୋ ରାଣ ତୁମେ ଲେଖ, ବର୍ତ୍ତମାନ ମନକୁ ଆସିଚି, ଏ ଗୋଳମାଳରେ ଭୁଲିଯିବ ଫେର୍...

 

ଗାଧୋଇବା ଖାଇବା ବେଳ ହୋଇଗଲା । ବିପିନ ଲେଖାରୁ ଉଠିଲେ ଖାଇ ବସିଲେ । କିନ୍ତୁ ସେ ଲେଖାର ଚିନ୍ତାରେ ମଗ୍ନ ହୋଇ ରହିଲେ ।

 

ଆଉ ତରକାରି ଦେବି ?

 

—ଓଃ ହୋ, କାହିଁକି ଯେ ବିରକ୍ତ କର । ଦରକାର ହେଲେ ମୁଁ ମାଗିବି ନି ?

 

—ମୁଁ ଜାଣି ନାହିଁ ଗୋ, ତୁମେ ଭାବୁଥିଲ ବୋଲି । ଏତେ ଭାବ ନାହିଁ, ଛିଃ, ମୁଣ୍ଡ କଅଣ ହୋଇଯିବ...

 

—ହଉ, ତୁମେ ବିରକ୍ତ କରନା ।

 

ଦୁଇଟି ମାସ ଭିତରେ ଉଷାର ସବଳ ସୁସ୍ଥ ଶରୀର ଶାରୀରିକ ପରିଶ୍ରମ ଓ ମାନସିକ ଚିନ୍ତାରେ ଶୁଖିଗଲା । ସବୁ ତାକୁ ଏକା କରିବାକୁ ପଡ଼େ । ବିପିନବାବୁଙ୍କର ସେ ସବୁ ପ୍ରତି ଦୃଷ୍ଟି ଦେବାର ବେଳ ନାହିଁ ।

 

ସେଦିନ କୁନୁର ନାଳଝାଡ଼ା ଓ ଜର ହେଲା । ଉଷା ସ୍ଵାମୀଙ୍କୁ ଭୟରେ ଏ କଥା ମଧ୍ୟ ଲୁଚାଇ ପଡ଼ୋଶୀ ଘରୁ ଔଷଧ ଆଣି ଦେଲା । କିନ୍ତୁ କୁନୁକୁ କ୍ରମାଗତ ପନ୍ଦର ଦିନ ଧରି ଯେତେବେଳେ ଜର ଛାଡ଼ିଲା ନାହିଁ, ସେତେବେଳେ ସେ ବାଧ୍ୟ ହୋଇ ସ୍ଵାମୀଙ୍କୁ କହିଲା । ବିପିନବାବୁ ବ୍ୟସ୍ତ ହୋଇ ଡାକ୍ତର ଡାକିଲେ । କିନ୍ତୁ ସେତେବେଳେ ଆଉ ଉପାୟ ନ ଥିଲା । ତା ପରଦିନ ସକାଳେ କୁନୁ ବିପିନବାବୁଙ୍କୁ ଥରେ ଚାହିଁ ‘ବାପା’ ବୋଲି ଡାକି ଆଖି ବୁଜିଦେଲା । ଉଷା ମୂର୍ଚ୍ଛିତା ହୋଇ ତଳେ ପଡ଼ିଗଲା ।

 

ଏହାର କିଛିଦିନ ପରେ ଉଷା କହିଲା, ତୁମେତ ଝୁଅକୁ ଟିକିଏ ଚାହିଁଲ ବି ନାହିଁ । ସେ ତୁମକୁ ଖୁବ୍ ଖୋଜିଚି ।

 

ଉଷା ଆଉ ସମ୍ଭାଳି ପାରିଲା ନାହିଁ ନିଜକୁ ।

 

ବିପିନ ପଚାରିଲେ, ମୋତେ ଖୋଜୁଥିଲା ସତେ ?

 

—ସେତ ତୁମ ଛଡ଼ା ଆଉ କାହା ପାଖକୁ ଯାଏନାହିଁ । ତୁମେ ତାକୁ ଧରିବା ଛାଡ଼ିବା ଦିନଠାରୁ ତ ତା ଦେହ ଶୁଖିଗଲା । ଝୁଅ ମୋର ତୁମକୁ ଝୁରି ଝୁରି ମଲା । ମରିବା ଆଗଦିନ ରାତିରେ ତୁମ ମୁଣ୍ଡ ତଳେ ପଡ଼ିଥିଲା ବୋଲି ସେ ବିଛଣାରୁ ଉଠି ତୁମ ମୁଣ୍ଡ ଟେକି ତକିଆରେ ରଖିଥିଲା । ବେଦନାର ଆତିଶଯ୍ୟରେ ଉଷା ତଳେ ଲୋଟି ଗଲେ ।

 

ବିପିନଙ୍କ ଛାତି ଭିତରୁ କୋହ ଉଠି ଆସିଲା । କିନ୍ତୁ ପରମୁହୂର୍ତ୍ତରେ ତାଙ୍କର ମନେ ହେଲା, ବାଃ ବେଶ୍ କରୁଣ ତ । ଏହାକୁ ଗଳ୍ପ ପରି ଲେଖିଲେ ଭାରି ସୁନ୍ଦର ନିଶ୍ଚୟ ହବ ।

 

ବିପିନବାବୁ ସାଙ୍ଗେ ସାଙ୍ଗେ ଲେଖି ବସିଲେ । ଗଳ୍ପଟି ପ୍ରକାଶ ପାଇଲା । ସତେ ଭାରି କରୁଣ ହୋଇଥିଲା ସେ ଗଳ୍ପଟି । ଏ ଗଳ୍ପଟି ପାଇଁ ସେ ଚାରିଆଡ଼ୁ ପ୍ରଶଂସା ପାଇଲେ । ଦିନେ ଉଷାକୁ ପଢ଼ି ସେ ଗଳ୍ପଟି ସେ ଶୁଣାଇଲେ । ଉଷା ଗଳ୍ପଟି ଶୁଣି ଆଖି ପାଣି ପୋଛି କହିଲା, ଏତେ ନିଷ୍ଠୁର ତୁମେ ।

 

ନିଷ୍ଠୁର ! ମାନେ ? ବିପିନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

—ଯାହା ମୋର ଅନ୍ତରର ବ୍ୟଥା, ଯାହା ମୁଁ ଭାବିଲେ ହିଁ ଛାତି ଥରି ଉଠେ, ସେ ବିଷୟରେ ଲେଖି ତୁମେ ପ୍ରଶଂସା ପାଇବାକୁ ଚେଷ୍ଟା କଲ ! ତୁମେ ବାପା ହୋଇ ପାରିଲ କେମିତି ଏ ବିଷୟରେ ଲେଖି ।

 

ଉଷା ଆଉ ସମ୍ଭାଳି ପାରିଲା ନାହିଁ । ବେଦନାରେ ସମସ୍ତ ଦେହ ତାର ଅବଶ ହୋଇଗଲା । ଅଶ୍ରୁରୋଧ କରିବାକୁ ଯାଇ ତାର ଦେହ ଥରିବାକୁ ଲାଗିଲା ।

 

ବିପିନ ନିର୍ବାକ ହୋଇ ଚାହିଁ ରହିଲେ । ତାଙ୍କର ଆଖିରୁ ଅବିରଳ ଅଶ୍ରୁ ଝରିବାକୁ ଲାଗିଲା ।

 

ସେହି ଦିନୁ ବିପିନ ଆଉ କଲମ ଧରି ନାହାନ୍ତି । ସମସ୍ତେ କହିଲେ ଓଡ଼ିଆ ସାହିତ୍ୟର ଅନେକ କ୍ଷତି ହେଲା । କିନ୍ତୁ ବିପିନ ମନେ କଲେ ତାଙ୍କ କାନ୍ଧରୁ ଗୋଟାଏ ଭୁତ ଓହ୍ଲାଇଗଲା ।

 

ରମେଶ ଦିନେ ବନ୍ଧୁର ଲେଖା ଗୁଡ଼ିକ ପ୍ରଶଂସା କରିବା ଇଚ୍ଛାରେ ତାର ଗୋଟିଏ ଖାତା ଖୋଲି ଦେଖିଲେ ଲେଖାଅଛି—ନାଳଝାଡ଼ା ପାଇଁ ଶିଶୁମାନଙ୍କ ପାଇଁ ପିଜୁଳି ପତ୍ର ଅଧ ଭରିଏ ଓ ଅଦା ଦୁଇଅଣା ଓଜନର ଏକାଠି ବାଟି ଘଣ୍ଟାକ ଭିତରେ ତିନିଥର ।

 

ରମେଶ ପଚାରିଲେ, କିରେ ବିପିନ, ତୁ ଆଉ ଲେଖୁ ନାହୁଁ କାହିଁକି ?

 

ବିପିନ ମ୍ଳାନ ଭାବରେ ହସି କହିଲେ, ଭାଇ, ଆଉ ନା । ମୁଁ ମନେ ମନେ ଭାବୁଥିଲି ଯେ ମୁଁ ସମସ୍ତଙ୍କ ଦୁଃଖ ବୁଝେ, ତେଣୁ ଦୁନିଆର ଦୁଃଖ ଦୂର କରିପାରିବି । କିନ୍ତୁ ମୁଁ ଯେ କ୍ରମେ ନିଷ୍ଠୁର ହୋଇ ଯାଉଥିଲି ତା’ ମୋତେ ଜଣା ନ ଥିଲା । ତଥାଚମ୍ବିତେ ଦିନେ ମୁଁ ନିଜକୁ ଦେଖିଲି ସେ ଗୋଟିଏ କରୁଣ ଚରିତ୍ର ପାଇଲେ ତାକୁ ମୁଁ ନିଷ୍ଠୁର ଭାବରେ ମାଡ଼ି ବସି ତାଠୁଁ କଥା ଆଦାୟ କରି ନେଉଛି । ମୋ ଗଳ୍ପରେ ସେମାନଙ୍କ ଚରିତ୍ର ଅଧିକ ଦୟନୀୟ ଭାବେ ଚିତ୍ରଣ କରି ବା ସେମାନେହିଁ ମହାନ୍ ବୋଲି ଦେଖାଇ ମୁଁ ଘୋର ଅନ୍ୟାୟ କରିଚି ।

 

ଯେତେ ଲୋକ ବା ଘଟଣା ସମ୍ପର୍କରେ ଆସୁଚି କୌଣସିଥିରେ ମୋର ଆନ୍ତରିକତା ନାହିଁ । କେବଳ ଗୋଟିଏ କଥା ମନକୁ ଆସୁଚି, ସେ ସବୁ ମୋର ଗଳ୍ପର ଉପାଦାନ ହେବ କି ନା । ଆଉ ନା, ଆଉ ନା ।

 

ରମେଶ ଦୀର୍ଘଶ୍ଵାସ ପକାଇ କହିଲେ, ଯାହା କହିଲୁ ସତ । କିନ୍ତୁ ତୋ’ର ଅହଂଭାବ ଅତ୍ୟନ୍ତ ପ୍ରବଳ । ତୋର ନିଜର କଅଣ ହେଲା ସେଇଥି ପାଇଁ ତୁ ଭାରି ବ୍ୟସ୍ତ । ଗଳ୍ପ ବା ଲେଖାର ଉପାଦାନ ଖୋଜି ଖୋଜି ଲେଖି ବସିଲେ ଅବଶ୍ୟ ତାର ପରିଣତ ଏଇୟା ହେବ । ତୁ ଯାହା ବିଷୟରେ ଲେଖୁଚୁ ସେମାନଙ୍କ ଜୀବନ ଅତି କରୁଣ ବା ସେମାନେହିଁ ଭଲ ଆଉ ସମାଜର ଅନ୍ୟ ସଭିଏଁ ଖରାପ ଏହା ପ୍ରମାଣ କରିବାର ମୋହ ମାଡ଼ି ବସିବ । ତାଦ୍ୱାରା ତୋର ନିଜର ଆଧ୍ୟାତ୍ମିକ ବିକାଶ ହେବ ନାହିଁ । ସମାଜର ବି ଲାଭ ହେବ ନାହିଁ । କିନ୍ତୁ ତା’ ପାଇଁ ବ୍ୟସ୍ତ ହ’ନା । ଲେଖି ଯା । ଲେଖୁ ଲେଖୁ ତୋର ଆଧ୍ୟାତ୍ମିକ ବିକାଶ ହେବ, ତୁ କ୍ରମେ କ୍ରମେ ସବୁ ନିଜେ ଅନୁଭବ କରିପାରିବୁ । ଲେଖା ବନ୍ଦ କଲେ ତ... ଆଚ୍ଛା ହଉ, ତୁ ବର୍ତ୍ତମାନ ପାଇଁ କିଛିଦିନ ଲେଖା ବନ୍ଦ କରିଦେ ।

Image

 

Unknown

ଜୀବନ ଓ ଜୀବିକା

 

ଅନ୍ନମୟ କୋଷ, ତା ପରେ ରସମୟ କୋଷ, ଜ୍ଞାନମୟ କୋଷ, ବିଜ୍ଞାନମୟ କୋଷ ଓ ତା ପରେ ଆନନ୍ଦମୟ ଆତ୍ମା । ଜୀବନ ଖୋଜେ ସେଇ ଆନନ୍ଦମୟ ଆତ୍ମାକୁ ପାଇବାକୁ । କିନ୍ତୁ ଜୀବିକା ଘଟାଏ ଅନ୍ତରାୟ । ଯିଏ ଜୀବନ ଓ ଜୀବିକାର ସାମଞ୍ଜସ୍ୟ ଘଟାଇ ପାରିଚି, ତା ପକ୍ଷରେ ଜୀବନ ଯାତ୍ରା ହୁଏ ଗୋଟିଏ କଳାଚର୍ଚ୍ଚା, ଆର୍ଟ । ସବୁ ଆର୍ଟ ନିଜକୁ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ଅନ୍ୟକୁ ମଧ୍ୟ ଆନନ୍ଦ ଦିଏ । ଯାହାର ଜୀବନରେ ଏ ଦୁହିଁର ସାମଞ୍ଜସ୍ୟ ଘଟିନାହିଁ; ସେ ନିଜେ ଆନନ୍ଦ ପାଏନା, ସୋରିଷ ତେଲରେ ଅଗରା ମିଶାଇ ସେ ଯେତେ କୋଠା ପିଟୁ, ଦାନଧ୍ୟାନ କରୁ ବା ରାମଚରିତ ମାନସ ଯଜ୍ଞ କରୁନା କାହିଁକି । ଯିଏ ନିଜେ ଆନନ୍ଦ ପାଏନା, ସେ ଅନ୍ୟକୁ ଆନନ୍ଦ ବା ଶାନ୍ତି ଦବାକୁ ଚାହେଁନା । ଏ ଦୃଷ୍ଟିରୁ ଦେଖିଲେ ଧପଡ଼ ସିଂ ଜଣେ ଶ୍ରେଷ୍ଠ କଳାକାର !

 

‘ଧପଡ ସିଂ’ ତାର ନିଜ ନାଁ ନୁହଁ । ତାର ନିଜ ନାଁ’ଟି ଅଇଣ୍ଠୁ । ଅନେକ ବଡ଼ ବଡ଼ ଲେଖକ ଓ ଶିଳ୍ପୀ ଯେପରି ଗୋଟିଏ ଅନ୍ୟ ନାମ ବ୍ୟବହାର କରନ୍ତି । ଆଇଣ୍ଠୁର ମଧ୍ୟ ଚନାଚୂର ବିକ୍ରି କରିବାର ନାଁ’ଟି ଧପଡ଼ ସିଂ । ସେଇ ନାଁ’ରେ ସେ କଟକରେ ସର୍ବତ୍ର ପରିଚିତ ।

 

ତାର ଚନାଚୂର ପ୍ରତି ପ୍ରଥମେ ମୁଁ ଆକୃଷ୍ଟ ହୋଇଥିଲି, ତାର ଚନାଚୂର ଖାଇ ନୁହଁ, ତାର ବେଶଭୂଷା, ତାର ଅଙ୍ଗଭଙ୍ଗୀ, ତାର ଗୀତ ଦେଖି ଶୁଣି । ଚୌଧୁରୀ ବଜାର ଛକ ଉପରେ ଛିଡ଼ା ହୋଇ ସେ ତାର ବୋଲି ଛାଡ଼ୁଥାଏ—ଚନାବନାଏ ତର୍‌ର୍, ଇସ୍‌କୁ ଲେତେଯାନା ଘର୍‌ର୍ । କେଉଁ ଅଜ୍ଞାତ ମହାକବି କଥିତ ଶାର୍ଦୁଳ ବିକ୍ରୀଡ଼ିତ ଛନ୍ଦରେ ପାରମ୍ପରିକ ପନ୍ଥାରେ ଏହିପରି ଜୀବିକା ମହାକାବ୍ୟ ଆରମ୍ଭ କରିବା ପରେ ଧପଡ଼ ସିଂ ଗାଇ ଚାଲେ ତାର ନିଜସ୍ଵ ମହାକାବ୍ୟ—କୁହ ଭାର୍ଯ୍ୟାକୁ ଡାର୍ଲିଂ, କରି ବାପାକୁ ଗୁଡ଼୍ ମର୍ଣ୍ଣିଂ...ଖାଇ ଚପ୍ କଟଲେଟ୍, ଓଠେ ଚିପି ସିଗାରେଟ୍...ନ ଭୁଲ ଚନାକୁ ମୋହର, ଏ ଯେ ଖାଣ୍ଟି ଓଡ଼ିଶାର...ଏଥିରେ ଅଛି ଭିଟାମିନ୍, ଖାଇଲେ ଦୁନିଆ ରଙ୍ଗୀନ୍... ଭିଟାମିନ୍ ପ୍ରୋଟିନ୍‌ରେ ଭରପୂର୍ ବନାୟା ଚନାଚୂର ମୂର୍‌ର୍...ଚନା ଚୂର୍‌ର୍‌ର୍‌ର୍ ମୂର୍‌ର୍‌ର୍‌ର୍ ଇତ୍ୟାଦି । ମେଘର ଗର୍ଜ୍ଜନ ଭଳି ର୍‌ର୍‌ର‌୍‌କୁ ସେ ଗମ୍ଭୀର ଗଳାରେ ଏମିତି ଗୁରେଇ ତୁରେଇ କୁହେ ଯେ ଜନଗହଳି ଛକର ସମସ୍ତ ଶବ୍ଦକୁ ଟପି ସେ ଶବ୍ଦ ଶୁଣାଯାଏ, ଆଉ ଲୋକେ ଚକିତ ହୋଇ ତାକୁ ଚାହାନ୍ତି ।

 

ଧପଡ଼ ସିଂ ଆଶୁକବି । ଗୀତ ତାର ମୁହେଁ ମୁହେଁ । ତାର ଚନାଚୂର୍ ବୋଲିରେ ଆଧୁନିକ ଯୁଦ୍ଧ ସମସ୍ୟା, ଓଡ଼ିଶାର ବନ୍ୟା ସମସ୍ୟା, ନୀତିଶାସ୍ତ୍ର, ଧର୍ମଶାସ୍ତ୍ର ସବୁ ସ୍ଥାନ ପାଇ ଏକ ମହାକାବ୍ୟ ପ୍ରସ୍ତୁତ ହେଲା । ପ୍ରାଞ୍ଜଳ ସରଳ ଯେପରି ତାର ଭାଷା ସହଜ ସୁନ୍ଦର ସେହିପରି ତାର ଭାବ । ମୁଣ୍ଡରେ ଗାଢ଼ ଲାଲ ରଙ୍ଗର ପଗଡ଼ି, ରାଜପୁତ ରାଜାମାନେ ଯେଉଁ ଠାଣିରେ ପିନ୍ଧନ୍ତି ସେମିତି ପିନ୍ଧା ହୋଇଚି । କପାଳ ଉପରକୁ ପଗଡ଼ିର ଠିକ୍ ମଝିରେ ନକଲି ସୁନାର ଗୋଟିଏ ବଡ଼ ବୁରୁଚ । ବୁରୁଚ୍ ଉପରେ ସବୁଜ ରଙ୍ଗର ପକ୍ଷୀ ପରର ଚୂଡ଼ା । ବାଇଗଣି ରଙ୍ଗର ଜାପାନୀ ଶସ୍ତା ସିଲ୍‌କର ବୁଟିଦାର ପଞ୍ଜାବୀ ଉପରେ ହଳଦିଆ ରଙ୍ଗର ନକଲି ଭେଲଭେଟର ହାତକଟା ଫତୁଆ, ସେଥିରେ ଜରିକାମ-। ବେକରେ ଶସ୍ତା ସିଲ୍‌କର ଛାପଛାପକା ରୁମାଲ ବନ୍ଧା ହୋଇଚି, ଗଣ୍ଠି ତାର ବେକର ଗୋଟିଏ କଡ଼କୁ । ପିନ୍ଧିଚି ଗୋଲାପି ରଙ୍ଗର ଭୟେଲ କନାର ଧୋତି କାବୁଲିଙ୍କ ଭଙ୍ଗୀରେ । ଗୋଡ଼ରେ ସବୁଜ ରଙ୍ଗର ନାଗ୍ରା ଜୋତା । ହାତରେ ଗୋଟିଏ ବଡ଼ ଘଡ଼ି ବନ୍ଧା ହୋଇଚି । କାନ୍ଧରୁ ଝୁଲୁଚି ଗୋଟିଏ ବଡ଼ ଥଳି । ଥଳିରେ ଅଛି ଗୋଟିଏ ବଡ଼ ଓ ଆଉ ଗୋଟିଏ ସାନ ଟିଣ । ବଡ଼ ଟିଣଟିରୁ ଗୋଟିଏ ଚୁଙ୍ଗା ଉପରକୁ ବାହାରିଚି ଓ ସେଥିରୁ ସବୁବେଳେ ଧୂଆଁ ବାହାରୁଚି । ଚନାଚୂର କୁ ତାଜା ତଟକା ରଖିବା ପାଇଁ ଟିଣ ଭିତରେ ନିଆଁ ଅଛି । ସାନ ଟିଣଟିରେ ଅଛି କାଗଜ ଓ ନାନା ରଙ୍ଗର ମସଲା । ଚାରିପଟରେ ତାର ଲୋକର ଭିଡ଼ । ତନ୍ମୟ ହୋଇ ତାରି ବୋଲି ଶୁଣୁଚନ୍ତି ଓ ଚନାଚୂର କିଣୁଛନ୍ତି । ଧପଡ଼ ସିଂ ମୁହଁରେ ବୋଲିର ମଧ୍ୟ ବିରାମ ନାହିଁ କି ହାତକୁ ଚନାଚୂର ବିକ୍ରୀ କରିବାରେ ମଧ୍ୟ ବିରାମ ନାହିଁ ।

 

ସାଇକେଲ ଚଢ଼ି ସେ ବାଟେ ଯାଉଥିଲି ପରିବା କିଣିବାକୁ । ଧପଡ଼ ସିଂର ବେଶଭୂଷା ବିଶେଷତଃ ତାର ଗୀତରେ ଆକୃଷ୍ଟ ହୋଇ ମୁଁ ସେଠି ଛିଡ଼ା ହୋଇଗଲି । ଧପଡ଼ ସିଂ ସେତେବେଳେ ତାର ଚନାଚୂର ବୋଲିରେ କହୁଥାଏ—ବଢ଼ି ହୋଇଚି, ଜୀବନ ନଷ୍ଟ ହୋଇଚି, ଫସଲ ନଷ୍ଟ ହୋଇଚି ସବୁ ସତ । କ୍ୟା ପରୁଆ । ଏମିତି ହେଲାଣି, ଆହୁରି କେତେ ହବ । ପଶୁମାନେ ସିନା ଡରିଯିବେ ! ମଣିଷ କାହିଁକି ଡରିବ ? ଚନାଚୂର ଖାଇ ମନକୁ ଆନନ୍ଦ କର ।

 

ଏହିପରି ଅନେକ ସମସ୍ୟା ସେ ସମାଲୋଚନା କରି ତାର ସମାଧାନ ସେ ଚନାଚୂର ଖିଆର ଆନନ୍ଦରେ କହିଦେଇ ଗଲା । ତନ୍ମୟ ହୋଇ ଅନେକକ୍ଷଣ ଶୁଣିବା ପରେ ମୁଁ ଦୁଇ ପଇସାର ଚନାଚୂର କିଣିଲି । ଧପଡ଼ ସିଂ ଗୋଟିଏ ସାନ ଠୁଙ୍ଗାରେ ଆଠ ଦଶଟି ଚନାଚୂର ଦେଲା-। ଠୁଙ୍ଗା ଖୋଲି ସେଇଠି ଛିଡ଼ା ହୋଇ ଦୁଇଟି ପାଟିରେ ପକାଇଲି । ବାଃ ଚମତ୍କାର ! ପାଟିରୁ ମୋର ନାଳ ଗଡ଼ିପଡ଼ିଲା । ଅପ୍ରସ୍ତୁତ ଭାବରେ ଚାରି ଆଡ଼କୁ ଚାହିଁ ରୁମାଲରେ ପାଟି ପୋଛିଦେଲି । ଧପଡ଼ ସିଂ ମୋ ଆଡ଼କୁ ଚାହିଁ ଟିକେ ମୁରୁକି ହସି ସାଙ୍ଗେ ସାଙ୍ଗେ ସେ ବିଷୟ ମଧ୍ୟ ତାର କାବ୍ୟରେ ଯୋଡ଼ି ଦେଲା । ସମସ୍ତ ହସିଲେ, ମୁଁ ବି ହସିଲି ।

 

ଧପଡ଼ ସିଂ ବୋଲି ଚାଲିଲା । ତାର ଚନାଚୂର ଖାଇବାର ଆନନ୍ଦ ଏକା ଉପଭୋଗ କରିବାର ନୁହେଁ । ଘରର ସମସ୍ତଙ୍କୁ ଏ ଆନନ୍ଦ ଦେବା ଉଚିତ । ଏହା କରିବାର ଆଉ ଗୋଟିଏ ଅକାଟ୍ୟ ଯୁକ୍ତି ମଧ୍ୟ ସେ ତାର କାବ୍ୟରେ କହିଲାଯଦି କେହି ନିଇତି ତାର ଚନାଚୂର ଖାଇବାର ଇଚ୍ଛା ସମ୍ଭାଳି ନ ପାରେ ଏବଂ ସେ ଲୋକର ଅର୍ଥନୀତି ଯଦି ଘରୁ ନିୟନ୍ତ୍ରିତ ହେଉଥାଏ, ତେବେ ବେଶି ନୁହଁ, ଦୁଇଟି ପଇସାର ଧପଡ଼ ସିଂର ଚନାଚୂର ସେ କିଣି ନେଇ ତାର ଗୃହିଣୀକୁ ଦେଉ । ଏହାପରେ ସେ ଲୋକ ଦେଖିବ, ନିଇତି ଦୁଇଟି ଅଣାର ଚନାଚୂର କିଣିବାର ଆଦେଶ ଘରୁ ହେବ-। ଏହାପରେ ସେ ଗାଇ ଚାଲିଲା—ପୁରୁଷ ସ୍ୱାଧୀନ ନୁହଁ, ସ୍ୱାଧୀନ ନାରୀ । ନାରୀର ବାହାର ଅସହାୟତା ତଳେ ଲୁଚି ରହିଚି ପ୍ରଚଣ୍ଡ ଶକ୍ତି, ଯେଉଁ ଶକ୍ତି ସାହାଯ୍ୟରେ ସେ ପୁରୁଷର ଶକ୍ତିକୁ ନିୟନ୍ତ୍ରିତ କରେ । ଏହି ତଥାକଥିତ ସ୍ତ୍ରୀ ସ୍ୱାଧୀନତା ସ୍ତ୍ରୀମାନଙ୍କର ସେ ଶକ୍ତି ଅପହରଣ କରି ଦେଉଚି-। ସାବଧାନ ! ସାବଧାନ !! ଏ ସ୍ତ୍ରୀ ସ୍ଵାଧୀନତା ଫଳରେ ସମସ୍ତେ ହଣାକଟା ହୋଇ ମରିବେ ! ମରିବେ !!

 

ପୁରୁଷ ଯେ ଆଦୌ ସ୍ୱାଧୀନ ନୁହେଁ ମୁଁ ତାହା ମର୍ମେ ମର୍ମେ ଅନୁଭବ କଲି । ହାତ ଘଡ଼ିକୁ ଚାହିଁ ଦେଖିଲି ପ୍ରାୟ ଘଣ୍ଟାଏ ମୁଁ ଏଠି ବିତାଇ ଦେଲିଣି । ବଜାର ସୌଦା ଏ ପର୍ଯ୍ୟନ୍ତ ହୋଇ ନାହିଁ । ଗୃହଣୀ ଚୁଲି ଲଗାଇ ମୋତେ କହିଥିଲେ ବଜାରରୁ ସୌଦା ଆସିଲେ ରୋଷାଇ ହେବ । ତାପରେ ମୁଁ ଦୁଇଟି ପଇସା ବାଜେ ଖର୍ଚ୍ଚ କରି ସାରିଲିଣି ମନେ ମନେ ଆତଙ୍କିତ ହୋଇ ପଡ଼ିଲି । ଧପଡ଼ ସିଂର ଉପଦେଶ ମାନି ଆଉ ଦୁଇଟି ପଇସାର ଚନାଚୂର ନେଇ ମୁଁ ଘରକୁ ଫେରିଲି ।

 

ଘରେ ପାଦ ନ ଦେଉଣୁ ଗୃହଣୀ ଗାଳି ଦେବାପାଇଁ ମୁଖ ବ୍ୟାଦାନ କରି ପାଖକୁ ଲାଗି ଆସିଲେ । କିଛି କହିବା ପୂର୍ବରୁ ମୁଁ ତାଙ୍କ ଅଧରରେ ଗୋଟିଏ ଚୁମ୍ବନ (ପ୍ରେମରେ ନୁହଁ, ଆତ୍ମରକ୍ଷାର୍ଥେ) ଦେଇ ବାକ୍ୟସ୍ରୋତ ନିରୋଧ କରିଦେଲି ଏବଂ ତାଙ୍କର ସନ୍ଦେହକୁଞ୍ଚିତ ବେନି ଓଷ୍ଠ ଇଷତ୍ ଖୋଲି ଦୁଇଟି ଚନାଚୂର ତାଙ୍କର ମୁଖ ଗହ୍ୱରରେ ନିକ୍ଷେପ କଲି । ଏହାର ପ୍ରତିକ୍ରିୟା ପର୍ଯ୍ୟବେକ୍ଷଣ କରିବା ପାଇଁ ମୁଁ ଆତଙ୍କିତ ହୃଦୟରେ ଅପେକ୍ଷା କରିବାକୁ ଲାଗିଲି । ଗୃହଣୀଙ୍କ କ୍ରୋଧ-ନମିତ ଭ୍ରୂଚାପ ଯୁଗଳ ଧୀରେ ଧୀରେ ପ୍ରଶସ୍ତି ଲାଭ କଲା । ମୁଖ ବିବରରୁ ଟିକିଏ କୁର୍‌ର୍ ମୁର୍‌ର୍ ଶବ୍ଦ ବାହାରିବା ସଙ୍ଗେ ସଙ୍ଗେ ତାଙ୍କର ତାମ୍ବୁଳ-ରଞ୍ଜିତ ଦନ୍ତପଂକ୍ତି ବିକଶିତ ହେବାକୁ ଲାଗିଲା । ହଠାତ୍ ସେ ଚିଲାମାରି ମୋ ହାତରୁ ଠୁଙ୍ଗାଟି ଛଡ଼ାଇ ନେଲେ

 

ଧନ୍ୟ ଧପଡ଼ ସିଂ ! ତୁମେ ମୋର ନମସ୍କାର ନିଅ ! ! ମନେ ମନେ ଧପଡ଼ ସିଂକୁ ଭକ୍ତିଭରେ ପ୍ରଣାମ କଲି ।

 

ଗୃହିଣୀ ହସ ହସ ବଦନରେ ପଚାରିଲେ, ଚମତ୍କାର ଚନାଚୂର ! କେଉଁଠୁ ଆଣିଲ ?

 

ଗର୍ବର ସହିତ କହିଲି, ଏ ହେଁ, କେମିତି ଲାଗୁଚି ? ଖୋଜି ଖୋଜି ତୁମ ପାଇଁ ଆଣିଚି ।

 

ସେଦିନ ଗୃହିଣୀ ମୋର ବିଳମ୍ବ ବା ଅଧିକା ଚାରି ପଇସା ଖର୍ଚ୍ଚ ବିଷୟରେ ଉଚ୍ଚବାଚ୍ୟ କଲେ ନାହିଁ ।

 

ପରଦିନ ବଜାରକୁ ଥଳି ନେଇ ବାହାରିବା ସମୟରେ ଗୃହିଣୀ ବଜାର ହିସାବ ବୁଝାଇ ଦେବା ପରେ କହିଲେ, ଏ ଛ’ଟା ପଇସା ଧର । ସେଇ ଚନାଚୂର ଆଣିବ । ପାଟିଟା କେମିତି ଟକରା ଲାଗୁଚି । ପୁଣି ଥରେ ଧପଡ଼ ସିଂକୁ ମନେ ମନେ ନମସ୍କାର କରି କହିଲି, ଧନ୍ୟ ଧପଡ଼ ସିଂ-! ଧନ୍ୟ ତୁମର ଭବିଷ୍ୟତ୍ ବାଣୀ ! !

 

ସେହିଦିନ ଠାରୁ ପ୍ରତ୍ୟହ ଛ’ ପଇସାର ଧପଡ଼ ସିଂ ଚନାଚୂର ଗୃହିଣୀଙ୍କ ବଜେଟ ଅନ୍ତର୍ଭୁକ୍ତ ହୋଇଗଲା । ସେହି ଦିନୁ ମଧ୍ୟ ଧପଡ଼ ସିଂ ସହିତ ମୋର ପରିଚୟ କ୍ରମେ କ୍ରମେ ଘନୀଭୂତ ହୋଇ ବନ୍ଧୁତ୍ଵରେ ପରିଣତ ହେଲା । ଦିନେ ଦିନେ ଲୋଭରେ ପଡ଼ି ବଜେଟରୁ ଅଧିକା ଖର୍ଚ୍ଚ କରି ମୁଁ ନିଜେ ଖାଇଦିଏ । ସେ ଅଧିକା ପଇସା ଧପଡ଼ ସିଂ ପାଖରୁ ମୁଁ ଧାର ନିଏ । ସେ ସେଥିରେ କିଛି ଆପତ୍ତି କରେ ନାହିଁ । ବରଞ୍ଚ ମୋର ମନ ବୁଝି ସେ ଦିନେ ଦିନେ ଯାଚି ଯବରଦସ୍ତି କରି ଦୁଇ ଚାରି ପଇସାର ଅଧିକା ଦେଇଦିଏ । ଧାର ବଢ଼ି ବଢ଼ି ଯେତେବେଳେ ତିନି ଟଙ୍କା ହୋଇଗଲା, ମୋର ଶୋଧ କରିବାର କ୍ଷମତାର ବାହାରେ ଚାଲିଗଲା, ଲଜ୍ଜାରେ ବାଧ୍ୟ ହୋଇ ମୁଁ ଧପଡ଼ ସିଂକୁ ଆର୍ଥିକବାଛନ୍ଦ କଲି । ଧପଡ଼ ସିଂ ଯେଉଁ ବାଟରେ ଚନାଚୂର ବିକେ ସେ ବାଟ ଦେଇ ଆଉ ଗଲି ନାହିଁ । ଗୃହିଣୀ ଆଉ ଚନାଚୂର ନ ପାଇ ପଚାରିଲେ କହିଦିଏ, ଧପଡ଼ ସିଂର ଦେଖା ପାଇଲି ନାହିଁ ।

 

ଅନେକ ଦିନ ଧପଡ଼ ସିଂ ସହର ମୋର ଦେଖା ହୋଇନାହିଁ । ମଝିରେ ମଝିରେ ମନଟା ତା ପାଇଁ ଖରାପ ହୋଇଯାଏ । ତାର ଗୀତ ଶୁଣି ଚନାଚୂର ଖାଇବାକୁ ଭାରି ଇଚ୍ଛା ହୁଏ । କିନ୍ତୁ କଟକୀ ବଜାରୀଙ୍କ ମୁହଁରେ ତ ବାଡ଼ବତା ନାହିଁ । କାଳେ ଏତେ ଲୋକଙ୍କ ମଝିରେ ଧାର ମାଗି ଦେଇ କିଛି ଅପମାନ କରି କହିଦେବ ଏହି ଭୟରେ ଓ ଲଜ୍ଜାରେ ମୁଁ ଆଉ ଯାଇପାରିଲି ନାହିଁ । ନିଜର ଦାରିଦ୍ର୍ୟ ଉପରେ ଭାରି ରାଗ ହୁଏ ଓ ନିଜ ଉପରେ ଭାରି ଘୃଣା ହୁଏ ।

 

ଦିନେ ବଜାରରେ ଶୁଣିଲି ଧପଡ଼ ସିଂ ଭାରି ଅସୁସ୍ଥ, ବାତ ଜ୍ଵରରେ ପଡ଼ିଚି । ମନଟା ମୋର ସେଦିନ ଭାରି ଖରାପ ହୋଇଗଲା । ସ୍ଥିର କଲି ଯେ କୌଣସି ପ୍ରକାରରେ ହେଉ ଆଜି ଭିତରେ ତିନୋଟି ଟଙ୍କା ଯୋଗାଡ଼ କରି ଧପଡ଼ ସିଂ ଘରେ ପହଞ୍ଚିବି । ଯିଏ ମୋର ଦାରିଦ୍ର୍ୟଜଞ୍ଜାଳପୂର୍ଣ୍ଣ ଜୀବନରେ ପ୍ରତ୍ୟହ ଅନ୍ତତଃ ପାଞ୍ଚ ମିନିଟ୍ ପାଇଁ ନିର୍ମଳ ଆନନ୍ଦ ଦେଇ ଆସିଚି ତାର ଏ ଦୁଃସମୟରେ ମୁଁ ତାକୁ ଧପ୍‌ପା ଦେଉଚି, ଏ ଚିନ୍ତା ମୋତେ ଲଜ୍ଜ୍ୟା ଦେଲା ।

 

ସେଦିନ ରବିବାର । ରବିବାର ଦିନ ଧପଡ଼ ସିଂର ଚନାଚୂର ବେଶି ବିକ୍ରୀ ହୁଏ । ସେ ବେଳ ଥାଉଁ ଥାଉଁ ଘରୁ ବାହାରେ ୮ ଦିନଯାକ ଧାର ଖୋଜି ପ୍ରାୟ ଚାରିଟାବେଳେ ଜଣକ ପାଖରୁ ତିନୋଟି ଟଙ୍କା ଧାର ନେଇ ଘର ଖୋଜି ଖୋଜି ଯାଇ ପହଞ୍ଚିଲି ଧପଡ଼ ସିଂ ଘରେ । ଗୋଟିଏ ସାନ କୁଡ଼ିଆ ଘର । ଘର ଦୁଆର ମୁହଁ ଚାଳ ଏତେ ନୁଆଁଣିଆ ଯେ ଘରର କୌଣସି ଅଂଶ ବାହାରକୁ ଦିଶୁନାହିଁ । ଘର ପାଖରେ ଛିଡ଼ା ହୋଇ ମୁଁ ଧପଡ଼ ସିଂ ନାଁ ଧରି ଡାକିଲି ।

 

ଧପଡ଼ ସିଂ ବାହାରି ଆସିଲା ତାର ସାଜ ପୋଷାକ ପିନ୍ଧୁ ପିନ୍ଧୁ । ମୋତେ ଦେଖି ସେ ଆଶ୍ଚର୍ଯ୍ୟ ହୋଇ କହିଲା, ବାରୁ ଆପଣ ! ଆପଣଙ୍କ କଥା କେତେଦିନ ହେଲା ଭାବୁଥିଲି । ମୋ ଚନାଚୂର କଅଣ ଭଲ ଲାଗୁ ନାହିଁକି ? ହେଉଥିବ, ଯେତେ କହିଲି ତାକୁ ଯେ ତଟକା ମସଲା ଦବୁ, ସେ ତ ଶୁଣିବ ନାହିଁ, ବାସି ମସଲା ଦବ । ବାବୁ, ଚନାଚୂର ଖରାପ ହେଲେ ମୋ ମନ ଭାରି ଖରାପ ହୋଇଯାଏ ।

 

ଘର ଭିତରକୁ ଅନାଇ ଧପଡ଼ ସିଂ ବଡ଼ପାଟି କରି କହିଲା, ଦେଖିଲୁ, ଦେଖିଲୁ, ମୁଁ କହୁଚି ତତେ ବାରମ୍ବାର...

 

ମୁଁ ତାକୁ ବାଧାଦେଇ କହିଲି, ନା, ନା, ତୁମର ଚନା ଭାରି ଚମତ୍କାର । କଟକଯାକ ତୁମର ଚନାଚୂର ର ପ୍ରଶଂସା । ସେଦିନ ବଜାରରେ ଅନେକ ଲୋକ ତୁମ କଥା କହୁଥିଲେ । ତୁମେ ଆଉ ନ ଯିବାରୁ ତୁମକୁ...

 

ମୋ କଥା ଛାଡ଼ନ୍ତୁ ! ମୋ ଚନାଚୂର କଥା କଅଣ କହୁଥିଲେ ?

 

—ତୁମର ଚନାଚୂର କୁ ଝୁରୁଥିଲେ ।

 

—ସତେ ବାବୁ ସତେ ! ଧପଡ଼ ସିଂ ମୋର ହାତ ଧରି ଘର ଭିତରକୁ ଟାଣି ନେଇଗଲା-। ତାର ନିଷ୍ପ୍ରଭ ଆଖି ଯୋଡ଼ିକ ଆନନ୍ଦରେ ଉଜ୍ଵଳ ହୋଇଗଲା ।

 

ମୁଁ ବାଧା ଦେଇ କହିଲି, ନା, ମୋର ବେଳ ନାହିଁ । ମୁଁ ତୁମର ଧାର ପରିଶୋଧ କରିବାକୁ ଆସିଥିଲି । ଏତେଦିନ ଦେଇପାରି ନ ଥିଲି, ମୋତେ କ୍ଷମା କରିବ ।

 

ଧପଡ଼ ସିଂ ମୋର ହାତ ଧରିପକାଇ କହିଲା, ଛି ବାବୁ । ପଇସା କଅଣ ସବୁ । ମୁଁ କଅଣ ବୁଝେନା କେଉଁଥିପାଇଁ ଆପଣ ଦେଇ ପାରିନାହାନ୍ତି । ଆସନ୍ତୁ ଟିକିଏ ଚାହା ଖାଇଯିବେ ।

 

ବ୍ୟସ୍ତ ହୋଇ ଘର ଭିତରେ ଖଣ୍ଡେ ମସିଣା ପାରିଦେଇ ସେ ଭିତରପଟ ପିଣ୍ଡାକୁ ଚାହିଁ କହିଲା, ଜାଣୁ ମୋର ଚନାଚୂର୍‌ର ଜଣେ ବଡ଼ ସମଝ୍‌ଦାର୍ ଆସିଚନ୍ତି । ବାବୁ, ସମଝ୍‌ଦାର୍ ନ ହେଲେ ବିକି ଆନନ୍ଦ ନାହିଁ ।

 

ମୁଁ କିନ୍ତୁ ଧପଡ଼ ସିଂର ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ତାର ଡାହାଣ ଗୋଡ଼ ଗୋଦଡ଼ ହୋଇଚି, ଗାଲ ପଶି ଯାଇଚି, ଆଖି ଯୋଡ଼ିକ କୋଟରଗତ । କହିଲି ଧପଡ଼ ସିଂ, ତୁମର ଦେହ ଭାରି ଖରାପ, ଆଉ କିଛି ଦିନ ବିଶ୍ରାମ କର ।

 

ଧପଡ଼ ସିଂ ହସି କହିଲା, ଆମର ବିଶ୍ରାମ କାହିଁ ବାବୁ, ଦାଣ୍ଡରୁ ଆଣିଲେ ହାଣ୍ଡିରେ ପଡ଼ିବ । ଏ କେତେ ଦିନ ଯେ କି କଷ୍ଟରେ...

 

ପିଣ୍ଡା ପାଖରୁ ଘର ଭିତରେ ଦୁଇଟି ଗିଲାସରେ ଚାହା ରଖି ଦେଇ ଧପଡ଼ ସିଂର ସ୍ତ୍ରୀ କହିଲା, ମିଛ କଥା ସବୁ । ତାରି ରୋଜଗାରରୁ ମୁଁ ଯାହା ସାଇତି ରଖିଚି ସେଥିରେ ଆହୁରି ମାସେ ଚଳିଯିବ । ଆଜିକି ସାତଦିନ ହେଲା ମୋ ସହିତ କଜିଆ, ସେ ଚନାଚୂର ବିକିବାପାଇଁ ବଜାରକୁ ଯିବ । କୌଣସିମତେ ଅଟକାଇ ରଖିଥିଲି । ଆଜି ସକାଳୁ ତାକୁ ତର ନାହିଁ ଏପର୍ଯ୍ୟନ୍ତ, ଚନାଚୂର ତିଆରି କରିବାରେ ଲାଗିଛି, ଖିଆ ପିଆ ନାହିଁ । ଆଜିକି ପନ୍ଦର ଦିନ ହବ ପେଟବ୍ୟଥା ଯେ କୁହନି । ମୋ କପାଳ—

 

ଧପଡ଼ ସିଂ ହସି କହିଲା, ସତେ ବାବୁ, ବଜାରକୁ ବିକି ନ ଯାଇ ରହିପାରିବି ନାହିଁ । ଗୀତ ବୋଲି ଚନାଚୂର ବିକିବାକୁ ମୁଁ ଭାରି ଖୁସି ପାଏ । ମୋ ଚନାଚୂର ଖାଇ ପାଞ୍ଚଜଣ ଆନନ୍ଦ ପାଇଲେ ମୋ ଛାତି ଫୁଲି ଉଠେ । ନ ହେଲେ ପେଟ ଚାଖଣ୍ଡକ ପାଇଁ ମୋର ଚିନ୍ତା ନାହିଁ ।

 

ଆପତ୍ତି କରି କହିଲି, କିନ୍ତୁ ତୁମ ଦେହ ଖରାପ ଯେ—

 

—ହଁ ବାବୁ, ବିଶ୍ରାମ ନେଲେ ଆଉ ବର୍ଷ ଗୋଟାଏ ଦି’ଟା ଅଧିକା ହୁଏତ ବଞ୍ଚିବି । ମଣିଷ ତ ମରିବ ଦିନେ । ତେବେ ଲୋକେ ଯଦି ମୋ ଚନାଚୂର ଖାଇ ଆନନ୍ଦ ପାଇ କହିଲେ, ଧପଡ଼ ସିଂ ଚନାଚୂର ସରି କେହି ନୁହଁ, ତେବେ ତ ମୁଁ ବଞ୍ଚିଗଲି କାଳକାଳକୁ ।

 

ମୁଁ ନୀରବ ରହି ଚାହାପାନ କରିବାକୁ ଲାଗିଲା । ବେଳ ହୋଇଗଲାଣି ବୋଲି ଧପଡ଼ ସିଂ ତରତର ହୋଇ ପୋଷାକ ପିନ୍ଧିବାକୁ ଲାଗିଲା । ଗୋଟିଏ ଟ୍ରଙ୍କରୁ ତାର ପୋଷାକ ସବୁ ଅତି ଯତ୍ନରେ ବାହାର କରି ସେ ପିନ୍ଧିବାକୁ ଲାଗିଲା । କାନ୍ଥରେ ମରା ହୋଇଥିବା ଖଣ୍ଡେ ଭଙ୍ଗା ଦର୍ପଣକୁ ଚାହିଁ ସେ ପଗଡ଼ି ବାନ୍ଧିବାକୁ ଲାଗିଲା । ସବୁ ପୋଷାକ ପିନ୍ଧିସାରି ଯେତେବେଳେ ସେ ଛିଡ଼ାହେଲା, ସେତେବେଳେ ତାର ରୂପ ଏକଦମ ବଦଳିଗଲା । ଚନାଚୂର ମୁଣାଟି କାନ୍ଧରେ ଝୁଲାଇବା ପରେ ସେ ଦର୍ପଣ ପାଖରେ ମରା ହୋଇଥିବା ଗୋଟିଏ ଫଟକୁ ମୁଣ୍ଡ ନୁଆଁଇ ନମସ୍କାର କରିବାକୁ ଲାଗିଲା ।

 

ଫଟଟି କୌଣସି ଦେବଦେବୀଙ୍କର ନୁହଁ, ଜଣେ ମନୁଷ୍ୟର । ଠିକ୍ ଧପଡ଼ ସିଂ ପରି ତାର ବେଶଭୂଷା । ଫଟଟି ରହିଚି ଗୋଟିଏ ପଟା ଉପରେ । ଦୁଇ କଡ଼ରେ ତାର ଦୁଇଟି ଧୂପଦାନୀ, ସେଥିରେ ଅଗରବତୀ ଜଳୁଚି ।

 

କୁତୁହଳୀ ହୋଇ ପଚାରିଲେ, କାହାକୁ ନମସ୍କାର କଲ ? କେଉଁ ଦେବତା ସେ ?

 

ଧପଡ଼ ସିଂ ହସି କହିଲା, ସେ ମୋର ଗୁରୁଦେବ । ତାଙ୍କର ବାପମାଦିଆ ନାଁ’ ମୁଁ ଜାଣେ ନା । ତାଙ୍କର ଚନାଚୂର ବିକା ନା’ଟି କବି ସିଂ । ସେଇ ମୋ ନାଁ ଦେଇଚନ୍ତି ଧପଡ଼ ସିଂ । ମୁଁ କିଛିଦିନ ବନାରସରେ ଥିଲି, ସେଇଠି ତାଙ୍କଠାରୁ ମୁଁ ସବୁ ଶିକ୍ଷା କରିଚି । ବାବୁ, କି ବୋଲି ତାଙ୍କର-!! ପାଞ୍ଚଶହ ମଣିଷକୁ ସେ ଛକ ଉପରେ ଦୁଇ ଘଣ୍ଟା ଅଟକାଇ ଦେବେ ତାଙ୍କ ବୋଲିରେ !! ମୁହେଁ ମୁହେଁ ତାଙ୍କର ଗୀତବନ୍ଧା ଚାଲିଚି ଅନର୍ଗଳ !! ଥରେ ସରକାର ବିପକ୍ଷରେ ଏମିତି ପଦ ଯୋଡ଼ିଲେ ଯେ ଲୋକେ ପରା ମାତି ଉଠିଲେ ! ଅନେକ ବହି ସେ ପଢ଼ୁଥିଲେ, ଅନେକ କଥା ସେ ଚିନ୍ତା କରୁଥିଲେ । ସବୁ କଥା ସେ ମୋତେ ଶିଖାଇଚନ୍ତି । ତାଙ୍କରି କୃପାରୁ ମୋର ଏ ଗୁଣ । ଚାଲ ବାବୁ ଯିବା, ଆଜି ଫୁଟବଲ୍ ଖେଳ ପରା । କିଲ୍ଲା ଯିବି ।

 

ଧପଡ଼ ସିଂ ପୁଣି ଥରେ ତାର ଗୁରୁଦେବଙ୍କୁ ପ୍ରଣାମ କରି ବାହାରି ପଡ଼ିଲା । ଘରୁ ବାହାରି ଦୁଆର ମୁହଁରେ ଛିଡ଼ାହୋଇ ତାର ଆକର୍ଣ୍ଣବିସ୍ତୃତ ନିଶ ଉପରେ ହାତ ମାରି ଗମ୍ଭୀର ଭାବରେ ଚାରିଆଡ଼କୁ ଚାହିଁ ଯେତେବେଳେ ସେ ଛିଡ଼ା ହେଲା, ସେତେବେଳେ କିଏ କହିବ ସେ ମାସକର ମଳୁ ! ମୁଁ ମୁଗ୍‌ଧ ହୋଇ ଅନାଇ ରହିଲି ତାକୁ । ତା ପରେ ଆଉ ଥରେ ଚାରିଆଡ଼କୁ ସିଂହାବଲୋକନ କରି ସେ ଯେତେବେଳେ ଆରମ୍ଭ କଲା...ଚନା ବନାଏ ତର୍‌ର୍...ସେତେବେଳେ ମୋର ମନେହେଲା ମେରଙ୍ଗୋ ଯୁଦ୍ଧରେ ନୋପୋଲିୟନ ଚାଲିଛନ୍ତି, କି ସିକାଗୋ ହଲରେ ବିବେକାନନ୍ଦ ବକ୍ତୃତା ଦେଉଛନ୍ତି ।

 

ଧପଡ଼ ସିଂ ମୋତେ ଆଉ ନ ଚାହିଁ ଚାଲିଗଲା ।

 

ଏହା ପରେ କିଛିଦିନ ବିତିଯାଇଛି । ଗୃହିଣୀଙ୍କ ବଜେଟରେ ପୁଣି ଚନାଚୂର ସ୍ଥାନ ପାଇଚି । ପ୍ରାୟ ପନ୍ଦର ଦିନ ପରେ ଦିନେ ଦେଖିଲି ଧପଡ଼ ସିଂ ଆସିନାହିଁ । ପୁଣି ଦେହ ଖରାପ ହୋଇଚି ନିଶ୍ଚୟ । ସାଙ୍ଗେ ସାଙ୍ଗେ ଦୌଡ଼ିଲି ତାର ଘରକୁ ।

 

ଧପଡ଼ ସିଂ ସ୍ତ୍ରୀ ମୋତେ ଦେଖି କାନ୍ଦି ପକାଇଲା । ଧପଡ଼ ସିଂ ବିଛଣାରେ ଶୋଇ ଯନ୍ତ୍ରଣାରେ ଛଟଛଟ କରୁଚି, ପେଟରେ ହାତ ବୁଲାଉଛି । ପେଟରେ ତାର ହାତ ଦେଇ ଆଉଁସି ଦେଇ ପଚାରିଲି, କଅଣ ହେଲା ?

 

ଧପଡ଼ ସିଂ କ୍ଷୀଣକଣ୍ଠରେ କହିଲା, ପେଟ...

 

ତାର ସ୍ତ୍ରୀ କହିଲା, ବାବୁ, ଯେତେ କହିଲି ଆଉ ଚନାଚୂର ବିକନା, ଅନ୍ୟ ବେଉସା କର, ମୋ କଥା ମାନିଲା ନାହିଁ । ଚନାଚୂର ଟିଣର ନିଅଁ ସଦାଦିନେ ସଦାବେଳେ ପେଟରେ ଲାଗି ପେଟ ଯେ କଅଣ ହେଲା...

 

ଧପଡ଼ ସିଂ ମୋତେ ଚାହିଁଲା । ଆଖିରୁ ତାର ଦୁଇଧାର ଲୁହ ଗଡ଼ି ପଡ଼ିଲା । ଓଠ ତାର ଥରି ଉଠିଲା । ଟିକିଏ ଆଶ୍ୱସ୍ତ ହୋଇ ସେ କହିଲା, ବାବୁ, ମରେ ପଛେ ଚନାଚୂର ବିକା ମୁଁ ଛାଡ଼ିପାରିବି ନାହିଁ । ସେଥିରେ ତ ମୁଁ ଖାଲି ପଇସା ରୋଜଗାର କରେ ନା, ଭାରି ଆନନ୍ଦ ପାଏ । ହେଲେ ବାବୁ ମୋର ଦୁଃଖ-ମୋ ଅନ୍ତେ ମୋର ଚନାଚୂର ନା’ ବୁଡ଼ିଯିବ । ମଣିଷ ତ ଦିନେ ମରେ, ମରିବ; ସେଥିରେ ମୋର ଦୁଃଖ ନାଇ । କିନ୍ତୁ ମୋ ଚନାଚୂର ଆଉ କେହି ଖାଇ ପାରିବେ ନାହିଁ ମୋ ଅନ୍ତେ । ପୁଅଟାକୁ ଯେତେ କହିଲି ଇଲମ୍ ନେଇ ନେ ମୋ ପାଖରୁ, ଶୁଣିଲା ନାହିଁ । ଚପରାସି ହେବା ପାଇଁ ଦୌଡ଼ିଚି ।

 

ମୋର ଆଖି ଛଳ ଛଳ ହୋଇ ଆସିଲା । କିଛି ନ କହି ମୁଁ ଉଠିଗଲି ଡାକ୍ତର ଡାକିବାକୁ-। ଡାକ୍ତର ଆସି ଦେଖି ମୋତେ ଡାକି ନେଇ କହିଲେ, ଲିଭର ପଚି ଯାଇଚି, ଆଉ ଦୁଇ ଦିନରୁ ବେଶି ନୁହଁ ।

 

ଦୁଇଦିନ ବି ଗଲାନାହିଁ । ସେଇଦିନ ରାତି ପ୍ରାୟ ଗୋଟାକବେଳେ ଧପଡ଼ ସିଂ ତାର ଗୁରୁଦେବଙ୍କ ଫଟକୁ ଅନାଇ ଶେଷ ନମସ୍କାର କରି ଶେଷ ନିଶ୍ଵାସ ପକାଇଲା ।

 

ପୃଥିବୀରୁ ଜଣେ କଳାକାର ଚାଲିଗଲା ।

 

ଧପଡ଼ ସିଂର ଦେହ ମୁଁ ଚିତା ଉପରେ ଧୀରେ ଶୁଆଇ ଦେଲି । ତାର ପୁଅ ମୁଖାଗ୍ନି ଦେଲା ପରେ ଚିତା ସଶବ୍ଦେ ଜଳି ଉଠିଲା ମଶାଣିର ଖର ପବନରେ ।

 

ଚିତାର ଚଡ଼ଚଡ଼ ଶବ୍ଦରେ ଶୁଣିଲି ସେଇ ମହାକାବ୍ୟ...ଚନା ବନାଏ ତର୍‌ର୍, ଇସ୍‌‌କୁ ଲେତେ ଯାନା ଘର୍‌ର୍‌ର୍‌ର୍‌ର୍‌ ।

Image

 

ଜୀବିକା ଓ ଜୀବନ

 

ଜୀବନ ଓ ଜୀବିକା, ଜୀବିକା ଓ ଜୀବନ ! କେଉଁ ଅନାଦି ଅତୀତରେ କାହାର ସୃଷ୍ଟି କରିବାର ଆନନ୍ଦରେ ଅନନ୍ତ ଅସୀମରେ କୋଟି କୋଟି ବିରାଟ ଅଗ୍ନି ମୟ ପିଣ୍ଡ ମଧ୍ୟରୁ ଏକ ବିରାଟ ଅଗ୍ନି ପିଣ୍ଡରୁ ଚେନାଏ ଖସି ସୃଷ୍ଟି ହୋଇଥିଲା ଆମର ଏଇ ମାଟି ପେଣ୍ଡୁଳାଟି ! ସେଥିରୁ ପୁଣି ଜାତ ହେଲା—ତା ମଧ୍ୟ କେଉଁ ଅନାଦି ଅତୀତରେ, କାହାର ଆନନ୍ଦରେ—ଏକ ଜୀବନ କଣା-! ସେ ଜୀବନ କଣା ମଧ୍ୟ ବିକଶିତ ହୋଇ ହୋଇ ହୋଇଚି ମନୁଷ୍ୟ । ଏ ଦେହ ମଧ୍ୟରେ ପୁଣି ସେ ଜୀବନରେ ଜାତ ହୁଏ ଏକ ଅପୂର୍ବ ବେଦନାମୟ ଅଭିସାର । ସମଗ୍ର ବିଶ୍ୱ ପରିବ୍ୟାପ୍ତ, ଏ ଜୀବନର ଉତ୍ପତ୍ତିର କାରଣ, ସେଇ ଅନନ୍ତ ଅସୀମ ଅପରିଜ୍ଞେୟ ଆନନ୍ଦର ଉତ୍ସକୁ ଅନ୍ଵେଷଣ କରି ପାଇବାକୁ ଏ ଜୀବନରେ ଏକ ଅପୂର୍ବ ବ୍ୟାକୁଳତା ଜାତ ହୁଏ । ଏ ଜୀବନ ଦେହଜ ହେଲେ ମଧ୍ୟ ସେ ଅଭିସାର ଏ ଜୀବନକୁ କରେ ଦେହାତୀତ । ଯେପରି ପଙ୍କଜ ପଙ୍କରୁ ଜାତ ହୋଇ ମଧ୍ୟ ପଙ୍କିଳ ନୁହଁ । କ୍ଷୁଦ୍ର ଶିଶିର କଣାଟି ଯେପରି ଧରି ରଖେ ବିରାଟ ସୂର୍ଯ୍ୟକୁ ତା’ର କ୍ଷୁଦ୍ର ବୁକୁରେ, ଏ ଜୀବନ ମଧ୍ୟ ଧରି ରଖିବାକୁ ଚେଷ୍ଟା କରେ ସେଇ ବିରାଟକୁ ! ଏ ଅଭିସାର ପଥରେ ଯିଏ ଯେତେ ଦୂର ଆଗେଇ ଯାଇଚି ତା’ର ଜୀବନ ସେତେ ବିକଶିତ ହୋଇଚି । ଏ ଭଙ୍ଗୁର ଦେହର ରକ୍ଷା ଏବଂ ସେଥିପାଇଁ ଗୋଟିଏ ଜୀବିକା ସେଇ ଲକ୍ଷ୍ୟର ଏକ ପନ୍ଥା ମାତ୍ର, ନିଜେ ଲକ୍ଷ୍ୟ ନୁହଁ । ଜୀବନର ସେହି ବିକାଶ ପାଇଁ ଏ ଦେହର ରକ୍ଷା ବା ପରିପୁଷ୍ଟି ଆବଶ୍ୟକ । କିନ୍ତୁ ଯେତେବେଳେ ଦେହ ପ୍ରତି ଜାତ ହୁଏ ମୋହ ସେତେବେଳେ ଏ ଦେହର ରକ୍ଷା ବା ପରିପୁଷ୍ଟି ହୋଇ ଉଠେ ଲକ୍ଷ୍ୟ, ଜୀବିକା ହୁଏ ପ୍ରଧାନ । ବୋଧହୁଏ ଜୀବନର ଲକ୍ଷ୍ୟ ଆଜି ମୋହାବୃତ ବୋଲି ବୈଷୟିକ ଉନ୍ନତିର ଶତ ଯୋଜନା ସତ୍ତ୍ୱେ ହିଂସା, ଘୃଣା, ସନ୍ଦେହ, ଯୁଦ୍ଧ ହୋଇ ଉଠିଚି ଅପରିହାର୍ଯ୍ୟ । ଆଜି ସର୍ବଦା ଶଙ୍କିତ, ଭୀତ ଏବଂ ବ୍ୟର୍ଥତାରେ ପରିପୂର୍ଣ୍ଣ ରାଜନୀତି, ଧର୍ମ, ଦେଶ ସେବା, ଅର୍ଥନୀତି, ଯୋଜନା ସବୁ ହୋଇଚି ନିଜ ନିଜ ପ୍ରତିପତ୍ତି ବିସ୍ତାରର ଏକ କ୍ଷେତ୍ର । ତଥାପି ଜୀବନର ଜୟ ସୁନିଶ୍ଚିତ ।

 

ଧପଡ଼ ସିଂର ଶବକୁ ଘେରି ଚିତାଗ୍ନି ଜଳୁଚି । ଚିତାର ଚଡ଼ଚଡ଼ ଶବ୍ଦରେ ଭାସି ଆସୁଚି ଧପଡ଼ ସିଂର ସେଇ ଗୀତି...ଚନା ଚୂର୍‌ର‌୍‌ର୍ ମୁର୍‌ର୍‌ର୍ । ଶ୍ମଶାନରୁ ଫେରି ଧପଡ଼ ସିଂର ପୁଅ ହରି ଆଗେ ଆଗେ ଚାଲିଚି । ଆମେ ଶବବାହକମାନେ ପଛେ ପଛେ ଚାଲିଚୁ । ମୁଁ ଅନ୍ୟମନସ୍କ ଭାବରେ ଶବବାହକମାନଙ୍କ ସହିତ ଚାଲିଚି ଭାବି ଭାବି ।

 

ଧପଡ଼ ସିଂର ଶେଷ ଆଶା ପୁରଣ ହୋଇପାରି ନାହିଁ । ସେ ତାର ଚଣାବିକା ଗୁରୁ କବିସିଂ ପାଖରୁ ମନ୍ତ୍ର—ଯାହାକୁ ଧପଡ଼ସିଂ କହୁଥିଲା ଇଲମ୍—ନେଇ ପୂଜ୍ୟ ଗୁରୁଦତ୍ତ ଧପଡ଼ସିଂ ନାମରେ କଟକରେ ନାନା ବର୍ଣ୍ଣର ଅଦ୍ଭୁତ ପୋଷାକ ପିନ୍ଧି, ନାନା ଅପୂର୍ବ ଗୀତ ବୋଲି, ଅତି ସୁସ୍ୱାଦୁ ଚଣା ସେ ବିକ୍ରି କରିଚି ଗତ ଦଶବର୍ଷ ଧରି । ତାହାପାଇଁ ଓ ତାର “ବୋଲି” ପାଇଁ ତାର ଚନାଚୂର ବେଶୀ ପରିଚିତ, ବେଶୀ ଆଦରର ହୋଇଥିଲା । ଗରାଖକୁ ନିର୍ମଳ ଆନନ୍ଦ ଦେବା ତା’ର ଜୀବନର ଉଦ୍ଦେଶ୍ୟଟିକୁ ଜୀବିକା ତାହାର ସାହାଯ୍ୟ କରି ଆସିଥିଲା । ଧପଡ଼ସିଂ ଥିଲା ଜଣେ ଉଚ୍ଚକୋଟିର କଳାକାର ।

 

ଧପଡ଼ସିଂର ଶେଷ ଇଚ୍ଛା ଥିଲା ତା’ର ନିଜ ପୁଅ ହରିକୁ ନିଜ ମନ୍ତ୍ରରେ ଦୀକ୍ଷା ଦେଇ “ଚଣାସିଂ” ନାମରେ ବଜାରକୁ ଛାଡ଼ିଦେବ । କେତେବାର ସେ କଳ୍ପନା କରିଚି, ପୁତ୍ର ଓ ଶିଷ୍ୟ ଚଣାସିଂ ଓ ସେ ନିଜେ ଚୌଧୁରୀ ବଜାର ଛକରେ ନିଜ ନିଜ ଚଣା ବିକୁଛନ୍ତି ଓ ପରସ୍ପର ପ୍ରତି ‘ବୋଲି’ ବାଣ ନିକ୍ଷେପ କରୁଛନ୍ତି । ଶେଷରେ ସେ ନିଜେ ପୁତ୍ର ଓ ଶିଷ୍ୟ ପାଖରେ ପରାସ୍ତ ହୋଇ ତାକୁ ସଲାମ କରି ସେ ଛକ ଛାଡ଼ି ଚାଲିଯାଇଚି ଅନ୍ୟ ଛକକୁ । (ଚଣାବିକାଳିମାନଙ୍କ ମଧ୍ୟରେ ଗୋଟିଏ ଅଲେଖା ନିୟମ ଅଛି ଯେ ଦୁଇଜଣ ଚଣାବିକାଳି ଯଦି ଦୈବାତ୍ ଗୋଟିଏ ଜାଗାରେ ଏକତ୍ର ହୋଇଯାଆନ୍ତି ତେବେ ଚଣାର ବୋଲିରେ ଯିଏ ପରାସ୍ତ ହେବ ସେ ବିଜେତାକୁ ସଲାମ କରି ସେ ଜାଗା ଛାଡ଼ି ଅନ୍ୟତ୍ର ଚାଲିଯିବ ଚଣା ବିକିବାକୁ) । ଏ କଳ୍ପନା କେତେଥର ସେ ମୋ ଆଗରେ ପ୍ରକାଶ କରିଚି । କହୁ କହୁ ବାରମ୍ବାର ସେ ଆକର୍ଣ୍ଣବିସ୍ତୃତ ନିଶକୁ ଶାଉଁଳେଇଚି । ଆଖି ତା’ର ଜଳି ଉଠିଚି । ଶେଷ ଥରକପାଇଁ ମୋର ହାତ ଧରି ସେ ଅନୁରୋଧ କରିଚି ମୁଁ ଯେପରି ହରିକୁ ସେଇ ଉଦ୍ଦେଶ୍ୟରେ ଉତ୍ସାହିତ କରେ ।

 

ହରି, ମୁଁ ଓ ଅନ୍ୟାନ୍ୟ ଶବବାହକମାନେ ନଈରେ ଗାଧୋଇ ଗଲୁ ଧପଡ଼ସିଂ ଘରକୁ । ଧପଡ଼ସିଂର ସ୍ତ୍ରୀ ହାରାବତୀ ନିର୍ମାଲ୍ୟ ଆଦି ସଜାଡ଼ି ରଖିଥାଏ । ଆମେ ନିର୍ମାଲ୍ୟ ସେବା କରିବା ପରେ ଜଳଖିଆ ଖାଇବାକୁ ବସିଲୁ । ଧପଡ଼ସିଂର ଗୁରୁ କବିସିଂର ଫୋଟୋ ପାଖରେ ଧୂପ ଜଳୁଥାଏ । ଚନାଚୂର ବିକିବା ପୋଷାକରେ ଧପଡ଼ସିଂର ଗୋଟିଏ ଫୋଟୋ ମଧ୍ୟ କାନ୍ଥରେ ମରାହୋଇଛି, ତା’ ପାଖରେ ମଧ୍ୟ ଧୂପ ଜଳୁଚି । ଧପଡ଼ସିଂର ଜାତିଭାଇମାନେ ଖାଇସାରି ଧପଡ଼ସିଂର ଫୋଟୋ ପାଖରେ ଦଣ୍ଡବତ ହୋଇ ଚାଲିଗଲେ ।

 

ସମସ୍ତେ ଚାଲିଗଲା ପରେ ହାରାବତୀ ଧପଡ଼ସିଂର ଚନାଚୂର ବିକିବା ପୋଷାକ ସବୁ ଗୋଟି ଗୋଟି କରି ପେଡ଼ିରୁ ବାହାର କରିବାକୁ ଲାଗିଲା । ଗାଢ଼ ଲାଲରଙ୍ଗର ପଗଡ଼ି, ପକ୍ଷୀପରଲଗା ନକଲି ସୁନାର ବୁରୁଚ, ଛାପଛାପକା ଶସ୍ତା ସିଲ୍‌କର ରୁମାଲ, ବାଇଗଣୀ ରଙ୍ଗର ଜାପାନୀ ସିଲକର ବୁଟିଦାର ପଞ୍ଜାବି, ହଳଦିଆ ରଙ୍ଗର ଜରିକାମ କରା ନକଲି ଭେଲ୍‌ଭେଟର ଫତୁଆ, ଗୋଲାପି ରଙ୍ଗର ଭୟେଲ କନାର ଧୋତି, ସବୁଜ ରଙ୍ଗର ନାଗ୍ରା ଜୋତା ସବୁ ସେ ଗୋଟି ଗୋଟି କରି ବାହାର କରି ଛାତିରେ ଯାକିଧରି ତୁହାଇ ତୁହାଇ କାନ୍ଦିବାକୁ ଲାଗିଲା ବାଷ୍ପରୁଦ୍ଧ କଣ୍ଠରେ—

 

ମୋତେ ଛାଡ଼ି ତୁମେ କୁଆଡ଼େ ଗଲ,

ମୋ ପ୍ରାଣନାଥ ।

ଏ ଚଣା ପୋଷାକ କଣ ହବ,

ମୋ ପ୍ରାଣନାଥ ।

ଚନାଚୂର୍‍ର୍‍ ମୁରର୍ ଆଉ ନ ଶୁଣିବି,

ମୋ ପ୍ରାଣନାଥ ।

କଟକଯାକ ତ ଝୁରିବେ ତୋତେ,

ମୋ ପ୍ରାଣନାଥ ।

ତୁମ ଚଣା ନା’ଟି ବୁଡ଼ିଲା ଆଜୁଁ,

ମୋ ପ୍ରାଣନାଥ.....

 

ପାଖରେ ଯେ ମୁଁ ଓ ତା’ର ପୁଅ ଛିଡ଼ା ହୋଇ ରହିଚୁ ଅତି ଦୁଃଖରେ ସବୁ ଭୁଲିଯାଇ ବିରହବିଧୁରା ହାରାବତୀ ‘ପ୍ରାଣନାଥ’ଙ୍କ ଉଦ୍ଦେଶ୍ୟରେ ବାହୁନି କାନ୍ଦିବାକୁ ଲାଗିଲା । ଅତି କରୁଣ ପ୍ରାଣସ୍ପର୍ଶୀ ସେ ବାହୁନା । ମୁଁ ମଧ୍ୟ କୋହ ସମ୍ଭାଳି ପାରିଲି ନାହିଁ । ଧପଡ଼ସିଂର ସେଇ ଅପୂର୍ବ ଗୀତି ‘ଚନା ବନାଏ ତରର୍, ଇସ୍‌କୁ ଲେକେ ଯାନା ଘରର୍’ ବାରମ୍ବାର ମୋ କାନରେ ବାଜିବାକୁ ଲାଗିଲା-

 

ହରିକୁ ଠାରି ମୁଁ କହିଲି ମାଆକୁ ତା’ର ସାନ୍ତ୍ଵନା ଦେବାକୁ । ହରି ମାକୁ କୋଳକୁ ଆଉଜାଇ ନେଇ କହିଲା,ଥାଉ ବୋଉ, ହାମେ ଅଛ, ପରୁଆ କ୍ୟା ।

 

ହାରାବତୀ ପୁଅ ଛାତିରେ କିଛିକ୍ଷଣ ପଡ଼ିରହି ଉଠି ବସି ହରି ଚିବୁକରେ ହାତ ରଖି କହିଲା, ହରି, ବାପା ତୁ ଚପରାଶି କାମ ଛାଡ଼ି ଦେ । ବାପା ତୋର କହିଯାଇଚି ତା ପୁଅ ଚଣାସିଂ ନା’ରେ ତା’ ପୋଷାକ ପିନ୍ଧି କଟକ ବଜାରରେ ଚନାଚୂର ବିକିବାର ଦେଖିଲେ ତା’ର ଆତ୍ମା ଶାନ୍ତି ପାଇବ ।

 

ହରି ଉଠିପଡ଼ି କହିଲା, ନାହିଁ ସେ ପୋଷାକ ପିନ୍ଧି ଗୀତ ବୋଲି ବଜାରରେ ବୁଲିବାକୁ ହାମକୁ ସରମ୍ ଲାଗିବ ।

 

ମୁଁ ସେ ଆଲୋଚନାରେ ଯୋଗଦେଇ କହିଲି, ହରି, ସତେ ଏକା, ଚପରାଶି ଚାକିରିରୁ କଅଣ ମିଳିବ...

 

ହାରାବତୀ ସାହସ ପାଇ କହିଲା, ତୋ ବାପା ରୋଜ ଦି ତିନି ଘଣ୍ଟା ଚଣା ବିକି ତୋର ଚାରିଗୁଣ ରୋଜଗାର କରିଛି । ସବୁ ଖରଚ ଚଳେଇ ସେଥିରୁ ମୁଁ ଯା ସାଇତିଛି ତୁ ଦେଖିବୁ ?

 

ହରି ସଞ୍ଚିତ ଧନର ସନ୍ଧାନ ପାଇ କହିଲା, ବୋଉ, ତମେ ଭାରି ଚାଲାକ ଅଛ । ଆଚ୍ଛା ହାମେ ଚାକିରି ଛାଡ଼ି ଦବ, ଲେକିନ୍ ସେ ପୋଷାକ ପିନ୍ଧି ଗୀତ ଗାଇ ହାମେ ଚଣା ବିକିବା ନାହିଁ । ହାମେ ଦୁସରା ରକମ କରିବା । ମୁଁ ସଙ୍ଗାତ ଇୟାସିନ୍‌କୁ ପଚାରେ ଆଗେ ।

 

ହରି ବିଡ଼ି ଧରାଇ ସିଲ୍‍କି ପଞ୍ଜାବି ଧରି ବାହାରିଗଲା । ପୁଅର ଏତେକ କଥାରେ ହାରାବତୀ ମୁହଁରେ କ୍ଷୀଣ ହସର ରେଖା ଫୁଟି ଉଠିଲା । ମୋତେ ଚାହିଁ ସେ କହିଲା, ଯା ହେଉ, ପୁଅ ରାଜି ହୋଇଚି, ବାପ ତା’ର ସରଗରେ ଥାଇ ଖୁସି ହେବ ।

 

ହରିର ରାଜି ହେବାରେ ମୁଁ କିନ୍ତୁ ଉତ୍ସାହିତ ହୋଇପାରିଲି ନାହିଁ । ଧପଡ଼ସିଂର ଚନାଚୂର୍‍ର ବିକିବା ତ କେବଳ ଅର୍ଥ ଉପାର୍ଜନ କରିବାର ପନ୍ଥା ନ ଥିଲା । ହରି ତାକୁ ରୋଜଗାରର ପନ୍ଥା ଭାବରେ ଗ୍ରହଣ କରି କି ବିଭ୍ରାଟ ସୃଷ୍ଟି କରିବ କେଜାଣି । ଭାବିଲି ଧପଡ଼ସିଂ ଜୀବନର ଆଦର୍ଶଟି ବୁଝାଇ କହିବି । କିନ୍ତୁ ସେଥିରେ ମୁଁ କାଳେ ଏକ ବିଭ୍ରାଟ ସୃଷ୍ଟି କରିବି ଭାବି ନୀରବ ରହିଲି ।

 

ବିଦାୟ ଦେବାବେଳେ ହାରାବତୀ ମୋର ହାତଧରି ଅଶ୍ରୁଭରା ନୟନରେ କହିଲା, ମଝିରେ ମଝିରେ ଆସୁଥିବ ବାବୁ । ସେ ତମ କଥା କେତେ କହୁଥିଲେ ।

 

ଘରକୁ ଫେରି ଗୃହିଣୀକୁ କହିଲି, ଶୁଣୁଚ, ତୁମ ଚଣା ଖାଇବା ଆଜିଠୁ ସରିଗଲା । ଧପଡ଼ସିଂ ମରିଗଲା ।

 

ଗୃହିଣୀ ଦୀର୍ଘ ନିଶ୍ଵାସ ପକାଇ କହିଲେ, ଆହା, ତୁମେ ଥରେ ଥରେ ନ ଗଲେ ସେ ନିଜେ ଘରକୁ ଆସି ଦେଇ ଯାଇଛି, କେତେଥର । ବଢ଼ିଆ ଚନାଚୂର ଏକା ।

 

ବନ୍ଧୁ ରାଧିକାମୋହନକୁ ଧପଡ଼ସିଂର ଜୀବନ କାହାଣୀଟି ଶୁଣାଇଲି । ବନ୍ଧୁ ସବୁ ଶୁଣି କହିଲେ, ତୁ ତା’ର ଗୋଟିଏ ସମାଧି ଗଢ଼ିଦେ ଶ୍ମଶାନରେ । ପ୍ରଥମେ ପ୍ରସ୍ତାବଟି ଚମତ୍କାର ଲାଗିଥିଲା-। କିନ୍ତୁ ପରେ ଭାବିଲି ସମାଧି ଗଢ଼ି ଧପଡ଼ସିଂକୁ ଅପମାନ କରିବି କେବଳ । ତାର ଜୀବନର ଦର୍ଶନକୁ ମୁଁ ଯଦି ଅନ୍ତରର ସହିତ ଗ୍ରହଣ କରିପାରେ ତେବେ ତାହାହିଁ ହେବ ତା’ର ଅମରତ୍ଵ । ଯିଏ ନୀରବରେ ତାର କାର୍ଯ୍ୟ କରିଯାଇଚି ସେ ରହୁ ଚିରଦିନ ଲୋକଲୋଚନ ଅନ୍ତରାଳରେ ।

 

ଏହା ପରେ କେତେଦିନ ବିତିଯାଇଚି । କାଳ-ଧୀବର ଜଞ୍ଜାଳଜାଲରେ ମୋତେ ଧରିଚି-। ପୁଣି ବାସ୍ତବ ଜଞ୍ଜାଳଠାରୁ କଳ୍ପିତ ଜଞ୍ଜାଳ ମୋର ମନକୁ ଆହୁରି ସଙ୍କୁଚିତ କରି ଦେଇଚି । ମନର ସେଇ ସଙ୍କୁଚିତ ପରିସର ମଧ୍ୟରେ ଯେଉଁସବୁ ଭାବନା ଜାତ ହେଉଚି ସେସବୁ ମନକୁ ବ୍ୟଧିଗ୍ରସ୍ତ କରିଦେବା ସାଙ୍ଗେ ସାଙ୍ଗେ ଦେହକୁ ମଧ୍ୟ ବ୍ୟାଧିଗ୍ରସ୍ତ କରିଦେଇଚି । ଏପରି ପରିସ୍ଥିତିରେ ମୁଁ ହରିର କଥା ଏକଦମ୍ ଭୁଲି ଯାଇଥିଲି ।

 

ଦିନେ ସନ୍ଧ୍ୟାବେଳେ ଚୌଧୁରୀ ବଜାର ବାଟ ଦେଇ ଯାଉ ଯାଉ ଦେଖିଲି ବିପରୀତଆଡ଼ୁ ଦଳେ ଲୋକ ହସି ହସି ଗୋଳମାଳ କରି କରି ଆସୁଛନ୍ତି । ତାଙ୍କ ଆଗେ ଆଗେ ଆସୁଚି ଗୋଟିଏ ନାରୀବେଶୀ ପୁରୁଷ ନାନା ଅଶ୍ଳୀଳ ଭଙ୍ଗୀରେ ନାଚିନାଚି । ସେ ଗାଉଚି, ଯୌବନ କେଳିକୁଞ୍ଜେ ପଡ଼ିଚୁ ଧରାରେ ବନ୍ଧୁ, ପଡ଼ିଚୁ ଧରା... । ଲୋକ ‘ଇସ୍‌ ମାରଡ଼ାଲା’ କହି ଏକ ଅଦ୍ଭୁତ ଭଙ୍ଗୀରେ ଲଇଁ ପଡ଼ୁଛନ୍ତି ଛାତିରେ ହାତ ରଖି । କେହି ବା ନର୍ତ୍ତକର ପଣତ କାନି ଧରି ଟାଣିବାକୁ ଚେଷ୍ଟା କରୁଚି । ନର୍ତ୍ତକ ଗୋଟିଏ ଠେଲାଗାଡ଼ିରୁ ପୁଡ଼ାଏ ପୁଡ଼ାଏ ଚନାଚୂର ଉଠାଇ ବିକି ଚାଲିଚି ଓ ପଇସାତକ ଗାଡ଼ିରେ ଥିବା ଗୋଟିଏ ବାକ୍‌ସରେ ପକାଉଚି । ଆଶ୍ଚର୍ଯ୍ୟ ହୋଇ ଦେଖିଲି ଯେ ସେ ଠେଲାଗାଡ଼ିଟି ଠେଲୁଚି ହରି ! ! ପିନ୍ଧିଚି ସବୁଜ ରଙ୍ଗର ଗୋଟିଏ ପୂରା ପେଣ୍ଟ—ପୂରାତ ନୁହଁ ତିନିପାଆ—ଆଉ ହାୱାଇ କମିଜ, ଯେଉଁ କମିଜରେ ଅଛି ସବୁ ସିନେମା ଅଭିନେତ୍ରୀମାନଙ୍କର ଉନ୍ମୁକ୍ତ ବକ୍ଷ ଚିତ୍ର ।

 

ଚୌଧୁରୀ ବଜାର ଛକ ଉପରେ ହରି ତା’ର ଗାଡ଼ି ଛିଡ଼ା କଲା । ନର୍ତ୍ତକ ବୁଲି ନାଚିବାକୁ ଲାଗିଲା ଏବଂ ଗାଇବାକୁ ଲାଗିଲା—ଆସ ଆସ କିଏ ଅଛ ରସିକ—ଇତ୍ୟାଦି । ଲୋକେ ତାକୁ ଘେରି ଛିଡ଼ାହୋଇ ନାନା କୁତ୍ସିତ ମନ୍ତବ୍ୟ କରୁଥାଆନ୍ତି । ଜୀବନ ଜୀବିକା—ସର୍ବସ୍ୱ ହେଲେ କି ଅଶ୍ଳୀଳ ହୁଏ ! ସୋରିଷ ତେଲରେ ଅଗରା ମିଶାଇ ବା ଚାକିରିରେ ଘୁଷ ନେଇ କୋଠାପିଟିବା କି ଅଶ୍ଳୀଳ !!

 

ମୁଁ ଗୋଟିଏ କଡ଼କୁ ଛିଡ଼ା ହେଲି । ସେଇଠି ଛିଡ଼ା ହୋଇ ହରିର ବାପ ଧପଡ଼ସିଂ ତା’ର ଚନାଚୂର ବିକୁଥିଲା । ଏଇଠି ଧପଡ଼ସିଂ ସହିତ ମୋର ପ୍ରଥମ ସାକ୍ଷାତ । ସେତେବେଳେ ହୋଇଥାଏ ପ୍ରବଳ ବନ୍ୟା । ବଢ଼ିରେ ମୋ ଗାଁ ଘରଦ୍ୱାର ସବୁ ଭାସି ଯାଇଥାଏ । ଚାରିଆଡ଼େ ପଡ଼ିଥାଏ ହାହାକାର । ସେଇ ସୁଯୋଗରେ ରାଜନୈତିକଦଳମାନଙ୍କ ମଧ୍ୟରେ ସାହାଯ୍ୟ କରି ନିଜର ପ୍ରତିପତ୍ତି ପ୍ରସାର କରିବାର ପ୍ରତିଯୋଗିତା ଅବସ୍ଥାକୁ ରୀତିମତ ଅପମାନଜନକ କରି ଦେଇଥାଏ । ମନ ମୋର ଭରି ରହିଥାଏ ବ୍ୟର୍ଥତା ଓ ଗ୍ଳାନିରେ । ଧପଡ଼ସିଂ ନାନାରଙ୍ଗର ପୋଷାକ ପିନ୍ଦି ଚନାଚୂର ବିକୁ ବିକୁ ତା’ର ଗୀତରେ କହୁଥାଏ—ବଢ଼ି ହୋଇଚି, ଘରଦ୍ୱାର ଭାସିଯାଇଚି । କିଛି ଚିନ୍ତା ନାହିଁ । ଆମେ କ’ଣ ପଶୁ ହୋଇଚୁ କି ଗାଁ ଛାଡ଼ି ପଳାଇବୁ । ଯେତେଥର ଏ ଘର ଭାଙ୍ଗିବ ନୂତନ ସାହସରେ ଆମେ ସେତେଥର ସେ ଘର ଗଢ଼ିବୁ । ଏ ଜୀବନକୁ ଆମେ ମହାନ୍‌ କରିବୁ । ପ୍ରତ୍ୟେକ ଆଘାତ ଆମକୁ ନେଇ ଯାଉ ସେଇ ଚିର ଆନନ୍ଦମୟ ଆଡ଼େ । ପ୍ରତ୍ୟେକ ଆଘାତ ଆମକୁ ମହାନ୍‌ କରୁ । ସେ ଗୀତ ଶୁଣି ମୋର ସବୁ ଗ୍ଳାନି ଓ ଅବସାଦ ନିମିଷେକେ ପୋଛି ଯାଇଥିଲା । ଦୁଇଟି ପଇସାର ଚନାଚୂରର୍‍ କିଣି ଖାଇ ମୁଁ ଭାରି ଆନନ୍ଦ ପାଇଥିଲି । ପୁଅକୁ ଏପରି ଭାବରେ ଚଣା ବିକିବାର ଦେଖି ଧପଡ଼ସିଂ କଅଣ ଖୁସିହୋଇଚି ?

 

ହରିର ଚନା କିଣିବାକୁ ମୋର ପ୍ରବୃତ୍ତି ହେଲାନାହିଁ । ବଜାର ସୌଦା କରି ଘରେ ରଖି ଦେଇ ଗଲି ଧପଡ଼ସିଂ ଘରକୁ । ହରି ଠିକ୍ ସେତେବେଳେ ଫେରିଲା । ସାହସ ବାନ୍ଧି ତାକୁ କହିଲି, ଏମିତି ଭାବରେ ଚନାଚୂର ବିକିବାକୁ ତୋ ବାପା ଇଚ୍ଛା କରି ନଥିଲାରେ..

 

ହରି ତାଚ୍ଛଲ୍ୟ ଭରି କହିଲା, ରଖଃ ବାବୁ ବାପା କଥା । ବାପା ଯେତେ ଆଣୁଥିଲା ହାମେ ତାର ଚାରିଗୁଣ ଆଣୁଚୁ । ହରି ଟଳି ଟଳି ପକେଟରୁ ପଇସାତକ ବାହାର କରି ଦେଖାଇଲା । ମୁହଁରୁ ତାର ମଦ ଗନ୍ଧ ବାହାରୁଥାଏ ।

 

ହରି ମୋର ହାତ ଧରି କହିଲା, ବାଆଉ (ବାବୁ) ଗୋଟେ କଥା । ରଖିବତ କହିବି । ନାଇ, ନାଇ ସେମିତି ହାମେ ଜାଣ ନାହିଁ । ମାନେଗା ତ କହେଗା, ହାଁ । ନେହିଁ ତୋ ତୁମ୍ ଉଧର୍‌ର୍ ହାମ୍ ଇଧରର୍ । କହି କହି ଚାଲି ଯାଉଥିଲା ଘର ଭିତରକୁ ।

 

ତାର ହାତଧରି ଅଟକାଇ ମୁଁ କହିଲି, ଆରେ, ଆଗେ କହ....

 

—ନେହିଁ, ନେହିଁ ମାନେଗା ବୋଲୋ ? ବୋଲୋ ହାଁ ।

 

ଆଚ୍ଛା, କହିଲି ହଁ ।

 

—ତୁମେ ଆଚ୍ଛା ବା ଆଉ ଅଛ । ସାବାସ୍ । ବାଆଉ, ଗୋଟେ କଥା । ଏ ଶଳା ମାଇଚିଆ ନିଇତି ପାଞ୍ଚଟଙ୍କା ନେଇ ଯାଉଛି । ଶୁଣିଲି ସରକାର ବେଉସା କରିବାକୁ ଟଙ୍କା ଉଧାର ଦେଉଛି । ତମେ ବାଆଉ ଦୁଇଟି ହଜାର ଟଙ୍କା କରଜ କରାଇଦିଅ । ବେଶୀ ନୁହଁ, ଦୁଇ ହଜାର । ବୋଉ ରଖିଚି ହଜାରେ । ବାସ୍ ତାପରେ ଦେଖିଲବ ମୁଁ କଅଣ କରିବି ! ବୁଝିଲ ବାଆଉ, ଗୋଟିଏ ଚଣା ବିକିବା କଳ କିଣିବି । ବମ୍ବେଇମେ ଦେଖି ଆସିଚି ଏମିତି ଗୋଟିଏ କଳ । କଳ ଭିତରୁ ଗାଉନା ଚାଲିଥିବ । ଲୋକେ ଆସିବେ, ଗୋଟିଏ ଦୋଅଣୀ କଣାରେ ଗଳାଇ ଦେବେ । ଫଟ୍ କର କେ ଲିକ୍‌ଲେଗା ଏକ୍ ଚନାଚୂର ପୁଡ଼ିଆ । ହରି ହଠାତ୍ ତାର ହାତଟି ମୋର ଆଖି ପର୍ଯ୍ୟନ୍ତ ଲମ୍ବାଇ ଦେଲା ଏକ ଅଶ୍ଳୀଳ ଭଙ୍ଗୀରେ । ଚମକି ମୁଁ ପଛେଇ ଗଲି ।

 

ହରିକୁ ମୁଁ ସେ ଯୋଜନାରେ ସାହାଯ୍ୟ କରିଥିଲି ମୋର ଘୋର ଅନିଚ୍ଛା ସତ୍ତ୍ୱେ ।

 

କିଛିଦିନ ପରେ ଦିନେ ଦେଖିଲି ଚୌଧୁରୀ ବଜାର ନିକଟରେ ଗୋଟିଏ ଦୋକାନ ଘରେ ସେ ମେସିନ୍ । ମେସିନ୍ ଭିତରୁ ନିର୍ଗତ ହେଉଚି ରକ୍ ଏଣ୍ଡ୍ ରୋଲ୍ ସଂଗୀତ । ନା ଅଛି ତାର ଭାଷା, ନା ଅଛି ସୁରର ମାଧୁର୍ଯ୍ୟ । କେବଳ ଗୋଟାଏ ଅଶ୍ଳୀଳ ଇଙ୍ଗୀତଭରା ଛନ୍ଦ ଓ ଧ୍ୱନି । କେହି ସେଠି ବସି ନାହାନ୍ତି । ଲୋକେ ଦୋଅଣୀ ଗଳାଇ ଚନାଚୂର୍ ଧରି ଚାଲି ଯାଉଛନ୍ତି ।

 

କୁତୂହଳୀ ହୋଇ ମୁଁ ଥରେ ସେ କଳରୁ ଚଣା କିଣିଥିଲି । କଳ ଉପରେ ଛିଡ଼ା ହୋଇ ଗୋଟିଏ ଦୋଅଣି ଗଳାଇ ଦବା ମାତ୍ରକେ ଗୋଟିଏ ନଗ୍ନ ନାରୀର ଚିତ୍ର କଳର କାଚ ପରଦା ଆରପାଖେ ଉଠିଗଲା । କିଛିକ୍ଷଣ ପରେ କଳର ଗୋଟିଏ ପଟର କଣାରୁ ବାହାରି ପଡ଼ିଲା ଗୋଟିଏ ଟିକେଟ । ସେଥିରେ ଲେଖାଅଛି ମୋର ଓଜନ ଓ ମୋର ଚରିତ୍ର ବିଷୟରେ ଗୋଟିଏ ସାର୍ଟିଫିକେଟ “ଆପଣ ସତ୍ୟବାଦୀ, ଦାନଶୀଳ, ନିରହଙ୍କାର, ସାଧୁ ଇତ୍ୟାଦି ।” ଏହାର କିଛିକ୍ଷଣ ପରେ ଅନ୍ୟ ଗୋଟିଏ ପଟରୁ ବାହାରିଲା ଚନାଚୂର ପୁଡ଼ିଆଟିଏ ।

 

କଳରୁ ଓହ୍ଲାଇ ଦେଖିଲି ହରି ଗୋଟିଏ ଘୋଡ଼ା ଗାଡ଼ିରୁ ଓହ୍ଲାଉଚି ଟଳି ଟଳି । ଗାଡ଼ି ଭିତରେ ଗୋଟିଏ ମହିଳା ବସି ରହିଛି ।

 

ଏହାପରେ ଅନେକ ଦିନ ବିତିଯାଇଛି । କଟକରୁ ମୋର ବଦଳି ହେବା ସଙ୍ଗେ ସଙ୍ଗେ ଧପଡ଼ସିଂ ପରିବାର ସହିତ ମୋର କ୍ଷୀଣାୟମାନ ଯୋଗସୂତ୍ର ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଚି । ପ୍ରାୟ ପାଞ୍ଚବର୍ଷ ପରେ ଫେରି ଦେଖିଲି ହରିର ସେଇ ଦୋକାନ ଘର ଜାଗାରେ ହୋଇଛି ଏକ ପ୍ରକାଣ୍ଡ କୋଠା । କୋଠାଟିର ବାହାରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି “ପଞ୍ଚ ସୁଖଂ” ମାଲିକର ନାମ ଲେଖା ଅଛି ଶ୍ରୀ ହରିହର ନାୟକ । ଆଶ୍ଚର୍ଯ୍ୟ ହେଲି, ଖୁସି ମଧ୍ୟ ହେଲି ।

 

ଏହି ସମୟରେ ଗୋଟିଏ ବଡ଼ ମଟର ଆସି ଛିଡ଼ାହେଲା । ସେଥିରୁ ଓହ୍ଲାଇଲେ ଗୋଟିଏ ଯୁବକ ।

 

—ଆରେ ହରି ଯେ, ଆନନ୍ଦରେ ଡାକିଲି ।

 

ମୋ ଆଡ଼େ କିଛିକ୍ଷଣ ତରାଟି ଚାହିଁ ହରି କହିଲା, ଆସନ୍ତୁ ଭିତରକୁ‌ । ଗଲି ।

 

—ଏ ସବୁ କଅଣ ତୁମର ?

 

—ଆଉ କାହାର ଭାବୁଚନ୍ତି ? ସରକାରଙ୍କଠାରୁ ଟଙ୍କା ଋଣ ନେଇ ମୁଁ ଖୋଲିଛି କେକ୍ ବିସ୍କୁଟ କାରଖାନା । ମାସକୁ ଆୟ ହେଉଛି ଦଶହଜାର ।

 

—ବାଃ । ଏ ‘ପଞ୍ଚସୁଖ’ ମାନେ ?

 

—ମାନେ ପାଞ୍ଚ ପ୍ରକାର ସୁଖରେ ପଞ୍ଚ୍ । ଦେଖିବେ ? ବୋୟ । ଡାକିବା ମାତ୍ରକେ ଗୋଟିଏ ପେଣ୍ଟକୋଟ୍ ପିନ୍ଧା ଚପରାସି ଆସି ଛିଡ଼ାହେଲା ।

 

—ଲାଓ । ହରି ଆଦେଶ ଦେଲା ।

 

କିଛିକ୍ଷଣ ପରେ ଗୋଟିଏ ଥାଳିଆରେ ଦୁଇଟି ଗିଲାସ ମଦ ଆଣି ସେ ଛିଡ଼ାହେଲା ।

 

—ନିଅନ୍ତୁ । ହରି ଗୋଟିଏ ଗିଲାସ ଉଠାଇ ମୋତେ କହିଲା ।

 

—କ୍ଷମା କରିବେ ।

 

ହରି ମୋ ଆଡ଼କୁ ଚାହିଁ ଟିକିଏ ହସି ଆଦେଶ ଦେଲା, ଆଚ୍ଛା, ଲେ ଯାଓ ।

 

ଚପରାସି ଚାଲିଗଲା । ହରି ପାନୀୟତକ ଏକା ନିଶ୍ୱାସକେ ପିଇ ରୁମାଲରେ ମୁହଁ ପୋଛି କହିଲା, ବୁଝିଲେ, ଜୀବନ ମୋ ପକ୍ଷରେ ଏକ ଯୁଆଖେଳ । ପଇସା ତ ଆଜିକାଲି ପବନରେ ଉଡ଼ୁଛି । ଧରି ପାରିବା ବୁଦ୍ଧି ଥିଲେ ହେଲା । ଗୋଟିଏ ଫ୍ୟାକ୍ଟରି କରିଛି । ଆହୁରି ଦୁଇଟି କରିଛି । କୋଟିପତି ହେବି ନିଶ୍ଚୟ । ତା’ ପାଇଁ ସବୁ ପ୍ରସ୍ତୁତ କରି ସାରିଛି । ପ୍ରତିବର୍ଷ ଓଡ଼ିଆ ଭାଷାରେ ଶ୍ରେଷ୍ଠ ଉପନ୍ୟାସ ପାଇଁ ମୁଁ ଦେଉଛି ପାଞ୍ଚହଜାର ଟଙ୍କା ପୁରସ୍କାର । ବର୍ତ୍ତମାନ ମୁଁ ସାହିତ୍ୟସଭାର ସଭାପତି । ଆସନ୍ତା ନିର୍ବାଚନରେ ହାମେ, ମାନେ ମୁଁ, ହେବି ବିଧାନସଭାର ସଭ୍ୟ-। ତା ପରେ...

 

ତା’ପରେ କଅଣ ଘଟିବ ହରି ମୁହଁରୁ ସେ ସବୁ ଶୁଣିବାର ଧୈର୍ଯ୍ୟ ମୋର ରହିଲା ନାହିଁ-। ମନଟା କେଜାଣି କାହିଁକି ହଠାତ୍ ଭୀତ ହୋଇପଡ଼ିଲା । ସୌଜନ୍ୟ ରକ୍ଷା କରି କୌଣସିମତେ ମୁଁ ‘ପଞ୍ଚସୁଖ’ରୁ ବାହାରି ଆସିଲି ହରିକୁ ନମସ୍କାର ଜଣାଇ ।

 

କିଛିଦିନ ପରେ ପ୍ରାୟ ରାତି ବାରଟାବେଳେ ମୁଁ ମୋର ଗାଁରୁ ଫେରୁଥାଏ କଟକକୁ । ଗୋଟିଏ ନିର୍ଜନ ସ୍ଥାନରେ ଦେଖିଲି ହରିର ମଟର ଗାଡ଼ି ଛିଡ଼ା ହୋଇଚି । ସେଥିରୁ ଟଳି ଟଳି ହରି ଓ ଗୋଟିଏ ମହିଳା ବାହାରି କୁଆଡ଼େ ଚାଲିଗଲେ ଅନ୍ଧାର ଭିତରେ ।

 

ଧପଡ଼୍ ସିଂ କଥା ମନେପଡ଼ିଲା । ତା’ ସହିତ ପୁଣି ସେଇ ପ୍ରଶ୍ନ ଜାଗିଲା, ଜୀବନ ଜୀବିକାକୁ ମହାନ୍ କରେ, ନା ଜୀବିକା ଜୀବନକୁ ? ମନେ ମନେ ଉତ୍ତର ଦେଲି, ଜୀବନର ଜୟହେଉ ।

Image

 

ଓଁ ଶାନ୍ତିଃ

 

ନା, ନା, ନା, ମୁଁ ସବୁ ଭାଙ୍ଗି ଚୂରମାର କରିଦେବି । ଏ ପୃଥିବୀକୁ ମୁଁ ରେଣୁ ରେଣୁ କରି ଶୂନ୍ୟରେ ଉଡ଼ାଇବି ।

 

ଭାସ୍କର ତାଙ୍କ ଗଢ଼ା ଏକ ବୁଦ୍ଧମୂର୍ତ୍ତି ଉଠାଇ ତଳେ କଚାଡ଼ି ଦେଲେ । ମୂର୍ତ୍ତିଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା । କେବଳ ଗୋଟାଏ କଣରେ ପଡ଼ିରହିଲା ବୁଦ୍ଧଙ୍କର ସ୍ମିତହାସ୍ୟ ଟିକକ । ଠିକ୍ ଯେମିତି ଅଜବ ଦେଶରେ ଏଲିସ୍ ଗଳ୍ପରେ ଗଛ ଉପରେ ବସିଥିବା ପୁଷି ବିରାଡ଼ିର ଲାଙ୍ଗୁଡ଼ ଆଡ଼ୁ ଅଦୃଶ୍ୟ ହେଉ ହେଉ ସମସ୍ତ ଶରୀରଟି ଅଦୃଶ୍ୟ ହେବା ପରେ ମଧ୍ୟ ଶୂନ୍ୟରେ ଲାଖି ରହିଲା ତା’ର ହସ ଟିକକ ।

 

ଭାସ୍କର ତାଙ୍କର କଳା ମନ୍ଦିର ଭିତରେ କ୍ଷିପ୍ରଗତିରେ ଏ ପାଖ ସେପାଖ ବୁଲିବାକୁ ଲାଗିଲେ ପିଞ୍ଜରାବଦ୍ଧ ସିଂହ ପରି । ପୃଥିବୀ ସେଇ ଟିକକ ସମୟ ଭିତରେ ହଜାର ହଜାର ମାଇଲ ଅତିକ୍ରମ କରି ସାରିଲାଣି । ନିଜକକ୍ଷ ଚାରିପଟେ ବୁଲୁ ବୁଲୁ ପୃଥିବୀ ବୁଲି ଚାଲିଚି ମହାଶୂନ୍ୟରେ—ଗଛ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ସମୁଦ୍ର, ମଣିଷ ଆଦି ବକ୍ଷରେ ଧରି । କେତେ ଘଟଣା ଘଟିଯାଉଚି ପ୍ରତି ମୁହୂର୍ତ୍ତରେ । କୋଳାହଳପୂର୍ଣ୍ଣ ପୃଥିବୀ ନିଃଶବ୍ଦରେ ବୁଲି ଚାଲିଚି ସ୍ତବ୍‌ଧ ମହାଶୂନ୍ୟରେ ।

 

ଭାସ୍କର ଚିତ୍‌କାର କରି ଉଠିଲେ, ମୁଁ ଭାଙ୍ଗିବି, ମୁଁ ସବୁ ଚୂରମାର କରିଦେବି । କାହିଁକି ? କାହିଁକି ମୁଁ ଆଜି ଅବହେଳିତ, ଅପମାନିତ, ଘୃଣିତ, ପରିତ୍ୟକ୍ତ... ମନୀଷା ଆଜି...କାହିଁକି ?

 

ପୁଣି ଗୋଟାଏ କୃଷ୍ଣ ମୂର୍ତ୍ତି ଉଠାଇ ସେ ତଳେ କଚାଡ଼ି ଦେଲେ । ସେ ମୂର୍ତ୍ତିଟି ମଧ୍ୟ ଖଣ୍ଡ ଖଣ୍ଡ ହୋଇଗଲା; କିନ୍ତୁ ମୂର୍ତ୍ତିଟିର ମୋହନ ବଂଶୀଟି ଛିଟିକି ପଡ଼ିଲା ଘରର ସେହି କଣରେ ଯେଉଁଠି ବୁଦ୍ଧଙ୍କର ସ୍ମିତହାସ୍ୟ ପଡ଼ିରହିଚି ।

 

ଦୂରରୁ ଠିକ୍ ସେଇ ସମୟରେ ଭାସି ଆସିଲା ସଙ୍ଗୀତ—ଏଇ ଶୁଣ ଶ୍ୟାମ ବଂଶୀ ବାଜେ, ବନ ଗହନେ କି, ମନ ଗହନେ ଗୋ, ଶ୍ୟାମ ବଂଶୀବାଜେ ।”

 

ଶ୍ୟାମ, କୃଷ୍ଣ, ଭଗବାନ୍...ଶ୍ୟେଃ । ଭଗବାନ୍, ନା ଘାତକ । ହତ୍ୟା ତାଙ୍କର ଏକମାତ୍ର ପ୍ରକୃଷ୍ଟ କ୍ରିୟା । ମଣିଷକୁ ଆଜି ଭଗବାନଙ୍କ ବିରୁଦ୍ଧରେ ଛିଡ଼ା ହେବାକୁ ହେବ । ଛିଡ଼ା ହେବାକୁ ହେବ ହତ୍ୟାକୁ ଆହୁରି ବ୍ୟାପକ କରି, ମହାନ୍ କରି । ଦେଶପ୍ରେମ, ଜାତିପ୍ରେମ, ଧର୍ମପ୍ରେମ ଭଗବତ୍‌ପ୍ରେମ, ଆଦର୍ଶ ପ୍ରେମ ନାମରେ ହୁ ହୁ ନିଆଁ ଜଳି ଉଠୁ । ସବୁ ସେଥିରେ ଜଳି ପୋଡ଼ି ଭସ୍ମ ହୋଇଯାଉ, ନଷ୍ଟ ହୋଇଯାଉ ଏ ପୃଥିବୀ କକ୍ଷଚ୍ୟୁତ ଉଲ୍‌କା ପରି ଖସି ପଡ଼ି ଭସ୍ମ ହୋଇଯାଉ ।

 

ଭାସ୍କର ସଶବ୍ଦେ ବାତାୟନ ବନ୍ଦ କରିଦେଇ ଦୁଇହାତ ମୁଠାକରି ଏ ପାଖ ସେ ପାଖ ହେବାକୁ ଲାଗିଲେ ପିଞ୍ଜରାବଦ୍ଧ ସିଂହପରି । ହାତମୁଠାକୁ ଦୃଢ଼ରୁ ଦୃଢ଼ତର କରିବାକୁ ଯାଇ ଆଙ୍ଗୁଳି ସବୁ ତାଙ୍କର ବିନ୍ଧିବାକୁ ଲାଗିଲା । ତଥାପି ସେ ହାତମୁଠାକୁ ଆହୁରି ଜୋରରେ ଭିଡ଼ିବାକୁ ଲାଗିଲେ-

 

ମୁଁ ବିଦ୍ରୋହୀ । ସମାଜ, ଦୁନିଆ ମୋତେ ଯେଉଁ ଅପମାନ, ଅବହେଳା, ଘୃଣା ଦେଇଚି; ମୁଁ ତା’ର ପ୍ରତିଶୋଧ ନେବି ନିଜର ସୃଜନୀ ନଷ୍ଟ କରି, ସୃଜନୀଶକ୍ତିର କଣ୍ଠରୋଧ କରି... ।

 

କିମ୍ବା ମୁଁ ମୋର ସୁଜନୀଶକ୍ତି ଓ ମାନବପ୍ରେମ ଆଦି ସଦ୍‌ଗୁଣ ଅସାଧାରଣଭାବେ ବଢ଼ାଇ ସମସ୍ତଙ୍କୁ ପଦାନତ କରିବି । ମୁଁ ବିଦ୍ରୋହୀ । ଈଶ୍ୱରଙ୍କ ମୃତ୍ୟୁ ହେଉ । ଜୀବନ-ସଂଗ୍ରାମରେ ତାଙ୍କର ସ୍ଥାନ ନାହିଁ ।

 

...ରେ ସମାଜ, ରେ ଦୁନିଆ, ମୋ ପ୍ରତି ତୋର ଅତ୍ୟାଚାର ଆଉ ଚାଲିବ ନାହିଁ । ସେତିକିରେ ବନ୍ଦ କର । ଏଥର ମୁଁ ହୋଇଚି ବିଦ୍ରୋହୀ । ସାବଧାନ ! ସାବଧାନ !!

 

ସାଧୁ ସାବଧାନ ! ପୁଣି କରେ ଅବଧାନ । ...

 

କିଏ ? କିଏ ? କିଏ ? କିଏ ? ଭାସ୍କରଙ୍କ ଚିତ୍କାର । ତୀବ୍ରରୁ ତୀବ୍ରତର ହୋଇ ଶେଷରେ କଣ୍ଠରୋଧ କରିଦେଲା । ସେ କାଶୁ କାଶୁ ପଛକୁ ବୁଲିପଡ଼ି ଚାହିଁ ଦେଖିଲେ ତାଙ୍କର ପ୍ରିୟତମ ବନ୍ଧୁ ସୁବୋଧ ହସି ହସି ପ୍ରବେଶ କରୁଛି ।

 

ସୁବୋଧ ପୁଣି ଥରେ କହିଲେ, ସାଧୁ ସାବଧାନ !

 

ମୁଁ ସାଧୁ ନୁହେଁ, ହେବାକୁ ଚାହେ ନା, ଭାସ୍କର ଟେବୁଲ ଉପରେ ବିଧା ମାରି ଚିତ୍କାର କଲେ । ଆଉ ମୁଁ ସାବଧାନ ବାଣୀ ଶୁଣିବାକୁ ଚାହେ ନା ମଧ୍ୟ । ଏ ସୃଷ୍ଟିରେ ଅକରଣୀୟ ବୋଲି କିଛି ନାହିଁ । ହତ୍ୟା, ଲୁଣ୍ଠନ, ଚୋରୀ, ଡକେଇତି ସବୁ ଆମ ମନରେ ଅଛି, ଆଉ ଯେତେବେଳେ ଅଛି ସବୁ କରଣୀୟ । ଯିଏ ବୈଜ୍ଞାନିକ ଉପାୟ ଅବଲମ୍ବନ କରି ବୁଦ୍ଧିମତ୍ତାର ସହ ଏ ସବୁ ସବୁଠାରୁ ବେଶି କରିପାରିବ ସେଇ କେବଳ ସୁଖରେ ନିରାପଦରେ ରହିବ, ଅନ୍ୟମାନେ ଲୋପ ପାଇବେ । ମୁଁ କରିବି ତେଣୁ ଅହଂର ପୂଜା, ଅସୀମର ନୁହଁ ସେ ତଥାକଥିତ ସାଧୁ ଉପାୟରେ ହେଉ, ବା ତଥାକଥିତ ଅସାଧୁ ଉପାୟରେ ହେଉ । ସେ ଅହଂ ମୁଁ ନିଜେ ବା ମୋର ଜାତି ମୋର ଦେଶ ଆଉ କିଛି ନୁହେଁ, ମୁଁ । ତୁ ଚାଲିଯା ଏଇ ମୁହୂର୍ତ୍ତରେ, ନଚେତ୍ ମୁଁ ତୋର ବେକ ଚିପି ମାରିଦେବି ।

 

ଭାସ୍କର ଦୁଇ ହାତରେ ସୁବୋଧର ବେକ ଚିପି ଧରିଲେ । ସୁବୋଧ କୌଣସି ପ୍ରକାର ବାଧା ନ ଦେଇ ମୁରୁକି ମୁରୁକି ହସିବାକୁ ଲାଗିଲେ ।

 

ଭାସ୍କର ହଠାତ୍ ଉତ୍‌କ୍ଷିପ୍ତ ହୋଇ ଚିତ୍କାର କରି ଉଠିଲେ, ତୁ ବିଶ୍ୱାସ କରୁନାହୁଁ ଯେ ଏଇ ମୁହୂର୍ତ୍ତରେ ତୋତେ ମାରି ଦେବାର ଇଚ୍ଛା ଓ କ୍ଷମତା ମୋର ଅଛି ?

 

ନିଷ୍ଠୁର ଅସ୍ଥିର ଲୋକ ଦୟାର ପାତ୍ର, ଭୟର ପାତ୍ର ନୁହେଁରେ । ସୁବୋଧ ଭାସ୍କର ପିଠିରେ ହାତ ରଖିଲେ । କେହି ତାଙ୍କୁ ଅଟକାଇ ନ ଥିଲେ ମଧ୍ୟ ଭାସ୍କର ନିଜକୁ ଅନ୍ୟ କବଳରୁ ସଜୋରେ ମୁକ୍ତ ହେଲା ଭଳି ଛିଟିକି ଯାଇ ଅନ୍ୟ ଗୋଟିଏ ଚୌକିରେ ବସି ମୁଣ୍ଡର ବାଳକୁ ଟାଣିବାକୁ ଲାଗିଲେ ।

 

ତୁ ଶିଳ୍ପୀ, ଦୁନିଆରେ ନାନା ବୈଚିତ୍ର୍ୟ ଦେଖି ତୋର ମନ ମୁଗ୍‌ଧ ଯଦି ନ ହେଲା...ତୁ ଯଦି...

 

ବନ୍ଦ କର ତୋର ଉପଦେଶ । ମୁଁ ଶିଳ୍ପୀ ନୁହଁ, ମୁଁ ଜୀବନ ସଂଗ୍ରାମରେ ସୈନିକ, ମୁଁ ଜୟ କରିବି । ଲାଗୁ ଯୁଦ୍ଧ; ମୁଁ ଚାହେଁ ଯୁଦ୍ଧ, ହଣାକଟା,...ଭାସ୍କର ଗର୍ଜି ଉଠିଲେ । ଓ ସାଙ୍ଗେ ସାଙ୍ଗେ, ଡାଇନେ, ବାୟେଁ, ଡାଇନେ, ବାୟେଁ କରି ମାର୍ଚ୍ଚ କରିବାକୁ ଲାଗିଲେ ।

 

ତୋର, ସମସ୍ତଙ୍କର, ମନଭିତରେ ତ ଅହରହ ଯୁଦ୍ଧ ଚାଲିଚି, ହଣାକଟା ଚାଲିଚି । ଆଉ ପୁଣି ବାହାରେ ଯୁଦ୍ଧର କି ଦରକାର ?

 

ଭିତରର ଯୁଦ୍ଧ ବନ୍ଦ କରିବାକୁ । ଅସହ୍ୟ ଏ ଭିତରର ଯୁଦ୍ଧ ! ଅସହ୍ୟ, ଅସହ୍ୟ ! !

 

ମୋର ମନେ ହୁଏ, ଚିନ୍ତାମଗ୍ନ ଭାବରେ ସୁବୋଧ କହିଲେ, ଯିଏ ପରକୁ, ପରର କାୟା ଓ ମନକୁ ଶୋଷଣ କରି ନିଜେ କିଛି ନ କରି ବିନା ଶ୍ରମରେ ବଞ୍ଚିବାକୁ ଚାହେଁ ସେ ହୁଏ ନେତା, ସେ ଚାହେଁ ସର୍ବଦା ଅଶାନ୍ତି, ବାଦାନୁବାଦ, ଯୁଦ୍ଧ, ସେ ଚାହେଁ ସର୍ବଦା ପରକୁ ଭୟଭୀତ କରି ରଖିବାକୁ । ଯିଏ କିଛି ସୃଷ୍ଟି କରିବାକୁ ଚାହେଁ, ଫୁଲକୋବି ହେଉ ବା କବିତା ହେଉ, ସେ ଚାହେଁ ଶାନ୍ତି...

 

...ପରମାତ୍ମା ଆମ୍ଭ ସମସ୍ତଙ୍କୁ ସମଭାବରେ ରକ୍ଷା କରନ୍ତୁ; ସମସ୍ତଙ୍କୁ ସମାନ ଭାବରେ ବିଦ୍ୟାଫଳ ଦାନ କରନ୍ତୁ ଆମ୍ଭେ ସମସ୍ତେ ସମାନ ଭାବରେ ସାମର୍ଥ୍ୟ ଅର୍ଜନ କରୁ, ଆମ୍ଭେମାନେ ଯେପରି କେହି କାହାକୁ ବିଦ୍ୱେଷ ନ କରୁ । ଓଁ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ ! ...ଏହା ହେଲା ଉପନିଷଦ୍‌ର ବାଣୀ ।

 

ଭାସ୍କର ଦୁଇ କାନକୁ ଦୁଇ ହାତରେ ଚାପିଧରି ଜୋରରେ ମୁଣ୍ଡ ହଲାଇବାକୁ ଲାଗିଲେ ।

 

ମୁଁ ପୁରୁଷ, ମନୀଷା ମୋତେ .ଛାଡ଼ି ଚାଲି ଯାଇଚି, ବିଶ୍ଵାସ-ଘାତକତା କରିଚି ! ଯା ପାଇଁ ମୁଁ...ମୁଁ...

 

...ମନୀଷାର ପ୍ରେମ ପାଇବା ପାଇଁ ତୁ ତା ସହିତ ମିଳି ସୁଧୀର ପ୍ରତି ଶଠତା, ବିଶ୍ଵାସଘାତକତା କରିଚୁ, ପ୍ରଦ୍ୟୁତର ନିର୍ଯ୍ୟାତନ, ଅପମାନ ପ୍ରତି ଆଖି ବୁଜି ଦେଇଚୁ । ସେମାନଙ୍କର ଅଭିଶାପ...

 

ଯୁଦ୍ଧ ଓ ପ୍ରେମଘଟିତ ବ୍ୟାପାରରେ ଅନୀତି ବୋଲି କିଛି ନାହଁ, ଏ କଥା ଶାସ୍ତ୍ରସମ୍ମତ, ଭାସ୍କର ଠୋ ଠୋ କରି ହସି ଉଠିଲେ । ଏତକ କହି ।

 

କିନ୍ତୁ ଯା’ର ପ୍ରେମ ପାଇବା ପାଇଁ ତୁ ଅନ୍ୟ ପ୍ରତି ବିଶ୍ଵାସଘାତକତା କରିଚୁ ସେ ତୋ ପ୍ରତି ଦିନେ ବିଶ୍ଵାସଘାତକତା କରିବ, ଏହା ମଧ୍ୟ ଅଲଂଘନୀୟ ନିୟମ ବୋଲି ମନେ ହୁଏ । ମନେ ହୁଏ ଏ ନିୟମ ସବୁ ନୀତିର ଉପରେ...

 

ଖବରଦାର ସୁବୋଧ ! ମୁଁ ଯେତେ ନୀଚ ବୋଲି ତୁ ଭାବୁଚୁ ମୁଁ ସେତେ ନୀଚ ନୁହଁ । ମନୀଷାର ପ୍ରେମ ପାଇବା ଲାଳସାରେ ମୁଁ ସେସବୁ କରିନାହିଁ । ମୁଁ ଚାହିଁଥିଲି ଶାନ୍ତି ସୃଷ୍ଟି କରିବି ବୋଲି, ଏ ଜୀବନକୁ ସଫଳ କରିବି ବୋଲି, ଦୁନିଆକୁ ଦାନ କରିବି ବୋଲି ମୋର ଶିଳ୍ପ...

 

ଭାସ୍କର, ଏ ସବୁ କହି ତୁ ପରକୁ କଅଣ, ନିଜକୁ ମଧ୍ୟ ଠକାଇ ପାରିବୁ ନାହିଁ । ଶାନ୍ତି ଯଦି ଲକ୍ଷ୍ୟ ହୁଏ ତା’ର ପନ୍ଥା ମଧ୍ୟ ଶାନ୍ତି; ଶଠତାଦ୍ୱାରା ଶାନ୍ତିଲାଭ ବା କୌଣସି ଉନ୍ନତି, ବୈଷୟିକ ହେଉ ବା ଆଧ୍ୟାତ୍ମିକ ହେଉ ହୁଏନାହିଁ । ଈଶ୍ଵରଙ୍କୁ ମନରୁ ତଡ଼ି ମଣିଷ ବର୍ତ୍ତମାନ ନିଃସଙ୍ଗ ଓ ଚାଳକବିହୀନ-। ତା’ର ‘ମୁଁ’ ହି ବଡ଼ ହୋଇଚି । ‘ମୁଁ’ ର ବା ମୋ’ରର ପ୍ରତିଷ୍ଠା ମାନେ ଅନ୍ୟକୁ ହତ୍ୟା-

 

ଅନ୍ୟାୟ, ଅବିଚାର, ଶଠତା ଆଦି ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ, ଜୟ କରିବାକୁ ହେବ ଯେ କୌଣସି ଉପାୟରେ ହେଉ, ଭାସ୍କର କହି ଟେବୁଲ ଉପରେ ବିଧା ମାରିବାକୁ ଲାଗିଲେ-। ଟେବୁଲ ଉପରେ ଥିବା ସବୁ ଜିନିଷ ଥରି ଉଠିଲା । ଦୁଆତରୁ କାଳି ଛିଟିକି ପଡ଼ିଲା ।

 

ସୁବୋଧ ହାତ ଉଠାଇ ଶାନ୍ତ ହେବାକୁ ଇଙ୍ଗିତ ଦେଇ କହିଲେ ଶଠତା ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇ ଯଦି ନିଜକୁ ଶଠ ହେବାକୁ ହୁଏ । ତେବେ ଶଠତା x ଶଠତା = ସାଧୁତା ହେବ ନାହିଁ, ଶଠତା × ଶଠତା= (ଶଠତା)’ ହେବ ଏବଂ ବଢ଼ି ଚାଲିବ । ଶେଷରେ ସମୂଳେ ନାଶ । ଉନ୍ନୟନ ମାନେ ତ ନିଜ ମନରୁ ଜାତିରୁ ବା ଦେଶରୁ ଈଶ୍ଵରଙ୍କୁ ତଡ଼ି ବା ହତ୍ୟା କରି ନିଜର ବା ଜାତିର ବା ଦେଶର କ୍ଷମତା ବିସ୍ତାର, ନୃଶଂସ ଭାବରେ କ୍ଷମତା ବିସ୍ତାର......

 

ମନୁଷ୍ୟ ପ୍ରତି ଯେଉଁ ଅତ୍ୟାଚାର ହେଉଚି; ଭାସ୍କର ପୁଣି ଟେବୁଲ ଉପରେ ଦୁଇ ବିଧା ମାରି କହିଲେ, ସେ ଦୃଷ୍ଟିରୁ ଭଗବାନଙ୍କ ଅସ୍ତତ୍ଵର କୌଣସି କାରଣ ନାହିଁ ଆଉ ତେଣୁ ତାଙ୍କର ଅସ୍ତିତ୍ଵ ନାହିଁ ।

 

ଆଉ ତୁ ଯାଉଚୁ ସେ ନ୍ୟାୟପତି ଭଗବାନଙ୍କ ଆସନ ପୂରଣ କରିବା ପାଇଁ ଅଭିନବ ଉପାୟରେ; ସୁବୋଧ ହସିଲେ ।

 

ହଁ, ହଁ, ହଁ, ହଁ ଭାସ୍କର ପୁଣି ଗୋଟାଏ ମୂର୍ତ୍ତି କଚାଡ଼ି ଭାଙ୍ଗି ଦେଲେ । ମୁଁ ଆଉ ଶିଳ୍ପୀ ନୁହଁ, ହେବି ଶିଳ୍ପପତି । ଶିଳ୍ପପତି ! ଏ ଦେଶକୁ, ଏ ଜାତିକୁ ଆଗେଇ ନେବାକୁ ହେବ । ପାଶ୍ଚାତ୍ୟ ଦେଶମାନଙ୍କୁ ଶିଳ୍ପରେ ଟପି ନ ଗଲେ ମଧ୍ୟ ସମକକ୍ଷ କରିବାକୁ ହେବ । ତୂଳୀ ନୁହଁ, ହାତୁଡ଼ି ଧରିବି ଏଥର । ଗୋଟାଏ ହାତରେ ହାତୁଡ଼ି ଆଉ ଗୋଟାଏ ହାତରେ ଖଣ୍ଡା ! ମୁଁ ବିଦ୍ରୋହୀ...ମୁଁ ।

 

ମୁଁ, ମୁଁ, ମୁଁ...ମୋର, ମୋର, ମୋର । ସୁବୋଧ ମ୍ଳାନ ଭାବରେ ହସି କହିଲେ, ଆଉ ଯେତେବେଳେ ଏ ବିଦ୍ରୋହ କରି କରି ଅବସନ୍ନ ହୋଇ ପଡ଼ିବୁ ସେତେବେଳେ ତୋ ମନ କହିବ ମୁଁ ନାହିଁ, ମୁଁ କିଛି ନୁହଁ...

 

କିଛିକ୍ଷଣ ନୀରବ ରହି ସୁବୋଧ ଚିନ୍ତା କରିବାକୁ ଲାଗିଲେ । ସେଇ ପରି ଚିନ୍ତାମଗ୍ନ ଭାବରେ ସେ କହିବାକୁ ଲାଗିଲେ, ପଶୁ ମଣିଷ ଭିତରେ ତଫାତ୍ କ’ଣ, ଆମର ପଶୁପ୍ରବୃତ୍ତି ଅନୁସାରେ କଳେ ବଳେ କୌଶଳେ ଆମେ ଅନ୍ୟ ସମସ୍ତଙ୍କର ସ୍ଵାର୍ଥକୁ ଏପରି କି ଭଗବାନଙ୍କୁ ମଧ୍ୟ, ଆମର ନିଜର ସ୍ୱାର୍ଥାଧୀନ କରିବାକୁ ନିର୍ମମଭାବରେ ଚେଷ୍ଟା କରୁଚୁ, କିନ୍ତୁ ମଣିଷ ମନରେ କ୍ଷୀଣ ହେଲେ ମଧ୍ୟ ଗୋଟାଏ ଓଲଟା ସୁଅ ବୋହୁଚି । ପଶୁ-ପ୍ରବୃତ୍ତି କହୁଚି ‘ମୁଁ’ ସବୁ, ମୁଁ ଆଗ । ଆଉ ନିବୃତ୍ତି କହୁଚି ମୁଁ କିଛି ନୁହଁ, କେହି ନୁହଁ, ଯିଏ ମୋତେ ସୃଷ୍ଟି କରିଚି ସେଇ ସବୁ । ଏ ଦୁଇଟା ବିପରୀତମୁଖୀ ସୁଅର ଧକ୍କା ଲାଗି ଆଲୋଡ଼ନ ସୃଷ୍ଟି ହେଉଚି । ଶତକଡ଼ା ୯୯.୯ ମଣିଷ ବର୍ତ୍ତମାନ ସେଇ ଆଲୋଡ଼ନ ଭିତରେ ପଡ଼ିଚନ୍ତି । କଥା ହେଉଚି ଶାସନ ମଣିଷକୁ କେଉଁ ଆଡ଼କୁ ନେବ ବା ନେବା ଉଚିତ ।

 

ବାଜେ କଥା, ପ୍ରହେଳିକା, କଳ୍ପନା ଏ ସବୁ । ଭାସ୍କର ଠୋ ଠୋ କରି ହସି ଉଠିଲେ, ବାସ୍ତବ କ୍ଷେତ୍ରକୁ ଆ ସୁବୋଧ । ମୁଁ ବାସ୍ତବବାଦୀ । ବୈଷୟିକ ଉନ୍ନୟନ ଦରକାର, ଅତି ଶୀଘ୍ର, କ୍ଷିପ୍ରଗତିରେ ସମକକ୍ଷ ହେବାକୁ ହେବ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ଶିଳ୍ପରେ, ଶିକ୍ଷାରେ, ବ୍ୟବସାୟରେ...

 

ଆଉ ତା ସହିତ ହତ୍ୟାରେ, ନାରୀ-ଧର୍ଷଣରେ, ଗୁଳିଗୁଳାରେ ଛାଡ଼ପତ୍ରରେ, ବ୍ୟଭିଚାରରେ...ସୁବୋଧ ଯୋଗ କଲେ ।

 

ସେ ସବୁପାଇଁ ଚିନ୍ତା ବର୍ତ୍ତମାନ କରି ଲାଭ ନାହିଁ, କରିବାର ସମୟ ନୁହେଁ, ଭାସ୍କର ଦୃଢ଼ଭାବରେ କହିଲେ, ପ୍ରାଚୁର୍ଯ୍ୟ ପରେ ସେ ସବୁ ଆପେ ଆପେ ଚାଲିଯିବ । ଆଉ ତା ଛଡ଼ା ସେ ସବୁକୁ ଏତେ ଭୟ କାହିଁକି, ସେ ତ ବି ମଣିଷର ପ୍ରବୃତ୍ତି—

 

ବାଘକୁ ତେବେ ଭୟ କାହିଁକି ? ମଣିଷର ଖାଇବା ତା’ର ବି ତ ପ୍ରବୃତ୍ତି । ଭୟ ମଧ୍ୟ ଗୋଟାଏ ପ୍ରବୃତ୍ତି, ଆଉ ସେ ପ୍ରବୃତ୍ତି ଜୀବନ ଧାରଣ କରିବାର ମୌଳିକ ପ୍ରବୃତ୍ତି ଉପରେ ପ୍ରତିଷ୍ଠିତ-। ଏ ଦୁଇ ପ୍ରବୃତ୍ତିରୁ ଜାତ ସତ୍ୟ, ଅହିଂସା, ସାଧୁତା; ଏକ କଥାରେ ଭଗବାନ୍‍ଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭକ୍ତି, କାରଣ ସେଇଠି ଚରମ ନିରାପତ୍ତା । ...

 

ସୁବୋଧ କିଛିକ୍ଷଣ ଚିନ୍ତାମଗ୍ନଭାବରେ ରହି ପୁଣି କହିଲେ ଆଉ ଉନ୍ନୟନର ଉଦ୍ଦେଶ୍ୟ ଯଦି ଶାନ୍ତି ନ ହେଇ ବୈଷୟିକ ସୁଖ ହୁଏ ତେବେ ତ ବ୍ୟାପାର ଗୋଳମାଳିଆ ହୋଇଯିବ; କାରଣ ନୂଆ ନୂଆ ଇଚ୍ଛାର ସୃଷ୍ଟି ହେବ ଏବଂ ସେ ସବୁକୁ ଚରିତାର୍ଥ କରିବାପାଇଁ ଆଗୋଉ ଆଗୋଉ ଯାଇ ପହଞ୍ଚିବା ଯୁଦ୍ଧ ବା ଦେଶ ନାମରେ ବ୍ୟାପକ ହତ୍ୟାଠି ବା ବ୍ୟାପକ ଶଠତାଠି...

 

ସୁବୋଧ ଦୀର୍ଘନିଶ୍ଵାସ ପକାଇ ପୁଣି ଚିନ୍ତାମଗ୍ନ ହେଲେ । ତା ପରେ ଧୀରେ ଧୀରେ ମନେ ମନେ କହିବାକୁ ଲାଗିଲେ, ଦେହ ଖୋଜେ ବୈଷୟିକ ସୁଖ । ମଣିଷ ଭାବେ ସେ ସବୁ ସୁଖ ‘ମୋର’ କିନ୍ତୁ ଯିଏ ବା ଯେଉଁ ନିୟମରେ ଏ ଦେହ ସୃଷ୍ଟି କରିଚି ସେଇ ସୃଷ୍ଟି କରିଚି ସେ ପ୍ରବୃତ୍ତି ଦେହମନରେ । ତେଣୁ ମଣିଷର ବୁଦ୍ଧି ଥିବାରୁ ବା ତାହାର ଆତ୍ମା ଥିବାରୁ ସେ ସୁଖ ସବୁକୁ ପ୍ରାଧାନ୍ୟ ନ ଦେଇ ଖୋଜେ ସେଇ ସ୍ରଷ୍ଟାକୁ, ସେଇ ନିୟମକୁ, ସବୁ ସୁଖର ଆଧାର ବା ଉତ୍ପତ୍ତି ସ୍ଥଳକୁ । ଦିନେ ଜଣେ ଧନଲୋଲୁପ ଲୋକ ପାଗଳ ଭଳି ସୁନା ସନ୍ଧାନରେ ବାହାରିଥିଲା । ଜଣେ ସନ୍ନ୍ୟାସୀକୁ ଦେଖି ପଚାରିଲା ସୁନା କେଉଁଠି ମିଳିବ । ସନ୍ନ୍ୟାସୀ କହିଲେ ସେ କଥା ମୁଁ ଜାଣି ନାହିଁ, ତେବେ ମୁଁ ଗୋଟାଏ ସ୍ପର୍ଶମଣି ପାଇଚି । ନିଅ । ସନ୍ନ୍ୟାସୀ ସେ ମଣିଟିକୁ ଦେଇଦେଲେ; କିନ୍ତୁ ଧନଲୋଲୁପ କହିଲା, ମହାଶୟ ଯେଉଁ ଧନ ପାଇ ତୁମେ ମଣିଷକୁ ତୁଚ୍ଛ ଜ୍ଞାନ କରୁଚ ସେ ଧନରୁ ମୋତେ କିଛି ଦିଅ ।

 

ମୋର ବେଳେ ବେଳେ ମନେହୁଏ ମୁଁ କୌଣସି ଦେଶର ବା କାଳର ବା ଜାତିର ନୁହଁ । ମୁଁ ଜଣେ ଅମୃତସନ୍ଧାନୀ ମଣିଷ ମାତ୍ର । ପୃଥିବୀର ଯେ କୌଣସିଠାରେ ଅମୃତସନ୍ଧାନୀ ମଣିଷ ପାଇବି ସେଇଠି ମୁଁ ରହିବି । ମୋ ଦେଶ ନାମରେ ମୁଁ ଶଠତାକୁ ଆବୋରି ପଡ଼ି ରହିବି ନାହିଁ ।

 

ଭାସ୍କର ସୁବୋଧର କୌଣସି କଥାରେ କର୍ଣ୍ଣପାତ ନ କରି ଏ ପାଖ ସେ ପାଖ ହେଉଥିଲେ । ସୁବୋଧର କଥା ଶେଷ ହେବା ମାତ୍ରକେ ସେ ଗୋଟାଏ ହିଂସ୍ର ଲମ୍ଫ ଦେଇ ସୁବୋଧର ବେକ ଚାପି ଧରିଲେ ।

 

ପ୍ରବେଶ କଲେ ଏଇ ସମୟରେ ମନୀଷା । ସେ ହଠାତ୍ ଏ ଦୃଶ୍ୟ ଦେଖି ଚମକି ପଡ଼ିଲେ । ଗୋଟାଏ ଆର୍ତ୍ତନାଦ କରି ସେ ଆଖିରେ ହାତ ଦେଇ ଥରିବାକୁ ଲାଗିଲେ । ସୁବୋଧ କିନ୍ତୁ ପୂର୍ବପରି ନିର୍ବିକାର, ହସ ହସ ।

 

ବାଘ ଗୋଟାଏ ଶୀକାରକୁ ଛାଡ଼ି ଆଉ ଗୋଟାଏ ଶୀକାରକୁ ମାଡ଼ି ବସିବା ଭଳି ଭାସ୍କର ଗର୍ଜନ କରି ତାଙ୍କର ବିଛଣାତଳୁ ଗୋଟାଏ ଛୁରା ଆଣି ମନୀଷାକୁ ମାରିବାକୁ ଗଲେ ।

 

ସୁଧୀର ଠିକ୍ ସେଇ ସମୟରେ ଝଡ଼ ପରି ଘର ଭିତରକୁ ପଶି ଆସି ଭାସ୍କରଙ୍କ ହାତ ଧରି ପକାଇଲେ ଓ ଚିତ୍କାର କରି କହିଲେ, ଶିଳ୍ପୀ ନୁହଁ, ମାଂସଲୋଲୁପ ଜାନୁଆର ତୁମେ ।

 

ଭାସ୍କରଙ୍କ ଆଖି ଜଳି ଉଠିଲା, ମୁହଁରେ ତାଙ୍କର ଭୟଙ୍କର ଆନନ୍ଦ । ସେ ନିଜକୁ ସୁଧୀରଙ୍କ କବଳରୁ ମୁକ୍ତ କରି ସୁଧୀରର କାନ୍ଧରେ ବସାଇ ଦେଲେ ଛୁରା ।

 

ଠିକ୍ ସେଇ ସମୟରେ ପ୍ରଦ୍ୟୁତ ମଧ୍ୟ ଧାଇଁ ଆସିଲେ ଘର ଭିତରକୁ । ସବୁ ଦେଖି ସେ ହତବାକ୍ ଭାବରେ ଛିଡ଼ା ହୋଇ ରହିଲେ । ସୁଧୀର ଯନ୍ତ୍ରଣାରେ ଛଟପଟ କରୁଥିଲେ । ମନୀଷା ମୂର୍ଚ୍ଛିତା । କେବଳ ସୁବୋଧ ଧ୍ୟାନମଗ୍ନଭାବରେ ସୁଧୀରଙ୍କ ଆଘାତ ସ୍ଥାନରେ ପଟି ବାନ୍ଧୁଥିଲେ ।

 

ଭାସ୍କର ଛୁରା ସହିତ ହାତ ଉପରକୁ ଟେକି ପ୍ରାୟ ନଗ୍ନଅବସ୍ଥାରେ ନାଚି ନାଚି ବୁଲି ଚିତ୍କାର କରିବାକୁ ଲାଗିଲେ, ମୁଁ ଆଜି ରକ୍ତଲୋଲୁପ ବ୍ୟାଘ୍ର, ମୁଁ ଆଜି ଖୁଣୀ ଆସାମୀ ।

 

ପ୍ରଦ୍ୟୁତ ଭୀରୁ ପ୍ରକୃତିର ଲୋକ, ସେ ଏ ଅମାନୁଷିକ ନୃତ୍ୟ ଦେଖି ପଳାଇ ଯାଉଥିଲେ । ଭାସ୍କର ଦୁଆରପାଖରେ ବାଟ ଓଗାଳି ଛାଡ଼ିହୋଇ ଛୁରା ହଲାଇ ଚିତ୍କାର କରି ହସି ଉଠିଲେ । ହସୁ ହସୁ ସେ କହିବାକୁ ଲାଗିଲେ ଆଜି “ମୁଁ କାହାରିକୁ ଛାଡ଼ିବି ନାହିଁ ଏ ଘରୁ । ତୁମ୍ଭେମାନେ ସବୁ ଜୀବନ୍ତ ପ୍ରମାଣ । ସମସ୍ତଙ୍କୁ ଗୋଟି ଗୋଟି କରି ହତ୍ୟା କରିବି । ତା ପରେ... ।”

 

ସୁବୋଧ ଭାସ୍କରକୁ ଆଉଁଶୁ ଆଉଁଶୁ କହିଲେ ତା ପରେ ଦେଖିବୁ ଯେ ସେଥିରେ କିଛି ଲାଭ ନାହିଁ, ବରଞ୍ଚ କ୍ଷତିର ମାତ୍ରା ବଢ଼ିଯିବ । ତୁ ହେବୁ ପାଗଳ ନଚେତ୍ କରିବୁ ଆତ୍ମହତ୍ୟା ।

 

ନିଆଁରେ ପାଣି ପଡ଼ିବା ପରି ଭାସ୍କର ଥପ୍ କିନା ନିର୍ବାକ୍ ହୋଇଗଲେ ଓ ଶୂନ୍ୟ ଦୃଷ୍ଟିରେ ସମସ୍ତଙ୍କୁ ଚାହିଁବାକୁ ଲାଗିଲେ ।

 

ଭାସ୍କର ଅସହାୟଭାବରେ ସୁବୋଧକୁ ଚାହିଁ ପଚାରିଲେ, ସୁବୋଧ, ଏ କଅଣ ହେଲା ।

 

ସୁବୋଧ ଭାସ୍କର ପିଠିରେ ହାତ ବୁଲାଉ ବୁଲାଉ କହିଲେ, ଏମିତି ବେଳେ ବେଳେ ହୁଏ, ମଣିଷର ସଂମ୍ଭୋଗର ଇଚ୍ଛା ଯେତେବେଳେ ପ୍ରବଳ ହୁଏ ସେତେବେଳେ ଏମିତି ବେଳେ ବେଳେ ହୁଏ । ଆଚ୍ଛା, ତୁ ଥା ମୁଁ ଏମାନଙ୍କୁ ଛାଡ଼ିଦେଇ ଆସୁଛି ଏଇକ୍ଷଣି—କୁଆଡ଼େ ଯିବୁନି । ବ୍ୟସ୍ତ ହେବାର କିଛି କାରଣ ନାହିଁ । ପୂର୍ବକାଳରେ ସମ୍ଭୋଗ ଇଚ୍ଛା ଚରିତାର୍ଥ କରିବାପାଇଁ ସମ୍ଭୋଗବସ୍ତୁ ବେଶି ଉତ୍ପାଦନ କରିବାକୁ ଚେଷ୍ଟା ନ କରି ସମ୍ଭୋଗ ଇଚ୍ଛା କମାଇବାକୁ ଚେଷ୍ଟା କରୁଥିଲେ । ସେମାନେ ଜାଣିଥିଲେ ଇଚ୍ଛାକୁ ଟିକିଏ ତେଜିବା ମାତ୍ରକେ ସେ ଏତେ ତିବ୍ର ଓ ବ୍ୟାପ୍ତ ହୋଇଯିବ ଯେ ଉତ୍ପାଦନ ଯେତେ ବଢ଼ାଇଲେ ମଧ୍ୟ ତା’ର କାଣିଚାଏକୁ ପାଇବ ନାହିଁ । କେବଳ ଫଳ ହେବ ଉତ୍ପାଦନ କରୁ କରୁ ଗୋଳମାଳ, ବିପ୍ଳବ ଓ ସମୂଳେ ନାଶ । ହଉ ରହ; ମୁଁ ଏହିକ୍ଷଣି ଆସୁଛି ।

 

ମନୀଷା, ସୁଧୀର ଓ ପ୍ରଦ୍ୟୁତକୁ ନେଇ ସୁବୋଧ ବାହାରି ଗଲେ ।

 

କିଛିକ୍ଷଣ ପରେ ସେ ଫେରି ଆସି ଦେଖିଲେ ଭାସ୍କର ଚିତ୍ରାଙ୍କନ କରୁଚି ଶ୍ରୀକୃଷ୍ଣଙ୍କର । ତ୍ରିରଙ୍ଗାଠାଣିରେ ଛିଡ଼ା ହୋଇଛନ୍ତି, ହାତରେ ମୋହନ ବଂଶୀ, ଅଧରରେ ମଧୁର ସ୍ମିତହାସ୍ୟ ଓ ଚାହାଣିରେ ତାଙ୍କ ପାଖକୁ ଯିବାର ଠାର । ଆଙ୍କୁ ଆଙ୍କୁ ସେ ଗାଇଛନ୍ତି—

 

‘ମୋହନ ମୁରଲୀ ଭାଙ୍ଗିଚି ସବୁ ଗୃମାନରେ ସଜନୀ’ ।

 

ସୁବୋଧକୁ ଦେଖି ସେ ତାଙ୍କ ଚିବୁକରେ ହାତ ଦେଇ ଗାଇଲେ ସେଇ ଗୀତ ।

 

ସୁବୋଧ ହସି ହସି କହିଲେ—ଓ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ ।

Image

 

ଝରାଫୁଲ

 

ଏ ଦୁନିଆ ଗୋଟାଏ ରଙ୍ଗମଞ୍ଚ ଏବଂ ଆମ୍ଭେମାନେ ସମସ୍ତେ ସେଥିରେ ଅଭିନେତା ବା ଅଭନେତ୍ରୀ—ଇତି, ସେକ୍‌ସପିଅର । ଏ ଉକ୍ତିରେ ଗୋଟାଏ ମହାନ୍ ଦାର୍ଶନିକ ସତ୍ୟତା ଥାଇପାରେ-। କିନ୍ତୁ ସୁଧୀନ୍ଦ୍ର ବାବୁ—ଡାକ୍ତର ସୁଧୀନ୍ଦ୍ର ଚମ୍ପଟରାୟ, ଡି.ଏଚ୍.ଓ., ସଂକ୍ଷେପରେ “ଢ଼ୋ”, ଅର୍ଥାତ୍ ଜିଲା ସ୍ଵାସ୍ଥ୍ୟ ବିଭାଗ ଅଫିସର—ବର୍ତ୍ତମାନ ସେ ଦାର୍ଶନିକ ମାନସିକ ଅବସ୍ଥାରେ ନାହାନ୍ତି । ଯେଉଁ ଅବସ୍ଥାର ସମ୍ମୁଖୀନ ସେ ହୋଇଚନ୍ତି ସେଥିରେ ସେ ପାଗଳ ହୋଇଗଲେ ତାଙ୍କୁ ଯିଏ ପାଗଳ ନ କହିବ ସେ ପାଗଳ ।

 

ଦଶଦିନ ହେଲା ତାଙ୍କୁ ନିଦ ନାହିଁ । ଖିଆପିଆ ସେ ଛାଡ଼ି ସାରିଲେଣି । ବିଧାନ ସଭାରେ ତାଙ୍କର କାର୍ଯ୍ୟକଳାପ ବିଷୟରେ ପ୍ରଶ୍ନର ଝଡ଼ ବୋହିଯାଉଚି ଏବଂ କେତେକ ସଭ୍ୟ ମଧ୍ୟ ତୀବ୍ର କଟୁକ୍ତି ପ୍ରକାଶ କରିସାରିଲେଣି । ସରକାରୀ ଦଳର ସଭ୍ୟମାନେ ଅବଶ୍ୟ ତାଙ୍କର କାର୍ଯ୍ୟକୁ ସମର୍ଥନ କରି ବକ୍ତୃତା ଦେଇଛନ୍ତି । କିନ୍ତୁ ବିରୋଧୀ ଦଳର ସଭ୍ୟମାନେ କହନ୍ତି, ତାହା ସମ୍ବିଧାନ ବିରୋଧୀ । ତାଙ୍କର ଉପରିସ୍ଥ କର୍ମଚାରୀ ତାଙ୍କର କୈଫିୟତ ତଲବ କରିଛନ୍ତି । ବିଭାଗୀୟ ସର୍ବୋଚ୍ଚ କର୍ମକର୍ତ୍ତା ନିଜେ ପରଦର୍ଶନରେ ଆସୁଛନ୍ତି । ସୁଧୀନ୍ଦ୍ର ବାବୁ ଭାଳେଣିରେ ପଡ଼ିଛନ୍ତି । ସମସ୍ତ ପୃଥିବୀ ଉପରେ ତାଙ୍କର ବିରକ୍ତି ଆସିଗଲାଣି । ତାଙ୍କର ସର୍ବଦା ଚିଡ଼ି ଚିଡ଼ି ଭାବ ଦେଖି କୌଣସି ନିମ୍ନସ୍ଥ କର୍ମଚାରୀ ତାଙ୍କ ନିକଟକୁ କୌଣସି କାଗଜପତ୍ର ନେଇଯିବାକୁ ସାହସ କରୁନାହାନ୍ତି, ଚପରାସୀ ହାତରେ ପଠାଇ ଦେଉଛନ୍ତି । ସେ ସବୁ ଗୋଟିକ ଉପରେ ଗୋଟିଏ ଜମା ହୋଇ ଛାତର ଖୁଣ୍ଟି ରୂପେ କାର୍ଯ୍ୟ କରୁଛନ୍ତି । ଯେଉଁ କର୍ମ ପ୍ରବଣତା ଓ ଆଦର୍ଶ ନେଇ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ, ଯେଉଁ ଶାନ୍ତ ବ୍ୟବହାର ଯୋଗୁଁ ସେ ସମସ୍ତଙ୍କର ପ୍ରିୟ ହୋଇ ଉଠିଥିଲେ, ସେ ସବୁ ମିଳାଇ ଗଲାଣି ।

 

ସୁଧୀନ୍ଦ୍ର ବାବୁ ପେନ୍‌ସିଲ୍ କାମୁଡ଼ୁଛନ୍ତି । ଭାବୁଛନ୍ତି, ଉପାୟ କଅଣ ? କିପରି ଭାବରେ ଏ ଭୟାବହ ଅବସ୍ଥାକୁ ସେ କବଳକୁ ଆଣିବେ ! କୁଡ଼ମ୍ବ ଗ୍ରାମର ଅବସ୍ଥା ବଡ଼ ସଙ୍ଗୀନ । ମହାମାରୀରେ ଗ୍ରାମର ଏକ ଚତୁର୍ଥାଂଶ ମରିସାରିଲେଣି । କିନ୍ତୁ ଯେତେ ବୁଝାଇଲେ ବି ଲୋକେ ଟୀକା ନେବାକୁ ଅମଙ୍ଗ । ପୁଲିସ ଓ ମାଜିଷ୍ଟ୍ରେଟ ଦୁଇ ଦୁଇଥର ଗଲେଣି ସେ ଗ୍ରାମକୁ ଜବରଦସ୍ତ ଟୀକା ଦେବାକୁ । ଦୁଇଥର ଯାକ ସେମାନେ ବିଫଳ ହୋଇ ଫେରିଚନ୍ତି । ସେମାନଙ୍କର ଯିବା ଖବର ପାଇ ଲୋକେ ଘରଦ୍ୱାର ଛାଡ଼ି ଜଙ୍ଗଲରେ ଲୁଚିଲେ । ଅବଶ୍ୟ ଜଣେ ଦୁଇଜଣ ଆଇନ ଅମାନ୍ୟ କରିବା ଅପରାଧରେ ଦଣ୍ଡିତ ହୋଇ ସାରିଲେଣି । କିନ୍ତୁ ଅନ୍ୟମାନଙ୍କ ଉପରେ ତାହା କୌଣସି ପ୍ରଭାବ ପକାଇ ପାରିନାହିଁ । ଗୋଟିଏ ରାଜନୈତିକ ଦଳର ପୃଷ୍ଠପୋଷକତାରେ ସର୍ବୋଚ୍ଚ ବିଚାରାଳୟରେ ସ୍ୱାଧୀକାର ମାମଲା ଦାଏର ହୋଇ ସାରିଲାଣି । ଅଳ୍ପଦିନ ଭିତରେ ହୁଏତ ନିର୍ଦ୍ଦେଶନାମା ଆସିବ, ମକଦ୍ଦମା ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ଟୀକା ଦେବାର ଚେଷ୍ଟା ସ୍ଥଗିତ ରଖାଯାଉ ଏବଂ ଉକ୍ତ ସମୟ ମଧ୍ୟରେ କୁଡ଼ୁମ୍ବର ବାକି ଲୋକେ ଇହଧାମ ଛାଡ଼ି ଚାଲିଯିବା ମଧ୍ୟ ଅସମ୍ଭବ ନୁହଁ । ସୁଧୀନ୍ଦ୍ର ବାବୁଙ୍କ ଜିଦ ହୋଇଗଲାଣି ସେ ନିଶ୍ଚୟ କୌଡ଼ୁମ୍ବମାନଙ୍କୁ ଟୀକା ଦେବେ, ସେମାନଙ୍କୁ ଏପରି ଅସହାୟ ଭାବରେ ମରିବାକୁ ଦେବେ ନାହିଁ ।

 

କୁଡ଼ୁମ୍ବ ଗ୍ରାମକୁ ଆପଣ କୌଣସି ମାନଚିତ୍ର ବା ଭୂଗୋଳ ବହିରେ ଖୋଜିଲେ ପାଇବେ ନାହିଁ । ଜିଲ୍ଲାର ଯେ କୌଣସି ପୁରୁଣା ବୟସ୍କ ଲୋକଙ୍କୁ ପଚାରନ୍ତୁ ସେ କହିବ, ହେ...ଏ...ଏ...ଏହି ଯଉଁ... । ତାର ଅଙ୍ଗୁଳିର ନିର୍ଦ୍ଦେଶ ଅନୁସାରେ ଦ୍ୟାବା ପୃଥିବୀ ପର୍ଯ୍ୟନ୍ତ ଗଲେ ଦେଖିବେ ସାମନାରେ ପର୍ବତର ପ୍ରାଚୀର । ପର୍ବତର ଶୋଭା ଅତି ରମଣୀୟ । କିନ୍ତୁ ପର୍ବତର ପାଦଦେଶରେ ଛିଡ଼ାହୋଇ ତାକୁ ଚିତ୍କାର କରି ଗାଳିଦେଇ ଆପଣ ଫେରିବାକୁ ବାଧ୍ୟ ହେବେ । ଅନ୍ୟ କେହି ହୁଏତ ଆପଣଙ୍କର ଉତ୍କଣ୍ଠିତ ପ୍ରଶ୍ନର ଉତ୍ତର ନିର୍ବିକାର ଭାବରେ ଦବ, ମୁହଁ ନାହିଁ ଜାନେ ନା ଆ ଆ... । ସେଥିରେ ଆପଣ ଗାଳି ଦବାର ପ୍ରଥା ବା ଭାଷା କିଛି ବଦଳିବ ନାହିଁ । କିନ୍ତୁ ଆପଣ ଯଦି ସରକାରୀ ନଥିପତ୍ରର କୀଟ ହୋଇ ରେକର୍ଡ଼ ଘରେ ଅନେକ ଦିନ ସପରିବାର ବସବାସ କରିବେ ତେବେ ଗୋଟିଏ ବିରାଟ ଥାକରେ ଶେଷ ସ୍ତରର ଶେଷକୁ ଗୋଟିଏ ବହିରେ କୁଡ଼ୁମ୍ବ ଗ୍ରାମ ବିଷୟରେ ସବୁ ଦରକାରୀ ସମ୍ବାଦ ପାଇପାରିବେ । ସେଟା ହବ ପୁସ୍ତକଗତ ବିଦ୍ୟା, ପୋଥିବାଇଗଣ । ଉକ୍ତ ଗ୍ରାମକୁ ଯିବାର ଯେଉଁ ବାସ୍ତବଜ୍ଞାନ ଦରକାର ତାହା ହାସଲ କରିବାକୁ ହେଲେ ଅଗନାଗ୍ନି ଜଙ୍ଗଲ ପାରିହୋଇ ତିନିଟା ବଡ଼ ବଡ଼ ପର୍ବତ ଡେଇଁ ଚତୁର୍ଥଟିର ଚୂଡ଼ାକୁ ଯିବାକୁ ହେବ ।

 

ଦିନେ ହଠାତ୍ ଖବର ଆସିଲା କୁଡ଼ୁମ୍ବରେ ଭୀଷଣ ଭାବରେ ହଇଜା ଲାଗିଚି । ସୁଧୀନ୍ଦ୍ର ବାବୁ ଧଡ଼ପଡ଼ ହୋଇ ଉଠିଲେ ସେ ଗ୍ରାମକୁ ଯିବାକୁ । କୁଡ଼ୁମ୍ବ ଗ୍ରାମଟି ଜଙ୍ଗଲ ମଝିରେ ଗୋଟିଏ ନିହାତି ଅସୁବିଧା ଜାଗାରେ ଥିଲେ ମଧ୍ୟ ବଡ଼ ଗାଁଟିଏ । ଅଧିକାଂଶ ଅଧିବାସୀ କନ୍ଧ, ଅନ୍ୟାନ୍ୟ ଜାତିର ଲୋକେ ମଧ୍ୟ ଅଛନ୍ତି । କାହିଁକି ଯେ ଏପରି ଜାଗାରେ ଅଛନ୍ତି, ସେମାନଙ୍କର ଜୀବନର ଉଦ୍ଦେଶ୍ୟ କଣ, ଏ ସବୁ କଥା ଭାବନ୍ତୁ ନାହିଁ । ଆଖିଝଲସା ଧୂ ଧୂ ମରୁଭୂମିରେ ଲୋକେ କାହିଁକି ଅଛନ୍ତି ? ଚିରତୁଷାରାବୃତ ବୃକ୍ଷଲତା ହୀନ ମରୁ ଦେଶରେ ଏସ୍‌କିମୋମାନେ କାହିଁକି ଅଛନ୍ତି ? ଯିଏ ଯେଉଁଠି ଥାଆନ୍ତୁ, ସର୍ବେ ସୁଖୀନଃ ଭବନ୍ତୁ ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ଓ ମାକଶ୍ଚିତ ଦୁଃଖଭାଗ ଭବେତ୍ ।

 

ସର୍ବେ ସନ୍ତୁ ନିରାମୟାଃ ! କୌଡ଼ୁମ୍ବମାନଙ୍କର ନିରାମୟତା କେଉଁ ଉପାୟରେ ସମ୍ଭବ ? ବୁଝାଇ କହିବାକୁ ବେଳ ନାହିଁ । ବିରୁଦ୍ଧ ମତର ଲୋକମାନଙ୍କୁ ନିଜ ମତରେ ଆଣିବାକୁ ହେଲେ, ସୁଧୀନ୍ଦ୍ର ବାବୁ ପେନ୍‌ସିଲ କାମୁଡ଼ୁ କାମୁଡ଼ୁ ଭାବୁଚନ୍ତି, ତିନୋଟି ଉପାୟ ଅଛି, ଯଥା—ମାଡ଼ ଦ୍ୱାରା,ଯେପରି କରିଥିଲେ ମହମ୍ମଦ । କିମ୍ବା କିଛି ନ କହି ଗୋଟିଏ ଗାଲରେ ଚାପୁଡ଼ା ମାରିଲେ ଅନ୍ୟ ଗାଲ ଦେଖାଇବା, ଯେପରି କରିଥିଲେ କ୍ରାଏଷ୍ଟ କିମ୍ବା ବିରୁଦ୍ଧ ମତ ଓ ନିଜମତ ଭିତରେ ଯଥା ସମ୍ଭବ ମେଳ ଖୋଜି ବାହାର କରି ଦୁଇ ବା ତତୋଧିକ ମତକୁ ଏକ କରିଦେବା, ଯେମିତି ହିନ୍ଦୁଧର୍ମ କରିଚି, ଯାହାକୁ ଗୀତା କହିଚି ସମତ୍ଵଂ ଯୋଗ ଉଚ୍ୟତେ । ଗଣତାନ୍ତ୍ରିକ ଯୁଗରେ ମହମ୍ମଦଙ୍କ ଉପାୟ ନିଷିଦ୍ଧ । ସେ ଉପାୟ ମଧ୍ୟ ତିନିଥର ବିଫଳ ହେଲାଣି । ଗତକାଲି ବିରୋଧୀ ଦଳର ନେତା କୁଡ଼ୁମ୍ବ ଯାଇ ଗ୍ରାମର କନ୍ଧମାନଙ୍କ ସଭାରେ ରାତି ନ’ଟା ପର୍ଯ୍ୟନ୍ତ ଗର୍ଜି ଗର୍ଜି ଯାଇଛନ୍ତି, ହେ ଦେଶର ସରଳ ଅଧିବାସୀମାନେ, ତୁମ୍ଭେମାନେ ସର୍ବଦା ଦଳିତ, ଲାଞ୍ଚିତ, ଉପେକ୍ଷିତ, ବଞ୍ଚିତ, ବ୍ରୀଡ଼ିତ, ଅପମାନିତ । ହେ ବୁଭୁକ୍ଷୁ କଙ୍କାଳ ଦଳ, ତୁମ୍ଭେମାନେ ଜାଗ, ଉତ୍ତିଷ୍ଠିତ, ଜାଗ୍ରତ । ଆଉ କେତେଦିନ ମୁହଁ ମାଡ଼ି ପଡ଼ିଥିବ ? କେତେଦିନ ଏ ଅପମାନ ନୀରବରେ ସହ୍ୟ କରିବ ? ଜାଗ, ଜାଗ, ଜାଗ । ତୁମ୍ଭମାନଙ୍କ ନିଶ୍ଵାସରେ ସ୍ଵାଧୀନତାର ଅଗ୍ନି ଚାରିଆଡେ଼ ଜଳି ଉଠୁ ଦାଉ ଦାଉ ହୋଇ । ସେ ନିଆଁରେ ଭସ୍ମୀଭୂତ ହେଉ ଶୋଷକ, ବିଳାସୀ, ଜୁଆଚୋର, ଭାଇ–ପୁଅ–ଜୋଇଁ–ପାଳକ, ନିଜର–କର୍ତ୍ତବ୍ୟ–ନ–କରି–ଅପରକୁ–କର୍ତ୍ତବ୍ୟ–ଶିଖାଇବା ସରକାରୀ ଦାଳ । ମୁଁ ମୁକ୍ତ କଣ୍ଠରେ ପଚାରୁଚି..... ପଚାରୁଚି..... ପଚାରୁଚି...... କାହିଁକି ଆଜି ତୁମ୍ଭମାନଙ୍କୁ ଟୀକା ଦେବାକୁ ବାଧ୍ୟ କରାଯାଉଛି ?

 

ମୁଁ ପୁଣି ଥରେ ପଚାରୁଚି, କାହିଁକି ତୁମ୍ଭର ଜନ୍ମଗତ ଅଧିକାର ଏପରି ଭାବରେ କାଢ଼ି ଦିଆ ହେଉଚି ? କାହିଁକି ତୁମର ମହାନ୍ କୃଷ୍ଟି ଏପରି ଭାବରେ ଭାଙ୍ଗି ଦିଆ ହେଉଚି ।

 

ଏ ପ୍ରଶ୍ନର ଉତ୍ତର କନ୍ଧମାନେ ଦେଇ ସାରିଲେଣି ବିଦ୍ରୋହରେ ।

 

ସେ ସଭାରେ ସୁଧୀନ୍ଦ୍ର ବାବୁ ଉପସ୍ଥିତ ଥିଲେ । ସେ କହିବାକୁ ଚେଷ୍ଟା କରିଥିଲେ ଯେ ଟୀକା ନେଲେ ସ୍ଵାଧୀନତା ଖର୍ବିତ ହେବନାହିଁ । ଫଳରେ ସେ ମାଡ଼ ଖାଇ ଫେରିଥିଲେ । ଅତଏବ ମାଡ଼ଦବା ନେହିଁ ଚଲେଗା ।

 

ତାଙ୍କର ନିମ୍ନସ୍ଥ କର୍ମଚାରୀ ତାଙ୍କୁ ଖୁସି କରିବାକୁ ଯାଇ କହିଲେ, ଭଗବାନ ଏ ଲୋକମାନଙ୍କୁ କ୍ଷମା କରନ୍ତୁ, ସେମାନେ କଅଣ କରୁଛନ୍ତି ଜାଣନ୍ତି ନାହିଁ । ଏତେକ କହି ସେ ଉପରକୁ ଭାବ ବିହ୍ୱଳ ଦୃଷ୍ଟିରେ ଚାହିଁ ଛିଡ଼ା ହେଲେ ।

 

ସୁଧୀନ୍ଦ୍ର ବାବୁ କିନ୍ତୁ ଉତ୍‌କ୍ଷିପ୍ତ ହୋଇ କହିଲେ, ସେ ଭଗବାନ୍ ଫଗବାନ୍ ମୋ ପାଖରେ କହିବେ ନାହିଁ, ବୁଝିଲେ । ସେମିତି ଭଙ୍ଗୀରେ ଛିଡ଼ା ହୁଅନ୍ତୁ ନାହିଁ, ମୁଁ କହିଦଉଚି । ଭଗବାନଙ୍କୁ ଏ ଉପଦେଶ ଦେବାକୁ ଆପଣଙ୍କୁ କିଏ ଅଧିକାର ଦେଲା ? ଏଙ୍କ ଉପଦେଶକୁ ଭଗବାନ ଯେମିତି ଚାହିଁ ରହିଛନ୍ତି ! କେଡ଼େ ଧୃଷ୍ଟତା ଦେଖ ! ଭଗବାନ ଯେ ସେ ଲୋକମାନଙ୍କ ଉପରେ ରାଗି ଗଲେଣି ଏ ଯେମିତି ଜାଣି ପାରିଲେଣି ?

 

ନିମ୍ନସ୍ଥ କର୍ମଚାରୀ ମଧ୍ୟ ମନେ ମନେ କହିଲେ, ଶ୍ୟେଃ, ହ୍ୟାପ ଭଲ କହିଲାରୁ ମନ୍ଦ ହେଉଚି । ପେଟ ପାଇଁ ଟିକିଏ ଖୋସାମଦ କରୁଥିଲି, ନ ହେଲାତ ନାହିଁ । ଆମ ଖୋସାମଦ ଆମ ଘରେ ଥାଉ ।

 

ଯିଶୁଖ୍ରୀଷ୍ଟଙ୍କ ଉପାୟ ମଧ୍ୟ କଉ ସଂବିଧାନ ସମ୍ମତ କି ? ବସ୍ତୁତଃ ଉପରୋକ୍ତ ଘଟଣା ପରେ ଗ୍ରାମର ଅଧିକାଂଶ ଲୋକମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଦାଏର ହୋଇଚି । ସେ ମକଦ୍ଦମା ମାନଙ୍କରେ ପୁଲିସ ତରଫରୁ ସେ ପ୍ରଥମ ସାକ୍ଷୀ । ଇୟାଡ଼ୁ ମାଇଲେ ଗୋହତ୍ୟା, ସିୟାଡ଼ୁ ମାଇଲେ ବ୍ରହ୍ମହତ୍ୟା ।

 

ବିରୋଧୀ ରାଜନୈତିକ ଦଳମାନେ ଏ ପରିସ୍ଥିତିକୁ ଗୋଟିଏ ପ୍ରଥମ ଶ୍ରେଣୀର ରାଜନୈତିକ ସମସ୍ୟା କରି ବାଢ଼ିଲେଣି ବିଧାନ ସଭାରେ । ଏହାରି ସୁଯୋଗ ନେଇ ସରକାରୀ ଦଳକୁ ଗାଦିଚ୍ୟୁତ କରିବାକୁ ଲାଗି ପଡ଼ିଲେଣି । ସରକାରୀ ଦଳ ବିରୋଧୀ ଦଳର ନେତାମାନଙ୍କୁ ଜେଲ୍‌ରେ ରଖିସାରିଲେଣି ନାନା ଅପରାଧର ଅଭିଯୋଗ କରି । ଏଥିପାଇଁ ମୁଲତବୀ ପ୍ରସ୍ତାବ ଆଗତ ହୋଇ ବିଧାନସଭାରେ ଖାଲି ତୁମୁଳ ବାଦାନୁବାଦ ନୁହଁ, ମାଡ଼ଗୋଳ ମଧ୍ୟ ହୋଇଗଲାଣି । ଅନେକ ଚୌକି ଟେବୁଲ ମଧ୍ୟ ଭଙ୍ଗା ସରିଲାଣି । ବିଧାନସଭା ନିକଟରେ ସଶସ୍ତ୍ର ପୁଲିସ ଶାନ୍ତିସ୍ଥାପନ ପାଇଁ ମୁତୟନ ହେଲେଣି । ବିଭିନ୍ନ ରାଜନୈତିକ ଦଳର ବିଚକ୍ଷଣ କର୍ମୀମାନେ କୁଡ଼ୁମ୍ବ ଗ୍ରାମକୁ ଆସିଗଲେଣି । ପ୍ରତ୍ୟେକ ନିଜ ନିଜର ଦଳ ବଢ଼ାଇବାକୁ ଆପ୍ରାଣ ଚେଷ୍ଟା ଲଗାଇଲେଣି । ଏମାନେ ଧୁରନ୍ଧର ବ୍ୟକ୍ତି । ସାଧୁ ହେଉ ବା ଅସାଧୁ ହେଉ ଯେ କୌଣସି ଉପାୟରେ ଅନ୍ୟ ଦଳ ଫଟାଇବାରେ ପ୍ରତ୍ୟେକେ ଖ୍ୟାତି ଅର୍ଜନ କରିଛନ୍ତି । ଏତେଗୁଡ଼ିଏ ନେତାଙ୍କର ସମାଗମ ହେତୁ କେତେଦିନ ହେବ କୁଡ଼ୁମ୍ୱ ଗ୍ରାମ ସଂବାଦପତ୍ରମାନଙ୍କରେ ପ୍ରଥମ ସ୍ଥାନ ଅଧିକାର କରିସାରିଚି । ପ୍ରତ୍ୟେକ ନେତାର ଉଦ୍ୟମ ବର୍ତ୍ତମାନ କନ୍ଧମାନଙ୍କୁ ନିଜ ଦଳ ସପକ୍ଷରେ ଏବଂ ବିରୋଧୀ ଦଳ ବିପକ୍ଷରେ ଉତ୍ତେଜିତ କରି ରଖିବା । ମୁଖ୍ୟମନ୍ତ୍ରୀ ସବୁକାମ ଛାଡ଼ି ବର୍ତ୍ତମାନ ଲାଗିଛନ୍ତି ଏଇଥିରେ । କୁହା ନାହିଁ, ବୋଲା ନାହିଁ, ସାଏଁ କରି ମଟରରେ ସେ ବାହାରି ଯାଉଛନ୍ତି ଦଳର କେନ୍ଦ୍ର ଅଫିସକୁ । ସେଠି ବୈଠକରେ କିଛିକ୍ଷଣ ଗୁପ୍ତ ମନ୍ତ୍ରଣା ସାରି ପୁଣି ଆସୁଛନ୍ତି ନିଜ ଘରକୁ । କିଛି ସମୟପରେ ପୁଣି ହଠାତ ମଟରରେ ଗମ୍ଭୀର ଭାବରେ ବସି କୁଆଡ଼େ ଚାଲି ଯାଉଚନ୍ତି । ସଦାସର୍ବଦା ତାଙ୍କ ସରକାରୀ ବାସଭବନ ସାମନାରେ ଅନେକ ମଟର ଗାଡ଼ି ଛିଡ଼ା ହୋଇରହିଚି । ପୁଲିସର ସର୍ବୋଚ୍ଚ କର୍ମକର୍ତ୍ତାଙ୍କ ସହିତ ସଦାସର୍ବଦା ମନ୍ତ୍ରଣା ଚାଲିଚି ।

 

ଆଉ ତିନିଥର ପରେ ବିଧାନସଭାରେ ସରକାରୀ ଦଳ ବିରୁଦ୍ଧରେ ଅବିଶ୍ଵାସ ପ୍ରସ୍ତାବ ଆଲୋଚନା ହେବ । ସବୁ ଦଳ ସେଥିପାଇଁ ସଜବାଜ ହେଉଚନ୍ତି । ସୁଧୀନ୍ଦ୍ର ବାବୁ ବଡ଼ି ସକାଳୁ କୁଡ଼ୁମ୍ବ ଯାଇ ଯାହା ଦେଖିଲେ ସେଥିରେ ସ୍ତମ୍ଭୀଭୂତ ହୋଇଗଲେ । ଗ୍ରାମର ଉପାନ୍ତରେ ପ୍ରକାଣ୍ଡ ପ୍ରକାଣ୍ଡ ପ୍ରାୟ ତିରିଶ ଖଣ୍ଡ ସୈନ୍ୟବୁହା ମଟରଗାଡ଼ି ରହିଚି । ଅଦୂରେ ଅନେକ ତମ୍ବୁ ଖଟା ହୋଇଚି-। ସଶସ୍ତ୍ର ଜଗୁଆଳି ସୈନ୍ୟ ଟହଲ ମାରୁଛନ୍ତି । ମାତ୍ର ପଅରିଦିନ ଚାରିଟାବେଳେ ସେ କୁଡ଼ୁମ୍ବରୁ ଫେରିଥିଲେ । ଗୋଟିଏ ଦିନ ଭିତରେ ଏତେ କାଣ୍ଡ ଘଟିଯାଇଚି ! କେଉଁବାଟେ ଆସି ପାରିଲେ ଏମାନେ !! ଦୂରରୁ ଦେଖି ସେ ଭାବିଲେ ବୋଧହୁଏ ପୁଣି ମହାଯୁଦ୍ଧ ଲାଗିଗଲାଣି । ଏ ତିଳ ନା ତାଳ ସେ ବୁଝି ପାରିଲେ ନାହିଁ । ତାଙ୍କୁ ସେଠି ଜଣାଇ ଦିଆଗଲା ଆଉ ଦୁଇଦିନ ପରେ ସଶସ୍ତ୍ର ପୁଲିସ ସାହାଯ୍ୟରେ ସମସ୍ତଙ୍କୁ ଟୀକା ଦିଆଯିବ ।

 

କୁଡ଼ୁମ୍ବ ଗ୍ରାମ ଭିତରକୁ ଯାଇ ଦେଖିଲେ ସରକାରୀ ଦଳର ଜଣେ ସ୍ଥାନୀୟ କର୍ମୀ କେତେକ ଲୋକଙ୍କୁ ନେଇ ଗାଁ ରାସ୍ତାରେ ଗୋଟିଏ ତୋରଣ ସଜାଇଛନ୍ତି । ସୁଧୀନ୍ଦ୍ର ବାବୁଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଗ୍ରାମର ବାହାରେ ସୈନ୍ୟ ସମାବେଶ ଏବଂ ଗାଁ ଭିତରେ ଉତ୍ସବର ଆୟୋଜନ ! ସ୍ଥାନୀୟ କର୍ମୀ ଜଣାଇଲେ ଉପମନ୍ତ୍ରୀଙ୍କ ଜନ୍ମଦିନ ପାଳିତ ହେଉଚି ।

 

ଗ୍ରାମର ଭାଗବତ ଘରେ ମଧ୍ୟ ସଜାସଜି କାମ ଚାଲିଚି ଆଉ ଗୋଟିଏ ଦଳର କର୍ମୀଙ୍କ ଉଦ୍‌ଯୋଗରେ ।

 

ଏ କଅଣ ପାଇଁ ଆଜ୍ଞା ? ସୁଧୀନ୍ଦ୍ର ବାବୁ ସଭୟେ ପଚାରିଲେ ।

 

କର୍ମୀ ସଗର୍ବେ ଉତ୍ତର ଦେଲେ ତାଙ୍କ ଦଳର ନେତାଙ୍କ ଜନ୍ମଦିବସ ପାଳିତ ହେଉଚି ।

 

ଏହି ସମୟରେ ଗୋଟିଏ ଦଳ ଜୟଧ୍ୱନି କରି ଉଠିଲେ । ସାଙ୍ଗେ ସାଙ୍ଗେ ଅନ୍ୟ ଦଳ ତାର ଉତ୍ତର ଦେଲେ ଢେଲା ବର୍ଷଣ ଦ୍ଵାରା । ସୁଧୀନ୍ଦ୍ର ବାବୁ ଗୋଟିଏ ଢେଲା ମାଡ଼ ଖାଇ ଫେରିଆସିଲେ ।

 

ଫେରିଆସି ସେ ଜିଲ୍ଲା ହାକିମଙ୍କ ନିକଟରେ କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲା ହାକିମ ସେତେବେଳେ ଉନ୍ନୟନ ଯୋଜନା ସଭାରେ ବସିଥିଲେ । ଗବଗଛ ଧାନଜମି ଭିତରେ କି ହିଡ଼ କଡ଼େ କଡ଼େ ଲାଗିବ ଏ ସମସ୍ୟା ଯେତେବେଳେ ଗୁରୁତର ଭାବରେ ଆଲୋଚିତ ହେଉଚି ସୁଧୀନ୍ଦ୍ର ବାବୁ ସେତେବେଳେ କହି ପକାଇଲେ ନିଜ ମନର କ୍ଷୋଭ । ଜିଲ୍ଲା ହାକିମ ଥରେ କ୍ରୁର ଦୃଷ୍ଟି ନିକ୍ଷେପ କରି ଗମ୍ଭୀର ଭାବରେ କହିଲେ, ଶାସନନୀତି ବିଷୟରେ ଆପଣଙ୍କ ଜ୍ଞାନ ଶିଶୁର ଜ୍ଞାନଠାରୁ ଅଧିକ ନୁହେଁ ।

 

ସୁଧୀନ୍ଦ୍ର ବାବୁ ବିଧାନସଭାରେ ସ୍ଥାନୀୟ ସଭ୍ୟଙ୍କୁ ମଧ୍ୟ ନିଜ ମନକଥା କହିଲେ । ସେ ସ୍ମିତ ହାସ୍ୟକରି ଉତ୍ତର ଦେଲେ, ଉଚ୍ଚସ୍ତରର ରାଜନୀତି ଆପଣ ବୁଝି ପାରିବେ ନାହିଁ ।

 

ନିରାଶ ହୋଇ ସେ ଘରକୁ ଫେରିଲେ । ନ ଖାଇ ଗମ୍ଭୀର ଭାବରେ ସେ ଖଟ ଉପରେ ପଡ଼ିଯାଇ ଭାବି ବସିଲେ ଏ କ୍ଷେତ୍ରରେ ତାଙ୍କର କର୍ତ୍ତବ୍ୟ କଅଣ । ଏହି ଅଜ୍ଞ କନ୍ଧମାନଙ୍କୁ ସରଳ ସୁନ୍ଦର ନିରହଙ୍କାରୀ ମଣିଷ ବୋଲି ସାହିତ୍ୟମାନଙ୍କରେ ଏତେ ପ୍ରଶଂସା ହୋଇଚି । କିନ୍ତୁ ଏ ସରଳତାର ସାର୍ଥକତା କଅଣ ? ଏପରି ନିର୍ବୋଧ ସରଳତା ଚିରସ୍ଥାୟୀ ହେବା ଉଚିତ କି ? ତା ଯଦି ନୁହଁ, ସେ ସରଳତାର ପ୍ରଶଂସା ଦୂରଭିସନ୍ଧପୂର୍ଣ୍ଣ ନୁହଁ କି ? କିଛିଦିନ ପୂର୍ବେ ଗୋଟିଏ କନ୍ଧ ତାର ଭାଉଜକୁ ଡାହାଣୀ ବୋଲି ଜାଣିପାରି ନିର୍ମମ ଭାବରେ ହତ୍ୟା କରିଚି ! ଆଶ୍ଚର୍ଯ୍ୟ ଏ ସରଳତା-!! କୌଣସି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ସୁଧୀନ୍ଦ୍ର ବାବୁ ପାଇଲେ ନାହିଁ । କିନ୍ତୁ କଅଣ ଭାବି ସେ ଟିକିଏ ହସିଲେ । ଧଡ଼ପଡ଼ ହୋଇ ଉଠି ବସି ସେ ପାଟିକରି ଡାକିଲେ, ହେଏ, ଶୁଣୁଚ, ଶୀଘ୍ର ଭାତ ଦବଟି, ମୁଁ ବର୍ତ୍ତମାନ ଏଇକ୍ଷଣି ଗୋଟାଏ ଜାଗାକୁ ଯିବି କିଛି କିଣିବାକୁ । ଏ ରାମା, ବିଛଣାପତ୍ର ଜଲଦି ବାନ୍ଧି ଦେ ।

 

ଗୃହଣୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ।

 

ସୁଧୀନ୍ଦ୍ର ବାବୁ ହସି କହିଲେ, କାମ ସରୁ, ମୋର ଉଦ୍ଦେଶ୍ୟ ସାଧିତ ହେଉ, ସବୁ କହିବି । ଦିଅ, ଭାତ ଦବଟି ଚାଣ୍ଡେ । ଏ ରାମା, ଆମ ନୂଆ ଚାକରାଣୀକୁ ଡାକ୍‌ତ ଆଗେ, ବିଛଣାପତ୍ର ଥାଉ-

 

ତରତର ହୋଇ ଦିଚାରିଗୁଣ୍ଡା ଭାତ ଟାଉ ଟାଉ କରି ଗିଳିଦେଇ ସେ ବାହାରି ପଡ଼ିଲେ ।

 

ଦୁଆର ମୁହଁରେ ବସିଚି ଗୋଟିଏ ଲୋକ ।

 

କିଏ ତୁମେ ? ସୁଧୀନ୍ଦ୍ର ବାବୁ ବିରକ୍ତ ହୋଇ ପଚାରିଲେ ।

ଆଇଜ୍ଞା ମୋର ନା’ ସୁରୁପିଲା କନ୍ଧ, ମୋ ଘର କୁଡ଼ୁମ୍ବ ।

କୁଡ଼ୁମ୍ବ ନା’ ଶୁଣି ସୁଧୀନ୍ଦ୍ର ବାବୁ ଉତ୍‌କ୍ଷିପ୍ତ ହୋଇ ଉଠିଲେ । ଚିତ୍କାରକରି କହିଲେ, ନିକାଲୋ ।

ଗୋଡ଼ଧରି ପକାଇ ସୁରୁପିଲା କହିଲା, ଆଜି ସକାଳୁ ମୋର କନିଆକେ ମା’ ଲାଗିଛନ୍-

ସୁଧୀନ୍ଦ୍ର ବାବୁ ବିଜ୍ଞ ପରାମର୍ଶ ଦେବାର ଛଳନାକରି କହିଲେ, ତୁ ତେବେ ଗୋଟାଏ କାମ କର, ଔଷଧରେ ତାର କିଛି ହେବନାହିଁ । ମା ତମ ଗାଁକୁ ବିଜେ କରିଛନ୍ତି । ତୁ ଯା, ତୋର କନିଆକୁ ହଳଦି ମଖାଇ, ତୁମର ଯେଉଁ ବଡ଼ ପୋଖରୀ ଅଛି, ଯେଉଁଥିରେ ତମର ସବୁ ଗାଈଗୋରୁ ଗାଧାନ୍ତି, ହଇଜା ରୋଗୀର ଲୁଗାପଟା କଚାହୁଏ, ଆଉ ତୁମେମାନେ ପିଇବାପାଣି ନିଅ, ସେଇ ପୋଖରୀରେ ତାକୁ ଗାଧୋଇ ଆଣିବୁ । ତାପରେ ମୁଣ୍ଡରେ ସିନ୍ଦୂର ଲଗାଇ, ନୂଆଲୁଗା ପିନ୍ଧାଇ ତାକୁ ବସାଇବୁ । ଗୋଟିଏ କୁକୁଡ଼ା ମା’ଙ୍କ ପାଖରେ ବଳିଦେଇ ତାର ମାଉଁସ ରାନ୍ଧି ତୋର କନିଆକୁ ଖୁଆଇ ତାକୁ ଶୁଆଇଦବୁ । ଏକଦମ୍ ଭଲ ହୋଇଯିବ ।

ସୁରୁପିଲା କଅଣ ବୁଝିଲା କେଜାଣି, ଉଠି ଚାଲିଗଲା ।

ସୁଧୀନ୍ଦ୍ର ବାବୁଙ୍କ ନୂଆ ଚାକରାଣୀ ଆସି ଛିଡ଼ାହେଲା ।

ତମର ନା’ କଅଣ ? ସୁଧୀନ୍ଦ୍ର ବାବୁ ପଚାରିଲେ ।

—ଝରାଫୁଲ ଗୋ ।

—ଝରାଫୁଲ୍ ?

—ହଇଗୋ ।

—ବାଃ, ବେଶ୍ ନା’ଟି ତ । ତୁମର ଘର୍ କେନ୍ ଗାଁ ?

—କୁଡ଼ୁମ୍ବ ।

କୁଡ଼ୁମ୍ବ ! କୁଡ଼ୁମ୍ବ !! ବାଃ ! ଚମତ୍କାର ! ଜୟ ଶ୍ରୀହରି ଯଶୋଦା ନନ୍ଦନ ! ନାସ୍ତିକ ସୁଧୀନ୍ଦ୍ର ବାବୁ ଆନନ୍ଦର ଆତିଶଯ୍ୟରେ ନାସ୍ତିକତା ଭୁଲିଗଲେ । ତା ପରେ ଝରାଫୁଲ ସହିତ କଅଣ କଥାବାର୍ତ୍ତା କରି ସେ ଚାଲିଗଲେ ।

ଏହାର ଦୁଇଦିନ ପରେ...

ଆଜି ସମସ୍ତେ ସଶସ୍ତ୍ରସୈନ୍ୟ ସାହାଯ୍ୟରେ ଗ୍ରାମର ଲୋକମାନଙ୍କୁ ଟୀକା ଦିଆଯିବ । ସୈନ୍ୟମାନେ ବଡ଼ିସକାଳୁ ପ୍ରସ୍ତୁତ ହେଲେଣି ସମସ୍ତ-ପ୍ରକାର ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ । ଡେପୁଟିସାହେବ ବେଶ୍ ଦମ୍ଭ ରଖିଥିଲେ । କିନ୍ତୁ ସମୟ ଯେତେ ଆଗେଇ ଆସୁଥାଏ ତାଙ୍କର ସାହସ ସେତେ କମି କମି ଆସୁଥାଏ । ଶେଷକୁ ସେ ରୀତିମତ ହତାଶ ହୋଇପଡ଼ିଲେ ଓ ସାହସ ସଞ୍ଚୟ କରିବା ପାଇଁ ସୈନ୍ୟ କମାଣ୍ଡରଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ ଏବଂ ତାଙ୍କୁ ଅଯଥା ଗୁଡ଼ାଏ ଉପଦେଶ ଦେବାକୁ ଲାଗିଲେ କିପରି ଭାବରେ କାର୍ଯ୍ୟ କରିବାକୁ ହେବ । କମାଣ୍ଡର ଡେପୁଟି ସାହେବଙ୍କ ମାନସିକ ଅବସ୍ଥା ବୁଝିପାରି ହସି କହିଲେ ଆପଣ ଟିକିଏ ବି ଘାବରାନ୍ତୁ ନାହିଁ, ବିନା ଉତ୍ତେଜନାରେ ଏବଂ ଅତି ଅଳ୍ପସମୟ ମଧ୍ୟରେ ଆମେସବୁ ସାଫ୍ କରିଦେବୁ-। ଏ କଥା ସହିତ ଖଣ୍ଡା ଚଳାଇବା ଭଙ୍ଗୀରେ ସେ ତାଙ୍କର ଡାହାଣ ହାତଟି ନିଜ ବେକ ସାମନାରେ ବାଁଆଡ଼ୁ ଡାହାଣ ଆଡ଼କୁ କିଞ୍ଚିତ୍ ଚାଳନା କଲେ । ଡେପୁଟିସାହେବ ବଡ଼ ବଡ଼ ଆଖି କରି ତାଙ୍କଆଡ଼େ ଚାହିଁରହି ଦୀର୍ଘନିଶ୍ଵାସ ପକାଇ କହିଲେ, ଠିକ୍‌ହାୟ ।

 

ଗାଁ ଭିତରେ ଦଳ ଦଳ ଲୋକେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି ଅବାକ୍ ଭାବରେ-। ଆଖିରେ ସେମାନଙ୍କର ଭୟ ଓ ହତାଶା । ହୁଏତ ସେମାନେ ଭାବୁଛନ୍ତି, ଇୟେ ପୁଣି କଅଣ ହେଲା !

 

ପିଇଁ ପିଇଁ ପିଇଁ ପିକ୍ । ତାର ସ୍ଵରରେ ହଠାତ୍ ହୁଇସିଲ ବାଜି ଉଠିଲା । ସୈନ୍ୟମାନେ ଯେ ଯାହା ସ୍ଥାନରେ ଛିଡ଼ା ହୋଇଗଲେ ।

 

ଫର୍‌ୱାର୍ଡ଼ ମ୍ୟାଚ୍, ଲେଫ୍‌ଟ୍ ରାଇଟ୍, ଲେଫ୍‌ଟ୍ ରାଇଟ୍, ଲେଫ୍‌ଟ୍...

 

ଆଗରେ ଡେପୁଟିସାହେବ, ପୁଲିସ୍ ସାହେବ ଓ ସୁଧୀନ୍ଦ୍ର ବାବୁ ଚାଲିଲେ ଟୀକା ଦେବାକୁ-

 

ଲେଫ୍‌ଟ୍ ରାଇଟ୍, ଲେଫ୍‌ଟ୍... ଲେଫ୍‌ଟ୍...ଲେଫ୍‌ଟ୍... ହଅଅଲଟ୍ଟଃ...

 

ସମସ୍ତେ ଚମକି ଛିଡ଼ାହେଲେ । ଗ୍ରାମର ଉପାନ୍ତ ପ୍ରାନ୍ତରରେ ଡମ୍,ଡମ୍, ଡମ୍, ଡମା ଡମ୍, ମାଦଳ ବାଜୁଛି ।

 

ଲୋକମାନେ ଝରାଫୁଲକୁ ଘେରି ଛିଡ଼ା ହୋଇଚନ୍ତି । ଝରାଫୁଲ ମୁଣ୍ଡର ବାଳ ମୁକୁଳା କରି ଗ୍ରାମର ସୀମାରେ ବଡ଼ ଝଙ୍କାଳିଆ ବରଗଛ ତଳେ ବସି ଖାଲି ଝୁଲୁଚି ଆଉ ଫଁ ଫଁ ନିଶ୍ଵାସ ମାରୁଚି । ଆଜି କୁଡ଼ୁମ୍ବ ଗ୍ରାମରେ ହଇଜା ଲାଗିବାର କାରଣ କାଳିସୀ ଫିଟାଇ କହିବେ ଏବଂ ତାର ପ୍ରତିକାରର ଉପାୟ ମଧ୍ୟ କହିବେ । ସମସ୍ତ ଗ୍ରାମବାସୀ ଔତ୍ସୁକ୍ୟରେ ଅପେକ୍ଷା କରି ରହିଛନ୍ତି ।

 

ଖାଇବି, ଖାଇବି, ସବୁ ଗାଁକୁ ଚାଟି ଦେବି, କାଳିସୀ ହାଙ୍କିଲେ ।

 

ଗାଁର ଲୋକମାନେ କରପତ୍ର ଯୋଡ଼ି ଆତଙ୍କିତ ଭାବରେ ତାଙ୍କୁ ଘେରି ଛିଡ଼ା ହୋଇଛନ୍ତି-। କାହାର ମୁହଁରୁ କଥା ବାହାରୁ ନାହିଁ । ବୃଦ୍ଧ ପ୍ରଧାନ ସାହସ କରି ପଚାରିଲେ, ମା ତମେ କିଏ ?

 

ମୁଁ କିଏ ? ହଇରେ, ପଚାରୁଚୁ ମୁଁ କିଏ ? ମତେ ଚିହ୍ନି ପାରୁନୁ ! ତୁ ପରା ମତେ ବଳି ଯାଚିଥିଲୁ, ଦେଲୁଣି ? ତୋର ଗୋଟିଏ ପୁଅ ଖାଇଚି, ଆଉ ସଭିଙ୍କି ଖାଇବି । ମୁଁ ମଶାଣିଚଣ୍ଡୀ । ହୁଁ ହୁଁ ହୁଁ ହୁଁ । ଦେ ଖାଇବାକୁ ଦେ । କାଳିସୀ ଝୁଲିବାକୁ ଲାଗିଲେ, ଥରିବାକୁ ଲାଗିଲେ ।

 

ବୃଦ୍ଧ ପ୍ରଧାନ ବରଡ଼ାପନ୍ତ୍ର ଭଳି ଥରିବାକୁ ଲାଗିଲେ ।

 

କଲିଆ କନ୍ଧ ହାତଯୋଡ଼ି ପଚାରିଲେ, ମା, ଗାଁରୁ ଅଧେ ଖାଇସାରିଲଣି, ତେବେ ବି ଭୋକ ଯାଇନି ! ଆହୁରି ଖାଇବ ! !

 

ହୁଁ, ହୁଁ, କାଳିସୀ ଗର୍ଜି ଉଠିଲେ ।

 

ମାଦଳ ଆହୁରି ଜୋରରେ ବାଜିଲା ।

 

କାଳୀସୀ ଆହୁରି ଥରିଲେ । ଥରି ଥରି କହିବାକୁ ଲାଗିଲେ, ମୁଁ କେବେଠୁ ଘର ଛାଡ଼ି ଆସିଲିଣି । ବୁଢ଼ା କଅଣ କରୁଥିବ କେଜାଣି ! ଗଣଶା କାର୍ତ୍ତିକା କଅଣ କରୁଥିବ କେଜାଣି !! ମୋତେ ଭାରି ଭୋକ । ମୋ ପେଟ ନ ପୂରିଲେ ମୁଁ ଯିବି ନାହିଁ । ହୁଁ ହୁଁ ହୁଁ ହୁଁ....କାଳୀସୀର ସ୍ଵଗତୋକ୍ତିରେ ସମସ୍ତେ ଆତଙ୍କିତ ହୋଇ ଛିଡ଼ାହୋଇ ରହିଲେ ।

 

କାଳିସୀ ଦେଖିବାକୁ ଆସିଲେ ପୁଲିସ ସାହେବ ଓ ଡେପୁଟି ସାହେବ ।

 

ଡେପୁଟି ସାହେବ ପୁଲିସ ସାହେବଙ୍କୁ କାଳିସୀର ବୈଜ୍ଞାନିକତତ୍ତ୍ଵ ବୁଝାଇବାକୁ ଲାଗିଲେ, ଦେୟାର୍ ଆର୍ ମୋର ଥିଙ୍ଗ୍‌ସ୍ ଅନ୍‌ ଆର୍ଥ ଦ୍ୟାନ ଇୟୋର୍ ଫିଲସଫି ଡ୍ରିମ୍‍ସ ଅଫ୍ । ଅନେକ ଆଶ୍ଚର୍ଯ୍ୟ କଥା ଅଛି ଆମର ହିନ୍ଦୁଧର୍ମରେ । ଆଜିକାଲି ବୈଜ୍ଞାନିକମାନେ ଯାହାସବୁ ଆବିଷ୍କାର କରୁଛନ୍ତି ବା କରିବେ ଦଶହଜାର ବର୍ଷ ତଳେ ଆମର ପୂର୍ବପୁରୁଷମାନେ ଧ୍ୟାନ ବଳରେ କହି ଯାଇଛନ୍ତି । ଏଇ ଧରନ୍ତୁ ପରମାଣୁ କଥା । ଆଜିକାଲି ଆବିଷ୍କାର କଲେ ଯେ ପ୍ରତ୍ୟେକ ପରମାଣୁରେ ଗୋଟିଏ ପ୍ରୋଟୋନ୍‌ ଚାରି ପାଖରେ କେତେଗୁଡ଼ିଏ ଇଲେକ୍‍ଟ୍ରନ୍‌ ପରିକ୍ରମା କରୁଛନ୍ତି-। କିନ୍ତୁ ଦଶହଜାର ବର୍ଷ ତଳେ ଆମରି ମୁନିଋଷିମାନେ ଏକଥା ଜାଣି ପାରିଥିଲେ । ଶିବଲିଙ୍ଗ ତାହାର ପ୍ରମାଣ । ଲିଙ୍ଗ ହେଉଛି ପ୍ରୋଟୋନ୍‌ ଓ ତାର ଚାରିପାଖରେ ଶକ୍ତି ହେଉଚି ଇଲେକ୍‍ଟ୍ରନ୍‌ । କାଳିସୀ ବିଷୟରେ ବୈଜ୍ଞାନିକ ଗବେଷଣା ହେବା ଉଚିତ । ମୁଁ ଏହା ଆରମ୍ଭ କରିଚି-। ଏସବୁ ବିଷୟ ହସି ଉଡ଼ାଇଦେବା କଥା ନୁହଁ । ୟୁରୋପର ଲୋକେ ଏସବୁ ଦେଖି ଆଶ୍ଚର୍ଯ୍ୟ ହେଉଚନ୍ତି । ସେମାନେ ଆମ ଶାସ୍ତ୍ର ପଢ଼ି ବୁଝି କେତେ କଥା ଆବିଷ୍କାର କରୁଛନ୍ତି ।

 

ଦୂରରୁ ଶୁଣାଗଲା ବମ୍ ବମ୍ ବବମ୍ ବବମ୍ ବମ୍ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଜଣେ ଗୌରକାନ୍ତି, ଜଟାଜଟଧାରୀ ଆସୁଛନ୍ତି । ହାତରେ ତାଙ୍କର ତ୍ରିଶୂଳ, ଜଟରେ ବଙ୍କିମ ଚନ୍ଦ୍ରମା । ବେଶଭୂଷା ଦେଖି କାହାରି ସନ୍ଦେହ ରହିଲା ନାହିଁ ଯେ ସ୍ୱୟଂ ଶିବଶଙ୍କର କୈଳାସପତିଙ୍କର ଆବିର୍ଭାବ ହୋଇଚି ଧରାଧାମରେ । ଭୀତତ୍ରସ୍ତ ଜନତା ଲମ୍ବେ ଲମ୍ବେ ଶୋଇଗଲେ । ଡେପୁଟି ସାହେବ ଓ ପୁଲିସ ସାହେବ ମଧ୍ୟ ମୁଣ୍ଡ ନୁଆଇ ନମସ୍କାର କଲେ । ସୈନ୍ୟମାନେ ଜୋତାରେ ଜୋତା ବାଡ଼େଇ ଠକ୍ କରି ସାଲ୍ୟୁଟ୍ କଲେ ।

 

ସଦାଶିବ ସମସ୍ତଙ୍କୁ ହାତ ବଢ଼ାଇ ଆଶୀର୍ବାଦ କରି ଗଲେ କାଳିସୀ ପାଖକୁ ଓ କାଳିସୀର ହାତଧରି ଉଠାଇବାକୁ ଚେଷ୍ଟା କଲେ ।

 

କାଳିସୀ କହିଲା, ନା ମୁଁ ଯିବିନାହିଁ ତୁମ ଘରକୁ ଏଇକ୍ଷଣି । ପେଟ ନ ପୂରିଲେ ଯିବିନାହିଁ-

 

ସଦାଶିବ କହିଲେ, ତୁ ତ ଏଠି, ହାମେ ତ ଏଠି, କୈଳାସ କେମିତି ଚାଲିବ ? ଉଠ ଚାଲ । ଛି, ଅଝଟ ହୁଅନି । ହାମେ ବାସୁଆ ବଳଦ ଚରାଉ ଚରାଉ ଟିକିଏ ଗଞ୍ଜେଇ ଟାଣୁଥିଲ, ତେମେ ଇଆଡ଼େ ଚଇଲ୍‌ ।

 

ଚଣ୍ଡୀ କିଛିକ୍ଷଣ ପତିଦେବଙ୍କୁ ଚାହିଁ ରହି ଟିକିଏ ମୁରୁକି ହସି କହିଲେ, ଯିବି, ତେବେ ଆଗେ ମୋତେ ଫୋଡ଼ । ଏ ଗ୍ରାମରେ ରହି ମୋତେ ରୋଗ ଧରିଚି । କୈଳାସ ଘରକୁ ଗଲେ ସେଠି ପିଲାଙ୍କୁ ରୋଗ ଧରିବ ।

 

ଶିବ କହିଲେ, ଏଇ କଥା । ତାପରେ ସେ ତିନିଥର ତାଳି ମାରିଲେ ।

 

ନନ୍ଦୀ ଭୃଙ୍ଗି ହଠାତ୍ ଗୋଟାଏ ଘର ପଛଆଡ଼ୁ ବାହାରି ଆସିଲେ ବାସୁଆ ବଳଦକୁ ଧରି ଏବଂ ସାଙ୍ଗେ ସାଙ୍ଗେ ମା’ ଚଣ୍ଡୀଙ୍କୁ ଦେଲେ ଗୋଟିଏ ଇଞ୍ଜେକସନ୍‌ । ତାପରେ ଚଣ୍ଡୀ ଆଦେଶ ଦେଲେ ସମସ୍ତଙ୍କୁ ଇଞ୍ଜେକ୍‍ସନ୍‌ ନେବାକୁ । କିଏ ଆଗେ ଇଞ୍ଜେକ୍‍ସନ୍‌ ନେବ ସେଥିପାଇଁ ଗୋଟିଏ ପ୍ରତିଯୋଗିତା ଆରମ୍ଭ ହୋଇଗଲା ।

 

ସମସ୍ତେ ଇଞ୍ଜେକ୍‍ସନ୍‌ ନେବାପରେ ଶିବ ପାର୍ବତୀ ସେଇ ରାତିରେ ଚାଲିଗଲେ... କୈଳାସ !

 

ସେତେବେଳକୁ ବିଧାନସଭାରେ ଚାଲିଥାଏ ଅବିଶ୍ଵାସ ପ୍ରସ୍ତାବ ଉପରେ ଟେବୁଲ ବାଡ଼ିଆ, ନାନା ରକମର ଅଦ୍ଭୁତ ଶବ୍ଦରେ ଚିତ୍କାର ଏବଂ ଗୁଇ ଖୋଳାଖୋଳି । ଦୁଇଜଣ ସଭ୍ୟ ସେତେବେଳକୁ ସାଂଘାତିକ ଭାବରେ ଆହତ ହୋଇ ସାରିଲେଣି । କିନ୍ତୁ ଦଳର ଭୋଟ କମିଯିବା ଭୟରେ ସେମାନଙ୍କୁ ଡାକ୍ତରଖାନା ପଠାଇବା ଅସମ୍ଭବ ହୋଇପଡ଼ିଚି ।

 

ସୁଧୀନ୍ଦ୍ରବାବୁ ଶ୍ୱସ୍ତିର ନିଶ୍ୱାସ ପକାଇ ମହା ଆନନ୍ଦରେ ଘରକୁ ଫେରିଲେ । ଝରାଫୁଲ ନୁଖୁରା ବାଳରେ ପାନିଆ ଚଳାଉ ଚଳାଉ ଆସି ଛିଡ଼ାହେଲା ।

 

ସୁଧୀନ୍ଦ୍ର ବାବୁ ତାକୁ ସପ୍ରଶଂସ ଦୃଷ୍ଟିରେ ଚାହିଁ କହିଲେ, ଝରାଫୁଲ ଗୋ, ଆମେ ସମସ୍ତେ ଝରାଫୁଲ୍ । ମନେ ମନେ କିନ୍ତୁ ସେ ଭାବିଲେ, କିନ୍ତୁ ଏମିତି ଉପାୟରେ କାର୍ଯ୍ୟୋଦ୍ଧାର କରି ଲାଭ କଅଣ ? କାହାକୁ ଭୁଲାଇ ବା ଠକାଇ କିଛି ହାସଲ କରିବାକୁ ଆଇନ ତ ବଳାତ୍କାର ପର୍ଯ୍ୟାୟରେ ପକାଇଚି ।

Image

 

Unknown

ମ୍ୟୁନିସିପାଲଟୀ ଗଳ୍ପ

 

ସେ ଗୋଟିଏ ଅଦ୍ଭୁତ ମୁହୂର୍ତ୍ତ । ଅତି ମର୍ମନ୍ତୁଦ ମୁହୂର୍ତ୍ତ । ମୋ ଜୀବନରେ ଏପରି ଗୋଟାଏ ମୁହୂର୍ତ୍ତ ଆସିଥିଲା । ଯେଉଁ ମୁହୂର୍ତ୍ତରେ ମୋ’ରି ପ୍ରତ୍ୟୁତ୍‍ପନ୍ନମତିତା ଉପରେ ନିର୍ଭର କରିଥିଲା ମୋ ଦେଶର ସମ୍ମାନ ଓ ଗୌରବ । ସେ ମୁହୂର୍ତ୍ତ ଯେ ଏପରି ଅପ୍ରତ୍ୟାଶିତ ଭାବରେ ଓ ଏପରି କଦର୍ଯ୍ୟ ପରିସ୍ଥିତି ହେବ ମୋର ଧାରଣା ନ ଥିଲା । ସେକଥା ଭାବିଲେ ଏ ପର୍ଯ୍ୟନ୍ତ ମୋର ଦେହ କ୍ରୋଧ ଓ ଘୃଣାରେ ଥରି ଉଠେ । ଏ ପର୍ଯ୍ୟନ୍ତ ମୁଁ ଆକ୍ଷେପ କରି କୁହେ, ହାୟ, ହାୟ, ଏହି ସାମାନ୍ୟ ଘଟଣାରୁ ମୋର ବିଦେଶୀ ବନ୍ଧୁ ମୋ ଦେଶ ବିଷୟରେ କି କଦର୍ଯ୍ୟ ଧାରଣା ନେଇଗଲେ କେଜାଣି ? ମୋ ଦେଶର ଅତୀତର ଗୌରବୋଜ୍ଜ୍ୱଳ ଇତିହାସ, ମୋ ଦେଶର ଶିଳ୍ପୀ, ସାହିତ୍ୟିକ, ଦାର୍ଶନିକ, ତ୍ୟାଗବୀରମାନଙ୍କର କେତେ କଥା ମୁଁ ତାଙ୍କୁ କହିନଥିଲି ! କେତେ ଉଚ୍ଚ ଧାରଣା ନେଇ ମୋର ବିଦେଶୀ ବନ୍ଧୁ ଆସିନଥିଲେ ମୋ‌ ଦେଶ ଦେଖିବାକୁ !! ବାରବର୍ଷର ତପସ୍ୟା ଦିନକର ଶୁଖୁଆ ପୋଡ଼ାରେ ଗଲା ? ଅଥବା ଜ୍ଞାନୀମାନେ ଯଥାର୍ଥ ହିଁ କହି ଅଛନ୍ତି, ଜଣେ ଦି’ ଜଣ ମହାପୁରୁଷଙ୍କ କୌଣସି ଦେଶରେ ଆବିର୍ଭାବରୁ ସେ ଦେଶର ଲୋକମାନଙ୍କ ଚରିତ୍ର ବିଷୟରେ ଧାରଣା କରିବା ଉଚିତ ନୁହେଁ । ଦେଶର ସାଧାରଣ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନରେ ଓ ଅତି ନଗଣ୍ୟ ଘଟନାରେ ଯେଉଁପରି ବ୍ୟବହାର କରନ୍ତି ତାହାହିଁ ଦେଶର ପ୍ରକୃତ ପରିଚୟ । ଗାଁ ପରିମଳ ଧୋବା ତୁଠରୁ ଜଣାପଡ଼େ । ଟାଉଟର ଯେଉଁ ଦେଶର ନେତା,ଶୋଷକ ଶ୍ରେଣୀ ଯେଉଁ ଦେଶର ନୀତିନିୟନ୍ତା, ସ୍ଵାର୍ଥସିଦ୍ଧି ଯେଉଁଠି ନେତୃତ୍ୱର ପ୍ରେରଣା ଦିଏ, ଜାଲ ଜୁଆଚୋରୀ ଯେଉଁଠି ଶ୍ରେଷ୍ଠ ରାଜନୀତି ରୂପେ ପ୍ରଶଂସିତ, ଅନ୍ୟର ବିରୁଦ୍ଧରେ ମିଥ୍ୟା ମକଦ୍ଦମା କରିବାରେ ଯେଉଁଠି ଲୋକେ ତତ୍ପର, କର୍ମଚାରୀମାନେ ଯେଉଁଠି ଦୁର୍ନୀତିପରାୟଣ, ସେ ଦେଶରେ ଗୋଟାଏ ଦି’ଟା ଯିଶୁ ମହମ୍ମଦ, ବୁଦ୍ଧ, ଶଙ୍କର, ଚୈତନ୍ୟ, ଗାନ୍ଧୀ, କାଁ ଭାଁ ଜନ୍ମିଲେ ବୋଲି ସେ ଦେଶ ମହାନ୍, ଏ ଧାରଣା କେବଳ ଭ୍ରମାତ୍ମକ ନୁହେଁ, ଆତ୍ମଘାତୀ ଏବଂ ବ୍ୟଭିଚାର ର ଅନୁପନ୍ଥୀ ମଧ୍ୟ ଛାଡ଼ନ୍ତୁ ସେ କଥା ।

 

ଗୋପାଳନ ବିଷୟରେ ଶିକ୍ଷା କରିବାକୁ ମୁଁ ବିଦେଶରେ ଥିଲି ଚାରିବର୍ଷ । ସେହି ସମୟରେ ଡେଭିଡ଼୍‌ଙ୍କ ସହିତ ମୋର ଆଳାପ ହୋଇଥିଲା ଏବଂ ସେ ଆଳାପ କ୍ରମେ କ୍ରମେ ବନ୍ଧୁତ୍ଵରେ ପରିଣତ ହେଲା । ଅବଶ୍ୟ ପ୍ରଥମ ଆଳାପ ତୀବ୍ର ସମାଲୋଚନା ମଧ୍ୟରେ ହୋଇଥିଲା । ସେ ମୋର ଗୋପାଳନ ବିଷୟରେ ଶିକ୍ଷା ପାଇଁ ବିଲାତ ଯିବାକୁ ଆକ୍ଷେପ କରି କହିଥିଲେ, ମୁଁ ବୁଝିପାରୁ ନାହିଁ, କାହିଁକି ଭାରତର ଛାତ୍ରମାନେ, ବିଶେଷତଃ ହିନ୍ଦୁମାନେ, ଗୋପାଳନ ବିଷୟରେ ଶିକ୍ଷା ନେବାକୁ ଏ ଦେଶକୁ ଆସୁଛନ୍ତି । ଯେଉଁ ଦେଶରେ ଗାଈ ମାତୃସ୍ଥାନୀୟା, ସେ ଦେଶର ଲୋକେ ପୁଣି ଗୋପାଳନ ଶିକ୍ଷା କରିବେ ଅନ୍ୟ ଦେଶରୁ ? ଖାଲି ସେତିକି ନୁହେଁ, ରନ୍ଧନ ଶିକ୍ଷା, ଗ୍ରାମଗଠନ ଶିକ୍ଷା ଇତ୍ୟାଦି ନାନା ହାସ୍ୟାସ୍ପଦ ଶିକ୍ଷା ପାଇଁ ଛାତ୍ରମାନେ ବିଦେଶ ଆସୁଛନ୍ତି !! ମୋର ମନେହୁଏ, ସେ ମନ୍ତବ୍ୟ କରିଥିଲେ, ପରାଧୀନତାର ମୋହ ଆପଣମାନଙ୍କର ଏ ପର୍ଯ୍ୟନ୍ତ କଟିନାହିଁ-

 

ଏହାର ଉତ୍ତରରେ ମୁଁ ବିଶେଷ କିଛି କହିପାରି ନଥିଲି । କିନ୍ତୁ ମୋ ଦେଶର ଦର୍ଶନ, ଧର୍ମ ଆଦି ବିଷୟରେ ମୁଁ ତାଙ୍କୁ ବୁଝାଇଥିଲି । ବନ୍ଧୁ ମୋ ଦେଶ ପ୍ରତି ଏବଂ ମୋ ଦେଶ ପାଇଁ ମୋ ପ୍ରତି ଆକୃଷ୍ଟ ହୋଇଥିଲେ । ଡେଭିଡ ଜଣେ ସାହିତ୍ୟିକ ।

 

“ଦୈନନ୍ଦିନ ଇତିହାସ” ର ଭ୍ରାମ୍ୟମାଣ ସମ୍ବାଦଦାତା ରୂପେ ସେ ଜୀବିକା ନିର୍ବାହ କରନ୍ତି ଏବଂ ସେହି ସୁତ୍ରରେ ନାନା ଦେଶ ଭ୍ରମଣ କରି ସେ ଭ୍ରମଣବୃତାନ୍ତ ଉକ୍ତ ପତ୍ରିକାରେ ପ୍ରକାଶ କରନ୍ତି-। ତାଙ୍କ ସହିତ ବନ୍ଧୁତା ହେବା ପରେ ମୁଁ ମଧ୍ୟ ତାଙ୍କ ସହିତ ବୁଲିବାର ସୁଯୋଗ ପାଇଛି । ସେଠି ଗୋଟିଏ ଅଦ୍ଭୂତ ଘଟଣା ଥରେ ଦେଖିଲି । ଜଣେ ଠିକାଦାର ଗୋଟିଏ ସରକାରୀ ଘର ପ୍ରସ୍ତୁତ କରିଦେବା ପାଇଁ ତେରଲକ୍ଷ ଟଙ୍କାରେ ଠିକା ନେଇଥିଲେ । ଘର ପ୍ରସ୍ତୁତ ହୋଇସାରିଲା ପରେ ସେ ଦେଖିଲେ ଯେ ଚୂନ ଭିଜା ରହିଚି, ଶୁଖୁ ନାହିଁ । ସେ ଅନୁସନ୍ଧାନ କରି ଦେଖିଲେ ଯେ ଚୂନରେ କିଛି ଖରାପ ଜିନିଷ ମିଶିଯାଇଛି । ଠିକାଦାର ଜଣକ ଦଶତାଲା କୋଠାଟିକୁ ସଂପୂର୍ଣ୍ଣ ଭାଙ୍ଗି ପୁଣି ଗଢ଼ିଦେଲେ ନିଜ ଖର୍ଚ୍ଚରେ । ଏହାଠୁ ବଳି ଆଶ୍ଚର୍ଯ୍ୟର କଥା ଆଉ କ’ଣ ଥାଇପାରେ ? ତାଙ୍କର ସେ ସାଧୁତା ପାଇଁ ସମ୍ବାଦପତ୍ରମାନଙ୍କରେ ଡିଣ୍ଡିମ ବାଜିଲା ନାହିଁ । ସେଦିନ ମୋର ଦୃଢ଼ ଧାରଣା ହୋଇଥିଲା, ସମାଜବାଦ କୁହ ବା ଗୋଷ୍ଠୀବାଦ କୁହ, ଗାନ୍ଧୀବାଦ କୁହ ବା ପୁଞ୍ଜିବାଦ କୁହ, ଏକଛତ୍ରବାଦ କୁହ ବା ଗଣତନ୍ତ୍ର କୁହ କୌଣସି ‘ବାଦ’ ସଫଳ ହେବନାହିଁ ଯଦି ସାଧାରଣ ଲୋକର ଆଧ୍ୟାତ୍ମିକ ଉନ୍ନତି ନ ହୁଏ । ଆଉ ଯଦି ଆଧ୍ୟାତ୍ମିକ ଉନ୍ନତି ନ ହେଲା, ତେବେ ଯେତେ ଉତ୍ପାଦନ ବଢ଼ୁନା କାହିଁକି, ସବୁ ବାଲିରେ ପାଣି ଢାଳିବା ଭଳି ହେବ । ଛାଡ଼ନ୍ତୁ ସେ କଥା ।

 

ବିଦେଶରୁ ବିଦାୟ ନେବାବେଳେ ବନ୍ଧୁ ଡେଭିଡ଼ଙ୍କୁ ଥରେ ମୋ ଦେଶକୁ ଆସିବାକୁ ନିମନ୍ତ୍ରଣ କଲି । ଦିନେ ହଠାତ୍ ବନ୍ଧୁଙ୍କ ଚିଠି ପାଇଲି, ରୁଷ ନେତାମାନଙ୍କ ମୋ ଦେଶ ପରିଦର୍ଶନ ସମୟରେ ତାଙ୍କର ସମ୍ବାଦପତ୍ରର ସମ୍ବାଦଦାତା ରୂପେ ସେ ଆସୁଛନ୍ତି ଏବଂ ତାଙ୍କର କାର୍ଯ୍ୟବହୁଳ ଦିନଗୁଡ଼ିକ ମଧ୍ୟରୁ କୌଣସିମତେ ଦୁଇଟି ଦିନ ଭିଡ଼ିଓଟାରି ବାହାର କରି ମୋ ଘରେ ରହିବେ ।

 

ମୋ ଦେଶ ସରକାର ରୁଷିୟ ମହାନ୍ ଅତିଥିମାନଙ୍କ ପରିଦର୍ଶନ ପାଇଁ ବିପୁଳ ଅର୍ଥ ବ୍ୟୟ କରିବାକୁ ଲାଗିଲେ । ମୁଁ ମଧ୍ୟ ସାଧ୍ୟାନୁସାରେ ମୋର ବିଦେଶୀ ବନ୍ଧୁଙ୍କ ରହଣୀ ପାଇଁ ଅର୍ଥ ବ୍ୟୟ କରିବାକୁ ଲାଗିଲି । ମୋର ବାସଗୃହର ମାର୍ଜନା ଓ ନୂତନ ଆସବାବପତ୍ର ଇତ୍ୟାଦି କିଣିବାରେ ଅନେକ ଖର୍ଚ୍ଚ ହୋଇଗଲା । ପରିବାରବର୍ଗଙ୍କୁ ନାନା ଉପଦେଶ ଦେବାକୁ ଲାଗିଲି । ସେମାନଙ୍କୁ କହିଲି, ରୁଷିୟ ନେତାମାନେ ମୋ ଦେଶ ବିଷୟରେ ଯେଉଁ ଧାରଣା ନେଇଯିବେ ତାହା ଭଲ ହେବାକୁ ବାଧ୍ୟ । କିନ୍ତୁ ମୋର ବନ୍ଧ ଯେଉଁ ଧାରଣା ନେଇଯିବେ ତାହାହିଁ ହେବ ମୋ ଦେଶର ପ୍ରକୃତ ପରିଚୟ; ତେଣୁ ତୁମ୍ଭମାନଙ୍କ ଉପରେ, ସାବଧାନ, ନିର୍ଭର କରେ ଦେଶର ସମ୍ମାନ । ଅତଏବ ତୁମ୍ଭେମାନେ ଭଦ୍ରୋଚିତ ବ୍ୟବହାର ଓ ପରିଚ୍ଛନ୍ନତା ବିଷୟରେ ବିଶେଷ ଧ୍ୟାନ ଦିଅ, ହାଁ ।

 

ରୁଷିୟ ନେତାମାନେ ମୋ ଦେଶର ଐତିହାସିକ କୀର୍ତ୍ତିସ୍ଥାନ, ଉନ୍ନୟନ ଯୋଜନା : ଆଦି ପରିଦର୍ଶନ କରି, ବହୁ ପ୍ରଶଂସା କରି ଦୁଇ ଦିନ ପାଇଁ ବିଶ୍ରାମ ନେଲେ । ପରଦିନ ମୁଁ ବନ୍ଧୁଙ୍କୁ ପାଛୋଟି ଆଣିଲି ମୋର ଘରକୁ ।

 

ବାଟରେ ଆସୁ ଆସୁ ବନ୍ଧୁ ଗୋଟିଏ ପ୍ରକାଣ୍ଡ କୋଠା ଦେଖି କହିଲେ, ଏ ବୋଧହୁଏ ଆପଣଙ୍କର ଶ୍ରେଷ୍ଠ କଲେଜ ? କିନ୍ତୁ ବିଦେଶୀ ଶାସକର ନାଁରେ ଏ ପର୍ଯ୍ୟନ୍ତ କାହିଁକି ଏହା ପରିଚିତ ହେଉଛି ?

 

ମୁଁ ସଗର୍ବେ କହିଲି, ଏ ଦେଶ କୃତଘ୍ନ ନୁହଁ । ଏ ଦେଶ ଶତ୍ରୁର ମଧ୍ୟ ଭଲ ଗୁଣ ପ୍ରଶଂସା କରିବାକୁ କୁଣ୍ଠାବୋଧ କରେ ନାହିଁ । ନାଁ ବଦଳାଇବାର କୌଣସି ପ୍ରୟୋଜନ ନାହିଁ ।

 

ବନ୍ଧୁ ମୁଗ୍‌ଧ ଭାବରେ କହିଲେ, ବାଃ ! ଚମତ୍କାର !! ଏ ଗୋଟିଏ ମାତ୍ର ଦୃଷ୍ଟାନ୍ତହିଁ ଏ ଦେଶର ମହତ୍ତ୍ୱର ଯଥେଷ୍ଟ ପରିଚୟ ଦିଏ ।

 

ମନେ ମନେ ଭାରି ଖୁସୀ ହେଲି, ଭାରି ଗର୍ବ ଅନୁଭବ କଲି । କଥାରେ ଅଛି ପ୍ରଥମ ଧାରଣାହିଁ ଶେଷ ପର୍ଯ୍ୟନ୍ତ ରୁହେ । କିନ୍ତୁ କିଏ ଜାଣିଥିଲା...ବଜ୍ରାଘାତ ହେବ... ।

 

ପରଦିନ ପ୍ରଭାତ ନ ହେଉଣୁ ପ୍ରାତଃଭ୍ରମଣ ପାଇଁ ବନ୍ଧୁଙ୍କୁ ନଦୀ କୂଳକୁ ନେଇଗଲି । ନଦୀରେ ଗୋଟିଏ ପ୍ରାଚୀନ କୀର୍ତ୍ତି ଦେଖାଇବା ମଧ୍ୟ ମୋର ଉଦ୍ଦେଶ୍ୟ ଥିଲା । ନଦୀର ଅପର ପାର୍ଶ୍ୱରୁ ସୂର୍ଯ୍ୟୋଦୟର ଦୃଶ୍ୟ ମଧ୍ୟ ଅତି ରମଣୀୟ ।

 

ନଈବନ୍ଧରେ ବୁଲୁ ବୁଲୁ ମୁଁ ଉକ୍ତ ପ୍ରାଚୀନ କୀର୍ତ୍ତିର ଗୌରବମୟ ଇତିହାସ କହିବାକୁ ଲାଗିଲି । ବନ୍ଧୁ ମୁଗ୍‌ଧଭାବରେ ଶୁଣୁ ଥାଆନ୍ତି । ପୂର୍ବ ଦିଗ୍‌ବଳୟରେ ସେତେବେଳେ ପର୍ବତ ଶ୍ରେଣୀର ପଛପଟୁ ଖଣ୍ଡେ ଜଳନ୍ତା ଅଙ୍ଗାରଭଳି ଚେନାଏ ସୂର୍ଯ୍ୟ ଦେଖାଗଲେଣି । ଧୀରେ ଧୀରେ ସମସ୍ତ ପୂର୍ବ ଗଗନ ରକ୍ତାଭ ହୋଇଉଠିଲା । ନଈ ପାଣି ଭିତରେ ଦେଇ ସେଠାରୁ ଲମ୍ବି ଆସିଚି ଗୋଟିଏ ସ୍ଵର୍ଣ୍ଣ ପାବଚ୍ଛ, ଠିକ୍ ଆମ ପର୍ଯ୍ୟନ୍ତ । ଏ ଦେଶର ଗୌରବ ରକ୍ଷା କରିବାକୁ ଯେପରି ସେଦିନ ସୂର୍ଯ୍ୟଦେବ ଓ ପର୍ଜନ୍ୟଦେବ ପୂର୍ବାକାଶରେ ଅପୂର୍ବ ବର୍ଣ୍ଣଚ୍ଛଟା ସୃଷ୍ଟି କରୁଥାଆନ୍ତି । ବନ୍ଧୁ ମୁଗ୍‌ଧଭାବରେ ଅନାଇ ରହିଥାଆନ୍ତି ସେ ଦୃଶ୍ୟ ଆଡ଼େ । ତାଙ୍କର ମୁଗ୍‌ଧତା ଦେଖି ମୁଁ ଯେ କି ଗର୍ବ ଅନୁଭବ କରୁଥାଏ, କଅଣ କହିବି !!

 

ବନ୍ଧୁ ଦୃଶ୍ୟ ଦେଖୁ ଦେଖୁ ଛାତି ପକେଟରୁ ରୁମାଲ ବାହାର କରି ନାକ ଉପରେ ରଖିଲେ ଏବଂ ହଠାତ୍ ଅନ୍ୟମନସ୍କ ହୋଇଗଲେ । ଛାତିରୁ ମୋର ଅତଡ଼ା ଖସି ପଡ଼ିଲା । ବୁଝିପାରିଲି ନାକରେ ରୁମାଲ ରଖିବାର କାରଣ । ଗନ୍ଧବହ ମନ୍ଦେ ମନ୍ଦେ ଯେଉଁ ଗନ୍ଧ ପରିବେଷଣ କରୁଛି ତାହା ମଳୟର ନୁହେଁ, ତାହାର ଆଦ୍ୟ ଦୁଇ ଅକ୍ଷରର ।

 

ଉପାୟ ? କେମିତି ବନ୍ଧୁର ଘ୍ରାଣେନ୍ଦ୍ରିୟ କ୍ରିୟାକୁ ଦବାଇ ଶ୍ରବଣେନ୍ଦ୍ରିୟ କ୍ରିୟା ପ୍ରବଳ କରାଇବି ଏହାର ଉପାୟ ଉଦ୍ଭାବନ କରିବାର ପ୍ରତ୍ୟୁତ୍‌ପନ୍ନମତିତା ଉପରେହିଁ ମୋର ଦେଶର ଗୌରବ ସେହି ମୁହୂର୍ତ୍ତରେ ନିର୍ଭର କରୁଥିଲା । ସେଥିରେ ପୁଣି କୁକୁରପ୍ରିୟ ଜାତିର ଘ୍ରାଣଶକ୍ତି ଅତି ସୂକ୍ଷ୍ମ ।

 

ଜବାକୁସୁମ ସଙ୍କାଶଂ କାଶ୍ୟପେୟମ୍ ମହାଦ୍ୟୁତିମ୍...

 

ଶ୍ଳୋକଟି ଉଚ୍ଚସ୍ଵରରେ ଗାଇ ତାର ବିଷଦ୍ ବ୍ୟାଖ୍ୟା କରିବାକୁ ଲାଗିଲି । ସବୁ ବୃଥା !! ହାୟ, ହାୟ ।

 

ବନ୍ଧୁ ନାକରୁ ରୁମାଲ କାଢ଼ିଲେ ନାହିଁ କି ସେଠାରୁ ମଧ୍ୟ ଘୁଞ୍ଚିଲେ ନାହିଁ । କି ନିଷ୍ଠୁର ଏ ଲୋକଟା, ମନେ ମନେ ଗାଳିଦେଇ କହିଲି, ଘୁଞ୍ଚି ଯା ଭଲା ଏଠୁ ।

 

ବାଁ ପଟକୁ ଅନାଇ ଦେଖିଲି ନଦୀବନ୍ଧ ନିକଟସ୍ଥ ସାହିର ସୀମନ୍ତିନୀମାନେ ଧାଡ଼ି ଧାଡ଼ି ହୋଇ ରାସ୍ତାକଡ଼ରେ ବସି ପ୍ରାତଃକାଳୀନ କର୍ମ ସଙ୍ଗରେ ଆନନ୍ଦଦାୟକ କଳହରେ ଅଭିନିବିଷ୍ଟ । ବନ୍ଧୁଙ୍କ ଦୃଷ୍ଟିରୁ ସେମାନଙ୍କୁ ଆଢ଼ୁଆଳ କରି ଛିଡ଼ା ହେଲି । କିନ୍ତୁ ଡାହାଣ ପଟକୁ ଅନାଇ ଦେଖିଲି, ବନ୍ଧ ଉପରେ ଆମେ ଯେଉଁଠି ଛିଡ଼ା ହୋଇଚୁ ଠିକ୍ ତାହାରି ତଳକୁ ଆମରି ଆଡ଼କୁ ପଛ କରି ଧାଡ଼ି ଧାଡ଼ି ହୋଇ ପୁରୁଷମାନେ ବସି ଯାଇଛନ୍ତି ତନ୍ମୟ ଭାବରେ, କାହାରି ପ୍ରତି ଭ୍ରୂକ୍ଷେପ ନାହିଁ । ବନ୍ଧୁର ଦୃଷ୍ଟି ଏପର୍ଯ୍ୟନ୍ତ ସେମାନଙ୍କ ଉପରେ ପଡ଼ିନଥାଏ ।

 

ମୋର ଶ୍ଳୋକ ଶୁଣି ବନ୍ଧୁ ମୁଗ୍‌ଧଭାବରେ କିଛିକ୍ଷଣ ମୋଆଡ଼େ ଚାହିଁ ଶ୍ଳୋକଟିର ଭାବ ହୃଦୟଙ୍ଗମ କରିବାକୁ ତଳକୁ ଚାହିଁଲେ । ଛାତିରୁ ମୋର ପୁଣି ଅତଡ଼ା ଧସି ପଡ଼ିଲା । ମନରେ ଏ ଦେଶଦ୍ରୋହୀଗୁଡ଼ାଙ୍କ ପ୍ରତି ଅଭିଶାପ ଓ ମୁହଁରେ ହସ ଫୁଟାଇ ପଛକୁ ହାତଦେଇ ପୁରୀସତ୍ୟାଗୀମାନଙ୍କୁ ଉଠିଯିବାକୁ ଘନ ଘନ ସଙ୍କେତ ଦେଲି । ସେମାନେ ଶୁଣନ୍ତେ କ୍ୟାଁ !!

 

ଏ ଦୁର୍ଗନ୍ଧ କେଉଁଠୁ ଆସୁଚି ? ବନ୍ଧୁ ସନ୍ଦିଗ୍‌ଧଭାବରେ ପଚାରିଲେ ।

 

ନିକଟରେ ଗୋଟିଏ କାରଖାନା ଅଛି... ମୁଁ କହିଲି ।

 

ସଭ୍ୟତାର ଅଭିଶାପ... ବନ୍ଧୁ କହିଲେ ।

 

ଆଧୁନିକ ଶିକ୍ଷା ଓ ସଭ୍ୟତାହିଁ ତ ଏ ଦେଶକୁ ନଷ୍ଟ କରିବାକୁ ବସିଲାଣି... ମୁଁ ଉତ୍ସାହିତ ହୋଇ କହିଲି ।

 

କିନ୍ତୁ ବନ୍ଧ ତଳର ଲୋକମାନଙ୍କୁ ଦେଖାଇ ବନ୍ଧୁ ପଚାରିଲେ ଏମାନେ ଏପରି ଉଲଗ୍ନ ଭାବରେ ବସିଛନ୍ତି କାହିଁକି ?

 

ତୋର କଅଣ ଗଲା ହ୍ୟାପ୍‌ପ ? ମନେ ମନେ କହିଲି । କିନ୍ତୁ ପ୍ରକାଶ୍ୟରେ କହିଲି, ସେମାନେ ସୂର୍ଯୋପାସନା କରୁଛନ୍ତି, ଆପଣମାନଙ୍କ ଦେଶରେ ଯେପରି ଅର୍ଦ୍ଧନଗ୍ନ ଅବସ୍ଥାରେ ସୂର୍ଯ୍ୟସ୍ନାନ କରନ୍ତି । ଆପଣମାନଙ୍କର ଯାହା ସ୍ୱାସ୍ଥ୍ୟରକ୍ଷାର ନିୟମ, ଆମର ତାହା ଧର୍ମ ପାଳନ । କାରଣ ଆମ ଦର୍ଶନରେ ଏ ଦେହ ଆମେ ଧାରଣ କରୁ, ଇନ୍ଦ୍ରିୟ ସୁଖ କରିବାକୁ ନୁହେଁ, ପରାତ୍ମାଙ୍କର ପରଶ ପାଇବାକୁ ।

 

ବାଃ ! ଚମତ୍କାର !! କିନ୍ତୁ ଏମାନେ ତ... ମୋର ମନେ ହୁଏ... ଓଃ ହୋ ବୁଝିଲି... ଏ ଦୁର୍ଗନ୍ଧର କାରଣ । ଚାଲନ୍ତୁ ଏଠାରୁ ଯିବା ସେମାନଙ୍କର ବାଧା ହେବ ଆମେ ରହିଲେ । ବନ୍ଧୁ ଗମ୍ଭୀରଭାବରେ ଆଗେଇଲେ ।

 

ମୋର ଗୋଡ଼ ଥରିଉଠିଲା ଲଜ୍ଜା, ଅପମାନ ଓ କ୍ରୋଧରେ । ନୀରବରେ ବନ୍ଧୁଙ୍କୁ ଅନୁସରଣ କଲି । ଏହା ସାମାନ୍ୟ ଘଟଣା । କିନ୍ତୁ ଏହାର ବଜ୍ରାଘାତରେ ମୋ ଦେଶର ସମସ୍ତ କୀର୍ତ୍ତି ଯେପରି ନିମିଷକେ ଧୂଳିସାତ୍ ହୋଇଗଲା !

Image

 

ପାକ ପ୍ରଣାଳୀ

 

“ଭାରତ ଏକ ମହାସଙ୍କଟମୟ ପରିସ୍ଥିତିରେ ପଡ଼ିଛି । ବାଙ୍ଗଲାଦେଶକୁ ସ୍ଵୀକୃତି ଦିଆଯିବ କି ନା ଏବଂ ଯଦି ଦିଆଯିବ କେବେ ବା କିଭଳି ପରିସ୍ଥିତିରେ । ଏ ସମସ୍ୟାର ସମାଧାନ ପାଇଁ ଗଭୀର ଆଧ୍ୟାତ୍ମିକ, ରାଜନୀତିକ, କୂଟନୈତିକ ଏବଂ ଆର୍ଥନୀତିକ ଦୃଷ୍ଟି ଲୋଡ଼ା ।”

 

ଭାରତ ଭାଗ ଭାଗ ହୋଇଥିବାରୁ ତୀବ୍ର ଅପମାନବୋଧ ଏବଂ ସେଥିପାଇଁ ପାକିସ୍ତାନର ଅମଙ୍ଗଳ ଚିନ୍ତା ଯଦି ବାଙ୍ଗ୍‍ଲାଦେଶକୁ ସ୍ଵୀକୃତି ଦେବା ପଛରେ ଲୁକ୍‌କାୟିତ ଥାଏ ତେବେ ତାହା ଅନାଧ୍ୟାତ୍ମିକ ଏବଂ ଏହାର ବଶବର୍ତ୍ତୀ ହୋଇ କାର୍ଯ୍ୟ କଲେ ପଦେ ପଦେ ଅପଦସ୍ତ ହେବା କଥା । କୌଣସି ଏକ ନିର୍ଦ୍ଦିଷ୍ଟ ଘଟନା ଏକ ନିର୍ଦ୍ଦିଷ୍ଟ ସମୟର ନିର୍ଦ୍ଦିଷ୍ଟ ପରିସ୍ଥିତିରୁ ଉଦ୍ଭବ ହୁଏ-। ଯେହେତୁ ସେ ସମୟ ଆଉ ଫେରିଆସି ପାରେ ନା, ତେଣୁ ସେ ଘଟନା ଆଉ ଫେରିଆସି ପାରେ ନା ଏବଂ ତେଣୁ ଘଟିଯାଇଥିବା ଘଟନା କଥା ଭାଳି ଅନୁଶୋଚନା କରିବା ଅନାଧ୍ୟାତ୍ମିକ କାର୍ଯ୍ୟ ବୋଲି ଗୀତାରେ କୁହା ହୋଇଚି । ଭାଗ ଭାଗ ପୂର୍ବରୁ ଏକତ୍ର ଥିବା ଏବଂ ଭାଗ ଭାଗ ହେବାପରେ ପାକିସ୍ତାନ ଏକ ସ୍ଵାଧୀନ ସାର୍ବଭୌମ ରାଷ୍ଟ୍ର ହୋଇ ତାକୁ ହରାଇ ପୁଣି ଭାରତ ସହିତ ମିଶିଯିବା ଏକା କଥା ନୁହେଁ । ତେଣୁ ପାକିସ୍ତାନ ଖଣ୍ଡ ଖଣ୍ଡ ହୋଇଯିବା ବା ଭାରତ ସହିତ ମିଶିଯିବା ଦ୍ଵାରା କେଉଁ ସତ୍ୟ ପ୍ରତିଷ୍ଠିତ ହେବ ବା କେଉଁ ମହାନ ଭବିଷ୍ୟତ୍ ଉଦ୍‍ଘାଟିତ ହେବ ? ଅପର ପକ୍ଷରେ, କୌଣସି ଏକ ସଂସ୍କୃତିର ଲୋକେ ଅପର ଏକ ସଂପୂର୍ଣ୍ଣ ଭିନ୍ନ-ସଂସ୍କୃତିର ଲୋକ ସହିତ ମିଶି ଏକ ରାଷ୍ଟ୍ରର ଅଧୀନରେ ରହିବାକୁ ନିରାପଦ ମଣନ୍ତି ନାହିଁ । ବିଶେଷ କରି ଏକ ସଂସ୍କୃତିର ଲୋକେ ଯଦି ଅଧିକ ଧନବାନ୍ ବା ବଳବାନ ହୋଇ ଅନ୍ୟ ସଂସ୍କୃତିକୁ ଲୋପ କରିଦେବା ବା ବିକଳ କରିଦେବାର ଚେଷ୍ଟା କରନ୍ତି । ଇତିହାସରୁ ତେଣୁ ଦେଖାଯାଏ ଭିନ୍ନ ଭିନ୍ନ ସଂସ୍କୃତିର ଲୋକେ ଭିନ୍ନ ଭିନ୍ନ ସ୍ଵାଧୀନ ରାଷ୍ଟ୍ର ଗଢ଼ିବାପାଇଁ ବିପ୍ଳବ କରନ୍ତି । ଏ ବିପ୍ଳବକୁ ସମର୍ଥନ କରିବା ତେଣୁ ଆଧ୍ୟାତ୍ମିକ କାର୍ଯ୍ୟ ।

 

ରାଜନୀତି କ୍ଷେତ୍ରରେ ସ୍ଵୀକୃତ ଦେବା ବିରୁଦ୍ଧରେ ଯୁକ୍ତିମାନ ଏହିପରି । ବାଙ୍ଗ୍‌ଲା ଦେଶକୁ ସ୍ଵୀକୃତି ଦେବା ମାତ୍ରକେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗିଯିବ । ଏ ଯୁଦ୍ଧ ଶୀଘ୍ର ମହାଯୁଦ୍ଧରେ ପରିଣତ ହେବ ଏବଂ ଭାରତ ହିଁ ହେବ ଯୁଦ୍ଧକ୍ଷେତ୍ର । ଏ ମହାଯୁଦ୍ଧରେ ଭାରତକୁ ସମଗ୍ର ପୃଥିବୀ ବିରୁଦ୍ଧରେ ଯୁଦ୍ଧ କରିବାକୁ ହୁଏତ ପଡ଼ିପାରେ । କାରଣ ଭାରତର ଶତ୍ରୁପକ୍ଷ ଚୀନ୍ ସବୁପ୍ରକାର ସାହାଯ୍ୟ ପାକିସ୍ତାନକୁ ଦେଉଛି ଏବଂ ଭାରତକୁ ଧମକାଉଚି । ଚୀନର ଘୋର ଶତ୍ରୁ ଆମେରିକା ପୃଥିବୀର ଅନ୍ୟାନ୍ୟ କ୍ଷେତ୍ରରେ ଚୀନ ବିରୁଦ୍ଧରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯୁଦ୍ଧ କରୁଥିଲେହେଁ ପାକିସ୍ତାନକୁ କୋଟି କୋଟି ଟଙ୍କାର ଯୁଦ୍ଧସାମଗ୍ରୀ ଯୋଗାଇ ସାରିଲାଣି ଓ ଆହୁରି ଯୋଗାଇବ । ପାକିସ୍ତାନର କୂଟନୈତିକ ଚେଷ୍ଟାରେ ଚୀନ ଓ ଆମେରିକା ମଧ୍ୟରେ ମୈତ୍ରୀ ସ୍ଥାପିତ ହେବା ପ୍ରାୟ ସୁନିଶ୍ଚିତ । ପୃଥିବୀର ପ୍ରାୟ ସବୁ ମୁସଲମାନ ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ କରୁଛନ୍ତି । ଚୀନ ଓ ଆମେରିକାର ସମର୍ଥକ ଦେଶସବୁ ପାକିସ୍ତାନକୁ ସାହାଯ୍ୟ କରିବେ । ଅବଶ୍ୟ ରୁଷିଆ ଓ ଭାରତ ମଧ୍ୟରେ ନିରାପତ୍ତା ଚୁକ୍ତି ସମ୍ପାଦିତ ହେବାରୁ କୁହାଯିବ ଯେ ଚୀନ ଓ ରୁଷିଆ ମଧ୍ୟରେ ତୀବ୍ର ମତାନ୍ତରତା ଶତ୍ରୁତା ପର୍ଯ୍ୟାୟକୁ ଗଲା । କିନ୍ତୁ ତାହା ଭାରତ-ପାକିସ୍ତାନ ଯୁଦ୍ଧକୁ କିଛିଟା ପଛେଇ ଦେଇପାରେ ସିନା, ସମ୍ପୂର୍ଣ୍ଣ ଏଡ଼ାଇ ଦେଇ ପାରିବ ନାହିଁ । ଭାରତ-ପାକିସ୍ତାନ ଯୁଦ୍ଧ ମହାଯୁଦ୍ଧରେ ପରିଣତ ହେଲେ ରୁଷିଆର ସାହାଯ୍ୟ ଭାରତର ଜୟଲାଭ ପାଇଁ ଯଥେଷ୍ଟ ହେବ କି ନା ତାହା ବିଚାର୍ଯ୍ୟ । ଅପର ପକ୍ଷରେ ସ୍ଵୀକୃତି ଦେବା ସପକ୍ଷରେ ଯୁକ୍ତିମାନ ଏହିପରି । ଭାରତକୁ ପଞ୍ଚସ୍ତରି ଲକ୍ଷ୍ୟରୁ ଅଧିକ ଶରଣାର୍ଥୀ ପଳାଇ ଆସି ସାରିଲେଣି ଏବଂ ଦୈନିକ ଚାଳିଶହଜାର ସରିକି ଶରଣାର୍ଥୀ ତଥାପି ପଳାଇ ଆସୁଛନ୍ତି । ଭାରତକୁ ଏଥିପାଇଁ ମାସକୁ ଚାଳିଶକୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଚି । ଶରଣାର୍ଥୀମାନଙ୍କ ଥାଇଥାନ ପ୍ରଶାସନିକ କ୍ଷେତ୍ରରେ ଉତ୍କଟ ସମସ୍ୟା ସୃଷ୍ଟି କରୁଚି । ଏପରି ବେଶୀଦିନ ଚାଲିଲେ ଭାରତର ନୈତିକ, ଅର୍ଥନୈତିକ ଏବଂ ମନବଳ ଭାଙ୍ଗିପଡ଼ିବ ଏବଂ ଅନ୍ୟ କୌଣସି ଦେଶ ଏହାକୁ ସହଜରେ ଗ୍ରାସ କରିଯିବ । ତେଣୁ ଶୀଘ୍ର ସ୍ଵୀକୃତି ଦେଇ ବାଂଲାଦେଶର ମୁକ୍ତିଯୋଦ୍ଧାମାନଙ୍କୁ ଖୋଲାଖୋଲି ଭାବରେ ସାହାଯ୍ୟ ଦେଲେ ବାଙ୍ଗ୍‌ଲାଦେଶ ଶୀଘ୍ର ସ୍ଵାଧୀନତା ହାସଲ କରିବ ଏବଂ ଶରଣାର୍ଥିମାନେ ଫେରିଯିବେ । ଯଦିବା ଏଥିପାଇଁ ଭାରତ-ପାକିସ୍ତାନ ଯୁଦ୍ଧ ଲାଗିବ, ତାହା କଦାପି ମହାଯୁଦ୍ଧରେ ପରିଣତ ହେବନାହିଁ, କାରଣ କୌଣସି ଦେଶ କୌଣସି ଯୁଦ୍ଧକୁ ମହାଯୁଦ୍ଧରେ ପରିଣତ କରିବାକୁ ଚାହାଁନ୍ତି ନାହିଁ । ପୁଣି ଭାରତ ଆଗେ ସ୍ଵୀକୃତି ନ ଦେଲେ ଭାରତର ସମର୍ଥକ ଦେଶସବୁ ସ୍ଵୀକୃତି ଦେବେନାହିଁ ବୋଲି ବିଚାରୁଚନ୍ତି ।

 

କୂଟନୈତିକ କ୍ଷେତ୍ରରେ ଅବସ୍ଥା ସବୁଠାରୁ ଅଧିକ ଜଟିଳ । ପାକିସ୍ତାନ ପ୍ରମାଣ କରିବାକୁ ଚାହେ ଯେ ଭାରତକୁ ପଳାଇ ଆସିଥିବା ଲୋକେ ଆଦୌ ଶରଣାର୍ଥି ନୁହନ୍ତି, ସେମାନେ ଭାରତର ଲୋକ ଏବଂ ପାକିସ୍ତାନକୁ ଅନୁପ୍ରବେଶ କରିଥିଲେ । ତେଣୁ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ହୋଇଥିବାରୁ ଜାତିସଂଘ ଏହାର ନିଷ୍ପତ୍ତି କରିବା ଉଚିତ । ଏ କ୍ଷେତ୍ରରେ ଭାରତ ବାଙ୍ଗଲା ଦେଶକୁ ସ୍ଵୀକୃତି ଦେବା ଉପରେ ଗୁରୁତ୍ଵ ଦେବ ନା ସେକଥା ଆଦୌ ନ ଉଠାଇ ଶରଣାର୍ଥୀମାନଙ୍କ ପ୍ରତ୍ୟାବର୍ତ୍ତନ ଉପରେ କେବଳ ଗୁରୁତ୍ଵ ଦେବ, ତାହା ଏକ କୁଟନୈତିକ ସମସ୍ୟା । ଯଦି ଦ୍ଵିତୀୟଟି କରଣୀୟ, ତେବେ କି କୁଟନୈତିକ ଉପାୟ ଅବଲମ୍ବନ କଲେ ପୃଥିବୀର ସବୁ ଦେଶ ଓ ଜାତିସଂଘ ହୃଦୟଙ୍ଗମ କରିବ ଯେ ଶରଣାର୍ଥୀ ସମସ୍ୟା ସମଗ୍ର ପୃଥିବୀର ସମସ୍ୟା ଏବଂ ସେମାନେ ପାକିସ୍ତାନ ଉପରେ ଚାପ ପକାଇବେ ଯହିଁରେ ପାକିସ୍ତାନ ଏହାର ଏକ ରାଜନୀତିକ ସମାଧାନ କରିବ ଏବଂ ପୂର୍ବବଙ୍ଗରେ ଏଭଳି ପରିସ୍ଥିତି ସୃଷ୍ଟି କରିବ ଯେ ଶରଣାର୍ଥୀମାନେ ନିର୍ଭୟରେ ଫେରିଯାଇ ପାରିବେ–ତାହା ଏକ କୂଟନୈତିକ ସମସ୍ୟା । ପୁଣି ଚୀନ୍ ଓ ଆମେରିକା ମଧ୍ୟରେ ମୈତ୍ରୀ ସ୍ଥାପିତ ହେବାକୁ ଯାଉଥିବାରୁ ଭାରତ ଚୀନ ସହିତ ତାହାର ପୂର୍ବ ସୁସମ୍ପର୍କ ଫେରାଇ ଆଣିବାର ଚେଷ୍ଟା କରିବ କି ନା ଏବଂ ରୁଷିଆ ଓ ଚୀନ ମଧ୍ୟରେ ମୈତ୍ରୀ ସ୍ଥାପନ କରାଇବାର ଚେଷ୍ଟା କରିବ କି ନା ତାହା ଏକ କୁଟନୈତିକ ସମସ୍ୟା । ବର୍ତ୍ତମାନ ପୃଥିବୀର ଶକ୍ତିସାମ୍ୟ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଶତ୍ରୁତା ଉପରେ ଯାହା ନିର୍ଭର କରୁଛି ତାହା ଯଦି ମୈତ୍ରୀ ଉପରେ ନିର୍ଭର କରେ ତେବେ ବାଙ୍ଗ୍‌ଲାଦେଶ ସମସ୍ୟା ବିନା ଯୁଦ୍ଧରେ ଆପେ ଆପେ ସମାଧାନ ହୋଇଯିବା ସଙ୍ଗେ ସଙ୍ଗେ ପୃଥିବୀରେ ସ୍ଥାୟୀ ଶାନ୍ତି ସ୍ଥାପିତ ହେବାର ଦୃଢ଼ ଭିତ୍ତି ପଡ଼ିବ ଏବଂ ଭାରତ ଏ ଦିଗରେ ସଫଳ ହେଲେ ଏକ ଆଧ୍ୟାତ୍ମିକ କାର୍ଯ୍ୟ କରିବ ।

 

ଆର୍ଥନୈତିକ କ୍ଷେତ୍ରରେ ମଧ୍ୟ ଜଟିଳ ସମସ୍ୟା । ଆମେରିକା ପୁଞ୍ଜିବାଦୀ ଦେଶ । ସେଠାରେ ବ୍ୟବସାୟୀମାନେ କୋଟି କୋଟି ଟଙ୍କାର ଯୁଦ୍ଧସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉତ୍ପନ୍ନ କରୁଛନ୍ତି । ସେ ସବୁ ଖଲାସ ହେବାର ଗୋଟାଏ କ୍ଷେତ୍ର ଥିଲା—ଭିଏତ୍‌ନାମ୍ ଯୁଦ୍ଧକ୍ଷେତ୍ର । କିନ୍ତୁ ନାନା କାରଣରୁ ଆମେରିକା ସେଠାରୁ ଓହରି ଆସିବାକୁ ବାଧ୍ୟ ହେଉଥିବାରୁ ତାକୁ ଆଉ ଗୋଟାଏ ଯୁଦ୍ଧ ଭିଆଇବାକୁ ପଡ଼ିବ । ଏଣେ ଆମେରିକାରେ ଉତ୍କଟ ବେକାର ସମସ୍ୟା ଓ ବ୍ୟବସାୟ ବାଣିଜ୍ୟରେ ମାନ୍ଦା ଅବସ୍ଥା ଦେଖାଦେଲାଣି । ତାକୁ ସମ୍ଭାଳିବାକୁ ଯାଇ ଆମେରିକା ଅନ୍ୟାନ୍ୟ ଦେଶମାନଙ୍କୁ ସାହାଯ୍ୟ ବନ୍ଦ କରିଦେବ ବା କମାଇ ଦେବ ଏବଂ ଅନ୍ୟ ଦେଶରୁ ଆମଦାନୀ ବନ୍ଦ କରିବ । ତା’ହେଲେ ଭାରତରେ ମହା ଆର୍ଥନୀତିକ ସଙ୍କଟ ଦେଖାଦେବ ।

 

ଏ ସବୁ ପରସ୍ପର-ବିରୋଧୀ ସମସ୍ୟାମାନଙ୍କ ମଧ୍ୟରେ ସମତ୍ଵ (ସମତ୍ଵଂ ଯୋଗ ଉଚ୍ୟତେ) ଆଣିବାର କର୍ମକୌଶଳ (ଯୋଗଃ କର୍ମସ୍ତୁ କୌଶଳମ) ଉପରେହିଁ ସବୁ ନିର୍ଭର କରୁଚି । ସେ ଦାୟିତ୍ଵ ପଡ଼ିଚି ମୁଖ୍ୟତଃ ଭାରତର ପ୍ରଧାନମନ୍ତ୍ରୀଙ୍କ ଉପରେ ଯେ କି ଜଣେ ମହିଳା ।

 

ମୋ ପତ୍ରିକା (କିଣନ୍ତୁ ! ଦେଖନ୍ତୁ ! ପଢ଼ନ୍ତୁ ! ବାର୍ଷିକ ମୂଲ୍ୟ ବାରଟଙ୍କା, ଷାଣ୍ମାସିକ ଛ’ ଟଙ୍କା ଆଠଅଣା, ପ୍ରତିଖଣ୍ଡର ମୂଲ୍ୟ ଏକଟଙ୍କା । ରାଷ୍ଟ୍ରୀୟ, ସାମାଜିକ ଓ ବ୍ୟକ୍ତିଗତ ସମସ୍ୟାମାନଙ୍କ ସମାଧାନ ଏବଂ ସରସ ସୁନ୍ଦର ସଚିତ୍ର କ୍ଷୁଦ୍ରଗଳ୍ପ, ରମ୍ୟରଚନା ଓ କବିତାପାଇଁ ଏକମାତ୍ର ଭାରତବିଖ୍ୟାତ ମାସିକ ପତ୍ରିକା ‘କ୍ଷୀରନୀର’) ପାଇଁ ସମ୍ପାଦକୀୟ ଡାକି ହୃଦୟଙ୍ଗମ କଲି, ଭାରତ କି ସଙ୍କଟର ସମ୍ମୁଖୀନ ହୋଇଚି । ମୁଣ୍ଡଟା ଭାରାକ୍ରାନ୍ତ ହୋଇଗଲା । ଅନ୍ୟମନସ୍କଭାବରେ ସେ ଦିନର ଡାକ ଦେଖୁ ଦେଖୁ ପ୍ରଥମେ ଦେଖିଲି ପୁଣି ସେଇ ଶ୍ରୀମତୀ ଦାସଙ୍କ ଚିଠି ! ନାଲି ସ୍ୟାହିରେ ବଡ଼ ବଡ଼ ଅକ୍ଷରରେ ଉପରେ ଲେଖାହୋଇଚି ‘ଜରୁରୀ’ । ହ୍ୟାପ ଶିଳଶିଳପୁଆମାନେ ଯେତେବେଳେ ଗଗନରେ ଉଡ଼ୁଛନ୍ତି, ସେତେବେଳେ ତୁଚ୍ଛ ଏକ ଶିମିଳିତୁଳା, ଶ୍ରୀମତୀ ସୁମତି ଦାସ (କାହା ଝିଅ କି କାହା ସ୍ତ୍ରୀ କି କିଏ ସେ କିଛି କ’ଣ ଜଣାଉଚି !) ନାମରେ କେଉଁ ଏକ ମହିଳା ଆକାଶବାଣୀର ସବୁ କେନ୍ଦ୍ରକୁ ଓ ଓଡ଼ିଶାର ସବୁ ପତ୍ରପତ୍ରିକାକୁ ବାରମ୍ବାର ଗୁରେଇ-ତୁରେଇ ପଚାରୁଚି କଅଣ ନା, ଘାଣ୍ଟତୁଉଣ ରାନ୍ଧିବାର ପ୍ରଣାଳୀ କଅଣ, ସେଥିରେ କି କି ପରିବା ପଡ଼େ, କି କି ମସଲା କି କି ପରିମାଣରେ ଦିଆହୁଏ, ଘାଣ୍ଟ ତୁଉଣର ରଙ୍ଗ କିପରି ହେବା ଉଚିତ, ଇତ୍ୟାଦି ଇତ୍ୟାଦି ନାନା ଟିକିନିଖି ବିଷୟରେ ପ୍ରଶ୍ନ ! ଏଥର ମିଶାଇ ମୋ ପତ୍ରିକାକୁ ତ କୋଡ଼ିଏଥର ପଚାରି ସାରିଲାଣି ! ଥରେ ତ ମୋ ବିରୁଦ୍ଧରେ ମକଦ୍ଦମା କରିବା ଭଳି ଧମକାଇ ଲେଖିଲା, ଆପଣ କହିବା ଭଳି ରାନ୍ଧିଲି, କିନ୍ତୁ ସିଏ ଖାଇଲେ ନାହିଁ, ଇୟା ପାଇଁ ଦାୟୀ କିଏ ? (କିଏ ବା ସିଏ ? ଭାରି ନ ଖାଇଲାବାଲା ହେଇଚି) । ହ୍ୟାପ ଘାଣ୍ଟ ତୁଉଣ ପାଇଁ ମୋତେ ମୁଣ୍ଡ ଖେଳେଇବାକୁ ପଡ଼ିବ ! ଗୋଟାଏ ଜଟିଳ ସମସ୍ୟା ବିଷୟରେ ମୋର ଗଭୀର ସୁନ୍ଦର ଯୁକ୍ତିଯୁକ୍ତ ଚିନ୍ତା ଏ ତୁଚ୍ଛ କଥା ସମ୍ପର୍କରେ ଆସି ହଠାତ୍ ତୁଚ୍ଛ ମନେହେଲା ।

 

ଭାରି ରାଗ ହେଲା । ମନେ ମନେ କହିଲି, ଯଦି ଲୋ ମାଆ ଘାଣ୍ଟ ତୁଉଣ ରାନ୍ଧି ନ ଆସୁଚି, ଦେଖୁଚୁ ତ ଦେଶର ଅବସ୍ଥା ଏମିତି, ଟିକିଏ ଧୈର୍ଯ୍ୟ ଧରି ରହିଯା ଆଉ କେଇଟା ଦିନ । ତୋତେ କଅଣ ଦିଶୁନାହିଁ ତୋରିପରି ଜଣେ ମହିଳା କେଡ଼େ ଧୈର୍ଯ୍ୟ ସହ ଦେଶକୁ ଏ ମହାଘଡ଼ିସନ୍ଧିବେଳେ କେମିତି ସମ୍ଭାଳିଚି ! ଘାଣ୍ଟ ତୁଉଣଟା ଭଲ କରି ରାନ୍ଧି ଦେଲେ ଦେଶରେ କି ବାନା ଉଡ଼ାଇବୁ ଲୋ ତୁ ମାଆ ! ନା ଘାଣ୍ଟ ତୁଉଣ ନ ହେଲେ ପ୍ରାଣ ଛାଡ଼ିଯାଉଚି !

 

ଆରେ ବୁଝୁ ବୁଝୁ କଥାଟା ସତରେ ସେଇଆ ! ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ ।

 

ଘଟଣା ସବୁ କେମିତି ସୂତା ଖିଅକେ ଅଥଚ ଦୃଢ଼ଭାବରେ ଛନ୍ଦାଛନ୍ଦି ହୋଇ ଯାଆନ୍ତି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ସତେ ! ବ୍ୟାପାରଟା ଏମିତି ।

 

ବୈକୁଣ୍ଠ, ଓରେଫ ବଇ, ମୋ ନିଜ ସାନଭାଇ । ତିନିବର୍ଷ ଆଗେ ସାଇକଲୋଜିରେ ଡକ୍ଟରେଟ୍ କରିଥିଲା ସେ । ତା’ର ଅନ୍ତରଙ୍ଗ ବନ୍ଧୁ ରଞ୍ଜୁ ମଧ୍ୟ ସେହିବର୍ଷ ଗଣିତରେ ଡକ୍ଟରେଟ୍ କରିଥିଲା । ଏହା ପରେ ପରେ ଦିନେ ଦୁଇଜଣଯାକ ଅନ୍ତର୍ହିତ ହୋଇଗଲେ । କିଛି ପତ୍ତା ମିଳିଲା ନାହିଁ । ମାତ୍ର ଦୁଇଧାଡ଼ିର ଗୋଟିଏ ଚିଠି ବଇ ଲେଖିଦେଇ ଯାଇଥିଲା—ଭାଇ, ମୋପାଇଁ ବ୍ୟସ୍ତ ହେବୁ ନାହିଁ, ବ୍ରହ୍ମଚାରୀ ଜୀବନଯାପନ କରିବୁ । ରଞ୍ଜୁର ତିନିକୁଳରେ କେହି ନାହିଁ, ତାକୁ ବୋଧହୁଏ ଏତକ ପରିଶ୍ରମ ବି କରିବାକୁ ପଡ଼ିନାହିଁ । ରଞ୍ଜୁ ଥିଲା ଅସାଧାରଣ ମେଧାବୀ ଛାତ୍ର । ହେଲେ ଟିକିଏ ଭକ୍ତିଆ ଧରଣର । ସେଥିପାଇଁ ବଇର ତା ସହିତ ମିଶିବା ଆମେ ଚାହୁ ନଥିଲୁ । ମୋ ଭାଇଟା, ଯାହାକୁ ମୁଁ ଓ ମୋ ସ୍ତ୍ରୀ ଦେଢ଼ବର୍ଷ ବୟସରୁ ପୁଅ ଭଳି ମଣିଷ କରିଚୁ, ମୋ ସ୍ତ୍ରୀ ନିଜ ସ୍ତନରୁ ଦୁଧ ପିଆଇଚି, ସେ ତା’ରି ପାଲରେ ପଡ଼ି ଘର ଛାଡ଼ି ଚାଲିଗଲା । ମୋ ସ୍ତ୍ରୀ ମାସେକାଳ ଶଯ୍ୟାଶାୟୀ ହୋଇଗଲେ । ରଞ୍ଜୁ ଉପରେ ଆମର ଭାରି ରାଗ ହେଲା ।

 

ସକାଳୁ ତଳକୁ ମୁହଁ ପୋତି ସଂପାଦକୀୟର ପ୍ରୁଫ୍ ସଂଶୋଧନ କରୁ କରୁ କେହି ଜଣେ ପ୍ରବେଶ କରିବାର ଦେଖି ମୁହଁ ଟେକି ଚାହିଁବାରୁ ଦେଖିଲି ଜଣେ ବାବାଜୀ ମୋତେ ଚାହିଁ ମୁରୁକି ମୁରୁକି ହସୁଛି । ମୁହଁରେ ବହଳ ନିଶଦାଢ଼ି, କପାଳରେ ରକ୍ତ ଚନ୍ଦନର ବିରାଟ ତ୍ରିପୁଣ୍ଡି, ପରିଧାନରେ ଗାଢ଼ ନାଲି ରଙ୍ଗର ଆଲଖାଲ୍ଲା । କାନ୍ଧରୁ ଝୁଲୁଚି ସେଇ କନାର ବିରାଟ ଗୋଟାଏ ଥଳି । ପରେ ଦେଖିଲି ସେଥିରେ ଅଛି ମଣିଷମୁଣ୍ଡ ଖପୁରୀ, ମଦବୋତଲ, ଗଞ୍ଜେଇ, ଏଲ୍. ଏସ. ଡି. ବଟିକା ଇତ୍ୟାଦି । ଆଖି ନାଲ୍‌ ନାଲ୍, କେମିତି ଗୋଟାଏ ଅସ୍ୱାଭାବିକ ଭାବେ ଜଳୁଥାଏ । ଦେଖିଲେ ଡରମାଡ଼େ । ଦେହରୁ ଗୋଟାଏ କଡ଼ା ମଦଗନ୍ଧ ମିଶ୍ରିତ ଉଷୁମାଳିଆ ଗନ୍ଧ ବାହାରୁଥାଏ ।

 

ବସିବାକୁ ସଂକେତ ଦେବାରୁ ବାବାଜୀ କହିଲେ, ମୁଁ ବଇ । ହତବାକ୍‌ ହୋଇ କିଛିକ୍ଷଣ ଚାହିଁବା ପରେ ପାଟିକରି ଡାକିଲି, ଆଗୋ ଦଉଡ଼ି ଆସ, ବଇ । ସ୍ତ୍ରୀ ଘରଭିତରୁ ଦଉଡ଼ି ଆସି ତାଟଙ୍ଗା ହୋଇ ଛିଡ଼ା ହୋଇ ରହିଲେ କିଛିକ୍ଷଣ । ସେ ହିଁ ପ୍ରଥମେ ପଚାରିଲେ, ବଇ, ଏ କଅଣ ! ବଇ ଥିଲା ଗୋଲ ଗାଲ ଗୋରା ସୁନ୍ଦର ଦେଖିବାକୁ ସବୁବେଳେ ହସ ହସ ମୁହଁ ଆଉ କୌତୁକିଆ କଥା । ତା’ର ପୁଣି ଏ ଅବସ୍ଥା ! ଶୁଖି ଧେଡ଼େଙ୍ଗା ହୋଇଯାଇଚି, କାଳିଆ ପଡ଼ିଯାଇଛି, ଆଶ୍ଚର୍ଯ୍ୟର କଥା, ମୋ ପ୍ରୌଢ଼ା ସ୍ତ୍ରୀ ଙ୍କ ଦୁଇ ସ୍ତନରୁ ଦୁଧ ଝରି ବସନ ତିନ୍ତାଇ ଦେଲା ! ସେ ଲାଜରେ ଦୌଡ଼ି ପଳାଇଲେ ।

 

ଏ ତିନିବର୍ଷର ଇତିହାସ ବି ପାଖରୁ ଯାହା ଜାଣିଲ ତା’ ସଂକ୍ଷେପରେ ଏହିପରି । ଦିହେଁ ଏକା ସାଙ୍ଗରେ ରହିଲେ ସାଧନାରେ ବ୍ୟାଘାତ ହେବ ବୋଲି ରଞ୍ଜୁ ଗଲା କେଉଁ ଏକ ଆଶ୍ରମକୁ ଓ ବଇ ଗଲା ହିମାଳୟକୁ । ଏହା ପରେ ରଞ୍ଜୁ ସହିତ ତା’ର ସମସ୍ତ ସମ୍ପର୍କ ଛିନ୍ନ ହୋଇଚି । ରଞ୍ଜୁ କେଉଁଠି ଅଛି, କଅଣ କରୁଚି ତାକୁ କିଛି ଜଣା ନାହିଁ । ମୋତେ ପଚାରିଲା ରଞ୍ଜୁ କଥା । କିଛି କହିପାରିଲିନି । ସତରେ ମୁଁ ତା’ର କିଛି ଖବର ରଖିନି, ରଖିବାର ଇଚ୍ଛା ହୋଇନି । ଚେଷ୍ଟା ବି କରିନି । ରଞ୍ଜୁ ଜାଣେ ଆମେ ତା ଉପରେ ସନ୍ତୁଷ୍ଟ ନୋହୁଁ, ତେଣୁ ସେ ମଧ୍ୟ ଆମ ସହିତ ସମ୍ପର୍କ ରଖିନି । ବ‌ଇ ହିମାଳୟରେ ରହି ଜଣେ ଗୁରୁଙ୍କ ପାଖେ ତନ୍ତ୍ରସାଧନା କରୁଥିଲା । ସିଦ୍ଧିଲାଭ କରି ଫେରିଚି । ମୋତେ ହାତ ମୁଠା କରିବାକୁ କହିଲା । ହାତ ମୁଠା କଲି । ଖୋଲିବାକୁ କହିବାରୁ ଖୋଲି ଦେଖିଲି ଡେଉଁରିଆଟାଏ ! କହିଲା, ଭାଉଜକୁ ଦିଅ, ସବୁ ବିପଦରୁ ରକ୍ଷା କରିବ ସେ । ଆମ ଘରେ କିଛିଦିନ ରହିବ ବୋଲି ଜଣାଇବାରୁ ଆମ ମନରେ କ୍ଷୀଣ ଆଶାର ସଞ୍ଚାର ହେଲା । ସାରା ଭାରତରେ ତା’ର କୁଆଡ଼େ ବହୁ ଶିଷ୍ୟ । ବର୍ତ୍ତମାନ ସେ ଅଘୋରାନନ୍ଦ ।

 

ବ‌ଇର ମନକୁ ପୁଣି ଘର ସଂସାର ଆଡ଼କୁ ଫେରାଇବା ପାଇଁ ମୁଁ ଓ ମୋ ସ୍ତ୍ରୀ ଲାଗି ପଡ଼ିଲୁ । ମୋ ସ୍ତ୍ରୀ ‘କ୍ଷୀରନିର’ ର ଗୁପ୍ତ ଓ କୂଟନୈତିକ ସମ୍ବାଦଦାତା । ମଣିଷ ମନର ଅତି ଗୁପ୍ତ କଥା ଟାଣି ବାହାର କରିବାରେ, ପାରିବାରିକ ନାନା ତଥ୍ୟ ଯୋଗାଡ଼ କରିବାରେ ଏବଂ ଘଟଣାର ଅବିକଳ ରିପୋଟ ଦେବାରେ ସେ ସୁଦକ୍ଷା । ବ‌ଇର ମାନସିକ ଅବସ୍ଥା ବିଷୟରେ ସେ ଯେଉଁ ଦୈନିକ ରିପୋଟ ଦିଅନ୍ତି । ସେଥିରୁ ଦିନେ ଜଣାପଡ଼ିଲା ରଞ୍ଜୁ କଟକରେ ଅଛି ଏବଂ ବ‌ଇ ସହିତ ଦେଖାହୋଇଛି । ମୁଁ ପ୍ରଥମେ ଆତଙ୍କିତ ହେଲି । କିନ୍ତୁ ରିପୋଟର ଯେଉଁ ରିପୋଟ ଦେଲେ ସେଥିରେ ଆମର କ୍ଷୀଣ ଆଶା ବଳବତ୍ତର ହେଲା । ରଞ୍ଜୁ—ବ‌ଇ ଭେଟ ବିଷୟରେ ରିପୋଟ ଏହିପରି ।

 

ଦିନେ ବ‌ଇ ବଜାରରେ ଯାଉଁ ଯାଉଁ ହଠାତ୍ ଦେଖିଲା ରଞ୍ଜୁ ଖଣ୍ଡେ ‘ପାକପ୍ରଣାଳୀ’ ବହି ଧରି ତରତର ହୋଇ ଯାଉଚି ସାମ୍‌ନାରେ । ତାକୁ ହଠାତ୍ ବିସ୍ମିତ କରିଦେବା ଉଦ୍ଦେଶ୍ୟରେ ବ‌ଇ ତାକୁ ପଛ‌ଆଡ଼ୁ ଟିକିଏ ଠେଲି ଦେଇ ଅତି ସାଧାରଣ ଭାବରେ କହିଲା, କିହୋ ସନ୍ନ୍ୟାସୀ, ରାନ୍ଧିବା କ‌ଅଣ ଗଣିତ ହୋଇଛି କି ବହି ଦେଖି ଫର୍‌ମୁଲା ଅନୁସାରେ ରାନ୍ଧିବ । ଗୋଟିଏ ଗୃହିଣୀ, ନ ହେଲେ ଗୋଟିଏ ସେବା ଦାସୀ ଦେଖ ଏଥର ।

 

ଚମକି ପଡ଼ି ଅବାକ୍ ଭାବରେ କିଛିକ୍ଷଣ ଚାହିଁ ବ‌ଇକୁ ହଠାତ୍ କୁଣ୍ଢେଇ ପକେଇ ରଞ୍ଜୁ କହିଲା, ଆରେ ବ‌ଇୟା ! ଏ କ‌ଅଣ । ଇସ୍ ଠିକ୍ ତିନିମାସ ଆଗେ ମାର୍ଚ୍ଚ ମାସ ଦଶ ତାରିଖରୁ ପନ୍ଦର ତାରିଖ ଭିତରେ କମ ଖୋଜିଚି ତତେ । କେହି ତୋ ପତ୍ତା ଦେଇ ପାରିଲେନି । ତୋ ଭାଇ ବି ସେତେବେଳେ ମାସାଧିକ କାଳ କୁଆଡ଼େ ଯାଇଥିଲେ । କୁଆଡ଼େ ଥିଲୁ....

 

ବ‌ଇ ବାଧା ଦେଇ କହିଲା, ମରଣବେଳେ କି ବାହାବେଳେ ଲୋକେ ନିଜର ଘନିଷ୍ଠ ଲୋକଙ୍କୁ ଏମିତି ଖୋଜନ୍ତି । ଗତ ମାର୍ଚ୍ଚ ମାସ ପନ୍ଦର ତାରିଖରେ ତୋ’ର ମୃତ୍ୟୁ ହୋଇଯିବାର ଜାଣି ମୁଁ ଭାରି ଦୁଃଖିତ ଭାଇ । ତୋ ପାଖରେ ସେତେବେଳେ ରହିପାରିଲିନି ବୋଲି କ୍ଷମା କରିବୁ ମୋତେ । ନରକର ସବୁ ହାଲଚାଲ କଅଣ ? ଚେହେରାଟି ଯେମିତି ବାଗେଇଚୁ ମନେ ତ ହେଉଚି ଭାରି ମଜାରେ ଅଛୁ ସେଠି । ଆଗରେ ତ ଧେଡ଼େଙ୍ଗା ଥିଲୁ ।

 

ବେଦମ ପେଟେ ହସି ବଇକୁ ପୁଣି କୁଣ୍ଢାଇ ପକାଇ ରଞ୍ଜୁ କହିଲା, ଆରେ ବାଃ, ଦେଖୁଚି ହାସ୍ୟରସ ତୋ ଭିତରୁ ମରିଯାଇନି ! ତା’ହେଲେ ଆଶା ଅଛି ! ଆରେ ନା ମରିନାହିଁ । ଗତ ମାର୍ଚ୍ଚ ମାସ ପନ୍ଦର ତାରିଖ ଦିନ ସ୍ୱର୍ଗୀୟ ଦେବରଞ୍ଜନ ଦାସଙ୍କ ପୁତ୍ର କାମିନୀରଞ୍ଜନ ଦାସ ସହିତ କନକପୁର ଗ୍ରାମନିବାସୀ ଅଭୟଚରଣ ମହାପାତ୍ରଙ୍କ ଜ୍ୟେଷ୍ଠା କନ୍ୟା ଆୟୁଷ୍ମତୀ ସୁମତିଙ୍କ...

 

ବଇ ଦପ୍ କରି କ୍ରୋଧରେ ଜଳି ଉଠି କହିଲା, ତୋର ଶେଷରେ ଏ କୁମତି ହେଲା ? ତୋ ବୈବାହିକ ଜୀବନ ମୁଁ ନଷ୍ଟ କରିଦେବାର କ୍ଷମତା ରଖେ ଜାଣୁ ? ଆଉ କରିବି ମଧ୍ୟ ମୋର ତନ୍ତ୍ର ବଳରେ ! ବିଶ୍ୱାସଘାତକ ।

 

ରାସ୍ତା ମଝିରେ କାଳେ କିଛି ଅପ୍ରୀତିକର ଘଟିବ ବୋଲି ରଞ୍ଜୁ ବଇର ହାତ ଧରି ଟାଣି ନେଇ ଗୋଟାଏ ରିକ୍‍ସାରେ ବସି କହିଲା, ଚାଲ୍ ମୋ ଘରକୁ । ସୁମତି ସହିତ ଆଳାପ କରାଇ ଦେବି । ଦେଖିଲେ ତୁ ଆଉ ନଷ୍ଟ କରିଦେବା କଥା କହିବୁନି । ଆଜି ଆମ ଘରେ ଖାଇବୁ ତୁ ।

 

—ତୁ ଆଗେ କହ, କେଉଁ ସାହାସରେ ପ୍ରତିଜ୍ଞା ଭାଙ୍ଗିଲୁ ତୁ ?

 

—ମୁଁ ତ ପ୍ରତିଜ୍ଞା ଭାଙ୍ଗି ନାହିଁ । ପ୍ରତିଜ୍ଞାର ପ୍ରଥମ ସର୍ତ୍ତ ଥିଲା ମରିବା ପର୍ଯ୍ୟନ୍ତ ଆମେ ବାହା ହବାନାହିଁ । ମରିଯିବା ପରେ ତ ଆଇନତଃ ଏ ସର୍ତ୍ତ ଅକାମୀ, ନା ନାହିଁ । ମୁଁ ଯେତେବେଳେ ପ୍ରଥମେ ଆଶ୍ରମରେ ଦୀକ୍ଷା ନେଲି, ମୋତେ କହିଲେ ମୋର ପୁନର୍ଜନ୍ମ ହେଲା । ମାନେ, ମରିଯାଇ ପୁଣି ବଞ୍ଚିଲି । ବାସ୍ ପ୍ରଥମ ସର୍ତ୍ତ ଉଡ଼ିଗଲା । ମୁଁ ଯେତେବେଳେ ପ୍ରତିଜ୍ଞା କଥା କହି ବାହା ହେବାକୁ ମନା କଲି ଏ ବୁଦ୍ଧି ମୋତେ ମୋ ଶ୍ୱଶୁର ଦେଲେ । ପରେ ଶୁଣିଲି ତାଙ୍କୁ ସୁମତି ଏ ବୁଦ୍ଧି ଯୋଗାଇ ଦେଇଥିଲା । ଭାରି ଧଡ଼ିବାଜ୍‌ ଭଦ୍ରମହିଳା ।

 

—ହ୍ୟାପ୍ ଭଣ୍ଡ ଦଗାବାଜ୍‌ ! ଆଚ୍ଛା ଦ୍ୱିତୀୟ ସର୍ତ୍ତର କି ଦଶା ହେଲା ?

 

—ଶ୍ୱଶୁରଙ୍କ ଜଣେ ବନ୍ଧୁ ଭାରି ପଣ୍ଡିତ । ବେଦ, ପୁରାଣ ଆଦିରେ ଭାରି ଦଖଲ୍ । ସେ କହିଲେ, ବୈବାହିକ ଜୀବନ ଓ ବ୍ରହ୍ମଚାରୀତ୍ଵ ଏକା ସାଙ୍ଗରେ ସହାବସ୍ଥାନ କରିପାରେ । ଅର୍ଜ୍ଜୁନ ବହୁ ବିବାହ କରି ଓ ବହୁ ସନ୍ତାନର ପିତା ହୋଇ ମଧ୍ୟ ଶ୍ରେଷ୍ଠ ବ୍ରହ୍ମଚାରୀ ବୋଲି ଖ୍ୟାତ । ମନେ ମନେ କହିଲି, ଧନ୍ୟ ଅର୍ଜ୍ଜୁନ ! ପ୍ରଣାମ ଚରଣେ ତବ ! ଆରେ ନା, ଥଟ୍ଟାରେ କହୁନି ।

 

—ଏ ବୁଦ୍ଧି ବି ସୁମତିର ?

 

—ନା, ଦ୍ୱିତୀୟ ସର୍ତ୍ତ କାବୁ କରିବାକୁ ତା’ ବୁଦ୍ଧି ପାଇଲା ନାହିଁ । ତେବେ ଶ୍ୱଶୁରଙ୍କୁ ବୁଦ୍ଧି ଦେଇଥିଲା ପଣ୍ଡିତଙ୍କୁ ପଚାରିବାକୁ । ବିଦ୍ୟା ମାଇନର୍ ପର୍ଯ୍ୟନ୍ତ, ହେଲେ ଭାରି ଚତୁରୀ । ଆଉ ଯାହା ରାନ୍ଧେନା, ମୁଗ୍‍ଧ ହୋଇଯିବୁ ।

 

ଆଚ୍ଛା ! ଆରେ କଉ ସୁମତି ମ ? ଯିଏ ଆମ ଦି କ୍ଲାସ ତଳେ ପଢ଼ୁଥିଲା ?

 

—ଆରେ ନା ନା । ଇୟେ ଏକଦମ୍ ଗ୍ରାମ୍ୟ । ହେଲେ...

 

—ରଖ ତୋ ପ୍ରଶଂସା । ‘ପାକପ୍ରଣାଳୀ’ ଦେଖି ତ ରାନ୍ଧୁଚି, ସେଥିରେ......

 

—ଆରେ ନା ନା । ଘାଣ୍ଟ ତୁଉଣ ବିଷୟରେ ସେ ଗବେଷଣା କରୁଚି । ଆକାଶବାଣୀ, ପତ୍ରପତ୍ରିକାମାନଙ୍କୁ ପଚାରି, ବହି ପଢ଼ି ସେ ଏ ବିଷୟରେ ଏତେ ତଥ୍ୟ ସଂଗ୍ରହ କରିଚି ଯେ ଆଶ୍ଚର୍ଯ୍ୟ ହେବୁ !

 

—କଅଣ ଘାଣ୍ଟ ତୁଉଣରେ ଡକ୍ଟରେଟ କରୁଚି କି ? ତେବେ ବେଦ ପଢ଼ିବାକୁ ଦେ । କଅଣ ନାହିଁ ବେଦରେ !

 

ରିକ୍‌ସାରୁ ଓହ୍ଲାଇ ଦୁଇ ବନ୍ଧୁ ଘର ଭିତରକୁ ଗଲେ । ସୁମତି ସହିତ ବ‌ଇର ପରିଚୟ ରଞ୍ଜୁ କରାଇ ଦେଲା । କିନ୍ତୁ ଆଳାପ ହୋଇପାରିଲା ନାହିଁ । ସୁମତି ହାତେ ଓଢ଼ଣା ଟାଣି କବାଟକୋଣରେ ଛିଡ଼ାହୋଇ ବ‌ଇକୁ ଦେଖି ଡରରେ ଥରିବାକୁ ଲାଗିଲା ଏବଂ କୌଣସିମତେ ହାତଯୋଡ଼ି ନମସ୍କାରଟାଏ କରି ଦୌଡ଼ି ପଳାଇ ଗଲା । ଦୁଇ ବନ୍ଧୁ ପେଟେ ପେଟେ ଖାଇଲେ । ସୁମିତ ସେଦିନ ସତେ ଭଲ ରାନ୍ଧିଥିଲା । ରଞ୍ଜୁ ମତାମତ ପଚାରିବାରୁ ବ‌ଇ କିଛି ନ କହି ଗମ୍ଭୀର ରହିଲେ ବି ଖାଇବାରୁ ଜଣାଗଲା ତାକୁ ଖୁବ୍ ଭଲ ଲାଗିଚି । ଖାଇବା ପରେ ଦୁଇ ବନ୍ଧୁ ନିଜ ନିଜର ଅଭିଜ୍ଞତା ବିଷୟରେ କଥାବାର୍ତ୍ତା ହେଲେ । ରଞ୍ଜୁ ବର୍ଷେକାଳ ଏ ଆଶ୍ରମ ସେ ଆଶ୍ରମ କରି ସାରା ଭାରତ ବୁଲି ଶେଷରେ ଦୁଇ ବର୍ଷ ହେବ ଗୁଜରାଟର ଗୋଟିଏ କଲେଜରେ ଅଧ୍ୟାପକ ଅଛି । ବାହା ହେବାପାଇଁ ତିନି ମାସ ଛୁଟି ନେଇ ଆସିଥିଲା, ପୂଜାଯାଏ ଲମ୍ବେଇ ଦେଇଚି । ଏଇଠି ଗୋଟେ ଚାକିରିର ଯୋଗାଡ଼ କରିଚି । ଆଉ ଫେରିବ ନାହିଁ ଗୁଜରାଟ । ତା’ର ସନ୍ନ୍ୟାସୀ ଜୀବନ ଛାଡ଼ିବା ବିଷୟରେ ସେ କହିଲା, ସେ ଦେଖିଚି ସବୁଠି ଧପ୍‌ପାବାଜି । ସଂସାର କରିବାକୁ ହେଲେ ଯେଉଁ ଶ୍ରମ, ଦାୟିତ୍ଵ, ସଂଘର୍ଷ, ଅପମାନ, ବିପଦ ଆଦି ଭିତରେ ଯିବାକୁ ପଡ଼େ ସେ ସବୁ ଏଡ଼ାଇ ‘ସତ କହ, ଧର୍ମ କର, ହିଂସା ଛାଡ଼, ଆଦିଭଳି କଥାମାନ ଟିକିଏ ଦୁର୍ବୋଧ୍ୟ ଆଉ ରହସ୍ୟମୟୀ ଭାଷାରେ କହିବା ସାଙ୍ଗେ ସାଙ୍ଗେ ଦି’ ଚାରିଟା ମ୍ୟାଜିକ ଦେଖାଇ, ଧନ ପ୍ରତିପତ୍ତି, ଯଶ ଆଦି ଲାଭ କରିବାର ସହଜ ଉପାୟର ଲୋଭ ଓ ଭଗବାନଙ୍କ ଭୟ ଦେଖାଇ ଲୋକମାନଙ୍କୁ କବଳିତ କରି ମ‌ଉଜରେ ରହିବାର ଶିକ୍ଷା ଦିଆଯାଏ ଆଶ୍ରମ, ମଠ ଆଦିମାନଙ୍କରେ । ତେଣୁ ସନ୍ନ୍ୟାସୀ ହେବାଠାରୁ ସିଲାଇ କରି ବା ଚାଷ କରି ପେଟ ପୋଷିବା ହଜାରେ ଗୁଣ ଭଲ ।

 

ରଞ୍ଜୁ ଯେତେ ପଚାରିଲେ ବି ବ‌ଇ କିନ୍ତୁ ନିଜ ଅଭିଜ୍ଞତା କଥା କିଛି କହିଲାନି । ସେଦିନୁ କିନ୍ତୁ ରଞ୍ଜୁ ସହିତ ବ‌ଇର ସମ୍ପର୍କ ପ୍ରାୟ ଛିନ୍ନ ହୋଇଗଲା । ଆମେ ଆତଙ୍କିତ ହେଲୁ । ଆଶା ଥିଲା ରଞ୍ଜୁ ନିଶ୍ଚୟ ବ‌ଇକୁ ସଂସାରୀ କରାଇପାରିବ । କିନ୍ତୁ ଏ ଟୋକାଟା ସେ ବାଟ ବନ୍ଦ କରିଦେଲା । ଏଣେ ପୁଣି ମୋ ସ୍ତ୍ରୀ କାନ୍ଦି ପକାଇ କହିଲେ, ବ‌ଇକୁ ସେ କୌଣସିମତେ ବାଗେଇ ପାରୁ ନାହାନ୍ତି । ଆମେ ଆଶା ପ୍ରାୟ ଛାଡ଼ି ଦେଲୁ ।

 

ନିରାଶାର ଘନ ଅନ୍ଧକାର ମଧ୍ୟରେ ସୌଦାମିନୀ ଖେଳିଗଲା । ସୌଦାମିନୀ ହେଉଛନ୍ତି ମୋ ସ୍ତ୍ରୀଙ୍କ ମାମୁଁ-ଝିଅ ଭ‌ଉଣୀଙ୍କ ନଣନ୍ଦଙ୍କ ଯାଆ । ମାତ୍ର ଅଳ୍ପଦିନ ପୂର୍ବେ ମୋ ସ୍ତ୍ରୀଙ୍କ ସହିତ ତାଙ୍କର ଆଳାପ ହୁଏ ଏବଂ ସେଇ ପୂତ୍ରରେ ସେ ଆମ ଘରକୁ ଆସିଥିଲେ । ମୋ ସହିତ ଆଳାପ ହେଲା । ତିନୋଟି ସନ୍ତାନର ମାଆ । ବୟସ ଚାଳିଶରୁ ସାମାନ୍ୟ ସେ ପଟେ । ବୟସଟା କହି ପାରିଲି, କାରଣ ମୋର ରିପୋଟର ଜାଣି ପାରିଥିଲେ ବୋଲି । କିନ୍ତୁ ଦେଖିଲେ ମନେହୁଏ ବୟସ ତିରିଶ ଛୁଇଁବା ପରେ ସୌଦାମିନୀ ତିରିଶର ସେପଟକୁ ବିନୀତଭାବରେ ପଛ କରି ତିରିଶର ଏପଟକୁ ମୁହଁ କରିଛନ୍ତି । ଖାଲି କେବେ କେମିତି ସେପଟକୁ ମୁହଁ ବୁଲାଇ ଦିଅନ୍ତି ବୋଲି ଦି’ଚାରିଟା ବାଳ ପାଚିଯାଇଛି । ଅଥଚ ଟିକିଏ ବି ଚାପଲ୍ୟ ନାହିଁ । କବିମାନେ ଯାହାକୁ କହନ୍ତି ସ୍ଥିର ସୌଦାମିନୀ, ସେୟା । ଅସାଧାରଣ ସୁନ୍ଦରୀ । କଥାବାର୍ତ୍ତାରୁ ଜାଣିଲି ବେଶ୍ ପାଠଶାଠ ପଢ଼ିଛନ୍ତି ଓ ବୁଦ୍ଧିମତୀ । ସ୍ଵାମୀ ତାଙ୍କର ଏଇଠି ଦର୍ଶନ-ଅଧ୍ୟାପକ । ସେ ଯେଉଁ କୋଠାରେ ରହନ୍ତି ରଞ୍ଜୁ ତାହାର ଉପର ମହଲା ଭଡ଼ା ନେଇ ଅଛି । ସୁମତି ସହିତ ତାଙ୍କର ପରିଚୟ ମାତ୍ର ତିନିମାସର ହେଲେ ବି ଦୁଇଜଣଙ୍କ ମଧ୍ୟରେ ପ୍ରଗାଢ଼ ସ୍ନେହ ଜମିଯାଇଛି । ସୌଦାମିନୀ ହେଉଛନ୍ତି ସୁମତିର ବନ୍ଧୁ, ଦାର୍ଶନିକ, ପଥପ୍ରଦର୍ଶକ ଓ ରଞ୍ଜୁ ର ମିନୀଅପା । ମୋ ସ୍ତ୍ରୀଙ୍କୁ ମୁଁ ନିର୍ଦ୍ଦେଶ ଦେଲି ସେ ସୌଦାମିନୀ ଓ ସୁମତି ସହିତ ବ‌ଇର ବନ୍ଧୁତ୍ୱ ସ୍ଥାପନ କରାଇ ସେମାନଙ୍କୁ ବ‌ଇ ପଛରେ ଲଗାଇ ଦିଅନ୍ତୁ ଏବଂ ଏହାପାଇଁ ରଞ୍ଜୁର ସାହାଯ୍ୟ ନିଆଯାଉ ।

 

ତା’ ସହିତ ନିର୍ଦ୍ଦେଶ ଦେଲି ରଞ୍ଜୁ-ସୁମତି-ଘାଣ୍ଟ-ତୁଉଣ—ପାକପ୍ରଣାଳୀ ରହସ୍ୟ ଭେଦ କରିବାକୁ । ରଞ୍ଜୁ-ବ‌ଇ ଭେଟ ରିପୋଟରୁ ଯେଉଁଦିନ ଜାଣିଲି ଯେ ଘାଣ୍ଟ ତୁଉଣ ବିଷୟରେ ବ୍ୟାକୁଳ ଭାବରେ ପଚାରୁଥିଲା ଯେଉଁ ସୁମତି, ସେ ହେଉଚି ରଞ୍ଜୁର ସ୍ତ୍ରୀ ସେଦିନ ସୁମତି ଉପରେ ପ୍ରଥମେ ମୋର ଯେଉଁ ସମ୍ପାଦକୀୟ ବିରକ୍ତି ଓ ରାଗ ହୋଇଥିଲା ତାହାହିଁ ସମ୍ପାଦକ ଓ ଲେଖକସୁଲଭ କୌତୁହଳରେ ପରିଣତ ହେଲା । ରଞ୍ଜୁ ଉଚ୍ଚ ଶିକ୍ଷିତ ଓ ମେଧାବୀ । ରଞ୍ଜୁ ବାହା ହବନାହିଁ ବୋଲି ପ୍ରତିଜ୍ଞା କରି ସନ୍ୟାସୀ ହୋଇ ଚାଲି ଯାଇଥିଲା । ରଞ୍ଜୁ ସନ୍ୟାସୀ ଜୀବନ ଛାଡ଼ି ପ୍ରତିଜ୍ଞା ଭଙ୍ଗକରି ବାହା ହେଲା ଏକ ପ୍ରାୟ ଅପାଠୋଈ ଗ୍ରାମ୍ୟ ଝିଅ ସୁମତିକୁ । ସୁମତି ଘାଣ୍ଟ ତୁଉଣ ବିଷୟରେ ସମ୍ୟକ ଜ୍ଞାନ ଅର୍ଜନ କରିବାକୁ ବ୍ୟାକୁଳ । ରଞ୍ଜୁ ଦିନେ ‘ପାକପ୍ରଣାଳୀ’ କିଣି ଘରକୁ ଯାଉଥିଲା । ଏ ଘଟଣା ଗୁଡ଼ିକ ପରସ୍ପର-ସମ୍ପର୍କ-ବିହୀନ ଓ ଯଦୃଚ୍ଛାକ୍ରମେ ଘଟିତ ହୋଇଥିଲେ ଅବଶ୍ୟ ରହସ୍ୟ କିଛିନାହିଁ । କିନ୍ତୁ ଆଧୁନିକ କବିତା, ନାଟକ, କ୍ଷୁଦ୍ରଗଳ୍ପ ବା ଉପନ୍ୟାସ, ଏପରିକି ଚିତ୍ରକଳା (ନିଛକ ଚମକ ସୃଷ୍ଟିପାଇଁ ଜୋର୍‌ଜାର୍ କରି ଉଦ୍ଭଟ କଥାମାନ ଖଞ୍ଜା ଯାଇଥିବା ଅନ୍ତଃସାରଶୂନ୍ୟ ସାହିତ୍ୟ ନୁହେଁ) ଭଳି ଏ ଆପାତ ଅସଂଲଗ୍ନତା ଭିତରେ ଯଦି ଆଧ୍ୟାତ୍ମିକ ବା ମନସ୍ତାତ୍ତ୍ଵିକ ଯୋଗସୂତ୍ର ଥାଏ, ତେବେ ତ ପୂଜାସଂଖ୍ୟା ‘କ୍ଷୀରନୀର’ ପାଇଁ ଏକ ସରସ ଉପାଦାନ ମିଳିଯିବ । ତା’ଛଡ଼ା ଆମ ବଇକୁ ସଂସାରୀ କରିବାର ଗୋଟିଏ ବାଟ ମଧ୍ୟ ମିଳିଯାଇପାରେ ।

 

ଉକ୍ତ ରହସ୍ୟ ବିଷୟରେ ଯେଉଁ ରିପୋଟ ମିଳିଲା ତାହା ଏହିପରି । ବ୍ୟାପାରଟି ବଡ଼ କରୁଣ । ମୁଁ ଓ ବଇ ଖାଉ ଖାଉ ମୋ ସ୍ତ୍ରୀ ରିପୋଟ ପେସ୍ କଲେ ।

 

ପ୍ରାୟ ପ୍ରତିଦିନ ଖରାବେଳେ ସୌଦାମିନୀ ସୁମତି ଘରକୁ ଯାଆନ୍ତି । ଦୁଇବନ୍ଧୁ ମନଖୁସିରେ ଗପସପ କରନ୍ତି । ଅଳ୍ପଦିନ ତଳେ ସୌଦାମିନୀ ଗଲାବେଳକୁ ସୁମତି ଖଟଉପରେ ମୁହଁମାଡ଼ି ଗୁମୁରି ଗୁମୁରି କାନ୍ଦୁଚି । ଖିଆ ହୋଇନି ସେ ପର୍ଯ୍ୟନ୍ତ । ଦି’ଜଣଙ୍କ ଭିତରେ କଅଣ କଳି ଲାଗିଥିବ ଭାବି ସେ ଫେରି ଯାଉଥିଲେ । କିନ୍ତୁ ଆଖି ବୁଲାଇ ଦେଖିଲେ, ଘରର ଜିନିଷ ପତ୍ର ଠିକ୍ ସେମିତି ସଜାହୋଇ ରହିଚି, କିଛି ଏପାଖ ସେପାଖ ହୋଇନି । ଭାବିଲେ, ରଞ୍ଜୁ ଯଦି ରାଗି ଚାଲିଯାଇ ଥାଆନ୍ତା ତେବେ କ’ଣ ଘରର ଅବସ୍ଥା ଏମିତି ଥାଆନ୍ତା । ପୃଥିବୀରେ ଏମିତି ସ୍ୱାମୀ କେହି ନାହିଁ ଯେ ସ୍ତ୍ରୀ ଉପରେ ରାଗିଲେ ଦି’ଚାରିଟା ଜିନିଷ ଫୋପାଡ଼ି ବା ଚିରାଚିରି ନ କରି ରହିପାରିବ । ଅନ୍ତତଃ ସେ ସୁଟ୍‌କେସ ଉପରେ ଯେଉଁ ପୁରୁଣା ଢାଙ୍କୁଣୀଟା ଅଛି ଅକ୍ଳେଶରେ ତା’ କଣରୁ ଟିକିଏ ଚିରି ତଳେ ତ ପକାଇ ଦେଇଯାଇ ପାରିଥାନ୍ତା ରଞ୍ଜୁ ।

 

ଇୟା ଭିତରେ ଆଉ କିଛି କଥା ଅଛି ଭାବି ସୌଦାମିନୀ ସୁମତି ପାଖରେ ବସି ତା’ ପିଠି ଆଉଁଷୁ ଆଉଁଷୁ ପଚାରିଲେ, କିଲୋ କଅଣ ହୋଇଚି ?

 

ସୁମତି ତକିଆରେ ମୁହଁକୁ ଆହୁରି ଗୁଞ୍ଜିଦେଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

—ଆଲୋ କାନ୍ଦ ସେତିକି ଥାଉ । ରଞ୍ଜୁ କହିଲା କି ?

 

ସୁମତି ସାପ ପରି ଫାଁଏ କିନା ଉଠି କହିଲା, ତୁମ ସହିତ ଆମେ ଏତେଦିନ ରହିଲେଣି ଅପା । କେବେ ସେ ଉଁ କି ଚୁଁ କିଛି ମୋତେ କହିବାର ଶୁଣିଚ ଯେ ଆଜି ତାଙ୍କ ନା’ ରେ ବଦନାମ ଦେଉଚ ?

 

—ମାଆଲୋ ଘଇତାସୁଆଗୀ ! ପତି ନିନ୍ଦା ଶୁଣି ଛାତି ଫାଟି ଯାଉଚି ! ହଉ ମାନିଲି ଦୋଷ । କାନ୍ଦୁଚୁ କାହିଁକି ଏବେ କହ ।

 

—ଆଜି ବି ସେ ନ ଖାଇ ଗଲେ ।

 

କହୁ କହୁ ସୁମତିର ଆଖିରୁ ପାଣି ଝରିପଡ଼ିଲା । ସୌଦାମିନୀ କୋଳରେ ମୁହଁ ଗୁଞ୍ଜି ସେ ପୁଣି କାନ୍ଦିବାକୁ ଲାଗିଲା ।

 

—ଉପାସ ଗଲା ? କାହିଁକି ? ତୁ କିଛି କହିଲୁ କି ?

 

ସୌଦାମିନୀ କୋଳରୁ ପୁଣି ଫାଏଁ କିନା ଉଠି ସୁମତି କହିଲା, ତୁମ ସହିତ ଆମେ ଏତେଦିନ ରହିଲେଣି ଅପା । ମୁଁ ତାଙ୍କୁ କେବେ କିଛି କହିବାର ଶୁଣିଚ ଯେ ଆଜି ମୋ ନା’ରେ କଳଙ୍କ ଲେପନ କରୁଚ ? ମନ ଭାରି ଦୁଃଖ ହେବାରୁ ଖାଲି ତାଙ୍କୁ ନେହୁରା ହୋଇଥିଲି ଯେ, ତାଙ୍କ ଜିଭରୁ ସୁଆଦ ଗଲାଣି, ଡାକ୍ତର ଦେଖାନ୍ତୁ ।

 

—ମଲା, ଆଜି ଏଟା ସାପ ଭଳି କାହିଁକି ଫାଏଁ ଫାଏଁ ହେଉଚି ବା । ସାଧୁ ଭାଷାରେ କହୁଚି ପୁଣି ଦେଖ ‘କଳଙ୍କ ଲେପନ’ । କିଲୋ ଭଲରେ ମନ୍ଦରେ ଆମେ ଯଦି ତାଙ୍କୁ ନ କହିବା ସଂସାର ଚାଲିବ କେମିତି । ସେଇଥିପାଇଁ ତ ଆମ ଜନମ । ସେମାନେ ସିନା ଆମ ପ୍ରତି ଖରାପ ବ୍ୟବହାର କଲେ ଅଣପୁରୁଷା ମାଇଚିଆ ବଦନାମ ନେବେ । ଛାଡ଼, ରଞ୍ଜୁ ଓପାସ ଗଲା କାହିଁକି ?

 

—ଓପାସ କାହିଁକି ଯିବେ ବା । ଆଜି ଫେଣେ ସେଇ ଘାଣ୍ଟ ତୁଉଣ ରାନ୍ଧିଥିଲି କେତେ ମନଦେଇ । ଜିଭରେ ସେଥିରୁ ଗାରେ ମାରିଚନ୍ତି କି ନା ତାଟିଆକଯାକ ସେମିତି ଥୋଇଦେଇ ଗଲେ ।

 

କହୁ କହୁ ସୁମତି ପୁଣି ଲୋଟି ପଡ଼ିଲା ସୌଦାମିନୀ କୋଳରେ ।

 

—ମଲା ଯା, ଏଇ କଥା । ଏଥର ମୁଁ ବତେଇ ଦେବି ଘାଣ୍ଟ ତୁଉଣ । ଦେଖିବା ଭଲା କେମିତି ନ ଖାଇବ । କହନ୍ତି ନାହିଁ, ଭଲ ରାନ୍ଧି ଜାଣିଲେ ପତି ପଣତ ଛାଡ଼ିବ ନାହିଁ । ଆଲୋ ପୁରୁଷମାନେ ଭାରି ବିକଳିଆ, ଭାରି ସୁକୁମାରିଆ । ଖାଲି ସୁକୁମାରିଆ ଖାଇବେ । ଆମର ମୋଟାରୋଟା ହେଲେ ଚଳିଯିବ ।

 

—ନାଇଁମ ଅପା, ଏ କଅଣ ପହିଲି ଥର କି ? ତୁମକୁ କହିନି, ଏ କଥା କେବେ । ବାହା ହବା ଦିନୁ ନ ଜାଣି ତିନିଶହ ଥର ରାନ୍ଧି ସାରିବିଣି । କେବେହେଲେ ତାଙ୍କ ସୁଆଦଲାଖି ହୁଅନ୍ତା । ଲାଜରେ ସଢ଼ି ଯାଉଛି ଅପା । କଅଣ ହବ ଏ ଜୀବନ ରଖି । ମା ବସୁଧା ତୁ ଫାଟି ଯା......

 

—ମୋତେ ତ କେବେ ପଚାରି ନାହୁଁ ?

 

—ବାଆଁରେଇ ବାଆଁରେଇ ପଚାରିଚି । ସବୁ କଥା ଖୋଲି କହିନି । ଖାଲି ତୁମକୁ ? ବୋଉ, ଭାଉଜ, ମାଇଁ, ଆକାଶବାଣୀ, ପତ୍ରିକା ଯାହାକୁ ପାରିଚି ପଚାରିଚି । ଯାବତୀୟ ବହି ପଢ଼ିଲି-। ଯେତେ ପ୍ରକାରେ ରାନ୍ଧିଲି କିଛି ତାଙ୍କ ମନକୁ ପାଇଲା ନାହିଁ ଆଜି ପର୍ଯ୍ୟନ୍ତେ । ସେଇ ଗାରେ-। ମୁହଁରେ ତ କେବେ କିଛି କହନ୍ତି ନାହିଁ । ହେଲେ ସେତିକିରେ ମୋ ଛାତି ଫାଟିଯାଏ-

 

—କଅଣ କହେ ସେ ? କଅଣ ରାଗ ହେଲା, ନା ଲୁଣିଆ, ନା ଅଲଣା, ନା ମସଲାଗନ୍ଧ, ନା କଅଣ ?

 

—କିଛି କଅଣ କହନ୍ତି । ଖୁବ୍ ନେହୁରା ହୋଇ ଥରେ ପଚାରିଲି ଯେ କହିଲେ, ସେମିତି ରଙ୍ଗ ତ ହଉନି, ସୁଆଦ କଥା ପଛେ ।

 

—କେମିତିକା ବା ?

 

—କଥାଟା ତୁମକୁ କହିନି ଆଜିଯାକେ । କଥା କଅଣ କି, ପି.ଏଚ୍.ଡ଼ି. କରିବା ପରେ ଏଙ୍କର କଅଣ ଖିଆଲ ହେଲା ସନ୍ନ୍ୟାସୀ ହୋଇ ଚାଲିଗଲେ କଉ ଆଶ୍ରମକୁ । ସେଇବର୍ଷ ସେ ରଥଯାତ୍ରାକୁ ପୁରୀ ଆସିଥିଲେ ଆଶ୍ରମର ଆଉ ସବୁ ବାବାଜୀଙ୍କ ସାଙ୍ଗରେ ସେବାଦଳ ଗଢ଼ି ।

 

—ସତେ ନା ! କେମନ୍ତ ! ସନ୍ନ୍ୟାସୀ ! ରଞ୍ଜୁର ତ ଭାରି ସାହସ ।

 

—ଆଉ ! ଅପା, ସେଇଠି ପରା ମୁଁ ତାଙ୍କୁ ପହିଲି ଦେଖିଲି । ମୁଁ ଯାଇଥିଲି ବାପାଙ୍କ ସାଙ୍ଗରେ । ବଡ଼ ଠାକୁରଙ୍କ ରଥ ଉପରେ ବାପାଙ୍କ ସାଙ୍ଗରେ ତାଙ୍କର ଦେଖାହେଲା ଯେ ସେ କିଛି ସମୟ ବାପାଙ୍କ ସହିତ କଥାଭାଷା ହେଲେ । ତାଙ୍କ ବାପା ଥିଲେ ମୋ ବାପାଙ୍କ ସାଙ୍ଗ । ସେଇଠି ପରା, ଅପା କାହାକୁ କହିବନି ମୋ ରାଣ, ବଡ଼ ଠାକୁରଙ୍କୁ କହିଲି ଏଙ୍କୁଇ ବାହା ହେବି । ସେଇଦିନୁ ଠାକୁରଙ୍କୁ କମ୍ ଡାକିଚି ।

 

—ଆଚ୍ଛା ! ସେଇଠୁ କଅଣ ହେଲା ?

 

—ସେଠି ଜଗନ୍ନାଥ ଦାସ ମଠରେ ଏଙ୍କ ସେବାଦଳକୁ ଦିନେ ଖାଇବାକୁ ଦେଇଥିଲେ ଯେ ଘାଣ୍ଟ ତୁଉଣ ରାନ୍ଧିଥିଲେ । ବାହା ହବା ପରେ ଦିନେ ସେ ତା ପ୍ରଶଂସା କଲେ । ତା ରଙ୍ଗ ବି କାଳେ ଏମିତି ହୋଇଥିଲା ଯେ ଦେଖିଲେ ମନ ମୋହିଯିବ । ଶୁଣିବାଦିନୁ ତ ଲାଗିଚି କେମିତି ସେ ସୁଆଦ ଛଡ଼େଇ ମୋ ଘାଣ୍ଟତୁଉଣ ସୁଆଦ ଲଗେଇବି ।

 

—କେମିତି ରଙ୍ଗ ହୋଇଥିଲା କି ?

 

—କାଳେ ସୁନା ଭଳି । ଆଚ୍ଛା ଅପା, ଘାଣ୍ଟରେ ସାରୁ ପଡ଼େଟି ? ମୁଁ କେବେ ପକେଇନଥିଲି ବା । ଏ ପୋଡ଼ାମୁହୀଁ ଆକାଶବାଣୀ କଥାରେ ଆଜି ପକେଇ ଦେଲି ବା । ମୋଟେ ଚାରି ଛ’ ଫାଳ ମ ।

 

—ରଞ୍ଜୁକୁ ପଚାରିଲୁ ନାହିଁ କି କି ପରିବା ପଡ଼ିଥିଲା ?

 

—କିଛି କଅଣ କହି ପାରୁଚନ୍ତି ! ଖାଲି କହିଲେ ବୋଇତାଳୁ ଖଣ୍ଡମାନ ପଡ଼ିଥିଲା । ସେଇଟା ମନେଅଛି କାହିଁକି ନାଁ କାଳେ ହଳଦିଆ ତରକାରିରେ ବୋଇତାଳୁର ନେଳି ଚୋପା ଯଶୋଦା କୋଳରେ ପୀତାମ୍ୱର ଶ୍ରୀକୃଷ୍ଣଙ୍କ ଭଳି ଦିଶୁଥିଲେ । ସେ କୁଆଡେ଼ ତାକୁ ଦେଖି କେତେ କାନ୍ଦିଲେ । କଅଣ ଶୁଣୁଚ ! ମୋତେ କଅଣ କମ୍ କଷ୍ଟ ପଡ଼ିଚି କି ତାଙ୍କ ମନ ଫେରାଇବାକୁ ! କହମ, ସାରୁ ପଡ଼େ କି ନା ।

 

—ସାରୁ ତ ଯଶୋଦା କୋଳରେ ବଳରାମଙ୍କ ଭଳି ଦୁଶିବେ । ଯଶୋଦାଙ୍କ କୋଳରେ ଦି’ ଭାଇଙ୍କ ରହିବା କଥା । ନ ହେଲେ କୃଷ୍ଣ ସବୁ ପାଣି କରିଦେବେ ଯେ !

 

—କି ଲନ୍ଦର ପନ୍ଦର କଥା କହୁଚ ମ ?

 

—ଇଲୋ, ଖାଲି ବୋଇତାଳୁ ଦେଲେ ସେଥିରୁ ପାଣି ବାହାରି ତରକାରିକୁ କରିଦିଏ ଯେ ସାରୁ ପକାନ୍ତି ପାଣିଟା ଟାଣିନବ ବୋଲି ।

 

—ରକ୍ଷା କର ।

 

—କିନ୍ତୁ କଥା କ’ଣ ସେଠି ଅଛି ଲୋ ହୁଣ୍ଡି....

 

—ହଁ ହୁଣ୍ଡି କହିବାଟା ଫାବୁଚି । ତାଙ୍କ ମନଲାଖି ସାମାନ୍ୟ ତରକାରିଟାଏ ଯେତେବେଳେ ରାନ୍ଧି ପାରୁନି...ଆଚ୍ଛା ଅପା ଟିକିଏ ଚାଖିଲ, କଅଣ ଖରାପ ହୋଇଚି କହିଲ ।

 

ସୁମତି ଦୌଡ଼ିଯାଇ ତାଟିଆଏ ତରକାରି ଆଣି ସୌଦାମିନୀ ଆଗରେ ଥୋଇଦେଲା । ସୌଦାମିନୀ ଚାଖୁ ଚାଖୁ ତାଟିଆକ ଯାକ ଖାଇଦେଇ କହିଲେ, ବାଃ ବଢ଼ିଆ ତ ହୋଇଚି । ହେଲେ କଥା ସେଠି ନାହିଁ ଲୋ ହୁଣ୍ଡି । ମୁଁ ତ ଦେଖୁଚି ତୁ ଟାଉକୀଟା....

 

—କଅଣ କହିଲ, କଅଣ କହିଲ ? ମୁଁ ଟାଉକୀ ! ସେ ନ ଖାଇବା ଆଗରୁ ମୁଁ ଭୋଗ ମାରା କରିଦେବି ? ମୋତେ କୁଷ୍ଠ ହବନି ? ମୋ ଜିଭ ଖସିପଡ଼ିବନି ?

 

ସୌଦାମିନୀ ହସି ହସି କହିଲେ, ତୁ ପୋଡ଼ାମୁଁହୀ ଭାରି ଟାଉକୀ । ବାହା ହଉ ହଉ ରଞ୍ଜୁକୁ ପୂରା ଗ୍ରାସ କରିଦେଲୁ । ତା’ର କେହି ନାହିଁ ବୋଲି ସିନା । ଥିଲେ ତୋତେ ପାଣିପେଇ ଦେଇ ନ ଥାନ୍ତେ ! ଓଗାଳ, ଓଗାଳ ବଦମାସ କିଛିଟା, ହଜମ ହେବା ପୂର୍ବରୁ ।

 

—ମୁଁ କିଛି ବୁଝିପାରୁନି ତମେ କଅଣ ଲନ୍ଦର ପନ୍ଦର କଥା କହୁଚ !

 

—ମରିଯାଉଥାଏଟି ! କିଛି ବୁଝି ପାରୁନାହୁଁ ! ଇଲୋ ହେଏ । ତାକୁ ଏତେ ଘରକାମରେ ଲଗେଇଚୁ କାହିଁକି ଶୁଣେ ? ଘର ଝାଡ଼ୁ ଦେବା, ଗୁହାଳ ସଫା କରିବା, ସିଲେଇ କରିବା......

 

—ହଁ ମ ଅପା । ଦେଖିବ ମୋ ବ୍ଲାଉଜରେ କେତେ ସୁନ୍ଦର ଛୁଞ୍ଚି କାମ କରିଚନ୍ତି ।

 

—ସବୁ ଦେଖିଚି । ଇଲୋ ହୁଣ୍ଡି ଏମିତି କରନ୍ତି ?

 

—ନାଇଁତ ! ଛାଡ଼ିଦେବି ସନ୍ନ୍ୟାସୀ ହେବାକୁ ! କମ୍ କଷ୍ଟ ମୁଁ କରିଚି ତାଙ୍କ ମନ ମୋ ଆଡ଼େ ଫେରାଇବାକୁ !

 

—କେମିତି କେମିତି ଶୁଣେ ।

 

ମହାଭାରତରେ ପଢ଼ିନ । ସତ୍ୟଭାମାଙ୍କୁ କୃଷ୍ଣ ଏତେ ଭଲ ପାଉଥିଲେ । ହେଲେ ସତ୍ୟଭାମା କୃଷ୍ଣଙ୍କୁ ପୂରା ବାଗେଇ ସେ କେମିତି ସ୍ଵାମୀଙ୍କୁ ବଶ୍ୟରେ ରଖିଛନ୍ତି ।

 

—କଅଣ ଚେରମୂଳ.....

 

—ରାମ ରାମ, ଛି ଛି । ସେ ସବୁ କରିବାକୁ ଦ୍ରୌପଦୀ ମନା କରିଛନ୍ତି । କହିଚନ୍ତି ସେଥିରେ ପୁରୁଷତ ବଶ୍ୟ ହୁଏ ନାହିଁ, ବରଞ୍ଚ ଦେହ ଖରାପ ହୁଏ । ସେ ଅନ୍ୟ ଅନେକ ଉପଦେଶ ଦେଇଛନ୍ତି । ସେ ଯାହା ଯାହା କହିଛନ୍ତି ସବୁ କଲି । ତମେ ଯଉ କହିଲନି, ରାନ୍ଧି ଜାଣିଲେ ପତି ପଣତ ଛାଡ଼ିବନି, ଦ୍ରୌପଦୀ ତା’ବି କହିଛନ୍ତି ପରା ! ଆଉ ଆମ ରତିଠାକୁରାଣୀ ତ ଆମକୁ ସବୁବେଳେ ସାହା ।

 

ସୁମତି ରତିଦେବୀଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ପ୍ରଣାମ କଲା ।

 

ସୌଦାମିନୀ ଗମ୍ଭୀରଭାବରେ କହିଲେ, ତା’ ହେଲେ ବି ପୁରୁଷଙ୍କୁ ଏତେଦୂର ସଂସାରୀ କରିବା ଉଚିତ ନୁହେଁ । ଆମ କାମକୁ ସେମାନେ ଖଇଚା କରିବେ, ଗୋଳମାଳ ପୁରେଇବେ । ଅବଶ୍ୟ ସନ୍ନ୍ୟାସୀ ହୋଇ ଗୁରୁଗିରି କରି ଅନ୍ୟମାନଙ୍କୁ ଉପଦେଶ ଦେଇ ପେଟପୋଷିବାଠାରୁ ଘୋର ସଂସାରୀହେବା ହଜାରେ ଗୁଣେ ଭଲ, କିନ୍ତୁ ପୁରୁଷ ବେଶୀ ସଂସାରୀ ହେଲେ ତା’ ମନ ଛୋଟ ହୋଇଯିବ । ଛୋଟ କଥାର ଭାରି ଦାଉ, ଭାରି ବିଷ । ତାକୁ ସମ୍ଭାଳିବା ଭାଳି ପୁରୁଷର ଶକ୍ତି ନାହିଁ । ଦ୍ରୌପଦୀଙ୍କ ସେଇ ଉପଦେଶରେ ପଢ଼ିନୁ, ସେ ନିଜେ ଘରର ହାଲଚାଲ, ଖରଚ ବାରଚ ସବୁ ବୁଝୁଥିଲେ, ସ୍ୱାମୀଙ୍କୁ ସେଥିରେ ପୂରାଉ ନ ଥିଲେ । ତା’ହେଲେ ଯାଇ ପୁରୁଷ ଅସୀମ ବିଷୟରେ ଭାବିବ, ବିଜ୍ଞାନ, ସାହିତ୍ୟ, ଦର୍ଶନ ସୃଷ୍ଟି କରିବ । ନହେଲେ ଖାଲି ପଇସା ପଇସା ହବ । ଖାଲି ନିଜେ କେମିତି ବଡ଼ ହବ, ସୁଖରେ ରହିବ ଏଇ ସବୁଥିରେ ମାତିବ । ନିଜ ପିଲାଛୁଆଙ୍କୁ ବି ଅନେଇବ ନାହିଁ । ପୁରୁଷଙ୍କୁ ସିଆଡ଼େ ଟିକିଏ ନ ଛାଡ଼ିଲେ ସଂସାର କରିବାରେ ରଗଡ଼ ବି ଆସିବ ନାହିଁ । ତୁ ତ ଟାଉକୀ । ରଞ୍ଜୁକୁ ପୂରା ଚାପିଦେଲୁ, ତାକୁ ଆଉ ଘାଣ୍ଟତୁଉଣ ଭଲ ଲାଗିବ କେମିତି ?

 

—କାହିଁକି ?

 

—ଇଲୋ, ମନର ଯଉ ଅବସ୍ଥାରେ ତାକୁ ପୁରୀ ଘାଣ୍ଟତିଅଣ ଭଲ ଲାଗିଥିଲା, ସେ ମନ ତ ତା’ର ପୂରା ମାରିଦେଲୁ । ତାକୁ ଆଉ ତୋ ଘାଣ୍ଟ ତୁଅଣ ଭଲ ଲାଗିବ କେମିତି ?

 

ଏହି ସମୟରେ ବାହାରୁ ଏକା ସାଙ୍ଗରେ ଅତି କୋମଳ ସ୍ୱରରେ ଶୁଭିଲା, ମିନୀ କବାଟ ଖୋଲ, ସୁମତି କବାଟ ଖୋଲ ।

 

ଇଲୋ ବୋଉ, ଗପୁ ଗପୁ ଏତେ ବେଳ ହୋଇଗଲା ! କହି ଦୁଇଜଣଯାକ ଛିନିକାନିଆ ହୋଇ ଉଠିଗଲେ ।

 

ରଞ୍ଜୁ-ସୁମତି-ଘାଣ୍ଟତୁଉଣ-ପାକପ୍ରଣାଳୀ ରହସ୍ୟ ଉଦ୍‌ଘାଟିତ ହେଲା । ହୁଏତ କଳା ଦୃଷ୍ଟିରୁ ଏଇଠି ବନ୍ଦ କରିବା ଉଚିତ । ବନ୍ଦ ମୁଁ କରିଥାଆନ୍ତି । କିନ୍ତୁ କଅଣ ଗୋଟାଏ ଏମିତି ଘଟିଗଲା ଯେଉଁଥିରେ ସେ ଘଟନା ଓ ଅନ୍ୟାନ୍ୟ ଯେତେ ଘଟନା କଥା ମୂଳରୁ କହିଲି ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବା ମନସ୍ତାତ୍ତ୍ଵିକ ଯୋଗସୂତ୍ର ନ ପାଇଥିବାରୁ ବଇକୁ ଗୃହୀ କରିବା ବାଟ ପାଇନଥିଲେ ହେଁ ଏବଂ ସୌଦାମିନୀ ବା ସୁମତି କେହି ସେ ବିଷୟରେ ବଇକୁ କିଛି କହିନଥିଲେ ହେଁ ବଇ ତା’ ଆପଣାଛାଏଁ ଛାଏଁ କାନ୍ଦ କାନ୍ଦ ହୋଇ ତା’ ଭାଉଜକୁ କହିଲା, ଭାଉଜମ ବାହା ହେବି-! ନିଶ ଦାଢ଼ି କାଟି, ଆଲଖାଲ୍ଲା ଫୋପାଡ଼ି ଦେଇ ସେ ତିଆରି । ଆମେ ଆନନ୍ଦିତ ଓ ଆଶ୍ଚର୍ଯ୍ୟ-! ମୋ ସ୍ତ୍ରୀ ତ ଗୋଟାଏ ଶଙ୍ଖ ଆଣି ଏମିତି ଲହରେଇ ଲହରେଇ ବଜେଇଲେ ଯେ ପଡ଼ିଶା ଘରୁ ଲୋକ ଦୌଡ଼ି ଆସିଲେ ।

 

ତେଣୁ କଥାଟାକୁ ଆଉ ଟିକିଏ ଲମ୍ବାଇବାକୁ ପଡ଼ୁଚି କଳାଦୋଷ ଘଟିବାର ଆଶଙ୍କା ଥିଲେ ବି । କଳାଦୋଷ ଘଟିବ ବା କାହିଁକି ? ବାହାର କଥାମାନ ଯେମିତି ଘଟନା, ମନ ଭିତର କଥାମାନ ସେମିତି ଘଟନା । ଗୋଟାଏ ବିଷୟରେ ଯୁକ୍ତି ତର୍କ ବା ଆଲୋଚନା ବି ସେମିତି ଘଟନା-। ଆବେଗ ସୃଷ୍ଟି କରିପାରିଲେ ହେଲା । ବ୍ୟଷ୍ଟିର ସେଇ ଆବେଗ ଦୃଷ୍ଟିରୁ ସମଷ୍ଟିର ବା ଏକ ଦୃଷ୍ଟିରୁ ବହୁର ବିଚାର ତ କ୍ଷୁଦ୍ରଗଳ୍ପ । ଆଉ କ୍ଷୁଦ୍ରଗଳ୍ପ ଯେ ମାତ୍ର ଗୋଟିଏ ଘଟନା ବା ମାତ୍ର ଗୋଟିଏ ଆବେଗ ବିଷୟରେ କହିବି ଏମିତି କିଛି କଥାନାହିଁ । ଏହା ଏକା ସାଙ୍ଗରେ ଅନେକ ପ୍ରକାର ଆବେଗ ସୃଷ୍ଟି କରିପାରେ, ବା ଏକ ଗୋଳମାଳିଆ ଅନିର୍ଦ୍ଦିଷ୍ଟ ଅସ୍ପଷ୍ଟ ଆବେଗ ସୃଷ୍ଟି କରିପାରେ । ଏପରି ଆବେଗ ତ ସବୁଠାରୁ ଶକ୍ତିଶାଳୀ ।

 

ସେ ଯାହାହେଉ, ବଇ ବାହା ହବାକୁ ରାଜି ହେବାର ଠିକ୍ ପୂର୍ବ ଘଟନାଟି ସୌଦାମିନୀ ପାଖରୁ ଯାହା ଶୁଣିଲି ତାହା ଏହିପରି ।

 

ଦିନେ ସନ୍ଧ୍ୟାବେଳେ ମୋ ସ୍ତ୍ରୀ ବଇକୁ ଜୋରଜାର କରି ରଞ୍ଜୁଘରକୁ ନେଇଗଲେ । କିଛି ଖାସ୍ ଉଦ୍ଦେଶ୍ୟ ନଥିଲା । ଖାଲି କେମିତି ଏମାନଙ୍କ ସାଙ୍ଗରେ ବଇ ମଶୁ ଏଇ ମତଲବ । ସୁମତି ପ୍ରଥମେ ଡରିଥିଲା ସିନା, କିନ୍ତୁ ପରେ ମତ ଦେଲା ବଇ ବିଚାରା ନିରୀହ । ମୋ ସ୍ତ୍ରୀ ତେଣୁ ସାହସ ପାଇଥିଲା । ସେଦିନ କଥାରେ କଥାରେ ବଇ କହିଲା, ବୁଝିଲ ଭାଉଜ, ମନସ୍ତତ୍ତ୍ୱ କହେ ପୁରୁଷ ହେଉ ବା ନାରୀ ହେଉ ଆମର ସବୁ କଥାବାର୍ତ୍ତା କ୍ରିୟାକଳାପ ମୂଳରେ ଅଛି ଅଦମ୍ୟ ଯୌନପ୍ରବୃତ୍ତି । ତାକୁଇ ଚରିତାର୍ଥ କରିବାରେ ଅବାଧ ସୁବିଧା ଦେଲେ, ଖାଲି ସେଇଦିଗରେ ନୁହେଁ, ସବୁଦିଗରେ ଯାହା ଖୁସି ତାହା କରିବାର ଅବାଧ ସୁବିଧା ଦେଲେ ଏକ ସୁନ୍ଦର ସମାଜ ଗଢ଼ି ଉଠିବ । ପୃଥିବୀର ସବୁ ସମାଜ ସେଇ ଦିଗରେ ଗତି କଲେଣି । ମୁଁ ବି ଭାରତରେ ସେହିପରି ଏକ ସମାଜ ଗଢ଼ିବି । ସେଦିନ, ସେ ବିପ୍ଳବ ଆସୁଚି ଯେବେ ମଣିଷ ମଣିଷ ଭିତରେ ସହଜ ସୁନ୍ଦର ସଂପର୍କ ସ୍ଥାପିତ ହେବ-। ନୂତନ ଭାବ ଜାଗ୍ରତ ହେବ । ନୂତନ ଭଗବାନ ସମ୍ଭବ ହେବେ । ବିଶୃଙ୍ଖଳା ତାହାର ପ୍ରଥମ ସୋପାନ । ସେଥିରେ ସୌଦାମିନୀଙ୍କ ଏ ଧୂଆଁଳିଆ ପ୍ରତାରଣା ଭାସିଯିବ ।

 

ରଞ୍ଜୁ କହିଲା, ମିନୀ ଅପା ଯେଉଁ ଶୃଙ୍ଖଳା କଥା କହୁଚି ଆଉ ତୁ ଯେଉଁ ବିଶୃଙ୍ଖଳାକୁ ଆବାହନ କରୁଚୁ, ଦୁହେଁ ସମାନ । ମୁଁ ଏହାର ଗାଣିତିକ ଦିଗ ବିଷୟରେ ଗବେଷଣା କରୁଚି । ଏହାର ମ୍ୟାଥେମ୍ୟାଟିକେଲ୍ ଫରମୁଲାଟି ହେଉଚି—ଭି ଇକୋୟେଲ୍‌ଟୁ ରୁଟ୍‌ଓଭର ଓଆନ୍ ବାଇ କାପ୍‌ପା ମିଉ.......

 

ସୌଦାମିନୀ ହାତ ହଲାଇ କହିଲେ, ରଞ୍ଜୁ, ତମ ଫର୍‌ମୁଲା ରଖି ଆମେ ବୁଝିଲା ଭଳି ଭାଷାରେ ବୁଝାଇ ଦିଅ ।

 

ରଞ୍ଜୁ ସଜାଡ଼ି ହୋଇ ବସି ଦି’ଚାରି ଥର ଗଳା ସଫାକରି ଆରମ୍ଭ କଲା–ଅଲ୍ ରାଇଟ୍ । ଅପା ଯେଉଁ ଫୋର୍ସ କଥା କହୁଛି, ଆଉ ବଇ ଯେଉଁ ଫୋର୍ସ କଥା କହୁଚି, ବା ସାରା ବିଶ୍ୱରେ ଆଲୋକ, ଶବ୍ଦ, କାମ, ହିଂସା, ଧର୍ମ, ଆଦର୍ଶ ଭଳି ଯେତେ ଫୋର୍ସ କାମ କରୁଛନ୍ତି, ସବୁ ହେଉଚନ୍ତି ଗୋଟିଏ ଗୋଟିଏ ଭୌତିକ ଫୋର୍ସ କ୍ଲିୟର ?

 

—ଗୁଡ଼୍ । ପ୍ରତ୍ୟେକ ଭୌତିକ ଫୋର୍ସ ହେଉଚି ଗୋଟିଏ ମାତ୍ର ମୌଳିକ ଫୋର୍ସର ଫ୍ରାକ୍‌ସନ୍ୟାଲ ବା ଭଗ୍ନାଂଶ ଫୋର୍ସ । ସେ ମୌଳିକ ଫୋର୍ସଟି ହେଉଚି ଦି ଇୟୁନିଟି ଯାହାକୁ ପ୍ରେମ ବା ଐକ୍ୟଭାବ କହିପାର । ଏହା କନ୍‌ଷ୍ଟାଣ୍ଟ ବା ନିତ୍ୟ ଓଆନ୍ । କ୍ଲିୟର ?

—ନୋ ? ଆଚ୍ଛା, ବୁଝେଇ ଦେଉଚି । ଏଇ ନିତ୍ୟ ଓଆନ ଏକ୍‌ଟିଭ ହେଲେ ନିଜକୁ ବହୁ ଭାଗରେ ବିଭକ୍ତ କରେ । ଯେପରି ଧର, ଆଲୋକ ଯଦି ହେଲା ଓଆନ୍ ବାଇ ଏକ ହଜାର, ହିଂସା ହେଲା ଧର ଓଆନ୍ ବାଇ ଏକଲକ୍ଷ ଇତ୍ୟାଦି ଇତ୍ୟାଦି, ଏମିତି । କ୍ଲିୟର୍ ?

—ଭେରିଗୁଡ଼୍ । ନାଓ, ଦେଖାଯାଉଚି ଯେ କୌଣସି ଫ୍ରାକ୍‌ସନ୍ୟାଲ୍ ଫୋର୍ସର ଡିନୋମିନେଟର ବା ଭଗ୍ନାଂଶର ତଳ ସଂଖ୍ୟା ଯେତେ ବେଶି ତା’ର ସ୍ଥୂଳତ୍ୱ ସେତେ ବେଶି ଓ ଇମପାକ୍‌ଟ ବା ସଂଘାତ ସେଇହେତୁରୁ ସେତେ ବେଶି । ଇୟା ମାନେ ନୁହେଁ ଯେ ତା’ର ଶକ୍ତି ସେତେ ବେଶି । ଡିନୋମିନେଟର ଯେତେ କମିବ ଫ୍ରାକ୍‌ସନ୍ୟାଲ ଫୋର୍ସର ଶକ୍ତି ସେତେ ବଢ଼ିବ । କ୍ଲିୟର ?

—ଭେରି ଭେରି ଗୁଡ଼୍ । ନାଓ ଇନ୍‌ଫିନିଟି, ମାନେ ଅସୀମରେ, ଏ ସବୁ ଫୋର୍ସ ଅଲଗ୍ ଅଲଗ୍ ଭାବେ କାମ କରୁଛନ୍ତି । ଇନଫିନିଟର ପ୍ରଥମ ଫଙ୍କ୍‌ସନ୍ ହେଉଚି ଡିନୋମିନେଟର୍‌କୁ କମାଇ କମାଇ ନିଉମେରେଟର୍, ମାନେ ଭଗ୍ନାଂଶର ଉପର ସଂଖ୍ୟା (ଆଗରୁ କହିଚି ଉପର ସଂଖ୍ୟାଟି ହେଉଚି କନ୍‌ଷ୍ଟାଣ୍ଟ୍ ଓଆନ୍, ପ୍ରେମ) ସହିତ ସମାନ କରିବା । ମାର୍କ୍‍ ଇୟୂ । ସମାନ କରିବା-। ଦୁହିଁଙ୍କୁ ମିଳାଇ ଏକ କରିଦେବା ନୁହେଁ । ସେପରି କରିବାଟା ହେଉଚି ଇନ୍‌ଫିନିଟିର ସେକେଣ୍ଡ୍ ଫଙ୍କସନ । ଯେତେବେଳେ ସବୁ ଫ୍ରାକ୍‌ସନାଲ ଫୋର୍ସ ଓଆନ୍ ବାଇ ଓଆନ୍ ଅବସ୍ଥାକୁ ଆସିଯିବେ ସେତେବେଳେ ଯାଇ ଇନ୍‌ଫିନିଟିର ଦ୍ଵିତୀୟ ଫଙ୍କ୍‌ସନ ଆରମ୍ଭ ହେବ ଏବଂ ସବୁ ମିଶି ହେବେ ଜିରୋ । ମୌଳିକ ଫୋର୍ସ ସେତେବେଳେ ଇନ୍‌ୟାକ୍ଟିଭ ବା ଅକାମୀ ବା ନିର୍ଗୁଣ ହୋଇଯିବ-। ଏହାକୁ ପ୍ରଳୟ କହିପାର । ସେଟା ହେବାକୁ ଆଉ କେତେ କୋଟି କୋଟି ବର୍ଷ ଅଛି ସେ ବିଷୟରେ ମୋ ଗବେଷଣା ଶେଷ ହୋଇନାହିଁ । କ୍ଲିୟର୍ ?

—ଫାଇନ୍ । ନାଓ, ଇନଫିନିଟିର ପ୍ରଥମ ଫଙ୍କ୍‌ସନ୍ ଅନୁସାରେ ପ୍ରତ୍ୟେକ ଫ୍ରାକ୍‌ସନ୍ୟାଲ୍ ଫୋର୍ସର ଡିନୋମିନେଟର୍ ଦିନକୁ ଦିନ କମି କମି ଯାଉଚି । ଆଗରୁ କହିଚି ଡିନୋମିନେଟର୍ ଯେତେ କମୁଥିବ ଅର୍ଥାତ୍ ଯେତେ ନିଉମେରେଟର୍‌ର ନିକଟବର୍ତ୍ତୀ ହେଉଥିବ ସେତେ ତା’ର ସଂଘାତ କମୁଥିବ । କିନ୍ତୁ ଶକ୍ତି ବଢ଼ୁଥିବ । ଆଉ ଗୋଟାଏ ଅବସ୍ଥାରେ ତାହା ମ୍ୟାଗ୍‌ନେଟାଇଜ୍ଡ଼୍ ହେବ । ଦି ମ୍ୟାଗ୍‌ନେଟିକ୍ ୟାକ୍‌ସନ୍ କଫ୍ ଦି କନ୍‌ଷ୍ଟାଣ୍ଟ ଓଆନ୍ ଇନ୍ ଦି ଇନ୍‌ଫିନିଟି । କ୍ଲିୟର୍ ?

—ନା, ଆଉ ଟିକିଏ ବୁଝାଇବାର ଅଛି । ଓଆନ୍ ବାଇ ଓଆନ୍, ଯାହା ଇନ୍‌ଫିନିଟିର ପ୍ରଥମ ଫଙ୍କ୍‌ସନ୍ ଅନୁସାରେ ଫ୍ରାକ୍‌ସନ୍ୟାଲ୍ ଫୋର୍ସର ଚୂଡ଼ାନ୍ତ ଅବସ୍ଥା, ମାନେ କଅଣ ? ଆଲୋକକୁ ଆମେ ଧରିଛୁ ଓଆନ୍ ବାଇ ଏକ ହଜାର । ଏହାର ଡିନୋମିନେଟର କମିବା ଅନୁସାରେ ଏ କ୍ରମେ ଶବ୍ଦ, ଅନ୍ଧକାରରେ ପରିଣତ ହେବ । ସେମିତି ଓଆନ୍ ବାଇ ଏକ ଲକ୍ଷ ଅର୍ଥାତ୍ ହିଂସା । ଏହାର ଡିନୋମିନେଟର ଯେତେ କମୁଥିବ ସେତେ କନ୍‌ଷ୍ଟାଣ୍ଟ ଓଆନ୍ ନିଉମେରେଟର, ବୋଇଲେ ପ୍ରେମର, ନିକଟବର୍ତ୍ତୀ ହେଉଥିବ ଏବଂ ଗୋଟାଏ ଅବସ୍ଥାରେ ମ୍ୟାଗ୍‌ନେଟାଇଜଡ଼୍ ହୋଇ କଲ୍ୟାଣକର ହେବାକୁ ଲାଗିବ । ଯେମିତି ଧର ବ୍ୟକ୍ତିଗତ ହିଂସା ପୃଥିବୀର ଅନ୍ୟାୟ ବିରୁଦ୍ଧରେ ହିଂସା ବା ପୁଞ୍ଜିବାଦ ବିରୁଦ୍ଧରେ ହିଂସାରେ ପରିଣତ ହେବ । ଓଆନ୍ ବାଇ ଓଆନ୍ । ମାନେ ହିଂସା ଥିବ; କିନ୍ତୁ ମଙ୍ଗଳକର ହୋଇ । କ୍ଲିୟର୍ ?

—ବେଶ୍ । ନାଓ ଇନ୍‌ଫିନିଟିର ପ୍ରଥମ ଫଙ୍କ୍‌ସନ୍ ଅନୁସାରେ ଏପରି ଦୁଇ ବା ତତୋଽଧିକ ପରସ୍ପରବିରୋଧୀ ଫ୍ରାକ୍‌ସନ୍ୟାଲ୍ ଫୋର୍ସ କୌଣସି ଏକ କ୍ଷେତ୍ରରେ ଏକ ସାଙ୍ଗରେ କାମ କରୁଥାନ୍ତି ।

—ସେମାନଙ୍କ ମଧ୍ୟରେ ପରସ୍ପର ସଂଘର୍ଷ ଫଳରେ ପ୍ରତ୍ୟେକର ଡିନୋମିନେଟର କମିବାକୁ ଲାଗେ ଏବଂ ତେଣୁ ପ୍ରତ୍ୟେକ ଫ୍ରାକ୍‌ସନ୍ୟାଲ ଫୋର୍ସ ମ୍ୟାଗ୍‌ନେଟାଇଜଡ଼ ଅବସ୍ଥାକୁ ଆସୁଥାନ୍ତି । ସାମଗ୍ରିକ ଭାବରେ ଦେଖିଲେ, ଯାବତୀୟ ବସ୍ତୁ, ଭାବ ବା ଫୋର୍ସ ଗୋଟିଏ ଫିଲ୍‌ଡ଼ ଅଫ୍ ୟୁନିଟି ବା କୋହେସନ୍ ବୋଇଲେ ସଂଶ୍ଳେଷ କ୍ଷେତ୍ରରେ, ଅର୍ଥାତ୍ ଧର୍ମକ୍ଷେତ୍ରରେ ସମବେତ ହୋଇ ନିଜ ନିଜ କାମ କରୁଛନ୍ତି । କାମ ନ କରି ରହିପାରିବେ ନାହିଁ । ଏ ଧର୍ମକ୍ଷେତ୍ର ତେଣୁ କୁରୁକ୍ଷେତ୍ର । କିନ୍ତୁ ଇଣ୍ଡିଭିଜୁୟେଲି ବା ସ୍ଵତନ୍ତ୍ରଭାବରେ ଦେଖିଲେ, ପ୍ରତ୍ୟେକ ସହିତ ପ୍ରତ୍ୟେକର ସମ୍ପର୍କ ବିରୋଧର, ଅର୍ଥାତ୍ ସମସ୍ତେ ଯୁଜୁତ୍ସବ୍ୟ । ଏମିତି କହିଲେ ହବ, ଯାବତୀୟ ବସ୍ତୁ, ଭାବ ବା ଫୋର୍ସ ପରସ୍ପର ବିରୋଧୀ ହେଲେହେଁ ଗୋଟାଏ ଗୁପ୍ତ, ସୁକ୍ଷ୍ମ ଅସ୍ପଷ୍ଟ ଅଥଚ ଶକ୍ତିଶାଳୀ ଐକ୍ୟ ବା ପ୍ରେମସୂତ୍ରରେ ଗୁନ୍ଥା । କାରଣ ସମସ୍ତେ ତ ପ୍ରେମ ବା ଇଉନିଟି ବା କନ୍‌ସଟାଣ୍ଟ୍‍ ଓଆନ୍‌ର ଭଗ୍ନାଂଶଫୋର୍ସ କ୍ଲିୟର୍ ?

ଭେରି ଓୟେଲ୍ । ତେଣୁ ଦେଖାଯାଉଚି ମିନୀ ଅପାଙ୍କ ଫୋର୍ସ ଓ ତାକୁ ବିରୋଧ କରୁଥିବା ବଇର ଫୋର୍ସ ମ୍ୟାଗ୍‌ନେଟାଇଜଡ଼୍ ଅବସ୍ଥାକୁ ଆସିଗଲେ ସମାନଭାବେ ମଙ୍ଗଳକର ହେବ ଏବଂ ଏହିପରି ସବୁ ଫୋର୍ସ । କ୍ଲିୟର୍ ?

—ଥ୍ୟାଙ୍କ୍ ୟୁଃ । ସମବେତ ଭଦ୍ରମହୋଦୟଗଣ ଏବଂ ଭଦ୍ରମହୋଦୟଟି, ମୁଁ ଯାହାସବୁ କହିଲି ତୁଚ୍ଛା ଗଞ୍ଜେଇ । ଆଲୋଚନାଟା ଭିନ୍ନବାଗରେ ଯାଉଥିବାର ଦେଖି ହଠାତ୍ ମନଗଢ଼ା ଅଙ୍କର ହାତୁଡ଼ିରେ ସବୁ ଚୁରମାର୍ କରିଦେଲି । ଦି ପାଉଡ଼ରିଂ ଏଫେକ୍ଟ ଅଫ୍ ମ୍ୟାଥେମେଟିକସ୍ ଏକୁ କୁହନ୍ତି । ନମସ୍କାର । ନାଓ, ସୁମତି ଆଉ ଥରେ ଚା’ ଜଳଖିଆ ଲଗାଅ । ଶ୍ରୋତାମାନେ କ୍ଳାନ୍ତ ଜଣାପଡ଼ୁଛନ୍ତି । ମିନୀ ଅପା, ତୁମେ ଦୟାକରି ରବୀନ୍ଦ୍ରନାଥଙ୍କ ସେଇ ଗୀତଟି ଗାଅ, ଜୟ ତବ ବିଚିତ୍ର ଆନନ୍ଦ—

ସୌଦାମିନୀ ଗାଇଲେ ଏବଂ ତାଙ୍କ ସହିତ ରଞ୍ଜୁ ମଧ୍ୟ ଯୋଗଦେଇ ଗାଇଲା—

 

ଜୟ ତବ ବିଚିତ୍ର ଆନନ୍ଦ, ହେ କବି

ଜୟ ତବ କରୁଣା

ଜୟ ତବ ଭୀଷଣ ସବ କଳୁଷ ନାଶନ

ଜୟ ତବ ରୁଦ୍ରତା

ଜୟ ଅମୃତ ତବ, ଜୟ ମୃତ୍ୟୁ ତବ

ଜୟ ଶୋକତବ ଜୟ ସାନ୍ତ୍ୱନା

ଜୟ ପୂର୍ଣ୍ଣ ଜାଗ୍ରତ ଜ୍ୟୋତି ତବ

ଜୟ ତିମିର ନିବିଡ଼ ନିଶୀଥିନୀ

ଭୟଦାୟିନୀ

ଜୟ ପ୍ରେମ ମଧୁମୟ ମିଳନ ତବ

ଜୟ ଅସହ୍ୟ ବିଚ୍ଛେଦ ବେଦନା ।

 

ବଇ ଏହାପରେ ହଠାତ୍ ବାହାରକୁ ଚାଲି ଆସି ଅଧୀର ଭାବରେ କାନ୍ଦିବାକୁ ଲାଗିଲା । ରଞ୍ଜୁ ତା’ ପଛେ ପଛେ ଆସି ଧୀରେ ତା କାନ୍ଧରେ ହାତ ରଖିଲା । ରଞ୍ଜୁକୁ କୁଣ୍ଢାଇ ପକାଇ ବଇ କହିଲା, ପୃଥିବୀରେ ଯାହା ସବୁ ଘଟୁଛି ସବୁ ଭଲରେ ସବୁ ଭଲ, ସବୁ ସୁନ୍ଦର, ସବୁ ଆନନ୍ଦମୟ । ଭୟ କରିବାର କିଛି ନାହିଁ, ଲଜ୍ଜିତ ହେବାର କିଛି ନାହିଁ । ସବୁ ଜାଣି ପାରୁଚି, ହେଲେ ଅନୁଭବ କରି ପାରୁନାହିଁ ।

Image

 

ଗୋଟିଏ ମଧ୍ୟବିତ୍ତ ପରିବାରରେ ମୂଷା

 

ଶୀତ ପଡ଼ିଆସିଲାଣି । ଦିନ ତମାମ ଖଟିଖଟି ଚାଷୀମୂଲିଆ କଚେରିଆମାନେ କ୍ଳାନ୍ତ ପଦରେ ଘରକୁ ଫେରୁଥିବା ଭଳି ‘ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ’ ଧୀର ମନ୍ଥର ଗତିରେ ଘରକୁ ଫେରିବାକୁ ଲାଗିଲେଣି । ଉଦାସ ବାହୁଡ଼ା । ବଞ୍ଚିଥିଲେ ପୁଣି ଆସନ୍ତା ବର୍ଷକୁ ଦେଖାସାକ୍ଷାତ-। ଫୁଲକୋବିର ନମୁନାମାନ କିଛି କିଛି ବଜାରକୁ ଆସିବାକୁ ଲାଗିଲେଣି । ଗୋଲେଇ ଏକଇଞ୍ଚ । ଗୋଟି ପଚାଶପଇସା । ପଚାଶପଇସା ! ଏଠି ଦରଦସ୍ତୁର ନାହିଁ, ହାତୀକା ଦାନ୍ତ୍ ମରଦ୍‌କା ବାତ୍, ଲବତ ଲିଅ, ଲ ଲବତ ଲାଇ, ଲବାବାଲାଙ୍କୁ ବାଟ ଛାଡ଼ିଦିଅ ବାଆଉ ହଟିଯାଅ । ଦୋକାନୀମାନଙ୍କଠାରୁ ଏ କଥାମାନ ଶୁଣି ମଧ୍ୟବିତ୍ତ (ଏଣେ ପୁଅ ବାହାକୁ ମନ, ତେଣେ ତେଲ ଘଡ଼ିରେ ହାତ, ଶ୍ୟାମ ରାଖି କି କୁଲ୍ ରାଖି, ଟୁ ବି ଅର୍ ନଟ୍ ଟୁ ବି ଦ୍ୟାଟ୍ ଇଜ୍ ଦି କ୍ୟୋଶ୍ଚେନ୍ । ଅର୍ଥନୀତିକ, ସାମାଜିକ, ରାଜନୀତିକ, ଆଧ୍ୟାତ୍ମିକ ଆଦି ସବୁ କ୍ଷେତ୍ରରେ ଦୁଇ ନୌକାରେ ଗୋଡ଼ ରଖି ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗୁଥିବା ଜୀବ) ମାନେ କୋବି କିଣି ନ ପାରି ବା ହଠାତ୍ ବେପରୁଆ ହୋଇ କୋବି କିଣି ପକାଇ ମୁହଁ ଫଣଫଣ କରି ଘରକୁ ଫେରିବାକୁ ଲାଗିଲେଣି ।

 

ରାତି ତିନି ବାଜିବାର ଅଳ୍ପ ସମୟ ପୂର୍ବରୁ ସମସ୍ତଙ୍କୁ ନିଦ ମାଡ଼ିଆସିଲା । ପରିବାରଟିଯାକ ଯିଏ ଯାହାର ଜଗି ରହିଥିବା ସ୍ଥାନରେ ନାନା ଅଦ୍ଭୁତ ଭଙ୍ଗୀରେ ଶୋଇଗଲେ । ତିନିରାତି ହେବ, ପରିବାରଟିଯାକ ଛକିଛନ୍ତି କିଏ ସାନପୁଅର ସକାଳ ଜଳଖିଆ ଛେନା ଖାଇଯାଉଛି ତାକୁ ଧରି ନିସ୍ତୁକ ଟାଙ୍କେ ଛେଚିବେ ବୋଲି । ସେଥିରେ ସେ ମରିଯାଉ ପଛେ, ସେଥିପାଇଁ ଯାହା ପାପ ହେବାର ହେଉ ବା ଫାଶି ହେଉ ପଛେ, କୁଛ୍ ପରୁଆ ନେହିଁ କରୋଙ୍ଗା, ନେହିଁ କରେଙ୍ଗା ।

 

ସାନପୁଅର ଦେହ ଖରାପ । ଡାକ୍ତର ତ ମାଳେ ଔଷଧ ଲେଖିଦେଇ ତା’ ସାଙ୍ଗକୁ ମାଂସ, ଅଣ୍ଡା, ଦୁଧ, ଛେନା ଆଦି ପୁଷ୍ଟିସାର ଖାଦ୍ୟ ଖାଇବା ନିହାତି ଦରକାର କହି ଖଲାସ । ଆଜିକାଲି ତ ସାମାନ୍ୟ ସାମାନ୍ୟ କଥାପାଇଁ ଏତେ ସୂକ୍ଷ୍ମ (ଯଥା—‘ମଧ୍ୟବିତ୍ତ ପରିବାରରେ ଶାଶୁର ସ୍ଥାନ’ ବିଷୟରେ ଗଭୀର ଗବେଷଣା କରି ଜଣେ ସମାଜ ବିଜ୍ଞାନରେ ଡ଼କ୍‌ଟରେଟ୍ ପାଇଲା ଭଳି) ଗବେଷଣା ହୋଇ ଏଡ଼େ ବିରାଟ ବିରାଟ ଶାସ୍ତ୍ର ଲେଖା ହେଉଚି ଯେ ପ୍ରତ୍ୟେକ ବିଷୟ ଅନ୍ୟଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଉଛି । ତେଣୁ ଚିକିତ୍ସା ବିଜ୍ଞାନ ବା କାହିଁକି ଅର୍ଥବିଜ୍ଞାନ ପାଇଁ ମୁଣ୍ଡ ଖେଳାଇବ । ଯାହା କଥା ସିଏ ସମ୍ଭାଳୁ । କିନ୍ତୁ ପରମାଣୁ ବିଜ୍ଞାନଠାରୁ ଆରମ୍ଭ କରି ସବୁ ବିଜ୍ଞାନକୁ ଏକା ସାଙ୍ଗରେ ସମ୍ଭାଳିବ ତ ବିଚାରା ଏକକ ବ୍ୟକ୍ତିଟି । ସେଥିଯୋଗୁ ତାହାର ଯେ କି ହଲାପଟା, ଧାଁଧପଡ଼, ଦୂର୍ଭାବନା, ବ୍ୟର୍ଥତା, ହୀନମନ୍ୟତା ଓ ତା’ପାଇଁ ପୁଣି ଈର୍ଷା କ୍ରୋଧ ତାକୁ ଦେଖୁଚି କିଏ ନା ଦେଖିଲେ ପଚାରୁଛି କିଏ ।

 

ଗୃହକର୍ତ୍ତା ବିଜୟବାବୁ ଓ ତାଙ୍କ ସ୍ତ୍ରୀ ଅନୁପମା ଅନେକ ଚିନ୍ତା କରି ଅନେକ ବୁଦ୍ଧି ଖଟାଇ ନାନାଆଡ଼ୁ ଟିକିଏ ଟିକିଏ ଖର୍ଚ୍ଚକାଟ କରି ଛେନା ବନ୍ଦୋବସ୍ତ କରି ପାରିଛନ୍ତି । କିନ୍ତୁ ଭାଗ୍ୟର କ୍ରୂର ପରିହାସ ଦେଖ ଯେ ନିଇତି ରାତିରେ ତାକୁ କିଏ ଖାଇଯାଉଛି । ଅଧକିଲୋ (ଗଉଡ଼ ଶୁନ୍ୟକୁ ଛୁଇଁ ହଲପ କରିବାମତେ) ଖାଣ୍ଟି ଦୁଧରୁ ମାତ୍ର ଏତିକି ଛେନା । ସେତକ ବି ବାଏଁ ବାଏଁ ଉଡ଼ିଯାଉଛି । ଅବଶ୍ୟ ତାଟିଆରେ କିଛିଟା ରହିଯାଉଛି । କିନ୍ତୁ ତାକୁ ଖାଇବାକୁ ଦେବାକୁ ସାହସ ହେଉନାହିଁ । ସାପ କି ବେଙ୍ଗ କି ହାତୀ କି ମୂଷା କି ବିଲେଇ କି ମଣିଷ କିଏ ଖାଉଛି ନ ଜାଣି କେମିତି ବା ଦିଆଯିବ ଖାଇବାକୁ ।

 

ସେଇ ଅଜଣା ଶତ୍ରୁକୁ ଜାଣିବାକୁ ତିନିରାତି ହେବ ସମସ୍ତ ପରିବାରଟି (ପିଲାଏ ନିଛକ କୌତୂହଳତା ବଶତଃ) ରାତି ଦଶଟା ଭିତରେ ସବୁ କାମ ସାରି ନାନା ହାତହତିଆର ଧରି ଭିନ୍ନ ଭିନ୍ନ ସ୍ଥାନରେ ଜଗି ବସୁଛନ୍ତି । ବିଜୟ ଘରେ ଥିବା ସବୁଠାରୁ ମାରାତ୍ମକ ଅସ୍ତ୍ର, ଗୋଟାଏ ନାତିଦୀର୍ଘ ମୋଟା ଠେଙ୍ଗା ଧରି ସଦର ଦୁଆରମୁହଁ ଜଗନ୍ତି । ଛେନାଚୋର (ସିଏ ଜନ୍ତୁ ବା ମଣିଷ ଯିଏ ହେଉ) ଯେ ନିଶ୍ଚୟ ସଦର ଦରଜାବାଟେ ଆସିବ ସେପରି ଭାବିବାର କୌଣସି ଯୁକ୍ତିଯୁକ୍ତ କାରଣ ଥାଇ ନ ପାରେ । ଖାଲି ଗୃହର କର୍ତ୍ତା ହିସାବରେ ଘରର ପ୍ରଧାନ ପ୍ରବେଶ ପଥର ଦାୟିତ୍ଵ ତାଙ୍କର ନେବା ଉଚିତ ଏବଂ ସବୁଠାରୁ ମାରାତ୍ମକ ଅସ୍ତ୍ରଟି ମଧ୍ୟ ତାଙ୍କରି ଦାୟିତ୍ଵରେ ରହିବା ଉଚିତ ଏହିପରି ଏକ ଆତ୍ମାଭିମାନମୂଳକ ଯୁକ୍ତି ଅନୁସାରେ ବିଜୟ ସେ ସବୁ ଆବୋରିଛନ୍ତି । ଯଦିଓ ସଦର ଦରଜା ଟିକିଏ ଦୂରରେ ହୋଇଥିବାରୁ ତାଙ୍କୁ ସେଠି ଏକା ରହିବାକୁ ଡରମାଡ଼େ (ଯାହାକୁ ଏଡ଼ିବାପାଇଁ ସେ ମଝିରେ ମଝିରେ ‘ହଇହୋ ଶୁଣୁଛ’ ବୋଲି ମିଛୁଟାରେ ଡାକ ଛାଡ଼ି ଅନୁପମାର ବିରକ୍ତି ଉତ୍ପାଦନ କରୁଥାନ୍ତି) ଏବଂ ତାଙ୍କ ଠେଙ୍ଗା ଧରିବାର ଧରଣ ଶତ୍ରୁଠାରୁ ତାଙ୍କ ଭିତରେ ହିଁ ବେଶି ଆତଙ୍କ ସୃଷ୍ଟି କରୁଥାଏ । ଅନୁପମା ଜଗନ୍ତି ରୋଷଇଘର ଦୁଆର ମୁହଁରେ । ବଡ଼ପୁଅ ଗାଧୋଇବା ଘର ନଳାପାଖେ । ମଝିଆପୁଅ ଜଗେ ଶୋଇବାଘରର ଝରକା ପାଖେ । ସାନପୁଅକୁ କୌଣସି ଡିଉଟି ଦିଆହୁଏ ନାହିଁ କି ଝିଅକୁ ବି ନୁହେଁ ।

 

ତଥାପି ତୃତୀୟ ରାତିରେ ବି ସେଇୟା ଘଟିଲା । ରାତି ତିନ୍ ବେଳକୁ ବିଜୟ ଚମକି ଚେଇଁ ଦେଖନ୍ତି ତ ସେ ସଦର ଦରଜା ପାଖରେ ଚାରିକାତ ମେଲାଇ ଶୋଇ ଯାଇଛନ୍ତି । ଠେଙ୍ଗାଟା ତାଙ୍କ ଛାତି ଉପରେ ଲମ୍ବେ ଲମ୍ବେ ରହି ନିଃଶ୍ୱାସ ପ୍ରଶ୍ୱାସ ସହିତ ଉଠୁଚି ପଡ଼ଚି—ଯେମିତି ମୁଣ୍ଡ ଟୁଙ୍ଗାରି ସେ କହୁଚି, ଶୋଇଯାଆ ମ । ସେ ସେମିତି ପଡ଼ିରହି ଅନୁପମା ଆଡ଼େ ଚାହିଁ ଦେଖନ୍ତି ତ ସେ ରୋଷାଇ ଘରର ଅଣଓସାରିଆ ଦୁଆର ମୁହଁ ଉପରେ ଶୋଇ ଯାଇଛନ୍ତି । ଗୋଡ଼ ଦି’ଟା ତାଙ୍କର କାନ୍ଥ ଉପରକୁ ଟେକାହୋଇ ରହିଚି । ଗୋଟାଏ ହାତ ତାଙ୍କର ଟେକାହୋଇ ଫାଳେ କବାଟକୁ ଜାବୋଡ଼ି ଧରିଛି । ଯେ କୌଣସି ସ୍ଥାନରେ, ଯେ କୌଣସି କାଳରେ, ଯେ କୌଣସି ଅବସ୍ଥାରେ ନିଘୋଡ଼ ନିଦରେ ଶୋଇଯିବାର ବର ସେ ପାଇଛନ୍ତି ବିଷ୍ଣୁଙ୍କଠାରୁ, ଯିଏ କି ପ୍ରଳୟକାଳରେ ଉତ୍ତାଳ ତରଙ୍ଗମୟ ସମୁଦ୍ରବକ୍ଷରେ ଗୋଟାଏ ଭୟଙ୍କର ସାପ ଉପରେ ଶୋଇଯାଇ ପାରନ୍ତି । ଅନୁପମାଙ୍କ ଟେକା ହାତଟିକୁ ମାଧ୍ୟାକର୍ଷଣ ଶକ୍ତି ମଝିରେ ମଝିରେ ଖସାଇ ପକାଉଥାଏ । ସେ ସାଙ୍ଗେ ସାଙ୍ଗେ ପୁଣି ହାତଟିକୁ ଟେକି କବାଟକୁ ଜାବୋଡ଼ି ଧରୁଥାନ୍ତି । ମାଧ୍ୟାକର୍ଷଣ ଥରକୁ ଥର ହାତଟିକୁ ସ୍ଵାଭାବିକ ସୁଖକର ଅବସ୍ଥାକୁ ଆଣୁଥାଏ । ପ୍ରତିଥର କିନ୍ତୁ ହାତଟି ଚାଲିଯାଉଥାଏ ସେଇ ଅସ୍ଵାଭାବିକ ଅବସ୍ଥାକୁ, ଯାହା ନିଦ ଲାଗିଲାବେଳେ ସାମୟିକ ଭାବରେ ସୁଖକର ଲାଗିଥିଲା । ଏ କ୍ରିୟା ପ୍ରତିକ୍ରିୟାରେ କିନ୍ତୁ ଅନୁପମାଙ୍କ ସୁଖନିଦ୍ରାରେ ସାମାନ୍ୟ ବ୍ୟାଘାତ ବି ଘଟୁ ନଥାଏ । ନିଘୋଡ଼ ନିଦ ଭିତରେ ବି ମାଧ୍ୟାକର୍ଷଣର କ୍ରିୟା ଓ ଅଚେତନ ଦେହର ଯାନ୍ତ୍ରିକ ପ୍ରତିକ୍ରିୟା ଭିତରେ ଏ କୌତୁକ ଲୀଳା ଦେଖି ବିଜୟ ଟିକିଏ ହସିଲେ । କିନ୍ତୁ ପରମୁହୂର୍ତ୍ତରେ ତାଙ୍କର ଭାରି ରାଗ ହେଲା । ଚିତ୍କାର କରି ସେ କହିଲେ : କଅଣ ମୋର ଟିକେ ଛାଇନିଦ ହେବା ମାତ୍ରେ ସମସ୍ତେ ଶୋଇଗଲ । କାହାରି ଟିକେ ଦାୟିତ୍ଵବୋଧ ନାହିଁ ଆଏଁ । ଦେଖନା ଆଏଁ ।

 

ସମସ୍ତେ ଯେ ଯାହାର ଶୋଇବା ଜାଗାରୁ ଧଡ଼ପଡ଼ କରି ଉଠି ରୋଷାଇଘର ଭିତରକୁ ପଶିଯାଇ ଦେଖନ୍ତିତ କାମ ଶେଷ । ପରସ୍ପର ମୁହଁକୁ ସମସ୍ତେ ଆବାକାବା ହୋଇ ଚାହିଁ ରହିଲେ । କିଛିକ୍ଷଣ ପରେ ବିଜୟ କହିଲେ—କି ଆଚମ୍ବିତ କଥା ୟେ । ଠିକ୍ ସିଏ ଆସିବା ବେଳକୁ ଆମ ସମସ୍ତଙ୍କ ନିଦ କାହୁଁ ମାଡ଼ି ବସୁଛି । ଏ କଅଣ ଦୈବୀ ମାୟା ।

 

ଏହାର ଯୁକ୍ତିଯୁକ୍ତ ସ୍ଵାଭାବିକ ପ୍ରାକୃତିକ କାରଣଟି ଟିକିଏ ଚିନ୍ତା କଲେ ଅବଶ୍ୟ ମିଳନ୍ତା । ଯଥା—ଯିଏ ଲୁଚି ଲୁଚି ଛେନା ଖାଇବାକୁ ଆସୁଚି ସିଏ ଯେ କୌଣସି ପ୍ରାଣୀ ହୋଇ ଥାଉନା କାହିଁକି ନିଶ୍ଚୟ ତାକୁ ଜଣା (ପ୍ରକୃତିଦତ୍ତ ଆତ୍ମରକ୍ଷା ପ୍ରବୃତ୍ତି ସେ ଜ୍ଞାନ ଦେଇଛି ତାକୁ) ଯେ ଶୀତଦିନ ରାତି ଶେଷ ଆଡ଼କୁ ମଣିଷମାନଙ୍କୁ ନିଦ ମାଡ଼ିବସେ ତେଣୁ ଘରୁ ଚୋରି କରିବାର ସେଇଟା ହେଉଛି ପ୍ରକୃଷ୍ଟ ସମୟ । ଶୀତର ପ୍ରଥମ ଆକ୍ରମଣ ଆରମ୍ଭ ହୁଏ ରାତିର ଶେଷ ଯାମରୁ । ମନ୍ଦିରମାନଙ୍କରେ ଯେତେବେଳେ ଘଣ୍ଟ ଘଣ୍ଟା ରାବ, ମୃଦଙ୍ଗର ଗମ୍ଭୀର ନିନାଦ ସହ ଭାଙ୍କାର ରାଗରେ (ପ୍ରାତଃକାଳୀନ ରାଗ ଗୋଷ୍ଠୀର ଏକ ରାଗ ଯାହାର ବିସ୍ତାର ଶୁଣିଲେ ମନେହୁଏ ଜଣେ ନିଦରୁ ଉଠି ଭିଡ଼ିମୋଡ଼ି ହୋଇ ଅଳସ ଭାଙ୍ଗି ଦେହର ଜଡ଼ତା ନାଶ କରୁଛି) ଆବାହନୀ ବୋଲା ହେଉଥାଏ–ଆରେ କିବା ମଙ୍ଗଳ ଆରତି ଗଗନିକ ପଟମେ, ଜାଗୋ ନଗର ବାସୀ ଭଇଲ ଅନ୍ତରମେ; ଅବା ଗିର୍ଜା ଚୂଡ଼ାରୁ ଘଣ୍ଟା ଧ୍ଵନି ଆହ୍ଵାନ କରୁଥାଏ–ଓ୍ୟେକ୍ ଅପ୍ ବ୍ରିଦେରେନ୍, ଦି ଲାଇଟ୍ କମେଥ୍, ହେଏଲ୍ ଓ ହେଭେନ୍‍ଲି ଲାଇଟ୍ ହେଏଲ୍; ଅବା ମସ୍‍ଜିଦ୍ ମିନାରରୁ ମୁୟାଜ୍ଜ୍‍ଜିନ୍ ଶୁଭୁଥାଏ–ଆଲ୍ଳାହୁ ଆକବର୍, ଆଲ୍ଲା ଇଲାହା ଇଲ୍ ଆଲ୍ଲାହ ମହମ୍ମଦର୍‍ସୁଲଲାଲ୍ଲାହୁ, ସେତେବେଳେ କିନ୍ତୁ ବିଛଣାରେ ଗୃହସ୍ଥ ଧୃତ ଚିଙ୍ଗୁଡ଼ି ରୁପ ଜୟଜଗଦୀଶ ହରେ ଓ ଚୋରମାନେ ସେମାନଙ୍କ ବିପଜ୍ଜନକ ଜୀବିକା ଅଭିଯାନରେ ବାହାରନ୍ତି । ଏହା ଏକ ଅତି ସାଧାରଣ ପ୍ରାକୃତିକ ନିୟମ କହିଲେ ଚଳେ ।

 

କିନ୍ତୁ ବିଜୟ ଅଭାବି ଲୋକ । ସବୁବେଳେ ଅଭାବର (ଅଲଂଘ୍ୟ କହିଲେ ଚଳେ) ଅନ୍ଧକାରମୟ ଲୌହ ପ୍ରାଚୀର ତାଙ୍କୁ ଘେରି ରହିଚି । ସବୁବେଳେ ସେ ଆର୍ତ୍ତ, ଭୟାର୍ତ୍ତ । ଏପରି ମାନସିକ ଅବସ୍ଥା ତାଙ୍କୁ ବେଳେ ବେଳେ ଆକୁପାକୁ କରି ପକାଏ । ସେ ବିଦ୍ରୋହ କରି ଉଠନ୍ତି । ଦୁନିଆଟାକୁ ଜାଳିପୋଡ଼ି ଛାରଖାର କରି ଗୋଟି ଗୋଟି କରି ଧନୀମାନଙ୍କ ତଣ୍ଟି ଚିପି ଫୋପାଡ଼ି ସେମାନଙ୍କ ରକ୍ତ ମାଖି ତାଣ୍ଡବ ନୃତ୍ୟ କରିବାର କଳ୍ପନା କରି କିଛିଟା ଆରାମ ପାଆନ୍ତି । ଏକକ ଭାବେ ନିଜ ସୁଖର କାମନା ଏବଂ ତା ଚରିତାର୍ଥ କରିବାର ବିଫଳତା ପାଇଁ ନିଜର ବ୍ୟକ୍ତିଗତ ବିଦ୍ରୋହ କଥା ଭାବୁ ଭାବୁ ମନ ତାଙ୍କର କଳ୍ପନା କରେ ପୃଥିବୀରେ ଦୁର୍ନୀତି ଓ ଶୋଷଣଜନିତ ଦାରିଦ୍ର୍ୟ ବିରୁଦ୍ଧରେ ଏକ ବିରାଟ ଗଣ ବିପ୍ଳବ କଥା । ପୁଞ୍ଜିପତିମାନଙ୍କ ନିଷ୍ଠୁର ଶୋଷଣରେ ଜଜରିତ ଅସହାୟ କୋଟି କୋଟି ମଣିଷଙ୍କ ପାଇଁ ତାଙ୍କ ହୃଦୟ ବ୍ୟଥାରେ ଭରିଯାଏ, ଆଖିକୁ ପାଣି ଆସେ । ନିଜକୁ ଜଣେ ଖାଣ୍ଟି ବାସ୍ତବବାଦୀ ବିପ୍ଳବୀ ଭାବି ନିଜକୁ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚସ୍ତରରେ ଥୋଇ ନିଜର ଦାରିଦ୍ର୍ୟକୁ ସେ ଖାଲି ସହି ଯାଆନ୍ତି ନାହିଁ, ନିଜର ଦାରିଦ୍ର୍ୟ ପାଇଁ ଗର୍ବ ମଧ୍ୟ ଅନୁଭବ କରନ୍ତି । ମନ ତାଙ୍କର ଉତ୍ତେଜିତ ଭାବରେ କଳ୍ପିତ ଗଣବିପ୍ଳବର ଟିକିନିଖି ଯେ ଜନାରେ ମାତିଯାଏ । କିନ୍ତୁ ଧୀରେ ଧୀରେ କେତେବେଳେ ମନ ତାଙ୍କର ଖସି ଆସେ ନିଜର ବ୍ୟକ୍ତିଗତ କାମନାକୁ ଏବଂ ସେଥିରେ ବିଫଳତା ପାଇଁ ବ୍ୟକ୍ତିଗତ ପ୍ରତିହିଂସା ଓ ପ୍ରାଧାନ୍ୟକୁ । ନିଜର ନିରାପତ୍ତା ଓ ପ୍ରତିପତ୍ତିକୁ କେନ୍ଦ୍ରକରି ତାଙ୍କ ଗଣବିପ୍ଳବର ଟିକିନିଖି ଯୋଜନା ଗଢ଼ିଉଠେ । ତାଙ୍କ ମନ ପୁଣି ଧୀରେ ଧୀରେ ଅଲକ୍ଷ୍ୟରେ ତାଙ୍କୁ ଏକ ସମ୍ମାନିତ ନେତାର ସୁଖ ଓ ଗର୍ବ ଦେଉଥାଏ ଏବଂ ସେଥିରେ ବି ଟିକିନିଖି ଯୋଜନାମାନ ଗୋଟିକପରେ ଗୋଟିଏ ଗଢ଼ୁଥାଏ । ତାଙ୍କ ଅହଂ ନାନା ଟିକିନିଖି ବର୍ଣ୍ଣନାରେ ତାଙ୍କୁ ମତାଏ । କିନ୍ତୁ କ୍ରମେ କ୍ରମେ ସେଥିରେ ସେ କ୍ଳାନ୍ତ ହୋଇପଡ଼ନ୍ତି ।

 

ହଠାତ୍‌ ସେ ଚମକିତ ହୋଇ ଦେଖନ୍ତି ଯେ ତାଙ୍କର ଗଣବିପ୍ଳବ ହେଉଛି ତାଙ୍କର ବ୍ୟକ୍ତିଗତ ଲାଳସା ଓ ସେଥିରେ ବିଫଳତାରୁ ଜାତ ପ୍ରତିହିଂସାର ଏକ ମାୟାରୂପ । ଦରିଦ୍ର ପ୍ରତି ତାଙ୍କର ବେଦନା ମଧ୍ୟ ସେମିତି ଏକ ମାୟାରୂପ । ଆତଙ୍କିତ ହୋଇ ଦେଖନ୍ତି ଯେ ଦାରିଦ୍ର୍ୟ ବିଷୟରେ ଯେଉଁ ନୂତନ ନୂତନ ତାତ୍ତ୍ଵିକ ମନ୍ତ୍ର ବା ସତ୍ୟ ପାଇଛନ୍ତି ବୋଲି ଭାବି ସେ ପୃଥିବୀକୁ ନୂତନ ଆଲୋକ ଓ ବାଟ ଦେବେ ବୋଲି କଳ୍ପନା କରି ସନ୍ତୋଷ ପାଇଛନ୍ତି ତାହା ମଧ୍ୟ ତାଙ୍କ ବ୍ୟକ୍ତିଗତ କାମନାର ମାୟାରୂପ । ବିଷଣ୍ଣର ହସ ହସି ସେ ମନେ ମନେ କୁହନ୍ତି—‘ବଡ଼ ମାୟାବୀ ଜୀବ ନୁହେଁ କାହାରି’ ...ମଣିଷ ତେବେ କଅଣ ସାମାଜିକ ଜୀବ ନୁହେଁ । ସମାଜଚେତନା ତେବେ କଅଣ ମଣିଷର ଏକ ଅତି ଦୁର୍ବଳ ପତଳା ଆସ୍ତରଣ । ଏ ପ୍ରଶ୍ନମାନ ତାଙ୍କୁ ନୁଆଇଁ ପକାଏ । ନିଜକୁ ସେ ବିଚ୍ଛିନ୍ନ ଓ ନିଃସଙ୍ଗ ଭାବି ଆତଙ୍କିତ ହୁଅନ୍ତି ।

 

ମନଟା ତାଙ୍କର ପୁଣି କାନ୍ଦୁରା ହୋଇଯାଏ । ଗୋଟାଏ କୋହ ତାଙ୍କ ଛାତି ଭିତରୁ ଉଠିଆସି କହେ—ହେ ଗୋବିନ୍ଦ ମୋତେ ଉଦ୍ଧାର କର—ମୋତେ ଅତି ସାଧାରଣ ହେବାର ସାହସ ଦିଅ... ପ୍ରଭୁ, ମୁଁ ତୁମର ମହାନ୍‌ ବ୍ୟାପ୍ତି ପାଖରେ ନିଜର କ୍ଷୁଦ୍ରତା ଉପଲବ୍‌ଧି କରି ଆନନ୍ଦ ପାଏ, ସାହସ ପାଏ... ଏ ଦାରିଦ୍ର୍ୟହିଁ ଭଲ ପ୍ରଭୁ... ଏଇ କରିଛ ଭଲ ପ୍ରଭୁ ଏଇ କରିଛ ଭଲ, ଏମିତି ଭାବେ ମୋ ବୁକୁରେ ତୀବ୍ର ଦହନ ଜାଳ... ।’ ...ଜଗନ୍ନାଥେ କିଛି ମାଗୁନାହିଁ ତୋତେ... ମାଗୁଛି ଶରଧା ବାଲିରୁ ହାତେ...

 

ପୁଣି ମାର୍କସବାଦୀ ମନ ତାଙ୍କର ନିଜକୁ ହିଁ ଆଙ୍ଗୁଳି ଦେଖାଇ ବିଦ୍ରୂପ କରି କୁହେ, ଶରଧା ବାଲିରୁ ହାତେ ନେଇ କଅଣ କରିବୁ ବେ... ଶରଧାରୁ ହାତେ ନା ବାଲିରୁ ହାତେ ବା... ଭଗବାନଙ୍କୁ କାହିଁକି ଡାକୁଛୁ ଶୁଣେ... ହ୍ୟାପ୍ ବୁର୍ଜୋୟା କାହାଁକା... କ୍ୟାପିଟେଲିଷ୍ଟଙ୍କ ଠାରୁ ବଳି ବି ବିପଜ୍ଜନକ ତୁ ...ଏକୁ ସାବଧାନ ସମସ୍ତେ... ୟେ ବିଜୟଟି, ଇୟେ ହ୍ୟାପ ସ୍ଵାର୍ଥାନ୍ଧ ଭାବରେ କେବଳ ନିଜର ସୁଖ ସମ୍ଭୋଗ କାମନା କରେ... ଆଉ ସେଥିରେ ବିଫଳ ହୋଇ ପ୍ରୋଲେଟେରିୟେଟ ସାଜେ... ନିଜର ବ୍ୟକ୍ତିଗତ କାମନାକୁ ଗୋଟାଏ ସାଧାରଣ ତତ୍ତ୍ୱରେ ପକାଇ ସମସ୍ତଙ୍କୁ ମତାଏ... ସୁବିଧା ପାଇବା ମାତ୍ରେ ଇୟେ ପ୍ରୋଲେଟେରିୟେଟଙ୍କୁ ଚିତା କାଟି କ୍ୟାପିଟେଲିଷ୍ଟ ହେବ... ଯେଉଁମାନେ ଅସୁରଭଳି ଅନ୍ୟକୁ ଦଳି ମନ୍ଥି ଏକକ ଭାବେ ପ୍ରତିଷ୍ଠା ପ୍ରାଧାନ୍ୟ ପାଇବା ପାଇଁ ବ୍ୟାକୁଳ । ଏ ବୁର୍ଜୋୟାମାନଙ୍କୁ ଆଗେ ନିର୍ମୂଳ କର ।

 

କହୁ କହୁ ପୁଣି ସେଇ କୋହ ଛାତି ଭିତରୁ ଉଠି ଆସେ... ମତେ ନିର୍ମୂଳ କରିଦିଅ ଭଗବାନ...ମୁଁ ଯେ ମୋରି ସୁଖ, ମୋରି ଗୌରବ, ମୋରି ପ୍ରାଧାନ୍ୟ ଛଡ଼ା ଆଉ କାହାରିକୁ ବା କିଛି ଦେଖିପାରୁ ନାହିଁ, କିଛି ଜାଣିପାରୁ ନାହିଁ ତୁମେ ବିଚିତ୍ର ଦୁନିଆ କଥା... କାହାକୁ ହେଲେ ଭଲ ପାଇ ପାରୁନାହିଁ... ଇୟେ ଯେ ମୋତେ ଅଜ୍ଞ ଅନ୍ଧ କରିଦେବ ପ୍ରଭୁ... ନିଜକୁ କରେ ମୁଁ ଯେତେ ମହୀୟାନ, ନିଜ ପ୍ରତି ସେ ଯେ ଅଟେ ଅପମାନ, ନିଜ ଚାରିପଟେ ଘୂରି ଘୂରି ମୁହିଁ ମରେ ଯାହା ତିଳେ ତିଳେ’ ...ମୁଁ ଯେ ଅସହାୟ ପ୍ରଭୁ... ତୁମେଇତ କହିଛ ସବୁମଣିଷ ସାତ୍ତ୍ଵିକ, ରାଜସିକ, ତାମସିକ ଭାବରେ ମିଶାମିଶି, ତେଣୁ ନିଜ ଭିତରେ ଥିବା ତାମସିକତା ଓ ରାଜସିକତା ପ୍ରତି ଭୟ ନକରି ଘୃଣା ନକରି ମୋତେଇ ଡାକ... ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ... ଧନମାଗୁ ନାହିଁ... କାଞ୍ଚନେ ବାଞ୍ଛା ନାହିଁ ମୋର ମାଗଇ ପ୍ରଭୁ କୃପା ତୋର...ମୋରି ହିଂସା ଈର୍ଷା ଯେ ମୋତେଇ ଜାଳିପୋଡ଼ି ଖାଉଚି ପ୍ରଭୁ...

 

ଏମିତି ତ ସମସ୍ତେ ବାହାରେ ନିଜକୁ ଯେତେ ବାସ୍ତବବାଦୀ ବା ବୈଜ୍ଞାନିକ ଭାବାପନ୍ନ ବୋଲି କୁହନ୍ତୁ ନା କାହିଁକି ଭିତରେ ଭିତରେ ଅଲୌକିକ ଦେଖିବାକୁ ବ୍ୟାକୁଳ । ବିଶ୍ୱରେ ଅସଂଖ୍ୟ ଅସଂଖ୍ୟ ଏମିତି ତାରା ଅଛନ୍ତି ଯାହା ଭିତରେ କୋଟି କୋଟି ସୌରଜଗତ ରହିଯିବ, କୋଟି କୋଟି ବର୍ଷଧରି ଗ୍ରହ, ଉପଗ୍ରହ, ତାରାମାନେ ବୁଲୁଛନ୍ତି ତ ବୁଲୁଛନ୍ତି, ଗୋଟିଏ ଗୋଟିଏ ପରମାଣୁ ଗୋଟିଏ ଗୋଟିଏ ସୌରଜଗତ, ନିଜର ଦେହ ଏକ ଅଦ୍‌ଭୁତ ସ୍ୱୟଂଚାଳିତ ଯନ୍ତ୍ର, ଗଛର ପତ୍ର ସୂର୍ଯ୍ୟ କିରଣକୁ କି ଅଦ୍‌ଭୁତ ଉପାୟରେ ଖାଦ୍ୟ ବସ୍ତୁରେ ପରିଣତ କରେ, ଏମିତି ଏମିତି ଜଗତର ପ୍ରତ୍ୟେକ କଥା ଅଲୌକିକ । ଏ ଅଲୌକିକକୁ ବୁଝିବାକୁ ଦରକାର ଜ୍ଞାନ, ବୁଦ୍ଧି, ଭକ୍ତି, ପ୍ରେମ, ଯାହା ଆତ୍ମାକୁ ବିକଶିତ କରେ ଓ ଯାହାପାଇଁ ପୁଣି ଦରକାର ସାଧନା । କିନ୍ତୁ ସାଧାରଣ ମଣିଷ, ସେ ଯେତେ ପାଠ ପଢ଼ିଥାଉ ନା କାହିଁକି ବା ତାହାର ଯେତେ ଚତୁରତା ଥାଉ ନା କାହିଁକି, ବଞ୍ଚେ ଇନ୍ଦ୍ରିୟଗ୍ରାହ୍ୟ (ଯାହା ସହଜଲଭ୍ୟ) ଜ୍ଞାନ ଉପରେ ନିର୍ଭର କରି । ଦେହର ସୁଖ ସମ୍ଭୋଗ ପାଇଁ ନାନା କାମନା ତାକୁ ଚାଳିତ କରେ, ଖଟାଏ । ସେ ଚାହେଁ କିଛି ଇନ୍ଦ୍ରିୟ-ଉତ୍ତେଜକ ଇନ୍ଦ୍ରିୟ-ଗ୍ରାହ୍ୟ ଅଲୌକିକ କଥା ଦେଖିବାକୁ ଓ ସେଥିରୁ ଫାଇଦା ଉଠାଇବାକୁ । ତାହାର ସେଇ ଉତ୍ତେଜନା ପାଇବା ହିଁ ସାର ହୁଏ । ସେ ପ୍ରକୃତ ଆନନ୍ଦ ପ୍ରେମ ପାଏ ନାହିଁ, କାହିଁକି ନା ତାହାଦ୍ୱାରା ବିରାଟ ସହିତ ତାହାର ସଂଯୋଗ ହୁଏନାହିଁ । ସେ ଇନ୍ଦ୍ରିୟ ଉତ୍ତେଜନା ବି ଦିନେ ଘସରା ହୋଇଯାଏ । ସେ ପୁଣି ଚାହେଁ ନୂଆକିଛି ।

 

ଏଭଳି ସାଧାରଣ ଲୋକଟି ଯଦି ଅଭାବି ହୋଇଥାଏ, ତେବେ ତ ସେ ଅତି ସାଧାରଣ କଥାଟି ଭିତରେ ବି ଅଲୌକିକ ଉପାୟରେ ଧନ ବା ସୁବିଧା ପାଇବାର ଭଗବତ୍ କୃପା ଦେଖେ । ବିଜୟ ଭାବିଲେ, କଅଣ ଆଉ ଲବଣି ଚୋର କହ୍ନାଇ ମୋ ଘରୁ ଛେନା ଚୋରିକରି ଖାଇବାକୁ ଆସୁଛନ୍ତି କି । ଅନୁପମା ତୁମର ବାଳଗୋପାଳ ପୂଜା ସାର୍ଥକ । ସତୀ ତୁମେ, ଧନ୍ୟ ତୁମେ । ମୁଁ ତୁମର ଅଯୋଗ୍ୟ ।

 

କଥାଟା ମନକୁ ଛୁଇଁବା ମାତ୍ରେ ଆଖି ତାଙ୍କର ଆଶାରେ ଉଜ୍ଜ୍ୱଳ ହୋଇଗଲା । ସାଙ୍ଗେ ସାଙ୍ଗେ ତାଙ୍କ ବିଦ୍ରୋହୀ ମନ ତାଙ୍କୁ ଭର୍ତ୍ସନା ଦେଇ କହିଲା: ଛି ବିଜୟ, ତୁ ଏ କଅଣ ଭାବୁଛୁ ଆଏଁ । ତୁ କଅଣ କ୍ୟାପିଟେଲିଷ୍ଟ କିରେ । ଅନ୍ୟ ସମସ୍ତଙ୍କୁ ଫାଙ୍କିଦେଇ ଗୁପ୍ତ୍ୟନ୍ତେ ଧନ ହାସଲ କରି ମଉଜ କରିବାକୁ ଚାହୁଁ । କିରେ ତୋ ଗୀତାରେ ପରା ଭଗବାନ କହିଛନ୍ତି—ଯେଉଁମାନେ ଭୋଗ ଲାଳସା ପାଇଁ ସଦାବ୍ୟାକୁଳ କର୍ମେନ୍ଦ୍ରିୟମାନଙ୍କୁ ଜବରଦସ୍ତି ରୋକି ମନରେ ମନରେ ଭୋଗ ପାଇଁ ବ୍ୟାକୁଳ ଥାନ୍ତି ସେମାନେ ଭାଣ୍ଡ । ତେଣୁ ଭୋଗ କରିବା ପାଇଁ ଯଦି ମନରୁ ଲାଳସା ତଡ଼ି ନ ପାରୁଛ । ଦେଖିବୁ ଭୋଗପାଇଁ କର୍ମ କରିବାକୁ ଯାଇ ଯେଉଁ କଷ୍ଟ ବା ବିପଦ ବରଣ କରିବୁ ସେଥିରେ ଭୋଗ ଲାଳସା ଅନେକଟା କମିଯିବ । କାହିଁକି ନା ଅନେକ ଦାୟିତ୍ୱ ଆସିଯିବ । ଅନ୍ୟମାନଙ୍କ ସହିତ ନାନା ପ୍ରକାର ସମ୍ପର୍କ ସ୍ଥାପିତ ହେବ ଏବଂ ନାନା ପ୍ରକାର ସଂଘର୍ଷ ମଧ୍ୟ ଲାଗିବ । କର୍ମ ନକରି ତୁ ଏମିତି ଗୁପ୍ତ୍ୟନ୍ତେ ଧନ ହାସଲ କରି ଭାବିବୁ, ସମାଜ ମୋତେ କିଛି ଦେଇନାହିଁ, ଭଗବାନଙ୍କ ସଦାବେଳେ ମୋ ପ୍ରତି ବିଶେଷ କୃପାଦୃଷ୍ଟି ଅଛି । ଏଇଟା ଆଧ୍ୟାତ୍ମିକ ନୁହେଁ କି ମାର୍କସ୍‍ବାଦୀ କଥା ନୁହେଁ ।

 

ତଥାପି ତାଙ୍କ ଆଖି ଜକେଇ ଆସିଲା । ତାଙ୍କ କାମନା ଭଗବାନଙ୍କ ଅଲୌକିକ କୃପା କଥାଟାକୁ ତେଜେଇ ଦେଉଥାଏ । ଏ ଦୁଇଟା ମନର ଯଦି ଗୋଟାଏ ସଂଯୋଗୀ ସମତ୍ୱଦର୍ଶୀ ମନ ଥାଆନ୍ତା ତେବେ ସେ ହୁଏତ କହନ୍ତା: ଏପରି ଅଲୌକିକ ଘଟନା ଘଟିବା ସମ୍ଭବ କି ନା ସେ କଥା ଜାଣିବା ପୂର୍ବରୁ ଆଗେ ଦେଖତ, ତୁମ କାମନା ତୁମ ସହିତ ଛଳନା କରୁଛି କି ନା । ଅନ୍ତତଃ କୌଣସି ଆଡ଼କୁ ନ ତଳି ଦେଖିଯାଅ ଘଟନା କଅଣ ଘଟୁଛି ।

 

ଏପରି କର୍ମକୁଶଳୀ ସମତ୍ୱଦର୍ଶୀ ଯୋଗୀ ମନ ତ କୋଟିକେ ଗୋଟିଏର ଅଛି କି ନା ସନ୍ଦେହ । ବିଜୟଙ୍କ ନାହିଁ ବୋଲି ତାଙ୍କୁ କି ଦୋଷ ବା ଦବା ଯେ । ଯୋଗୀ ମନ ତ ପ୍ରେମୀ ମନ । ସେ ସବୁ ଗ୍ରହଣ କରେ, ପୁଣି ସବୁ ଛାଡ଼ି ବି ଦିଏ । ଶ୍ରୀ ରାମକୃଷ୍ଣ ଯାହା କହିଛନ୍ତି: ମଣିଷର ମହାଭାବ ବା ପ୍ରେମ ହେବା ବଡ଼ କଷ୍ଟ । କୋଟିକେ ଗୋଟିଏର ହୁଏ କି ନା । ସାଧାରଣ ଲୋକର କେବଳ ଭାବ ହୁଏ । (ନାନା ଭାବ, ଯେଉଁମାନଙ୍କୁ ସମ୍ଭାଳିବା ବଡ଼ ମୁସ୍କିଲ । ଗୋଟିଏ ଭାବ ପୁଣି ଅନ୍ୟଟିର ବିପରୀତ । ନାନା ଭାବର ଏକୀକରଣ ହୁଏ ପ୍ରେମ ଦ୍ଵାରା) ।

 

ବିଜୟଙ୍କ ମନକୁ ଯେଉଁ ଅଲୌକିକ କଥାଟା ଛୁଇଁଲା ତାହା ସେ ଅନୁପମାକୁ କହିବେ କି ନା ଚିନ୍ତାଯୁକ୍ତି କରୁ କରୁ ଫସ୍‌‌କିନା କହି ପକାଇଲେ । ଅନୁପମା ବଡ଼ ବଡ଼ ଆଖିରେ ଚାହିଁଲେ । ଆଖିରୁ ତାଙ୍କର ଲୁହ ଝରି ପଡ଼ିଲା । ବିଜୟଙ୍କ ବିଦ୍ରୋହୀ ମନ ନିଜକୁ ‘ହାଁ ହାଁ ଏ କଅଣ’ କହୁ କହୁ ସେ ନିଜେ ଅଧୀର ଭାବରେ କାନ୍ଦି ପକାଇଲେ ।

 

ସେଇଠୁ ଠିକ୍ ହେଲା ପରଦିନ ରାତିରେ ସେମାନେ ଯେକୌଣସି ପ୍ରକାରେ ହେଉ ସାରା ରାତି ଜଗିବେ । ସକାଳୁ ସେଥିପାଇଁ ଯଥେଷ୍ଟ ପରିମାଣରେ କଫି କିଣା ହୋଇ ଆସିଲା । ଅନୁପମା ଖୁବ୍ ମନଧ୍ୟାନ ଦେଇ ପୂଜା କଲେ । ରାତି ଦଶବେଳକୁ ସମସ୍ତେ ଅଳ୍ପ ଅଳ୍ପ ଖାଇ ବଡ଼ ଗିଲାସରେ ଗିଲାସେ ଲେଖାଏ କଫି ପିଇ ଯିଏ ଯାହାର ହତିଆର ଧରି (କାଳେ ଭଗବାନ ନ ହୋଇଥିବେ ଏଇଥିପାଇଁ) ନିଜ ନିଜ ଜଗିବା ଜାଗାରେ ମୁତୟନ ହୋଇଗଲେ । ପ୍ରାୟ ପ୍ରତ୍ୟେକ ଘଣ୍ଟାରେ କଫିପିଆ ଚାଲିଲା । ଆଜି ସାନପୁଅ ବି ଯୋଗଦେଇଛି । ରାତି ତିନି ବେଳକୁ ବିଜୟ ଓ ଅନୁପମାଙ୍କ ନିଃଶ୍ୱାସ ଉତ୍କଣ୍ଠାରେ ରୁଦ୍ଧ ହୋଇଆସିଲା । ଆଖି ସେମାନଙ୍କ ସଜଳ । ମନଭିତରେ କୋହମିଶା ଆକୁଳ ପ୍ରାର୍ଥନା । ହଠାତ୍‌ ସାନପୁଅ ପାଟି କଲା: ହେଇ ବାପା ଗଲା ।

 

ସାନପୁଅର ଅଙ୍ଗୁଳି ନିର୍ଦ୍ଦେଶମତେ ସମସ୍ତେ ରୋଷାଇ ଘର ଭିତରକୁ ପଶିଯାଇଁ ଦେଖନ୍ତି ତ ଥାକ ଉପରେ ଗୋଟାଏ ବଡ଼ ମୂଷା ଛେନା ତାଟିଆର ଢାଙ୍କୁଣି ଠେଲିଦେଇ ତାଟିଆକୁ ଅଣେଇ ଦେଇଛି । ଛେନା ସବୁ ଥାକ ଉପରୁ ତଳେ ପଡ଼ିଯାଇଛି । ମୂଷା ମୁହଁରେ ବିନ୍ଦୁ ବିନ୍ଦୁ ହୋଇ ଛେନା ଲାଗିଛି । କିନ୍ତୁ ସେ ଖାଉଛି ପୋଡ଼ପିଠାର ବକଳା । ଛେନା ତାଟିଆ ପାଖରେ ଥିଲା ପୋଡ଼ପିଠା ଚାଙ୍ଗୁଡ଼ି । ବିଜୟଙ୍କ ଅତି ପ୍ରିୟ ଖାଦ୍ୟ ହେଉଛି ପୋଡ଼ପିଠା, ବିଶେଷକରି ତାହାର ବକଳା । ଅନୁପମା ଖୁବ୍ ଭଲ ପୋଡ଼ପିଠା କରେ । ପିଠାର ଲଙ୍କା ପିଆଜଦିଆ ବକଳା ବେଶ୍ ମୋଟା, ଦରପୋଡ଼ା ଓ ତେଲିଆ । ସୁନ୍ଦର ସୁଗନ୍ଧ ବାହାରେ ସେଥିରୁ । ମୂଷା ସେଇ ବକଳାରୁ ଫଳାଏ ତା ସାମନା ଦୁଇଗୋଡ଼ରେ ଧରି କୁଟୁରୁ କୁଟୁରୁ କରି ଖାଉଚି । ପାଞ୍ଚଜଣ ସଶସ୍ତ୍ର ମଣିଷକୁ ଅତି ନିକଟରେ ଦେଖି ବି ତା’ର ଭୟ ନାହିଁ । ତା’ର ହାବଭାବରୁ ଜଣାପଡ଼ୁଛି ଭାରି ତୃପ୍ତିର ସହିତ ସେ ଖାଉଚି । ତା’ର ଗୋଲାପି ରଙ୍ଗର ନାସାଗ୍ରଟି ଭୋଜନର ଆନନ୍ଦରେ ଫୁଲିଫୁଲି ଉଠୁଚି । ଗୋଲ ଗୋଲ ଆଖିରେ ମଣିଷ ଦଳଟି ଆଡ଼େ ସେ ନିର୍ବିକାର ଆଖିରେ ଚାହିଁ ସତେ ଯେମିତି କହୁଚି: ବସିଯାଅ ପିଲେ ବସିଯାଅ ।

 

ମୂଷାଟାକୁ ଦେଖି ବିଜୟ ଓ ଅନୁପମା ପରସ୍ପରକୁ ହତାଶାମିଶ୍ରିତ କରୁଣ ଆଖିରେ ଚାହିଁଲେ । ବିଜୟଙ୍କ ବ୍ରହ୍ମତାଳୁରେ ଦପ୍‌କିନା ନିଆଁ ଜଳି ଉଠିଲା । ମନେ ମନେ ସେ ହୁଙ୍କାରିଲେ: କଅଣ ଏଡ଼େ ସାହସ ତୋର, ତୁ ମୋ ପିଠା ଖାଉଚୁ । ମୋତେ ଦେଖି ଡରୁ ବି ନାହୁଁ । ତୋ ମୃତ୍ୟୁବେଳ ଆସିଗଲା ।

 

ଠେଙ୍ଗା ପ୍ରହାରକୁ ନିଶ୍ଚିତଭାବରେ ମାରାତ୍ମକ କରିବାପାଇଁ ଠେଙ୍ଗାକୁ ଉଠାଇ ସେ ପିଠିଉପରକୁ ନେଇଆସିଲେ । ଖୁଆହାଡ଼ ଉପରେ ଠେଙ୍ଗାଟା ଆଘାତ କରିବାରୁ ସେ କ୍ରୋଧରେ ଉତ୍‌କ୍ଷିପ୍ତ ହୋଇଗଲେ । ବଡ଼ପୁଅ ସୁନା (ଏ ବର୍ଷ ସେ ମେଡ଼ିକାଲ କଲେଜରେ ନା ଲେଖାଇଚି) ଏଇ ଅବସରରେ କହିଲା: ବାପା, ଏଡ଼େ ଜୋରରେ ମାରିବା ଦରକାର ନାହିଁ । ତା’ର ସେକେଣ୍ଡ ସର୍ଭାଇକ୍‌ଲ ଭର୍‌ଟିବ୍ରାରେ ଖାଲି ଠୁକେଇ ଦେଲେ ହେଲା । ଖତମ୍ ।

 

ବିଜୟଙ୍କ ପ୍ରଳୟଙ୍କରୀ କ୍ରୋଧ ପୁଅର ଏ କଥାରେ ନିମିଷେକେ ଗୋଟାଏ ଆନନ୍ଦ-କୌତୁକ-ବାତ୍ସଲ୍ୟମୟ ହସରେ ପରିଣତ ହୋଇ ଫାଟି ପଡ଼ିଲା । ମୂଷାଟି ଏପର୍ଯ୍ୟନ୍ତ ନିର୍ବିକାର ଭାବରେ ଖାଇ ଚାଲିଥିଲା । କିନ୍ତୁ ହସର ଶବ୍ଦରେ ସେ ଖାଇବା ବନ୍ଦ କରି ପଛଗୋଡ଼ରେ ଛିଡ଼ାହୋଇ ତା’ର ନାଲି ନାଲି ସାନ ସାନ କାନ ଦୁଇଟିକୁ ଘରର ଚାରିଆଡ଼କୁ ବୁଲାଇବାକୁ ଲାଗିଲା-। ଉଦ୍ଦେଶ୍ୟ ନିଶ୍ଚୟ ହସର ଶବ୍ଦତରଙ୍ଗମାନ ଧରି ତାକୁ ବିଶ୍ଳେଷଣ କରି ବିଚାର କରିବା ସେଥିରେ ଥିବ ଭାବ କୌଣସି ଅସାଧାରଣ ବିପଦର ସୂଚନା ଦିଏ କି ନା ସେ ଏପର୍ଯ୍ୟନ୍ତ ଗୋଟିଏ ପ୍ରକାର ଶବ୍ଦ ସହିତ ପରିଚିତ...ହେଇ ଗଲାଗଲା ଧରଧର ମାରମାର ପିଟପିଟ । ଏ ଶବ୍ଦ ଯେତେ ତୁମୃଳ ଓ ଭୟଙ୍କର ହେଉନା କାହିଁକ ସେଥିରେ ଯେଉଁ ହିଂସ୍ର ଓ କ୍ରୋଧ ଭାବ ପ୍ରକାଶ ପାଏ ସେ ତାକୁ କଳି ସାରିଚି ଏବଂ ସେ ଭାବ କି ପ୍ରକାର ବିପଦର ସୂଚନା ଦିଏ ତାକୁ ସିଏ ଭଲକରି ଜାଣେ । ଖାଲି ସେତିକି ନୁହେଁ । ଗୃହସ୍ଥମାନେ କି କି ପ୍ରକାର ଅସ୍ତ୍ର ବ୍ୟବହାର କରନ୍ତି ତାକୁ ମାରିବା ପାଇଁ, କେଉଁ ଅସ୍ତ୍ରର ପ୍ରୟୋଗନୀତି କି ପ୍ରକାର ଏବଂ କାହାର ମାରାତ୍ମକତା କେତେ ସେ ସବୁ ମଧ୍ୟ କଳି ସବୁପ୍ରକାର ପରିସ୍ଥିତିରେ ନିଜକୁ ନିରାପଦ ରଖି ଖସି ପଳାଇବାର ଦକ୍ଷତା ସେ ହାସଲ କରିଚି । ସେଥିପାଇଁ ସେ ଏପର୍ଯ୍ୟନ୍ତ ନିର୍ବିକାର ଭାବରେ ଖାଉଥିଲା ଏବଂ ଯୁଦ୍ଧାରମ୍ଭ ମୁହୂର୍ତ୍ତବା ଜିରୋ ଆୱାରକୁ ନିର୍ଭୟରେ ଅପେକ୍ଷା କରୁଥିଲା । କିନ୍ତୁ ଏ ଯେଉଁ ହସର ଶବ୍ଦ ତା କାନରେ ଧରାପଡ଼ିଲା ତା ସହିତ ସେ ସଂପୂର୍ଣ୍ଣ ଅପରିଚିତ । ଏ ଶବ୍ଦ ଅନ୍ୟ ଏକ ଭାବ ବହନ କରୁଚି ବୁଝି ପାରି ସେ ବୋଧହୁଏ ଘାବରେଇ ଗଲା । ବୁଝିପାରିଲା ନାହିଁ ତାର କର୍ତ୍ତବ୍ୟ କଅଣ ।

 

ବିଜୟ କିନ୍ତୁ ଥମିଲେ ନାହିଁ । ଠେଙ୍ଗାକୁ ବାଗେଇ ଯେମିତି ସେ ହୁଙ୍କାର ଛାଡ଼ି ମାରିବାକୁ ଯାଇଛନ୍ତି ମୁଷା ସେ ଚିରପରିଚିତ ଭୟଙ୍କର ଶବ୍ଦ ଶୁଣି ଓ ଦୃଶ୍ୟ ଦେଖି ନିର୍ମିଷକ ନିର୍ଭୟ ହୋଇ ‘ପ୍ରାଣର ସ୍ଥିତି ଆଚରିଲା’ । ତା’ର ସାମନା ଗୋଡ଼ ଦୁଇଟି କ୍ଷଣକ ପାଇଁ ପ୍ରାର୍ଥନ ମୁଦ୍ରା ଧାରଣ କଲା (ବୋଧହୁଏ, ଗଜ ନିସ୍ତାରଣର ଗଜଭଳି ସେ ପ୍ରାର୍ଥନା କଲା–ଆତଙ୍କ ନାଶନ ତୋ ବାନା, ବାରେ ତୁ ହୁଅ ବଜ୍ର ସେହ୍ନା) । ବିଜୟର ଠେଙ୍ଗା ସେତିକିବେଳେ ଥାକ ଉପରେ ପଡ଼ିଲା ଏବଂ ଥାକର ସବୁ ଡବା ଓ ବୋତଲ ଝଣଝଣ ଶବ୍ଦରେ ତଳେ ପଡ଼ି ଏଣେ ତେଣେ ଗଡ଼ିବାକୁ ଲାଗିଲେ । ଜିରା, ଲଙ୍କା, ଚିନି, ଲୁଣ ଆଦି ମିଶି ଏକାକାର । ଅନୁପମାର କେତେ ନିପୁଣ ଶ୍ରମ ନିମିଷେକେ ନଷ୍ଟ । ବିଜୟଙ୍କ ଛାତିଟା ଭୟରେ କ୍ଷଣକ ପାଇଁ ଦମ୍‌କିନା ହେଲା । ସେ ତାକୁ ଏଡ଼ିବାକୁ ଯାଇ ପାଟି କରି କହିଲେ: ହ୍ୟାପ, ଗାଡ଼ିଏ ଶିଶି ଡବା ଏ ଥାକରେ । ଏତେ କି ଦରକାର ବୁଝିପାରେ ନାହିଁ । ଅନୁପମା ରାଗିଯାଇ କହିଲେ : ତମକୁ କିଏ କହୁଥିଲା ଶୁଣେ ...କୌଣସି କାମ ତ ଜାଣ ନାହିଁ...

 

ବିଜୟ ଗୋଟାଏ ଅତି କଟୂ କଅଣ ଅନୁପମାକୁ କହିବାକୁ ଯାଉଥିଲେ । ଠିକ୍ ସେତିକିବେଳେ ତାଙ୍କ ପାଦ ଗୋଟିଏ ଗଡ଼ନ୍ତା ଡବା ଉପରେ ପଡ଼ିଯିବାରୁ ସେ କଚାଡ଼ି ପଡ଼ିଲେ । ଅନୁପମା ଭୟରେ ଚିତ୍‌କାର କରି ଉଠିଲେ, ଇଲୋ ମୋ ପୁଅ । କଥାଟା ଅତର୍କିତେ ଅନୁପମାଙ୍କ ମୁହଁରୁ ବାହାରିଗଲା । ସମସ୍ତ କ୍ରୋଧ ଓ ଅପମାନ ଭାବ ଭୁଲିଯାଇ, ସେ ଅନୁପମାଙ୍କ ଆଡ଼େ ଚାହିଁଲେ । ସେ ନିଜେ ବୁଝିପାରିଲେ ନାହଁ ଏଥିରେ ତାଙ୍କର କି ଧରଣର ପ୍ରତିକ୍ରିୟା ହେବା ଉଚିତ୍ । କ୍ରୌଞ୍ଚବଧ ଦେଖି ବାଲ୍ମୀକିଙ୍କ ଶୋକ ହଠାତ୍ ଶ୍ଳୋକ ରୁପରେ ବାହାରି ଯିବାରୁ ସେ ନିଜେ ତାହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ ଯାଇଥିଲେ, ଅନୁପମା ସେମିତି ନିଜ କଥା ଶୁଣି ଆଚମ୍ବିତ ହୋଇ ଲଜ୍ଜାରେ ଜିଭ କାମୁଡ଼ିଲେ । ବିଜୟ ମନେ ମନେ କହିଲେ : ହଁ, ପୁଅ ନୁହଁ ତ ଆଉ କଅଣ କି ।

 

ସାନପୁଅ ଇତି ମଧ୍ୟରେ ପାଟି କରି ଉଠିଲା : ହେଇ ପଳେଇଲା ବାପା । ତମେ ଯେମିତି ଠେଙ୍ଗା ଉଠେଇଚ ନା ସେ’ତ କୁଦାଟାଏ ମାରି ମୋ ଗାଲକୁ ଗୋଇଠାଏ ଦେଇ ପଳେଇଲା ।

 

ସମସ୍ତେ ଏକା ସାଙ୍ଗରେ ଦୁଆର ମୁହଁ ବାଟେ ଚେଷ୍ଟା କଲେ ତାକୁ ଧରିବାକୁ । ଫଳରେ କେହି ବାହାରି ପାରିଲେ ନାହିଁ । ସେଇଠି ନିଜ ନିଜ ଭିତରେ ପରସ୍ତେ ଧସ୍ତାଧସ୍ତି ଲାଗିଗଲା । ସେ ଛନ୍ଦାଛନ୍ଦିରୁ ମୁକ୍ତ ହୋଇ ବାହାରକୁ ଆସିଲା ବେଳକୁ ଆଉ ମୂଷା କାହିଁ ଥାଏ । ମୂଷା ଖୋଜି ଆଉ ଲାଭ ନାହିଁ । ଏତେବେଳେ ସମସ୍ତଙ୍କ ନଜର ପଡ଼ିଲା ଯେ ସାନପୁଅର ଗାଲରୁ ଧାରେ ରକ୍ତ ଜକଉଛି ।

 

ସାନପୁଅର କ୍ଷତ ଧୋଇ ଔଷଧ ଲଗଉ ଲଗଉ ବିଜୟ ନିଷ୍ଫଳ କ୍ରୋଧରେ ଫୁଲିବାକୁ ଲାଗିଲେ । ତାଙ୍କୁ ଭାରି ଅପମାନ ବି ଲାଗୁଥାଏ । ମନେ ମନେ ସେ କହୁଥାନ୍ତି : ଦେଖତ ହ୍ୟାପ୍ । ଛାର ମୂଷାଟାଏ, ଭଗବାନଙ୍କ ଭଳି ଅପରାଜେୟ ହୋ । ‘ସୋ ଇନ୍‌‍ଭିନ୍‌‍ସିବଲ, ସୋ ଅଲ୍‌ମୋଷ୍ଟ ଲାଇକ୍ ଗଡ଼୍’ । ଏକା କୁଦାକେ ପାଞ୍ଚହାତ ଡେଇଁ ଗଲା ଆମ ମୁଣ୍ଡ ଉପର ଦେଇ । ଆମକୁ କ୍ଷତବିକ୍ଷତ କରି ବିଜୟ ଗର୍ବରେ ଚାଲିଗଲା । କିନ୍ତୁ ଗଲା କୁଆଡ଼େ । ଉଭାନ ହୋଇଗଲା । ଯେଉଁ ଯେଉଁ କଥାମାନ ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା ସେଇ ସେଇ କଥାମାନ ତାଙ୍କ କ୍ରୋଧକୁ ଆହୁରି ତେଜୁ ବି ଥିଲା । ପ୍ରତ୍ୟେକ କଥା ସାଙ୍ଗରେ ସେ ଦାନ୍ତ ରଗଡ଼ିବାକୁ ଲାଗିଲେ ।

 

ସେତେବେଳକୁ ସୁନ୍ଦରା ଫାଟି ଆସୁଥାଏ । ସମସ୍ତେ ମାନସିକ ଓ ଶାରୀରିକ ଅବସାଦରେ ଶୋଇପଡ଼ିଲେ । ଭୋର ହେବାମାତ୍ରେ ବିଜୟ ବିଛଣାରୁ ଉଠି ଘର ଭିତର ଓ ବାହାର ଖୋଜିଲେ । ସବୁ ନଳା ମୁହଁ ଓ ଦୁଆର ମୁହଁ ରୁନ୍ଧିବା ସତ୍ତ୍ଵେ ମୂଷା କେଉଁ ବାଟେ ଘର ଭିତରକୁ ପଶୁଛି ଓ କେଉଁ ବାଟେ ପଳେଇଲା କୌଣସି ହଦିସ ସେ ପାଇଲେ ନାହିଁ । ବଡ଼ପୁଅ କହିଲା : ବାପା ! ଆପଣ ବୃଥା ଖୋଜୁଛନ୍ତି । କିଛି ପତ୍ତା ପାଇବେ ନାହିଁ ।

 

—କାହିଁକି ।

 

—ସେ କେଉଁ ଜାତିର ମୂଷା ଜାଣନ୍ତି । ସେ ପରା ratଟସ୍‍ ନର୍‍‍ୱେଜିକ୍‍କସ୍‌ ଜାତିର ।

 

ମୂଷାର ପୁଣି ଜାତିଗୋତ୍ର ଅଛି ନା କଅଣ । ବିଜୟ ବିରକ୍ତ ହୋଇ ପଚାରିଲେ ।

 

—ହଁ ଅ । ଆମେ ପରା ପ୍ରାଣୀବିଜ୍ଞାନରେ ପଢ଼ିଚୁ । ଏ ଜାତିର ମୂଷା ଭାରି ଚଲାଖ । ଏମାନଙ୍କ ଆଦି ଦେଶ ହେଉଚି ମଧ୍ୟ-ଏସିୟା । ପୃଥିବୀଯାକ ଏମିତି କି ପୃଥିବୀର ପ୍ରତ୍ୟେକ ଗାଁକୁ ଏମାନେ ଖେଦି ଯାଇସାରିଲେଣି । ଇଂଲଣ୍ଡକୁ ଏମାନେ ଯାଆନ୍ତି ସତରଶହ ତିରିଶ ଖ୍ରୀଷ୍ଟାବ୍ଦରେ ।

 

—ବାଜେକଥା । କିଏ କଅଣ ଏମାନଙ୍କ ପଛରେ ଗୋଡ଼େଇ ଗୋଡ଼େଇ ସବୁ ଦେଖିଚି କହୁଚୁ ।

 

—ନିଶ୍ଚୟ । ଶୁଣିବେ । ଉତ୍ତର ଆମେରିକା ଗୋଟାଏ ଜାତିର ମାଛରଙ୍କା ଅଛନ୍ତି ଯେ ତାଙ୍କ ତଳଥଣ୍ଟରେ ଗୋଟେ ବଡ଼ ଥଳି ଝୁଲୁଥାଏ । ସେଇଥିରେ ସେମାନେ ମାଛ ଧରି ରଖନ୍ତି । ବେଶ୍ କିଛି ଜମିଗଲେ ପରେ ସୁସ୍ଥରେ ଖାଆନ୍ତି । ଥରେ ଗୋଟାଏ ମାଛରଙ୍କାର ସେ ଥଳିଟା କଣ୍ଟାରେ ଚିରିଗଲା ଯେ ସେ ଆଉ ମାଛ ଧରିପାରିଲା ନାହିଁ । ଯାହା ସେ ଧରିଲା ସବୁ ସେଇ ଚିରାବାଟେ ଗଳିଗଲା । ବିଚରା ନଖାଇ ନଖାଇ ଶୁଖିଗଲା । ଏକୁ ଲକ୍ଷ୍ୟ କରୁଥିଲେ ଜଣେ ପ୍ରାଣୀବିଜ୍ଞାନୀ । ସେ ତାକୁ ଧରିବାକୁ ତା’ ପଛେ ପଛେ ଦେଢ଼ଶହ ମାଇଲ ପ୍ରାୟେ ମାସେ କାଳ ଧରି ଗୋଡ଼େଇଲେ । ଦିନେ ଯେମିତି ସେ ମାଛରଙ୍କାଟି ମାଛ ଧରିବାକୁ ପାଣି ଭିତରକୁ ଝାମ୍ପମାରିଚି ସେ ବି ତା ସହିତ ଝାମ୍ପ ମାରି ତାକୁ ଧରିଲେ । ତା’ ଚିରାତକ ସିଲାଇ କରି ଔଷଧ ଲଗାଇ ଘା’କୁ ଭଲକରି ତାକୁ ଛାଡ଼ିଦେଲେ । ଆହୁରି କିଛିଦିନ ତା’ ସହିତ ବୁଲି ବୁଲି ଦେଖିଲେ ସେ ସୁସ୍ଥସବଳ ହୋଇ ଆହାର ଖାଉଚି । ତେବେ ଯାଇ ସେ ଘରକୁ ଫେରିଲେ । ସେ ଦେଢ଼ମାସ ତାଙ୍କର ଖିଆପିଆ ନଥିଲା କହିଲେ ଚଳେ । ଘରକୁ ଫେରିଲାବେଳକୁ ସେ ନିଜେ ଘୋର ଅସୁସ୍ଥ ।

 

ଏହି କଥା ଶୁଣି ବିଜୟ ଅଭିଭୂତ ହୋଇଗଲେ । ଏଇ ମଣିଷ ବୋମା ପକାଇ ଲକ୍ଷ ଲକ୍ଷ ଲୋକ ମାରି ଉଲ୍ଲାସରେ ନୃତ୍ୟ କରୁଛି, ପଶୁପକ୍ଷୀ କ୍ରୀଡ଼ାଛଳରେ ମାରି ବଂଶଲୋପ କରି ଦେଉଛି । ଏଇ ମଣିଷ ଭିତରେ ପୁଣି ଏମିତି ପ୍ରେମୀ ମଣିଷ ବି ଅଛନ୍ତି ଯିଏ ଗୋଟାଏ ସାମାନ୍ୟ ଚଢ଼େଇ ପଛରେ ଖିଆପିଆ ଛାଡ଼ି ଗୋଡ଼େଇଛି ତାକୁ ଭଲ କରିବାକୁ । ଏଇମାନେ ହିଁ ଜାତି ଧର୍ମକୁ ପୃଥିବୀରେ ଧରି ରଖିଛନ୍ତି । ପ୍ରବଳ ନିଷ୍ଠୁରତା, ହିଂସ୍ରତା ସତ୍ତ୍ୱେ ମଣିଷ ଉପରୁ ବିଶ୍ୱାସ ଯେ ତୁଟିଯାଉ ନାହିଁ, ଆଶା ଯେ ସେମିତି ଉଜ୍ଜ୍ୱଳ ରହିଚି ଜାଣ ଏଇମଆନଙ୍କ ପାଇଁ । ପ୍ରବଳ ସ୍ଵା‌ର୍ଥାନ୍ଧ ନିଷ୍ଠୁରତାକୁ ଏଇମାନଙ୍କ ନୀରବ ଅଜ୍ଞାତ ପ୍ରେମ ହିଁ ଜାଣ ନୀରବରେ ହଟାଇ ଦେଉଛି । କାଳର ମହାପୁରୁଷ ଚିରକାଳ ଏଇ ଅଳ୍ପସଂଖ୍ୟକ ବାହାରକୁ ଦୁର୍ବଳ ଦିଶୁଥିବା ଅଥଚ ଯଥାର୍ଥ ମହାଶକ୍ତିଶାଳୀ ପ୍ରେମିକଙ୍କ ହାତରେ ଜୟପତାକା ଦେଇ ଆସିଛି । ଦେଖ ଯେ ହ୍ୟାପ ମୁଁ ଗୋଟିଏ ମୂଷା ମାରିବାକୁ... । ତାଙ୍କ ଆଖି ଜକେଇ ଆସିଲା । ସବୁ କଥା ଭୁଲିଯାଇ ସେ ଏକ କୋହମିଶା କୌତୁହଳରେ ପଚାରିଲେ : ତେବେ ରେ ratଟସ୍ ଆମ ଭାରତକୁ କେବେ ଆସିଲେ ।

 

—ସେ କଥା ଜଣା ନାହିଁ । ମୁଁ ଭାବୁଚି ଶ୍ରୀ ଗଣେଶ ବୋଧେ ଏ ମୂଷାରୁ ଗୋଟିଏ ନିଜ ବାହନ ରୂପେ ରଖି ଆଉ କେତୋଟି ଛାଡ଼ି ଦେଇଥିଲେ ।

 

—ତୋର ଏମିତି ଭାବିବାର କାରଣ ।

 

—ଭାରତରେ ତ ସେତେବେଳେ ପ୍ରଚୁର ଫସଲ ହେଉଥିଲା । ସେତେବେଳେ ଫସଲ ହିଁ ଥିଲା କିଣାବିକାର ମାଧ୍ୟମ, ଅର୍ଥ ରୂପେ ବ୍ୟବହୃତ ହେଉଥିଲା । ଆଜିକାଲି ଫସଲ ପ୍ରଚୁର ହେଲେ ଅର୍ଥନୀତିକୁ ସମତୁଲ ରଖିବା ପାଇଁ ଫସଲ ସବୁ ନଷ୍ଟକରି ଦିଆ ହେଉଛି । କିନ୍ତୁ ସେତେବେଳେ ପ୍ରାକୃତିକ ଉପାୟରେ ଏହା କରିବା ପାଇଁ ବୋଧହୁଏ

 

—ଓଃହୋ । ଏଟା ବିଜ୍ଞାନ ଯୁଗ କି ନା; ପୁରାଣ କାହାଣୀର ଗୋଟେ ବିଜ୍ଞାନସମ୍ମତ କାରଣ ବାହାର କରାହୋଇଚି । କିନ୍ତୁ ତୁ ଯା କହିଲୁ ଫସଲ ନଷ୍ଟ କରିବା କଥା ତା’ କେବଳ ପୁଞ୍ଜିବାଦୀ ଦେଶରେ ଘଟେ, ଯେଉଁଠି ପୁଞ୍ଜିପତିମାନେ ଲୋକଙ୍କୁ ନାନାଭାବେ ଶୋଷଣ କରି ଦରକାର ହେଲେ ମାରି ବି ଏକକ ଭାବେ ଧନପତି ହେବାକୁ ପାଗଳ । ସମାଜବାଦୀ ଦେଶରେ କିନ୍ତୁ...

 

—ସେ କଥା ମୁଁ ଜାଣେ ଯେ । ମୁଁ କହୁଥିଲି ପ୍ରକୃତି ତା’ବାଟରେ ସମାଜବାଦ ପ୍ରତିଷ୍ଠା କରିବାକୁ ଲାଗିଛି । ଏକକୁ ଆରେକ ସାଙ୍ଗରେ ଲଢ଼େଇ ଦେଇ । ମଣିଷ ଭିତରେ ପ୍ରକୃତି ହିଂସା, ଇର୍ଷା, ଲୋଭ ସେଇଥିପାଇଁ ଦେଇଛି । ଏଇ ପନ୍ଦରଦିନ ତଳେ ତ ଏକ ପୃଥିବୀ ବିଖ୍ୟାତ ବିଜ୍ଞାନ ପତ୍ରିକାରେ ବାହାରିଚି ଯେ ଗୋଟିଏ ଗାଁରେ ମହୁଫେଣା ସଂଖ୍ୟା କମିଗଲାରୁ ଗବେଷଣା କରି ଦେଖାଗଲା ଯେ ଲୋକେ କୁକୁର ସଂଖ୍ୟା ବଢ଼ାଇବାରୁ ଏପରି ହେଲା ।

 

—କେମିତି ।

 

—କୁକୁରମାନେ ଗାଁରୁ ବିଲେଇମାନଙ୍କୁ ନିକାଲି ଦେଲେ । ବିଲେଇ ସଂଖ୍ୟା କମିବାରୁ ମୂଷା ସଂଖ୍ୟା ବଢ଼ିଲେ । ମୂଷାମାନେ ମହୁଫେଣା ନଷ୍ଟ କରିବାରୁ ମହୁମାଛିମାନେ ସେ ଗାଁ ଛାଡ଼ିଦେଲେ ଗାନ୍ଧିଜୀ ତାଙ୍କ ଆଶ୍ରମରେ ସାପ ମାରିବାକୁ ମନା କରି ଦେଇଥିଲେ । ଏଇଥିପାଇଁ କେବଳ ଯେ ସାପ ସଂଖ୍ୟା କମିଲେ ମୂଷା ସଂଖ୍ୟା ବଢ଼ି ପନିପରିବା ବଗିଚା ନଷ୍ଟ କରିବେ ।

 

—ହଁରେ ପୁଅ, ଏ ବିଶ୍ଵରେ କାହା ସହିତ କାହାର କି ସଂଯୋଗ ଅଛି କିଏ କହିପାରିବ-। ଯେଉଁ ସଂଯୋଗ ସୂତ୍ରରେ ସମସ୍ତେ ଗୁନ୍ଥା ସେ ସୂତ୍ରଟି ଧରିବାକୁ ଆଧୁନିକ ବିଜ୍ଞାନ କୁହ, ସାହିତ୍ୟ କୁହ ଭାରି ଚେଷ୍ଟା କରୁଚି । କଥାଟା ହେଉଚି, ସେ ପତ୍ରଟି ପ୍ରେମର ନା ହିଂସାର, ନା ବାହାରକୁ ହିଂସାର ଦିଶୁଥିଲେ ବି ଭିତରେ ପ୍ରେମର ।

 

—ସେ ଯାହା ହେଉ, ଏଇ ଜାତିର ମୂଷା ଯେମିତି ସାହସୀ ସେମିତି ବୁଦ୍ଧିଆ ଓ ଆକ୍ରମଣଶୀଳ । ତା’ ବସା ଆମ ଘର ପାଖେ କେଉଁଠି ଥିବ ଭାବିଚ କି ବାପା । ଏମାନେ ତାଙ୍କ ଖାଦ୍ୟ ଜାଗାରୁ ବହୁତ ଦୂରରେ ଥାନ୍ତି । ସେଠୁ ସୁଡ଼ଙ୍ଗ କରିଥାନ୍ତି ଖାଦ୍ୟ ଜାଗାକୁ । ଘରର ଇଟା କାନ୍ଥ ସିମେଣ୍ଟ ଚଟାଣ ସବୁ ଫୁଟାଇ ପାରନ୍ତି ଏମାନେ ।

 

ବିଜୟ ଆଶ୍ଚର୍ଯ୍ୟ ହୋଇ ଶୁଣିଥାନ୍ତି । ଏତିକି ବେଳେ ଅନୁପମା ତାଙ୍କ କାନେ କାନେ କହିଲେ : ଟୁନା (ବିଜୟ ମଝିଆ ପୁଅ । ଦଶମ ଶ୍ରେଣୀର ଛାତ୍ର । ବିଜ୍ଞାନ ତାହାର ଅତି ପ୍ରିୟ ବିଷୟ) ତା ବହି ମେଲାଇ ପଢ଼ୁଚି ତମକୁ ଏ ବିଷୟରେ କିଛି କହିବ ବୋଲି । ତମେ ସୁନା କଥା ଶୁଣି ଆନନ୍ଦ ପାଇଛ ବୋଲି ତା’ ମନଟା ଫିକା ପଡ଼ି ଯାଇଛି । ଟାଉଟାଉ ହେଉଚି ତମକୁ କିଛି କହିବା ପାଇଁ । ତାକୁ ଡାକି ପଚାର ।

 

ବିଜୟ ପ୍ରଥମେ ଖୁସି ହେଲେ । ଟିକିଏ ଗର୍ବ ବି ଅନୁଭବ କଲେ ଯେ ପୁଅମାନେ ତାଙ୍କ ସ୍ନେହ ପାଇବା ପାଇଁ ବ୍ୟଗ୍ର । କିନ୍ତୁ ପ୍ରତି କଥା ନେଇ ଦି’ଜଣଙ୍କ ଭିତରେ ଅସ୍ୱାସ୍ଥ୍ୟକର ପ୍ରତିଦ୍ଵନ୍ଦିତା ଯୋଗୁଁ ବେଳେ ବେଳେ ବାଡ଼ିଆ ପିଟା କଥା ଭାବି ତାଙ୍କ ମନ ଦବି ବି ଗଲା । ସେଇ ସୂତ୍ରରେ ନିଜ ଭିତରେ ଈର୍ଷାକୁ ଦେଖି ଆତ୍ମ-ଘୃଣା ବି ଉପୁଜିଲା । ଉଦାସ ଭାବରେ ଭାବିଲେ କିଏ କ‌ଅଣ କରିବ-। ମନ ଭିତରେ ସେତ କେଉଁଠି ଥାଏ, ମୁଣ୍ଡ ଟେକି କୁହେ ସମସ୍ତଙ୍କୁ ଘୃଣା କର । ଘୃଣାର ଅଦ୍‌ଭୂତ ମଦକତା ଓ ଉତ୍ତେଜନା ମନକୁ ମୁଗ୍‌ଧ ଓ ଆଚ୍ଛନ୍ନ କରିଦିଏ । ଏଇ ପଚନଶୀଳ ସହଜଦାହ୍ୟ ଦେହଟାକୁ ସୁଖରେ ରଖିବାକୁ ମଣିଷ ଯେମିତି ବ୍ୟାକୁଳ ଟିକେ ସ୍ନେହ ପ୍ରଶଂସା ପାଇବାକୁ ସେମିତି କାଙ୍ଗାଳ । ଟିକେ ପ୍ରାଧାନ୍ୟ ପାଇବାକୁ ଡହଳବିକଳ । ସମସ୍ତେ କହନ୍ତୁ ମୁଁ ନ ହେଲେ ଚଳିବ ନାହିଁ । ପୁଣି ଅତି‌ଶୀଘ୍ର ଏଇ କାଙ୍ଗାଳପଣିଆ‌ ପ୍ରାଧାନ୍ୟ ପାଇବାର ବୀଭତ୍ସ‌ ଲାଳସାର‌ ରୁପନେଇ‌ ମଣିଷକୁ କେଡ଼େ କ୍ରୁର‌ ନିର୍ମମ ନୃଶଂସ କରି ଦିଏଟି । ମଣିଷ ପାଗଳ ବନିଯାଏ ପ୍ରାଧାନ୍ୟ ପାଇବା ପାଇଁ । ଭାବେ ସେଇ ଏକା ପ୍ରଧାନ ହୋଇ ରହିବ । ଅନ୍ୟ କେହି କୌଣସି କ୍ଷେତ୍ରରେ ମୁଣ୍ଡ ଟେକିଲେ ତାକୁ ଅସହ୍ୟ ଲାଗେ । ତା’ ନିଜ କ୍ଷେତ୍ରରେ ହେଲେ ତ କଥା ନାହିଁ । ତା ମନ ଭିତରେ ଗଢ଼ିଉଠେ ଭୀଷଣ ଚକ୍ରାନ୍ତ । ସବୁବେଳେ ଷଡ଼ଯନ୍ତ୍ର କେମିତି ଅନ୍ୟମାନଙ୍କଠାରୁ ବଡ଼ ବୋଲି ପ୍ରମାଣିତ ହେବି । ସେ ଚାଲିଗଲାବେଳେ ସମସ୍ତେ କୁର୍ଣ୍ଣୀଶ‌ କରୁଛନ୍ତି, ଆଶ୍ଚର୍ଯ୍ୟ ହୋଇ ତାକୁ ଦେଖୁଛନ୍ତି, ଏହି ଦିବାସ୍ଵପ୍ନ ଯେଉଁ ମାନସିକ ଉତ୍ତେଜନା ସୃଷ୍ଟିକରେ ତାହାହିଁ ହୁଏ ତା’ର କର୍ମ ପ୍ରେରଣା ଏବଂ ଏଇ ପ୍ରେରଣାରୁ ଜାତହୁଏ ଅନ୍ୟମାନଙ୍କ ପ୍ରତି ଗୋଟାଏ ପ୍ରକାର ସ୍ନେହ, ଦୟା ଯାହା ମିଥ୍ୟା ହେଲେହେଁ ସତ୍ୟ ଭଳି ଜଣାପଡ଼େ । ପୁଣି କୁତ୍ସାରଟନାଠାରୁ ହତ୍ୟା ପର୍ଯ୍ୟନ୍ତ ନାନା ଘୋର କୁକର୍ମ ଏ ପ୍ରେରଣା ମଧ୍ୟ ଟାଣିନିଏ । ଅଥଚ ଦେଖିବାକୁ ଗଲେ ଏ ସବୁ ମୂଳରେ ଅଛି ସେଇ ଦୟନୀୟ ପ୍ରବୃତ୍ତିଟି... ମୁଁ କେମିତି ନିରାପଦରେ ବଞ୍ଚିବି ଏବଂ ସେଥିପାଇଁ ସମସ୍ତଙ୍କ ସାହାଯ୍ୟ ଆନୁଗତ୍ୟ ନିଶ୍ଚିନ୍ତ ଭାବରେ ପାଉଥିବି । ଏଇଥିପାଇଁ କେବଳ ସେ ଅନ୍ୟର ସୁଖ, ଯଶ, ପ୍ରତିପତ୍ତି, ପ୍ରଶଂସା ଶୁଣିଲେ ବା ଦେଖିଲେ ନିଜର ନିରାପଦ ସ୍ଥିତି ପ୍ରତି ବିପଦ ଆସିଗଲା ଭାବି ବିକଳ ହୋଇ ଯାହା ତାହା କରିପକାଏ । ନିଜର ନିରାପତ୍ତା ପାଇଁ ସେ ଧନ, ମାନ, ପ୍ରତିପତ୍ତି ଓ ଅନ୍ୟଠାରୁ ସ୍ନେହ ବୃଦ୍ଧି କରି ଅନ୍ୟକୁ କବଳିତ କରିବାପାଇଁ ବ୍ୟାକୁଳ ହୁଏ । ସମସ୍ତଙ୍କୁ ପରୋକ୍ଷରେ ମାଗୁଣି କରୁଥାଏ, ଏକା ମୋତେଇ ଟେକି । ଅଥଚ ସାମାନ୍ୟ ଅର୍ଥନୀତିକୁ ସତ୍ୟଟା ସେ ଦେଖିପାରେ ନାହିଁ ଯେ ସମସ୍ତେ ନିରାପଦରେ ସୁଖରେ ରହିଲେ ଯାଇଁ ତାର ଜୀବନ ନିରାପଦ ଓ ସୁଖମୟ ହେବ । ନହେଲେ ଅନ୍ୟମାନଙ୍କ ଦୁଃଖହିଁ ହେବ ତାହାର ବିପଦ । ତାହାର ଯେତେ ଧନ, ମାନ, ପ୍ରତିପତ୍ତି ଥାଉ ପଛକେ ମନ ଏକଥା ବୁଝୁନାହିଁ । କି ଯନ୍ତ୍ରଣା । କି ଯନ୍ତ୍ରଣା ।

 

ବିଜୟ ସତକୁ ସତ ଛାତି ଭିତରେ ଯନ୍ତ୍ରଣା ଅନୁଭବ କରି ଆଉଁସିଲେ । ଗୋଟାଏ ଅନ୍ଧାରିଆ ଗହରିଆ ବଡ଼ ବଡ଼ ଲୋମଶ ବୁଢ଼ିଆଣୀ କଙ୍କଡ଼ାବିଛା ସାଲୁ ସାଲୁ କୂଅ ଭିତରେ ଯେମିତି ସେ ପଡ଼ି ଯାଇଛନ୍ତି । ଏଠୁ ବାହାରି ଆଉ ଯେମିତି ସେ ବାହାର ଦୁନିଆ ମଣିଷ ଗଛବୃଛ ଦେଖିପାରିବେ ନାହିଁ । କେହି ବି ଜାଣି ପାରିବେ ନାହିଁ ସେ ଏମିତି ଗୋଟାଏ କୂଅ ଭିତରେ ପଡ଼ି ଯାଇଛନ୍ତି । ଯେଉଁ ମଣିଷ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ସେ ବ୍ୟାକୁଳ ତାକୁଇ ହାତଯୋଡ଼ି ‘ତହୁଁ ସେ ବୋଲ‌ଇ ଗୋସାଇଁ, ଉଠି ତ ନ ପାର‌ଇ ଯାଇ, ସେ କଥା କହ‌ଇ ମୁଁ ତେତେ, ଏଠୁ ଉଦ୍ଧାର ହେ ସଙ୍ଗାତେ’ । ମଣିଷର ଶତ ନୀଚତା ସ୍ଵାର୍ଥାନ୍ଧତା ସତ୍ତ୍ୱେ ସେମାନଙ୍କ ମୁହଁଟିମାନ ତାଙ୍କୁ ଭାରି ସୁନ୍ଦର ଦୁଶିଲା । ପ୍ରତ୍ୟେକଙ୍କ ଭିତରେ ଈଶ୍ଵରଙ୍କ ପ୍ରକାଶ ବେଶୀ ବେଶୀ ଦେଖି ସେମାନଙ୍କ ସ୍ନେହ ମାଗୁଣି କରିବାକୁ ଲାଗିଲେ । ଭାରି ଉଦାର ଓ ଆରାମ ଲାଗିଲା ତାଙ୍କୁ । ସେ ମନେ ମନେ ଚିତ୍‌କାର କରି କହିଲେ—ହେ ପୃଥିବୀର ଭାଇ-ଭ‌ଉଣୀମାନେ, ନିଜ ଭିତରେ ଓ ଅନ୍ୟ ଭିତରେ କାମ, କ୍ରୋଧ, ଲୋଭ, ହିଂସା, ଅହଂ ଦେଖି ଭୟ କର ନା, ଚିନ୍ତା କର ନା, ବିମର୍ଷ ହୁଅ ନା । ସବୁ ଦିନେ ଚାଲିଯିବ । ତାଙ୍କର ମନେ ହେଲା ହଠାତ୍ କୌଣସି ଅଲୌକିକ ଉପାୟରେ ସେ ଯେମିତି କୂଅଭିତରୁ ଉଦ୍ଧାର ପାଇଛନ୍ତି । କି ଆନନ୍ଦ । କି ଆନନ୍ଦ ।

 

ହଠାତ୍ ଆଲୋକ ପ‌ଇବାଭଳି ସେ ମନେ ମନେ କହିଲେ: ଓଃ ହୋ ବୁଝିଲି । ଏଥିରୁ ମୁକ୍ତି ପାଇବାର ଏକମାତ୍ର ବାଟ ହେଉଛି ପ୍ରେମ । ମନେ ହେଲା ସେ ପ୍ରେମ ସେ ପାଇ ସାରିଛନ୍ତି । ସମସ୍ତ ମାନବଜାତି ପଶୁପକ୍ଷୀ ଗଛବୃଛ ଏମିତି କି ପ୍ରତି ଧୂଳିକଣାଟି ପ୍ରତି ତାଙ୍କ ମୁଣ୍ଡ ଲଇଁ ଗଲା । ସେ ମନେ ମନେ ସ୍ତବ କଲେ—

 

ପଶ୍ୟାମି ଦେବାଂସ୍ତବ ଦେବ ଦେହେ ସର୍ବାଂସ୍ତଥା ଭୂତ ବିଶେଷ ସଂଘାନ୍...

 

...ଏଇଥର ବୋଧହୁଏ ମୋ ମନରୁ ସବୁ ଈର୍ଷା ସ୍ଵାର୍ଥପରତା, ପ୍ରାଧାନ୍ୟ ଲାଳସା ଗଲା । ଭାରି ସାହସ ଆସିଲା ତାଙ୍କ ମନକୁ ଏକଥା ଭାବି । ନିଜକୁ ପରଖିବାକୁ ସେ ମନେ ମନେ କହିଲେ, ଆଚ୍ଛା ଦେଖେ, ମୁଁ ଅକ୍‌ଟୋପସ୍‌କୁ ପ୍ରେମ କରୁଛି କି ନା । ମନେ ମନେ ସେ ଅକ୍‌ଟୋପସ୍ କଥା ଭାବିବାକୁ ଲାଗିଲେ...ଗୋଟାଏ ଗୋଲ୍ ନରମ ଧଳା ମାଂସ ପିଣ୍ଡ...ସେଥିରେ ଦୁଇଟା ବଡ଼ ବଡ଼ କାଳିଆ ଅଖି...ସବୁବେଳେ ଖୋଲା ସେ ଆଖି ସେ ଆଖିର ପତା ନାହିଁ କି ଡୋଳା ନାହିଁ...ସେ ମାଂସ ପିଣ୍ଡଳାରୁ ବାହାରିଛି ଆଠୁଟା ଗୋଡ଼...ଲମ୍ବା ଲମ୍ବା ସେ ଗୋଡ଼ର ଦୁଇ କଡ଼େ କଡ଼େ ରହିଛି ଅସଂଖ୍ୟ ଛିଦ୍ରର ଧାଡ଼ି... ସେଇ ବାଟେ ସେ ଶିକାରର ଦେହରୁ ରକ୍ତ ଶୋଷି ନିଏ...ମାଂସ ପିଣ୍ଡୁଳାଟା ଭାସି ଭାସି ଯାଉଛି, ଆଉ ଆଠୁଟା ଗୋଡ଼ଯାକ ଆଠଦିଗକୁ ପ୍ରସାରିତ ହୋଇ ଲହ ଲହ ହେଉଛନ୍ତି, ଖୋଜି ବୁଲୁଛନ୍ତି ଶିକାର...ଗୋଟାଏ ସେଥିରୁ ତାଙ୍କ ଦେହରେ ଲାଖିଗଲା......ଦେଖୁ ଦେଖୁ ଆଠଟିଯାକ ତାଙ୍କୁ ଜାବୋଡ଼ି ଧରିଲା ।

 

ଘୃଣା ଓ ଭୟରେ ତାଙ୍କ ଦେହ ଶୀତେଇ ଉଠିଲା । ପ୍ରତ୍ୟେକ ଲୋମ ଛିଡ଼ା ହୋଇଗଲେ-। ବିଜୟ ହତାଶ ହେଲେ । ନାଃ, ତେବେ ହେଲାନାହିଁ । ନାଁ, ଅତେଦୂର ବୋଧେ ଏତେ ଶୀଘ୍ର ହେବ ନାହିଁ ଯୁକ୍ତି ବାଢ଼ିଲେ ସେ... କାହିଁକି ବା ଅକ୍ଟୋପସ୍ ପ୍ରତି ପ୍ରେମ ହୁଅନ୍ତା ଯେ... । ଆଚ୍ଛା ଦେଖାଯାଉ, ମୁଁ ଯା’କୁ ସବୁଠୁ ଈର୍ଷା କରେ ତା’ର ପୁଅ ଖେଳା ପଢ଼ାରେ ପ୍ରଥମ ହୋଇ ବିଖ୍ୟାତ ହୋଇଛି ଏକଥା ମୋତେ କେମିତି ଲାଗୁଚି । ତା’ର ବାପା ଯେଉଁ ଆନନ୍ଦ ପାଇବ ମୁଁ ସେଥିରେ ସୁଖୀ ହେଉଛି କି ନା-। ଭାବିଲାବେଳକୁ ଏକଥା ମନଭିତରେ ଖଚ୍‌କରି ଲାଗିଲା । କୌଣସି ମତେ ସେ ନିଜକୁ ମିଶାଇ ପାରିଲେ ନାହିଁ ତା ବାପାର ଆନନ୍ଦ ସହିତ ନିଜକୁ । ମନ ଭିତରେ କିଏ ଯେମିତି ଏହାର ପ୍ରତିବାଦ କଲା ।

ବିଜୟ ବିମର୍ଷ ହେଲେ । ...ଇସ୍, ସାଧାରଣ ଭାବରେ, ତତ୍ତ୍ଵରେ ଭାବିଲେ, ସର୍ବେ ଭବନ୍ତୁ ସୁଖୀନଃ କହି ବେଶ୍ ଉଦାର ପ୍ରଶାନ୍ତ ଲାଗୁଛି ଅଥଚ ବ୍ୟକ୍ତିକୁ ଆସିବାବେଳକୁ ଯେଉଁ କଥାକୁ ସେଇ କଥା....କାହିଁକି...କିଏ ଯେମିତି ତାଙ୍କ ମନଭିତରୁ କହିଲା, ସେ କି ସହଜେ ମିଳିବା ଧନରେ ତାକୁ ଅଳପେ ପାରିବୁ ଧରି... । ତେବେ ? ତେବେ ନିଶ୍ଚୟ କମ୍ୟୁନିଜିମ୍ ପାରିବ ଯିଏ କି ସମାଜରେ ଜୋର ଜବରଦସ୍ତି କରି ଆର୍ଥିକ ସମତା ଆଣି, ସାମାଜିକ ଉଚ୍ଚନୀଚ ଭେଦଭାବ ଉଠାଇ, ଜୀବନ ଯାପନକୁ ନିରାପଦ ଓ ସୁଖମୟ କରି ବ୍ୟକ୍ତିର ମନରେ ପ୍ରେମ ଆଣିବାକୁ ଚେଷ୍ଟା କରେ ।

କିନ୍ତୁ ତାଙ୍କ ମନ କହିଲା ଏ ତ ତନ୍ତ୍ର । ତନ୍ତ୍ରରେ ସେମିତି ଦେହ ଉପରେ ଜବରଦସ୍ତି କରି ମନରେ ନିର୍ବିକାରଭାବ ଓ ପ୍ରେମ ସଞ୍ଚାର କରିବାର ଚେଷ୍ଟା କରାଯାଏ—ମଳମୂତ୍ର, ଶବ ମାଂସ ଖାଇ ନିର୍ବିକାର ହେବା, ଅଧେ ତୁଳସୀ କାଠ ଓ ଅଧେ ହାଡ଼ର ଜପାମାଳାରେ ଜପକରି ସବୁ ତୁଲ୍ୟମୂଲ୍ୟ ଭାବ ଆଣିବା, ନାରୀଭଳି ଶାଢ଼ୀ ଗହଣା ପିନ୍ଧ ଭଗବାନ ଏକମାତ୍ର ପୁରୁଷ ଆଉ ସମସ୍ତେ ପ୍ରକୃତି ବା ନାରୀ ଏ ଭାବ ଆଣିବା (କାହିଁକି ନା ସବୁ ପ୍ରାଣୀ ଜାଣତରେ ବା ଅଜାଣତରେ ତାଙ୍କୁଇ ପାଇବା ପାଇଁ ବ୍ୟାକୁଳ), ଦରିଦ୍ର ଭଳି ଜୀବନଯାପନ କରି ନ୍ୟୁନ ଭାବ ଆଣିବାର ଚେଷ୍ଟା କରିବା; ଯେମିତି ସାହିତ୍ୟରେ ତନ୍ତ୍ର—ମିନି ସାହିତ୍ୟ, ଜ୍ୟାମିତିକ ସାହିତ୍ୟ (ତାନ୍ତ୍ରିକ ମନ୍ତ୍ର ହ୍ଳୀଂ କ୍ଲୀଂ ଫଟ୍ ଆଦି ଭଳି ସାହିତ୍ୟକୁ ଅତି ସଂକ୍ଷିପ୍ତ କରି ଅର୍ଥ ଗୁପ୍ତ କରିବାର ଚେଷ୍ଟା—ସାହିତ୍ୟରେ ପୁଣି ଗୋଟାଏ ଏକସପେରିମେଣ୍ଡ କଅଣ ବା), ଭାଷାରେ ଚାତୁର୍ଯ୍ୟ ଦୁର୍ବୋଧ୍ୟତା ଚମକପ୍ରଦ ଓ କ୍ଳିଷ୍ଟ ଉପମା ପ୍ରତୀକ ରୂପକଳ୍ପ ଆଦି ପ୍ରୟୋଗ କରି ଅର୍ଥାତ୍ ଫର୍ମ ଉପରେ ଜବରଦସ୍ତି କରି ସାହିତ୍ୟକୁ ଭାବମୟ କରିବାର ଚେଷ୍ଟା କରିବା; ସେମିତି ସମାଜ ଉପରେ ଜବରଦସ୍ତି କରି, ଦରକାର ପଡ଼ିଲେ ହଣାକଟା କରି, ଅର୍ଥନୀତିକ ଓ ସାମାଜିକ ସାମ୍ୟ ଆଣି ବ୍ୟକ୍ତିର ମନରେ ସାମ୍ୟ ପ୍ରତି ଆବେଗ ସୃଷ୍ଟି କରିବାର ଚେଷ୍ଟା କରିବା ।

...ଏଥିରେ କଅଣ ହେବ । ଶ୍ରୀ ରାମକୃଷ୍ଣ କହିଛନ୍ତି, ତନ୍ତ୍ର ବାଟରେ ଯିବାମାନେ ପାଇଖାନା ବାଟଦେଇ ଘର ଭିତରକୁ ପ୍ରବେଶ କରିବା । ...ତା ହେଲେ ଜବରଦସ୍ତି କଅଣ ଆଦୌ ଦରକାର ନାହିଁ...ଦେହ ବାଟେ ମନକୁ ନ ଯାଇ ମନବାଟେ ଦେହକୁ ଆସିଲେ ହବ ନାହିଁକି...ସେ ଚେଷ୍ଟା ତ ବୁଦ୍ଧ, ଯୀଶୁ, ମହମ୍ମଦ, ଚୈତନ୍ୟ, ରାମକୃଷ୍ଣ, ଗାନ୍ଧିଜୀ, ଶ୍ରୀ ଅରବିନ୍ଦ ଏମିତି କି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି... ସଫଳ ହୋଇଛନ୍ତି କି... ନା ତ... ସେମାନେ ବି ତ କହିଛନ୍ତି: ଦେହ ଉପରେ କିଛିଟା ଜବରଦସ୍ତି ଦରକାର । କିନ୍ତୁ ମଣିଷ ତ ବଦଳି ନାହିଁ । ତେବେ କଅଣ ପ୍ରତ୍ୟେକର ଦାବି ଓ ସ୍ଵାର୍ଥ ଭିତରେ ସଂଘର୍ଷ ଲାଗୁ ଲାଗୁ ମଣିଷ ଆପଣା ଛାଏଁ ବୁଝିବ ଯେ ପରମାର୍ଥ ଲାଭହିଁ ସ୍ୱାର୍ଥ ସିଦ୍ଧିର ଏକମାତ୍ର ଆନନ୍ଦମୟ ଓ ନିରାପଦ ବାଟ... ତେବେ ମାର୍କସ୍‌ କଅଣ ଠିକ୍, ଆଉ ସମସ୍ତେ ଭୁଲ...କିନ୍ତୁ ବୁଦ୍ଧ ଆଦିଙ୍କ ପାଇଁ ମଣିଷ କଅଣ କିଛି ବଦଳି ନାହିଁ—

ବିଜୟ ଯେଉଁବାଟେ ଯାଆନ୍ତୁ ନା କାହିଁକି କିଛି ବାଟ ଗଲାପରେ ଦେଖିଲେ ଅନ୍ଧ ଗଳି, ଆଉ ବାଟ ନାହିଁ । ସେଠୁ ଫେରି ପୁଣି ଆଉ ଗୋଟେ ରାସ୍ତା, ପୁଣି ଅନ୍ଧ ଗଳି । ବିଜୟଙ୍କୁ ଭାରି ହତାଶ ଲାଗିଲା । ବିରକ୍ତ ହୋଇ ସେ କହିଲେ, ଚାଲୁ ଶଳା ଯେମିତି ଚାଲୁଛି ସେମିତି ଚାଲୁ ।

ହଠାତ୍‌ ତାଙ୍କ କାନରେ ପଡ଼ିଲା, ଆରେ ମୁଁ କଅଣ କହିଲି ତମ କାନରେ ପଡ଼ିଲା ନା ନାହିଁ ବା । ଇଲୋ ମାଆଲୋ, ଏମିତି ବଲ୍‌‌ବଲ୍‌ କରି କିଆଁ ଚାହିଁଛ ବା । ଆରେ ମୁହଁଟା ଶେତା ଦିଶୁଛି କାହିଁକି ବା । ମୁଁ କଅଣ କରିବିଟି । ଖାଲି ଗୁଡ଼ାଏ ଚିନ୍ତା କରୁଛ କାହିଁକି ବା । କାମ କରିବଟି ଆଗ । ପୁଅକୁ ଡାକି କହିବଟି ଯାହା କହିଲି ।

ବିଜୟଙ୍କ ସମ୍ବିତ୍‌ ଫେରି ଆସିଲା । ସେସବୁ ଭାବନା ଠେଲି ଦେଇ ପୁଅକୁ ଡାକି କହିଲେ ଆରେ ଟୁନା, ତୋର ପ୍ରାଣୀବିଜ୍ଞାନ ବିଷୟରେ ପରା ପଢ଼ା ହୁଏ । ତୁ କଅଣ ଜାଣିଛୁ କହିବୁଟି ।

କିନ୍ତୁ ତାଙ୍କ ମନକୁ ପୁଣି ଯୁକ୍ତିସବୁ ମାଡ଼ି ଆସିଲେ । ସେ ମନେ ମନେ କହିଲେ, ଅନୁପମା ଅଜାଣତରେ ଠିକ୍ କହିଚି-କିଛି କର, ଗୁଡ଼ାଏ ଯୁକ୍ତି କର ନା ବସି ବସି । ମାଓ-ସେ-ତୁଙ୍ଗ୍ ଏଇଥିପାଇଁ ପରା ୟେଇ ଣ୍ଚେଲେକ୍‌ଚୁୟେଲ୍‌‌ମାନଙ୍କୁ ଥରକୁ ଥର କଲ୍‌ଚରେଲ୍‌ ରିଭୋଲ୍ୟୁସନ୍‌ ନାମରେ ଖତମ କରିଛନ୍ତି । କିନ୍ତୁ...ଚୋପ୍‌ବେ...କିନ୍ତୁ...ଚୋପ୍, ଫେଣେ ଯୁକ୍ତି...ହ୍ୟାପ୍, ତାଧେଇ ଖଟ୍‌ଖାଟ୍ ଖ୍ୟାଞ୍ଚ ଖ୍ୟାଞ୍ଚ, କଥାରେ କାଟେ କଥାରେ ପେଞ୍ଚ...ୟେ ୟା’ କହିଛନ୍ତି, ସିଏ ତା’ କହନ୍ତି...ତୁ କଅଣ କହୁଚୁ ଶୁଣେ...ତା’ ବେଳକୁ, ମୋର ହାତ ଧରି ତୁମେ ନେଇ ଚାଲ ପ୍ରଭୁ । ମୁହିଁ ଯେ କିଛି ଜାଣେ ନା... କିନ୍ତୁ... ଚୋପ୍... କିନ୍ତୁ ଚୋପ୍...କାହିଁକି ଚୁପ କରିବି ଶୁଣେ... ବୁଦ୍ଧ, ଯୀଶୁ, ମହମ୍ମଦ, ଚୈତନ୍ୟ, ମାର୍କସ, ଗାନ୍ଧୀ, ତୁଙ୍ଗ୍‌ଙ୍କ ଭଳି ମୁଁ ବି ଜଣେ... ହ୍ୟାପ୍ ମାଇକିନିଆ କହୁଚି କଅଣ ନା ଚିନ୍ତା କର ନା କାମ କର... ଚିନ୍ତା କରିବାଟା ଯେମିତି କାମ ନୁହେଁ... ଆଗ ତ ଚିନ୍ତା...ନ ହେଲେ ହ୍ୟାପ ତୋ’ରି ପରି ଅନ୍ଧାଧୁନ୍ଧିଆ କାମ... ଦିନକୁ ହଜାର ଥର ଆଲମାରି ଚାବି ହଜୁଚି, ଚାବି ଖୋଜା ଚାଲିଚି, ପିଲାଙ୍କ ଉପରେ ଅଯଥା ଗାଳି ବରଷୁଛି... ମୁଁ ଜଣେ ଚିନ୍ତାଶୀଳ ବ୍ୟକ୍ତି... କିଛି ପଶୁ ନୁହେଁ... କିଏ କହିଦେଲେ ବୋଲି ବେଦ ବାକ୍ୟ ହେଲା ନା କଅଣ... ଅନ୍ତତଃ ମୁଁ ମାନିବି ନାହିଁ... ଯେ କୌଣସି ଶାସ୍ତ୍ର ବା ଜ୍ଞାନ ଶେଷ କଥା କହିଦେଇ ପାରେନା... ତା’ହେଲେ ତ ମଣିଷ ବୁଦ୍ଧିର ବିକାଶ ହୁଅନ୍ତା ନାହିଁ... ଗୋଟାକୁ ଧରି ତାକୁହିଁ ଶେଷକଥା ବୋଲି ଦଳ ଗଢ଼ି ପ୍ରଚାର କରିବ ମାନେ ନିଜର ପ୍ରତିପତ୍ତି ବିସ୍ତାର କରିବା... ଗୀତାରେ ତ ଭଗବାନ ନିଜେ କହିଲେ, ଶାସ୍ତ୍ରରେ ଏମିତି ଏମିତି ଲେଖା ଅଛି, ହେଲେ ତୁ ତୋ ନିଜ ବୁଦ୍ଧିରେ ସବୁ ବୁଝ... ଅନ୍ତତଃ ମୋ ମନ ସେମିତି ଚୁପ୍ ରହିପାରିବ ନାହିଁ... ମୁଁ କାହାରି ଗୋଡ଼ାଣିଆ ହୋଇପାରିବି ନାହିଁ, ଭଗବାନଙ୍କର ବି ନୁହେଁ... ମୁଁ ମୁଁ... ମୁଁ ମୁଁ—

 

ବିଜୟ ସଁ ସଁ ନିଶ୍ୱାସ ମାରିବାକୁ ଲାଗିଲେ । ତାଙ୍କ ମୁଣ୍ଡ ଗରମ ହୋଇଗଲା । କାନ ଲାଲ ପଡ଼ିଗଲା । ଦୁଇ ରଗ ଯେମିତି ପଡ଼ୁଥାଏ ଉଠୁଥାଏ ଦପ୍ ଦପ୍ କରି । ତଥାପି ସେ ଯୁକ୍ତି କରୁଥା’ନ୍ତି । ଠିକ୍ ସେ ନୁହଁ । ତାଙ୍କ ମନ ତା’ ମନକୁ ମନ ଯୁକ୍ତି କରି ଚାଲିଥାଏ । ସେ ମନଟା ଯେମିତି ଆଉ କାହାର । ଅଜାଏ ଜବରଦସ୍ତ ତାଙ୍କ ମନ ଭିତରେ ପଶି ସୂକ୍ଷ୍ମ ଯୁକ୍ତିସବୁ ଯୋଗାଇ ଦେଉଥାଏ । ବିଜୟ ଚେଷ୍ଟା କଲେ ବି ତାଙ୍କୁ ତଡ଼ି ପାରୁନଥାନ୍ତି । ଛାତ୍ର ଅବସ୍ଥାରେ ସେ ଯେତେବଳେ ପଢ଼ୁଥିଲେ ‘କହଇ ମନ ଆରେ ମୋ ବୋଲ କର’ ବା ‘ବାଇୟା ମନଟା କୁ ତୁ ବାନ୍ଧରେ ବାବୁ’ ସେତେବେଳେ ବୁଝି ପାରୁନଥିଲେ । ନିଜ ମନକୁ ନିଜେ ମନାଇବ କଅଣ । ଭାବୁଥିଲେ ସେଟା ଗୋଟେ ସାହିତ୍ୟିକ ଚାତୁରୀ । ବର୍ତ୍ତମାନ ସେ ବୁଝିପାରିଲେ ଇନ୍ଦ୍ରିୟଜ ବା ଅହଂଜ ମନ ନିଜ ଭିତରର ହେଲେ ବି ଭିନ୍ନ ଏକ ମନ । ବଡ଼ ପ୍ରବଳ ଅବୋଲକରା ସେ । ତା’ଉପରେ ଜବରଜସ୍ତି ଦରକାର । ଏକଥା ବୁଝି ମଧ୍ୟ ସେ ମନକୁ ସେ ରୋକି ପାରିଲେ ନାହିଁ । ନାନା ବାଗରେ ସେ ପଶି ଆସି ମୁଣ୍ଡ ଟେକୁଥାଏ । ଜବରଦସ୍ତି ଦରକାର କହିଲେ ବି ସେ ମନ କହିଲା, ହଁ ଜବରଦସ୍ତ ଦରକାର ସତ, ହେଲେ ତା ଭିତରୁ ନା ବାହାରୁ । ପ୍ରଶ୍ନଟା ଭାରି ଲୋଭନୀୟ-। ନିଜ ବୁଦ୍ଧି ବଳରେ ତାର ସାମାଧାନ କରିବାକୁ ବିଜୟ ପୁଣି ଲୋଭରେ ପଡ଼ିଗଲେ । ଯୁକ୍ତି କରିବାକୁ ଲାଗିଲେ ପୁଣି । କ୍ରମେ କ୍ରମେ ଯୁକ୍ତିସବୁ ଗୋଳମାଳିଆ ଧରିବାକୁ ଲାଗିଲେ । ମନଟା କ୍ଳାନ୍ତ ହୋଇପଡ଼ିଲା । ମନ ଭିତରେ ନାନା ଯୁକ୍ତି କିନ୍ତୁ ତାଣ୍ଡବ ନୃତ୍ୟ କରୁଥାନ୍ତି । ମନ ଶାନ୍ତ ହେଲେ ସିନା ଗୀତା କହିଥିବା ବୁଦ୍ଧି ସମତ୍ଵ ପାଆନ୍ତା, କୁଶଳୀ ଭାବରେ କାମ କରନ୍ତା । ବିଜୟଙ୍କ ମନ ଖାଲି ବିତର୍କ କରୁଥାଏ, ସବୁ କଥାକୁ ଖଣ୍ଡନ କରୁଥାଏ । ଏଣେ ବିଜୟ କିଛି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚି ଶାନ୍ତି ପାଇବାକୁ ଆକୁପାକୁ ଛଟପଟ ହେଉଥାନ୍ତି ।

 

ଭାଗ୍ୟକୁ ଟୁନା ତାଙ୍କୁ ସେ ଅବସ୍ଥାରୁ ଉଦ୍ଧାର କଲା । ସେ ନିଜ ବାହାଦୂରି ଦେଖାଇବାକୁ ଅଧିର ଭାବରେ ବଡ଼ ପାଟି କରି କହିଲା: ବାପା, ଯେକୌଣସି ସ୍ଥାନକୁ ଏ ମୂଷା କୁଦା ମାରି ଉଠିପାରେ । ହିସାବ କରି...

 

ବିଜୟ ସେ କଥାକୁ କାନ ଦେଲେ... ୟେ ମୂଷା ବି ବଞ୍ଚିବାକୁ ଚାହେ... ୟାର ବି ଜୀବନ ଅଛି... ପୁଣି ସମସ୍ତଙ୍କ ଜୀବନ ମିଶି ଏକ ଅଖଣ୍ଡ ବିରାଟ ଜୀବନ ସ୍ପନ୍ଦିତ ହେଉଛି.. । ବିଜୟ କ୍ଷଣକ ପାଇଁ ହେଲେ ବି ସେ ବିରାଟ ସାମନାରେ ଛିଡ଼ା ହୋଇ ନିଜର କ୍ଷୁଦ୍ରତା ଉପଲବ୍‌ଧି କରି ସୁସ୍ଥ ହେଲେ ।

 

ଟୁନା କହି ଚାଲିଥାଏ: ହିସାବ କରି ଦେଖାଯାଇଛି ଏଇ ଜାତିର ମୂଷା ବର୍ଷକୁ ହଜାରେ କୋଟି ଟଙ୍କାର ଫସଲ ନଷ୍ଟ କରୁଛନ୍ତି । ଗବେଷଣାରେ ଜଣାଯାଇଛି ଯଦି କେଉଁଠି ଗୋଟେମାତ୍ର ଦେଖାଗଲା ତେବେ ନିଶ୍ଚେ ଆଖପାଖରେ ପାଞ୍ଚସହରୁ ହଜାରେ ଭିତରେ ଅଛନ୍ତି ।

 

ବିଜୟଙ୍କୁ ଚାଏଁ କିନା ଲାଗିଲା ସେକଥା । ସେ ଆତଙ୍କିତ ହୋଇ କହିଲେ: ଇସ୍ । ୟାଙ୍କ ଦାଉରୁ ପୃଥିବୀରେ ଦୁର୍ଭିକ୍ଷ ପଡ଼ିଯିବ । ମଣିଷଜାତିକୁ ଦିନେ ଧରାପୃଷ୍ଠରୁ ଲୁପ୍ତ କରିଦେବେ ଏ ଶଳେ ଅଧମ ଜୀବମାନେ । ଠିକ୍ ଏହି ସମୟରେ ତାଙ୍କ ନଜର ପଡ଼ିଲା ସାନପୁଅର କ୍ଷତ ଉପରେ-। କ୍ଷତଟା ପାଚି ଘା ଭଳିଆ ହୋଇଯାଇଛି । ଜୀବନତତ୍ତ୍ଵ କଥା ଭାବି ତାଙ୍କର ଯେଉଁ ଆତ୍ମଭୋଳା ସାମ୍ୟଭାବଟି କୋହ ସଞ୍ଚାର କରିଥିଲା ତାହା ଅପସରି ଯାଇ ମୂଷାଟା ଉପରେ ଘୃଣାମିଶା ନ୍ତ୍ରୋଧ ଜାତ ହେଲା । ଦାନ୍ତ ରଗଡ଼ି ସେ କହିଲେ: ଯେତିକି ଅତ୍ୟାଚାର ମୋରି ଉପରେ; କେତେ କଷ୍ଟକରି ସାମାନ୍ୟ ଛେନା ଟିକକ ପୁଅ ପାଇଁ ରଖୁଚି । ତାକୁ କେଉଁଦିନ ପିମ୍ପୁଡ଼ି ବେଢ଼ି ଗଲେଣି ତ କେଉଁଦିନ ଅସରପା ମୁହଁ ମାରି ସାରିଲାଣି । ଶେଷକୁ ଶଳା ମୂଷାଟାଏ ନିୟାନ୍ତ କରିସାରିଲାଣି ଆମକୁ । ମାରିବି ମାରିବି, ନିଶ୍ଚେ ମାରିବି । ୟାକୁ ମାରିଲେ ଯାଇ ମୋ ଆତ୍ମା ତୃପ୍ତି ପାଇବ ।

 

ସନ୍ଧ୍ୟାବେଳକୁ କଚେରୀକୁ ଫେରିବା ବାଟରେ ସେ ସାତଟଙ୍କା ଦେଇ କିଣି ଆଣିଲେ ଗୋଟେ ଭୀକ୍ଷଣ ଜର୍ମେନ ଜନ୍ତା । ଜନ୍ତାର ଦୁଇ ପାଟିରେ ଦୁଇଧାଡ଼ି ଅତି ତୀକ୍ଷ୍‍ଣ ଦାନ୍ତ । କଉ ଶିଳ୍ପୀ ପୁଣି ଉପର ପାଟିରେ ଦୁଇଟା ବଡ଼ ବଡ଼ ନାଲି ଆଖି, ତା ତଳକୁ କ୍ଷୁଦ୍ର ଚଉଡ଼ା ନାକଟାଏ ଓ ତା’ ତଳେ ହଳେ ବଡ଼ ବଡ଼ ଗହଳିଆ ନିଶ ଆଙ୍କି ଦେଇଥିବାରୁ ଜନ୍ତାଟା ଆହୁରି ସଜୀବ ଓ ଭୟଙ୍କର ଦିଶୁଥାଏ । ଯାହା ଦେଖି ବିଜୟ ପସନ୍ଦ କରି ତାକୁ କିଣି ଆଣିଥାନ୍ତି । ଦୁଇଧାଡ଼ି ଦାନ୍ତ ଟେକିଦେଲେ ଗୋଟାଏ ବଡ଼ ପାଟି ମେଲା ହୋଇଯିବା ଭଳି ଦିଶେ । ସେ ପାଟିଭିତରେ ଗୋଟେ ସାନ ଗିନା । ବିଜୟ ମହାଖୁସିରେ ଘରେ ସମସ୍ତଙ୍କୁ ଦେଖାଇଲେ ଜନ୍ତାଟି କେମିତି କାମ କରେ । ଗୋଟାଏ ସାନ ଗୋଡ଼ି ଆଣି ଧୀରେ ସେ ଗିନାରେ ଛାଡ଼ିଦେଲେ । ଆଖି ପିଛୁଳାକେ ଗୋଟେ ଭୟଙ୍କର କ୍ୟଞ୍ଚ୍ କୋଞ୍ଚ୍ ରଡ଼ି ଛାଡ଼ି ଦୁଇଧାଡ଼ି ଦାନ୍ତରେ ଲାଗିଥିବା ସ୍ପ୍ରିଂ ଖସିଯାଇ ଜାବ ପଡ଼ିଗଲା । ଦାନ୍ତକାଠି ଖଣ୍ଡେ ଦୁଇଧାଡ଼ି ଦାନ୍ତଭିତରେ ରଖିଥିଲେ ଯେ ସେଟା କଟି ଦୁଇଖଣ୍ଡ ହୋଇଗଲା । ବିଜୟ ସଗର୍ବେ ସମସ୍ତଙ୍କୁ ଚାହିଁ କହିଲେ, ଏଟା ସବୁଠୁ ବଢ଼ିଆ ଜନ୍ତା, ବଜାରଯାକ ଖୋଜି ଖୋଜି ଆଣିଛି ।

 

ରାତିର ଖିଆପିଆ ସରିବା ପରେ ଜନ୍ତାକୁ ରୋଷାଇଘରେ ରଖାଗଲା । ବହୁ ଆଲୋଚନା ପରେ ସ୍ଥିର ହେଲା ଯେ ମୂଷାଟାର ଯେତେବେଳେ ଛେନା ଅତି ପ୍ରିୟ ଖାଦ୍ୟ ଦେଖାଯାଉଛି, ଛେନା ହିଁ ରଖାଯିବ ଗିନାରେ । ମୂଷାଟାକୁ ଯେ ଦିନେ ପିଠା ବକଳା ଖାଇବାର ଦେଖାଯାଇଥିଲା ସେଟାକୁ ବିଜୟ ଧର୍ତ୍ତବ୍ୟ ଜ୍ଞାନ କଲେନାହିଁ । ହେଲେ ଅନୁପମା ମୋନାଲିସା ଭଳି ରହସ୍ୟମୟ ହସହସି କହିଥିଲେ ଯେ ତାଙ୍କର ମନେହୁଏ, ମୂଷା ଆଉ ଛେନା ଖାଇବ ନାହିଁ । ବିଜୟ ତାଙ୍କ ଉପରେ ବିରକ୍ତ ହୋଇ ନିଜ ନିଷ୍ପତିକୁ ହିଁ କାଏମ ରଖିଥିଲେ ।

 

ମୂଷା ଜନ୍ତାରେ ପଡ଼ି ଦି’ଗର ହୋଇଯାଇଛି ଆଉ ଦି’ ଖଣ୍ଡଯାକ ଛଟପଟ ହେଉଛନ୍ତି । ଏ ତୃପ୍ତିକର ଦୃଶ୍ୟ ସାଙ୍ଗେ ସାଙ୍ଗେ ଦେଖିବାପାଇଁ ବିଜୟଙ୍କ ଆଖିକୁ ନିଦ ଆସିଲା ନାହିଁ । ରାତି ତିନି ବେଳକୁ ଜନ୍ତାର ବିକଟ ରଡ଼ି ଶୁଣି ସେ ‘ଜୟ ଜନ୍ତା’ ନିନାଦ କରି ଖୁସିରେ ଦୌଡ଼ିଗଲେ ଘୋଷାଇ ଘରକୁ । ତାଙ୍କ ନିନାଦରେ ଅନ୍ୟ ସମସ୍ତେ ଉଠ ଦୌଡ଼ିଗଲେ ।

 

ସେଠି ଯାହା ଦେଖିଲେ ସେଥିରେ ସେ କାଠଭଳି ଛିଡ଼ା ହୋଇ ରହିଲେ । ଜନ୍ତାର ଜାବ ପଡ଼ିଛି ସତା କିନ୍ତୁ ସେଥିରେ ମୂଷା କାହିଁ ? ଗିନାର ଛେନାତକ ତଳେ ବିଞ୍ଚି ହୋଇ ପଡ଼ିଛି । ମୂଷା ଥାକ ଉପରେ ବସି କୁଟୁରୁ କୁଟୁରୁ କରି ପିଠା ବକଳା ଖାଉଛି ଆଉ ନିରାସକ୍ତ ଭାବରେ ସମସ୍ତଙ୍କୁ ଜୁଳୁଜୁଳୁ କରି ଅନଉଚି । ଜନ୍ତାଟା ଦାନ୍ତ ନିକୁଟି ମଲାପରି ପଡ଼ିଛି । ତା’ର ଆଖି ଦି’ଟା ମନେହେଲା ଭୟରେ ବଡ଼ ବଡ଼ ହୋଇଯାଇ ମୂଷାଆଡ଼େ ଚାହିଁ ରହିଛି । ଏତେବେଳେ ତାଙ୍କର ମନେହେଲା ହ୍ୟାପ ଶିଳ୍ପୀ ଅବାନ୍ତର ଭାବରେ ସେମିତି ଆଙ୍କିଛି ଦେଖ ଯେ, କଅଣନା ଗରାଖକୁ ଠକିବାପାଇଁ । ଭାରି ରାଗ ହେଲା ଜନ୍ତା ଉପରେ । ଅସହ୍ୟ କ୍ରୋଧରେ ଜନ୍ତାକୁ ପ୍ରଚଣ୍ଡ ଗୋଇଠାଟାଏ ମାରି ସେ ଗୋଟାଏ ବାଲିଟି ଟେକି ଫୋପାଡ଼ି ଦେଲେ ମୂଷା ଉପରକୁ । ମୂଷା କୁଦାମାରି ପଳାଇଲା । ବାଲଟି ଛିଟିକି ଆସି ସାନପୁଅର କପାଳରେ ବାଜି ରକ୍ତ ଝରାଇଲା । ବିଜୟ ଅଧୀର ଭାବରେ କାନ୍ଦି ପକାଇଲେ ।

 

ପୁଅର ମୁଣ୍ଡ ଧୂଆଧୋଇ ହେଲା । ସାମାନ୍ୟ କ୍ଷତ । ବିଜୟ ଟିକେ ଶାନ୍ତ ହେଲେ । ଜନ୍ତା କଥାଟା ତାଙ୍କୁ ଏକ ଦୁର୍ଭେଦ୍ୟ ରହସ୍ୟ ଭଳି ଜଣାଗଲା । ଜନ୍ତାର ଜାବ ଯେତେବେଳେ ପଡ଼ିଛି ସେତେବେଳେ ନିଶ୍ଚୟ ମୂଷା ଛେନା ଖାଇବାକୁ ଜନ୍ତା ଉପରକୁ ଉଠିଥିଲା । ତା’ହେଲେ ଛେନା ବା ନ ଖାଇଲା କାହିଁକି । ଜାବରେ ନ ପଡ଼ିଲା ବା କେମିତି । ପୁଣି ସେଇ ଅଲୌକିକ କଥା ତାଙ୍କ ମନକୁ ଛୁଇଁଗଲା ।

 

କିନ୍ତୁ ସୁନା କହିଲା : ନାଇଁମ ବାପା, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏମିତି ଦେଖାଯାଇଚି ଯେ, ଏ ଜାତିର ମୂଷା ଗୋଇଠା ମାରି ଜନ୍ତାର ଜାବ ପକାଇଦେବା ପରେ ଗିନାରୁ ଖାଦ୍ୟ ଖାଇ ଚାଲିଯାଇଛି । ଏମାନେ ଭାରି ବୁଦ୍ଧିଆ ।

 

—ତା’ ହେଲେ ସେ ଛେନା ଖାଇଲା ନାହିଁ କାହିଁକି ।

 

ପୁଅ କହିଲା : ସେଇଟା ମୁଁ ବୁଝିପାରୁ ନାହିଁ । ଏତେ ଦିନ ତ ସେ ଛେନା ଖାଉଥିଲା । ଏଇ କେଇଦିନ ହବ ସେ ଛେନା ଛାଡ଼ି ପିଠା ବକଳା ଖାଉଛି କାହିଁକି ବୁଝିପାରୁ ନାହିଁ । ବହିରେ ତ ଏ ବିଷୟରେ କିଛି ନାହିଁ ।

 

ଅନୁପମା ମୁରୁକି ହସି ବିଜୟଙ୍କ ଆଡ଼େ ଚାହିଁ ପିଲାଙ୍କ ଆଖି ଏଡ଼ାଇ ନିଜ ପେଟ ଉପରେ ହାତ ବୁଲାଇ ସଙ୍କେତ ଦ୍ଵାରା ଜଣାଇ ଦେଲା ଯେ, ମୂଷା ଗର୍ଭବତୀ ହୋଇଚି । କହିଲେ ଏ ଅବସ୍ଥାରେ ସେ ଖାଲି ଟାଣ ଟାଣ ଖାଇବାକୁ ଭଲପାଇବ । ମୁଁ ଏ ଅବସ୍ଥାରେ ଚୁଲୀମୁଣ୍ଡ ମାଟି ଖାଇଯାଉଥିଲି ଦେଖିନ । ସବୁ ମା ସମାନ ।

 

ଅନୁପମା କହିବାବେଳେ ତାଙ୍କ ଆଖିରେ ଏକ ଅପୂର୍ବ ଆଭା ଦେଖି ବିଜୟ ଅବାକ୍ ହୋଇଗଲେ । ତାଙ୍କର ମନେହେଲା ଅବସ୍ଥାଟା କ୍ରମେ-ଜଟିଳ ହୋଇଯାଉଛି । ସେ ମ୍ଳାନ ଭାବରେ ହସି କହିଲେ: ତା’ ହେଲେ ୟେ ମୂଷା ନୁହେଁ, ମୂଷୀ । ଆମ ମୂଷୀ ମା’ ହେବାକୁ ଯାଉଛି ତେବେ ।

 

ତାଙ୍କ ସାହିର ବୁଲା କୁତୀର ମା’ ହେବାବେଳର ସବୁ କଥା ତାଙ୍କ ମନେ ପଡ଼ିଗଲା । ସେ ଗର୍ଭବତୀ ହେବାରୁ ଅନୁପମା ତାକୁ ନିଇତି ଖାଇବାକୁ ଦେଉଥିଲେ । ଠିକ୍ ଖାଇବାବେଳକୁ ସେ ଦୁଆର ପାଖରେ ଛିଡ଼ା ହୋଇ କୁଁ କୁଁ ହୋଇ ଡାକ ଛାଡ଼େ । ଅନୁପମା ଭାତ ଥୋଇଦେଇ ଆସନ୍ତି । ଖାଇସାରି ସେ ଚାଲିଯାଏ । ଏମିତି ସେ ନିଜ କୁକୁର ଭଳି ହୋଇଗଲା । ପିଲାଏ ତା ନାଁ ରଖିଲେ କାଳୀ । ପିଲାଏ ‘କାଳୀ କାଳୀ’ ଡାକିଲେ ସେ ଯେଉଁଠି ଥାଉ ଦୌଡ଼ିଆସେ ଗୋଡ଼ତଳେ ଲୋଟିଯାଏ । କିଛିଦିନ ପରେ ତା’ର ଛୁଆ ହେଲେ । ଛୁଆଙ୍କୁ ଘରସାମନା ଗୋଟାଏ ସାନ ପୋଳତଳେ ଲୁଚାଇ ରଖି ସେ ଭିନ୍ନ ଜାଗାରେ ରହେ । ଠିକ୍ ସମୟରେ ଦିନକୁ ପାଞ୍ଚଥର ସେ ପୋଲ ପାଖକୁ ଆସି କୁଁ କୁଁ କରି ଡାକେ । ଛୁଆଗୁଡ଼ାକ ଗୁଲୁଗୁଲୁ ହୋଇ ପୋଲତଳୁ ବାହାରି ଆସି ମା ପହ୍ନାରେ ସିଲାଇ ହୋଇଯିବା ଭଳି ଲାଗିଯାଇ ଚଁ ଚଁ ଦୁଧ ପିଇଯାଆନ୍ତି । କିଛି ସମୟ ପରେ ମା ସେମାନଙ୍କୁ ଠେଲି ପଳାଇଯାଏ । ଛୁଆଏ ଗୁଲୁଗୁଲୁ‌ ହୋଇ ଫେରିଯାଆନ୍ତି ପୋଲତଳକୁ । ଛୁଆଏ ଟିକିଏ ବଡ଼ ହେଲେ । ଅନ୍ୟ ଖାଇବା ପଦାର୍ଥ ଖାଇ ଶିଖିଲେ । ମା ଶିଖାଇଦେଲା । ଏଥର କିନ୍ତୁ ଅନୁପମା ଖାଇବାକୁ ଦେଲେ କାଳୀ ଖାଏ ନି; ପିଲାଙ୍କୁ ତା’ ର ଡାକି ଦିଏ । ପିଲାଏ ତା’ର ଭାତକୁ ବେଢ଼ିଯାଆନ୍ତି । କାଳୀ ଅଳ୍ପ ଦୂରରେ ଜଗି ବସିରହେ ।

 

ସେ କଥା ମନେ ପଡ଼ିଯିବାରୁ ବିଜୟଙ୍କ ମନେହେଲା ସେ ଯେମିତି ଏକ ମହାସାଗରରେ ପଡ଼ିଯାଇଛନ୍ତି । ଥଳକୂଳ ପାଉନାହାନ୍ତି । ଏତେ ଜୀବ ଅଛନ୍ତି । ସମସ୍ତଙ୍କ କଥା ଭାବିଲେ ତ ନିଜ ରକ୍ଷଣ ଅସମ୍ଭବ । ନିଜ ସ୍ୱାର୍ଥ ଗୋଟାଏ ସ୍ପଷ୍ଟ ନିଦ୍ଧିଷ୍ଟ ବାଟ ଦେଖାଏ । ସ୍ୱାର୍ଥ ଗୋଟାଏ ବେଶ୍ ଶକ୍ତ ଖୁଣ୍ଟି, ଯାହାକୁ ଜାବୋଡ଼ି ଧରିଲେ ବେଶ୍ ନିଶ୍ଚିତ ନିଶ୍ଚିନ୍ତ ଲାଗେ । ସେ ଖୁଣ୍ଟି ଛାଡ଼ିଲେ ତ ମହାସାଗର । କେଉଁ ସାହସରେ ମହାସାଗରକୁ ସେ ଝାସ ଦେବ ଯେ । କଅଣ ଅଛି ତାଙ୍କ ସମ୍ବଳ । କେମିତି ବା ମହାପୁରୁଷମାନେ ସେଇ ମହାସାଗରକୁ ସବୁଠାରୁ ନିଶ୍ଚିନ୍ତ ନିଶ୍ଚିତ ଆନନ୍ଦମୟ ଭାବନ୍ତି କେଜାଣି ।

 

ତହୁଁ ସେ ନିଜ କ୍ରୋଧକୁ ପୁଣି ଜଗାଇଲେ । ...ପୁଅ କହିବା ଅନୁସାରେ ଆଖପାଖରେ ତ ହଜାର ଯାଏଁ ମୂଷା ଅଛନ୍ତି । ସେଥିରୁ ମାଈ ମୂଷା ତ ନିଶ୍ଚେ ଶତକଡ଼ା ନବେ । ପ୍ରତ୍ୟେକ ମୂଷା ଯଦି...ହଇରେ ପୁଅ, ଏ ମୂଷାଙ୍କ ଛୁଆ ଦେବା ଶକ୍ତି କେତେ ବା...

 

ଟୁନା ଚଟ୍‌କିନା ମୁଖସ୍ଥ କଲାଭଳି କହିଗଲା: ଏମାନେ ବର୍ଷକୁ ପାଞ୍ଚଥର ଗର୍ଭବତୀ ହୁଅନ୍ତି । ପ୍ରତ୍ୟେକଥର ହାରାହାରି ଆଠୋଟି ଛୁଆ ଦିଅନ୍ତି । ମାଈଛୁଆଏ ଛ’ ମାସର ହେବା ବେଳକୁ ଗର୍ଭବତୀ ହେବାପାଇଁ ଉପଯୁକ୍ତ ହୋଇଯାଆନ୍ତି ।

 

ବିଜୟଙ୍କ ଆଖି ଆତଙ୍କରେ ବଡ଼ ବଡ଼ ହୋଇଗଲା । କ୍ରୋଧ ଚରମସୀମା ଛୁଇଁଲା । ନିଃଶ୍ୱାସ ଖର ହେଲା । ଦାନ୍ତମାନ କଡ଼ମଡ଼ ହେଲା । ...ୟେ ମୂଷାର ହ୍ୟାପ ବର୍ଷକେ ହେବେ ଚାଳିଶ ଛୁଆ... ଆଖପାଖରେ ଅନ୍ତତଃ ନଅଶହ ମୂଷୀ...ଏମାନେ ବର୍ଷକେ ଦେବେ ନଅଶହ ଗୁଣିତକ ଚାଳିଶ ସମାନ...ସମାନ...ଚାଳିଶ ଶୂନେ ଶୂନ୍ ଚାଳିଶ ଶୂନେ ଶୂନ୍...ଚାଳିଶ ନଉକେ ଛତିଶ...ଛତିଶ କଅଣ ବା, ତିନିଶହ ଷାଠିଏ...ଆଗରୁ କେଇଟା ଶୂନ ଥିଲା ବ—-ଧେତ୍‍ତେରି...ହେ ଏ ଆଣିବୁଟି ଖଣ୍ଡେ କାଗଜ ଆଉ କଲମ...ଛ୍ୟା ଛ୍ୟା ...ମୁହଁରେ ମୁହଁରେ ଅଙ୍କଟା ହୋଇଗଲେ କଅଣ ବା କ୍ଷତି ହୁଅନ୍ତା, ଭଗବାନ ଆପଣଙ୍କର.. କିଛି କଅଣ ସହଜରେ ପାଇବି ନାହିଁ ମୁଁ ...ଏମିତି ନିୟମ ଯେ ସାମାନ୍ୟ କଥା ପାଇଁ ପରିଶ୍ରମ...ମୋରି ବେଳକୁ ସବୁ ନିୟମ କଡ଼ାକଡ଼ି—ମୋତେ ଗରିବ ଗରିବ ପାଇଲେ ବୋଲି ନା କଅଣ...ଏମିତି କଅଣ କାମ କରାନ୍ତି...

 

ଟୁନା କହିଲା, ବର୍ଷକେ ଦେବେ ଛତିଶ ହଜାର ଛୁଆ ।

 

ଛତିଶହଜାର...ଛ...ତି...ଶ...ହଜାର । ଏମାନେ ପୁଣି ମାତ୍ର ଛ’ ମାସରେ ଗର୍ଭବତୀ ହେବେ । ଛତିଶହଜାର ଗୁଣିତକ ଚାଳିଶ...

 

ଅଙ୍କଟା ମନରେ ମନରେ କଷିବାକୁ ଆତଙ୍କିତ ହେଲେ ମଧ୍ୟ ଗୁଣଫଳର ସଂଖ୍ୟା ଅନୁମାନ କରି ସେ ଶିହରି ଉଠିଲେ ଆତଙ୍କରେ । ...ଏମାନେ ଯେ ହଜାରେ କୋଟି ଟଙ୍କାର ଆହାର ଆମ ମୁହଁରୁ ପ୍ରତିବର୍ଷ ଛଡ଼ାଇ ନେଉଛନ୍ତି ଏଥିରେ ଆଉ ସନ୍ଦେହ କଅଣ...ଆହା, କେତେ ପରିଶ୍ରମ କରି ଆମେ ଉତ୍ପାଦନ କରୁଛୁ, ଆଉ ଏମାନେ ମାଗଣା ମାଗଣା ମାରି ନେଉଛନ୍ତି...ମୋ ରୋଗାଣୀ ପୁଅର ଛେନାଟିକକ ବି ଖାଇ ଯାଉଛି...ଏମାନଙ୍କୁ ଦୟାମାୟା ନାହିଁ—ପୃଥିବୀ ଯାକ ଅଭିଯାନ ଚାଲିଛି ଏଙ୍କ ବିରୁଦ୍ଧରେ...ମୁଁ କାହିଁକି ସେଥିରେ ସହଯୋଗ ନ କରି ଅଖଣ୍ଡ ଜୀବନ ପ୍ରବାହ କଥା ଭାବୁଛି ବସି...

 

ସେ ଦାନ୍ତ କଡ଼ମଡ଼ କରି ଘୋଷଣା କଲେ, ଯଦି ଜନ୍ତାରେ ନ ମଲା ତେବେ ବିଷଦେଇ ମାରିବି । ମୁଁ ଆଜି କିଣି ଆଣିବି ସବୁଠୁ କଡ଼ା ମୂଷାମରା ବିଷ ।

 

ବିଷ କିଣାହେଲା । ରାତିରେ ଦୁଇଖଣ୍ଡ ଟାଣ ଟାଣ ପିଠା ବକଳାରେ ବିଷ ମାଖି ରଖି ଦିଆଗଲା । ପରଦିନ ସକାଳେ କିନ୍ତୁ ଦେଖାଗଲା ବିଷମଖା ପିଠା ସେମିତି ରହିଚି । ମୂଷୀ ପିଠା ପାଛିଆରୁ ଅନ୍ୟ ପିଠାର ବକଳା ଖାଇଚି । ସୁନା କହିଲା : ମୁଁ କହୁ ନ ଥିଲି ବାପା, ଏମାନେ ଭାରି ବୁଦ୍ଧିଆ । କେଉଁ ଘରର କେଉଁ ଖାଦ୍ୟର କି ପ୍ରକାର ଗନ୍ଧ ଏମାନେ ଜାଣି ରଖନ୍ତି ପ୍ରଥମେ । ଟିକିଏ ଭିନ୍ନ ପ୍ରକାର ଗନ୍ଧ ବାରିଲେ ଛୁଇଁବେ ନାହିଁ ପରା ।

 

ବିଜୟକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ...ଗୋଟାଏ ମୂଷୀ ଦେଖ ଯେ ନୟାନ୍ତ କରିସାରିଲାଣି ଆମକୁ । ଯାହା ବା ପିଠା ଖାଇଥିଲା ବର୍ତ୍ତମାନ ଝିଅର ଦାମିକା ଶାଢ଼ୀ ଦି’ଟା, ଅନୁପମାର ଠାକୁରାଣୀଙ୍କ ସିନ୍ଦୂରରେ ତିଆରି ଆଖି, ଚମଡ଼ା, ସୁଟ୍‌କେସ୍ କାଟି ନାରଖାର କରି ସାରିଲାଣି । ଅନୁପମା କହୁଚି କଅଣ ନା, ଏ ଅବସ୍ଥାରେ ସେମିତି ହେବ । ମାରିବି ମାରିବି ମାରିବି-

 

ସେଇଠୁ ବିଜୟ ପ୍ରଥମେ ତନଖି ଦେଖିଲେ କେଉଁ ବାଟେ ମୂଷୀ ଘର ଭିତରକୁ ପଶୁଛି । ଦେଖିଲେ ରୋଷାଇ ଘରର କାଠଗଦା ତଳେ କାନ୍ଥସନ୍ଧିକୁ ତିନୋଟି ଗାତ । ‘ମିତ୍ରଲାଭ’ ଗଳ୍ପରେ ହିରଣ୍ୟକ ନାମ ମୂଷିକରାଜ କଥା ପଢ଼ିବା ବେଳେ ମୂଷାର ବୁଦ୍ଧି ଦେଖି ତାଙ୍କୁ ଭାରି ଆମୋଦ ଲାଗିଥିଲା ଯେ, ସେ ମୂଷା ଭୂଇଁତଳୁ ଉପରକୁ ଶହେଟି ଦ୍ଵାର ଫୁଟାଇଥାଏ, ଯେମିତିକି ଶତ୍ରୁ ଗୋଟେବାଟେ ପଶିଲେ ସେ ଅନ୍ୟ ବାଟରେ ପଳାଇବ ଆଉ ଶତ୍ରୁ ବି ଗୋଲକଧନ୍ଦାରେ ପଡ଼ି ଛଟପଟ ହେବ । ବର୍ତ୍ତମାନ କିନ୍ତୁ ନିଜ ଘରେ ସେକଥା ଦେଖି ତାଙ୍କ ବ୍ରହ୍ମ ଜଳିଗଲା । ସେଦିନ ସେ କଚେରୀରୁ ଛୁଟି ନେଇ ଦିନଯାକ ଲାଗି ସେ ଗାଡ଼ିମାନଙ୍କରେ ବିଷ ଦେଇ ଇଟାଗୋଡ଼ି ଦ୍ଵାରା ଭଲକରି ରୁନ୍ଧି-ଦେଲେ । ରାତିରେ ଅନ୍ୟ ସବୁ ନଳା ବି ବନ୍ଦ କରି ଦିଆହେଲା । ତଥାପି ରାତିରେ ଖଡ଼ଖଡ଼ ଶବ୍ଦ ଶୁଣି ଯାଇ ଦଉଡ଼ି ଦେଖନ୍ତି ତ ମୂଷୀ ପାଇଖାନାର ବେସିନ୍ କଣାବାଟେ ପଳାଇଲା । ପଳାଇଲାବେଳେ ବୁଲି ପଡ଼ି ମୁହଁକୁ ଟିକେ ବାହାର କରି ବିଜୟଙ୍କ ଆଡ଼େ ନାକ ଫୁଲାଇ କିଛିକ୍ଷଣ ଚାହିଁ ଉଭାନ ହୋଇଗଲା ।

 

ପରଦିନ କଚେରୀରୁ ଫେରିବା ବାଟରେ ବିଜୟ ଜଣେ ବନ୍ଧୁଙ୍କ ଘରୁ ଗୋଟିଏ ପୋଷା ବିଲେଇ ଆଣିଲେ । ବର୍ଣ୍ଣବୋଧର ‘ଆଇଲାଣି ବିଲେଇ, ମୂଷାଯିବ ପଳାଇ’କୁ ସେ ବେଦବାକ୍ୟ ଭଳି ଧରି ନେଇଥିଲେ । କିନ୍ତୁ ରାତିରେ ଯାହା ଦେଖିଲେ ସେ ସ୍ତମ୍ଭୀଭୂତ ହୋଇଗଲେ । ଦେଖିଲେ, ରୋଷାଇଘରେ ଥାକ ଉପରେ ଚଢ଼ି ବିଲେଇ ଛେନା ଖାଉଚି—ଆଉ କିଛି ଦୂରରେ ମୂଷୀ ବସି ପିଠା ଖାଉଛି । ଦିହେଁ ପରସ୍ପରକୁ ମଝିରେ ମଝିରେ ଅନାଉଛନ୍ତି । ଠିକ୍ ଯେମିତି ଖାଉ ଖାଉ ଦୁଃଖ ସୁଖ ହେଉଛନ୍ତି । କିମାଶ୍ଚର୍ଯ୍ୟମ୍ ଅତଃପରମ୍ ।

 

କୁନା ଶୁଣି କହିଲା: ବାପା, ବାଘ, ସିଂହ, ବିଲେଇ ଆଦି ଜନ୍ମରୁ ଶିକାରୀ ନ ଥାନ୍ତି । ଛୁଆଙ୍କୁ ମା’ ଶିକାର ନ ଶିଖାଇଲେ ସେମାନେ ଶିକାର କରିପାରନ୍ତି ନାହିଁ । ପୋଷା ବିଲେଇ ତେଣୁ ଶିକାର କରିପାରନ୍ତି ନାହିଁ । ଜାଣନ୍ତି ନାହିଁ ଯେ ମୂଷା ତାଙ୍କ ଖାଦ୍ୟ ।

 

ବିଜୟ ଅଭିଭୂତ ହେଲେ । କି ବିଚିତ୍ର ଏ ମା ରୂପିଣୀ ପ୍ରକୃତି । କାଳୀ କୁତୀ କଥା ତାଙ୍କର ମନେ ପଡ଼ିଗଲା । କିଛଦିନ ତଳେ ତା’ର ଏକ ବିଚିତ୍ରକଥା ଦେଖି ଘୃଣାରେ ଶିହରି ଉଠିଥିଲେ । କାଳୀ ତାର ବର୍ଷକର ପୁଅକୁ ରମଣ କରିବାକୁ ଉତ୍ତେଜିତ କରୁଚି । କିନ୍ତୁ ପୁଅ କାଳୀ ଉପରକୁ ଉଠିବାମାତ୍ରେ କାଳୀ ପଳାଇଲା । କି ଭାଚାଙ୍କର ଏ ପ୍ରକୃତି । କି ଭୟଙ୍କର । ବିଜୟଙ୍କ ମନେ ପଡ଼ିଗଲା ଶ୍ରୀରାମକୃଷ୍ଣ ଦେଖିଥିବା ଏକ ସାକ୍ଷାତ ଦୃଶ୍ୟ ବା ଭିଜନ୍ । ଦିନେ ସନ୍ଧ୍ୟାବେଳେ ସେ ଗଙ୍ଗାକୁଳରେ ବୁଲୁଥାନ୍ତି । ଦେଖିଲେ ଗଙ୍ଗା ଭିତରୁ ଗୋଟିଏ ଅତି ସୁନ୍ଦରୀ ଯୁବତୀ ସ୍ତ୍ରୀ କୂଳକୁ ଉଠି ଆସିଲା । ତା କୋଳରେ ଗୋଟିଏ ଦେବୋପମ ଗୁଲୁଗୁଲିଆ ଶିଶୁ । କିଛକ୍ଷଣ ଧରି ସେ ଯୁବତୀଟି ତା’ ଛୁଆଟିକୁ ଅନେକ ଗେହ୍ଲା କଲା । ତା’ପରେ ଅଣ୍ଟାରୁ ଗୋଟାଏ ଛୁରା ବାହାର କରି ଶିଶୁଟିର ଛାତିରେ ଭୁଷିଦେଇ ଶିଶୁକୁ ଗଙ୍ଗାରେ ପକାଇ ଦେଲା ନିର୍ବିକାର ଭାବରେ ଓ ଖିଲିଖିଲି ହସି ଚାଲିଗଲା ପୁଣି ଗଙ୍ଗା ଭିତରକୁ ।

 

ବିଜୟ ମନେ ମନେ ଆବୃତ୍ତି କଲେ ରବୀନ୍ଦ୍ରନାଥଙ୍କ କବିତା, ତୁମର ବିସ୍ତୀର୍ଣ୍ଣ ପଥ ରଖିଛ ଆକୀର୍ଣ୍ଣ କରି ବିଚିତ୍ର ଛଳନା ଜାଲେ ହେ ଛଳନାମୟୀ । ବିଜୟଙ୍କ ମନ ହତାଶାମିଶ୍ରିତ ଉଦାସ ଭାବରେ ଭରିଗଲା । ମୂଷିକ ମାରିବା ସଂକଳ୍ପ ସେ ତ୍ୟାଗ କଲେ । ବିଲେଇ ଫେରାଇ ଦେଲେ । ସ୍ଥିର କଲେ ଗୋଟାଏ ଜାଲି ଆଲମାରି କିଣି ଆଣିବେ ଆଜି, ଆଉ ସେଥିରେ ସବୁ ଖାଇବା ଜିନିଷ ରଖାଯିବ । ସମସ୍ତଙ୍କୁ ନିର୍ଦ୍ଦେଶ ଦେଲେ ଯେ ମୂଷୀ ଛୁଆ ଦେବା ପର୍ଯ୍ୟନ୍ତ ସମସ୍ତେ ସବୁ ପଦାର୍ଥ ସାବଧାନରେ ରଖିବେ ।

 

ସାନପୁଅ କୁନା ତାପରେ ଦିନେ ଦୌଡ଼ି ଆସି କହିଲା : ବାପା, ଚଞ୍ଚଳୀ ଛୁଆ ଦେଇ ସାରିଲାଣି ।

 

ବିଜୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ: ଚଞ୍ଚଳୀ ପୁଣି କିଏରେ ?

 

କୁନା କହିଲା ଆମ ମୂଷୀ ନାଁ ମୁଁ ଦେଇଛି ଚଞ୍ଚଳୀ ।

 

ମୂଷିକୁ ମାରିବାକୁ ଯାଇ ତା ବିଷୟରେ, ମୂଷା ଜାତି ବିଷୟରେ ପୁଣି ନାନା କଥା ବିଷୟରେ ଏତେ କଥା ଜାଣି ସାରିଲେଣି ଯେ ମୂଷୀ ଉପରେ ଅଜାଣତରେ ସମସ୍ତଙ୍କର ଗୋଟାଏ ମାୟା ଲାଗିସାରିଥାଏ । ସେଥିରେ ପୁଣି ତା’ର ଗୋଟାଏ ନାମକରଣ ହେଲାପରେ ସମସ୍ତେ ଅନୁଭବ କଲେ ସେ ଯେମିତି ଏ ପରିବାରର ଜଣେ । ବିଜୟ ଆଗ୍ରହରେ ପଚାରିଲେ: କେଉଁଠି ଛୁଆ ଦେଇଛିରେ ।

 

କୁନା କହିଲା: ଆପଣଙ୍କ ଯେଉଁ ଛିଣ୍ଡା କୋଟ୍‍ଟା ଅଲଗୁଣିରେ ଟଙ୍ଗାହୋଇ ରହିଥାଏ ନା ତା’ରି ପାକିଟିରେ । ଗୋଟାଏ ଚେଁ ଚେଁ ଶବ୍ଦ ଶୁଣି ଖୋଜୁ ଖୋଜୁ ଦେଖିଲି ଯେ ସେ ପାକିଟିରେ ନାଲି ଗୁଲୁ ଗୁଲୁ ସାତୋଟି ଛୁଆ ।

 

ସମସ୍ତେ ଦଉଡ଼ିଯାଇ ଦେଖିଲେ ସେ ଦୃଶ୍ୟ । ସେଇଠୁ ଠିକ୍ ହେଲା ଯେ ଚଞ୍ଚଳୀ ରାତିରେ ଆସିଲେ ତା’ ଛୁଆ ପାଖକୁ ତ ନିଶ୍ଚୟ ଯିବ, ସେତିକିବେଳେ ତାକୁ ପାକିଟି ଭିତରେ ଚାପିଧରି ଛୁଆ ସହିତ ଗୋଟେ ପିଞ୍ଜରାରେ ରଖାଯିବ । ଗୋଟେ ପିଞ୍ଜରା ବି କିଣାହୋଇ ଆସିଲା-

 

ସେ ରାତିରେ ଗାଧୋଇବା ଘରଭିତରୁ ଗୋଟାଏ ଭୟଙ୍କର ସଁ ସଁ ଶବ୍ଦ ଶୁଣି ବିଜୟ ଯାଇ ଦେଖନ୍ତି ତ ଘରେ ଗୋଟାଏ ଢମଣା ସାପ ମୁଣ୍ଡ ଟେକି ଗର୍ଜନ କରୁଛି । ଆଉ ଚଞ୍ଚଳି ତା ସାମନାରେ ସ୍ଥିରହୋଇ ବସି ଥରୁଛି । ବେଶ୍ ଲମ୍ବା ସାପଟାଏ । ତା ଦେହରେ ରଙ୍ଗବେରଙ୍ଗର ସୁନ୍ଦର ଚିତ୍ରଣ ତାକୁ ଯେମିତି ଆହୁରି ଭୟଙ୍କର କରିଦେଉଥାଏ । ଆଲୁଅରେ ସେ ଚିତ୍ରାଙ୍କନ ଚକ୍‍ଚକ୍ ଦିଶୁଥାଏ । ସାପଟା ଧୀରେ ଧୀରେ ତା ଦେହଟାକୁ ତରଙ୍ଗାୟିତ କରୁଥାଏ । ମନେ ହେଉଥାଏ ଯେମିତି ଉଲ୍ଲାସରେ ସେ ଫୁଲି ଫୁଲି ଉଠିଚି । ମଝିରେ ମଝିରେ ତାର ଦି’ଫାଳିଆ ଜିଭଟାକୁ ସେ ଲହ ଲହ କରୁଥାଏ । ସ୍ଥିର ଦୃଷ୍ଟିରେ ସେ ଚାହିଁଥାଏ ମୁଷୀଆଡ଼େ । ମନେ ମନେ ସେ ଯେମିତି ଭଗବାନଙ୍କୁ ଜଣାଉ ଥାଏ, ଧନ୍ୟ ବିଧାତା ଅଟୁ ତୁହି, ତୋ ବିନୁ ଅନ୍ୟ ଆଶ୍ରା ନାହିଁ । ତିନିଦିନର ଉପାସକୁ, ଆହାର ଦେଲୁ ଯେ ଆମ୍ଭକୁ ।

 

ପିଲାଏ ହୁମୁହୁମୁ ହେଉଥାନ୍ତି ସାପଟାକୁ ମାରିଦେବାକୁ; କିନ୍ତୁ ତା’ ପାଖକୁ ଯିବାକୁ କେହି ସାହସ କରୁନଥାନ୍ତି । ସେମାନେ ବିଜୟକୁ ଅଥୟ କରୁଥାନ୍ତି ସାପଟାକୁ ବାଡ଼େଇ ମାରିଦେବାକୁ । କିନ୍ତୁ ସାନପୁଅ ଆଖିରେ ପାଣି ।

 

ବିଜୟ ସ୍ତମ୍ଭୀଭୂତ ହୋଇ ଭାବୁଥାନ୍ତି କଅଣ କରିବେ । ମହାଭାରତର ଗୋଟିଏ ଗଳ୍ପ ତାଙ୍କୁ ଆଲୋଡ଼ିତ କରୁଥାଏ । ଦୁଇଜଣ ମହାତପା ଯୋଗୀ ଥିଲେ । ତାଙ୍କର ତପ-ପ୍ରଭାବ ଏଡ଼େ ପ୍ରଖର ଯେ ଗାଧୋଇ ଆସି ସେମାନେ ଓଦାଲୁଗା ଶୂନ୍ୟରେ ଟାଙ୍ଗି ଦେଉଥିଲେ ଶୁଖିବାପାଇଁ । ଲୁଗା ପଡ଼ିଯାଉ ନ ଥିଲା । ଦିନେ ସେମାନେ ସେମିତି ଲୁଗା ଶୁଖାଇ ତପସ୍ୟା କରିବାକୁ ବସିଛନ୍ତି, ଦେଖିଲେ ତାଙ୍କ ସାମନାରେ ଗୋଟିଏ ବିଲେଇ ଗୋଟିଏ ମୂଷାକୁ ମାଡ଼ି ବସିଲା । ପ୍ରଥମ ଯୋଗୀଟି ଏଥିରେ ବ୍ୟଥିତ ହୋଇ ବିଲେଇ ପାଖରୁ ମୂଷାକୁ ମୁକୁଳାଇ ଦେଲା । ସେ କାର୍ଯ୍ୟରେ କାର୍ଯ୍ୟରେ ତାଙ୍କ ତପପ୍ରଭାବ ନଷ୍ଟ ହୋଇଯିବାରୁ ଶୂନ୍ୟରେ ଟଙ୍ଗା ହୋଇଥିବା ତାଙ୍କ ଲୁଗା ଖସି ତଳେ ପଡ଼ିଗଲା । ଅନ୍ୟ ଯୋଗୀଟି ଭାବିଲା, ବିଲେଇଟିକୁ ତା’ର ପ୍ରକୃତି ଦତ୍ତ ଖାଦ୍ୟରୁ ବଞ୍ଚିତ କରିବା ଅନ୍ୟାୟ ହେଲା । ତେଣୁ ସେ ମୂଷାଟିକୁ ଆଣି ପୁଣି ବିଲେଇ ପାଖରେ ଛାଡ଼ି ଦେବାରୁ ବିଲେଇ ମାଡ଼ି ବସିଲା । କିନ୍ତୁ ତା ଲୁଗା ବି ଖସି ପଡ଼ିଲା ।

 

କଅଣ କରିବେ ଭାବୁ ଭାବୁ ସାପଟା ଖପ୍‌କିନା ମୂଷୀକୁ ଧରି ପକାଇଲା । ତା’ର ଦେହ ଏଥର ମହା ଉଲ୍ଲାସରେ ଶୀଘ୍ର ଶୀଘ୍ର ତରଙ୍ଗାୟିତ ହେବାକୁ ଲାଗିଲା । ସାପ ପାଟିଭିତରୁ ମୂଷୀର କରୁଣ ଆର୍ତ୍ତନାଦ ଶୁଭୁଥାଏ । ସତେ ଯେମିତି ସେ କହୁଥାଏ—ଚାଲିଲି ମୁଁ, ମୋ ଛୁଆଏ ତମମାନଙ୍କୁ ଲାଗିଲେ ।

 

ସାପଟା ଚଟ୍‌କିନା ବୁଲି ପଡ଼ି ନଳାବାଟେ ପଳାଇଲା । ସମସ୍ତଙ୍କ ଆଖି ଛଳ ଛଳ ହୋଇଗଲା । ସାନପୁଅ ତା ମା କୋଳରେ ମୁହଁ ଗୁଞ୍ଜି କଇଁ କଇଁ ହୋଇ କାନ୍ଦି ଉଠିଲା । ସମସ୍ତେ ସମସ୍ତଙ୍କ ଦେହରେ ହାତ ବୁଲାଇ ପ୍ରବୋଧ ଦେବାକୁ ଲାଗିଲେ । ଅନୁପମା ଆଖି ପୋଛି କହିଲେ: ହଅ, ଦୁନିଆ ତ ଏଇୟା ।

 

ବିଜୟ ଦୀର୍ଘ ନିଶ୍ୱାସ ପକାଇ ଆଖି ପୋଛି କହିଲେ: କାଳସର୍ପ ଆପଣ କବଳ କରପ୍ରାଣ...କିନ୍ତୁ ସେ ଚମକିତ ହୋଇ ଦେଖିଲେ ଯେ ତା ସହିତ ଶତ୍ରୁନାଶର ତୃପ୍ତି ବି ମିଶିଛି । ...ଯାଃ, ହ୍ୟାପ ଗଲା ଏତେ ଦିନକେ ।

 

କୁନା ସେ ଛୁଆ ସାତୋଟିକୁ ଗୋଟିଏ କାଗଜ ବାକ୍‌ସରେ ତୁଳା ଗଦିରେ ରଖିଲା । କିଛିଦିନ ପରେ ଛୁଆଗୁଡ଼ିକ ବି ଯେତେବେଳେ ମରିଗଲେ ବିଜୟଙ୍କୁ ଦୁଃଖଠୁଁ ଛୁଆଙ୍କୁ ପାଳିବାର ଦାୟିତ୍ଵରୁ ମୁକ୍ତିର ତୃପ୍ତିଟା ବେଶୀ ସୁଖ ଲାଗିଲା । ସେ ତୃପ୍ତିଟା ପୁଣି ହୀନ ଲାଗିବାରୁ ଅନୁଶୋଚନା ହେଲା । ପୁଣି ଅନୁଶୋଚନାଟା ଅଯଥା ଦୁର୍ବଳତା ବୋଲି ଭାବିବାରୁ ତା ବିରୁଦ୍ଧରେ ବିଦ୍ରୋହ ଜାତ ହେଲା । ମଝିରେ ପୁଣି ଗୋଟାଏ ଅଜଣା କୋହ ଠେଲି ଉଠିବାକୁ ଚେଷ୍ଟା କରୁଥାଏ ।

 

ବିଜୟ ମୁଣ୍ଡରେ ହାତଦେଇ କହିଲେ, ଉଃ, କି ଜଟିଳ ଏ ଜୀବନ । ଆଉ କି ବୈଚିତ୍ରମୟ ଏ ଜଟିଳତା । କ୍ଷଣେ କ୍ଷଣେ ବିଚିତ୍ର । ବାହାରର ଯେତେ ଅସଂଖ୍ୟ କଥା, ପୁଣି ଭିତରେ ଯେତେ ଅସଂଖ୍ୟ କଥା, କାହାରି ସହିତ କାହାରି ସମ୍ପର୍କ ନାହିଁ, ସବୁ ଗୋଳେଇ ପୋଳେଇ ଘଣ୍ଟା ଘଣ୍ଟି ହୋଇ ସମ୍ପର୍କିତ ହେଉଛନ୍ତି ନିଜ ନିଜ ଅହଂ ଅନୁସାରେ । ଅହଂ ତାକୁ ସବୁ ବୋହି ଚାଲିଛି...ଚାଲିଛି...ସେ ଗୁରୁଭାରକୁ ଫୋପାଡ଼ି ଦେଇ ଆଉ କଅଣ ପାଇବାକୁ ପୁଣି ଲୋଡ଼ିଚି...କି ଅଲୌକିକ କାଣ୍ଡରେ ବାବା...

Image